Pragyan Paramita

Romance

4  

Pragyan Paramita

Romance

ମିଛ ଆଶ୍ୱାସନା

ମିଛ ଆଶ୍ୱାସନା

5 mins
170


ପ୍ରତିଜ୍ଞା ପ୍ରତେକ ରାତିରେ ନିରୋଳାରେ ଜହ୍ନ ସାଥିରେ ଗପେ ଆଉ ସେଦିନ ରାତିରେ କାହିଁକି କେଜାଣି ଅବାକ ହେଇ ଫୁଲେଇ ଜହ୍ନକୁ ଦେଖି ଅଭିମାନ କରି ମନ ମାରି ବସିରହି ଗୁଣୁଗୁଣୁ ହେଇ ଗପି ଚାଲିଲା l

     ହଟାତ ମନଟା ବିଚଳିତ ହେଇଉଠିଲା, ଆଉ ସେଦିନର ସେହି ପ୍ରଥମ ଦେଖା ଆଜି ମୋ ଆଖି ଆଗରେ ଝଲସି ଉଠୁଛି l ତମେ ହାତରେ ଡାଏରୀଟିଏ ଧରି ତମ ସାଙ୍ଗ ଅମ୍ଲାନ ସହ ଆସୁଥିଲ, ମୁଁ ତମକୁ ଦେଖି ଅନ୍ୟମନସ୍କରେ ଝୁଣ୍ଟି ପଡିଲି, ତମେ ଏ ହେ କହି ଧରିପକେଇଲ ତମ ବାହୁରେ ମୁଁ ନିଜକୁ ପାଇ ଝାଉଁଳି ପଡିଲି ଆଉ ଭାବନାରେ ହଜିଗଲି ବାସ ସେଇଠୁ ଆମର ସମ୍ପର୍କର ପ୍ରଥମ ସୋପାନ ।

        କସ୍ତୁରୀ କୁଣ୍ଡଳ ବସେ, ମୃଗ ଢୁଣ୍ଡେ ବନ ମାହି

        ଏସେ ଘଟି ଘଟି ରାମ ହେ ଦୁନିଆ ଦେଖେ ନାହି

         କସ୍ତୁରୀ ଯାହାର ସାମାନ୍ୟ ମାତ୍ର ଅଂଶ, ସୁଗନ୍ଧର ନୂତନ ପରିଭାଷା ସୃଷ୍ଟି କରେ, ସ୍ରଷ୍ଟାର ଏକ ଦୁର୍ଲଭ ସୃଷ୍ଟି l ହିମାଳୟ ପାଦ ଦେଶରେ ଥିବା କେତେକ ପ୍ରଜାତିର ମୃଗଙ୍କ ନାଭିରେ ସ୍ଥାନିତ ହୋଇଥାଏ କିନ୍ତୁ ଆଶ୍ଚର୍ଯ୍ୟର କଥା ସୃଷ୍ଟି ଚକ୍ରର ଅବଲୀଳା କ୍ରମେ କସ୍ତୁରୀର ସୁଗନ୍ଧ ଯେବେ ମୃଗକୁ ବିମୋହିତ କରେ ମୃଗ ତାକୁ ପାଗଳ ପ୍ରାୟ ଧାବମାନ ପୂର୍ବକ ଇତସ୍ତତଃ ଖୋଜିବାକୁ ଲାଗେ ଏବଂ ସତ୍ୟରୁ ସମ୍ପୂର୍ଣ ଅନଭିଜ୍ଞ ଭାବରେ କି ସୁଗନ୍ଧର ଉତ୍ସ ସେ ନିଜେ l ଠିକ ସେହିପରି ତମେ ଯେତେବେଳେ ସମ୍ପୂର୍ଣ ଭାବରେ ମୋର ହେଇଯାଇଥିଲ, ମୋ ପାଖରେ ଥିଲ ମୁଁ ମୋ ମନର ଭାଷାକୁ ମୁଁହରେ ପରିପ୍ରକାଶ କରିପାରୁନଥିଲି l ମୁଁ ନିଜେ ଜାଣିପାରୁନଥିଲି କି ତମେ କେବଳ ମୋର ଥିଲ l ଏକ ଅଜଣା ଉତ୍ପରେ ନିଜକୁ ହଜେଇ ଦେଇଥିଲି l ନିଜର ପରିଚୟ ଖୋଜୁଥିଲି l ଯେମିତି ମୃଗକୁ ତା ଆତ୍ମତତ୍ତ୍ୱର ଜ୍ଞାନ ନଥିଲା ମୋତେ ବି ଠିକ ସେହିଭଳି ଅନୁଭବ ହେଉଥିଲା l ଯେବେ ମଣିଷକୁ ଆତ୍ମତତ୍ତ୍ୱର ଜ୍ଞାନ ହୁଏ, ଆତ୍ମସତ୍ତା ମଧ୍ୟରେ ସେ ମହାସତ୍ତାକୁ ଅବଲୋକନ କରେ, ଅପୂର୍ଣ୍ଣତା ମଧ୍ୟରେ ସମ୍ପୂର୍ଣ୍ଣତାର ଆସ୍ଵାଦନ କରେ l

       ସ୍ରଷ୍ଟାଙ୍କ ନିୟମ ବଡ଼ ବିଚିତ୍ର, ଯେବେ ମଣିଷ କିଛି ପାଇବା ପାଇଁ ଆଶା ବାନ୍ଧିଦିଏ, ଚାତକ ପ୍ରାୟେ ବୁନ୍ଦେ ଜଳକୁ ସତୃଷ୍ଣ ନୟନରେ ଚାହିଁ ରହିଥାଏ ସେତେବେଳେ ସେ ମରୀଚିକାର ଭ୍ରମ ସୃଷ୍ଟି କରିଚାଲନ୍ତି କିନ୍ତୁ ଅନ୍ତିମ ସମୟରେ ଭଗବାନ ନିଜେ ଜଳ ଦାନ କରି ପ୍ରାଣ ରକ୍ଷା କରନ୍ତି l

       ବୋଧହୁଏ ସେ ବୁନ୍ଦାଏ ଜଳ ସେଦିନ ତମେ ମୋ ପାଇଁ ହେଇଥିଲ, ସିଏ ବି ଏମିତି ଏକ ଦୁର୍ଘଟଣାରେ l କେବେ ଚିନ୍ତା କରିନଥିଲି ଆମ ଭିତରେ କେବେ ସମ୍ପର୍କଟା ଏତେ ନିବିଡ ହେଇଯିବ l ଭଲ ଜୀବନ ସାଥିଟିଏ ପାଇବାକୁ ମନରେ ଗୋଟେ ଅଲଗା ପ୍ରକାର ଚିନ୍ତାଧାରା ଥିଲା ମୋର, ମୋ ମନ ସହ ଯାହା ମନ ମିଶୁଥିବ, ଯିଏ ମୋତେ ବୁଝୁଥିବେ, ଯାହାକୁ ମୁଁ ମୋ ମନ କଥା କହିପାରୁଥିବି, ଯାହା ସହ ହସିଲା ବେଳେ ବୋକା ଵନିଯିବାର ଡର ନଥିବ, ଯାହା ପାଖରେ ନିଜ ମନ ଖୋଲି ଗପିଲେ ଗୋପନ କଥା ପ୍ରଘଟ ହବାର ଭୟ ବି ନଥିବ, ମୁଁ ଯାହା ଉପରେ ରାଗ ରୋଷ ଅଭିମାନ କରିପାରୁଥିବି ଆଉ ଆମ ସମ୍ପର୍କରେ ଖାଲି ଶୁଦ୍ଧତା ହିଁ ଶୁଦ୍ଧତା ଥିବ l କିନ୍ତୁ ସେ ସ୍ବପ୍ନ ସବୁ ସ୍ବପ୍ନ ହେଇଯିବ ବୋଲି କେବେ ଭାବିନଥିଲି l

        ପ୍ରଥମ ଦେଖାରୁ ତମ ବାହୁରେ ନିଜକୁ ଅସୁରକ୍ଷିତ ମନେ କରିନଥିଲି ମୁଁ ସିନା ପଡ଼ିଗଲି କିନ୍ତୁ ତମେ ଉଠେଇ ଧରଲା ବେଳେ ଲାଜରେ ମୋତେ ଟିକେ ବି ଚାହିଁ ନଥିଲ କେଜାଣି କାଇଁ ମନେ ହେଲା ତମେ ବହୁତ ଭଲ ପିଲା ହେଇଥିବ l ମୋତେ ଏମିତି ଅନୁଭବ ହେଲାକି ମୁଁ ଯାହାକୁ ମନର ମଣିଷ ଭାବେ ପାଇବାକୁ ସ୍ବପ୍ନ ଦେଖିଥିଲି ସେ ଆଉ ତମେ ନୁହେଁ ତ? ତମ ଭିତରେ ମୋତେ ଅତ୍ମୀୟତାର ବାସ୍ନା ମିଳିଥିଲା l

        କଲେଜର ପାଠପଢା ମଧ୍ୟରେ ତମେ ମୋର ଅତି ନିକଟବର୍ତ୍ତୀ ହେଇଗଲ ହେଲେ ତମେ କିନ୍ତୁ ମୋ ପରି ନଥିଲ l ଅଳ୍ପ ଦିନର ମିଳାମିଶା ମଧ୍ୟରେ ମୁଁ ନିଜକୁ ପ୍ରଶ୍ନ ଖାଲି କରେ ଖୁବ କମ ସମୟ ଭିତରେ ଏତେ ଅତ୍ମୀୟତା କଣ ସମ୍ଭବ?

       ତଥାପି ଏମିତି ଭାବୁଥିଲି, ସମ୍ଭବ ଅସମ୍ଭବରୁ କେତେ ବା ଦୂରରେ ହୁଏତ ଆମ ବନ୍ଧୁତ୍ୱ ଗୋଟେ ନିରୋଳା ନିଚ୍ଛକ ସତ ପ୍ରେମକୁ ଅପେକ୍ଷା କରି ରହିଥିଲା l ତମ ମନ କଥା ବୁଝିବା ଆଗରୁ ମୁଁ ତମକୁ ଏତେ ଭଲପାଇଯାଇଥିଲି ଯେ ହୃଦୟ ଭିତରର ଦୂରତାକୁ ଭୁଲିଯାଇଥିଲି l

        କମ ଦିନ ଭିତରେ ତମଠୁ ବନ୍ଧୁତ୍ୱର ମୂଲ୍ୟ ବୁଝିଲି l ତମେ ମୋତେ ଭଲପାଇବାର ଶୀର୍ଷକୁ ନେଇଗଲ, ଜୀବନରେ ଏକ ପୂର୍ଣ୍ଣତା ଆଣିଦେଲ l କଲେଜରେ ଶେଷ ବର୍ଷକୁ ଆମେ ବହୁତ ଖୁସିରେ କଟାଇଥିଲେ l ପରୀକ୍ଷା ସରିଲା ଦିନ ବହୁତ କଥା ହେଇଥିଲେ ତମେ କହିଥିଲ ଶୀଘ୍ର ଗୋଟେ ଚାକିରୀ ଯୋଗାଡ଼ କରି ତମକୁ ଆଗେ ବୋହୂ କରି ମୋ ପାଖକୁ ନେଇଆସିବି l

     କଲେଜ ସରିଲା l ସେଦିନର ସେହି ଶେଷ ଦେଖା ପରେ ମାତ୍ର ସlତଟି ଚିଠି ତମର ଆସିଥିଲା ଆଉ ସେ ଚିଠି କୁ ଆଜି ବି ମୁଁ ସାଇତି ରଖିଛି l ବହୁତ ଖୋଜିଲି ତମକୁ, କେତେ ସାଙ୍ଗସାଥିଙ୍କୁ ତମର ପଚାରିଲି ହେଲେ କେହି କିଛି ବି କହିପାରିଲେନି ତମ ବିଷୟରେ l ମୁଁ ଅନେକ ଚିଠି ଲେଖିଛି ତମେ ଦେଇଥିବା ଠିକଣାରେ ହେଲେ ଉତ୍ତର ଗୋଟେ ବି ପାଇନି l

      ତମେ କଣ ସତରେ ମୋତେ ଭୁଲିଗଲ l ତିନି ବର୍ଷର ନିବିଡ଼ ପ୍ରକୃତ ଭଲପାଇବାକୁ ଭୁଲିପାରିଲ? ମୋତେ ଦେଇଥିବା ପ୍ରତିଶୃତି କଣ ତମେ ସତରେ ଭାଙ୍ଗିଦେଇଛ l ଆଜି ବି ମୋତେ ତମ ଭଲପାଇବା ପ୍ରଶ୍ନବାଚୀ କରିଦେଇଛି l ଆମେ ବିତେଇ ଥିବା ମୁହୂର୍ତ୍ତଗୁଡା କଣ ତମର ମନେ ପଡୁନି l ମୁଁ ଯେବେ ବି କୌଣସି କାମରେ କଲେଜ ପଟେ ଯାଏ କାହିଁକି କେଜାଣି ସେଠି କିଛି ସମୟ ଅଟକିଯାଏ, ତମ ମୁଁହ ମୋ ଆଖି ସାମ୍ନାକୁ ଚାଲିଆସେ ଆଉ ଜାଣିଛ ମୋତେ ଏମିତି ଲାଗେ ଯେମିତି ସେଠି ତମେ ମୋତେ ଅପେକ୍ଷା କରିଛ l ମୋ ଆଖିରୁ ନଦୀ ଗର୍ଭ ଫୁଲିଲା ପରି ଅମାନିଆ ଲୁହ ଗୁଡା ବନ୍ଧ ବାଡ଼ ଭାଙ୍ଗି ଯେମିତି ବାହାରକୁ ବାହାରି ଆସନ୍ତି ଆଉ ସେଇଥିପାଇଁ ଏବେ ସେ ରାସ୍ତା ଦେଇ ଯିବା ମୁଁ ବନ୍ଦ କରିଦେଇଛି l

      ତମେ କୁଆଡେ ଗଲ ମୁଁ କାହିଁକି ତମକୁ କେଉଁଠି ବି ଖୋଜି ପାଉନି, ତମେ କଣ ସତରେ ଭୁଲିଯାଇଛ ମୁଁ ତମକୁ ଅପେକ୍ଷା କରିଛି ବୋଲି, ତମେ ଦେଇଥିବା ଠିକଣାକୁ ଯାଇ ବହୁଥର ଫେରିଆସିଲିଣି ସେଠି କେହି ବି ନାହାନ୍ତି l ପଡିଶା ଲୋକ ମାନେ ତମ ନାଁ ଶୁଣିଲେ କେହି କିଛି କହୁନାହାନ୍ତି l ମୁଁ କଣ ଦୋଷ କରିଥିଲି ତମର, ଅନ୍ତତଃ ଥରେ ଖାଲି ମୋତେ ଜଣେଇଦିଅ ତମେ କେଉଁଠି ଅଛ ଆଉ କେମିତି ଅଛ l ଆଜି ବି ମୁଁ ତମକୁ ଟିକିଏ ଦେଖିବି ବୋଲି ଅପେକ୍ଷାରେ ଅଛି l ଶେଷ ନିଶ୍ୱାସ ଥିବା ଯାକେ ତମକୁ ଅପେକ୍ଷା କରିଥିବି, କେବେ ବି ଆଉ କାହା ହାତରୁ ସିନ୍ଦୂର ପିନ୍ଧିବିନି l

    ପ୍ରତି ମୁହୂର୍ତ୍ତରେ ଘର ଲୋକ ସାହିପଡ଼ିଶାଙ୍କ ଗାଳି ଗୁଲଜ ଶୁଣି ତାମପାଇଁ ସଢୁଛି l ମୋର କେଉଁ ଭୁଲ ପାଇଁ ମୋତେ ଏମିତି ଶାସ୍ତି ଦେଇ ତମେ କୁଆଡେ ହଜିଯାଇଛ l ତମେ କଣ ଆଉ କେବେ ମୋ ପାଖକୁ ଫେରିବନି l ମୁଁ କିନ୍ତୁ ତମ ଫେରିବା ବାଟକୁ ଚାହିଁ ବସିଛି, ତମେ ଦେଇଥିବା ସବୁ ଗୋଲାପକୁ ଏବେ ବି ସାଇତି ରଖିଛି ପାଖୁଡା ସିନା ଶୁଖିଗଲାଣି ହେଲେ ତା'ଭିତରୁ ଏବେ ବି ତମ ପ୍ରେମର ବାସ୍ନା ମହାକୁଛି, ଚିଠି ଗୁଡା କାଇଁ କେତେଥର ପଢ଼ିଲିଣି ତାର ହିସାବ ନାହିଁ l ଆଉ କଣ ବା କରିବି କହିଲ ତମେ ଯୋଉଠି ବି ଥା ଜଲଦି ଆସି ମୋତେ ନେଇଯାଅ l ଗାଁ ଲୋକମାନେ କହୁଛନ୍ତି ମୁଁ କୁଆଡେ ପାଗେଳୀ, ତମେ କହିଲ ସତରେ କଣ ମୁଁ ପାଗେଳୀ l ମୋତେ ବୋହୂ ବେଶରେ ସଜେଇକି ଜଲଦି ନେଇଯାଅ, ବୋଉ କହୁଛି ମୁଁ ବୁଢ଼ୀ ହେଇଗଲିଣି ମୋତେ କୁଆଡେ 53 ବର୍ଷ ହେଇଗଲାଣି ଆଉ କେତେଦିନ ବଞ୍ଚିବି କହିଲ l ତମେ ବର ହେଇ ଆସିବ, ଆମ ବାହାଘର ହେବ, ଆମେ ଆମ ଘରକୁ ଚାଲିଯିବା l ବୋଉ ମୋତେ ବହୁତ ବାଡ଼ଉଛି ମୁଁ ତାକୁ ଖାଲି କୁଆଡେ ହଇରାଣ କରୁଛି, ତମେ ମୋତେ ନେଇଗଲେ ମୁଁ ଏଠିକି ଆଉ ଜମା ବି ଆସିବିନି ଆମର କୁନି କୁନି ପିଲାମାନେ ଆମ ପାଖରେ ରହିବେ ଆମର ଗୋଟେ ସୁନ୍ଦର ପରିବାର ଟିଏ ହବ ନା କଣ କହୁଛ ଯେ ? କାଲି ଜଲଦି ପଳେଇଆସିବ ବୁଝିଲ ମୋତେ ଜୋରେ ନିଦ ଲାଗିଲାଣି ମୁଁ ଶୋଇବି ଯାଉଛି

      ଜହ୍ନ ତୁ ବି ଶୋଇବୁ ଯା, ମୁଁ କାଲି କନ୍ୟା ହେଇ ପଳେଇବି ସେ କାଲି ଚାକିରୀରୁ ଫେରିବେ ମୋତେ ନେଇଯିବେ

       ଏମିତି ଗପି ଗପି ପ୍ରତିଜ୍ଞା ସେହି ଝରକା ପାଖେ ଜହ୍ନକୁ ଦେଖି ଶୋଇପଡ଼ିଲା ମୁଁ ତା କଥା ଶୁଣି ନିଜର କୋହକୁ ସମ୍ଭାଳି ନପାରି ଲୁହ ଗଡେଇ ଚାଲିଲି ତା ପାଖକୁ ଯାଇ ତା ମୁଣ୍ଡକୁ ଆଉଁସି ଦେଇ ଖାଲି ଏତିକି କହିପାରିଲି ଛଳନାକୁ ବିଚାରି ବୁଝିପାରିଲାନି ଏବେ ବି ସେହି ମିଛ ଆଶ୍ବସନା କୁ ନେଇ ବଂଚିଛି ।


Rate this content
Log in

More oriya story from Pragyan Paramita

Similar oriya story from Romance