Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyanarayan Sahoo ( Nitu )

Romance

3  

Satyanarayan Sahoo ( Nitu )

Romance

ମାଟିର ମୋହ

ମାଟିର ମୋହ

6 mins
67



ମହମ ପରି ତରଳି ଯାଉଥାନ୍ତି ସେ l ତରଳି ଯାଉଥାଏ ତାଙ୍କ ଜୀବନ ଦର୍ଶନର ତୁଙ୍ଗ - ଶକ୍ତଶୃଙ୍ଗ!! ପ୍ରବଳ ଆବେଗ ଉଚ୍ଛ୍ଵାସ ପୂର୍ଣ୍ଣ ତାଙ୍କର ଚିନ୍ତା ଓ ଚେତନା ଲୋଟି ପଡ଼ୁଥାଏ ସେହି ରାଧାକୃଷ୍ଣଙ୍କ ଯୁଗଳ ପଦାରବିନ୍ଦ ରେ l ସେ ଖସି ଯାଉଥାନ୍ତି ତଳକୁ ତଳକୁ ଏକ ସ୍ବପ୍ନିଳ ଆବେଗର ମୋହମାୟା ସ୍ରୋତରେ l ସେ ଯେ ପାଦ ଥାପିବାକୁ ଚେଷ୍ଟା କରୁ ନଥାନ୍ତି ଏୟା ନୁହଁ, ବରଂ ପ୍ରତ୍ୟେକ ପଦ ପାତରେ ଥିଲା ପ୍ରବଳ ପିଚ୍ଛିଳତା l ସେ ସୁଅର ପ୍ରତିଟି ଦେହରେ ଲହଡ଼ା ଭାଙ୍ଗୁଥାଏ ଏଡି ଦେଇ ହେଉନଥିବା ନିତାନ୍ତ ଅନ୍ତରଙ୍ଗ ଆମନ୍ତ୍ରଣର ମୋହ l ସେଥିପାଇଁ ତ ସେଇ କୁନି କୁନି ରାଧାକୃଷ୍ଣଙ୍କ ପାଦ ତଳେ ଖୁବ୍ କରୁଣ ଦିଶନ୍ତି ସେ....

        

ସେ ସଦାଶିବ....ସଦାଶିବ ଛୋଟରାୟ l ବିଶ୍ଵ ବିଦ୍ୟାଳୟର ଦର୍ଶନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ l ଦର୍ଶନକୁ ନେଇ ତାଙ୍କର ଜୀବନ l ତାଙ୍କ ଜୀବନର ପ୍ରତ୍ୟେକ ପୃଷ୍ଠାରେ ଦର୍ଶନର ବଳିଷ୍ଠ ଥିଓରି ପ୍ରତିପାଦିତ l ମାତ୍ର ପ୍ରତ୍ୟେକ ଦିନ ଜୀବନର ଏହି ଛନ୍ଦରେ ସେ ଆଜି ଭଳି ଖୁବ୍ ବେସୁରା ଲାଗନ୍ତି l ଶହ ଶହ ଛାତ୍ରଛାତ୍ରୀଙ୍କୁ ଦର୍ଶନର ଜଟିଳତମ ଉପପାଦ୍ୟ ବଖାଣୁଥିବା ପ୍ରବିଣ ପ୍ରାଧ୍ଯାପକ ଜଣକ ନିଜ ଜୀବନ ଦର୍ଶନ ଆଗରେ ଅବୁଝା ହୁଅନ୍ତି l ଖୁବ୍ ସହଜ ଏବଂ କରୁଣ ଭାବରେ ନିଜ ପାଖରେ ନିଜେ ହାରିଯାନ୍ତି l ତାଙ୍କର ଏ ଶୋଚନୀୟ ପରାଜୟ ତାଙ୍କୁ ବ୍ୟତିବ୍ୟସ୍ତ କରିପକାଏ l ତାଙ୍କ ବଳିଷ୍ଠ ଚେତନାରେ ଦାଗ ଲାଗିଯାଏ l ଅନୁଶୋଚନା ର ଦାଗ! କ୍ଷୋଭ ଓ ବିକ୍ଷୁବ୍ଧତାର ଦାଗ !! ତଥାପି ସେ ଜ୍ଞାତ ବା ଅଜ୍ଞାତରେ ଭାସିଯାନ୍ତି ସେ ସ୍ରୋତର ମୋହରେ l


ଠାକୁର ଘରେ ପ୍ରବେଶ କଲେ ସଦାଶିବ l ହାତରେ ଫୁଲ l ହୃଦୟରେ ପୁଲକିତ ନିର୍ଲିପ୍ତ ଚେତନା l ତାଙ୍କର ପ୍ରତି ଲୋମ କୂପରେ ଉଙ୍କି ମାରୁଥାଏ ପବିତ୍ରତାର ସୁଗନ୍ଧ l ତାଙ୍କର ସାରା ଚେତନାକୁ ଉଚ୍ଚାଟ ରୋମାଞ୍ଚିତ କରି ତୋଳୁଥାଏ ଏକ ବିହ୍ୱଳିତ ଭକ୍ତିଭାବ l ସତେ ଯେମିତି ସେ ଭାସି ଯାଉଥାନ୍ତି ଅନବଦ୍ୟ ଆଧ୍ୟାତ୍ମ ସ୍ରୋତରେ l ସେ ଆସନରେ ବସିଲେ l ରାଧାକୃଷ୍ଣଙ୍କୁ ଅର୍ପଣ କଲେ ଶୁଭ୍ର ରଜନୀଗନ୍ଧା l ରାଧାକୃଷ୍ଣଙ୍କ ଆଖିରେ ଆଖି ମିଶାଇଲେ l ଛଅଟି ଚକ୍ଷୁର ମିଳନ ହେଲା l ଏଇଠି ବହିଗଲା ଝଡ଼ l ସତେ ଯେମିତି ଚିର କୁମାର ଦେବବ୍ରତଙ୍କ ଚିତ୍ତ ଦୋହଲି ଗଲା l ଉଜୁଡ଼ି ଗଲା ପୋଥି ପୋଥି ଦର୍ଶନର ଦମ୍ଭ ! ସଦାଶିବଙ୍କ ଆତ୍ମିକ ସ୍ତରରେ ସଞ୍ଚରିଗଲା ଏ ମହାସ୍ରୋତର ଲୁଣି ଜୁଆର !! ରାଧାକୃଷ୍ଣଙ୍କ କଟାକ୍ଷରେ ଶତକଣା ହେଲା ତାଙ୍କ କଲିଜା l ସେ ଛଟପଟ ହେଲେ ଗଭୀର ଅର୍ନ୍ତବେଦନାରେ l ଶେଷରେ ପରାଜୟ... ଶୋଚନୀୟ ପରାଜୟ l ପୁଣି ସେହି ପ୍ରବାହମାନ ସ୍ରୋତରେ ଅତୀତକୁ ଅବଗାହନ କରନ୍ତି ସଦାଶିବ ଛୋଟରାୟ..... ।


ସେଦିନ ରିତୁ ଅପା ଏହି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଟି ଆଣି ତାଙ୍କ ବାଡ଼ି ପଟ ଲିଚୁଗଛ ମୂଳକୁ ସଦାକୁ ଡାକିଲେ l ନିଛାଟିଆ ଦେଖି ସଦାକୁ ନିଜର କୋମଳ ଛାତିରେ ଜାବୁଡ଼ି ଧରିଲେ l ପିଲାଦିନେ ବୋହୁ ବୋହୁକା ଖେଳିବାବେଳେ ସେ ବୋହୁ ହୋଇ ଏମିତି ସଦାକୁ ଜାବୁଡ଼ି ଧରୁଥିଲେ l ସଦା ଜମା ପ୍ରତିବାଦ କରୁନଥିଲେ l କିନ୍ତୁ ଏବେ ସମୟ ବଦଳିଛି, ତା ସହ ବଦଳିଛି ସେମାନଙ୍କର ଇତିହାସ ଓ ଭୂଗୋଳ... I ଆଜିକୁ ପ୍ରାୟ ଦୁଇ ବର୍ଷ ହେବ, ଗାଁ ସ୍କୁଲ ଛାଡ଼ିବା ଦିନୁ ଅପା ସହ ସଦାର କଥାବାର୍ତ୍ତା ବି ହୋଇନି l ତେଣୁ ଅପାଙ୍କର ଏପରି ପାଗଳାମୀ ତାଙ୍କୁ କେମିତି ଅଡ଼ୁଆ ଲାଗିଲା l ଅପାଙ୍କ ବାହୁ ବେଷ୍ଟନୀରୁ ଖସି ଯିବାକୁ ଚେଷ୍ଟା କଲେ ସେ l ଅପା କିନ୍ତୁ ଜମା ଛାଡିଲେନି l ଆହୁରି ଜୋର୍ ରେ ଭିଡ଼ି ଧରି ଆଖି ନଚେଇ ହସିଲେ l ଏ ହସ ବୋହୁ ବୋହୁକା ଖେଳର ହସ ଠାରୁ ପୁରା ଅଲଗା ଲାଗିଲା ସଦାକୁ l ସେ ଖାଲି ବୋକାଙ୍କ ପରି ଚାହିଁ ରହିଥାନ୍ତି l ଅପା ତାଙ୍କୁ ପାଖ କଦଳୀବଣ ଭିତରକୁ ଟାଣି ନେଲେ l ତାଙ୍କ କାନରେ ଫିସ୍ ଫିସ୍ କରି କହିଲେ - '' କିରେ ଡରକୁଳା ଦର୍ପଣରେ ନିଜ ମୁହଁ ଦେଖିଛୁ? ତୋର ପରା ନିଶ ବାହାରିଲାଣି ! '' ଅପାଙ୍କ କଥାରେ ଲାଜେଇ ଗଲେ ସଦାଶିବ..... I ଅପା ଗଲାବେଳେ କୁନି ଯୁଗଳ ମୂର୍ତ୍ତି ଟା ସଦା ହାତରେ ଦେଇ କହିଲେ - '' ଏଇଟିକୁ ରଖିଥିବୁ l ବୋକା କୋଉଠି କାର, କିଛି ଜାଣିନି ଯେମିତି l '' ଅପାଙ୍କ ଓଠରେ କିଛି ଗୋଟେ ବଡ଼ ବାଜି ଜିତି ଯାଇଥିବାର କୁଟିଳ ଓ ତୃପ୍ତ ହସ ବେଶ ଅନୁମାନ କରୁଥିଲେ ସଦାଶିବ l ସେଦିନ ଏକ ଅଜଣା ଆଶଙ୍କାରେ ନରମି ଯାଇଥିଲେ ସଦାଶିବ l ଏହାପରେ ସେ ଅତିବେଶୀରେ ଅପାଙ୍କୁ ଦୁଇ ତିନି ଥର ଭେଟିଛନ୍ତି କଦଳୀ ବଣରେ l ହେଲେ ସବୁଥର ଅପାଙ୍କ ବାଧ୍ୟ ବାଧକତାରେ l


ରିତୁ ଅପା ତାଙ୍କ ଗାଆଁ ହରି ସାର୍ ଙ୍କ ଝିଅ l ସଦା ଠାରୁ ରିତୁ ଦୁଇ ବର୍ଷ ବଡ଼ ହେଲେ ହେଁ ଦୁହେଁ ଏକା କ୍ଲାସରେ ପଢୁଥିଲେ l ସେଥିପାଇଁ ସଦା '' ରିତୁ ଅପା'' ବୋଲି ଡାକନ୍ତି l

କେଇଦିନ ପରେ ସଦା ଶୁଣିଲେ ରିତୁ ଅପାଙ୍କର ବାହାଘର ଠିକ୍ ହୋଇ ଯାଇଛି l ତାପରେ ତାକୁ ଆଉ କେବେ କଦଳୀ ବଣରେ ଭେଟିବାକୁ ଅପା ବାଧ୍ୟ କରି ନାହାନ୍ତି l


ସେଦିନ ବେଦୀ ଉପରେ ରିତୁ ଅପା ଏବଂ ନକୁଳ ଭାଇଙ୍କୁ ଦେଖି କାହିଁକି କେଜାଣି ଭାରି ରାଗ ଲାଗୁଥିଲା ସଦାଙ୍କୁ l ଛାତି ଭିତରେ ଏକ ଅଜଣା ଶୂନ୍ୟତା ମାଡ଼ି ବସୁଥିଲା ଯେମିତି..... I ଇଚ୍ଛା ହେଉଥିଲା ସେ ଯୁଗଳ ମୂର୍ତ୍ତି ଟି ଆଣି ଅପା ସାମ୍ନାରେ କଚାଡ଼ି ଦେବାକୁ l

ଅପା ଶାଶୁ ଘର ଚାଲି ଯିବା ପରେ ଆଉ ଗାଆଁକୁ ଯିବାକୁ ସଦାର ମନ ଲାଗୁ ନଥାଏ l ଥରେ ଫାଇନାଲ ପରୀକ୍ଷା ଥିବା ସତ୍ତ୍ଵେ ଅପା ଗାଁକୁ ଆସିଥିବା ଖବର ପାଇ ସଦା ଗାଆଁକୁ ଆସିଥାନ୍ତି l ରିତୁ ଅପା ତାଙ୍କ ଘରକୁ ବୁଲି ଆସିଥିଲେ l ପାଖରେ ସଦା ର ବୋଉ ଥାନ୍ତି l ରିତୁ ଅପାଙ୍କୁୈଙ୍କୁ ପାଖରେ ଦେଖି ସଦା ଗୋଟାପଣେ ଲାଜରେ ପଖାଳି ହୋଇଯାଉଥାନ୍ତି l ଅଥଚ ଅପା ବେଶ୍ ଶାନ୍ତ ଓ ମାତୃତ୍ୱ ପୂର୍ଣ୍ଣ ସ୍ଵରରେ କହିଲେ - '' କିରେ ସଦା, ପଢ଼ାପଢ଼ି କେମିତି ଚାଲିଛି? ଏଥର ଫାଇନାଲ ପରୀକ୍ଷାଟି.. ଭଲରେ ପଢ଼ାପଢ଼ି କର l'' ସଦା ବୁଝି ପାରିଲେନି ଅପାଙ୍କ ଏଇ ଭାଷା ସ୍ନେହର ନା ପ୍ରେମର...? କାରଣ ଅପାଙ୍କ ଉଚ୍ଚା ଉଚ୍ଚା ପେଟ ଏବଂ ପାଣ୍ଡୁର ମୁଖ ମଣ୍ଡଳ ଦେଖି ତାଙ୍କ ଭିତରେ କେମିତି ଉଦାସୀନତା ଭରି ଯାଉଥିଲା l


ଧୀରେ ଧୀରେ ରିତୁ ଅପା, ଓ କଦଳୀବଣ ସଦାର ସ୍ମୃତି ଆଇନାରେ ଫିକା ପଡ଼ି ଆସିଲା l ରିତୁ ଅପା କୁ ଯେତେ ମନେପକାଇଲେ ବି ଆଉ ନିଜ ଭିତରେ ଅନୁଭବ କରି ପାରୁ ନଥାନ୍ତି ସଦାଶିବ ଆଉ ରାଧାକୃଷ୍ଣଙ୍କ ଏହି ଯୁଗଳ ମୂର୍ତ୍ତିଟି ଅପାଂକ୍ତେୟ ହୋଇ ପଡ଼ି ରହିଥାଏ ସଦାଶିବଙ୍କ ଷ୍ଟଡିରୁମ୍ ରେ l 


ସଦା ଏଥର ବିଶ୍ଵ ବିଦ୍ୟାଳୟରେ ଭର୍ତ୍ତି ହେଲେ l ରିତୁ ଅପାର ଚୁମ୍ବନ... ଆଲିଙ୍ଗନକୁ ପଛରେ ପକାଇ ତାଙ୍କ ପରିଚୟ ଲମ୍ବି ଗଲା ସୁଚରିତା ଯାଏଁ l ନିଜ ଅଜାଣତରେ ସମ୍ପର୍କର ଚେର ଏମିତି ଏକ ଖିଆଲି ଢଙ୍ଗରେ କାହିଁ କେତେଦୂର ଲମ୍ବିଯାଏ l କିଛି ସମୟ ପରେ ମହାଦ୍ରୁମକୁ ଧରି ରଖିବାର ଦମ୍ଭ ନେଇ ଦାବି କରି ବସେ l କିନ୍ତୁ ପୁଣି ଗୋଟାଏ ଅଦିନ ଝଡ଼ରେ କଡ଼ମଡ଼ ହୋଇ ହାମୁଡି ପଡ଼େ ମାଟିର ଛାତିରେ l ଜୀବନ ବ୍ୟତିବ୍ୟସ୍ତ ହୁଏ, ଲେପ୍ଟେଇ ପଡ଼େ ଏପଟ ସେପଟ ହୋଇ, ଅଦିନ ବାଆରେ ଧାନ ଗଛ ଉଜୁଡ଼ି ଗଲା ପରି l 

ସେଦିନ ଜୀବନର ଗୋଟିଏ ମୁହାଣରେ ଲେପ୍ଟେଇ ପଡିଥିଲେ ସଦା ଓ ସୁଚରିତା l ସେମାନଙ୍କ ପ୍ରଥମ ମିଳନରେ ସଦା ଏଇ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଟି ଉପହାର ଦେଇଥିଲେ ସୁଚରିତାକୁ l ରିତୁ ଅପା ଯାହା ଶିଖେଇ ନଥିଲେ ତା ଠାରୁ ଅନେକ ଅଧିକ ଶିଖେଇଲା ସୁଚରିତା l କେବଳ ଜୀବନ ଦର୍ଶନ ନୁହେ, ଇତିହାସ... ଭୂଗୋଳ.. ଓ ଅନେକ ଅଜବ ଅଭିଧାନର ନୂଆ ନୂଆ ଶବ୍ଦ... I ବେଶ୍ ବୁଝି ଯାଉଥିଲେ ସଦାଶିବ l 


ପାଠ ପଢା ସାରି ଘରେ ଦୁଇ ବର୍ଷ ବେକାର ହୋଇ ବସିବାକୁ ପଡିଲା ସଦାଶିବଙ୍କୁ l ଏଇ ଦୁଇ ବର୍ଷ ଭିତରେ ସଦାର ଜୀବନ କୁଞ୍ଜରେ ପୁଣି ଥରେ ମାଡ଼ି ଯାଇଛି ଯନ୍ତ୍ରଣାର ଦାରୁଣ ଜୁଆର l ବାସ୍ତବରେ ସମୟର ଭୋଜବାଜୀ ବଡ଼ ବିଚିତ୍ର !! ତା ହାତରେ ସମସ୍ତେ ଯେମିତି ଗୋଟିଏ ଗୋଟିଏ କଞ୍ଚା ପିଆଲା l ସେ ମୁହୂର୍ତ୍ତ ମୁହୂର୍ତ୍ତ କରି ସମସ୍ତଙ୍କୁ ଗଢ଼ି ବସେ ନିଜସ୍ୱ ଶୈଳୀରେ l ସୁଚରିତା ବା ବାଦ୍ ଯାଆନ୍ତା କିପରି?! ଯେତେବେଳେ ତାକୁ ପ୍ରତ୍ୟାଖ୍ୟାନ କରି ସୁଚରିତା ଇଞ୍ଜିନିୟର ଅନୁପ ଗୌରବଙ୍କୁ ବିବାହ କଲା ସେତେବେଳ ଏକଥା ବେଶ୍ ବୁଝି ପାରିଲେ ସଦାଶିବ l କିନ୍ତୁ ସୁଚରିତାର ପ୍ରେମ ପୁଣି ଏକ ଅବୁଝା କାବ୍ୟ ହୋଇ ରହିଗଲା ତାଙ୍କ ପାଖରେ l ବାହାଘରର କେଇ ଦିନ ପୂର୍ବରୁ ସେ ଦେଇଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଟା ଅବଶ୍ୟ ଫେରେଇ ଦେଇଥିଲା ସୁଚରିତା l 


ରିତୁ ଅପା ଯାଇଥିଲେ ଏଥର ଗଲା ସୁଚରିତା l ସେ କଣ ସାରା ଜୀବନ ଏମିତି ତୁଠପଥର ହୋଇ ଅନ୍ୟମାନଙ୍କର ପାଦ ପଖାଳୁ ଥିବେ ? !! ନିଜକୁ ଖୁବ୍ ଅପମାନିତ ମନେ କଲେ ସଦାଶିବ l ଇଶ୍ଵରଙ୍କ ଦୟାରୁ ଏତିକି ବେଳେ ଅଧ୍ୟାପକ ଚାକିରିଟା ମିଳିଗଲା ତାଙ୍କୁ l ବେଶ୍ ମନୋବଳ ଆସିଗଲା l ଜୀବନକୁ ନିଜସ୍ୱ ଏକ ନିଆରା ଢଙ୍ଗରେ ଜିଇଁବାକୁ ସେ ଅଣ୍ଟା ଭିଡ଼ିଲେ l ସମ୍ମାନ... ପ୍ରତିଷ୍ଠା.. ଖ୍ୟାତି... ଏସବୁର ଶିଖର ଛୁଇଁ ସମୟକୁ ବି ଚମକାଇ ଦେଇଥିଲେ ସେ l ମାତ୍ର ଜୀବନର ଅନ୍ତିମ ପର୍ଯ୍ୟାୟରେ ତାଙ୍କୁ ଏମିତି ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ ସେ ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ l


* * * 


ଆଜି ଏହି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଟି ଦେଖିଲେ ତରଳି ଯାଉଛନ୍ତି ବୃଦ୍ଧ ସଦାଶିବ l ତାଙ୍କ ପକ୍ଵ ହୃଦୟରେ ବାରମ୍ବାର ଜାଗି ଉଠୁଛି ସ୍ପନ୍ଦନର ଝଡ଼ l ସେ ଫେରି ଯାଉଛନ୍ତି ଅନେକ ପଛକୁ.... ସୁଚରିତା ପାଖରୁ ରିତୁ ଅପା ଯାଏଁ.... I ଏଣେ ଜୀବନର ଶେଷ ପାହାଚରୁ ତାଙ୍କ ଦରଜା ଯାଏଁ ଧତାଡି ଆସୁଛି ମୃତ୍ୟୁର ପରୱାନା l ତଥାପି ଅନେକ ଅବଶୋଷ ଅନେକ ଅଭାବବୋଧ ଭିତରେ ଛଟପଟ ହେଉଛନ୍ତି ସେ l ପ୍ରବଳ ଶୂନ୍ୟତାରେ ଟିକ୍ ଟିକ୍ ହୋଇଯାଉଛି ତାଙ୍କ କଲିଜା l ଗଭୀର ଯନ୍ତ୍ରଣା... !! ନିଜ ଆତ୍ମପ୍ରତ୍ୟୟ ଉପରେ କୁଠାରଘାତ ର ଯନ୍ତ୍ରଣା ବାସ୍ତବିକ୍ ଅସହ୍ଯ l 

ହଠାତ୍ ଘର ଭିତରକୁ ଝପଟି ଆସିଲା ଯୁବ ଅଧ୍ୟାପକ ଜ୍ୟୋତି ରଞ୍ଜନଙ୍କ ପାଞ୍ଚ ବର୍ଷର ପୁଅ ଗୁଗୁଲ଼ l ଝୁଣ୍ଟି ପଡ଼ି ଲୋଟି ପଡ଼ିଲା ରାଧାକୃଷ୍ଣଙ୍କ ଶାଗୁଆନ୍ କୁସନଟା ଉପରେ l ମାର୍ବଲ ଚଟାଣ ଉପରେ ବିଛାଡ଼ି ହୋଇ ପଡ଼ିଲା ଖଣ୍ଡ ଖଣ୍ଡ ବଂଶୀ.. ଓଠ... ନାସିକା... ରଙ୍ଗ ବୋଳା ମେଖଳା... I ନିଜର ଥରିଲା ଥରିଲା ଶିରାଳ ହାତରେ ଭାଙ୍ଗି ଯାଇଥିବା ମୂର୍ତ୍ତି ଖଣ୍ଡ ଗୁଡିକୁ ଆଉଥରେ ଯୋଡି ଦେବାର ବୃଥା ଚେଷ୍ଟା କରୁଥିଲେ ବୃଦ୍ଧ ସଦାଶିବ l ଏଣେ ଗୁଗଲ୍ ହସି ହସି କହୁଥାଏ - '' ଗ୍ରାଣ୍ଡ ଅଙ୍କଲ ତୁମେ କେଡ଼େ ବୋକା....!! ଭାଙ୍ଗି ଯାଇଥିବା ମାଟି କଣ୍ଢେଇ କଣ ଆଉ ଥରେ ଯୋଡି ଦେଇ ପାରିବ? '' 


        ବୃଦ୍ଧ ସଦାଶିବ କିନ୍ତୁ ସେଇ ଭଙ୍ଗାରୁଜା ମାଟି ମୁଠାକରୁ ଉଖାରି ନିଖାରି ଖୋଜୁଥିଲେ ରିତୁ ଅପା... ସୁଚରିତା... କଦଳୀ ବଣ... ଆଲିଙ୍ଗନ... ଚୁମ୍ବନ... ସ୍ପନ୍ଦନ... ଓ ଅନେକ କିଛି.....!! 




Rate this content
Log in

More oriya story from Satyanarayan Sahoo ( Nitu )

Similar oriya story from Romance