ଶିଶୁ ଅଧିକାର
ଶିଶୁ ଅଧିକାର
ବିଶିଷ୍ଟ ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରଭୁପଦ ମିଶ୍ର।ତାଙ୍କ ରୁମ୍ ଟିରେ ହଜାର ହଜାର ପୁସ୍ତକ, ବିରାଟ ବ୍ରିଟିଶ ଅମଳରୁ ଟେବୁଲ। ଟେବୁଲ ଉପରେ ପୁରୁଣା ଘଡ଼ି। ନୂତନତ୍ବ କିଛି ନଥିଲେ ମଧ୍ୟ ସବୁ କିଛି ପାଶ୍ଚାତ୍ୟ। ବହୁ ପଦକ ଓ ପ୍ରମାଣ ପତ୍ର କୋଠରୀ ଟିର ସ୍ୟୈନ୍ଦର୍ଯ୍ୟ କୁ ବହୁଗୁଣିତ କରୁଥିଲା। ସାମ୍ବାଦିକତାକୁ ନିଶା ଓ ପେଶା ଭାବିଥିବା ଶ୍ରୀ ମିଶ୍ର ବହୁ ବିଷୟ ଖବର କାଗଜ ରେ ମୁଦ୍ରିତ କରି ସମାଜକୁ ସଠିକ୍ ଦିଗଦର୍ଶନ ଦେଇଛନ୍ତି। କିନ୍ତୁ ସତ୍ୟର ପ୍ରକାଶ କରୁଥିବା ଏହି ଘଟଣା ତାଙ୍କ ଚିନ୍ତା ପରିସର ବାହାରେ ଥିଲା।
ବାର ବର୍ଷର ପିଲାଟିଏ। ଗୋଟେ ତେଜହୀନ କିନ୍ତୁ ପ୍ରତିଭାମୟ ଚେହେରା। ପଇସାର ଅଭାବ ଯୋଗୁଁ ଷଷ୍ଠ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଲା। ମନରେ ଅସଂଖ୍ୟ ଆଶା କିନ୍ତୁ ସେ ସବୁ ନିରାଶାର ବାଦଲରେ ଲୁକ୍କାୟିତ। ଦାରିଦ୍ର୍ୟର କୁଠାରାଘାତ ଯୋଗୁଁ ସତେ ଯେପରି ଭାରତ ଆଉ ଗୋଟାଏ ରାମାନୁଜନ ହରାଇ ବସିଥିଲା। ପିଲାଟିର ସାମ୍ନାରେ ଥିଲା ତା ମା ଓ ଛୋଟ ଭାଇର ଭରଣ ପୋଷଣ ର ଦାୟିତ୍ଵ। କିନ୍ତୁ ଗୋଟିଏ ପ୍ରତିଶତ ଦୁଃଖ ମଧ୍ୟ ନଥିଲା ତା ମନରେ। ଜୀବନର ଅପ୍ରିୟ ସତ୍ୟ ଓ ଅଗଣିତ ସମସ୍ୟା ଉପରେ ଏକ ଯୁଦ୍ଧ କରିବା ପାଇଁ ସତେ ଯେପରି ସେ ପ୍ରସ୍ତୁତ ହେଉଥିଲା ଗୋଟିଏ ପରାକ୍ରମୀ ସିଂହ ପରି।
ସେ ଚାହିଁଥିଲେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଯାଇ ଦାଦନ ଖଟି ପାରିଥାନ୍ତା କିନ୍ତୁ ସେ ଚାହିଁଲା ନିଜ ମାଟିରେ କାମ କରି ଖୁସି ରେ ରହିବା ପାଇଁ। ଗୋଟାଏ ଛୋଟ ହୋଟେଲକୁ ଯାଇ ସେ ବାସନ ସଫାକରି ପଇସା କମାଇବାକୁ ଲାଗିଲା। ଦିନ ପରେ ଦିନ ଗଡି ଚାଲିଲା। ଗୋଟାଏ ବଡ଼ ଦୁର୍ଘଟଣା ହେବାର ଥିଲା। ପ୍ରଧାନମନ୍ତ୍ରୀ ଆରମ୍ଭ କଲେ 'ଶିଶୁ ହସିଲେ ଦେଶ ହସିବ ' ଅଭିଯାନ। ନେତା ମନ୍ତ୍ରୀଙ୍କ ଠୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ, ସହରର ତା ଦୋକାନକୁ ଗାଁ ର ପୋଖରୀ ତୁଠ ପର୍ଯ୍ୟନ୍ତ ସବୁଠି ଏ ଖବର ପ୍ରଚାରିତ ହେଲା। ଦିନ-ରାତି ଚାଲିଲା ଏହାର ପୁଖାଂନୁପୁଖଂ ଆଲୋଚନା ଓ ସମାଲୋଚନା । ସଭିଏଁ ଶିଶୁ ଙ୍କ ଅଧିକାର ପାଇଁ ଆନ୍ଦୋଳନରେ ମାତିଗଲେ। ସବୁ ହୋଟେଲ,ଢ଼ାବା,ଗ୍ୟାରେଜ୍ ଆଦି ସ୍ଥାନରେ ଶିଶୁ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ମୁକ୍ତ କରାଗଲା। ଏବଂ ଯେଉଁଠି ଅଧିକାରୀ ମାନେ ପହଞ୍ଚି ପାରୁନଥିଲେ ସେଠି ପିଲାମାନଙ୍କୁ ରଖାଗଲାନି ଆଇନ୍ ଯୋଗୁଁ ନୁହେଁ ବରଂ ପୋଲିସ ଭୟରେ। ଚାରିଆଡେ ହଜାର ହଜାର ଶିଶୁ ନିଜ ଅଧିକାର ପାଇଲେ ବୋଲି ଦୂରଦର୍ଶନ ଓ ପତ୍ରପତ୍ରିକା ନିଜର ଆଭିମୁଖ୍ୟ ପ୍ରଦାନ କଲେ।
ଏ ସବୁଥିରୁ ସେ ପିଲାଟି ମଧ୍ୟ ବାଦ୍ ପଡିବା ନାହିଁ। କିନ୍ତୁ ସେ ପୁଣି ଲାଗିପଡିଲା ନିଜର ଜୀବିକାନୁସନ୍ଧାନ। ବହୁ କାର୍ଯ୍ୟାଳୟ, ବିଦ୍ୟାଳୟ, ଭୋଜନାଳୟ, ସ୍ୱାସ୍ଥ୍ୟାଳୟକୁ ଗଲା। କିନ୍ତୁ ଗୋଟିଏ ପରେ ଗୋଟିଏ ସ୍ଥାନରୁ ସେ ନିରାଶା ର ଖବର ହିଁ ଶୁଣିଲା। ସଭିଏ କହିଲେ ଶିଶୁ ଅଧିକାରର ଅମକ ବିଭାଗର ଅମକ ନିୟମ ଅନୁଯାୟୀ ତାକୁ କାମରେ ରଖିବା ଦଣ୍ଡନୀୟ ଅପରାଧ।ସତେ ଯେପରି ସେତେବେଳେ ଭାରତ ରାମରାଜ୍ୟ ହୋଇଯାଇଥିଲା। ଅଭୂତପୂର୍ବ ବିପ୍ଳବ କରି ଶିଶୁଙ୍କୁ ତାଙ୍କ ଅଧିକାର ଫେରାଇ ଦେଇଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ଵୀତୀୟ ବାର ପୁନଃ ପ୍ରଧାନମନ୍ତ୍ରୀ ହେଲେ ଓ ପୁଣି ପରେ ଶାନ୍ତିରେ ନୋବେଲ ପୁରସ୍କାର ମଧ୍ୟ ପାଇଲେ। ଦୂରଦର୍ଶନରେ କ୍ରମାଗତ ଏହି ବିପ୍ଳବ ର ବୈପ୍ଳବିକ ପ୍ରଚାର କରି ଦୂରଦର୍ଶନ ଚ୍ୟାନେଲ ଗୁଡିକର ଜନପ୍ରିୟତା ବଢିଲା ।
କିନ୍ତୁ ସେ ପିଲାଟିର ହେଲା କ'ଣ? ନିଜ ପରିବାରକୁ ଗୋଟାଏ ସୁଖର ଜୀବନ ଦେବା ପାଇଁ ବଦ୍ଧପରିକର ଥିବା ପିଲାଟି ଜୀବନର ଯୁଆରରେ ଭାସିଗଲା।ତା' ପରି ଅସଂଖ୍ୟ ପିଲା ଆଇନର ସୁଫଳ ନ ପାଇ କୁଫଳ ହିଁ ପାଇଲେ। ସେ ଜାଣିନଥିଲା ନିୟମ କ'ଣ, ଅଧିକାର କ'ଣ, ସରକାର କ'ଣ? ପଇସା ପାଇଥିଲେ ନିଜର ପରିବାରକୁ ପୋଷଣ କରିଥାନ୍ତା। ଚାରିଆଡ ତାକୁ ଅନ୍ଧାର ଲାଗିଲା। ଆତ୍ମହତ୍ୟା ଯେ ଅସ୍ଥାୟୀ ସମସ୍ୟାର ସ୍ଥାୟୀ ସମାଧାନ ସେ ବୁଝିପାରିଲା ନାହିଁ। ଜୀବନର ସଂଘର୍ଷ ରେ ପରାଜିତ ହେଲା ଓ ତାର ପରିବାରକୁ ମଝି ସମୁଦ୍ରରେ ଏକା କରିଦେଲା। ଗଣମାଧ୍ୟମଗୁଡିକରେ ଆଲୋକ ଠୁ ବି କ୍ଷୀପ୍ର ଗତିରେ ଖବର ସଂପ୍ରସାରିତ ହେଲା। ଧର୍ମଘଟ ଆନ୍ଦୋଳନ କରି କ୍ଷତିପୂରଣ ଦାବି ହେଲା। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା। ଏବଂ ସରକାର ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କଲେ। କିନ୍ତୁ ସେ ପରିବାରର ଦୁଃଖକୁ କେହି ଅନୁଭବ କଲେ ନାହିଁ କି କରିବାକୁ ଚାହିଁଲେ ମଧ୍ୟ ନାହିଁ। ନିଜ ପୁଅର ବିରହରେ କଷ୍ଟ ଯେ କେତେ ଦୁଃଖଦାୟକ ତାହା ସେହି ମାଁ ହିଁ ଜାଣିବ। ଯଦି ସେଦିନ ହିଁ ସରକାର ସେ ଅଭିଯାନରେ ମୁକ୍ତ ହେଉଥିବା ଶିଶୁ ମାନଙ୍କ ଅଧିକାର କ୍ଷୟର କାରଣ ଓ ନିରାକରଣ କରିଥାନ୍ତେ ତାହେଲେ ସେ ଦୀପ୍ତିମୟ ପିଲାଟି ଆଜି ଆମ ପାଖରେ ଥାଆନ୍ତା ।
କଠୋରହୃଦୟର ମିଶ୍ର ବାବୁ ଏହାକୁ ମୁଦ୍ରିତ କଲା ବେଳେ କେଜାଣି କିପରି ତାଙ୍କ ଚକ୍ଷୁ ଦୁଇଟିରେ ପାଣି ପଆସିଯାଇଥିଲା । ସେ ଆପେ ଆପେ କହି ବସିଲେ- ଦୁନିଆଟା ଭାରି ଗଜବ ନା ନା ପରିବର୍ତ୍ତନଶୀଳ।