Panchanan Jena

Tragedy

4  

Panchanan Jena

Tragedy

ମଧୁର ମାନସାଙ୍କ

ମଧୁର ମାନସାଙ୍କ

11 mins
319



"ଆପଣମାନଙ୍କୁ ଗୋଟିଏ କଥା କହିବି କହିବି କହିପାରୁନି ଦୀର୍ଘ କେଇ ବର୍ଷ ହେଲା । ପାଟି ପରା ଦି ଫାଳ ହେଉନି । କିନ୍ତୁ ଆଜି ଜିଦ୍‌ କରିଦେଲି ନିଜ ସହିତ । କହିବି ଅଲବତ୍‌ କହିବି । କହିବି ତ ! ଲେଖି କରି କହି ଦେବି ସେହି ୧୭୮୯ ମସିହାରେ ସଂଘଟିତ ବିଶ୍ଵବିଖ୍ୟାତ ଫରାସୀ ରାଷ୍ଟ୍ରବିପ୍ଳବର ଜ୍ଞାନୀ ଲେଖକମାନଙ୍କ ପଦଙ୍କ ଅନୁସରଣ କରି ।

ଭାବୁଛି ଆପଣମାନେ ମୋ ଶତଦିନର ସୁପ୍ତ ମତ ସହିତ ଏକମତ ହେବେ । ---- ସକାଳୁ ସକାଳୁ ଦୈନିକ ଧରିତ୍ରୀ ଖବରକାଗଜ ଉପରେ ଦୃଷ୍ଟି ପକଉ ପକଉ " ଏଇ ଭାରତରେ " ଶୀର୍ଷକ ପାଖରେ ଅଟକି ରହିଗଲେ ଶମ୍ଭୁନାଥ ବେହେରା ବାବୁ ।


 ବାପାମାନଙ୍କ ପାଇଁ ନିଜର ଅଳିଅଳି ମାଂସ ପିତୁଳା ମାନସ ପୁତ୍ରୀ ଲକ୍ଷ୍ମୀ ପ୍ରତିମା ଲାଜକୁଳି ଝିଅର ବାହାଘର ଆୟୋଜନ-ସମ୍ପାଦନ, ଧାଁ-ଦଉଡ-ଧପଡ଼ ଯେତେ ଖୁସି ଦାୟକ ଆନନ୍ଦ ବୋଧକ ଶବ୍ଦରେ କହିବା ଧୃଷ୍ଟତା । ଆହୁରି ତୃପ୍ତି ପରିଚାୟକ ଝିଅ ବୋହୂ ମାନଙ୍କର ଝିନ ବସନ ପରିପାଟି ଓ ଗହଣାର ରୁମ୍ ଝୁମ୍ ସହିତ ହସ ଖୁସିର ଖିଲି ଖିଲି ଆସର । ଘରେ କୁଣିଆ- ଅତିଥି- ଅଭ୍ୟାଗତ ମାନଙ୍କର ଗହଳି ଚହଳି ଭିଡ଼ ଭରକମ୍ ସାଙ୍ଗକୁ ଗୁଲି-ଖଟି - ମନଖୋଲା ହସ ଆସର । ଖାଲି ଅସରନ୍ତି କଥାର ପସରା । ସମୟ ପାଇଛନ୍ତି ହାତ ମୁଠାରେ । ପରିଚିତ ମୁଁହ ଆଖି ଆଗରେ । ବିଗତ ଦିନର ବିଦାୟି ଅତୀତର ଗୌରବମୟ ସ୍ମୃତି ମନ୍ଥନ ମନନ ସହିତ ବର୍ତ୍ତମାନର ମୂଲ୍ୟାୟନ ମୂଲ୍ୟାଙ୍କନ ।


 ଝିଅ ବାହାଘର ତ ଖାଲି ବାହାନା । ଚିହ୍ନା ମୁହଁ ସହିତ ଚପଳ ଚଟୋଳ କେଇ ପଦ ମୃଦୁ ମନ୍ଦ କଥା କହୁ କହୁ ଆପାଦ ମସ୍ତକ ମାପି ନେବାର ଚୁମ୍ବକୀୟ ଉତ୍ତରଣ ବୋଧହୁଏ ବାହାଘର ।


 ଉତ୍ତର ସ୍ୱରୀ ମାନଙ୍କର ଏଭଳି ପାରିବାରିକ ସାଂସ୍କୃତିକ ସମ୍ମିଳନୀ କଳ୍ପନା କରି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବାର ସୁଖଦ ସମ୍ଭାବନା ମନକୁ ଛୁଇଁଲେ ମଥା ନଇଁଆସେ ଆପେ ଆପେ । ଜୟ ହୋ ।


ଦୀର୍ଘ ସପ୍ତାହେ ବ୍ୟାପି ଚାଲିଥିବା ଆୟୋଜନ ଭୁରି ଭୋଜନ ଗହଳି ଚହଳି ବାଣ ରୋଷଣି ପାଣିଗ୍ରହଣ ଇତ୍ୟାଦି ଭିତରେ ଝିଅ ବିଦାୟୀ ବେଳା ଆସିଗଲେ ସକାଳୁ ସକାଳୁ ସମସ୍ତଙ୍କ ଆଖି କୋଣରେ ଲୁହର ଲୁଚକାଳି । ସଜ ଫୁଲ ପରି ହସୁଥିବା ମୁଁହମାନେ କେମିତି କାରୁଣିକ ଦିଶନ୍ତି ।


 ଯେମିତି ଏକୋଇର ବଳା ନୟନ ପିତୁଳା ସୁନା ଝିଅକୁ ଚୋରେଇ ନେବାକୁ ବ୍ୟାଣ୍ଡ ବାଜା ବାରାତ ନେଇ ଦଳ ବଳ ଆସିଥିଲେ । ବର୍ତ୍ତମାନ ବାହାରିଲେଣି ନେଇ ଫେରିଯିବେ । 

ଆଉ ବିଳମ୍ବ ଅସମ୍ଭବ । 


ଘର ଅଗଣାରେ ମା'-ମାଉସୀ-ପିଉସୀମାନେ ଛାତି ଫଟେଇ କାନ୍ଦଣା ଲହରୀର ଧାରେ ଧାରେ ଗଗନ ପବନକୁ କରୁଣାରେ ଆର୍ଦ୍ର କରି ଦିଅନ୍ତି । 

ଏମିତି ଏକ ଝିଅ ବାହାଘର ବଗଦା ଗାଁରେ ଆୟୋଜନ ବାପା ଶମ୍ଭୁନାଥ ବେହେରା କରିଥିଲେ ଅଳିଅଳି ଝିଅ ଶାନ୍ତିଲତା ବେହେରା ପାଇଁ । କିଛି ବ୍ୟତିକ୍ରମ ଲକ୍ଷ୍ୟ କରିଥିଲେ । ବରପକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ବିଶ୍ଵାଳଙ୍କ ଜ୍ୟେଷ୍ଠ ପୁତ୍ର ରବୀନ୍ଦ୍ର କୁମାର ବିଶ୍ଵାଳ ।


କିନ୍ତୁ ଏମିତି ଗହଳି ଚହଳି କାନ୍ଦ ବୋବାଳି ମଧ୍ୟରେ ମଝିରେ ମଝିରେ " ହଇ ହୋ ବେହେରା ପୁଅ ନୂଆ ସମୁଦି ଶମ୍ଭୁ ସମୁଦି --- ଶୁଣୁଛ ସମୁଦୁଣୀ --- ଦୁଃଖ କରିବେନି --- ଶାନ୍ତିକୁ ଆମେ ବୋହୂ ନୁହଁ ଝିଅ ଭାବରେ ନେଇ ଯାଉଛେ " --- ସୁଦର୍ଶନ ବିଶ୍ଵାଳ ବାବୁ ଅର୍ଥାତ୍ ଶୂଶୁର ବାବୁଙ୍କର ଆଶ୍ଵାସନା ମୂଳକ କେଇପଦ କଥା ସମବେତ ଶୋକାକୂଳ ପରିବେଶକୁ ଶୀତ କୁହୁଡିମଖା ସକାଳ ବେଳାରେ ବାଳାଗୁଣର ଆଭା ପରି କିଞ୍ଚିତ ଆଶ୍ୱସ୍ତି ଦେଉଥିଲା ।


ବୁଢୀମା'କୁ ଜାବୋଡି ଗେହ୍ଲି ଝିଅ ଶାନ୍ତି ଯେମିତି ହାବା ପଡ଼ି କାନ୍ଦି ପକେଇଲା , ପୁଣି କାନ୍ଦଣାର ଛିଡି ଯାଇଥିବା ଲୟଟା ଯେମିତି ସବୁ ନାରୀ ମାନଙ୍କୁ ମିଳିଗଲା । ଛିଣ୍ଡି ଯାଇଥିବା ତାନପୁରାର ତାରରେ ଯେମିତି ନୂଆ ବିରହ ରାଗର ରାଗିଣୀ ପୁଣି ଥରେ ଗୁମୁରି ଗୁମୁରି ବାଜି ଚାଲିଲା । ଆହୁରି ଜୋର ସୋରରେ ବୃନ୍ଦ ଗାନରେ କାନ୍ଦି ଚାଲିଲେ ସାହି ପଡ଼ିଶା ଦେଖଣାହାରି କୂଳ ଭୂଆଷୁଣୀମାନେ ।

ସତରେ ବଡ଼ ହୃଦୟ ବିଦାରକ ଦୃଶ୍ୟପଟ ।


 ପୁଣି ଶ୍ଵଶୁର ବିଶ୍ଵାଳ ବାବୁଙ୍କୁ ମଙ୍ଗ ଧରିବାକୁ ହେବ । ନୋହିଲେ ଝିଅ ବିଦା ବେଳରେ କିଛି ଅଘଟଣ ଘଟିପାରେ । ନୂଆ ବୋହୂ ସୁଶୋଭିତ ଗାଡିରେ ବସୁ ବସୁ ପଶୁ ପଶୁ କିଛି ବିଘ୍ନ ଘଟିପାରେ ।

"ଆପଣମାନଙ୍କୁ ପାରି ହେବନି । ଆମେ ପରା ଝିଅ ନେଉଛେ । ଶାନ୍ତି ଆମର ସୁନା ଝିଅ ଭାବରେ ବିଦାୟ ନେଉଛି । ଏଭଳି ଏକ ମଙ୍ଗଳମମ୍ଭ ମୁହୂର୍ତ୍ତରେ ଆପଣମାନଙ୍କ ଭଳି ଅତି ଆଦରର ଶୁଭାକାଂକ୍ଷୀ ମାନେ ଯଦି ଅଶ୍ରୁ ବର୍ଷଣ କରି ଚନ୍ଦ୍ରଉଦିଆ ଶାନ୍ତି ଝିଅ ପାଇଁ କଳଙ୍କର କାଳିମା ଲଗେଇବେ , ପାରି ହେବନି । "

କେତେ ଥର ଆଉ କହିବି ଆପଣମାନଙ୍କୁ । ଗଳା ଫଟେଇ ତିନି ତିନି ଥର କହିଲି । ଭିଡ଼ରେ ବନ୍ଧୁ ବାନ୍ଧବଙ୍କ ଆଗରେ ଛାତି ବାଡେଇ କହିଲି । ଆପଣ ମାନଙ୍କୁ ମୋ କଥାରେ ବିଶ୍ୱାସ ହେଉନି ବୋଧେ । ସେଇଥିପାଇଁ କିଛି ମିନିଟ୍ ଅନ୍ତରାଳରେ ପୁଣି ବାହୁନି କାନ୍ଦୁଛ ସମବେତ ସମସ୍ତେ ।

ମୁଁ ବୁଝି ସାରିଲିଣି ସବୁ । ଶାନ୍ତି ଥିଲା ସମସ୍ତଙ୍କର ପ୍ରୀୟ । ହସକୁରୀ ଝିଅ । ଘର ଖାଁ ଖାଁ ଲାଗିବ । ବୁଝୁଛି ମୁଁ l ମାତ୍ର ରୀତି ପରମ୍ପରାକୁ ବି ମାନିବାର ଅଛି । କୌଳିକ ପ୍ରଥା ମାଙ୍ଗଳିକ ରୀତିନିତିକୁ ସମ୍ମାନ ଦେବାର ବେଳ ଆସି ଯାଇଛି । ଆପଣମାନେ ଝିଅ ଜନମ ପର ଘରକୁ ନ୍ୟାୟରେ ବେଶି ବ୍ୟସ୍ତ ବିବ୍ରତ ହୋଇ ଶାନ୍ତିର ଭାଗ୍ୟରେ କଣ ଲେଖାଅଛି , କେମିତି ଘର ଦ୍ଵାର ମିଳିବ , ଶାଶୁ- ଶ୍ଵଶୁର, ଦେଢଶୁର-ଯା , ନଣନ୍ଦ-ଦେଉର ମାନେ ସବୁ କେମିତିକା ସ୍ୱଭାବର ହେବେ ? 

ଭାବିବା ସ୍ଵାଭାବିକ । କିନ୍ତୁ ଅନୁଶୋଚନା କରି କାନ୍ଦିବା ଅକାରଣ ଅବାନ୍ତର । ଶାନ୍ତି କେବଳ ଆପଣମାନଙ୍କ ସ୍ନେହ ରଙ୍କୁଣୀ ସୁନା ଝିଅ ନୁହଁ , ଆମ ଘରେ ସିଏ ମୋର ଗେହ୍ଲେଇ ଝିଅ ପରି ରାଜ୍‌ କରିବ । କଣ୍ଢେଇ ପରି ଆମ ଆଗରେ ଘୁରି ବୁଲିବ । ଆପଣଙ୍କୁ ହାତ ଯୋଡି ଜଗନ୍ନାଥଙ୍କ ରାଣ ନିୟମ ପକେଇ ତ୍ରିବାର ନୁହଁ ଦଶବାର ଶପଥ କରି କହୁଛି କି ଆମେ ଝିଅ ନେଲୁ ବିଦାୟ କରି ଝିଅ କଲୁ । ହେଲା ତ ଆପଣଙ୍କ ସନ୍ତୁଷ୍ଟି ।


ଭୋର୍ ସମୟ ଆଗତ ପ୍ରାୟ । ପୂର୍ବ ଆକାଶ ମଥାନରେ ନାଲି ସିନ୍ଦୁରା ଫାଟିଲାଣି । ଘର ପାଖ ବରଗଛରେ ଚଢ଼େଇ ମାନଙ୍କର ଚିଁ ଚାଁ ଫଡ଼ ଫାଡ଼ର ଶବ୍ଦ ଡିବ୍ରରୁ ତିବ୍ରତର ହେଲାଣି । ଶୂନଶାନ ଶାନ୍ତ ବାତାବରଣ ଧିରେ ଧିରେ କୋଳାହଳମୟ ହୋଇ ପଡିବ । 


ତେଣୁ ଏଭଳି ଏକ କାନ୍ତ କମନୀୟ ପରିବେଶରେ ଝିଅ ବିଦାୟ ପର୍ବ ସରିଲା । ଶାନ୍ତିଲତା ବେହେରା ଓରଫ ଶାନ୍ତି ମେଳାଣୀ ମାଗି ବଗଦା ଗାଁ ଛାଡି ଶାଶୁଘର ଚାଲିଗଲା । ପଛରେ ଛାଡି ଦେଇଗଲା ଅୟୁତ ନିୟୁତ ସ୍ମୃତିର ଅମଳିନ ଆଭା ପ୍ରଭା । ଅଶ୍ରୁ ସଜଳ ବତୁରା ମୁଁହ ସବୁ ବେଶ୍ କହି ପାରୁଥିଲେ ଏ ଘର ଏ ଅଗଣା ଏ ଗାଁ ହଜେଇ ଦେଲା ଶାନ୍ତି ନାମକ ମଣି ମୁକ୍ତା କନକସୂତା । ବଗଦା ଗାଁରୁ ବିଶ୍ଵାଳ ନିବାସରୁ ସୁସଜ୍ଜିତ ଗାଡି ବରକନ୍ୟାଙ୍କୁ ଧରି ଧାଇଁ ଚାଲିଲା ଗନ୍ତବ୍ୟ ସ୍ଥଳକୁ ଅର୍ଥାତ୍ ଲଙ୍ଗଳେଶ୍ଵର ଗ୍ରାମର ବିଶ୍ଵାଳ କୁଟୀରକ୍ତ । ବେଶ୍ ରଙ୍ଗ ଆଲୁଅରେ ସୁସଜ୍ଜିତ ଘର ଆଗରେ ବ୍ରେକ୍ କଷୁ କଷୁ " ନୂଆ ବୋହୂ ଆସିଗଲେ , ଧାଇଁ ଆସରେ ଧାଇଁ ଆସ ।" ଶବ୍ଦରେ ନିର୍ଜିବ ନିସ୍ତେଜ ପରିବେଶଟା ହଠାତ୍ ସଜୀବ ଚଳଚଞ୍ଚଳ ହୋଇ ଉଠିଲା ।


ବନ୍ଦାପନା ଥାଳି ସହ ଲକ୍ଷ୍ମୀ ପ୍ରତିମା ପରି ସୁନ୍ଦର ଝିଅଟିଏ କବାଟ ପାଖରେ ଆଗରୁ ଜଗି ରହିଥିଲା । ବଡ଼ ଭାଉଜଙ୍କର ଶୁଭ ଶଙ୍ଖର ହୁଳୁହୁଳି ନାଦର ତାଳେ ତାଳେ ସାନ ନଣନ୍ଦ କଳ୍ପନା ନବ ବର-ବଧୂଙ୍କୁ ଦୁବ-ବରକୋଳି ପତ୍ର- ଅରୁଆ ଚାଉଳ-ଚନ୍ଦନ - କୁଙ୍କୁମ- ଟିକା ଲଗେଇ ସ୍ଵାଗତମ୍ କରି ସାରିବା ପରେ ସମସ୍ତେ ଖୁସି ଖୁସି ହସି ହସି ଗୃହପ୍ରବେଶ ପର୍ବର ଉପସଂହାର ହେଲା । ଗାଁ ମାଇପେ ଫୁସୁରୁ ଫାସର ଟୁପୁରୁ ଟାପର ହେଉଥିଲେ । ଆମ ରବିଟା ଗୋରୀ ଚିକିଟା ଝିଅଟେ ମାରି ଆଣିଲା । ଯୋଡି ବେଶ୍ ମାନୁଛି । ରାଜଯୋଟକ ।


" ଆରେ ଝିଅ କଳ୍ପନା ! ନୂଆ ବୋହୂକୁ ଉପର ଘରକୁ ଜଳଦି ନେଇ ଯା । ଭାଇ ଘରକୁ ବୁଝିଲୁ ।"

ଶାଶୁ ମା'ଙ୍କର କୋକିଳ କଣ୍ଠି ନିର୍ଦ୍ଦେଶ ଆଦେଶ କେତେବେଳେ ଅଦ୍ୟ ବିଦାୟୀ ହୋଇ ଶାଶୁ ଘର ଏରୁଣ୍ଡି ଡେଇଁ ଆସିଥିବା ଶାନ୍ତିଲତାର ପାଟଛଡା ଭିତରୁ ' ଝିଅ 'ର ଉତ୍ତରୀ ନୂଆ ବୋହୂର ଜଞ୍ଜୀର ରୂପ ନେଇ ସାରିଲା କେହି ଜାଣି ପାରିଲେ ନାହିଁ । ଶୃତିକଟୁ ହେଲେ ବି ନାଲି ଓଢଣା ଭିତରୁ ଶାନ୍ତି ଚିହିଁକି ଭଠିଲା । ସତେ ଯେମିତି ସେ ବାରି ପାରୁଥିଲା ବାପଘର ଓ ଶାଶୁଘର ମଧ୍ୟରେ ଥିବା ଯୋଯନ ଯୂଗର ଦୂରତ୍ଵ ଓ ପାର୍ଥକ୍ୟ ।


" ହଁ ରେ କଳ୍ପନା । ନୂଆ ବୋହୂ ନୂଆ ପରିବେଶରେ ପୂରାପୁରି ନୂଆ , ଅଜ୍ଞାନୀ ମୌନାବତୀ । ନଣନ୍ଦ ହିସାବରେ ତୋର ଗୁରୁ ଦାୟିତ୍ଵ ଓ କର୍ତ୍ତବ୍ୟ ହେଲା ତାଙ୍କୁ ସଖୀର ସୁଖ ହେବୁ । ନୂଆ ବୋହୂର ବାପ ଘର ସହିତ କଥାବାର୍ତ୍ତା କରେଇ ଦେବୁ, ଭିଡ଼ିଓ କଲ୍ ଲଗେଇ ଦେବୁ ଇତ୍ୟାତି ଇତ୍ୟାଦି । ତୁମ ଘରର ଆଦବ କାଇଦା-କଟକଣା ସବୁ ଶିଖେଇ ଦେବୁ । ସମସ୍ତଙ୍କ ସହିତ ଚିହ୍ନା ପରିଚୟ କରେଇ ଦେବୁ । ବଡ଼ ଆଗରେ ମୁଣ୍ଡିଆ ଓ ସାନମାନଙ୍କ ପାଇଁ ମୁରୁକି ହସ ଶିଖେଇ ଦେବୁ । ବେଶି ଓଲଟ ପାଲଟ କରିବୁନିରେ କଳ୍ପନା । ତୁ ବଡ଼ ଉଦଣ୍ଡି ଟା I -ହସୁ ହସୁ ପଡୋଶୀ ମହିଳାମାନେ ସମବେତ ମୁଦ୍ରାରେ କହୁଥିଲେ ।


ନୂଆ ବୋହୂ ଶାନ୍ତିର ସ୍ମାର୍ଟଫୋନ୍‌ ବାଜି ଉଠିଲା __" ଦୟଣା ତୁଳସୀ ବାସୁଆଉ , ଆଖିକୁ ଶ୍ରୀମୁଖ ଦିଶୁଥାଉ , ଗରୁଡ଼ ପଛରେ ଠିଆ ହେଉ ହେଉ , ଆପେ ଆପେ ହାତ ଉଠିଯାଉ -- ଏହି ଭାଗ୍ୟ ଦିଅ ମହାବାହୁ " l ଜଗନ୍ନାଥଙ୍କ ଭଜନ ରିଙ୍ଗଟୋନ୍‌ ରେ ବାଜିବାରୁ ସମସ୍ତେ ମନେ ମନେ ନୂଆ ବୋହୂକୁ ତାରିଫ୍ କରିବାକୁ ଯାଇ ଆଖିକୁ ଢିମା ଢିମା କରି ଏକ ଆରେକକୁ ଆଖି ଇଶାରାରେ ନାଲିସ୍‌ କରୁଥିଲେ ।


ନଣନ୍ଦ କଳ୍ପନା ଫୋନକୁ ଧରୁ ଧରୁ ଭଏସ୍‌ ବଟନ୍‌ କୁ ଅନ୍ କରି ନୂଆ ବୋହୂ ନୂଆ ଭାଉଜଙ୍କ ହାତରେ ଧରେଇ ଦେଲା ।

ଆର ପଟେ ମା' ଥିଲେ ।


ମା'-- କେମିତି ଅଛୁ ଝିଅ .


ଶାନ୍ତି - ପ୍ରଣାମ ମା' । ଭଲ ରେ ଅଛି । ବାପା କେମିତି, ମୁକ୍ତି ଅପା କେମିତି ଅଛନ୍ତି । କାନ୍ଦି କାନ୍ଦି ଆଖି ଫୁଲି ଯାଇଥିବ ନିଶ୍ଚୟ ।


ମା'- ସବୁ କୁଶଳ । ସମସ୍ତେ ସାଷ୍ଟାଙ୍ଗ ହେଲେଣି । ତୋର ମନ ଲାଗିଲାଣି ତ !


ଶାନ୍ତି - ହଁ ମା' । ମନ ଲାଗି ଗଲାଣି । ଏଠାରେ ସମସ୍ତେ ଭଲ । ବହୁତ ସ୍ନେହ କରୁଛନ୍ତି । ବେସି ଦାୟିତ୍ୱ ପରା ମୋର ଗେହ୍ଲୀ ନଣନ୍ଦରାଣୀ କଳ୍ପନା ସମ୍ଭାଳିଛନ୍ତି । 


ମା'କୁ କେମିତି କହନ୍ତି। ଯେ ଏଠାରେ ଶାଶୁଘରେ ମନ ଯମାରୁ ଲାଗୁନି । ଘର କଥା ବେଶି ବେଶି ମନେ ପଡୁଛି ।


ଫୋନ ରଖୁ ରଖୁ ମା' କିନ୍ତୁ କହୁଥିଲେ - ବୁଝିଲୁ ଝିଅ ! ବହୁତ ଭଲଲୋକ ତୋ ଶାଶୁ ଶ୍ବଶୁର ଘର ପରିବାର । ତୋତେ ବୋହୂ ଭାବରେ ନୁହଁ ଝିଅ ହିସାବରେ ରଖିବେ । ମାତ୍ର ତୋର ଯେମିତି ମନେ ରହେ କି ତୋ ଦ୍ଵାରା ଭୂଲରେ ବି ସେହି ଗୁରୁଜନ ଲଘୁଜନ ଆମ୍ବୀୟ ସ୍ୱଜନଙ୍କୁ ଅସମ୍ମାନ ନ ହୁଏ ଆଚାର ବ୍ୟବହାର ଆଦର ତଥା ଚାଲି ଚଳଣ ବାକ୍ୟ ସମାଚାରରେ ।

ଶାନ୍ତି - ହଉ ! ପ୍ରଣାମ ମା' ।


ସମୟ ଉଡି ଚାଲିଲା ଡେଣା ଲଗେଇ । ନଭେମ୍ବର ମାସ ଯାଇ ଡିସେମ୍ବର ସରିଲା । ନୂଆବର୍ଷ ଆସୁ ଆସୁ ଜଣା ପଡ଼ିଲା କି ନୂଆ ବୋହୂ ଶାନ୍ତିଲତା ଓ ନଣନ୍ଦ କଳ୍ପନାର ଶୁଭ ଜନ୍ମଦିନ ଜାନୁୟାରୀ ମାସରେ ୧୨ ତାରିଖ ଓ ୨୬ ତାରିଖରେ ଆଗପଛ ହୋଇ । ଖବରଟା ଜଙ୍ଗଲ ନିଆଁ ପରି ଲଙ୍ଗଳେଶ୍ଵର ଗାଁ ସାରା ବ୍ୟାପିଗଲା । 


ନୂଆ ବୋହୂ ଶାନ୍ତି ଭାବୁଥିଲା କି ଯାହା ହେଉ ଭାଉଜ-ନଣନ୍ଦ ସାଥିରେ ସାଥିରେ ଆଗ ପଛ ହୋଇ ଶୁଭ ଧରାବତରଣ ଦିବସ ପାଳିବା ମହା ଆଡ଼ମ୍ବରରେ । ଖିରି ପୁରି କେକ୍ ସାଥିରେ । କିନ୍ତୁ ଶାନ୍ତି ବେଶି ଖୁସିଥିଲା ଗୋଟିଏ କଥା ଭାବି ଭାବି । ପ୍ରଥମ ଥର ତା'ର ସ୍ବ-ନକ୍ଷତ୍ର ଦିବସ ଶାଶୁଘରେ ସ୍ୱାମୀଙ୍କ ସହିତ ପାଳନ ହେବ । ବଡ଼ ମଉଜ ହେବ ନୂଆ ଫଉଜ ସହ ।


ଶେଷରେ ଇପ୍ସିତ ଜାନୁୟାରୀ ୧୨ ତାରିଖ ଗୁରୁବାର ଆସି ଉପନୀତ । ନୂଆ ବୋହୂ ଶାନ୍ତିଲତାର ତେଇଶ ତମ ଶୁଭ ଜନ୍ମଦିନ ଅଭିବାଦନ କରିବାକୁ ଯେମିତି କବାଟ ପାଖରେ ସହର୍ଷେ ହାଜର ।


ସକାଳୁ ସକାଳୁ ବଗଦାରୁ ଅର୍ଥାତ୍ ଘରୁ ଶୁଭ ଜନ୍ମଦିନର ଲମ୍ବା ଲମ୍ବା ମ୍ୟାସେଜ୍‌ , ଇମୋଜି, ଦୁଇଧାଡ଼ିଆ କବିତା -- l


ବାପା- ବୋଉର ଫୋନରେ ଆଶିର୍ବାଦ ବି ମିଳିଗଲା । ପତିଦେବଙ୍କର ଗାଲରେ ଜନ୍ମଦିନ ଅଭିନନ୍ଦନ ଆହୁରି ଆନନ୍ଦାନୁଭବ କରେଇଲା ନୂଆ ବୋହୂ ହିସାବରେ ଶାନ୍ତିକୁ । କିନ୍ତୁ ଉତ୍କଳୀୟ ସଧବା ରମଣୀ ପରି ଶାନ୍ତି ଯେତେବେଳେ ପଣତ ଟାଣି ସ୍ୱାମୀଙ୍କର ପାଦ ଛୁଇଁ ପ୍ରଣାମ କଲା ଆଉ ଯେଉଁ ଆଲିଙ୍ଗନର ଶତ କଦମ୍ବର ସମ୍ମୋହନ ସମାହାର ହେଲା ଅଙ୍ଗେ ଅଙ୍ଗେ, କହିବା ବାହୁଲ୍ୟ ମନ- ହୃଦୟରେ ଅସରନ୍ତି ଖୁସିର ଲହରୀ ଖେଳିଗଲା । 


ଲାଜରେ ତରଳି ଗଲା ଶାନ୍ତିର ସରଳ ତରଳ ଛବିଳ ମନ ମୟୁଖ । ଯାହା ହେଉ ବଞ୍ଚି ଗଲି । ଘର ଭିତରେ ଏ ସବୁ ପର୍ବର ପରିସମାପ୍ତି ଘଟିଛି ।


ପୂରା ଦିନ ଶୂନ୍ ଶାନ୍ । ସଂଧ୍ୟାବେଳକୁ ସ୍ୱାମୀ ମାର୍କେଟରୁ ଗୋଟେ ୧୦୦-୨୦୦ ଟଙ୍କିଆ କେକ୍ ଟେ ଧରି ଆସିଲେ । ଘରର ସମସ୍ତେ ଦାଣ୍ଡଘରେ ଏକାଠି ହେଲେ ଏବଂ ସମବେଶ ସ୍ଵରରେ ହ୍ୟାପି ବାର୍ଥ ଡେ ଟୁ ୟୂ ର ଗୀତର ତାଳେ ତାଳେ କେକ୍ କଟା ହେଲା । ଶାଶୁମା' ୧୦୦ ଟଙ୍କା ଦେଇ ନୂଆ ବୋହୂ ଶାନ୍ତିକୁ ଜନ୍ମଦିନର ତୋଫା ଦେଲେ । ଶ୍ଵଶୁର ବିଶ୍ଵାଳ ବାବୁ କିନ୍ତୁ ଜ୍ଞାନପୀଠ ପୁରସ୍କାର ବିଜୟିନି " ଯାଜ୍ଞସେନୀ" ପୁସ୍ତକ ଉପହାର ପ୍ରଦାନ କଲେ ଆଉ ଶୁଦ୍ଭାଶିଷ ସୁମନାସ ଡାହାଣ ହାତରେ ମଥାକୁ ସାଉଁଲେଇ ସାରିଦେଲେ ।


 ନଣନ୍ଦ କଳ୍ପନା ଚତୁରୀ ଅବଶ୍ୟ । ଖାଲି ଶୁଖିଲା ଶୁଖିଲା ଜନ୍ମଦିନରେ ଅନେକ ଅନେକ ଶୁଭେଛା କହି ଶାନ୍ତି ଭାଉଜଙ୍କୁ ଲୋକ ଦେଖାଣିଆ ଅଭିନନ୍ଦନ ନ ଦେଇ ଆଉ କିଛି ଛୁଙ୍କ ଦେବାକୁ ଭାବିଲା । ନେଟ୍ ରୁ ନାନୁ କବିତାଟି ଡାଉନ୍ ଲୋଡ କରି ନିଜେ ଲେଖିଛି କହି ମଧୁର ମିଥ୍ୟାର ଲେପ ଲଗେଇ ସମସ୍ତଙ୍କ ଆଗରେ ପଢିଲା ଆଉ କରତାଳି ଧ୍ବନିରେ ଧନ୍ୟବାଦ ବି ନେଲା ।


"ଶୁଭ ଜନ୍ମଦିନ ଶୁଭଙ୍କର ହେଉ

ଶୁଭଦାୟକ ପରିଚାୟକ ହେଉ

ଶୁଭମୟ ଶୁଭସଂକେତର ବାହକ ହେଉ

ରଙ୍ଗ ରସ ବିଳାସର ଆସର ଆଣୁ

ହସ ଖୁସି ଆନନ୍ଦର ପସରା ବୁଣୁ

ଘରେ ପୁରେ ନଗ୍ରେ ବିଞ୍ଚିଦେଉ 

ମଖମଲି ଆଶାମଲ୍ଲୀର ବିଥିକା

ଜୀବନ ଦୀପରେ ଜଳୁ ଦାଉ ଦାଉ

ଚନ୍ଦନ ଚର୍ଚ୍ଚିତ ମିଶ୍ରିତ ବିଭୁ ପ୍ରସାଦ କଳିକା ।


ସ୍ନେହର ଭାଉଜ ରାଣୀ ! ଶୁଭ ଧରାଗମନ ଦିନରେ ଅନେକ ଅନେକ ଆନ୍ତରିକ ଅଭିନନ୍ଦନ ସହିତ ଏହି ଶବ୍ଦ ଚାଙ୍ଗୁଡ଼ିର କୁହୁକ ମୁଣି ।


ନୂଆ ବୋହୂ ଶାନ୍ତି ବହୁତ ଖୁସି ଥିଲା ଯଦିଓ ଜନ୍ମ ଦିନ ପାଳନ ପର୍ବ ନିରାଡମ୍ବର ଥିଲା । ମନକୁ ବୁଝେଇ ଦେଲା । ଶାଶୁଘରେ ବୋଧହୁଏ ଏମିତି ହୁଏ । ଚଳେଇନେବା ପରା ଜୀବନର ଅନ୍ୟନାମ । କେଉଁ ଲେଖକ କିମ୍ଵା ଦାର୍ଶନିକ କହିଥିଲେ ମନେ ପଡିଲାନି । ଧେତ୍ ତେରିକା । ଠିକ୍ ବେଳକୁ --l ମଥାକୁ ବାଁ ହାତରେ ଟିକେ ଠୁକି ଦେଇ ନିଜର ଦୁର୍ବଳ ମେମୋରିକୁ ରିଚାର୍ଯ କରିବା ଆଳରେ କଳ କାମୁଡି ପକେଇଲା।


ଐତିହାସିକ ସାଧାରଣତନ୍ତ୍ର ଦିବସ ଜାନୁୟାରୀ ୨୬ ତାରିଖ । ଭାରତ ବ୍ୟାପି ଆନନ୍ଦ ଉତ୍ସବର ପର୍ବ । ଏହି ଭଳି ଏକ ଶୁଭ ଦିନରେ ନଣନ୍ଦ କଳ୍ପନା ଜନ୍ମଗ୍ରହଣ କରିଥିଲେ ନୁହଁ ପୂରା ବିଶ୍ଵାଳ ପରିବାରକୁ ସାମ୍ବିଧାନିକ ହେବାର ମର୍ଯ୍ୟାଦା ପ୍ରଦାନ କରିଛନ୍ତି । ସମସ୍ତେ କୁଆଡ଼େ ନଣନ୍ଦ କୁମାରୀ କଳ୍ପନା ବିଶ୍ୱାଳର ନାଁ କୁମାରୀ ସମ୍ବିଧାନ ବିଶ୍ଵାଳ ଅନ୍ତତଃ ପକ୍ଷେ ବିଦ୍ୟାଳୟ ପଞ୍ଜିକରଣ ସମୟରେ ରଖିବାକୁ ବିଶ୍ଵାଳ ବାବୁଙ୍କୁ ବହୁତ ନେହୁରା ହେଉଥିଲେ ।


ସେ ଯାହା ବି ହେଉ , ଜନ୍ମଦିନ ପାଳନ ପର୍ବ ସକାଳ ପ୍ରହରୁ ଆରମ୍ଭ ହୋଇଥିଲା । ନଣନ୍ଦ କଳ୍ପନା କୁମାରୀ କନକ ଗୋରୀ ଆଜି ୨୦ ପୁରି ୨୧ ବର୍ଷରେ ପଦାର୍ପଣ କରିଲେ । ତେଣୁ ସେ ନିଜ ପାଇଁ ଆମାଜନ୍ ରୁ ଅନ୍ ଲାଇନ୍‌ ରେ ହୋମ-ଡୋରଡ଼େଲିଭରି ମାଧ୍ୟମରେ ତିନି ହଜାର ଟଙ୍କିଆ ଡ୍ରେସ୍‌ ଟି ହ୍ୟାପି ରିପବଲିକ ଡେ ସୁପର ବମ୍ଫର ଅଫର ମାଧ୍ୟମରେ ମାତ୍ର ୧୭୪୦ ଟଙ୍କାରେ ପାଇ ବେଶ୍ ଖୁସିରେ ଗର୍ବରେ ପିନ୍ଧି ସକାଳୁ ସକାଳୁ ସେଲ୍ଫି ଉପରେ ସୁପର ସେଲ୍ଫି ହୁଆଟ୍ସଫ୍ ରେ ଗ୍ରୁପ୍ ରେ ଖାଲି ସେଣ୍ଡିଙ୍ଗ ଓ ସେୟାରିଙ୍ଗ ସେରିମନି ଚାଲିଛି ଯେ ଚାଲିଛି ଥମିବାର ନା ଧରୁନି । ଆର ପଟରୁ ବି ଶୁଭେଚ୍ଛାର ଶତ ଶହସ୍ର ସୁଅ । ଅୟୁତ ନିୟୁତ ଥ୍ୟାଙ୍କ୍‌ ୟୁର ପ୍ରତ୍ୟୁତ୍ତର ।


 ମ୍ୟାସେଜ୍‌ ପଢିବା ପରେ ଯଉଁ ଖୁସିର ଝଲକ ନଣନ୍ଦ କଳ୍ପନାର ଗାଲ ଭଉଁରୀର ଗଭୀର ଗର୍ଭରେ ଲୀନ ହେଉଥିଲା , ଦୂରରୁ ଶାନ୍ତି ଭାଉଜ ଦର୍ଶନ କରନ୍ତେ ଅଙ୍ଗ ପରିପାଟିରେ ଇର୍ଷା ପରାୟଣତା ବେଶ୍ ଫୁଟି ଉଠୁଥିଲା । 


ଶାଶୁ ମା' ନୂଆ ବୋହୂ ଶାନ୍ତିକୁ ଡାକି କହିଲେ - ଶୁଣୁଛ ବୋହୂ ! ଆଜି ଝିଅ କଳ୍ପନାର ଶୁଭ ଜନ୍ମଦିନ । ରାତିରେ ଡିନର ୮୦-୧୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରିବ ବୁଝିଲ । ମେନୁ ପୁରି-ଆଳୁ-ମୋଟର କଷା-ଗୋଳାପ ଜାମୁନ୍- ପାମ୍ପଡ-ଖଜୁରୀ ଖଟା-ଖିରି ହେବ । ଖାଇବା ଟିକିଏ ସ୍ଵାଦିଷ୍ଟ ବନେଇବ ବୋହୂ । ଯେମିତି ବିଶ୍ଵାଳ ଘରର ନାକ କଟି ନ ଯାଏ ?


ଆଉ ଗୋଟିଏ କଥା ମନ ଦେଇ ଶୁଣ ବୋହୂ । କଳ୍ପନାର ଶେଷ ଜନ୍ମ ଦିନ ପାଳନ ଆମଘରେ । ଝିଅ ପରା ଅନ୍ୟ ଘରର ସମ୍ପତ୍ତି । ତେଣୁ ସଂଧ୍ୟାବେଳର ଜନ୍ମଦିନ ପାଳନ ପର୍ବ ଯେମିତି ଧୁମ୍ ଧାମ୍ ରେ ହେବ । ବଡ଼ ଦ୍ଭାଉଚ୍ଚ ହିସାବରେ ତୁମେ ଦାୟିତ୍ୱ ସବୁ ମୁଣ୍ଡେଇ ନେବ ।


ଶାନ୍ତି--- ହଁ ମା" । 

ତଳକୁ ମୁଁହ କରି ନୀରବରେ ନିରିହ ଗାଈ ପରି ନୂଆ ବୋହୂ ଶାନ୍ତି ସବୁ ଗୋଟି ଗୋଟି କରି ଶୁଣିଲା । ମୁଣ୍ଡ ଟୁଙ୍ଗାରିଲା ଆପେ ଆପେ ବିନୟୀ ସ୍ୱଭାବରେ । ମନ-କବାଟରେ କିନ୍ତୁ ବିଦ୍ରୋହର ସ୍ଫୁଲିଙ୍ଗ ବାରମ୍ଵାର କରାଘାତ ଦେଉଥିଲା ।


ସଂଧ୍ୟା ଆଗତ ପ୍ରାୟ । ଶାଶୁ-ଶ୍ଵଶୁର-ଭାଇ ତଥା କଳ୍ପନାର ଦଳେ ସାଙ୍ଗ ଚୁନି ଲାଇଟ୍ ଓ ବେଲୁନ୍‌ ଫୁଙ୍କେଇ ସଜେଇ ଦେଲେ । ପିଙ୍କ୍‌ ରଙ୍ଗର ଲୋଭନୀୟ କେକ୍ ଆସି ହାଜିର । ଧିରେ ଧିରେ ବନ୍ଧୁ ବାନ୍ଧିବ -ସାହି ପଡିଶାର ପିଲାମାନେ - ଶାଶୁମା"ଙ୍କର ମହିଳା ମଣ୍ଡଳୀ, ଶ୍ଵଶୁରଙ୍କର ତାସ୍‌ ଖେଳା ଦୋସ୍ତ ସବୁ , ସ୍ୱାମୀଙ୍କର ନେତାଜୀ ଯୁବକ ସଂଘର ସାଙ୍ଗସାଥି ଆସି ପହଞ୍ଚିଲେ । ବେଶ ସରଗରମ୍ ରେ କେକ୍ କଟା ପର୍ବ ହ୍ୟାପି ବାର୍ଥ ଡେର ସମବେତ ଧୁନ୍ ରେ ଦୀର୍ଘ ୩୫ ମିନିଟ୍ ଧରି ବାରମ୍ଵାର ରିପିଟ ହେଲା ।


ତା' ପରେ ଚାଲିଲା ଉପଢୌକନ ପର୍ବର ଆରମ୍ଭ । ଶାଶୁମା" ଝିଅ କଳ୍ପନା ପାଇଁ ରାଣୀହାରଟି ଗଳାରେ ପିନ୍ଧେଇ ଦେଲେ ହସି ହସି । ସମବେତ ଜନତାଙ୍କ ପାଇଁ ଝିଅକୁ କୋଳେଇ କପାଳରେ ସ୍ନେହ ଭରା ଚୁମା ଦେଉ ଦେଉ କହିଲେ ---" ତୋ ସମ୍ବଲପୁରୀ ପାଟଶାଢୀ ଉଧାର ରହିଲା ଆର ଥରକୁ । "


ଶ୍ଵଶୁର ସାନ ଝିଅ ପାଇଁ ନୂଆ ଏପଲ୍ ଆଇଫୋନଟେ ଧରେଇ ଦେଲେ । ଭାଇ ଅର୍ଥାତ୍ ପତିଦେବ ସ୍କୁଟିର ଚାବି ରିଂ ଟା ବଢ଼େଇ ଦେଲେ କିନ୍ତୁ କାନ ଧରି କହିଲେ ହେଲ୍ ମେଟ୍ ଲଗେଇ ଚଳେଇବୁ ଲୋ ଆମ ହୁଣ୍ଡି । 


ସମସ୍ତଙ୍କ ନଜର ଦ୍ଭାଉଜଙ୍କ ଉପରେ । ଶାନ୍ତି ଭାଉଜ ଶେଷରେ ଇଚ୍ଛା ନ ଥିଲେ ବାହାଘରରେ ମିଳିଥିବା ହଳେ କାନଫୁଲ ସେଟ୍ ଦେଲେ । ଉପସ୍ଥିତ ମହିଳା ମାନଙ୍କର କରତାଳି ଓ ଅନୁରୋଧକୁ ଏଡେଇ ନ ପାରି ନଣନ୍ଦ କଳ୍ପନାଙ୍କୁ ପିନ୍ଧେଇ ଦେଲେ ଆଉ ନୂଆ ଆଇଫୋନରେ ସେଲଫି ପୋଜ୍ ବି ଦେଲେ ।


ଏମିତି ସ୍ନେହ- ସୌଦାର୍ଦ୍ୟର ବାତାବରଣ ଦେଖି ବାତୁନି ମାଳି କାକି ଭିଡ଼ ଭିତରୁ ପଚାରି ଦେଲେ ---

ଆରେ ନୂଆ ବୋହୂ । ଅନାନି । ତୋର ଜନ୍ମଦିନ କେବେ କି ଲୋ ?"


ଶାନ୍ତି -- କାକି ! ଗଲାଣି ପରା । ପଛ ସପ୍ତାହର ୧୬ ତାରିଖ ଗୁରୁବାରରେ । କଥା କ'ଣ କି କାକି ! ଭାଉଜ-ନଣନ୍ଦଙ୍କ ଏକା ମାସରେ ଜନ୍ମଦିନ ପଡ଼ୁଛି ବୋଲି ଦୁଇ ଜଣଙ୍କର ପାର୍ଟି ଆଜି ଏକା ସଙ୍ଗେ ମନଉଛେ । କିଏ ଜାଣେ ଆର ବର୍ଷକୁ କଳ୍ପନା ପାଲିଙ୍କି ଚଢି ଛୁ-ମନ୍ତର ନ ମାରିବ ? ନାଁ କ'ଣ କହୁଛ କଳ୍ପନା ?


ମାଳି କାକି --- କାହିଁ ଆମେ ଜାଣି ପାରିଲେଣି ତ ? କିଛି ଖୋଜ ଖବର ନେବ ବୋହୂ ଆର ଜାନୁୟାରୀକୁ । ମନେ ରହିବଟି ।


ନୂଆ ବୋହ ଶାନ୍ତି କେବଳ ସମସ୍ତଙ୍କୁ ଦେଖି ମୁରୁକି ହସି ସମ୍ୟକ୍ ସୂଚନା ଦେଉଥିଲା ବିଚରା ।

ଶେଷରେ ଭୋରି ଭୋଜନର ବୋଫେ ବ୍ୟବସ୍ଥା । ସମସ୍ତଙ୍କୁ ନିଜ ହାତ ତିଆରି ସୁସ୍ଵାଦୁ ଖାଦ୍ୟ ପରସୁ ପରସୁ ନୂଆ ବୋହୂ ଶାନ୍ତି ମୁଁହରେ ମିଛ ସ୍ମିତହାସ୍ୟର ଛାୟାଚିତ୍ର ଆଙ୍କି ହସ ହସ ବଦନରେ ସମସ୍ତଙ୍କୁ ଭୁଲେଇ ଦେଇ କେବଳ ଗୋଟିଏ ମଧୁର ମାନସାଙ୍କର ସମାଧାନ ସୂତ୍ର ବୁଝି ପାରିଲା ।

" ବୋହୂ ନୁହଁ ଝିଅ ଆମେ ବିଦାୟୀ କରି ନେଉଛେ, ଝିଅ ପରି ରାଜତ୍ଵ କରିବ, ସର୍ବ ସମ୍ମୁଖରେ ବନ୍ଧୁ ମହଲରେ କହିଦେଲେ ବୋହୂ ଝିଅ ହୋଇ ପାରେନା ।"

ପୁଣି ମମତାମୟୀ କରୁଣାମୟୀ ମହିୟସୀ ମା'ର ସତୃର୍ଷ୍ଣ ବଚନ ମଧ୍ୟ ମନ ମଗଜକୁ ଧସେଇ ପଶି ଆସୁଥିଲା ---

" ମନେ ରଖିବୁ ଝିଅ ! କ୍ରୋଧ ପାଳିବୁ, ରାଗ ସହିବୁ, ଇର୍ଷା ହଜମ କରିବୁ , ଥେଣ୍ଟକାଲ ପାଲଟିଯିବୁ - ଆଉ ଆଖି କୋଣରେ କାହିଁକି କେଜାଣି ଲୁହ କଣିକାର ଅବାଧ ଆଗମନ ।


Rate this content
Log in

Similar oriya story from Tragedy