ମିଛ କହିବାକୁ ବାଧ୍ୟ
ମିଛ କହିବାକୁ ବାଧ୍ୟ
ସମୟ ସରୁ ନ ଥାଏ। ଆଗେ ଏପରି ହୁଏନି। ଅବସର ପରେ ଏପରି ହୋଇଛି। ଏବେ ଅଧିକାଂଶ ସମୟରେ ପାଞ୍ଚ ମହଲାରେ ଥିବା ଫ୍ଲାଟର ବାଲକୋନୀରୁ ଗୋଟେ ପକ୍ଷୀ ପରି ତଳକୁ ଉହୁଙ୍କି ଚାହିଁ ରହୁଛନ୍ତି ଶୁଭକାନ୍ତ। ଗାଡି ମଟର,ଠେଲାବାଲା,ପଟୁଆର, ଟ୍ରାଫିକ ପୋଲିସ - ଏମିତି କେତେ କ'ଣ ଦେଖିବାରେ ବିତୁଛି ସମୟ।
ଜୀବନ ସ୍ଥାଣୁ ପାଲଟି ଯାଏନି। ଅବିରତ ନିଜ ବାଟରେ ଧାଉଁଥାଏ। ପ୍ରାଚୁର୍ଯ୍ୟର ସୂଚନା ଦେଉଥାଏ।
ଖାଁ ଖାଁ ଲାଗୁଥାଏ ଘର। ପତ୍ନୀ ଚାକିରୀକୁ ଯାଇଥାନ୍ତି। ବସ୍ ରେ ଦିନକୁ ଚାଳିଶ କିଲୋମିଟର ତାଙ୍କର ଯିବା ଆସିବା। ଅବସର ନେବାକୁ ତାଙ୍କର ଆହୁରି ପାଞ୍ଚ ବର୍ଷ ବାକି ଅଛି।
ପିଲା ଦୁହିଙ୍କ ମଧ୍ୟରୁ ଜଣେ ଆମେରିକାରେ, ଆଉ ଜଣେ ରହେ ଇଂଲଣ୍ଡରେ। ପରିବାର ଧରି ବର୍ଷକୁ ଥରେ ଫ୍ଲାଇଟ୍ ରେ ଉଡି ଉଡି ଆସନ୍ତି। ଘର ଗହଗହ ଲାଗେ। ଛୁଟି ସରିଗଲେ ପୁଣି ଫୁର୍ କିନା ଉଡିଯାନ୍ତି। ଅବଶ୍ୟ ସେଇ କେତୋଟି ଦିନ ଭାରି ଭଲଲାଗେ। ଲାଗେ ଜୀବନଟା ଖୁବ୍ ସୁନ୍ଦର, ମଧୁର।
ବେଳେବେଳେ ଚିନ୍ତା ବଢାଏ ଉଚ୍ଚ ରକ୍ତଚାପ, ବ୍ଲଡ଼ ସୁଗାର୍। ଥରେ ମୃଦୁ ହୃଦଘାତ ହୋଇଥିଲା। ଜୀବନ ବଞ୍ଚି ଯାଇଛି। ବର୍ତ୍ତି ଯାଇଛନ୍ତି ସେ। ଏବେ ଡାକ୍ତରଙ୍କ କହିବା ମୁତାବକ ଔଷଧ ଖିଆ ଚାଲିଛି। ଏକା ଏକା କୁଆଡ଼େ ଯିବା ଆସିବାକୁ ମନା କରିଛନ୍ତି ଡାକ୍ତର। ସେଥିପାଇଁ ତାଙ୍କୁ ଘରେ ରହିବାକୁ ପଡୁଛି। କେତେବେଳେ କୋଉ କଥା।
ଟି ଭି ଦେଖା,ଖବରକାଗଜ ପଢାରେ ସମୟ ବିତେ। କେତେ ଦେଖିବେ ଟି ଭି ! କେତେ ଖବରକାଗଜ ପଢିବେ ! ତା' ଛଡା କ'ଣ ବା ଅଛି ଯେ ଆଜିକାଲି ଟି ଭି ଆଉ ଖବରକାଗଜରେ ! ବଡ ବିରକ୍ତି ଲାଗେ। ଏବେ ଏବେ ପତ୍ନୀ ଗୋଟେ ସ୍ମାର୍ଟ ଫୋନ୍ କିଣି ଆଣି ଦେଇଛନ୍ତି। ଫେସବୁକ୍ ରେ ନୂଆ ବନ୍ଧୁ
କରିବାରେ ଲାଗିଛନ୍ତି ସେ। ଗୁଡ୍ ମର୍ଣ୍ଣି ,ଗୁଡ୍ ଇଭିନିଂ କରୁଛନ୍ତି। ବେଳେବେଳେ ଜୀବନବାଦ ଉପରେ ଗୋଟେ ଗୋଟେ କବିତା ଲେଖି ପୋଷ୍ଟିଂ କରୁଛନ୍ତି। ଖୁସି ଲାଗୁଛି। ୟା ଭିତରେ ତାଙ୍କର ବନ୍ଧୁ ସଂଖ୍ୟା ଏକ ହଜାରରୁ ଅଧିକ ହେଲାଣି।
- ' କେମିତି ଅଛ, ବନ୍ଧୁ ? ' ଦିନେ ସମୟ ତାଙ୍କ ପାଖରେ ପହଞ୍ଚି ପଚାରିଲା ଏ ପ୍ରଶ୍ନ।
କେହି ଜଣେ କ'ଣ ପଚାରୁଥିବା ଶୁଣି ପାରିଲେ ସେ। ସ୍ମାର୍ଟ ଫୋନ୍ ଉପରୁ ମୁଣ୍ଡ ଉଠାଇ ଚାହିଁଲେ। ଦେଖିଲେ ତାଙ୍କର ଅତି ପରିଚିତ ବନ୍ଧୁ ସମୟ ତାଙ୍କ ସାମ୍ନାରେ। କହିଲେ - ' ଭଲରେ ଅଛି ମୁଁ। '
ସମୟ ମୁର୍କି ହସିଲା। ସେ ପୁଣି କହିଲେ - ' ମୋତେ କିଏ ମନେ ରଖୁ କି ନ ରଖୁ ସେଥିରେ କିଛି ଯାଏ ଆସେ ନାହିଁ। ଏଠି ତୁମେ ତ ସବୁକିଛିକୁ ଦିନେ ମୁଠାଏ ପାଉଁଶରେ ପରିଣତ କରିଦିଅ।
ସମୟ ପୁଣି ମୁର୍କି ହସିଲା। ସେ ଆହୁରି କହିଲେ - ' ପବନର ହାତ ଧରି ଆଜି ଯଦି ଏ ଘରୁ ବାହାରି ଯାଏ, ମୋର ଯାହା ଯେଉଁଠି ଯେପରି ଅଛି , ସେଇଠି ସେପରି ପଡି ରହିଥିବ। ମୋ ଫେରିବା ନ ଫେରିବା କେହି ଖୋଜିବେ ନାହିଁ ମୁଁ ଜାଣେ।
ସମୟ ଆହୁରି ହସିଲା। ସେ ପୁଣି କହିଲେ - ' ପକ୍ଷୀଘର ପରି ଘର ମୋର। ପବନରେ ଦୋଳି ଖେଳୁଛି। ମୋତେ କେହିଜଣେ ଅପେକ୍ଷା କରିଛି। ମୋ ସମୟ ଆସିବା ଯାଏ ମୁଁ ଅପେକ୍ଷା କରିଛି। କେମିତି ଅଛ ବୋଲି ପଚାରିଲ। ଭାରି ଭଲ ଲାଗିଲା ତୁମର ଏ ଆଦର ଆଉ କୁଶଳ ସମ୍ଭାଷଣ। ମୁଁ ଭଲରେ ଅଛି, ବନ୍ଧୁ। ମୁର୍କି ହସିଦେଇ ଫେରିଗଲା ସମୟ।
ନିଜର ସ୍ମାର୍ଟ ଫୋନ୍ ଉପରକୁ ନଜର ଆଣିଲେ ଶୁଭକାନ୍ତ। ଭାବିଲେ - ଭଲରେ ନାହିଁ ବୋଲି କାହାକୁ କହିହୁଏ କ'ଣ ! ସମୟକୁ ମିଛ କହିଥିବାରୁ ଖୁବ୍ ଅନୁତାପ କଲେ ସେ। ମିଛ କହିବାକୁ ବାଧ୍ୟ !!!