"ମଧୁମିତା"
"ମଧୁମିତା"


ପରିବାର ଠାରୁ ଦୂରରେ ସୁଦୂର ଚେନ୍ନାଇରେ ଚାକିରୀ ପାଇଥିଲା ମାଧବ ।କିନ୍ତୁ ଏମ. ଏନ. ସି ରେ ଚାକିରୀ ପୁଣି ରହିବା ପାଇଁ ଘର ଭଲ ଦରମାର ଲୋଭ ଏଡାଇ ଦେଇପାରିନଥିଲା । ଚାକିରୀରେ ଯୋଗ ଦେବାକୁ ଯିବା ଦିନ ମାଆ ସଫା କହିଦେଇଥିଲା ଛୁଟି ନେଇ ଆସିଲେ ଝିଅ ଦେଖି ତାର ବାହାଘର ସାରିଦେଵ । ଏକୁଟିଆ କେତେ ଦିନ ଚେନ୍ନାଇରେ ରହିବ । ଖାଇବା ପିଇବା ସବୁଥିରେ ଅସୁବିଧା ହେବ । ମାଆ ତ ଗାଁ ଓ ବାପାଙ୍କୁ ଛାଡି ତା ସାଙ୍ଗରେ ଯାଇପାରିବନି । ମାଧବ କେବଳ ହସିଦେଇ ମାଆକୁ ଜୁହାର ହୋଇ ଚାଲିଆସିଥିଲା । ଚେନ୍ନାଇ ଆସିଲା ପରେ ମାଆର ଗୋଟି ଗୋଟି କଥା ତାକୁ ସତ ଲାଗିଲା । ମା ବହୁତ ମନେ ପଡୁଥିଲା । ତଥାପି କାମରେ ମନ ଦେଇ ନିଜକୁ ବ୍ୟସ୍ତ ରଖୁଥିଲା । ଦକ୍ଷିଣ ଭାରତୀୟ ରାଗ ଖାଦ୍ୟ ତାକୁ ରୁଚୁ ନଥିଲା । କିନ୍ତୁ ପେଟ ପୁରାଇବା ପାଇଁ ଖାଇ ଦେଉଥିଲା । ଏସବୁ ଦୁଃଖ ସେହିଦିନ ଦୂର ହେଲା ଯେଉଁ ଦିନ ଅଫିସ ବାହାରେ କ୍ୟାବକୁ ଅପେକ୍ଷା କରିଥିବା ବେଳେ ମଧୁ ସହ ତାର ଦେଖା ହୋଇଥିଲା ।
ମଧୁମିତା ତା' ପାଖ ଅଫିସରେ କାମ କରେ। ପ୍ରଥମ ଦେଖାରେ ବନ୍ଧୁତା । ତାପରେ ଧୀରେଧୀରେ କେତେବେଳେ ପ୍ରେମ ହୋଇଗଲା ମାଧବ ଜାଣିପାରିଲାନି । ମଧୁ ବେଶୀ ଗୋରି ନହେଲେ ବି ଅତୀବ ସୁନ୍ଦରୀ ଥିଲା । ବନ୍ଧୁତା ହେବା ଦିନ ଠାରୁ ମାଧବ ପାଇଁ ନିଜ ହାତ ତିଆରି ଖାଦ୍ୟ ନେଇ ଆସୁଥିବା ମଧୁ ରୋଷେଇ କଳାରେ ବି ଧୂରୀଣ ଥିଲା । ମାଧବ ମନେ ମନେ ମଧୁକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇସାରିଥିଲା । କେବଳ ଘରେ ଜଣାଇବା ବାକି ଥିଲା । ପ୍ରଥମେ ସେ ନିଜ ସହକର୍ମୀ ଉମେଶକୁ ଜଣାଇଥିଲା । ମଧୁ କାହାକୁ ଜଣାଇବାକୁ ମନା କରିଥିଲେ ମଧ୍ୟ ସେ ଉମେଶକୁ ମନ କଥା କହିଥିଲ। । କିନ୍ତୁ ତା କଥା ଶୁଣି ଉମେଶ ଖୁସି ହେବା ପରିବର୍ତ୍ତେ ବ୍ୟସ୍ତ ହୋଇଉଠିଲା । ମାଧବକୁ ସନ୍ଧ୍ୟାରେ ତା ଘରକୁ ଆସିବା ପାଇଁ କହି ସେଠାରୁ ଚାଲିଗଲା । ମାଧବ କିଛି ବୁଝି ପାରୁନଥାଏ । ଅଫିସ କାମ ସାରି ସନ୍ଧ୍ୟାରେ ସେ ଉମେଶ ଘରକୁ ବାହାରିଲା।
ଉମେଶ ଘରେ ଭାଉଜ ଓ ଉମେଶ ତାକୁ ପାଛୋଟି ନେଇଥିଲେ । ଅଲଗା କିଛି କଥା ନ ହୋଇ ଉମେଶ ତା ଆଗରେ ଫୋଟୋ ଅଲବମଟିଏ ରଖିଦେଲା । ମାଧବ କୌତୁହଳ ବଶତଃ ଅଲବମଟିକୁ ଖେଳେଇଲା । ଅଲବମ ଶେଷରେ ମଧୁର ଫୋଟୋ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ଉମେଶକୁ ପଚାରିବା ପୂର୍ବରୁ ସେ କହିବା ଆରମ୍ଭ କଲା ମଧୁ ସହ ତାର ସମ୍ପର୍କ ଥିଲା । କିନ୍ତୁ ତାଙ୍କ ଘରେ ମଧୁକୁ ଗ୍ରହଣ କରିନଥିଲେ ଓ ତାର ବିବାହ ହୋଇଯାଇଥିଲା । ଏହା ସହି ନପାରି ମଧୁ ଅଫିସ ଛାତରୁ ଡେଇଁ ଆତ୍ମହତ୍ୟା କରିଦେଇଥିଲା । ଉମେଶ କଥା ଶୁଣି ମାଧବର କାନ ମୁଣ୍ଡ ଝାଇଁ ଝାଇଁ ହୋଇଗଲା । ତେବେ ସେ କଣ ଏକ ଅଶରୀରିକୁ ଭଲ ପାଉଥିଲା । ସେହିଦିନ ଠାରୁ ସେ ଆଉ ମଧୁକୁ ଦେଖିନଥିଲା । ମଧୁମିତା ତା ଭଳି ଆଉ କାହାକୁ ଖୋଜୁଥିବ ଭାବି ମନକୁ ଶାନ୍ତ୍ୱନା ଦେଉଥିଲା ସତ କିନ୍ତୁ ସେ କାହିଁକି ଏପରି କରୁଛି ଏହି ପ୍ରଶ୍ନ ମାଧବର ପ୍ରତିଟି ମସ୍ତିଷ୍କ ତନ୍ତ୍ରୀକୁ ଦୋହଲାଇ ଦେଉଥିଲା।