STORYMIRROR

Priyadarshini Mishra

Horror

3  

Priyadarshini Mishra

Horror

"ମଧୁମିତା"

"ମଧୁମିତା"

2 mins
552


ପରିବାର ଠାରୁ ଦୂରରେ ସୁଦୂର ଚେନ୍ନାଇରେ ଚାକିରୀ ପାଇଥିଲା ମାଧବ ।କିନ୍ତୁ ଏମ. ଏନ. ସି ରେ ଚାକିରୀ ପୁଣି ରହିବା ପାଇଁ ଘର ଭଲ ଦରମାର ଲୋଭ ଏଡାଇ ଦେଇପାରିନଥିଲା । ଚାକିରୀରେ ଯୋଗ ଦେବାକୁ ଯିବା ଦିନ ମାଆ ସଫା କହିଦେଇଥିଲା ଛୁଟି ନେଇ ଆସିଲେ ଝିଅ ଦେଖି ତାର ବାହାଘର ସାରିଦେଵ । ଏକୁଟିଆ କେତେ ଦିନ ଚେନ୍ନାଇରେ ରହିବ । ଖାଇବା ପିଇବା ସବୁଥିରେ ଅସୁବିଧା ହେବ । ମାଆ ତ ଗାଁ ଓ ବାପାଙ୍କୁ ଛାଡି ତା ସାଙ୍ଗରେ ଯାଇପାରିବନି । ମାଧବ କେବଳ ହସିଦେଇ ମାଆକୁ ଜୁହାର ହୋଇ ଚାଲିଆସିଥିଲା । ଚେନ୍ନାଇ ଆସିଲା ପରେ ମାଆର ଗୋଟି ଗୋଟି କଥା ତାକୁ ସତ ଲାଗିଲା । ମା ବହୁତ ମନେ ପଡୁଥିଲା । ତଥାପି କାମରେ ମନ ଦେଇ ନିଜକୁ ବ୍ୟସ୍ତ ରଖୁଥିଲା । ଦକ୍ଷିଣ ଭାରତୀୟ ରାଗ ଖାଦ୍ୟ ତାକୁ ରୁଚୁ ନଥିଲା । କିନ୍ତୁ ପେଟ ପୁରାଇବା ପାଇଁ ଖାଇ ଦେଉଥିଲା । ଏସବୁ ଦୁଃଖ ସେହିଦିନ ଦୂର ହେଲା ଯେଉଁ ଦିନ ଅଫିସ ବାହାରେ କ୍ୟାବକୁ ଅପେକ୍ଷା କରିଥିବା ବେଳେ ମଧୁ ସହ ତାର ଦେଖା ହୋଇଥିଲା ।


      ମଧୁମିତା ତା' ପାଖ ଅଫିସରେ କାମ କରେ। ପ୍ରଥମ ଦେଖାରେ ବନ୍ଧୁତା । ତାପରେ ଧୀରେଧୀରେ କେତେବେଳେ ପ୍ରେମ ହୋଇଗଲା ମାଧବ ଜାଣିପାରିଲାନି । ମଧୁ ବେଶୀ ଗୋରି ନହେଲେ ବି ଅତୀବ ସୁନ୍ଦରୀ ଥିଲା । ବନ୍ଧୁତା ହେବା ଦିନ ଠାରୁ ମାଧବ ପାଇଁ ନିଜ ହାତ ତିଆରି ଖାଦ୍ୟ ନେଇ ଆସୁଥିବା ମଧୁ ରୋଷେଇ କଳାରେ ବି ଧୂରୀଣ ଥିଲା । ମାଧବ ମନେ ମନେ ମଧୁକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇସାରିଥିଲା । କେବଳ ଘରେ ଜଣାଇବା ବାକି ଥିଲା । ପ୍ରଥମେ ସେ ନିଜ ସହକର୍ମୀ ଉମେଶକୁ ଜଣାଇଥିଲା । ମଧୁ କାହାକୁ ଜଣାଇବାକୁ ମନା କରିଥିଲେ ମଧ୍ୟ ସେ ଉମେଶକୁ ମନ କଥା କହିଥିଲ। । କିନ୍ତୁ ତା କଥା ଶୁଣି ଉମେଶ ଖୁସି ହେବା ପରିବର୍ତ୍ତେ ବ୍ୟସ୍ତ ହୋଇଉଠିଲା । ମାଧବକୁ ସନ୍ଧ୍ୟାରେ ତା ଘରକୁ ଆସିବା ପାଇଁ କହି ସେଠାରୁ ଚାଲିଗଲା । ମାଧବ କିଛି ବୁଝି ପାରୁନଥାଏ । ଅଫିସ କାମ ସାରି ସନ୍ଧ୍ୟାରେ ସେ ଉମେଶ ଘରକୁ ବାହାରିଲା।

  

    ଉମେଶ ଘରେ ଭାଉଜ ଓ ଉମେଶ ତାକୁ ପାଛୋଟି ନେଇଥିଲେ । ଅଲଗା କିଛି କଥା ନ ହୋଇ ଉମେଶ ତା ଆଗରେ ଫୋଟୋ ଅଲବମଟିଏ ରଖିଦେଲା । ମାଧବ କୌତୁହଳ ବଶତଃ ଅଲବମଟିକୁ ଖେଳେଇଲା । ଅଲବମ ଶେଷରେ ମଧୁର ଫୋଟୋ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ଉମେଶକୁ ପଚାରିବା ପୂର୍ବରୁ ସେ କହିବା ଆରମ୍ଭ କଲା ମଧୁ ସହ ତାର ସମ୍ପର୍କ ଥିଲା । କିନ୍ତୁ ତାଙ୍କ ଘରେ ମଧୁକୁ ଗ୍ରହଣ କରିନଥିଲେ ଓ ତାର ବିବାହ ହୋଇଯାଇଥିଲା । ଏହା ସହି ନପାରି ମଧୁ ଅଫିସ ଛାତରୁ ଡେଇଁ ଆତ୍ମହତ୍ୟା କରିଦେଇଥିଲା । ଉମେଶ କଥା ଶୁଣି ମାଧବର କାନ ମୁଣ୍ଡ ଝାଇଁ ଝାଇଁ ହୋଇଗଲା । ତେବେ ସେ କଣ ଏକ ଅଶରୀରିକୁ ଭଲ ପାଉଥିଲା । ସେହିଦିନ ଠାରୁ ସେ ଆଉ ମଧୁକୁ ଦେଖିନଥିଲା । ମଧୁମିତା ତା ଭଳି ଆଉ କାହାକୁ ଖୋଜୁଥିବ ଭାବି ମନକୁ ଶାନ୍ତ୍ୱନା ଦେଉଥିଲା ସତ କିନ୍ତୁ ସେ କାହିଁକି ଏପରି କରୁଛି ଏହି ପ୍ରଶ୍ନ ମାଧବର ପ୍ରତିଟି ମସ୍ତିଷ୍କ ତନ୍ତ୍ରୀକୁ ଦୋହଲାଇ ଦେଉଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Horror