ମାଉସୀ
ମାଉସୀ


ମା' ଶବ୍ଦ ପରେ ପୃଥିବୀରେ ଯଦି ଆଉ କିଛି ମିଠା ଶବ୍ଦ ଅଛି ତାହା ହେଉଛି "ମାଉସୀ"।
ସାଧାରଣତଃ ଆମେ ମା'ଙ୍କ ଭଉଣୀକୁ ମାଉସୀ ବୋଲି କହିଥାଉ।
ହିନ୍ଦୀ ଭାଷାରେ ମାଉସୀ କୁ ମାସି କୁହାଯାଏ ।ମାସି ଶବ୍ଦକୁ ହିନ୍ଦୀ ଭାଷାରେ ବିନ୍ୟାସ କଲେ କିଛି ଏମିତି ହେବ।ମାସି =ମା +ସି(ପରି)।
ଅର୍ଥାତ ମାଉସୀ ଠିକ ମା'ପରି।
କେଜାଣି କେଉଁ ଅନନ୍ତ କାଳରୁ ମାଉସୀ ସ୍ନେହ ,ପ୍ରେମ,ଓ ଭଲ ପାଇବାର ମୃତିମନ୍ତ ପ୍ରତୀକ ହୋଇ ଠିଆ ହୋଇଛି।ମାଉସୀ ଶବ୍ଦରେ ଆପଣେଇ ନେବାର ମାଧୁର୍ଯ୍ୟ ଥାଏ।ସେଇଥିପାଇଁ ତ ଆମେ ଆମ ମା ବୟସର ଯେ କୌଣସି ଅଚିହ୍ନା ମହିଳାକୁ ବି ମାଉସୀ ଡାକିଦେଉ।
ମାଉସୀ ଡାକ ସତେ ଅବା ସର ଲବଣି ବୋଳା ପିତୁଳାଟିଏ।
ଯାହାକୁ ଆମେ ମାଉସୀ ବୋଲି ଡାକିଥାଉ ସେ ମଧ୍ୟ ନିଜର ସନ୍ତାନବତ୍ ଆମକୁ ସ୍ନେହବୋଳା ଆଖିରେ ଦେଖିଥାଏ।
ମା ପରେ ଯଦି ଆମକୁ କିଏ ନିସ୍ୱାର୍ଥଭରା ସ୍ନେହ ଦେଇଥାଏ ସେ ହେଉଛି ମାଉସୀ।ଠିକ ମା ପରି ମାଉସୀ ଆମର ଯତ୍ନ ନେଇଥାଏ।
ମାଉସୀ ସହିତ ଆମ ସମ୍ପର୍କ ଖୁବ ମଧୁର ଓ ଭାବପୂର୍ଣ।ମାଉସୀ ର କୋଳ ଶୀତଳ ,ତା ଆଖିରୁ ଅନବରତ କରୁଣା ବର୍ଷା ହେଉଥାଏ।
ମାଉସୀ ଆମକୁ କୋଳରେ ଲଗାଇଲେ ଠିକ ମା'ର କୋଳପରି ତ ଲାଗେ।ମାଉସୀ ମା ପରି କାହାକୁ ପାତର ଅନ୍ତର ମଧ୍ୟ କରେନି।
ଆମର ଅଳି-ଅର୍ଦ୍ଦଳି ଠିକ ମା ପରି ଶୁଣେ ଓ ତାର ସମାଧାନ କରେ।
ମାଉସୀ କୁଆଁରୀ ଥିଲାବେଳେ ଆମକୁ ଯେତିକି ସ୍ନେହ କରେ ବିବାହ କରି ନିଜସ୍ୱ ସନ୍ତାନପ୍ରାପ୍ତି ପରେ ମଧ୍ୟ ଆହୁରି ଭଲ ପାଇବାଦିଏ କାରଣ ସେ ତାର ନିଜ ସନ୍ତାନ/ସନ୍ତତି ଜନ୍ମ ଦେବା ଆଗରୁ ଆମକୁ ଜନ୍ମ କଲା ମା ପରି ପାଳନ କରିଥାଏ।ମାଉସୀର ସ୍ଥାନ କେହି ନେଇ ପାରିବେ ନାହିଁ କି ତାହାର ତୁଳନା ନାହିଁ।
ସେଥିପାଇଁ ବୋଧହୁଏ କେତେକ କ୍ଷେତ୍ରରେ ଯଦି କେଉଁ ପିଲାର ମା କୌଣସି କାରଣରୁ ମୃତ୍ୟୁ ବରଣ କରନ୍ତି ଓ ପିଲାଗୁଡା ଛୋଟ ଛୋଟ ଥାନ୍ତି,ତେବେ ଅଜଣା ଝିଅ ସାଥେ ଉକ୍ତ ପିଲା ଅବା ପିଲା ମାନଙ୍କ ବାପାକୁ ଦ୍ୱିତୀୟ ବିବାହ କରାଇଲେ, କାଳେ ସେ ଅଜଣା ଝିଅଟି ପିଲା ଗୁଡାକୁ ନିର୍ଯାତନା ଦେବ ଓ ସାବତ ମା ସାଯିବ ସେହି ଭୟରେ ପରିବାରର ବୟୋଜ୍ୟେଷ୍ଠ ମାନେ ଛୁଆର ମାଉସୀ ସହିତ ମା ଛେଉଣ୍ଡ ଛୁଆଙ୍କ ପିତାର ବିବାହ କରାଇବା ବୁଦ୍ଧିମତାର ପରିଚୟ ବୋଲି ଭାବନ୍ତି।ମାଉସୀ ଯଦି କୁଆଁରୀ ଥାଏ ନିଜ ଭଉଣୀର ଦେହାନ୍ତ ପରେ ଏହି ପଦବୀକୁ ସ୍ୱୀକାର କରିବାକୁ କୁଣ୍ଠାବୋଧ ନକରି ଆନନ୍ଦରେ ସ୍ୱୀକାର କରେ।କିନ୍ତୁ ଆଜିର ସମୟରେ ସେ ତ୍ୟାଗ ପ୍ରାୟ ଦେଖା ଯାଉନି।
ମାଉସୀ କୋମଳତାର ପରିଚୟ ।ମାଉସୀ ଆମକୁ ନିରବଚ୍ଛିନ୍ନ ଆନନ୍ଦ ଦେବାର ସ୍ରୋତସ୍ୱନୀ ,ନିର୍ଝରଣୀ ଗଙ୍ଗା ଅଟେ।ସତେ ଯେମିତି ମାଉସୀ ପିଠିକୁ ଆଉଁସିଦେଲେ ଆମକୁ ଗହଳିଆ ନିଦ ଆସିଯାଏ।ମାଉସୀକୁ ସେଥିପାଇଁ ବୋଧହୁଏ ନିଦକୁ ମାଉସୀ ସହ ତୁଳନା କରାଯାଇଛି।କୁନି କୁନି ଅଝଟିଆ ପିଲା କାନ୍ଦିଲାବେଳେ ମାଉସୀମାନେ କାନ୍ଦ ବନ୍ଦ କରାଇବା ପାଇଁ ଅନେକ କୌତୁକ କରନ୍ତି।କେତେବେଳେ ଚଢେଇ ପରି ଶବ୍ଦ କରନ୍ତି ତ କେତେବେଳେ ବିଭିନ୍ନ ଯାନବାହନର ଶବ୍ଦ କରନ୍ତି ଆଉ କେତେବେଳେ ଜଙ୍ଗଲର ପଶୁ ମାନଙ୍କ ଶବ୍ଦ କରି ଧ୍ୟାନ ଆକର୍ଷଣ କରନ୍ତି।ସେଥିପାଇଁ ବୋଧହୁଏ ବିଲେଇ ପରି ମ୍ୟାଉଁ ମ୍ୟାଉଁ କରି ପିଲାଙ୍କୁ ଆମୋଦିତ କରୁଥିବାରୁ ପୁସି ବିଲେଇକୁ ମାଉସୀ ସହିତ ତୁଳନା କରାଯାଇଛି।
ହା ହା ହା ...କେଜାଣି କାହିଁକି
ଖରା ଛୁଟିରେ ମଧ୍ୟ ପିଲାମାନେ ମାମୁଁ ଘର ସଙ୍ଗେ ସଙ୍ଗେ ମାଉସୀ ଘରକୁ ଯିବାକୁ ପସନ୍ଦ କରନ୍ତି।ମାଉସୀ ଅନେକ ସୁଆଦିଆ ବ୍ୟଞ୍ଜନ ରାନ୍ଧି ଆମକୁ ଖୁଆଇଥାଏ।ଆମ ମନର ପସନ୍ଦ ମା ପରେ ଆଉ କିଏ ବା ଅଧିକ ଜଣିଛି ??
ମହାପ୍ରଭୁ ନିଜେ ପରା ସେଇଥିପାଇଁ ଘରଣୀ ସହ ଝଗଡା କରି ଭାଇ ଭଉଣୀଙ୍କୁ ଧରି ମାଉସୀ ଘରକୁ ନଅ ଦିନ ପାଇଁ ପଳାଇଆସନ୍ତି।ମନ ଭରି ଅନ୍ନ ବ୍ୟଞ୍ଜନ ଖାଆନ୍ତି।ମାଉସୀର ହାତ ତିଆରି ପୋଡ଼ପିଠା ମହ ମହ ବାସି ଉଠେ।ଲକ୍ଷ୍ମୀଙ୍କ ରାନ୍ଧଣା ମଧ୍ୟ ଫିକା ପଡ଼ିଯାଏ ସେ ନଅ ଦିନ।ମାଉସୀ ଆମକୁ ସମସ୍ତ ବିପଦ ଆପଦରୁ ରକ୍ଷା କରି ଅଭୟ ପ୍ରଦାନ କରିଥାଏ।
କିମ୍ବଦନ୍ତୀରୁ ଜଣାଯାଏ ବହୁ ବର୍ଷ ପୂର୍ବରୁ ପୁରୀ ବଡଦାଣ୍ଡଟି ମାଳିନୀ ନଦୀ ଦ୍ବାରା ଦୁଇ ଭାଗରେ ବିଭକ୍ତ ହୋଇଥିଲା। ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତି ୩ଟି ରଥରେ ଆସି ନଦୀ ନିକଟରେ ରହୁଥିଲେ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୌକାରେ ନଦୀ ପାର କରାଯାଇ ଆରପଟକୁ ନିଆଯାଉଥିଲା। ଏହି ନବ ଦିନାତ୍ମକ ଯାତ୍ରାର ରଥ ଅଦଳବଳଦରେ ୬/୭ ଦିନ ସମୟ ଲାଗୁଥିଲା। ଏହି ଅସୁବିଧାକୁ ଦେଖି ମହାପ୍ରଭୁଙ୍କ ମାଉସୀ ଅର୍ଦ୍ଧାସନୀ ଦେବୀ ମାଳନୀ ନଦୀକୁ ଶୋଷି ଦେଉଥିଲେ।ସେଥିପାଇଁ ଏହାକୁ ଅର୍ଦ୍ଧାଶନୀ ବା ଅଦ୍ଧଶୋଷିନୀ ବୋଲି ମଧ୍ୟ କୁହାଯାଏ।
ମାଉସୀର ସ୍ନେହ ମୁଁ ପାଇନି କାରଣ ମୋ ବୋଉ, ତା ବାପା-ମା ଙ୍କର ଗୋଟିଏ ଝିଅ ଥିଲା। ଅନ୍ୟ ମାନଙ୍କ ମାଉସୀକୁ ଦେଖିଲେ ମୁଁ ସ୍ନେହ କାଙ୍ଗାଳ ହୋଇଉଠେ।ସାଙ୍ଗ ମାନେ ତାଙ୍କ ମାଉସୀ କଥା କହନ୍ତି ଓ ମାଉସୀ ଘରକୁ ବୁଲିବାକୁ ଯାନ୍ତି। ସେ ସୁଯୋଗରୁ ମୁଁ ବଞ୍ଚିତ ହୁଏ।
ସବୁ ବର୍ଷ ରଥଯାତ୍ରା ଆସେ ମହାପ୍ରଭୁ ମାଉସୀ ଘରକୁ ଯାଆନ୍ତି ଆଉ ମୋର ସବୁଥର ପରି ହୃଦୟଙ୍ଗମ ହୁଏ ,ମୋର ନିଜର ମାଉସୀ ନାହିଁ।