ମହର୍ଷି ବିଶ୍ଵାମିତ୍ରଙ୍କ ଆତ୍ମକଥା
ମହର୍ଷି ବିଶ୍ଵାମିତ୍ରଙ୍କ ଆତ୍ମକଥା
ବାଲ୍ମିକୀ ରାମାୟଣର କଥା l ଶ୍ରୀରାମ ଲକ୍ଷ୍ମଣ ଋଷି ବିଶ୍ଵାମିତ୍ରଙ୍କ ସିଦ୍ଧାଶ୍ରମରେ ଯାଇ ପହଞ୍ଚି, ସୁବାହୁ ନାମରେ ଏକ ଭୟଙ୍କର ରାକ୍ଷସଙ୍କୁ ବଧକଲେ l ରାମଙ୍କ ବାଣ ପ୍ରହାରରେ ଅନ୍ୟ ଗୋଟେ ରାକ୍ଷସ ମାରିଚ କୁଆଡ଼େ ପଳାଇ ଗଲା l ଶ୍ରୀରାମ ଲକ୍ଷ୍ମଣ ଗୁରୁଙ୍କ ଆଦେଶରେ ସେଦିନ ସେହିଠାରେ ରାତ୍ରି ଯାପନ କଲେ l ପରଦିନ ପ୍ରଭାତରୁ ସେମାନେ ରାଜର୍ଷି ଜନକଙ୍କ ଯଜ୍ଞ ଦେଖିବା ପାଇଁ ମିଥିଳା ପଥରେ ଯାତ୍ରା କଲେ l ଶହେ ଶକଟ ସହ ଋଷିମାନେ ତାଙ୍କ ଅନୁଗମନ କରୁଥାନ୍ତି l ଶ୍ରୀରାମ ଲକ୍ଷ୍ମଣ ଏବଂ ଅନ୍ୟ ଋଷିମାନେ ବିଶ୍ଵାମିତ୍ରଙ୍କ ସହ ସେଦିନ ଶୋଣ ନଦୀ କୁଳରେ ରାତ୍ରି ବିଶ୍ରାମ କଲେ l
ସନ୍ଧ୍ୟା ସ୍ନାନ ତର୍ପଣ ସାରି ଶ୍ରୀରାମ ଲକ୍ଷ୍ମଣ ବିଶ୍ଵାମିତ୍ରଙ୍କ ସହ ବସି, ବିଭିନ୍ନ ପ୍ରସଙ୍ଗ ଆଲୋଚନା କରୁଥାନ୍ତି l ଏହି ସମୟରେ ଶ୍ରୀରାମ ପଚାରିଲେ, ମହାତ୍ମନ୍ ! ଅରଣ୍ୟ ଶୋଭିତ ଏହି ସମୃଦ୍ଧିଶାଳୀ ଦେଶର ନାମ କଅଣ? ରାମଙ୍କ ପ୍ରଶ୍ନରେ ମହର୍ଷି ବିଶ୍ଵାମିତ୍ର ତାଙ୍କୁ ଗୋଟିଏ ସୁନ୍ଦର କାହାଣୀ କହିଲେ l
ବିଶ୍ଵାମିତ୍ର କହିଲେ, ପୂର୍ବ କାଳରେ କୁଶ ନାମରେ ଜଣେ ଧର୍ମ ପରାୟଣ ରାଜା ଥିଲେ l ତାଙ୍କ ରାଣୀ ଥିଲେ, ବୈଦର୍ଭୀ l ବୈଦର୍ଭୀଙ୍କ ଗର୍ଭରୁ ଚାରି ପୁତ୍ର ଜନ୍ମ ହେଲେ; କୁଶାମ୍ବ, କୁଶନାଭ, ଅସୁତରାଜ ଓ ବସୁ l ପିତାଙ୍କ ଆଦେଶରେ ସେମାନେ ଯଥାକ୍ରମେ କୌଶାମ୍ୱୀ, ମହୋଦୟ,ଧର୍ମାରଣ୍ୟ, ଗିରିବ୍ରଜ ଆଦି ନଗର ପ୍ରତିଷ୍ଠା କରି ରାଜତ୍ଵ କଲେ l ଏହା ସେହି ବସୁଙ୍କ ରାଜ୍ୟ, ଯାହାର ରାଜଧାନୀ ପଞ୍ଚ ପର୍ବତ ଶୋଭିତ ଗିରିବ୍ରଜ l ପୁଣ୍ୟତୋୟା ମାଗଧୀ ନଦୀ ଏହି ଦେଶ ମଧ୍ଯରେ ପ୍ରବାହିତ ହେଉଥିବା ଯୋଗୁଁ ଏହା ମଗଧ ନାମରେ ବିଖ୍ୟାତ ହୋଇଛି l
ରାଜା କୁଶନାଭଙ୍କ ଔରସରେ ପତ୍ନୀ ଘୃତାଚୀଙ୍କ ଗର୍ଭରୁ ଏକଶତ ରୂପବତୀ କନ୍ୟା ଜନ୍ମ ହେଲେ l ସେମାନେ ଏକଦା ରାଜ ଉଦ୍ୟାନରେ ବୁଲୁଥିଲେ l ଏହି ସମୟରେ ବାୟୁ ଦେବତା ଆସି ସେଠାରେ ପହଞ୍ଚିଲେ l ରାଜକନ୍ୟା ମାନଙ୍କର ସୋନ୍ଦର୍ଯ୍ୟରେ ମୋହିତ ହୋଇ ବାୟୁ ସେମାନଙ୍କୁ ବିବାହ ପ୍ରସ୍ତାବ ଦେଲେ l କନ୍ୟା ମାନେ କହିଲେ, ଆମେ ପିତାଙ୍କ ଇଚ୍ଛା ବିରୁଦ୍ଧରେ, କାହାରିକୁ ବିବାହ କରି ପାରିବୁ ନାହିଁ l ଏଥିରେ କ୍ରୁଦ୍ଧ ହୋଇ ବାୟୁ ଦେବତା ରୂପ ଯୌବନ ଗର୍ବି ରାଜ କନ୍ୟା ଗଣଙ୍କୁ ବିକଳାଙ୍ଗ କରି ଦେଲେ l କନ୍ୟା ମାନେ ଯାଇ, ପିତା କୁଶନାଭଙ୍କୁ ସମସ୍ତ କଥା କହିଲେ l କନ୍ୟାମାନେ ସେହି ଅଭିଶାପରୁ କିପରି ମୁକ୍ତହେବେ ସେ ନେଇ ମନ୍ତ୍ରୀମାନଙ୍କ ସହ ପରାମର୍ଶ କଲେ l ମନ୍ତ୍ରୀ ମାନେ କହିଲେ, କାମ୍ପିଲ୍ୟ ନଗରୀରେ ମହା ତପସ୍ୱୀ ଚୁଳିଋଷିଙ୍କ ପୁତ୍ର ପରମ ଧାର୍ମିକ ବ୍ରହ୍ମଦତ୍ତ ରାଜତ୍ଵ କରୁଛନ୍ତି l ତୁମ୍ଭର କନ୍ୟା ମାନଙ୍କୁ ତାଂକୁ ପ୍ରଦାନ କରନ୍ତୁ l ରାଜା କୁଶନାଭ ତାହାହିଁ କଲେ l ବ୍ରହ୍ମଦତ୍ତ କନ୍ୟା ମାନଙ୍କ ପାଣିଗ୍ରହଣ କଲା ମାତ୍ରେ ତାଙ୍କ ଶରୀରରୁ ସମସ୍ତ ବିକାର ଦୂରେଇଗଲା l
କୁଶନାଭଙ୍କର କୌଣସି ପୁତ୍ର ନଥିଲେ, ତେଣୁ ସେ ଗୋଟିଏ ପୁତ୍ରେଷ୍ଠି ଯଜ୍ଞ କଲେ l କୁଶନାଭଙ୍କ ପିତା ରାଜର୍ଷି କୁଶ ଯଜ୍ଞ ଶେଷରେ ତାଙ୍କୁ ଆଶିର୍ବାଦ କରି କହିଲେ, ତୁମେ ଶୀଘ୍ର ଏକ ଧାର୍ମିକ ପୁତ୍ରର ଜନକ ହେବ l କୁଶ କିଛିଦିନ ପରେ ସ୍ଵର୍ଗବାସୀ ହେଲେ l କୁଶନାଭଙ୍କ ଯେଉଁ ପୁତ୍ର ଜନ୍ମ ହେଲା ତାଙ୍କ ନାମ ହେଲା ଗାଧି l
ବିଶ୍ଵାମିତ୍ର କହିଲେ, ରାମ ! ତୁମର ପ୍ରଶ୍ନ ବିଷୟକ ଇତିହାସ ତ ଶୁଣାଇଲି l ଏବେ ଶୁଣ, ମୁଁ ହେଉଛି ସେହି କୁଶବଂଶରେ ଜାତ ପରମଧାର୍ମିକ ଗାଧିଙ୍କ ପୁତ୍ର l ବାଲ୍ମୀକି ରାମାୟଣ ବାଳ କାଣ୍ଡ ଚତୁତ୍ରିଂଶ ସର୍ଗ ଅନୁସାରେ:-
ସ ପିତା ମମ କାକୁସ୍ଥ ଗାଧି ପରମ ଧାର୍ମିକଃ l
କୁଶବଂଶପ୍ରସୂତୋସ୍ମି କୌଶିକୋ ରଘୁନନ୍ଦନ l
କୁଶଙ୍କ ବଂଶରେ ମୋ ଜନ୍ମ ହୋଇ ଥିବାରୁ ମୋର ଅନ୍ୟ ଏକ ନାମ କୌଶିକ l ମୋର ଜ୍ୟେଷ୍ଠାଭଗ୍ନୀ ସତ୍ୟବତୀ, ଋଚୀକ ଋଷିଙ୍କୁ ବିବାହ କରିଥଲେ l ସ୍ବାମୀଙ୍କ ସ୍ଵର୍ଗବାସ ପରେ ସେ ଜଗତର କଲ୍ୟାଣ ପାଇଁ ଏକ ନଦୀ ହୋଇ ହିମାଳୟରୁ ବହିଗଲେ l ସେ ନଦୀ ତାଙ୍କରି ନାମ ଅନୁସାରେ କୌଶିକୀ ବା କୁଶି ବୋଲି ଜଗତରେ ପ୍ରସିଦ୍ଧ ହୋଇଛି l
ଏହିପରି ବିଶ୍ଵାମିତ୍ର ନିଜ ବଂଶ ପରିଚୟ ରାମଙ୍କୁ ପ୍ରଦାନ କଲେ l ସେ କାହାଣୀ କହୁ କହୁ ଅଧରାତ୍ରୀ ବିତି ଯାଇଥିଲା, ମୁନିଙ୍କ ପରାମର୍ଶରେ ସଭିଏଁ ନିଦ୍ରା ଗଲେ l ପରଦିନ ପ୍ରଭାତରୁ ଶୋଣ ନଦୀର କୂଳେ କୂଳେ ଯାଇ ମଧ୍ୟାହ୍ନ ସମୟରେ ସେମାନେ ତ୍ରିପଥ ଗାମିନୀ ଗଙ୍ଗା ନଦୀ କୂଳରେ ପହଞ୍ଚିଲେ l
