Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Binay Mohapatra

Abstract Thriller


3  

Binay Mohapatra

Abstract Thriller


ମହାଯାତ୍ରା

ମହାଯାତ୍ରା

11 mins 297 11 mins 297

ରମାନାଥ ବାବୁ ଏମିତି ଚାଲୁଚାଲୁ ଥରେ ପଛକୁ ଫେର ଚାହିଁଲେ, ପଛର ଦୃଶ୍ୟ କିଛି ସ୍ପଷ୍ଟ ଦିଶୁନି । ପଛରେ ସବୁ କିଛି ଧୂଆଁ ଧୁଆଁ କୁହୁଡି ଭିତରେ ନିଜର ସତ୍ତା ଲୁଚାଇ ଦେଇଛନ୍ତି । ଯେମିତି ମାଘମାସର ଘନ କୁହୁଡିର ଚାଦରରେ ଢଙ୍କା ଏକ ଅଳସ ସକାଳ । ସବୁକିଛି ନିଜ ଯାଗାରେ ଠିକ୍ ଠିକ୍ ଅଛନ୍ତି କିନ୍ତୁ ଲାଗୁଛି ସତେ ଯେପରି ସେଠାରେ କିଛିନାହିଁ । ସଂସାରଟା ଏମିତି ଏକ ପ୍ରହେଳିକା, ସବୁ ଥାଇ କିଛି ନଥାଏ, କିଛି ନଥାଇ ବି ସବୁକିଛି ଥାଏ । ଦିନର ପ୍ରଥମ ସୂର୍ଯ୍ୟ ଉଇଁଗଲା ପରେ ବି କଅଁଳିଆ ସୂର୍ଯ୍ୟ ନୁଆ ବୋହୁଟିର ମଥାରେ ନାଲି ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଥାଏ, ଖରା ଜମାରୁ ଦିଶେନା, ଉଷ୍ମତା ଟିକିଏ ବି ନଥାଏ । ଏମିତି ଏକ ସକାଳୁ ସେ ତାଙ୍କର ଚାଲିବା ଆରମ୍ଭ କରିଛନ୍ତି ଯେ, ଏଯାଏ ସରିବାର ନାଆଁ ନେଉନାହିଁ । ସମୟର କେତେ ଆଗକୁ ଚାଲି ଆସିଲେଣି ସିଏ ! ଦିପହର ଯାଇ ସଞ୍ଜ ହେବାକୁ ହେଲାଣି, ଏବେ ଆଉ ସୂର୍ଯ୍ୟର ତୀବ୍ର କିରଣ ଦେହକୁ ଜାଳିଦେଉନି । ବୈଶାଖର ଦେହଜଳା ଖରା, ଶ୍ରାବଣର ମୂଷଳଧାରା ବର୍ଷା ହେଉ କି ମାଘମାସର ବାଘପରି ଶୀତ, ସେଥିରେ କିଛି ଫରକ ପଡୁନି ତାଙ୍କୁ, ସେସବୁ ଆଉ କଷ୍ଟ ଦେଉନି, ବରଂ ସବୁ ତାଙ୍କର ଦେହସୁହା ହୋଇ ସାରିଲାଣି । ଅପରାହ୍ନର ସୂର୍ଯ୍ୟ ବି ଥକିଗଲାଣି ତାଙ୍କ ସାଥିର ଚାଲିଚାଲି । ପଥ ଯେମିତି ଲମ୍ବା ହୋଇ ଯାଇଛି, ସରିବାର ନାଆଁ ନେଉନି । କିନ୍ତୁ ଏ ପଥ ସରିବ କେମିତି ? କୁଆଡେ ଯାଉଛନ୍ତି ସିଏ ? କିଛି ଗନ୍ତବ୍ୟ ତ ଧାର୍ଯ୍ୟ କରିନାହାନ୍ତି ! କେଉଁଠି ପହଞ୍ଚିବାକୁ ଥିଲା ତାଙ୍କୁ ? ସବୁ କିଛି ଅନିର୍ଦ୍ଦିଷ୍ଟ, କିଛିବି ଧାର୍ଯ୍ୟ ନାହିଁ, ସେ ଖାଲି ଏମିତି ଦିଶାହୀନ ହୋଇ ଚାଲିଛନ୍ତି । ରାସ୍ତା ଭୂଲିଗଲେ ଅବା ବାଟବଣା ହୋଇଗଲେ ବୋଲି କେବେକି କହି ହେବନି, କେମିତି କହିବେ ବାଟବଣା ହୋଇଗଲେ ବୋଲି ? ଆଗରୁ କିଛି ଦିଶାନିର୍ଦ୍ଦେଶ ତ ନଥିଲା । ତେଣୁ ଯେଉଁ ପଥରେ ଚାଲୁଛନ୍ତି ସେଇଟା ହିଁ ଠିକ୍ ବୋଲି ମାନି ନେବାକୁ ହେବ ।


ନଦୀକୁ ଜଣାଥାଏ ତାକୁ ସମୁଦ୍ର ପର୍ଯ୍ୟନ୍ତ ଯିବାକୁ ଅଛି, ଟିକି ଚଡେଇଟି ବି ଜାଣିଥାଏ, ସଂଧ୍ୟାହେଲେ ତାକୁ ତାର ଟିକି ନୀଡଟିକୁ ବାହୁଡିବାକୁ ହେବ, ହେଲେ ରମାକାନ୍ତ ବାବୁ ? କେହିତ ତାଙ୍କୁ କହିନି କେଉଁଠାକୁ ଯିବାକୁ ଅଛି, ସେ ନିଜେବି କାହାକୁ କେବେ ପଚାରି ନାହାନ୍ତି । ଯିବାର କିଛି ଉଦ୍ଦେଶ୍ୟ ନାହିଁ, କିଛି ଲକ୍ଷ ନାହିଁ, କିଛି ଗନ୍ତବ୍ୟ ମଧ୍ୟ ସ୍ଥିର ନାହିଁ । ସକାଳୁ ସକାଳୁ ଏମିତି ବାହାରି ପଡିଥିଲେ ଏଇ ଯାତ୍ରାରେ । ସୂର୍ଯ୍ୟ ଯେତେବେଳେ ଉଇଁଲା, ସିଏ କାଉ ହାତରେ ଖବର ପଠେଇଥିଲା । କହିଲା ଚାଲ ମୋ ସାଥିରେ । ରମାନାଥ ପଚାରିଲେ କୁଆଡେ ? ସୂର୍ଯ୍ୟ କହିଲା ମୁଁ କଣ ଜାଣିଛି ? ଏମିତି ଚାଲିବା, ଯେ ପର୍ଯ୍ୟନ୍ତ ରାସ୍ତା ଦିଶୁଥିବ । ତା'ପରେ ତୁ ଫେରିବୁ, କାଲି ସକାଳେ ମୁଁ ବି ଫେରିବି, କାଲି ପୁଣି ଦେଖା ହେବ । ରମାନାଥ ପଚାରିଲେ କାଲି ପୁଣି କେଉଁଠି ଭେଟିବା ? ସୂର୍ଯ୍ୟ କହିଲା ମୋ ପାଇଁ ସେଇ ଗୋଟିଏ ରାସ୍ତା, ନିର୍ଦ୍ଦିଷ୍ଟ ହୋଇଛି, ମୁଁ କେବଳ ସେଇ ରାସ୍ତାରେ ଯିବି ଆସିବି, କିନ୍ତୁ ସଂସାରର ଏଇ ଭିଡଭାଡ ଜନପଥରେ ତୁ କେଉଁ ରାସ୍ତାରେ ଯିବୁ ସେକଥା କାହାକୁ ଜଣା ? ତୋ ରାସ୍ତା କଥା ତୋତେ ମଧ୍ୟ ଜଣା ନାହିଁ । ସେ ଯାହାହେଉନା କାହିଁକି, ଯିଏ ଯେଉଁ ରାସ୍ତାର ଯାଉନା କାହିଁକି ସବୁ ନଦୀ ସେଇ ସମୁଦ୍ରରେ ହିଁ ମିଶିବେ, ତୋ ସହିତ କାଲି ବି ଦେଖାହେବ, ଆମେ କାଲି ପୁଣି ଥରେ ଭେଟିବା, ନିଶ୍ଚୟ ଭେଟିବା !

କିଛି ଗନ୍ତବ୍ୟ ନଥିଲା, ତଥାପି ବହୁଦୂର, ବହୁତ ରାସ୍ତା ବାକିଥିଲା ଚାଲିବାକୁ । ରାସ୍ତା ବି ଗୋଟିଏ ନଥିଲା, ଅନେକ ରାସ୍ତା, ବାଛିବା କଷ୍ଟ । ରମାନାଥ ସୂର୍ଯ୍ୟକୁ ପଚାରିଲେ, କେଉଁ ରାସ୍ତାଟି ଠିକ୍ ରାସ୍ତା ? ସୂର୍ଯ୍ୟ କହିଲା ମୋର ତ ସେଇ ଗୋଟିଏ ରାସ୍ତା, ତୋର କିନ୍ତୁ ମୋତେ ଜଣାନାହିଁ । ନିଜକୁ ପଚାରେ ! ମୋ ପାଖରେ କିଛି ବିକଳ୍ପ ନାହିଁ ବୋଲି ମୁଁ ପ୍ରତିଦିନ ସେଇ ପୂର୍ବରେ ଉଏଁ ଆଉ ପଶ୍ଚିମରେ ଅସ୍ତ ହୋଇଯାଏ । ମୋ ପାଇଁ ସେଇ ଗୋଟିଏ ରାସ୍ତା ନିର୍ଦ୍ଦିଷ୍ଟ । ତୋ ପାଖରେ କିନ୍ତୁ ହଜାର ବିକଳ୍ପ ଅଛି । ସୁବିଧାରେ ପହଞ୍ଚିବା ପାଇଁ, ନିରାପଦରେ ପହଞ୍ଚିବା ପାଇଁ ଅନେକ ରାସ୍ତା । ଆଉ କେତେ ରାସ୍ତା ସିଧା ସିଧା, ସଟକଟ୍, ଜଲ୍ଦି ପହଞ୍ଚି ଯିବ, କିନ୍ତୁ ବହୁତ ରିସ୍କି । ନେଇ ଆଣି ଥୋଇ ପାରିଲେ ହେଲା । କିଛି ରାସ୍ତା ବଡ କଠିନ, ବିପଦରେ ଭରପୁର, ସେଥିରେ ସୁଖ ମିଳବକି ନାହିଁ ଜଣାନାହିଁ, କିନ୍ତୁ ସନ୍ତୋଷ ନିଶ୍ଚୟ ମିଳିବ, ନାମ ଯଶ ବି ମିଳିପାରେ । ହେଲେ କଷ୍ଟ ଅଛି ସେ ରାସ୍ତାରେ । ସେଥିପାଇଁ ଭଗବାନ ମଣିଷକୁ ମନ, ବିବେକ, ବୁଦ୍ଧି, ଜ୍ଞାନ ସବୁ ଦେଇଛନ୍ତି, ନିଜ ରାସ୍ତା ନିଜେ ଠିକ୍ କରିବାକୁ । ମୋତେ କାହିଁକି ପଚାରୁଚୁ? ନିଜେ ସ୍ଥିରକର ନିଜ ରାସ୍ତା ! ତୋର ମନକୁ ପଚାର, କହନ୍ତି ପରା, 'ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ' କିନ୍ତୁ ସାବଧାନ, ଏଇଠି ଆଉ କାହାକୁ ରାସ୍ତା ପଚାରିବୁନି । କାହାର କିଛି ଭରସା ନାହିଁ, ସହଜରେ ସମସ୍ତଙ୍କୁ ବିଶ୍ୱାସ ବି କରିହୁଏନି । ଏମିତି ଅନେକ ଅଛନ୍ତି, ଛଳେ ବଳେ କୌଶଳେ ତୋର ଦୁର୍ବଳତାର ସୁଯୋଗ ନେଇ ତୋର ଭରସା ଜିତିବେ ଶେଷରେ ତୋର ଅଣ୍ଟି ଆଉ ତଣ୍ଟି ଉଭୟ କାଟିନେବେ । କେତେ ତ ତାମସା ଦେଖିବାକୁ ଓଲଟା ସିଧା ରାସ୍ତା ଦେଖେଇ ଦେବେ । ଆଉ ଏମିତିବି ଅନେକ ଅଛନ୍ତି ସେମାନେ ତୋତେ ସିଧା ସଳଖ ଖାଲରେ ପକେଇ ଦେଇ ଉପରେ ଠିଆହୋଇ ରହିବେ, ତାଳିବଜାଇ ତାମସା ଦେଖିବେ । ଠିକ୍ ରାସ୍ତା ବତେଇଦେଲା ଭଳି ବହୁତ କମ ଲୋକ ମିଳିବେ ଏଇ ଦୁନିଆରେ । ତେଣୁ ନିଜର ମନ, ବିବେକ ଅନୁଶାରେ ନିଜ ରାସ୍ତା ନିଜେ ବାଛିବା ସବୁଠାରୁ ନିରାପଦ ।


ପଥ ଜଣା ନଥିଲା, ସମୟର ବନ୍ଧନ ନଥିଲା, ସମୟର ବନ୍ଧନ ନଥିଲା କହିଲେ ବୋଧହୁଏ ଠିକ୍ ହେବନି, ପ୍ରକୃତରେ ସମୟର ବନ୍ଧନ ତ ଥିଲା, କିନ୍ତୁ ତାର ସୀମା ଜଣାନଥିଲା । ସମୟ ଜଣା ନାହିଁ, କେବଳ ଚାଲିବାକୁ ବହୁତ ରାସ୍ତା ବାକି ଥିଲା । ରାସ୍ତା ଯେଉଁଆଡେ ନେଇଗଲା ପାଦ ଠିକ୍ ଠିକ୍ ତାକୁ ଅନୁଶରଣ କରୁଥିଲା । ହଜିଯିବାର ଡର, ଥକି ଯିବାର ଭୟ ଥିଲା । କିନ୍ତୁ ଏବେ ଆଉ ଡର ଲାଗୁନଥିଲା ରମାନାଥଙ୍କୁ । ଜୀବନରେ ଏଇ ଚାଲିବା ଭିତରେ ଅନେକ କିଛି ଦେଖିଛନ୍ତି । ଉଠାଣି ଗଡାଣି ଖାଲ ଢିପ ସବୁ ଦେଖିଛନ୍ତି । ଆଗରୁ ଟିକିଏ ଡର ଡର ଲାଗୁଥିଲା, ଉଠାଣି ଦେଖିଲେ ମୁଣ୍ଡ ବୁଲେଇ ଦେଉଥିଲା, ଭାବୁଥିଲେ ଚଢିପାରିବିତ ? କେତେଥର ଚେଷ୍ଟାକରି ହାରିଛନ୍ତି, କେତେଥର ଜିତିଛନ୍ତି ବି । କେବେ ଡରକୁ ଡରେଇ ଦେଇଛନ୍ତି, କେବେ ନିଜେ ଡରିଯାଇ ରାସ୍ତା ବଦଳେଇ ନେଇଛନ୍ତି, ହେଲେ ଚାଲିବା ବନ୍ଦ କରିନାହାନ୍ତି । ଥକିଗଲେ ଦି'ଘଡି ଗଛମୂଳରେ ବସିପଡନ୍ତି, ପଛକୁ ଦେଖନ୍ତି ରାସ୍ତାରେ ନିଜ ଅନୁଭୂତିର ରୋମନ୍ଥନ କରନ୍ତି, ନିଜର ପରାଜୟରୁ କଣ ଶିଖିଲେ ତାର ତର୍ଜମା କରନ୍ତି । କେତେ ଚାଲିଲେ ସେକଥା ଭୂଲି ଆଗକୁ ଦେଖନ୍ତି । ଭାବନ୍ତି ଆଗକୁ ଯାଉଥିବା ପଥ ବିଷୟରେ କିଛି ଜଣାନାହିଁ । ତା ବିଷୟରେ ଭାବିଲେ ଲାଭ କଣ ହେବ ? ସିଏତ ଅନିଶ୍ଚିତ, ବର୍ଷା ଆସିବ ବୋଲି ଏବେ ଠାରୁ କଣ ଛତାଖୋଲି ରଖିବେ ? କିଏ ଜାଣିଛି ଯେତେବେଳେ ବର୍ଷା, ଝଡ ତୁଫାନର ରୂପ ନେଇ ଚାଲି ଆସିବ, ସେତେବେଳେ ଏଇ ଛତା କଣ କିଛି କାମକୁ ଆସିବ ! ବାଆକୁ ବତା ପରି ଛତା ବି ଉଡିଯିବ । ଏଇ ଛତା ସେତେବେଳେ ତାଙ୍କର ରକ୍ଷା କରିପାରିବ କି ନାହିଁ କିଏ ଜାଣେ ? ଭବିଷ୍ୟତ କଥା ଭାବି ଏବେ ଆଉ ଡର ଲାଗେନା । ମନ ବ୍ୟଗ୍ର ହୋଇଯାଏନା । ଯେତେ ସବୁ ରାସ୍ତା ସବୁ ଏକାପରି ଲାଗେ, କେବଳ ସାଧାରଣ ରାସ୍ତାଟିଏ ପରି ଲାଗେ । ରାସ୍ତା ତ ଉଠାଣି ଗଡାଣି, ଉବଡ ଖାବଡ ହେବଇ ହେବ । ଏଇଟା ଡ୍ରଇଁରୁମର ଟାଇଲ ବିଛା ଚଟାଣ ନୁହେଁ ଯେ ଚାଲିବାକୁ ମଖମଲି ଗାଲିଚା ମିଳିବ । ଏଇଟା ରାସ୍ତା, ଯେପରି ମିଳିବ, ସେଇଟା ଭଲ, ତା ଉପରେ ଯିବାକୁହିଁ ପଡିବ ।

ପ୍ରଥମ ଦିନରୁ ଏମିତି ଚାଲିବା ଆରମ୍ଭ ହୋଇଯାଇଛି, କେବେ ମାଆବାପା କୋଳରେ ଥାଇ, ଆଉ କେବେ ନିଜର ସନ୍ତାନକୁ କୋଳରେ ନେଇ ଚାଲିଛନ୍ତି, ରାସ୍ତା ଏବେବି ଚାଲିଛି । ବେଳେ ବେଳେ ରମାନାଥଙ୍କୁ ଲାଗେ ସେ ଯେପରି ଗୋଟିଏ ସ୍ଥାନରେ ସ୍ଥାଣୁ ପାଲଟି ଯାଇଛନ୍ତି । ବାସ୍ ନିଜକୁ ଜାବୁଡି ଧରି ଗୋଟିଏ ଜାଗାରେ ଠିଆ ହୋଇଛନ୍ତି ଏବଂ ପାଦ ତଳର ରାସ୍ତା ନଦୀଟିଏ ପରି ବୋହି ଚାଲିଛି । ସେ ସୂର୍ଯ୍ୟପରି ସ୍ଥିର ଆଉ ପୃଥବୀ ତାଙ୍କର ପରିକ୍ରମା କରିଚାଲିଛି । ବେଳେବେଳେ ମନେହୁଏ ସେ ତ ସମୟର ରେଲଗାଡିରେ ଝରକା ପାଖ ସିଟ୍ ରେ ବସିଛନ୍ତି । ପାହାଡ ପର୍ବତ, ଗଛ, ବିଜୁଳିଖୁଣ୍ଟ, ନଦୀ ନାଳ, ପୋଲ ସହର ଆଉ ଷ୍ଟେସନ ସବୁ କିଛି ପଛକୁ ଦୌଡି ଯାଉଛନ୍ତି । କିଛି ବୁଝିହୁଏନା, କିଏ ଚାଲିଛି, କିଏ ସ୍ଥିର ! ହେଲେ ଏଇ ଚାଲିବା ସେମିତି ନିରନ୍ତର ଜାରିରହିଛି । କେବେ ସରିବ ଏ ଯାତ୍ରା ? ଆକାଶକୁ ଚାହିଁଲେ, ସୂର୍ଯ୍ୟକୁ ଦେଖିଲେ, ସୂର୍ଯ୍ୟବି କ୍ଳାନ୍ତ ଦିଶୁଥିଲା । ରମାନାଥ କହିଲେ, ବାସ ବହୁତ ହୋଇଗଲା । ଏବେ ଏ ଚାଲିବା ବନ୍ଦ ହେଉ । ସୂର୍ଯ୍ୟ ଟିକିଏ ନିରେଖି ଦେଖିଲା ରମାନାଥଙ୍କୁ । ଟିକିଏ ହସିଦେଇ ପୁଣି କହିଲା, ଆରେ, ଏତିକି ରାସ୍ତା ଚାଲିବାରେ ଥକିଗଲୁ । ତୁ ଦେଖୁଛୁନା ମୋତେ ? କେଉଁ ଅନାଦି କାଳରୁ ମୁଁ ଚାଲୁଛି ପୁଣି ଅନନ୍ତ କାଳଯାଏ ଏମିତି ଚାଲୁଥିବି । ପୃଥିବୀ ଗୋଲ ବୋଲି ମୁଁ ଯେତେ ବେଳେ ପୃଥିବୀର ଆରପଟକୁ ଚାଲିଯାଏ ଏବଂ ତୁ ମୋତେ ଦେଖି ନପାରୁ, ସେତେବେଳେ ତୁ ଭାବୁ ମୁଁ ଶୋଇଗଲି, ହେଲେ ତେବେ ବି ମୁଁ ଚାଲୁଥାଏ, ଏମିତି ନିରନ୍ତର ଅବିଶ୍ରାନ୍ତ । ହଠାତ୍ ସୂର୍ଯ୍ୟ କଥା ବନ୍ଦକରି ରମାନାଥଙ୍କୁ ସନ୍ଦେହଭରା ଦୃଷ୍ଟିରେ ଦେଖି ପଚାରିଦେଲା, ତୁମେ ସିଏନା', ଯିଏ ସକାଳପହରୁ ମୋ ସାଥିରେ ଚାଲୁଛି ?


ରମାନାଥ ଆଶ୍ଚର୍ଯ୍ୟ ହୋଇ ସୂର୍ଯ୍ୟକୁ ପଚାରିଲେ, ମୋତେ କଣ ତୁମେ ମୋତେ ଚିହ୍ନି ପାରୁନ ? ହଁ, ମୁଁ ସେଇ, ଯିଏ ସକାଳୁ ଚାଲିଛି ତୁମ ସାଥିରେ, କିନ୍ତୁ ତୁମର କଣ ହେଲା ? ହଠାତ୍ ଏମିତି ଦୋ ଦୋ ଚିହ୍ନା ହେଲାପରି ସନ୍ଦେହର ଏ ପ୍ରଶ୍ନ କାହିଁକି ? ମୁଁ କଣ ବଦଳି ଯାଇଛି ? ସୂର୍ଯ୍ୟ ହସିଲା, ଅଳ୍ପ ନୁହେଁ ବହୁତ ହସିଲା । କହିଲା ମୋତେ କଣ ପଚାରୁଛ ? ମୋ ପାଖରେ ତ ଆଇନା ନାହିଁ, ନହେଲେ ଦେଖେଇ ଦିଅନ୍ତି । ହୁଏତ ତୁମେ ତୁମ ନିଜକୁ ଚିହ୍ନି ପାରିବନି କି ନାହିଁ ମୋତେ ସନ୍ଦେହ ଲାଗୁଛି । ଗୋଟାଏ କାମ କର, ସେଇ ଗଛ ମୂଳକୁ ଦେଖ, ରାସ୍ତା କଡରେ ତୁମକୁ କିଛି ଦିଶୁଛି ? ରମାନାଥ କହିଲେ, ହଁ, ସେଇଠି ଭଣ୍ଡାରୀଟିଏ ଠିଆହୋଇଛି । ଗଛର ଗଣ୍ଡିରେ କଣ୍ଟାଟିଏ ପିଟି ବଡ ଆଇନାଟାଏ ଟାଙ୍ଗିଛି ଆଉ ଆଇନା ସାମ୍ନାରେ ଚଉକିଟିଏ ପଡିଛି । ସେ ଅପେକ୍ଷା କରିଛି, କାଳେ କିଏ ନୁଆ ଗରାଖ ଆସିବ, ଦାଢି କି ବାଳ କଟେଇବ । ସୂର୍ଯ୍ୟ ଟିକିଏ ହସିଦେଇ କହିଲା, ସେଇଠିକି ଯାଅ, ସେ ଆଇନାରେ ଥରେ ନିଜକୁ ଦେଖିନିଅ । ରମାନାଥ କହିଲେ, ତୁମେ ଏଇଠି ଅପେକ୍ଷା କରିବନା' ? ଚାଲି ଯିବନି ତ ? ସୂର୍ଯ୍ୟ କହିଲା, ନାହିଁ ନାହିଁ ମୁଁ କୁଆଡେ ଯିବିନି, ଏଇଠି ତୁମର ଅପେକ୍ଷା କରିଛି । ଯାଅ, ଶିଘ୍ର ନିଜ ମୁହଁ ଦେଖି ଆସ, ଡେରି କରନି । ସେ ତାର ଦୋକାନ ବନ୍ଦ କରିଦେଲେ ଆଉ ଥରେ ତୁମ ପାଇଁ ଖୋଲିବନି ।


ରମାନାଥ ଗଲେ ସେଇ ଗଛ ମୂଳକୁ, ତାଙ୍କୁ ଦେଖୁଦେଖୁ ଭଣ୍ଡାରୀ ପିଲାଟି ବି ଖୁସି ହୋଇଗଲା । ଭାବିଲା ନୁଆ ଗରାଖଟିଏ ଆସିଗଲା । ସେ ତାର କଇଁଚି, ଖୁର ଟିକେ ସଜାଡିନେଇ ପଚାରିଲା ମଉସା, ବାଳ କାଟିବନା ଦାଢୀ ? ରମାନାଥ ଆଶ୍ଚର୍ଯ୍ୟ ହୋଇ ତାର ମୁହଁକୁ ଚାହିଁଲେ, ଭାବିଲେ ଇଏ ମୋତେ ମଉସା ଡାକୁଛି ? ସାର ନ'ଡାକି ମଉସା ? କମ ସାହାସତ ନୁହେଁ ଟୋକାର, ତା ଆଇନାରେ ମୁହଁ ଦେଖିବି ବୋଲି କଣ ଚାଲି ଆସିଲି ଯେ ମୋତେ ବାଳ ଦାଢୀ କାଟିବା କଥା ପଚାରିଲାଣି । ଆଜି ଯାଏ ସେ ଯେବେବି ବାଳଦାଢୀ କାଟିଛନ୍ତି ବଡବଡ ଏୟାରକଣ୍ଡିସନଡ ହେୟରଷ୍ଟାଇଲର, ହେୟର ଡ୍ରେସର ପାଖରେ କାଟିଛନ୍ତି । ଯାହାର ଫିଜ୍ ଥରକେ ପାଞ୍ଚ ହଜାରରୁ କମ୍ ନୁହେଁ । ନିଜ ଅସନ୍ତେଷକୁ ମନରେ ଲୁଚାଇରଖି କହିଲେ, ନାହିଁ, ନାହିଁ, ମୁହଁରେ କଣ କିଛି ଲାଗିଗଲାତ ସେଇଟା ଦେଖିବାକୁ ଆସିଛି । ପିଲାଟି ଟିକିଏ କଡକୁ ଘୁଞ୍ଚିଯାଇ କହଲା, ହଉ ଦେଖ । ରମାନାଥ ଦର୍ପଣ ଆଗରେ ଠିଆ ହୋଇଗଲେ, ମୁହଁ ଉଠାଇ ଦର୍ପଣକୁ ଦେଖିଲେ, ଚମକିପଡି ଦୁଇପାଦ ପଛକୁ ଘୁଞ୍ଚିଯାଇ ପଚାରିଲେ, ଇଏ କିଏ ?? କାହାକୁ ଦେଖୁଛନ୍ତି ସିଏ ? ପୁଣି ଥରେ ସାହସ କରି ଦର୍ପଣ ଆଡକୁ ମୁହଁ ଉଠାଇ ଅନେଇଲେ, କିନ୍ତୁ ଆଇନାରେ କାହାକୁ ଦେଖୁଛନ୍ତି ରମାନାଥ ? ନିଜର ସନ୍ଦେହ ଦୂରକରିବା ପାଇଁ ଗାଲରେ ହାତ ମାରିଲେ, ନାକରେ ହାତ ମାରିଲେ, ଦାନ୍ତ ଦେଖାଇ ହସିଲେ, ଶେଷରେ ଜିଭ ଦେଖେଇ ଖତେଇ ହେଲେ । ପୁଣି ନିଜକୁ ପଚାରିଲେ ତୁ ସିଏ ? ଯିଏ ଏଇ ଆଇନାରେ ଦେଖା ଯାଉଛି ? ସତରେ କଣ ମୁଁ ସିଏ ? ବିଶ୍ୱାସ ହୁଏନା, ମୁଁ ସିଏ, ଯିଏ ଏ ଆଇନାରେ ଦିଶୁଛି ??


ରମାନାଥ ମୁହଁ ବୁଲାଇ ଭଣ୍ଡାରୀ ପିଲାଟି ଆଡକୁ ଥରେ ଦେଖିଲେ । ସିଏବି ଚାହିଁଛି ତାଙ୍କୁ, ତା ଆଖିରେ ସତେ ଯେପରି ସନ୍ଦେହ ଆଉ କୌତୁହଳର ଫେଣ୍ଟାଫେଣ୍ଟି ଏକ ଭାବ ଭରି ରହିଛି । ସେ ଆଁଟା କରି ଅନାଇଛି ରମାନାଥଙ୍କୁ, ଯେମିତି ତା ସାମ୍ନାରେ ଗୋଟାଏ ବଦ୍ଧ ପାଗଳ ଠିଆ ହୋଇଛି । ରମାନାଥ ପିଲାଟିକୁ ପୁଣି ଦେଖିଲେ, ବିରକ୍ତଭରା ସ୍ୱରରେ କହିଲେ, ହେଃ, କଣ ଦେଖୁଚୁ ? ପିଲାଟି ଘାବରେଇ ଯାଇ କହିଲା, କିଛି ନାହିଁ ମଉସା, କିଛି ନାହିଁ । ତାପରେ କଥା ବଦଳେଇବାକୁ ପଚାରିବସିଲା, ମଉସା ବାଳ କାଟିବ ନା ଦାଢୀ ? ବାଳ କାଟିଲେ କୋଡିଏ ଟଙ୍କା, ଦାଢୀ କାଟିଲେ ଦଶଟଙ୍କା, ଦାଢୀ, ବାଳ ଉଭୟ କାଟିଲେ ପଚିଶ ଟଙ୍କା । ରମାନାଥଙ୍କର ଭୃକୁଞ୍ଚିତ ହୋଇଗଲା । ପିଲାଟି ଟିକିଏ ଡରିଯାଇ କହିଲା, ଆଜ୍ଞା ଗଲା ରବିବାର ଦିନଠାରୁ ରେଟ ବଢିଯାଇଛି । ହଉ ହଉ ବସ, ବାଳ ଦାଢୀ ଉଭୟ କାଟିଦେବି, କୋଡିଏ ଟଙ୍କା ଦେବ । ଖାସ୍ ଆପଣଙ୍କ ପାଇଁ ପୁରୁଣା ରେଟ ଲଗେଇ ଦେବି, କାହାକୁ କହିବେନି ଏକଥା । ରମାନାଥ ତାର କଥା ନଶୁଣିଲା ପରି ମୁହଁ ବୁଲେଇ ପୁଣି ଦର୍ପଣକୁ ଦେଖିଲେ, ନିଜକୁ ନିଜେ ଚିହ୍ନି ପାରୁ ନାହାଁନ୍ତି । ଭାବିଲେ ସୂର୍ଯ୍ୟକୁ ଖାଲି ମିଛଟାରେ ଏତେକଥା କହିଗଲେ । କୁଆଡେ ଗଲା ତାଙ୍କର ସେହି ସୌମ୍ୟ ସୁଦର୍ଶନ ମୁହଁଟା ? ଡଉଲ ଡାଉଲ ଅଣ୍ଡାକୃତି ମୁଖ, କୁଞ୍ଚକୁଞ୍ଚିଆ ଘନ କଳା କେଶ, ନାକ ତଳର ସେଇ ପତଳା ନିଶ, ଡେଲି ସେଭିଂ ଚିକ୍କଣ ଗାଲ, ହେଲେ ସାମ୍ନା ଦର୍ପଣରେ ଏଇ ଯେଉଁ ଲୋଳିତ ଚର୍ମ, ଧଳାକଳା ମିଶା କର୍କଶ ଦାଢି, ଅଧା ଚନ୍ଦା ମୁଣ୍ଡ, କପାଳରେ ଏ କୁଞ୍ଚିତ ରେଖା, କିଏ ଏଇ ବୃଦ୍ଧ ? ମୁଁ ? ମୁଁ ନିଜେ ? ମିଷ୍ଟର ରମାନାଥ ? ରମାନାଥ ଏମ୍ପାୟାରର ମାଲିକ, ବିଶ୍ୱର ହାତଗଣତି ଧନବାନମାନଙ୍କ ଭିତରେ ଜଣେ ?


ରମାନାଥ ହଠାତ୍ ପଛକୁ ବୁଲି ପଡି, ଏକ ମୁହାଁ ହୋଇ ଧାଇଁଲେ ସୂର୍ଯ୍ୟ ପାଖକୁ, କହିଲେ, ଏବେ ବୁଝିଲି, ତୁମେ କାହିଁକି ମୋତେ ସନ୍ଦେହଭରା ଦୃଷ୍ଟିରେ ଦେଖୁଥିଲ । କିନ୍ତୁ ଏସବୁ ହେଲା କେତେବେଳେ ?? ସୂର୍ଯ୍ୟ ହସିଲା, କହିଲା ସକାଳ ଆଉ ସଞ୍ଜ ଭିତରେ କେତେ ପାର୍ଥକ୍ୟ ସେକଥା କଣ ବୁଝିପାରୁନ ? ସକାଳ ସଞ୍ଜ ଭିତରେ କେତେ ଯେ ସମୟ ବିତିଯାଏ, ମଣିଷ ସତେ ଯେପରି ଭ୍ରମରେ ପଡିଥାଏ । ଆଖିରେ କଳା ଚଷମା ଲଗାଇନିଏ ଆଉ ଜୁଟିଯାଏ ଧାଆଁ ଦଉଡରେ । ସେଇ ଭ୍ରମରେ କିଛିବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ଶ୍ରେଷ୍ଠ ହେବାର ନିଶା, କିନ୍ତୁ କେବେ ନିଜ ଆତ୍ମାର ଶ୍ରେଷ୍ଟତା କଥା ଭାବେନି । ସମୟ ଚାଲି ଯାଉଛି, ସେକଥା ଭାବେନା । ସମୟକୁ ହାତ ମୁଠାରେ ବାନ୍ଧି ରଖିବାକୁ ବୃଥା ଚେଷ୍ଟାକରେ । ଯାହା ମିଳିଲା ସବୁ ଏକାଠି କରିବା ନିଶାରେ ପାଗଳ ହୋଇଯାଏ । ନିଜେ ଦେଖି ପାରେନା, ଆଙ୍ଗୁଳି ସନ୍ଧିରୁ ଝୁରୁ ଝୁରୁ ହୋଇ ଚୋରାବାଲି ସବୁ ଖସି ଯାଉଛି । ମୁଠାକୁ ଯେତେ ଯୋରରେ ବନ୍ଦ କରିବାକୁ ଚେଷ୍ଟାକରେ, ସେତେ ଯୋରରେ ବାଲି ଝରିଯାଏ । ଶେଷରେ ଯେବେ ହାତ ମୁଠା ଖୋଲି ଦେଖେ, ଦୁଇ ହାତ ଶୂନ୍ୟ, କିଛିନାହିଁ ହାତ ମୁଠାରେ ! ଯେତେବେଳେ ଆସିଥିଲା ହାତ ଯେମିତି ଖାଲି ଥିଲା, ଜୀବନର ଶେଷ ଦିନରେ ଠିକ୍ ସେମିତି ଦୁଇ ହାତ ଶୂନ୍ୟ ରହିଯିବ । ରମାନାଥ ସୂର୍ଯ୍ୟର ମୁହଁକୁ ବଲ ବଲ କରି ଚାହିଁ ରହିଥାଆନ୍ତି । ସୂର୍ଯ୍ୟଆଡୁ ମୁହଁ ଫରାଇ ନିଜ ଦୁଇ ହାତକୁ ଉଠାଇ ଦେଖିଲେ, ମୁଠା ଖୋଲିଦେଲେ । ଏ କଣ ? ହାତ ତ ଶୂନ୍ୟ, ସତରେ କିଛି ନାହିଁ ତାଙ୍କ ହାତରେ, କୁଆଡେ ଗଲା ସବୁ?


ରମାନାଥ ପୁଣି ଥରେ ସୂର୍ଯ୍ୟକୁ ଦେଖିଲେ । ସୂର୍ଯ୍ୟ ଟିକିଏ ହସିଲା, କହିଲା ଦେଖ ବେଳ ସରି ଆସିଲାଣି । ଏବେ ତ ଯିବାକୁ ହେବ । ମୋତେ ଦେଖ, ମୁଁ ଆସିଲା ବେଳେ ଯେମିତି ଦିଶୁଥିଲି ଏବେବି ସେମିତି ଦିଶୁଛିନା' ? ସକାଳେ ଯେମତି ହସୁଥିଲି, ଏବେବି ସେମିତି ହସୁଛି ନା' ! କିନ୍ତୁ ତୋର ସକାଳର ଚେହେରା ସିନା ଏବେ ନାହିଁ, ହେଲେ ତୋ ମୁଁହର ସେ ହସ କୁଆଡେ ଗଲା ? ଜଣେ ଆଶାବାନ ଉଦ୍ଯୋଗୀ ପୁରୁଷ ଥିଲୁ ତୁ, ସବୁବେଳେ ସବୁ କିଛି ଜିତି ଯିବାର ଲକ୍ଷ ନେଇ ଧାଉଁଥିଲୁ । କିନ୍ତୁ ହଠାତ୍ ତୋ ମୁଁହରେ ଏ ନିରାଶର ଭାବ କେଉଁଠୁ ଆସିଲା ? କେତେ କ୍ଳାନ୍ତ ଦେଖା ଯାଉଛୁ ତୁ ? ସକାଳେ ଯେମିତି କାନ୍ଦି କାନ୍ଦି ଆସିଥିଲୁ ଏବେବି କଣ ସେମିତି କାନ୍ଦି କାନ୍ଦି ଫେରିଯିବୁ । ଏବେ ତ ଟିକିଏ ହସି ଦେ, ଯେମିତି ମୁଁ ହସୁଛି ! ଯିବା ଆସିବା ତ ଲାଗି ରହିବ । କାଲି ମୁଁ ବି ଆସିବି, ତୁ ବି ଆସିବୁ । ଦୁଃଖ କାହିଁକି ? ଖାଲିହାତ ଦେଖି ଦୁଃଖ ଲାଗୁଛି ?? ଆରେ ଏଥିରେ ଦୁଃଖ କାହିଁକି ? ସିଏତ ସବୁ ସ୍ୱପ୍ନଥିଲା । ମାୟା ଥିଲା, ଦୃଷ୍ଟିଭ୍ରମ ଥିଲା । ଯାହା ଦେଖିଲୁ ତାହା ମାୟାଥିଲା, ଯାହା କରିଲୁ, ଦେଲୁ ନେଲୁ ପାଇଲୁ ସବୁ ମାୟା ଥିଲା । ନା ତୁ କାହାର ଥିଲୁ ନା କେହି ତୋର ଥିଲା । ଜୀବନଟାତ ଗୋଟାଏ ଜର୍ଣ୍ଣିଂ ଥିଲା । ଗାଡିରେ ବସିଲୁ, କେତେ ଯାତ୍ରୀ ଆସିଲେ ଗଲେ, କିଏ ପାଖରେ ବସିଲା, କିଏ ଭାଇ ଡାକିଲା କିଏ ବନ୍ଧୁ, କିଏ ସମ୍ପର୍କ ବଢେଇ ଦେଲା । କିନ୍ତୁ ଶେଷରେ ସମସ୍ତେ ନିଜ ନିଜର ଯାତ୍ରା ସମାପ୍ତ ପରେ ନିଜ ନିଜ ଷ୍ଟେସନରେ ଓହ୍ଲେଇ ଗଲେ, ଆଉ ଯିଏ ବାକି ରହିଗଲେ ସେମାନେ ବି ଦିନେ ଯିବେ । ଏବେ ଏଇଠି ଓହ୍ଲେଇ ପଡ, ତୋର ଯାତ୍ରା ଏଇଠି ଶେଷ । ମୁଁ ଯିବି, ତୁ ବି ଓହ୍ଲେଇ ପଡ ଏଇ ଷ୍ଟେସନରେ ।


ଓହ୍ଲାଇଲା ବେଳେ ଥରେ ତୋର ସହଯାତ୍ରୀମାନଙ୍କୁ ଦେଖିନେ । ଦେଖ୍, କେତେଜଣ ହାତ ହଲେଇ ଟା ଟା ବାୟ ବାୟ କରୁଛନ୍ତି । କେତେ ଜଣ ମନ ଦୁଃଖରେ କାନ୍ଦୁଛନ୍ତି, କିଏ ଦୁଃଖରେ ବିଭୋର ହୋଇ ଯାଉଛି, କିଏ ବାହୁନି ବାହୁନି କାନ୍ଦୁଛି । ତୁ ଓହ୍ଲେଇଗଲା ପରେ କେତେଜଣ ଖୁସିବି ହେବେ, ପାର୍ଟି ମନେଇବେ, ଆଉ କେତେ ଜଣ ହାତ ଦେଖେଇ ଖତେଇ ହେବେ । ଏମିତିବି କିଛି ଲୋକ ଥିବେ ଯେଉଁମାନଙ୍କୁ କିଛି ଫରକ ବି ପଡିବନି । ତୁ ଥିଲୁ କି ଗଲୁ ସେଥିରେ ତାଙ୍କର କିଛି ଯାଏ ଆସେନା । କିନ୍ତୁ ତୋର ଜାଣିବାକୁ ଇଚ୍ଛା ହେଉନି, ତୋର ଏଇ ଯାତ୍ରା ଏକ ସଫଳ ଯାତ୍ରା ଥିଲା କି ନାହିଁ ? ରମାନାଥ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ ସୂର୍ଯ୍ୟ ମୁହଁକୁ । ସୂର୍ଯ୍ୟ କହିଲା ତୁ ଓହ୍ଲେଇ ଗଲାପରେ ଲୋକେ ହିସାବ କରିବେ । କେତେ ଅର୍ଜନ କଲୁ ତାର ହିସାବ ନୁହେଁ, କେତେ ଖର୍ଚ୍ଚ କଲୁ ତାର ବି ନୁହେଁ, କେତେ ସଞ୍ଚିଲୁ ସେ କଥାରେ କାହାର କିଛି ଯାଏ ଆସେନା, ତୋ ସଞ୍ଚୟରୁ ଯାହା ମିଳିବ ସେସବୁ ତୋର ପତ୍ନୀ ପୁତ୍ର କନ୍ୟାଙ୍କୁ ମିଳିବ, ବରଂ ଦୁନିଆକୁ କେତେ ଦେଇକି ଗଲୁ, ତାହାର ହିସାବ କରିବ ଦୁନିଆ । କାହାକୁ ହସେଇବାକୁ, କାହାକୁ ଖୁସିକରିବାକୁ କାହାର ଦୁଃଖ ଦୂରକରିବାକୁ କଣ ଦେଇକି ଆସିଲୁ ତାର ହିସାବ କରିବେ । ଯେତେ ଅଧିକ ଯାତ୍ରୀ ବିନା ସ୍ୱାର୍ଥରେ ତୋର ଅନୁପସ୍ଥିତିକୁ ଅନୁଭବ କରିବେ ତୋର ଯାତ୍ରା ସେତେ ସଫଳ ବୋଲି ଜାଣିବୁ । ଚାଲ, ଏବେ ଯିବା, ସମସ୍ତଙ୍କୁ ଗୁଡବାୟ କହିଦେ । ଏତିକି କହି ସୂର୍ଯ୍ୟ ବୁଡିଗଲା ଆଉ ରମାନାଥ ସେଇଠି ଥକାମାରି ବସି ପଡିଲେ ।

××××

ହସପିଟାଲ ବେଡରେ ରମାନାଥଙ୍କ ନିର୍ଜୀବ ଶରୀରଟା ସେମିତି ପଡି ରହିଥାଏ, ସାଇଡରେ ରଖାହୋଇଥିବା ଲାଇଫ ସେଭିଙ୍ଗ ଉପକରଣ ଗୁଡିକ ସେମିତି ଶୁନସାନ । ମୁଣ୍ଡପାଖରେ ସ୍ତ୍ରୀ ସୁନନ୍ଦା ବସି ଲୁହ ଗଡାଉଛନ୍ତି, ପୁଅ ବିକ୍ରମ ବ୍ୟଗ୍ରତାର ସହିତ ଏପଟ ସେପଟ ହେଉଛି । ହସପିଟାଲରୁ ଡାକ୍ତରଙ୍କ ଠାରୁ ରମାନାଥଙ୍କ ଡେଥ ସାର୍ଟିଫେକଟ୍ ପାଇଁ ଅପେକ୍ଷା କରିଛି । ସେଇ ଡକୁମେଣ୍ଟଟା ବହୁତ ଜରୁରି ଆଉ ମୂଲ୍ୟବାନ । ସେଇ ଗୋଟାଏ ଡକୁମେଣ୍ଟ ବିକ୍ରମ ପାଇଁ 'ରମାନାଥ ଏମ୍ପାୟାର'ର ଏକମାତ୍ର ଉତ୍ତରାଧିକାରୀ, ସବୁ ମାଲିକାନା ସତ୍ୱର ଚାବିକାଠୀ ।


Rate this content
Log in

More oriya story from Binay Mohapatra

Similar oriya story from Abstract