ସିଗାରେଟ
ସିଗାରେଟ
ବିଶୃଙ୍ଖଳାର ଅନ୍ୟ ନାମରେ ପରିଚିତ ବିରାଟ ବିଦ୍ୟାଳୟର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଦେଇ ଅତି ଆନନ୍ଦରେ କାଟୁଥାଏ ଗ୍ରୀଷ୍ମ ଅବକାଶ। ସାଙ୍ଗରେ କେଇଜଣ ଦୁଷ୍ଟ ସାଙ୍ଗ। ମାଗଣା ଖାଦ୍ୟ ଆଶାରେ ବୁଲୁଥାନ୍ତି ଚାରିପଟେ।ହୁଷ୍ଟପୃଷ୍ଟ ବିରାଟ, ମଜବୁତ କାନ୍ଧ, ବାଦାମୀ ବର୍ଣ୍ଣ, ମୁଣ୍ଡ ରେ ଲମ୍ବା ବାଳ।ତା'ର ଶରୀର ରେ ସୁଗୁଣ ନାମକ କୌଣସି କୋଷ ହିଁ ନ ଥିଲା। ବୋଧେ ତା'ପରି ଆଉ ପାଞ୍ଚ, ଛଅଟି ପିଲା ଭାରତ ର ସୀମା ରେ ରଖିଦେଲେ ପାକିସ୍ତାନ ସହ ଏ ପୃଥିବୀ ମଧ୍ୟ ଧ୍ୱଂସ ହୋଇଯିବ।ଛୋଟ ବୟସରୁ ହିଁ ସେ ସିଗାରେଟ ପ୍ରତି ଆସକ୍ତ। ତା'ର ଧମନୀରେ ରକ୍ତ ନୁହେଁ ନିକୋଟିନ ହିଁ ବୋହୁଥିଲା।ନିଶା ହିଁ ତାର ନିଶା ଓ ପେଶା ଥିଲା।
ସମୟର ପ୍ରବଳ ପ୍ରବାହରେ ଗ୍ରୀଷ୍ମ ଛୁଟି ସମାପ୍ତ ହେଲା। ବିରାଟ ଚାଲିଲା ମହାବିଦ୍ୟାଳୟ ଆଡ଼କୁ। ସୁନ୍ଦର ପରିବେଶ, ବିଶୁଦ୍ଧ ପବନ,ନିର୍ମଳ ଜଳ, ସୁସ୍ୱାଦୁ ଖାଦ୍ୟ। ମାତ୍ର ଏ ସବୁ ତା ପାଇଁ ବୋଝ ପାଲଟି ଥିଲା।ସେ ଚାହୁଁଥିଲା ଧୂଆଁ , କେବଳ ଧୂଆଁ ହିଁ ଧୂଆଁ।
ତା'ର ଏ କୁଅଭ୍ୟାସ ଦେଖି ତାକୁ ବହୁଥର ବାରଣ କରିଥିଲେ ସେହି ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ।ପାଠରେ ଦୁର୍ବଳ ବିରାଟ ପାଇଁ କଳା ବିଭାଗର ଇତିହାସ ଅଧ୍ୟାପକ ଙ୍କ ବିଜ୍ଞାନ ବିବରଣୀ ବାଉନ୍ସର ବଲ୍ ସଦୃଶ ଥିଲା। ବରଂ ସେ ଓଲଟ କହୁଥିଲା-ସେ ଖରାପ ନୁହେଁ।ଏ ପରିବେଶ ହିଁ ତାକୁ ଖରାପ କରିଛି। ନିଜ ସିଗାରେଟ ର ଧୂଆଁରେ ପରିବେଶକୁ ଦୂଷିତ କରୁଥିବା ବିରାଟ ପରିବେଶକୁ ପ୍ରଦୂଷକ କହିବାରେ ମଧ୍ୟ ପଛୋଉନଥଲା। ଏହି ମଧ୍ୟରେ ଇତିହାସ ଅଧ୍ୟାପକ ମଧ୍ୟ ବିରାଟ ପାଇଁ ଇତିହାସ ପାଲଟି ଯାଇଥିଲେ। ମାତ୍ର ତା ପାଖରେ ଥିଲା ସିଗାରେଟ। ମାତ୍ର ବିରାଟ ଜାଣିନଥିଲା ତା ଜୀବନରେ ଆଗକୁ ଗୋଟିଏ ନିର୍ଣ୍ଣାୟକ ଘଟଣା ଘଟିବାକୁ ଯାଉଥିଲା। ତା'ର ଅସାବଧାନତା ରେ ଫିଙ୍ଗା ଯାଇଥିବା ସିଗାରେଟ ତା'ର ଛୋଟ ଘରଟି ସମ୍ପୂର୍ଣ୍ଣ ଜଳିଗଲା। ଅବଶ୍ୟ ତା'ର ଘରେ କେହି ନଥିଲେ ନହେଲେ ତାଙ୍କର ଗଙ୍ଗାଲାଭ ହୋଇଯାଇଥାନ୍ତା। ତା'ର ଏହି ଛୋଟ ଭୁଲ୍ ରୁ ତା'ର ଘର ମାଟିରେ ମିଶିଗଲା।ଏ ଭୁଲ ଟି ତା ବାପା ଓ ମାଆଙ୍କ ପାଇଁ ଅସହ୍ୟ ଥିଲେ ମଧ୍ୟ ସେମାନେ ସେଦିନ ମଧ୍ୟ ନିଜକୁ ହିଁ ନିନ୍ଦିଥିଲେ।
ବିରାଟ ସେଦିନଠୁ ସିଗାରେଟ କୁ ବିଦାୟ ଦେଇଥିଲ
ା।ନିକୋଟିନରେ ଭରା ଶରୀର ନିକେଟିକ୍ସ ଖାଇବାକୁ ଲାଗିଲା।ଏ ଘଟଣା ତାକୁ ଏତେ ଗଭୀର ପ୍ରଭାବ ପକାଇଲା ଯେ ସେ ଗଢିଲା ନିଶା ମୁକ୍ତି ଅଭିଯାନ। ସିଗାରେଟ କୁ ନିଷେଧ କରିବାକୁ ଅଭିଯାନ ଚଳାଇଲା। ପ୍ରବଳ ନ ହେଲେ ମଧ୍ୟ ବହୁତ ଲୋକ ଯୋଗ ଦେଲେ ତା'ର ଅଭିଯାନ ରେ। ସେଥିରେ ସମ୍ମିଳିତ ଜନତାଙ୍କୁ ସେ ଏକ ଭୟଙ୍କର ଭାଷଣ ଦେଲା।ତା'ର ସାରମର୍ମ ହେଲା:- ସିଗାରେଟ ପିଇବା ଖରାପ ନୁହେଁ। ମାତ୍ର ଆପଣ ଯଦି ସିଗାରେଟ ପିଇବେ ଦିନେ ଏହି ସିଗାରେଟ ହିଁ ଆପଣଙ୍କୁ ପିଇଯିବ। ଜୀବନକୁ ଧୂଆଁ ନକରି ପ୍ରକୃତିର ବିଶୁଦ୍ଧ ପବନ ହିଁ ଗ୍ରହଣ କରିବା ଉଚିତ।ଜଣକୁ ସିଗାରେଟ ପିଇବା ପାଇଁ ମନା କରାଯାଇ ପାରିବ ନାହିଁ କିନ୍ତୁ ସେ ଯେ ସିଗାରେଟ ପିଉଛି ଏହା ଅନ୍ୟମାନେ କାହିଁକି ଜାଣିବା ଦରକାର? ସିଗାରେଟ ର ଧୂଆଁ ସେ ଗ୍ରହଣ କରିବା କଥା ତା ପାଇଁ ଅନ୍ୟ ମାନେ କାହିଁକି ସେ ଧୂଆଁ ନିଜ ନିଶ୍ୱାସ ରେ ନେବେ।
ନିଶା ନିବାରଣ ପାଇଁ କେତେ ଲେଖକ କେତେ ଲେଖା କେତେ ଖବରକାଗଜ ରେ ଲେଖିଛନ୍ତି। କିନ୍ତୁ କ'ଣ ତାର ସୁଫଳ ମିଳିଛି? ଠିକ୍ ସେପରି ବିରାଟ ର ଅଭିଯାନ ମଧ୍ୟ ବିଫଳ ହେଲା।ଜଳେ ଲୋକଙ୍କ ଅଭିଯାନ ତ ଦେଶରେ ସିଗାରେଟ ବନ୍ଦ କରି ପାରିବନାହିଁ।ବଡ଼ ବଡ଼ ସିଗାରେଟ କମ୍ପାନୀ ମାନଙ୍କ ଚାଲିଲା ସଭା।ସାମ,ଦାମ, ଦଣ୍ଡ ,ଭେଦ ସମସ୍ତ ଅସ୍ତ୍ର ପ୍ରୟୋଗ କରି ସେମାନେ ହେଲେ ବିଜେତା। ଅଭିଯାନର ଲୋକମାନେ ଗିରଫ ହେଲେ ଓ ଅଧେ ଗିରଫ ଭୟରେ ଅଭିଯାନ ରୁ ଓହରି ଗଲେ। ବିରାଟ ହୋଇଗଲା ସମ୍ପୂର୍ଣ୍ଣ ଏକା।
ନିରାଶାର ବହଳିଆ କଳା ବାଦଲରେ ଚାଲୁଥାଏ ସେ ରାସ୍ତା ରେ ଏକା ଏକା। ନିକଟସ୍ଥ ଏକ ଦୋକାନରେ ପଡ଼ିଥିବା ବେଞ୍ଚରେ ବସିଲା। ଦୀର୍ଘ ସମୟ ଭାବିବା ପରେ ସ୍ମିତହାସ୍ୟ ଦେଇ ଦୋକାନୀ ଆଡ଼କୁ ଲକ୍ଷ୍ୟ କରି କହିଲା- "ଭାଇ ସିଗାରେଟ ଅଛି?" ଦୋକାନୀ ଜଣକ ଭାବିଲା ବିରାଟ ପୁଣି ସିଗାରେଟ ପିଇବା ଆରମ୍ଭ କରିଦେବ। ମାତ୍ର ବିରାଟ ଯେ କ'ଣ ଭାବୁଥିଲା ସେ ଜାଣିନଥିଲା। ବିରାଟ ଭାବୁଥାଏ ଯଦି ଏପରି ଏକ ସିଗାରେଟ ମିଳନ୍ତା ଯାହା ସାରା ଦେଶକୁ ଜଳାଇ ଦେଇ ଧୂଆଁମୟ କରିଦେବ ତାହାପରେ କି ଲୋକେ ସଚେତନ ହେବେ ତେବେ ସେ ସେହି ସିଗାରେଟ ନିଶ୍ଚୟ ପିଅନ୍ତା। ସିଗାରେଟ ର ରେଟ୍ ଯେଉଁ ରେଟ୍ ରେ ବଢ଼ିଲେ ମଧ୍ୟ ଲୋକେ ତାକୁ କିଣୁଥିବେ ବୋଲି ଦୋକାନୀ ଜଣକ କହିଛ। ମାତ୍ର ବିରାଟ ହସି ପୁଣି ଚାଲିଛି ନିଜର ଧୂଆଁହୀନ ଜୀବନ କୁ ଜୀଇଁବା ପାଇଁ।