ଗ୍ରୀଷ୍ମରେ ଶୀତଳ ଅନୁଭବ
ଗ୍ରୀଷ୍ମରେ ଶୀତଳ ଅନୁଭବ
ପ୍ରଚଣ୍ଡ ଖରା। ଜ୍ୟେଷ୍ଠ ମାସ ହୋଇଛି।ଗଛ ସବୁ ଥୁଣ୍ଟା, ପଡ଼ିଆରେ ବାଦାମୀ ଘାସ, ଚାରିଆଡ଼େ ଖାଁ ଖାଁ ପରିବେଶ।ଶରୀରଟି ଝାଳରେ ଗାଧୋଇ ସାରିଥିଲା। ସାଥିରେ ମୋ ସାଙ୍ଗ ଦୀପକ। ସରକାରୀ ରିପୋର୍ଟ ନେବାକୁ ଆସିଥିଲୁ ସେହି ଅଜଣା ଗାଁ କୁ। କିନ୍ତୁ ପ୍ରଚଣ୍ଡ ରୌଦ୍ରତାପ ଆମ ପଥରୋଧ କଲା। ମଟରସାଇକେଲଟି ମଧ୍ୟ ଅଚଳ ହୋଇଗଲା।ଛାଇର ଆଶାରେ ଗାଁ ଟିର ପକ୍କାଘରରେ ଥିବା ବଡ଼ ବଡ଼ ଲୋକଙ୍କ ପାଖକୁ ଗଲୁ। ମାତ୍ର ସେମାନେ ଆମକୁ ଆଶ୍ରୟ ଦେବା ତ ଦୂରର କଥା ଆମେ କରିଥିବା ଠକ୍ ଠକ୍ ଶବ୍ଦ ମଧ୍ୟ ଶୁଣିଲେ ପାରିଲେ ନାହିଁ।କୁଲର୍ ର ଥଣ୍ଡା ପବନରେ ସେମାନେ ଆରାମରେ ଶୋଇଥିଲେ।ଆଉ ଯେଉଁ କେତେଜଣ ଶୁଣିଲେ ସେମାନେ ନ ଶୁଣିବାର ଅଭିନୟ ହିଁ କଲେ। ନିରାଶ ମନରେ ଝାଳ ଝାଳ ହୋଇ ଆମେ ଗାଁ ର ଗୋଟିଏ ଚାଳଘର ଆଗରେ ଡାକ ପକେଇଲୁ।
ଆମ ମୁଣ୍ଡରେ ଶିକା ଛିଣ୍ଡିବା ପରି ଜଣେ ବୁଢୀ ଲୋକ ଚାଳ ଖୋଲିଲା। ନିଜ ଆଡୁ ଆମକୁ ସେହି ଅପରିଷ୍କାର ଚାଳ ଛପର ଘରକୁ ଡାକିଲା। ଆମେ ଟିକେ ଶାନ୍ତିର ନିଶ୍ୱାସ ମାରି ଘରକୁ ପ୍ରବେଶ କଲୁ।ମୋ ସାଙ୍ଗ ଦୀପକ ଆଉ ଅପେକ୍ଷା ନକରି କରି ଘରର ମାଠିଆରୁ ପାଣି ଆଣି ପିଇବାକୁ ଉଦ୍ୟତ ହେଲେ। ମୁଁ କିଛି କହିବା ଆଗରୁ ବୁଢୀ ଜଣକ ସ୍ମିତହାସ୍ୟ ଦେଇ ଆମକୁ ଦହି ପାଣି ତିଆରି କରି ପିଇବାକୁ ଦେଲା। ଏପରିକି ଘରେ ଥିବା ବାସି ତୋରାଣି ଆମକୁ ପିଇବାକୁ ଦେଲା। ପେଟ ପୁରିନଥିଲେ ମଧ୍ୟ ସନ୍ତୋଷରେ ଆମେ ତୋରାଣି ପିଇ ବୁଢୀ ପାଖରେ ଥିବା ଛିଣ୍ଡା ମଶିଣାରେ ଶୋଇଲୁ। କୁଲର୍,ପଖାଂ ଓ ହୋଟେଲ ର ସ୍ଵାଦିଷ୍ଟ ଭୋଜନ ଠାରୁ ମଧ୍ୟ ଆହୁରି ରୁଚିକର ଜିନିଷ ଥାଏ ବୋଲି ମୁଁ ସେଦିନ ଜାଣିପାରିଲି।
ସନ୍ଧ୍ୟାରେ ବୁଢୀଟି ଠାରୁ ବିଦାୟ ନେବାବେଳେ ମୁଁ ତା ହାତରେ ପାଂଚଶହ ଟଙ୍କା ଦେଇଦେଲି। ମୁଁ ସ୍ନେହରେ ଦେଇଥିଲେ ମଧ୍ୟ ସେ ଗ୍ରହଣ କଲା ନାହିଁ ଯଦିଓ ଏହାର ଟଙ୍କା ତା'ର ଆର୍ଥିକବସ୍ଥା ପାଇଁ ପ୍ରବଳ ମହତ୍ତ୍ଵ ରଖୁଥିଲା। ଦୀପକ ମୋତେ ଯିବା ପାଇଁ ଆଗରୁ ଡାକ ପକେଇଲେ। ଗାଡ଼ିରେ ବସି ମୁଁ ଭାବୁଥାଏ ଯନ୍ତ୍ରର ମନ୍ତ୍ରରେ ଏହି ଶିକ୍ଷିତ ଧନୀମାନେ ଅନ୍ଧ ହୋଇଯାଇଥିଲେ ମଧ୍ୟ ଏହି ଅଶିକ୍ଷିତ ଗରୀବମାନେ କାହିଁକି ଅନ୍ଧ ହେଉନାହାନ୍ତି? ମୋ ପାଟିରୁ ଆପେ ଆପେ ବାହାରିଗଲା-"ବାସ୍ତବରେ ଦୁନିଆଟା ଗଜବ୍, ନା ନା ପରିବର୍ତ୍ତନଶୀଳ।" ଅନ୍ଧାରରେ ବୁଢୀଟିର ମୁହଁ ଲୁଚି ଲୁଚି ଯାଇ କେଜାଣି କେଉଁଠି ଅଦୃଶ୍ୟ ହୋଇଗଲା।