ମଧ୍ୟରାତ୍ରର ରାଜଧାନୀ
ମଧ୍ୟରାତ୍ରର ରାଜଧାନୀ


ଟ୍ରେନ କଟକ ଷ୍ଟେସନ ଛାଡିଲା । ବେଶୀରେ ବେଶୀ ଅଧଘଣ୍ଟା ମଧ୍ୟରେ ଭୂବନେଶ୍ଵରରେ ପହଞ୍ଚିଯିବ । ଲିପା ଲଗେଜ ବ୍ୟାଗ ରେଡି କଲା ।ଝରକା ଦେଇ ବାହାରକୁ ଚାହିଁଲା । ସହରର ଆଲୋକକୁ ପଛରେ ପକାଇ ଟ୍ରେନ ଧିରେ ଧିରେ ଘନ ଅନ୍ଧକାରକୁ ଆବୋରି ଚାଲିଛି । ନଭେମ୍ବର ମାସର ଶୀତ ରାତି । ଅଳ୍ପ ସମୟ ପୂର୍ବରୁ ଅଦିନିଆ ବର୍ଷା ଅସରାଏ ହୋଇ ଛାଡି ଯାଇଛି । ଝରକା ଫାଙ୍କରୁ ସାମାନ୍ୟ କୋହଲା ପବନ ଦେହରେ ବାଜିଲା । ଲିପା ଜ୍ୟାକେଟ ଚେନର ଲକ୍ ଯଥାସମ୍ଭବ ଉପରକୁ ଟାଣି ଦେଇ ସିଧାହୋଇ ସିଟରେ ବସିଲା । ଲିପା , ଲିପ୍ସା ମହାନ୍ତି ବିଏ ଶେଷ ବର୍ଷର ଛାତ୍ରୀ । ପିତାମାତାଙ୍କର ଦ୍ଵିତୀୟ ଓ ଶେଷ ସନ୍ତାନ । ବଡ ଭଉଣୀ ନିଜ ଇଞ୍ଜିନିୟର ସ୍ଵାମୀଙ୍କ ସାଙ୍ଗରେ ବାଙ୍ଗାଲୋରରେ ରୁହନ୍ତି । ନିକଟରେ କନ୍ୟା ସନ୍ତାନଟିଏ ଜନ୍ମ ହୋଇଛି । ଭଉଣୀର କିଛିଟା ସେବା ଓ ସାହାଯ୍ୟର ଆବଶ୍ୟକତା ଥିବାରୁ ଲିପା ପ୍ରାୟ ଏକ ମାସ ବାଙ୍ଗାଲୋରରେ କଟାଇ ଘରକୁ ଫେରୁଛି । . . . . ଭୁବନେଶ୍ୱର ତିନି ନମ୍ବର ପ୍ଲାଟଫର୍ମରେ ଟ୍ରେନ ଅଟକିଲା । ସଂଧ୍ୟା ସାତଟାରେ ପହଞ୍ଚିବାକୁ ଥିବା ଟ୍ରେନ, ପ୍ରାୟ ପାଞ୍ଚ ଘଣ୍ଟା ଲେଟରେ ପହଞ୍ଚିଲା । କେତେବେଳେ ଲାଇନ କ୍ଲିୟର ନାହିଁ ତ କେତେବେଳେ ଇଞ୍ଜିନ ଚେଞ୍ଜ ହେବ । . . . . ମୋବାଇଲ ସ୍କ୍ରିନ ଉପରେ ଆଖି ବୁଲାଇଆଣି ଲଗେଜ ବ୍ୟାଗ ଧରି ଟ୍ରେନରୁ ଓହ୍ଲାଇଲା । ରାତି ବାରଟା ବାଜି ପନ୍ଦର ମିନିଟ । ପ୍ଲାଟଫର୍ମର ସାମାନ୍ୟ ଗହଳି ଆଡେଇ ଟ୍ରାକ ଓଭରବ୍ରିଜରେ ଚଢି ଏକ ନମ୍ବର ପ୍ଳାଟଫର୍ମର ମେନଗେଟକୁ ଆସିଲା । ପାଖରେ ଲାଗି ଲାଗି ଦୁଇ ତିନିଜଣ ଅଟୋରିକ୍ସା ଡ୍ରାଇଭର, ମାଡାମ ଅଟୋ ମାଡାମ ଅଟୋ ପଚାରି ପଚାରି ବିରକ୍ତ କରୁଥିଲେ । ଦୁଇଥର ନାହିଁ କରିସାରି ତାପରେ କିଛି ନଶୁଣିବାପରି ଭାବ ଦେଖାଇ ଗେଟ ପାର ହୋଇ ରୋଡ ଉପରକୁ ଆସିଲା । ଟ୍ରେନରେ ଆସିଥିବା କିଛି ସହଯାତ୍ରୀ ନିଜ ନିଜ ଘରକୁ ଯିବା ଲାଗି ତତ୍ପର । ଲିପା ଏବେ ଚିନ୍ତା କରୁଛି ନିଜ ଘରକୁ ଯିବାର ଯୋଜନା ସଂପର୍କରେ । ଏହି ସମୟରେ ଫୋନ ରିଂ ହେଲା । ବାପାଙ୍କର କଲ୍ । ରୁଗ୍ଣ ପିତାଙ୍କର ସ୍ଵରରେ ଝିଅର ନିରାପତ୍ତାକୁ ନେଇ ଉଦ୍ବେଗ । ତୁମେ ବ୍ୟସ୍ତ ହୁଅନି, ମୁଁ ଯେମିତି ହେଲେ ଘରେ ଭଲରେ ପହଞ୍ଚିଯିବି କହି ଲିପା କଲ୍ ଏଣ୍ଡ କଲା । ପୁଅ ନାହିଁ ବୋଲି ଲିପା ତା ହେତୁ ହେବା ଦିନଠାରୁ ବାପାକୁ କେବେ ବି ପୁଅର ଅଭାବ ଅନୁଭବ କରିବାକୁ ଦିଏନି । ବାପା, ମୁଁ ତୁମର ଝିଅ ନୁହେଁ ପୁଅ । ଦେଖିବ ରୁହ ,ମୁଁ ଗୋଟାଏ ପୁଅଠାରୁ ଅଧିକ କାମ କରି ଦେଖାଇ ପାରିବି ,ଇତ୍ୟାଦି କଥା କହି ଲିପା ତା ବାପାଙ୍କୁ ବୁଝାଉଥିବା ବେଳେ ବୋଉ କିନ୍ତୁ ଲୁଚାଇକରି ଆଖିରୁ ଲୁହ ପୋଛନ୍ତି । ଲିପା ଏକଥା ଜାଣିପାରି ବୋଉ ଉପରେ ଢେର ବିରକ୍ତ ହୁଏ । ଆଜିକାଲି ଝିଅମାନଙ୍କର ଦକ୍ଷତା ଓ ପାରଦର୍ଶିତା ଉପରେ ଗୁଡାଏ ବଖାଣେ । ସବୁ ଶୁଣିବାପରେ ବୋଉଙ୍କର ଗୋଟିଏ ଦୀର୍ଘନିଶ୍ଵାସପୂର୍ଣ୍ଣ ପ୍ରତିକ୍ରିୟା ସହ ପୂର୍ବରୁ ଅନେକଥର କଥିତ ତଥା ଘୋଷିତ ବାକ୍ୟଟିଏ କଣ୍ଠଥରାଇ ବାହାରିଆସେ," ସେ ଯାହା ବି ହେଲେ ତୁ ଗୋଟାଏ ଝିଅ । ଏକଥା ଏବେ ନିଜେ ନବୁଝିପାରି ଆମକୁ ସିନା ବୁଝଉଛୁ,କିନ୍ତୁ ବେଳ ଆସିବ ବୁଝିକୁ । ଝିଅଟେ କେବେବି ପୁଅ ସଙ୍ଗେ ସରି ହେବ ?" ଏହା ପରେ ଲିପା ନିଜ ମନକୁ ଦୃଢ କରିନେଇଛି । ପୁଅଙ୍କ ଜିନ୍ସ ପିନ୍ଧିବା,ପୁଅଙ୍କ ଭଳି ହେୟାର ଷ୍ଟାଇଲ କରିବାଠାରୁ ବାଇକ ଚଲାଇବା ପର୍ଯ୍ୟନ୍ତ , ସବୁଥିରେ ନିଜକୁ ପୁଅ ଭଳି ଗଢିବାରେ ,ନିର୍ଭିକ ଓ ସାହସୀ ହେବା ପାଇଁ , ଯଥାସାଧ୍ଯ ଚେଷ୍ଟା କରିଛି । କେବେ କେବେ ନୈପଥ୍ୟରୁ 'ଅଣ୍ଡିରାଚଣ୍ଡି 'ଭଳି ଶବ୍ଦଟିର ବିଶେଷଣଟିକୁ ମଧ୍ୟ ନିଜର କରିବାକୁ ପଡିଛି । . . . ମାଡାମ କୁଆଡେ ଯିବେ ? ଲିପାର ଭାବନାରେ ପୂର୍ଣ୍ଣଛେଦ ପକାଇ ଅଟୋଟିକୁ ପାଖରେ ଲଗାଇ ଡ୍ରାଇଭର ପଚାରୁଥିଲା ।" ଆଚାର୍ଯ୍ୟ ବିହାର ", ଲିପା ଉତ୍ତର ଦେଲା । ଡ୍ରାଇଭର ମୁଣ୍ଡ ହଲାଇ ମନା କରିଦେଇ ଗାଡି ନେଇ ଚାଲିଗଲା । ଲିପାର ଚିନ୍ତା ସାମାନ୍ୟ ବଢିଗଲା । କେମିତି ହେଲେ ବି ଆଚାର୍ଯ୍ଯ ବିହାରରେ ପହଞ୍ଚିଗଲେ ସେଠାରୁ ଘରକୁ ଚାଲି ଯାଇହେବ । ବାଟ ଏକ କିଲୋମିଟର ବା ସାମାନ୍ୟ ଅଧିକ ହେବ । ଆଖପାଖକୁ ଆଖି ଖେଳାଇଲା । ଓଲାର ଏକ କାର ଠିଆ ହୋଇଛି । ଦିପାଦ ସେଆଡକୁ ଆଗେଇଯାଇ ରହିଗଲା । ସୋସିଆଲ ମିଡ଼ିଆ ନିଉଜରୁ ନିକଟରେ ପଢ଼ିଥିବା ଖବର ମନେପଡିଗଲା । ଖବରଟି ଚଳନ୍ତା ଗାଡିରେ ଜଣେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ସଂକ୍ରାନ୍ତିୟ ଥିଲା । ଗାଡିଟି ଓଲା କିମ୍ଵା ଉବେରର ଥିଲା,ସେଇଟା ଭଲ ଭାବରେ ମନେ ପଡିଲାନି । ତେବେ ସେ ଯାହା ହେଉ, ଏଭଳି ଗାଡିରେ ଗଭୀର ରାତିରେ ଡ୍ରାଇଭର ସାଙ୍ଗରେ ଏକୁଟିଆ ଯିବା ନିରାପଦ ହେବ ନାହିଁ । ବରଂ ପାସେଞ୍ଜର ଥିବା କୌଣସି ଲାଇନ ଅଟୋ ମିଳିଗଲେ ଭଲ ହୁଅନ୍ତା । ଲିପା ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପଏଣ୍ଟଦିଗକୁ ଧିରେ ଧିରେ ଚାଲିଲା । ଟିକିଏ ଆଗରେ ଅଟୋଟିଏ ଷ୍ଟାର୍ଟ ଉପରେ ଅଛି । ଡ୍ରାଇଭର ହାତ ଠାରି ଡାକୁଛି । ପାଖକୁ ଯାଇ ଦେଖିଲା ତିନିଜଣ ଭିତରେ ବସିଛନ୍ତି । ପଚାରି ବୁଝିଲା ଅଟୋ ବାଣିବିହାର ଯିବ ।" ଭାଇ, ମୋତେ ଟିକିଏ ଆଚାର୍ଯ୍ୟ ବିହାରରେ ଛାଡ଼ି ଦିଅନ୍ତନି ;"ଲିପାର ଅନୁରୋଧରେ ଡ୍ରାଇଭର କିଛି ଦ୍ଭାବିସାରି କହିଲା , ହଉ ବସନ୍ତୁ । ପଛ ସିଟରୁ ଜଣେ ଆଗକୁ ଯାଇ ଲିପା ପାଇଁ ସିଟ ଛାଡି ଦେଲା । ଲିପା ସାମାନ୍ୟ ଆଶ୍ୱସ୍ତିରେ ଜଂଘ ଉପରେ ବ୍ୟାଗ ରଖି ସିଟରେ ବସିଲା । ଗାଡି ଗଡିବାମାତ୍ରେ ଗୋଟାଏ ଦୁର୍ଗନ୍ଧ ନାକରେ ବାଜିଲା । ବୁଝିବାକୁ ବିଳମ୍ବ ହେଲାନାହିଁ , ଡ୍ରାଇଭର ମଦ ପିଇଦେଇଛି । ମଝିସିଟରେ ବସିଥିବା ସହଯାତ୍ରୀ ଜଣକ ଗୋଟିଏ ଧ୍ୟାନରେ ଆଗକୁ ଚାହିଁଛି । ବେଳେବେଳେ ଅଟୋ ଝୁଙ୍କିବା ସଙ୍ଗେ ତାଳ ଦେଇ ଲିପା ଉପରକୁ ଆଉଜି ପଡୁଛି । ଆଉଜିପଡ଼ିବାର ଚାପଟା ଅଟୋର ଝୁଙ୍କିବା ତାଳଠାରୁ ଅଧିକ ବୋଲି ବୁଝି ହେଉଛି । ଲିପା ଲୋକଟିକୁ କଣେଇ ଚାହିଁଲା ।ବୟସ ପଚାଶ ପରେ ହେବ । ନାରୀ ଶରୀର ପ୍ରତି ମୋହ ତୁଟୁନି । ନିକିଏ ସ୍ପର୍ଶ ପାଇଁ ବ୍ୟାକୁଳତା ଓ ସେଥିପାଇଁ କୌଣସି ଏକ ବାହାନାକୁ ଅପେକ୍ଷା । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ସମ୍ମାନହାନୀ ବା ଅଭିସଂପାତ ମୁଣ୍ଡାଇବାକୁ ତୟାର । ଲିପା ସଜାଡିହୋଇ ବସିବାକୁ ଚେଷ୍ଟାକଲା । ଏ ଚେଷ୍ଟାର ଉଦ୍ଦେଶ୍ୟ ହେଉଛି , ଲୋକଟି ଜାଣୁ କି ତାର କାର୍ଯ୍ୟକଳାପର ଉଦ୍ଦେଶ୍ୟ ଜଣା ପଡୁଛି । ତଥାପି ଅବସ୍ଥାରେ କିଛି ସୁଧାର ଆସିଲା ନାହିଁ । ବରଂ ଲୋକଟିର ବାମ ହାତଟି ଲିପା ଶରୀର ସାଙ୍ଗରେ ଅଧିକ ଘନିଷ୍ଠ ହେବା ଲାଗି ଅଧିକ ଚେଷ୍ଟିତ ଥିଲା । ଲୋକଟିର ମୁହଁକୁ ଗୋଟିଏ ଥାପଡ଼ ମାରିବାକୁ ଇଚ୍ଛା ହେଉଥିଲା । ଦିନ ହୋଇଥିଲେ ହୁଏତ ଏ ଇଚ୍ଛାଟି ପୂର୍ଣ୍ଣ ହୋଇଥାନ୍ତା । ବାଣୀବିହାର ପାଖ ହୋଇ ଆସୁଥିଲା । ଅଳ୍ପ ସମୟ ନିରବ ହୋଇ ବସିରହିବାକୁ ଲିପା ଶ୍ରେୟ ମଣିଲା । . . . . . ଓଭରବ୍ରିଜ ପାଖରେ ଅଟୋ ଠିଆ ହେଲା । ସମସ୍ତେ ନିଜ ନିଜ ଭଡା ଦେଇସାରି ଓହ୍ଲାଇ ଗଲେ । "ମାଡ଼ାମ ବସନ୍ତୁ , ଆଉ କୋଡ଼ିଏ ଟଙ୍କା ଅଧିକ ଦେବେ । ଲିପା ଅଟୋରେ ବସିବା ପାଇଁ ଥତମତ ହେଉଥିଲା । ଜୀବନରେ ପ୍ରଥମଥର ପାଇଁ ଲିପା ନିଜକୁ ଏତେ ଅସହାୟ ମନେକରୁଥିଲା । ବୋଉଙ୍କର ଲୁଚାଇ ଲୁଚାଇ ଲୁହ ପୋଛିବା ଅବସରରେ ବାରମ୍ଵାର କହିଥିବା ଘୋଷା ପଦଟି ମନେ ପଡିଗଲା ,"ଯାହା ବି ହେଲେ ତୁ ଝିଅ ପିଲାଟା ।" ସେ ଯେ ବାସ୍ତବରେ ଗୋଟିଏ ଝିଅ , ଆଜି ଏକଥା ସେ ମର୍ମେ ମର୍ମେ ଅନୁଭବ କରୁଥିଲା । ନିଜକୁ ଗୋଟିଏ ପୁଅଠାରୁ କେବେ କମ ମନେକରୁନଥିବା ଲିପାର କାନ୍ଦିବାକୁ ଇଚ୍ଛା ହେଉଥିଲା ।ଲିପାର ଏ ଇତଃସ୍ତତ ମନୋଭାବ ଡ୍ରାଇଭର ବୁଝି ପାରୁଥିଲା ।"ଦେଖନ୍ତୁ ମାଡାମ , ଆପଣ ମୋ ସାନ ଭଉଣୀ ଭଳି । ଡରନ୍ତୁନି, ଗାଡିରେ ବସନ୍ତୁ । ରାତି ଅଧିକ ହେଉଛି ,ବର୍ଷା ବି ହୋଇଯାଇପାରେ ।" ଭଉଣୀ"?ଲିପା ଡ୍ରାଇଭରର ସମ୍ବୋଧନ ଶବ୍ଦଟି ଉପରେ ଭାବୁଥିଲା । ଟିକିଏ ପୂର୍ବରୁ ନିଜ ପିତା ବୟସର ବ୍ୟକ୍ତିଟିଠାରୁ ପାଇଥିବା ବ୍ୟବହାର ମନେ ପଡ଼ୁଥିଲା । ଡ୍ରାଇଭରର ଏ କଥା ଉପରେ ଭରସା ଆସୁନଥିଲା ।"ଦେଖ ଭଉଣୀ , ସମସ୍ତେ ସମାନ ନୁହଁନ୍ତି ;" ଡ୍ରାଇଭର ବୁଝାଉଥିଲା , ଏ ଗାଡି ମୋର ଓ ମୋ ପରିବାରର ପେଟ ପୋଷୁଛି । ପେଟପାଟଣା କଥାରେ ଆମେ ବଦମାସୀ କଲେ ଧର୍ମ ସହିବ ? ମୋର ଛୋଟ ଛୋଟ ପୁଅ ଝିଅ ଦୁଇଟି । ସେମାନେ କୁଆଡେ ଯିବେ ? ..ଲିପା ସାମାନ୍ୟ ଆତ୍ମବିଶ୍ୱାସ ଫେରି ପାଇଲା । ତଥାପି ଡ୍ରାଇଭର ଉପରେ ଭରସା ପାଉ ନଥିଲା । ଡ୍ରାଇଭର ବ୍ୟସ୍ତ ହେଉଥିଲା ।"ଆପଣଙ୍କୁ ଏଠାରେ ଏକୁଟିଆ ଛାଡି ଯିବାକୁ ମୋ ବିବେକ କହୁନାହିଁ । ଆପଣ ମୋବାଇଲରେ ମୋର ଓ ମୋ ଗାଡି ନମ୍ବର ଫଟୋ ଉଠାଇ କାହାରିକୁ ବି ପଠାଇଦିଅନ୍ତୁ । କିନ୍ତୁ ଜଲଦି ବସନ୍ତୁ । ଯଦି ପିସିଆର ଆସିବ ,ତା ହେଲେ ସମସ୍ତେ ରାତିକ ପାଇଁ ଭିତରକୁ ଯିବା "। ଲିପା ପରିସ୍ଥିତିର ଗମ୍ଭୀରତା ବୁଝି ଗାଡିରେ ବସିଲା । ଗାଡି ଆଗକୁ ଗଡିଲା । ଆଚାର୍ଯ୍ୟବିହାର ଟ୍ରାଫିକ ପଏଣ୍ଟରେ ଗାଡି ଠିଆ ହେଲା । ଲିପା ଓହ୍ଲାଇବା ଭିତରେ ଡ୍ରାଇଭର ପଚାରିଲା ,"ଏଠାରୁ ଘର କେତେ ବାଟ ? "ଦେଢ କିଲୋମିଟର ।" ଲିପା ଗାଡିରୁ ବ୍ୟାଗ ଟାଣି ବାହାର କରୁ କରୁ କହିଲା ।' ଏଠାରୁ କେମିତି ଯିବେ ?'. . .' ଚାଲିକରି ଯିବି ।' 'ରୁହନ୍ତୁ ! ବ୍ୟାଗ ଥାଉ ; ମୁଁ ଆପଣଙ୍କୁ ଘରେ ଛାଡି ଦେବି । ଅଧିକ ଭଡାର ଆବଶ୍ୟକତା ନାହିଁ ।" ଲିପା 'ନାଇଁ ଥାଉ' କହିବା ଭିତରେ କେତେବେଳେ ଯାଇ ସିଟ ଉପରେ ବସି ପଡ଼ିଛି , ଖିଆଲ ନାହିଁ । ଘରର ଗେଟ ପାଖରେ ଗାଡି ରହିଲା । ବୋଉ ଗ୍ରୀଲକୁ ଧରି ଠିଆ ହୋଇଛନ୍ତି । ଗେଟ ଖୋଲି ବାହାରକୁ ଆସି ଲିପାକୁ ଆଲିଙ୍ଗନ କଲେ । କାନ୍ଦୁରା ମୁହଁ । ଆଖିରେ ପୁନର୍ବାର ଅଶ୍ରୁର ବନ୍ୟା । ଲିପା ବୋଉ ହାତକୁ ବ୍ୟାଗ ବଢାଇସାରି ଡ୍ରାଇଭର ପାଖକୁ ଗଲା ।ଦୁଇ ଶହ ଟଙ୍କାର ଗୋଟିଏ ନୋଟ ଖଣ୍ଡିଏ ବଢାଇଲା ।'ଭଉଣୀ ବୋଲି ମାନିଲା ପରେ ଆଉ ପଇସା କଣ ? "ଏତକ କହିସାରି ଡ୍ରାଇଭର ଗାଡି ବୁଲାଇଲା ।' ମୋର ଭାଇ ନାହିଁ ,ତୁମ ପରି ଭାଇଟିଏ ପାଇ ମୁଁ ଖୁବ୍ ଖୁସି । ତୁମେ ଜାଣିନ ଆଜି ତୁମେ କଣ କରିଛ : ଗୋଟିଏ ଅସହାୟ ଝିିଅର ବିଶ୍ୱାସ ଜିତିଛ । ଏତିକି ମୋ ପାଇଁ ମୋ ଭାଇର ଶ୍ରେଷ୍ଠ ଉପହାର ।' ଲିପା କୋହଭରା କଣ୍ଠରେ କହୁଥିଲା । ସାମାନ୍ୟ ନିରବ ରହି ମୁହଁରେ ହସ ଫୁଟାଇ କହିଲା ,' ପଇସା ନନେଲେ ମୋ ଝିଆରୀ ପୁତୁରା ଖାଇବେ କଣ ? ପେଟ ପାଟଣା କଥା ।"ଡ୍ରାଇଭର ମୃଦୁ ହସି ଲିପା ମୁଣ୍ଡକୁ ଟିକିଏ ଆଉଁସିଦେଇ ପକେଟରେ ପଇସା ରଖି ଗାଡି ଷ୍ଟାର୍ଟ କଲା । "ମୋ ନାମ ପୁନିଆ, ମାନେ ପୂର୍ଣ୍ଣଚନ୍ଦ୍ର ସାହୁ । ମୋବାଇଲ ନମ୍ବର ରଖନ୍ତୁ । ଅବଶ୍ୟକ ହେଲେ ଡାକିବେ ।". . . . ଗାଡି ଧିରେ ଧିରେ ଆଖି ଆଗରୁ ଅଦୃଶ୍ୟ ହୋଇଗଲା ।-- . . . . ଗୋଟିଏ ନାରୀ କାହିଁକି ବେଳେବେଳେ ନିଜକୁ ସୁରକ୍ଷିତ ମନେ କରିପାରୁନି ?ଏଭଳି ବ୍ୟାକୁଳ ମାନସିକତା ନେଇ ନାରୀ ଯେଉଁ ସମାଜରେ ବଞ୍ଚିରହିଛି , ସେ ସମାଜର କେଉଁ ପ୍ରକାର ଉନ୍ନତି ସାଧନ ହେବ ? ଯେଉଁପର୍ଯ୍ୟନ୍ତ ନାରୀ ପ୍ରତି ଆମ୍ଭମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନ ଆସିଛି ସେପର୍ଯ୍ୟନ୍ତ ନାରୀ ଏହି ଭଳି ଅତ୍ୟାଚାରର ଶିକାର ହେଉଥିବ ,ଆଇନ ବା ଦଣ୍ଡ ଅଧିକ ଶକ୍ତ ବା କଠୋର ହେଉଥିବା ସତ୍ତ୍ଵେ ମଧ୍ୟ । ଅବଶୋଷର କଥା ହେଉଛି , ଏ ସମାଜରେ ପୁନିଆଙ୍କ ସଂଖ୍ୟା ଅତି ନଗଣ୍ୟ ।