Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Panchanan Jena

Inspirational

4.8  

Panchanan Jena

Inspirational

ମଧୁର ମିଥ୍ୟା

ମଧୁର ମିଥ୍ୟା

5 mins
582


          ଝିଅ ଜୟନ୍ତୀ ପୂରାପୂରି ଦୁଇ ବର୍ଷ ପରେ ବାପ ଘରକୁ ଆସିଥିଲା ।ବାହାଘର ପରେ ପରେ ଶାଶୁଘରେ ଗୋଟିଏ ପରେ ଗୋଟିଏ ଘଟଣା –ଅଘଟଣା ସୁବିଧା –ଅସୁବିଧା ଏମିତି ଲାଗିରହିଲା ଯେ ପିମ୍ପୁଡି ସୂରା ଭଳିଆ ନ କହିଲେ ଭଲ ।


              କିନ୍ତୁ ଘରେ ପାଦ ନ ଦେଉଣୁ ସ୍ନେହମୟୀ ମମତାମୟୀ ମା’ ଉଷା ଦେବୀଙ୍କୁ ଲୋଟଣି ପାରା ଭଳିଆ ବ୍ୟସ୍ତ ବିବ୍ରତ ସବୁବେଳେ ହେବାର ଦେଖି ଝିଅ ଜୟନ୍ତୀ ଏକେବାର ଅବାକ-ହତବାକ । ମା’ କ’ଣ ଟେନ୍ସନିଆ ରହୁଛି । ଖାଲି ଘର ବାହାର ହେଉଛି । କିଛି ବୁଝି ପାରୁ ନଥିଲା । କିଛି କୂଳ କିନାରା ପାଉ ନଥିଲା ।


 ମନରେ ଥିବା ଆଶା କି ବହେ ଶୋଇବି ମା’ କୋଳରେ ,ମେଞ୍ଚେ ହାତ ରନ୍ଧା ଖାଇବି ତା’ ସାଥିରେ,କଠେ ଗପିବି ଶାଶୁଘର ବଡ ଗୁମର କଥା ପାଖରେ ଶୋଇକରି ,କିଛି ସିନେମା ଦେଖିନେବି ଏକା ଏକା –ଇତ୍ୟାଦି ଇତ୍ୟାଦି ସବୁ ଗାୟବ ।


      କ’ଣ ଚାଲିଛି ? ଧୀରେ ଧୀରେ ସବୁ ଦେଖିଲା । ମା’ ବହୁତ ମନ-ଧ୍ୟାନ ଦେଇ ଖବର କାଗଜ ଉପରେ ଦ୍ଵିପହର ପାଇଁ ତିଆରି ଖାଦ୍ୟ ସବୁକୁ ଭଲ ଭାବରେ ସଜଉଥିଲା ।ଉଷୁନା ଭାତ-ବାଡି ମୁଗ ଡାଲି-ଲେଉଟିଆ ଶାଗଭଜା-ପୋଟଳ ଆଳୁ କଷା –ଛୁନାମାଛ ଭଜା –ବାଲିଆ ମାଛ ଝୋଳ-ଆମ୍ବ ଆଚାର ଖଣ୍ଡେ –ପିଆଜ ଟୁକୁଡ଼େ ସହିତ କଞ୍ଚା ଲଙ୍କା ଗୋଟେ । ଲୁଣ ଡବା ସହିତ ଗ୍ଲାସେ ପାଣି ପାଖରେ । ହଠାତ ମୋବାଇଲରେ ଫୋଟୋ ଉଠେଇଲା ---କ୍ଲିକ –କ୍ଲିକ-- ୱ୍ହାତ୍ସଆପ ରେ ମ୍ୟାସେଜ ବି ପଠେଇଦେଲା ।


ଝିଅ ଜୟନ୍ତୀ ଦିନେ ଦୁଇ ଦିନ ଏମିତି ମା’ର ପାଗଳ ପଣ ଦେଖି ଆଉ ରହି ପାରିଲା ନାହିଁ । ମନରେ ଉଠୁଥିବା କିଂଭୂତ କିମ୍ଭାକାର ପ୍ରଶ୍ନଜାଲରେ ନିଜକୁ ଆୟତ୍ତରେ ବାନ୍ଧି ରଖିବା ସମ୍ଭବ ହେଉ ନ ଥିଲା । ମା’ର ଏ ଅଜବ ସଉକ ଏ ବୟସରେ ଦେଖି କ’ଣ ବା କରନ୍ତା ? ପ୍ରାଣ ଠାରୁ ଅଧିକା ଭଲ ପାଉଥିବା ମା’ କୁ ପଛପଟୁ କୁଣ୍ଢେଇ ପକେଇ କହିଲା ---


“ସାବାସ ମା’ ! ଯାହା ନ ହେଲା ବାଲ୍ୟକାଳେ ତାହା ତୁ କଲୁ ପାଚିଲା ବାଳେ । ବହୁତ ଖୁସି ଲାଗିଲା ମା’ ।


 ତୁ ଏ ଭିତରେ ପୂରା ଟେକ୍ନୋ ସେଭି ହୋଇଯାଇଛୁ । ଯିଏ ଦିନେ ନୋକିଆ ଛୋଟିଆ ଫୋନରୁ କଲ ଡାଏଲ କରିପାରୁନଥିଲା ସେ ଆଜି ସାମସଙ୍ଗ ଯେ-ସିରିଜ ଲେଟେଷ୍ଟ ମଡେଲର ଆଣ୍ଡ୍ରାଏଡ ଫୋନରେ ୱ୍ହାତ୍ସଆପ ଫେସବୁକ ଇତ୍ୟାଦି କରୁଛି । ଫାଣ୍ଟାଷ୍ଟିକ ---ସୁପର –ଡୁପର –ମା’ ।


ଯୁଗ ସହିତ ତାଳ ଦେଇ ଚାଲିପାରିଛୁ । ତୋ ଫ୍ରେଣ୍ଡ ସର୍କଲରେ ୱ୍ହାତ୍ସଆପ ଗ୍ରୁପରେ ଆଜିର କୁଳିନାରୀ ମେନୁ ସେୟାର କରୁଛୁ ବୋଧେ ।ସାଧୁ ସାଧୁ ---- ।


“ଛେନା ଗୁଡ !କେତେ ହଇରାଣ ହେଉଛି ଦିଶୁନି ? ଧଇଁସଇଁ ହେଇ ଯାଇଛି । ବାତ ପେଳୁଛି । ହାଇଁ ପାଇଁ ହେଉଛି । ତା’କୁ ଦିଶୁନି ।କହିଲା କ’ଣ ନା’ ସୁପର –ଡୁପର---ତୋ ମୋଟି ଶାଶୁ ---ତୋ ଭୁର୍କୁଣ୍ଡିଆ ଶ୍ଵଶୁର ।---“-ଖେନ୍ତେଇ ହେଇ ଓଷା ଦେବୀ ଲଥ କରି ସୋଫାରେ ବସୁ ବସୁ ଉତ୍ତର ଦେଲେ ।


ପାଣି ଗିଲାସେ ଢକ ଢକ ପିଇ ଦେଲେ । ପୁଣି କହିଚାଲିଲେ ଯେଉଁଠି ଛାଡିଥିଲେ ---“ କ’ଣ କହୁଛୁ ଟେକ୍ନୋସେବୀ ମୁଁ ନା ଫେକ୍ନୋସେବୀ ମୁଁ ? ମୁଁ ସେ ସବୁର ଧାର-ଉଧାର ଧରେନି ।”


ଖାଲି ପୁଅ ସୁମୁ( ସୌମ୍ୟ ) ପାଇଁ ନା ! ସେ କହୁଥିଲା ଭୁବନେଶ୍ଵରରେ ଯେଉଁ ଆକାଶ କୋଚିଙ୍ଗ ଡାକ୍ତରୀ ହଷ୍ଟେଲରେ ଖାଇବା କୁଆଡେ ତାକୁ ରୁଚୂନି –କଣ୍ଠା ତଳକୁ ଗଳୁନି –ବାନ୍ତି ବାନ୍ତି ଲାଗୁଛି । ଏକେବାରେ ବେକାର ଖାଇବା । ସେହି ପାଣିଆ ଡାଲି ସହିତ ଚିରାଚରିତ ଆଳୁ-କୋବି ଆଳୁ-ସୋୟାବିନ ଆଳୁ-ପକୋଡି ଆଳୁ-ପୋଟଳ ଇତ୍ୟାଦି ଖାଇବାକୁ ମନ କରୁନି  ।ଆଇଁଷ କହିଲେ ଦିନେ ଅଧେ ମାର୍ବଲ-କେଟାସ ସାଇଜର ଗୋଟିଏ ଅଣ୍ଡା ବା ଚିକେନ ଦୁଇ ପିସ ।ଭିଡରୁ ଯାହା ଚାମଚ ରେ ଉଠିବ । ପଇସା ବାଲା ପିଲେ ପାର୍ସଲ ମଗଉଛନ୍ତି ରେଷ୍ଟୁରାଣ୍ଟରୁ । ଏତେ ପଇସା କାହିଁ ଏତେ ସପନକୁ ?


“ତୁ ତ ଜାଣୁ ଆମ ସୁମୁ ତ ପେଟୁ । ଆସିଥିଲା ହୋଲି ବେଳକୁ । ହାଲି କି କଣ୍ଟା ।କଙ୍କାଳ ସାର ।ତୁ ଦେଖିଲେ ନା କାନ୍ଦି ପକେଇବୁ ।”


“ ତା’ର ସଜଳ ଅନୁରୋଧ ଥିଲା କି ମୁଁ ତ ସବୁଦିନ ନିଜ ହାତରେ ସୁଆଦିଆ ଜଳଖିଆ-ଲଞ୍ଚ –ଡ଼ିନର ଘରେ ରାନ୍ଧୁଛି । କିନ୍ତୁ ଯଦି ମୁଁ ସେହି ଖାଦ୍ୟ ଦ୍ରବ୍ୟକୁ ୱ୍ହାତ୍ସଆପରେ ଫୋଟୋ ଉଠେଇ ସୁମୁ ପାଖକୁ ପଠେଇ ଦିଏ –ସେ ସେଠାରେ ହଷ୍ଟେଲରେ ଫୋଟୋ ଦେଖି ମୋ’ ହାତରନ୍ଧା ସୁଆଦିଆ ମହମହ ସୁବାସକୁ ଶୁଙ୍ଘି ନେବ କଳ୍ପନାରେ ମନେ ମନେ । ଭାବିନେବ ହଷ୍ଟେଲ ଖାଦ୍ୟ ସୁଆଦିଆ ଆଉ ଚୋବେଇବାରେ ଦାନ୍ତଲଗେଇବାରେ ତାକୁ ଏତେ କଷ୍ଟ ହେବନି ଗଳା ତଳକୁ ଠେଲିବାକୁ ।”—କହୁ କହୁ ଉଷା ଦେବୀଙ୍କ ଗଳା କୋହରେ ରୁନ୍ଧି ଆସୁଥିଲା ।


ଚିହିଙ୍କି ଆସିଲା ଝିଅ ଜୟନ୍ତୀ ---“ ଏତେ ଗେଲ –ବସର ଭଲ ନୁହଁ ମା’ ? ସୁମୁକୁ ତୁ ପୂରା ବିଗାଡି ଦେଲୁଣି ।ହଷ୍ଟେଲ ରେ ସେ କଣ ଏକା ଅଲିଅଳି ଗେହ୍ଲ୍ଲା ପୁଅ । ସେ ସେଠି କୋଚିଙ୍ଗ ପାଇଁ ଯାଇଛି ନା ପେଟ ବଢେଇବାକୁ ।


କେବେ ସେ ବଡ ହେବ ମା’ ।ତା’ର ଏମିତି ଫାଲତୁ ବେକାରିଆ ଜିଦ ଆଗରେ ତୁ ତୋର ମାତୃ ସୁଲଭ ପ୍ରେମ-ସ୍ନେହର ଫଲ୍ଗୁ ଧାରା ବୁହେଇ ଚାଲିଥିବୁ କେତେଦିନ ? ସେ କ’ଣ କେବେ କିଛି ଗୁରୁ ଦାୟିତ୍ଵ ତା’ ନିଜ କାନ୍ଧରେ ବହନ କରିବା ଶିଖିବନି ?ତୁ କ’ଣ ପଣତ କାନୀରେ ସବୁଦିନ ତା’କୁ ବାନ୍ଧି ରଖିବୁ ? ତୋ ଅନ୍ତେ ତୋ ପରେ କି’ଏ ତା’ର ଏହି ଗଣ୍ଡିହୀନ ବେତୁକୀ ଅଳି-ଜିଦକୁ ମଥାପାତି ସହିନେବ ?


ଧେତ --- ଧେତ –ତୋତେ କହି ବା କି ଲାଭ ?


ଭାତ ବାଢ ମା’ । ମୋତେ ବହୁତ ଭୋକ ହେଲାଣି ।


ଭାତ ଖାଇ ସାରିଲା ପରେ ଜୟନ୍ତୀ ପଲଙ୍କ ଉପରେ ଗଡି ପଡିଲା । ଝରକା ପଟେ ଦେଖିଲା ନହନହକା ଗଛ ଲତା ଦୋଳି ଖେଳରେ ବ୍ୟସ୍ତ । ମା’ ବି ତ ଦୋଳି ଖେଳୁଛି ରୋଷେଇ ଘରେ । କିନ୍ତୁ ସେହି ସାନ ଭାଇ ସୁମୁ ର ଅଜବ ସଉକ ପାଇଁ ମା’ କେମିତି ଧନ୍ଦି ହେଉଛି –ଏହାର ଗୋଟେ ସମାଧାନ ଦରକାର ।ମା’ ମୋ ସହିତ ପଦେ ଅଧେ ହେବ କେତେବେଳେ ।


ଫୋନ ଲଗେଇଲା ସାନ ଭାଇ ସୁମୁ କୁ --- ।


“ ହ୍ୟାଲୋ ! ହ୍ୟାଲୋ ! ସୁମୁ ...କେମିତି ଅଛୁ –ଦେହ ଭଲ ଥିବ ।


ସୁମୁ-- ଆରେ ଅପା ।ଜୁହାର ।


ହଁ ଶୁଣ ! ତୁ ଏଠି ଘରେ ମା’ର ଗୋଟେ ନୂଆ କାମ-ଧନ୍ଦା ମୁଣ୍ଡବିନ୍ଧା ଲଗେଇ ଦେଇଛୁ । ବହୁତ ବଢିଆ କରିଛୁ । ବୁଢୀ ବୟସରେ ଏକା ଥିବାବେଳେ ବଢିଆ ପୁରସ୍କାର ଦେଇଛୁ ମା’ କୁ । ଗଧ କଉଁଠିକାର ।


ଏତେ ଦୂରରେ ରହି କି ବି ମା’ କୁ ଟିକେ ଶାନ୍ତିରେ ନିଶ୍ଵାସ-ପ୍ରଶ୍ଵାସ ମାରିବାକୁ ଦେଉନୁ । ମା’କୁ ବ୍ୟତିବ୍ୟସ୍ତ କରିବାକୁ ନୂଆ ରାସ୍ତା ପନ୍ଥା ବାହାର କରିଥିବାରୁ ଅନେକ ଅନେକ ବନ୍ଦନ ଚନ୍ଦନ ଅଭିନନ୍ଦନ ଅଭିବନ୍ଦନ ।

ବୁଦ୍ଧି-ଶୁଦ୍ଧି ଅଛି ନା ନାହିଁ ।ମତି-ଗତି ସହରୀ ଚାକଚକ୍ୟରେ ବାଟ ହୁଡିଲେ କି ? ଏ ବୟସରେ କମର ନଇଁ ଗଲାଣି । ଆଖିରେ ପରଳ କି ମୋତିଆ ବିନ୍ଦୁ । ଝାପସା ଝାପସା ଦିଶୁଛି ।ଘରେ ଏଣେ ଅଣଗିନତ କାମ । ତୋ ମୁଣ୍ଡରେ ମଗଜରେ କିଛି ପଶୁଛି କି ନାହିଁ ?--- ଏକା ନିଶ୍ଵାସରେ ନନ ଷ୍ଟପ ବକି ଦେଇ ଗଲା । ନା ଦେଖିଲା ଡାହାଣ ନା ଦେଖିଲା ବାମ । ଝିଅ ପରା ।ମା’ର ଦୁଃଖରେ-ସୁଖରେ ସଖୀ ପରା ।


ସୁମୁ -----ରହ ଅପା –ଟିକେ ରହି ଜା –ବ୍ରେକ ଦେ...ଥମି ଜା । ଏମିତି କାହିଁକି ଭାବୁଛୁ ?ମୁଁ ବା କାହିଁକି ମା’ କୁ ହଇରାଣ –ହରକତ କରିବି ?


ଜୟନ୍ତୀ ଅପା – ତାହାଲେ --- ଲଞ୍ଚ –ଡିନର ୱ୍ହାତ୍ସଆପ କ’ଣ ? ଠିଆ ପାଲା ଲଗେଇଛୁ ।ଆଉ ପଚାରିଲେ କହୁଛୁ କ’ଣ ନା ମୁଁ ଜାଣିନି ?ଚାଲି ନ ଜାଣି ବାଟର ଦୋଷ ।


ବଡ ଭଉଣୀ ଜୟନ୍ତୀ ଅପାର ସ୍ନେହଭାରା ଗାଳି-ତର୍କ ଶୁଣି ସୁମୁ ହସି ପକେଇଲା । ପୁଣି ଗମ୍ଭୀର ମୁଦ୍ରାରେ କିଛି ଏମିତି କହିଚାଲିଲା ---


ଅପା ଶୁଣ ! ତୁ ଜାଣିଛୁ ---ବାପା ଆରପାରିକୁ ଚାଲିଯିବା ପରେ –ତୋ ବାହାଘର ହୋଇଯିବା ପରେ ଆଉ ଶେଷରେ ମୁଁ ଆକାଶ କୋଚିଙ୍ଗ ପାଇଁ ଭୁବନେଶ୍ବର ଆସିଯିବାପରେ ମା’ ଗାଁରେ ପୁରା ଏକା-ଏକେଲା-ଏକାନ୍ତ ହୋଇଗଲା । ଏକୁଟିଆ ରହିଲା ।


ଗତ ହୋଲି ଛୁଟିରେ ଯେଉଁ ଯାଇଥିଲି ---ଜାଣିଲି –ଦେଖିଲି –ଯେ ମା’ ଦୁଇ ଚାରି ଦିନ କିଛି ବି ରାନ୍ଧେନା । ଦିନେ ଅଧେ ଦେଖି ରାନ୍ଧିଦିଏ ଆଉ ଫ୍ରିଜରେ ପୁରେଇ ଦିଏ । ଗରମ କରି ଖାଇନିଏ । ଗାଁ ରେ ତ ବିଜୁଳିର ସମସ୍ୟା ତୁ ତ ଜାଣୁ । କେ ଦିନ ଚୂଡା –ମୁଢି କେ ଦିନ ପଖାଳ-ତୋରାଣି । ନୋହିଲେ କେବେ କେବେ ଖଲିପେଟରେ ଶୋଇପଡେ ।ଟିଭି ଦେଖୁ ଦେଖୁ ଶୋଇଯାଇଛି ।ଉଠିଲା ବେଳକୁ ସକାଳ । ଖାଇବାକୁ ଭୁଲି ଯାଇଛି ।


ସାରା ଦିନ ପୁରା ଦିନ ସକାଳୁ ସଞ୍ଜ ଏକା ଏକା ଉଦାସି ମୁଦ୍ରାରେ ବସି ଥାଏ ।ବାପା କଥା – ତୋ ଶାଶୁଘର କଥା -ମୋ ହଷ୍ଟେଲ – ଏମିତି ଅନେକ ଅସରନ୍ତି ଆଖାଡୁଆ ଅସମାହିତ ଚିନ୍ତା –କଥା-ନଥାକୁ ଅଡୁଆ ସୂତାକୁ ଭାବି ଭାବି ଥକକା ହେଇଯାଏ ।ଚୁପ ଚାପ ଶୋଇପଡେ ।


ତେଣୁ ମା’ ଯେ ରୁଗୁଣ –ତା'ର ଶିରାଳ ଜୀର୍ଣ୍ଣ ଶୀର୍ଣ୍ଣ ଚେହେରା ଦେଖୁଛୁ ---ଏ ସବୁ ନ ଖାଇବାର କରୁଣ ପରିଣତି । କୌଣସି ରୋଗ-ବିମାରୀରୁ ନୁହଁ ।


ଆଉ ରହିଲା ୱ୍ହାତ୍ସଆପ ଫୋଟୋ କଥା – ମୋତେ ଲାଗିଲା ଏହି ଉପାୟରେ ମା’ ସବୁଦିନ ତିନିଥର ଭଲ ଭଲ ସୁଆଦିଆ ରୋଷେଇ କରିବ –ମୋତେ ଦୈନିକ ଫୋଟୋ ପଠେଇବ ---ଶେଷରେ ନିଜେ ବି ଖାଇବ । ବ୍ୟସ୍ତତା ତ ବଢିଥିବ ---- କିନ୍ତୁ ମା’ ଆଉ ଉଦାସ ରହିବନି ଅପା ! ମୋର ମଧୁର ମିଥ୍ୟାଟି ପ୍ୟାନକିଲର ଭଳିଆ କାମ ଦେଇଛି ଅପା !


ସାନ ଭାଇ ସୁମୁର ଉତ୍ତର ଶୁଣି ଜୟନ୍ତୀ ଅପାର ନଈ ବଢି ପରି ବର୍ଦ୍ଧିତ ରାଗ ବାଷ୍ପରୁଦ୍ଧ ହୋଇଗଲା ।ଆଖି କୋଣକୁ ଛଳ ଛଳ କଳ କଳ ମୁଦ୍ରାରେ କିଛି ଅଶ୍ରୁ ବିନ୍ଦୁ ଝପଟି ଆସିଲେ ---କିନ୍ତୁ ସେ କୋହ ଭରା କଣ୍ଠରେ ଅଧିକ କିଛି କହି ପାରିଲାନି ---


“ବଡ ହୋଇଗଲୁଣି ରେ ।ଖୁସିରେ ଥା ।ଖୁସି ବାଣ୍ଟୁଥା ।”



Rate this content
Log in

More oriya story from Panchanan Jena

Similar oriya story from Inspirational