ମହତ୍ତ୍ଵ
ମହତ୍ତ୍ଵ
ଚା' ବସାଇ ଚାମଚ୍ ରେ ଗୋଳାଉ ଗୋଳାଉ କଲିଂ ବେଲ୍ ବାଜିବାରୁ ମାନି ଚିଡିଗଲେ। ସକାଳୁ ଫୁଲବାଲା , ପେପର୍ ବାଲା ,ସୁଇପର୍ ଏମିତି ଜଣେ ଜଣେ ଆସି କଲିଂ ବେଲ୍ ମାରି ମାନିଙ୍କ ମୁଣ୍ଡ ବିନ୍ଧାର କାରଣ ହୁଅନ୍ତି। ହିମାଂଶୁଙ୍କୁ ଚା' କପ୍ ଟେ ନ ଧରାଇଲେ ସେ କ'ଣ ଠାକୁର ଘରକୁ ଯାଇ ପାରିବେ !!! ଶଶୁର ଟିକେ ଡେରିରେ ଉଠନ୍ତି। ତାଙ୍କ ପାଇଁ ତରତର ହେବାକୁ ପଡେନି। ଦାନ୍ତ ବ୍ରସ୍ କରି ପେପର୍ ଧରି ବସିପଡ଼ିଲେ କାମ ଶେଷ ହିମାଂଶୁଙ୍କର। ପୁଅ ବି ଜେଜେଙ୍କ ଗେଲ୍ହା ନାତି। ସେ ତେଣୁ ତାଙ୍କ ପାଖରେ ଶୋଇପଡ଼େ। ସେ ଭଲ ଭାବେ ଜାଣିଛି ଜେଜେଙ୍କ ପାଖରେ ଶୋଇଲେ ମା' ଜେଜେଙ୍କ ଲକ୍ଷ୍ମଣ ଗାରକୁ ଡେଇଁବା ଦୂରର କଥା ସ୍ପର୍ଶ ବି କରିପାରିବେ ନାହିଁ। ଆଉ ମାନିଙ୍କୁ ଶଶୁର ଅଯାଚିତ ସ୍ନେହ ବି ଦିଅନ୍ତି। ତେଣୁ ମାନି ଶଶୁରଙ୍କ ମନରେ ଦୁଃଖ ଦିଅନ୍ତିନି। ଅଗତ୍ୟା ସେ ଗ୍ୟାସ୍ ସିମ୍ କରି କବାଟ ଖୋଲିବାକୁ ଗଲେ। କବାଟ ଖୋଲି ଦେଖିଲେ ସୁଇପର୍ ପିଲାଟି ଠିଆହୋଇଛି।
-- ହଇରେ ସୁନୀଲ୍ ! ଅଳିଆ ପରା ବାହାରେ ଥୋଇଥିଲି। ପୁଣି କ'ଣ ହେଲା?
--- ନାଇଁ ମା' କ'ଣ କହୁଥିଲି କି...
--- ଆରେ ଠିଆ ହୋଇ ମୁଣ୍ଡ କାହିଁକି କୁଣ୍ଡାଉଛୁ , କହୁନୁ। ଚା' ବସାଇଛି ମରିଯିବ। ଯାହା କହିବା କଥା ଶୀଘ୍ର କହ।
--- ମା' , ପୁଅର ଦେହଟା ଭଲ ନାହିଁ। ଟଙ୍କା ୫୦୦ଟା ଯଦି ଦିଅନ୍ତେ ... ମୁଁ ଫେରାଇ ଦେବି ଆର ମାସରେ।
କଥାବାର୍ତ୍ତା ଶବ୍ଦ ଶୁଣି ହିମାଂଶୁ ଚାଲି ଆସିଲେ। ତାକୁ ଅନାଇ କହିଲେ--
--- ସରକାରୀ ହସ୍ପିଟାଲ ଅଛି ପରା... ଗଲୁନି ସେଠିକୁ।
--- ହଁ ସାର୍ , ଯାଇଥିଲି। ସେଠାରେ ଔଷଧ ଦୁଇଟା ଦେଇ ଆଉ ଗୋଟେ ଟନିକ୍ ଲେଖିଛନ୍ତି। ଭାରି ଜ୍ୱର ଯେ ଦୁଇ ଦିନ ହେଲାଣି ଖାଇନି। ବିସ୍କୁଟ କି ଫଳମୂଳ କ'ଣ ଖୁଆଇଲେ , ଟିକେ ବଳ ହେଲେ ଉଠିବ... ସେଥିପାଇଁ କହୁଥିଲି।
ଏତେ କଥା ବାର୍ତ୍ତା ଭିତରେ ବାପାଙ୍କ ନିଦ ଭାଙ୍ଗିଗଲା।ଉଠିକି ଚାଲି ଆସିଲେ।ସବୁ ଶୁଣି କହିଲେ-- ଆରେ ଦେଇ ଦଉନୁ। କାହାକୁ କେତେ ଦଉଛୁ। ଏଇଠି କ'ଣ ହିସାବ କରୁଛୁ ? ସେଥିରେ ପୁଣି ତା' ବାପାର କ୍ୟାନସର। ଭଲ ପିଲାଟିଏ। ଦେଇଦେ ତାକୁ।
ବାପାଙ୍କୁ ଆଉ କ'ଣ କହିବେ ହିମାଂଶୁ। ଟଙ୍କା ପକେଟରୁ ଆଣି ପିଲାଟିକୁ ଦେଲେ। ମାନି ଠିକ୍ ଜାଣିଛନ୍ତି ବାପା ଯଦି ଉଠିପଡିବେ ହିମାଂଶୁ ଆଉ ନୋକଝୋକ୍ କିଛି ଲଗାଇବେନି । ଏପରିକି ହାଟକୁ ଗଲେ ପରିବା ବାଲା ଯିଏ ଯାହା କହିଲା ଦେଇଦିଅନ୍ତି। କିଛି ମୂଲଚାଲ କଲେ ଓଲଟା ହିମାଂଶୁଙ୍କୁ ପାଟି କରନ୍ତି। ହିମାଂଶୁ ଆସି ମାନିଙ୍କୁ କହନ୍ତି--
---- ଜାଣିଲ ମାନି, ବାପାଙ୍କୁ ସାଙ୍ଗରେ ନେଇକି ହାଟକୁ ଗଲେ ମୋ ଆଡ଼କୁ କେହି ଅନାନ୍ତିନି। ବାପାଙ୍କ ଆଡେ ଅନାଇ ,ବାବୁ ! ଏଇଟା ନିଅନ୍ତୁ ସେଇଟା ନିଅନ୍ତୁ କହି ଚିଲ୍ଲେଉଥିବେ। ଯିଏ ଯେତିକି ପଇସା କହିବ ସେତିକି ଦେଇଦେ ବୋଲି କହିବେ ।ଯେଉଁ ଦିନ ଯାଇନଥିବେ ବୁଢ଼ା ବାବୁ କାହାନ୍ତି ବୋଲି ପଚାରି ହେଉଥିବେ।
--- ହଁ, ବାପା ଦିନେ ମୋତେ କହୁଥିଲେ-- ମା' ରେ ! ଜୀବନ ସାରା ଖଟି ଖଟି ପଇସା କମାଇଲି। ପୁଅ ମୋର ଭଲ ଚାକିରୀ କଲାବେଳକୁ ତୋ ଶାଶୁ ଆମକୁ ଛାଡ଼ି ଚାଲିଗଲା।ଆଜି ଅଭାବ ନାହିଁ। କିନ୍ତୁ ଏଇ ଭଲଦିନ ସବୁ ଦେଖିବାକୁ ସେ ଆଜି ମୋ ପାଖରେ ନାହିଁ... କହି କାନ୍ଦି ପକାଇଲେ।କହୁଥିଲା, "ତମ ରିଟାୟାର୍ଡ ପରେ ପୁଅ ବୋହୁ ବୁଲିବେ ଆଉ ଆମେ ଘର ତୋଳିବା।"ସ୍ୱପ୍ନ ସବୁ ଦେଖାଇ କୁଆଡେ ଚାଲିଗଲା। କେତେ ଅଭାବକୁ ଇଟା, ସିମେଣ୍ଟର ପଲସ୍ତରା ପକାଇ ସେ ଏ ଘରକୁ ଚଳାଇ ଆଣିଛି। କିଛି ତାକୁ ମୁଁ ଦେଇପାରିନି। ଦୁଇ ଜଣ ଭାଇଙ୍କର ପାଠପଢା,ଭଉଣୀ ଦୁଇ ଜଣଙ୍କର ବାହାଘର ଦାୟିତ୍ଵ ସବୁ ମୋ ଉପରେ ଥିଲା। ଘର ଖର୍ଚ୍ଚ ପାଇଁ ଯେଉଁ ପଇସା ମୁଁ ଦିଏ ସେଇଥିରୁ ଯାହା ବଞ୍ଚାଇ ରଖିଥାଏ ଠିକ୍ ସମୟରେ ବାହାର କରି ମୋ ହାତରେ ଧରାଇଦିଏ। ଦୁଇ ଭଉଣୀଙ୍କ ବାହାଘର ପୂର୍ବରୁ ତା'ର ଗହଣା ସବୁ ଧରାଇ ଦେଇ କହିଲା --ବ୍ୟସ୍ତ ହୁଅନି, ଏଇ ଗହଣା ନେଇ ବଦଳାଇ ନୂଆ ଗହଣା କିଣି ବାହାଘର ଆଗ କରିଦିଅ। ପଇସା ହେଲେ ପରେ ଗହଣା କିଣିଦେବ। ମନକଥା ସବୁକୁ ଆଗୁଆ ପଢି ଦେଉଥିଲା ଯେପରି ନିୟତିଙ୍କ ନିର୍ଦ୍ଦେଶ ପାଇଛି !!! ପରିବା କିଣିବାକୁ ଗଲେ ସାଙ୍ଗରେ ମୂଲଚାଲ କରିବାକୁ ମନାକରେ। କହେ--- ସେମାନେ କେତେ ଝାଳ ନାଳ ହୋଇ ଖଟି ପରିବା ଆଣି ବିକୁଛନ୍ତି। ସେମାନଙ୍କ ପଇସା କାଟି କେତେ ପଇସା ସଞ୍ଚୟ ଆମର ହେଇଯିବ... ଆମେ ୨ଟା ବଦଳରେ ଗୋଟିଏ ତରକାରୀ ଖାଇବା। ଦେଖିବ , ସେମାନଙ୍କ ନିଃଶ୍ୱାସରୁ ଆମ ହେମୁର କେତେ ଭଲ ହେବ। ସେଥିପାଇଁ ତ ମା'ଙ୍କୁ ମନେ ପକେଇ ବାପା କାହାକୁ ପଇସା ଦେବାକୁ ମନା କରନ୍ତିନି କି କିଛି ମୂଲଚାଲ କରନ୍ତିନି।
--- ହଁ , ମାନି ! ବୋଉ ଚାଲିଗଲା ପରେ ବାପା ସକାଳେ , ସଂଧ୍ୟାରେ ଛାତ ଉପରେ ଯାଇ ଆକାଶକୁ ଅନାଇ ବସିଥାନ୍ତି ଯେ ଖାଇବା କଥା ଭୁଲିଯାଆନ୍ତି। ପିଉସୀ ଆସି ବୁଝାଇ ସୁଝାଇ ଘରକୁ ଆଣି ଖାଇବାକୁ ଦିଅନ୍ତି। ଖୁବ୍ ଏକଲା ଆମେ ହୋଇଯାଇଥିଲୁ। ତମେ ଆସିବା ପରେ ଏ ଘରର ଖୁସି ଫେରିଆସିଲା। ସିଲୁ ଜନ୍ମ ପରେ ବାପା ଆଉ ଦଶବର୍ଷ ବୟସ ତଳକୁ ଖସିଯାଇଛନ୍ତି ଯେପରି !! କେତେ ହସଖୁସି ଆଉ ଫୂର୍ତ୍ତି ତାଙ୍କ ଚେହେରାରେ !!!
ପ୍ରେସର କୁକରର ହୁଇସିଲ୍ ମାନିଙ୍କ ଭାବନାରେ ପୂର୍ଣ୍ଣଛେଦ ପକାଇଲା। ହିମାଂଶୁ ଆସି ଏଇନେ ଅଫିସ୍ ବାହାରିବେ।ମାନି ଚାଲିଗଲେ ରୋଷେଇ ଘରକୁ।
ଡାଇନିଂ ଟେବୁଲ୍ ଉପରେ ଖାଇବା ସବୁ ଦେଖି ସିଲୁ ଚିଲାଇ ପାଟିକରି ଡାକିଲା-- ଜେଜେ ! ଦେଖିବ ଆସ ମାମା କ'ଣ ବନାଇଛି ଆଜି। ସିଲୁର ଡାକରେ ବାପା ଆସି ଖାଇବା ସବୁ ଦେଖି ହସି ହସି କହିଲେ---
--- ଜାଣିଲୁ ସିଲୁ , ମୋର କାଲି ରାତିରେ ଇଛା ହେଉଥିଲା ପୁରୀ , ଛୋଲେ ଖାଇବାକୁ। ମୋ ମନକଥା କେମିତି ପଢିଦିଏ ମୋ ବୋହୁ... ବୋହୁ ନୁହେଁରେ , ସେ ମୋ ମା' ପରା। ଦେଖୁନୁ ସେଥିରେ ପୁଣି ସିମେଇ ଖିରି। ଏ ବୟସରେ ମନଜାଣି ଖାଇବାକୁ ଦେଲା ଭଳି ବୋହୁଟିଏ ମୁଁ ପାଇଛି। ସେଇଟା ମୋ ଭାଗ୍ୟର କଥାରେ ସିଲୁ ! ସାକ୍ଷାତ ଅନ୍ନପୂର୍ଣ୍ଣା। ତୋ ଜେଜେମା' ଥିଲେ କେତେ ଖୁସି ହେଉନଥାନ୍ତା ଆଜି।
-- ହଉ ଜେଜେ, ଚାଲିଲ ଖାଇବା। ମୋ ପାଟିରୁ ପରା ଲାଳ ଗଡିଲାଣି। ବାପା ବି ଆସିଲେଣି। ସ୍କୁଲ୍ ବେଳ ହୋଇଯିବ ମୋର। ସମସ୍ତେ ଖାଇସାରି ଖୁସି ହୋଇ ଉଠିଲା ବେଳକୁ ଆତ୍ମତୃପ୍ତିର ଚେନାଏ ହସ ଖେଳିଗଲା ମାନିଙ୍କ ଓଠରେ।ମାନି ଭାବୁଥିଲେ ଏଇତ ହେଲା ନାରୀର ଜୀବନ ! ନିଜେ ନଖାଇ ବି ପରମ ତୃପ୍ତି ଅନୁଭବ କରିବାର ଏକ ସ୍ୱର୍ଗୀୟ ଆନନ୍ଦ !!! ସିଲୁ ଆସି ହଲାଇଦେଇ କହିଲା , ଆରେ ମାମା , କ'ଣ ଏତେ ଭାବୁଛ ମ ! ରୁମାଲ୍ ଦେଲ ମୋ ସ୍କୁଲ୍ ଡେରି ହୋଇଯିବ। ହଉ ଚାଲ୍ କହି ମାନି ସିଲୁ ଆଉ ହିମାଂଶୁଙ୍କୁ ଦୁଆର ମୁହଁରେ ଛାଡ଼ି ଦେଇ ଆସିଲେ।
ବାପା ଥିବାରୁ ସମସ୍ତେ ଗଲାପରେ ବି ମାନିଙ୍କୁ ଘରଟା ଖାଁ ଖାଁ ଲାଗେନି। କେବେବି ବୋହୁ ଭଳି ଚଳିନାହାନ୍ତି ସେ ଏ ଘରେ । ଝିଅଟିଏର ଅନୁଭବ ପାଇଛନ୍ତି ସେ ବାପାଙ୍କ ଠାରୁ। ବାପା କହନ୍ତି ଏ ସବୁ ତୋ ଶାଶୁ'ଙ୍କ ସଂସ୍କାରରେ ମା ! ବୋଉ କୁହେ ବୋହୁକୁ ଯଦି ଝିଅର ଅନୁଭବ ଦିଆଯାଏ , ସେ ତମର ମା'
ହୋଇଯିବ। ସତରେ କେତେ ସୁନ୍ଦର କଥାଟିଏ କହିଛନ୍ତି ମା' !
ଦ୍ୱିପହର ସମୟରେ ମାନି ଖାଇସାରି ଟିକେ ଗଡ଼ପଡ ହେଉ ହେଉ ଟିକେ ଆଖି ଲାଗିଯାଇଛି। କଲିଂବେଲ୍ ଶବ୍ଦରେ ନିଦ ଭାଙ୍ଗିଗଲା। ଦୁଆର ଫିଟାଇ ଦେଖିଲେ ସୁନୀଲ୍ ସିଲୁକୁ ଧରି ଠିଆ ହୋଇଛି। ହାତରୁ ତା'ର ଝର ଝର ହୋଇ ରକ୍ତସ୍ରାବ ହେଉଥିଲା। କିଛି ପଚାରିବା ଆଗରୁ ପଡୋଶୀ ମହାନ୍ତି ବାବୁଙ୍କ ସ୍ତ୍ରୀ କହିଲେ-- ଆଜି ଆଉ କ'ଣ ସିଲୁ ଏଠି ଥାଆନ୍ତା ! ମୋ ଆଖି ବୁଜିହୋଇଗଲା। ସେ ସାଇକେଲରୁ ଓହ୍ଲାଇ ରୋଡକ୍ରସ୍ କରୁ କରୁ ଗୋଟେ ଭ୍ୟାନ୍ ପଛରୁ ସ୍ପିଡ୍ ରେ ଆସୁଥିଲା। ଧକ୍କା ଦେବା ପୂର୍ବରୁ ସୁନୀଲ୍ ଠିକ୍ ସମୟରେ ସିଲୁକୁ ଧରିନେଲା। ମାନି ଦେଖିଲେ ସିଲୁର ହାତ ଯାହା ଟିକେ ରାଞ୍ଚୁଡି ହୋଇଛି। ପାଟି ଶୁଣି ବାପା ଦୁଆର ମୁହଁକୁ ଆସି ପଚାରିଲେ-- ଆରେ ଇଏ ସବୁ କେମିତି ହେଲା ? ଏଇ ସମୟରେ ତୁ କିପରି ଆଜି ଆସିଛୁ ??
---- ବାପା ଆଜି ଦରମା ପାଇଲା। ସେଥିପାଇଁ ଟଙ୍କାଟା ଫେରାଇବାକୁ ଆସିଥିଲି ବାବୁ !
---- ଆରେ ତୋ ଲାଗି ମୋ ନାତି ଟୋକା ଆଜି ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା। ସେ ଟଙ୍କା କ'ଣ ହେବରେ ବାପା, ତୁ ଆଜି ଜୀବନଟା ମୋର ରଖିଦେଲୁ...କହି ସିଲୁକୁ ଧରି ଭୋ.. ଭୋ କରି ରଡ଼ି ଛାଡ଼ି କାନ୍ଦିପକାଇଲେ।
ଏତିକିବେଳେ ହିମାଂଶୁ ଅଫିସ୍ ରୁ ପହଞ୍ଚିଗଲେ। ସବୁ ଶୁଣି ସେ କହିଲେ---
--- ମାନି ! ସିଲୁର ତ ବେଶି କିଛି ହୋଇନି। ତାକୁ ନିଅ ଘରେ ମେଡ଼ିସିନ୍ ଲଗାଇ ଖାଇବାକୁ ଦିଅ। ମୁଁ ଆମ ସୁନୀଲ୍ କୁ ନେଇ ଯାଉଛି ପାଖ ଡିସପେନସାରିକୁ।
ହିମାଂଶୁ ପିଲାଟିକୁ ଛାଡି ଘରେ ଆସି ପହଁଚିଲେ। ମାନିଙ୍କୁ କହିଲେ-- ସତରେ ମାନି , ଆଜି ସୁନୀଲ୍ ଯୋଗୁଁ ସିନା ସିଲୁ ଏତେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲା। କେତେ ସଚ୍ଚୋଟ ଆଉ ପରୋପକାରୀ ପିଲାଟି। ସିଲୁର କ'ଣ ହୋଇ ଯାଇଥିଲେ ବାପାଙ୍କୁ କ'ଣ ମୁଁ ଆଉ ଫେରିପାଇଥାନ୍ତି !!! କ'ଣ ବା ମହତ୍ତ୍ଵ ଏ ଟଙ୍କାର ଜୀବନ ଆଗରେ !!!!
ହଁ, ମନେରଖ ମାନି, ଆଜିଠାରୁ ଆମ ଘରଭଡ଼ା ଟଙ୍କାରୁ ପ୍ରତି ମାସରେ ୨୦୦ଟଙ୍କା ସୁନୀଲ୍ କୁ ଦେଇଦେବ। ତା'ବାପା ବି ଏକ ସଂସ୍ଥାରେ ସୁଇପର୍ ଅଛି। କିନ୍ତୁ କେତେ ବା ଟଙ୍କା ପାଉଥିବ ସେ। ବାପା କହିଲା ଭଳି କେତେ ପଇସା କୁଆଡେ ଯାଉଛି। ହିସାବ କ'ଣ କରୁଛୁ ? ଠିକ୍ କଥା ବାପା କହିଛନ୍ତି। ଆଜି ଆମ ଅମୂଲ୍ୟ ରତ୍ନକୁ ଆମେ ଫେରି ପାଇଲେ।ଏହାଠୁ ବଳି ଭଲ କଥା ଆଉ କ'ଣ ହୋଇପାରେ !!!!
