STORYMIRROR

Truptimayee Behera

Children

3  

Truptimayee Behera

Children

ମଧ୍ୟାହ୍ନଭୋଜନ

ମଧ୍ୟାହ୍ନଭୋଜନ

2 mins
330


     ମଧ୍ୟାହ୍ନଭୋଜନ ତ ଏବେ ସବୁ ସରକାରୀ ସ୍କୁଲ୍ ରେ ମିଳୁଛି। ଗରିବ ପିଲା ମାନଙ୍କର ପାଠ ପଢା଼ରେ ଅସୁବିଧା ନ ହବ ବୋଲି ସରକାର ବହୁତ କିଛି ଯୋଜନା ବି ଏବେ କରୁଛନ୍ତି। ସେମାନଙ୍କୁ ସ୍କୁଲ୍ ୟୁନିଫର୍ମ୍ ଠୁ ନେଇକି ବହିପତ୍ର ବି ସବୁ ଯୋଗାଇ ଦଉଛନ୍ତି ସରକାର। ମୋର କିନ୍ତୁ ଆଜି ମନେପଡି଼ ଯାଉଛି ମୋର ସ୍କୁଲ୍ ବେଳର କଥା।


           ପ୍ରାୟ 23 ବର୍ଷ ତଳର କଥା। ମୁଁ ଯେତେବେଳେ ଆମ ଘର ପାଖ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢୁଥିଲି ସେଠି ମଧ୍ୟାହ୍ନଭୋଜନ ମିଳୁ ନଥିଲା, ଆମ ଘର ଯେହେତୁ ସ୍କୁଲ୍ ପାଖରେ ଥିଲା ଆମେ ରିସେସ୍ ରେ ଘରକୁ ପଳେଇ ଆସୁଥିଲୁ ଆଉ ଘରେ ଖାଇକି ପୁଣି ଦୌଡି଼କି ସ୍କୁଲ୍ ରେ ପହଞ୍ଚିଯାଉଥିଲୁ। ପଞ୍ଚମ ଶ୍ରେଣୀ ସରିଲା ପରେ ମୋର ଆଡ୍ମିସନ୍ ହେଲା ଘରଠୁ 1.5 କିଲୋ ମିଟର୍ ଦୂରରେ ଥିବା ପଣ୍ଡିତ ରଘୁନାଥ ସ୍କୁଲ୍ ରେ। ମୁଁ ସେଇ ସ୍କୁଲ୍ ରେ ଦୁଇ ବର୍ଷ ପଢି଼ଛି। ମୁଁ ଷଷ୍ଠ ଓ ସପ୍ତମ ଶ୍ରେଣୀ ସେଇ ସ୍କୁଲ୍ ରେ ପଢି଼ଛି। 1997 ମସିହା ସେତେବେଳେ, ପଣ୍ଡିତ ରଘୁନାଥ ସ୍କୁଲ୍ ରେ ମଧ୍ୟାହ୍ନଭୋଜନ ମିଳୁଥିଲା। ସ୍କୁଲ୍ ତ ଘରଠୁ ଦୂର ସେଥିପାଇଁ ରିସେସ୍ ବା ଖାଇବା ଛୁଟି ସମୟରେ ଆଉ ଘର କୁ ତ ଯାଇ ପାରେନି। ସ୍କୁଲ୍ ରେ ରିସେସ୍ ରେ ଲାଇନ୍ ଲଗେଇକି ମଧ୍ୟାହ୍ନଭୋଜନ ଖାଇବାକୁ ଯାଉ। ବେଳେବେଳେ ମୋର  ଯୋଉ ସାଙ୍ଗମାନଙ୍କ ଘର ସ୍କୁଲ୍ ପାଖ ରେ ଥିଲା ସେମାନେ ସ୍କୁଲ୍ ରେ ମଧ୍ୟାହ୍ନଭୋଜନ ଖାଇବାକୁ ଚାହାନ୍ତିନି। ସେମାନେ ସାରଙ୍କୁ ଲୁଚିକି ଘରକୁ ପଳାନ୍ତି ଖାଇବାକୁ। ମୁଁ ବି ମୋ ସାଙ୍ଗ ଦେବଦିପ୍ତା ସହ ତା ଘରକୁ ପଳାଏ। ତା ସହ ତା ଘରେ ଖାଇକି ପୁଣି ସ୍କୁଲ୍ କୁ ପଳେଇ ଆସେ। ସବୁଦିନ ତ ଯାଇ ପାରୁନା, ସାର୍ ଆମକୁ ଧରି ଦିଅନ୍ତି। ଯୋଉଦିନ ସାର୍ ଙ୍କ ହାତରେ ଧରା ପଡୁ ସେଇଦିନ ମଧ୍ୟାହ୍ନଭୋଜନ ଖାଇନୁ ବୋଲି, ଗାଳି ବି ଶୁଣିବାକୁ ପଡେ ସାରଙ୍କଠୁ।


             ଯେତେବେଳେ ସ୍କୁଲ୍ ରେ ରିସେସ୍ ବେଲ୍ ବାଜେ ବାଙ୍କନିଧି ସାର ପିଲାଙ୍କୁ ଡାକିକି ଲାଇନ୍ କରି ମଧ୍ୟାହ୍ନଭୋଜନ ଖାଇବା ପାଇଁ ବସେଇଦିଅନ୍ତି। ସାର୍ ଆମ ଶ୍ରେଣୀ ଗୃହକୁ ବି ଆସନ୍ତି ଦେଖିବାକୁ ଆମେ ମଧ୍ୟାହ୍ନଭୋଜନ ଖାଇବାକୁ ଗଲୁଣି କି ନାଇଁ । ଆମେ ସାର୍ ଙ୍କ ଆସିବା ଡରରେ ଲୁଚି ଯାଉ। ଆମ ଶ୍ରେଣୀଗୃହ ର ପଛପଟେ ଛୋଟ ପାଚେରି ଥିଲା, ଆମେ ସବୁ ସାଙ୍ଗମାନେ ସେ ପାଚେରି ଡେଇଁ ତା ପଛରେ ଲୁଚି ଯାଉ ସାର୍ ଖୋଜିକି ଗଲାପରେ ବାହାରିକି ଆସୁ। କାହାକୁ ଇଛ୍ଛା ହୁଏନି ମଧ୍ୟାହ୍ନଭୋଜନ ଖାଇବାକୁ, ସେଥିପାଇଁ ଲୁଚୁ। ଆଉ ବେଳେବେଳେ ସାର୍ ଙ୍କ ନଜର ରୁ ଖସିକି ଯାଇ ପାରୁନା। ସାର୍ ଆମକୁ ଲାଇନ୍ କରେଇକି ନେଇକି ବସେଇ ଦିଅନ୍ତି, ଶ୍ରେଣୀଗୃହ  ବାହାରେ ଥିବା ବାରଣ୍ଡାରେ। ଯୋଉ ମାଉସୀ ଆମ ପାଇଁ ରୋଷେଇ କରନ୍ତି ସେ ଆମକୁ ଖଲି ପତ୍ର ଦିଅନ୍ତି, ତା ପରେ ଆମକୁ ଭାତ ଆଉ ଡାଲମା ବାଢି ଦିଅନ୍ତି। ଖାଲି ଭାତ ଓ ଡାଲମା ମୁଁ ଖାଇ ପାରେନି , ସେ ମାଉସୀଙ୍କୁ ଡାଲମାରୁ ଆଳୁ ବାଛିକି ଦବାକୁ କୁହେ। ସେଇ ଡାଲମାର ଆଳୁ ନିଏ, ସାଇଡରେ ଲୁଣ ଦିଆ ହେଇଥାଏ, ଡାଲିରେ ବଘରା ହେଇଥିବା ଶୁଖିଲା ଲଙ୍କାକୁ ମିଶେଇକି ମୁଁ ଆଳୁ ଚକଟା କରିଦିଏ। ଭାତ, ଡାଲମା ଓ ଆଳୁ ଚକଟା ଖାଇଦିଏ। ଆଉ ଖରା ଦିନ ହେଲେ ମଧ୍ୟାହ୍ନଭୋଜନରେ ଗୋଟେ ଆଇଟମ୍  ଏକ୍ସଟ୍ରା ମିଳେ, ସେଟା ହଉଛି ଆମ୍ବ ଖଟା। ଆମ ସ୍କୁଲ୍ ପରିସର ଭିତରେ ବହୁତ ଗୁଡେ ଆମ୍ବଗଛ ଥିଲା। ଖରାଦିନେ ସେଇ ଗଛର ଆମ୍ବରୁ ତିଆରି ହୁଏ ଆମ୍ବ ଖଟା। ସେତେବେଳେ ଆଉ ମଧ୍ୟାହ୍ନଭୋଜନ ଖାଇବା ପାଇଁ ମୁଁ ଲୁଚେନି। ବର୍ଷସାରା ଅପେକ୍ଷା କରେ ସେଇ ଖରା ଦିନର ମଧ୍ୟାହ୍ନଭୋଜନକୁ। ପ୍ରତିବର୍ଷ ଏଇ ଗ୍ରୀଷ୍ମଋତୁ ଆସିଲାମାନେ ମୋର ମନେ ପଡିଯାଏ ଆମ ସ୍କୁଲ ଗଛର ଆମ୍ବରୁ ତିଆରି ଆମ୍ବ ଖଟା ବିଷୟରେ। ସତରେ ବହୁତ ସୁଆଦିଆ ଲାଗେ। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children