ମିଶ୍ରବାବୁ ଏବଂ ତାଙ୍କ ଗାଁ
ମିଶ୍ରବାବୁ ଏବଂ ତାଙ୍କ ଗାଁ
ସନ୍ଧ୍ୟା ହେବାକୁ ଯାଉଥାଏ। ସୂର୍ଯ୍ୟ ପଶ୍ଚିମରେ ଦିଗବଳୟ ସହ ମିଶିବାକୁ ଉଦ୍ୟମରତ । ପକ୍ଷୀ ସବୁ ନିଜ ବସା ଆଡ଼କୁ ଫେରୁଛନ୍ତି। କୃଷକ ମାନେ କୃଷକ ଗୀତ ଗାଈ ଅତି ଆନନ୍ଦରେ କାନ୍ଧରେ ହଳ ଧରି ଆଗମନରତ। ଗାଁ ବୋହୂ ତୁଳସୀ ଚଉଁରା ମୂଳରେ ସଞ୍ଜଦୀପ ଜାଳୁଛି। ବୁଢ଼ୀ ମା ତାର ଅଝଟ ନାତିକୁ ପରୀକାହାଣୀ କହିବାରେ ବ୍ୟସ୍ତ। ଲଣ୍ଠନ ଆଲୁଅରେ ଟିଉସନ୍ ମାଷ୍ଟର ଗୁଡ଼ାଏ ପିଲାଙ୍କୁ ପଣିକିଆ ଘୋଷାଉଛନ୍ତି, ଭାରତରେ ଆଉ ଗୋଟାଏ ଗୋଟାଏ ରାମାନୁଜନ୍ ସୃଷ୍ଟି କରିବା ପାଇଁ।ଜଳେ ଯୁବକ ଆଲୋଚନା କରୁଛନ୍ତି ବିଜେପି ଓ ବିଜେଡ଼ି ର ଛକାପଞ୍ଝା ଜଣେ ଜଣେ କୂଟନୀତିଜ୍ଞ ଙ୍କ ପରି। ଝିଙ୍କାରି ର ଝିଙ୍କାର ଶବ୍ଦ ଶାନ୍ତ ପରିବେଶ ଟିରେ ଅପୂର୍ବ ଗୁଞ୍ଜରଣ ସୃଷ୍ଟି କରୁଛି। ଟିଭିରେ ରାମାୟଣ ଦେଉଛି ଏବଂ ତା ଆଗରେ ୧୫ ରୁ ୨୦ ଜଣ ଦର୍ଶକ।
ଠିକ୍ ଏପରି ଏକ ଦୃଶ୍ୟ ଦେଖୁଥିଲେ "ମିଶ୍ର ବାବୁ" ଠିକ୍ ପଚାଶ ବର୍ଷ ପୂର୍ବରୁ। ମାତ୍ର ଆଜି ଏ ଦୁନିଆ ପରିବର୍ତ୍ତିତ । ଗାଡ଼ିର ହର୍ନ ଶବ୍ଦ ଶୁଣି ସକାଳ ଆରମ୍ଭ ହୁଏ ଓ ରାତିରେ କଳକାରଖାନାର ଘଁ ଘଁ ଗର୍ଜନରେ ଶେଷ ହୁଏ । ରାତିରେ ଜହ୍ନକୁ ଘେରି ରହିଥାଏ କଳାଧୂଆଁ ଓ ଗୋଟାଏ ଚନ୍ଦ୍ର ଗ୍ରହଣର ଭ୍ରମ ସୃଷ୍ଟି କରୁଥାଏ । ପୂରାନାମ ଶ୍ରୀ ସୋମନାଥ ମିଶ୍ର । ଦୁଇବର୍ଷ ତଳେ ଚାକିରିରୁ ଅବସର ନେଇଛନ୍ତି । ସକାଳ ପାଞ୍ଚଟାରେ ଉଠି ସାମର୍ଥ୍ୟମତେ ଯୋଗାଭ୍ୟାସ କରି ବିରାଟ ଡାଇନିଂ ରେ ଜଳଖିଆ ହୁଏ ମିଶ୍ର ବାବୁ ଙ୍କର। ଜଳଖିଆ ରେ ସବୁ ଦିନ ଅଲଗା ଅଲଗା ବିଦେଶୀ ଖାଦ୍ୟ।ତା'ର ନାମ ବୋଧେ ଶବ୍ଦ କୋଷ ରେ ମିଳିବା ଅସମ୍ଭବ। ଦିନ ସାରା ସେହି ରଙ୍ଗୀନ କୋଠରୀରେ ରହିବା ପରେ ପୁଣି ସେହି ମଧ୍ୟାହ୍ନ ଭୋଜନ ଓ ରାତ୍ରୀଭୋଜନ ପରେ ବିଶ୍ରାମ।ଘରେ ଚାକର ଚାକରାଣୀ ଙ୍କ ଅଭାବ ନାହିଁ।ପୁଅ ବଡ ଚାକିରି ର ବଡପଦବୀର ବଡ଼ ଦରମାରେ ଅଧିଷ୍ଠିତ। ମାତ୍ର ତଥାପି କାହିଁକି କେଜାଣି ମିଶ୍ର ବାବୁଙ୍କ ମନେପଡିଯାଉଥାଏ ତାଙ୍କ ଗାଁ ର କଥା । ଗାଁର ଝରଣା, ନଦୀ, ଗାଇ,ପଡିଆ ସବୁ ବିଷୟରେ ଗୋଟେ ପରେ ଗୋଟେ ବକ୍ତୃତା ଦେଉଥାନ୍ତି ତାଙ୍କ ନାତିକୁ।ନାତି ଆଁ ଫାଡ଼ି ତା'ର ମହାବିଦ୍ୟାଳୟ ପାଠ ବୁଝିଲା ପରି ଚାହିଁ ରହିଥାଏ । ମିଶ୍ର ବାବୁ କହୁଥାନ୍ତି ତାଙ୍କ ଗାଁର ପାଣିପାଗ, ରାସ୍ତାଘାଟ ବିଷୟରେ। ବିଶେଷ କରି ଗାଁର ଚୁଡାମୁଢି, ଚୁଡ଼ା କଦଳୀ, ଆରିଷା, ମୁଗବରା, ରସବରା ଆଦି ଖାଦ୍ୟ ବିଷୟରେ। ଏସବୁ ଶୁଣି ନାତି କେବଳ ମୁଣ୍ଡ ଟୁଙ୍ଗାରୁଥାଏ। କିନ୍ତୁ ମିଶ୍ର ବାବୁ ଗାଁରେ ଥିବା ସମୟରେ ଏସବୁ କିଛି ଭାବୁଥିଲେ। ଗାଁର ପକ୍କା ରାସ୍ତା ତାଙ୍କୁ ଭାରି ଅପରିଚ୍ଛନ୍ନ ଲାଗୁଥିଲା। ପ୍ରତ୍ୟେକ ଦିନର ଚାହାଚୁଡା ତାଂକୁ ବିରକ୍ତ କର ଲାଗୁଥିଲା। ଗାଁରେ ସୁଖ ନାମକ କୈାଣସି ଜିନିଷ ନାହିଁ ବୋଲି ସେ ଭାବୁଥିଲେ।ସହରର ଫାଷ୍ଟଫୁଡ୍ ନାମକ ଲାଷ୍ଟଫୁଡ୍ କୁ(ଶେଷ ଖାଦ୍ୟ) ସେ ଗଭୀର ଭଲ ପାଉଥିଲେ । ସେ ଭାବୁଥିଲେ ସହରର ବଡ଼ ବଡ଼ ଧଳା କୋଠା ଜୀବନରେ ରଙ୍ଗ ଭରିଦିଏ । ସହର ହିଁ ଯେ ଦୁନିଆର ଏକମାତ୍ର ସଭ୍ୟ, ଶିକ୍ଷିତ ଓ ସଂସ୍କାରିତ ସ୍ଥାନ । 'ସହର ହିଁ ପୃଥିବୀର ସ୍ବର୍ଗ'- ଏପରି ଏକ ଧାରଣା ତାଙ୍କ ମନରେ ବସା ବାନ୍ଧିଥିଲା। ଜୀବନ ଯାକ ଅକ୍ଳାନ୍ତ ପରିଶ୍ରମ କରିଥିଲେ ସହର ଆଡ଼କୁ ଯିବା ପାଇଁ ।
ମାତ୍ର ଆଜି ସବୁକିଛି ସତେ ଯେପରି ଓଲଟ ପାଲଟ ହୋଇଯାଇଛି। ମାତ୍ର ଏହା ତ ଜଗତର ନିୟମ-ଜଣେ ଅଭିଜ୍ଞ ସଂସାରୀ ପରି ଉତ୍ତର ଦେଇଛି ନାତିଜଣକ। ଗୋଟିଏ ଜିନିଷର ମୂଲ୍ୟ ଜିନିଷଟି ହଜିଲେ ହିଁ ଜଣାପଡ଼େ। ଗାଁକୁ ସହର ଖରାପ ଓ ଗାଁ ଯେ ସହର ଠୁ ଶହେ ଗୁଣ ଭଲ ଏହା ସଂପୂର୍ଣ୍ଣ ମାତ୍ରା ରେ ଠିକ୍ ନୁହେଁ । ଜଣେ ସହର ନିବାସୀ ନିଜ ହୃଦୟ କୁ ସୁନ୍ଦର କରିପାରିଲେ ପୂରା ସହର ହସିଉଠିବ ବନ୍ଧୁତ୍ୱ ଓ ଭାଇଚାରାରେ। ବସ୍ତୁବାଦୀ ମାନବର ମନକୁ ପରିବର୍ତ୍ତନ କରାଯାଇପାରିଲେ ହିଁ ମାନବ ସମାଜ ବିକାଶ କରିପାରିବ।ଦିନ ଆସିବ ଗାଁ ଓ ସହର ଏକା ପରି ମନେ ହେବ ପ୍ରେମ ଓ ଭାଇଚାରାର ସେତୁ ଦ୍ୱାରା ମାତ୍ର ନାତିଜଣକର ଅନ୍ତର ଆତ୍ମା ବାରମ୍ବାର ଗାଉଥାଏ "ଛୋଟ ମୋର ଗାଁ" କବିତା ଟି ଓ ସତେ ଯେପରି ଉଦ୍ୟମରତ ହେଉଥାଏ ସେହି ଛୋଟ, ସୁନ୍ଦର ଓ ଆପଣାର ଗାଁକୁ ଯିବା ପାଇଁ। ହଠାତ୍ ଗାଡ଼ିର ହର୍ନ ଶବ୍ଦ ଶୁଣି ନାତିଟି ମନସ୍କ ହୋଇ ଚାଲିଲା ତା'ର ମହାବିଦ୍ୟାଳୟ ଆଡ଼କୁ ।