ମୌସୁମୀର ଚିଠି
ମୌସୁମୀର ଚିଠି


ସମୟ ପ୍ରାୟ ଦନି ୧୧ଟା ହେବ।ଉଦାସ ମନରେ ଅଗଣାରେ ବସି ଖବର କାଗଜର ପୃଷ୍ଠା ଗୁଡିକ ଓଲଟଉ ଓଲଟଉ,ଡାକବାଲା ଆସି ଦୁଆର ମୁହଁରେ ଡାକ ଦେଲା ଚିଠି...ଚିଠି....ଚିଠି ନିଅନ୍ତୁ।ମୁଁ ବସିଥିବା ଜାଗାରୁ ଧଡପଡ ହୋଇ ଉଠି ଦୁଆର ମୁହଁକୁ ଅଣ ନିଃଶ୍ୱାସୀ ହୋଇ ଦୌଡି ଯାଇ ଡାକବାଲା ହାତରୁ ଚିଠିଟି ଆଣି,ବାରଣ୍ଡାରେ ପଡିଥିବା ଚୌକିରେ ବସି ପଢିବାକୁ ଲାଗିଲି।ସେଥିରେ ଲେଖାଥିଲା......
ପ୍ରିୟର ବାଦଲ,
ଆଶା କରେ ତୁମେ ବହୁତ ଭଲରେ ଥିବ।ତୁମେ ପ୍ରତ୍ଯେକ ମାସରେ ପଠାଉଥିବା ଚିଠି ଗୁଡାକ ମୁଁ ପାଉଛି ଓ ପଢି ଖୁସି ମଧ୍ଯ ହେଉଛି।ଏବେ କିଛି ଦିନ ହେଲା ତୁମ ପାଖକୁ ଚିଠି ଖଣ୍ଡେ ଲେଖିବି ଲେଖିବି ଭାବି ଲେଖି ପାରୁ ନ ଥାଏ।ତୁମେ ଗତ ଚିଠିରେ ଲେଖିଥିଲ ଯେ,ମୋ ବିନା ତୁମ ଯନ୍ତ୍ରଣା ଅସହ୍ଯ ଜର୍ଜରିତ ହୋଇ ପଡିଛି।ମୋର ଅନୁପସ୍ଥିତି ତୁମ ଜୀବନକୁ ମରୁ ମରିଚିକାରେ ପରିଣତ କରି ଦେଉଛି ଶୁଣି, ମୁଁ ବହୁତ ଦୁଃଖ ଅନୁଭବ କଲି ଓ ନିଜକୁ ନିଜେ ଦୋଷୀ ସାବ୍ଯସ୍ତ ବି କଲି।ବେଳେ ବେଳେ ତୁମେ ମୋ କଥା ଭାବି କୁଆଡେ ବିରକ୍ତି ପ୍ରକାଶ କର,ମୁଁ ଜାଣେ ନିଶ୍ଚୟ କରୁଥିବ।ନ କରିବ ବା କାହିଁକି?ତୁମ ପାଖରୁ ଆସିବା ଦିନରୁ ମୁଁ ତୁମର କୌଣସି ଠିକଣା ବି ରଖିପାରୁ ନାହିଁ।ବେଳେ ବେଳେ ତୁମେ ମୋର ଆସିବା କଥା ପାହାଡ,ପବନ,ଆକାଶ ଏବଂ ଚନ୍ଦ୍ରକୁ ବି ପଚାରିବାକୁ ଭୂଲି ନ ଥାଅ।ଏ ସବୁ ମୁଁ ଜାଣିପାରୁଛି ।ତମେ ମୋତେ ପାଇବାକୁ ଯେତିକି ବ୍ଯସ୍ତ ବିବ୍ରତ ହେଉନ,ତୁମକୁ ନଦୀ ,ପୋଖରୀ,ଗାଡିଆ ଆଉ ପ୍ରଚଣ୍ଡ ରୌଦ୍ରରେ ଝାଉଁଳି ପଡିଥିବା ବୃକ୍ଷଲତା ମାନଙ୍କର ଅସମାହିତ ପ୍ରଶ୍ନ ତୁମକୁ ବ୍ଯଥିତ କରୁଥିବ ଜାଣି ଆହୁରି ଦୁଃଖ ଲାଗେ।ବହୁତ ଦିନ ତଳେ ତୁମ ସହ ଦେଖା ହୋଇଥିଲା,ସିଏ ପୁଣି ଅଳ୍ପ ସମୟର ତୁମ ମନର ଅକୁହା କଥାକୁ କହିବାକୁ ମୋତେ ଅଧିକ ସମୟ ମାଗିଥିଲ,କିନ୍ତୁ ମୁଁ ମୋର ଲେଉଟିବାର ବିଳମ୍ବ ହୋଇଯିବ ଭାବି ତୁମେ ଅନୁରୋଧ ରଖିପାରିଲିନି ଓ ମୋ ଜାଗାକୁ ଫେରି ଆସିଲି।ଜାଣେ ଆସିଲା ବେଳେ ଶରତ ସଂନ୍ଧ୍ଯାଟା ମୋତେ ବାରବାର ମନା କରୁଥିଲା ଓ ଗଲା ବେଳେ ମୁଁ ବି ବହୁତ ଲୁହ ଝରାଇ ବିଦାୟ ନେଇଥିଲି।କଣ କରିବି କୁହ ମୋତେ ବି ବହୁତ ଦୂରକୁ ଯିବାର ଥିଲା ନା।ମୋ ଦେଶ ପରା ଆରବ ଦେଶ।ମୁଁ ତୁମ ଦେଶକୁ ବରଷକୁ ଥରେ ପରଦେଶୀ ଭଳି ବୁଲି ଆସେ,ଆଉ ସେହି ରହଣି ସମୟରେ ହିଁ ତୁମର ମୋର ଭାବ ଦିଆନିଆ।ଆଉ ମନ ଦୁଃଖ କରନି ମୋ ଧନଟା ପରା ତୁମେ ଯଦି ବୁଝିବନି ,ତା ହେଲେ ତୁମେ କେମିତି କାହାକୁ କଣ କହି ବୁଝାଇବ।ହଁ ଶୁଣ ମୁଁ ଆଉ ଦୁଇ ଦିନ ପରେ ଏଇଠୁ ବାହାରୁଛି।ଯେତେବେଳେ ଆଣ୍ଡମାନ ଓ କେରଳ ଛୁଇଁବି,ମୁଁ ନିଶ୍ଚୟ ତୁମର ଜାଣିବା ପାଇଁ ତୁମ ନିଦରନ୍ମିଳିତ ଚକ୍ଷୁରେ ପାଣି ଟିକିଏ ସିଞ୍ଚି ଦେଇ ତୁମ ସହ ପୁଣି କିଛି ଦିନ ଲୁଚକାଳି ଖେଳିବି।ସେତିକି ବେଳେ ତୁମେ ହୁଏ ତ ମୋ ଉପରେ ପୁଣି ଥରେ ରାଗିପାର,ମୁଁ ଜାଣେ କିନ୍ତୁ କଣ କରିବି ତୁମ ସହ ଏମିତି ଟିକେ ଥଟ୍ଟା ପରିହାସ ନ କଲେ ମୋତେ ବି ଭଲ ଲାଗେନି ନା।
ଆଉ ତୁମେ ଜାଣିବାକୁ ଚାହୁଁଥିବ ନା ମୁଁ ତୁମ ଅଞ୍ଚଳରେ କେବେ ଓହ୍ଲାଇବି?ମୁଁ .....ମୁଁ .....ନା ତୁମ ଅଞ୍ଚଳରେ ଜୁନ୍ ୧ମ ସପ୍ତାହ ଶେଷ କିମ୍ବା ୨ୟ ସପ୍ତାହରେ ନିଶ୍ଚୟ ପହଞ୍ଚିବି ।ଆଉ ମୁଁ ପହଞ୍ଚିଲା ପରେ ଦୁହେଁ ମିଶି ବହୁତ ଶବ୍ଦ କରି ଦୂର ପାହାଡରେ ଯାଇ ବସିବା।ସବୁଜ ଗଛଲତା ସହ ମିତ ବାନ୍ଧିବା।ଖାଲି ଆମ୍ଭେ ଦୁହେଁ ବୁଲିବାନି ସାଥିରେ ତୁମ ସେ ଗେଲ୍ହା ଭଉଣୀ ବିଜୁଳିକୁ ବି ଧରି ବୁଲିବା।ବେଳେ ବେଳେ ଲୋକଙ୍କୁ ଖୁସି ଦେଉଥିବା,ଏବଂ ଆମ ବୁଲାବୁଲି ଅଧିକ ହୋଇଗଲେ ଲୋକଙ୍କଠୁ ଗାଳି ମଧ୍ଯ ଖାଉଥିବା।ଭାରି ମଜା ମଧ୍ଯ ଲାଗିବ ନା?ନିଶ୍ଚୟ ଦୁହେଁ ପ୍ରକୃତିର ସୌନ୍ଦର୍ଯ୍ଯକୁ ବହୁତ ଉପଭୋଗ କରିବା।ହେଉ ହେଉ ମୁଁ ଅଧିକ କିଛି ଲେଖୁନି ନ ହେଲେ ତୁମ ଉତ୍କଣ୍ଠା ସୀମା ପାର ହୋଇଯିବ ଆଉ ମୋର ବିଳମ୍ବ ହୋଇଗଲେ ତୁମେ ବି ରାଗରେ ତିଳକୁ ତାଳ କରି ପୁଣି ମୋ ଉପରେ ଅଭିମାନ କରିବ।ବାକି ତୁମର ଅକୁହା କଥା ମୋତେ ଆସିଲେ କହିବ,ରହୁଛି।
।।ଇତି।।
ତୁମର ପ୍ରାଣ ପ୍ରିୟା
ମୌସୁମୀ