Dr Jagatabandhu Mohapatra

Inspirational Drama

5.0  

Dr Jagatabandhu Mohapatra

Inspirational Drama

ମାଟି ମା'

ମାଟି ମା'

9 mins
7.1K



·      ଡାଃ ଜଗତବଂଧୁ ମହାପାତ୍ର


ଅଣ୍ଟାରେ ଗାମୁଛା ବାନ୍ଧି ହାତରେ ଠେଙ୍ଗାଟିଏ ଧରି ଗୋବରା ବିଲ ହୁଡା ଉପରେ ଚାଲିଥାଏ, ତା’ର ବାପା ଅଜା ଅମଳର ପୈତୃକ ଜମି ପାଖକୁ I ନଈକୂଳ ପାଖରେ ଗୋବରାର ଦୁଇ ମାଣ ଜମି I ପିଡିଆ ସାର ଦେଇ  ଦଶ ବର୍ଷ ହେଲାଣି, ଭଲ କମଣୀ କରୁଛି, ସେ I ଭଲ ଫସଲ ଅମଳ ବି ହଉଛି,ତା’ର I

ଗୋବରାର ବାପା ବୋଉ ମରିବାର ଦଶବର୍ଷ ହୋଇଗଲାଣି I ବର୍ଷେ ଭିତରେ ଦୁଇଜଣଯାକ ଆଗପଛ ହୋଇ ଚାଲିଯାଇଥିଲେ I ଗୋବରାର ବାପା ମରିବା ପୂର୍ବରୁ ବାରମ୍ବାର କହିଯାଇଥିଲା, ବିଲରେ ସାର ପିଡିଆ ନ ଦେବାକୁ I କିନ୍ତୁ ଗୋବରା ଦେଖିଲା, ପିଡିଆ ସାର ଦେଲେ, ଫସଲ ଅଧିକ ଅମଳ ହେଉଛି I ବାପାଙ୍କ କଥାକୁ ଭୁଲିଯାଇ ଦଶବର୍ଷ ହେଲା, ପିଡିଆ ସାର ଦେଇ ଭଲ ଫସଲ ଅମଳ କରୁଛି I ତା’ର ଚାଲି ଚଳଣିରେ ବି ପରିବର୍ତ୍ତନ ଘଟିଛି I ପାଖରେ ବି ତାର ଭଲ ଦି ପଇସା ଅଛି I ନିଜର ଦୁଇ ମାଣ ଜମିକୁ ଛାଡିଦେଲେ, ଆଉ ବି ଅନ୍ୟମାନଙ୍କଠାରୁ ଆଠ ମାଣ ଜମି ଭାଗ ଧରିଛି I ଘର ବି ଦି ବଖରା ଛାତ ପକେଇ ଦେଇଛି I

ନିଜ ଜମି ଆଉ ଭାଗ ଧରିଥିବା ଜମି ସବୁ ବୁଲି ଦେଖିଲା I ମନଟା ତା’ର ଆନନ୍ଦରେ ନାଚି ଉଠିଲା I ଏ ବର୍ଷ ବି ଲକ୍ଷ୍ମୀ ମା’ କୃପା କରିଛନ୍ତି, ତା’ ଉପରେ I ଭଲ ଧାନ ହେଇଛି I ଏ ବର୍ଷ ଭଲ ଦି ପଇସା ରୋଜଗାର ବି ହେବ, ଗୋବରାର I ସବୁ ଜମି ବୁଲି ଦେଖିସାରି ଘରକୁ ଫେରିଲା, ଗୋବରା I କିନ୍ତୁ ଘରେ ଆସି ନିଜ ସ୍ତ୍ରୀ ଗୁରେଇର ଉଦାସିଆ ମୁହଁଟାକୁ ଦେଖି କେଜାଣି କାହିଁକି ଗୋବରାର ମନ ଦୁଃଖରେ ଭରିଗଲା I ଚାହିଁ ପାରିଲାନି, ସିଏ ଗୁରେଇକୁ I ବାହାଘରର ୭ ବର୍ଷ ହେଇଗଲାଣି ହେଲେ, ଗୁରେଇ କୋଳକୁ ପିଲାଟିଏ ବି ଆସିଲାନି I କେତେ ଓଷା ବ୍ରତ କରିଛି, ସେ I କେତେ ଆକୁଳ ନିବେଦନ କରିଛି, ଠାକୁର ଠାକୁରାଣୀଙ୍କୁ I କେତେ ଲୁହ ଗଡେଇଛି, ସେ ଠାକୁରାଣୀଙ୍କ ପାଖରେ I ଗୋବରା ବି ଅନେକ ପଇସା ଖର୍ଚ୍ଚ କରିଛି I ଡାକ୍ତରମାନଙ୍କୁ ଦେଖେଇଛି, ହେଲେ କିଛି ବି ଫଳ ହେଲାନି, ସେଥିପାଇଁ ଗୋବରାର ବି ମନ ସବୁବେଳେ ଦୁଃଖ I  

ଗୁରେଇକି କିଛି କହି ନ ପାରି ମନରେ ଅସରନ୍ତି ଦୁଃଖକୁ ଚାପିଧରି ଦେହରେ ତେଲ ଲଗେଇ ପୋଖରୀକୁ ଗାଧେଇବାକୁ ବାହାରିଗଲା, ଗୋବରା I ଗାଧେଇ ଆସି ଖାଇବାକୁ ବସିବା ବେଳେ ପାଖରେ ବସିଥାଏ, ଗୁରେଇ I ଗୁରେଇ ମୁହଁକୁ ଚାହିଁ ଗୋବରା ଦେଖିଲା, ଦୁଇ ଧାର ଲୁହ ଗଡି ଆସୁଥାଏ, ଗୁରେଇ ଆଖିରୁ I ଗୁରେଇ ତୁ କାନ୍ଦୁଛୁ କାହିଁକି ? ମୁଁ ତତେ ପୁଣି ନେଇ କଟକ ବଡ ଡାକ୍ତରଖାନା ଯିବାକୁ ଚିନ୍ତା କରିଛି I ମୋର ବିଶ୍ୱାସ ଭଗବାନ ଆମ ଡାକ ନିଶ୍ଚୟ ଶୁଣିବେ I ତୁ ନିଶ୍ଚୟ ମା’, ହବୁ...... ମା’ I

ମା’, ଆଃ...., ଗୁରେଇର ଅନ୍ତରଟା ଆନନ୍ଦରେ କୁରୁଳି ଉଠିଲା I ସତରେ ସେ କ’ଣ ମାଆ ହବ ! ତା’ ନାରୀ ଜୀବନର ପୃର୍ଣ୍ଣତା ଲାଭ କରିବ ! ସେ ଧିର ସ୍ଵରରେ ତା’ ଗେରସ୍ତକୁ କହିଲା- ବୁଝିଲ, ସବୁଠି ମୋରି ଚର୍ଚ୍ଚା I ପୋଖରୀ ତୁଠ, ମନ୍ଦିର, ଦୋକାନ ସବୁଠି I ମୁଁ କୁଆଡେ ଗୋଟେ ବନ୍ଧ୍ୟା ସ୍ତ୍ରୀ ଲୋକ I ମୋ ମୁଁହ ଦେଖିଲେ ଅଶୁଭ I ଏସବୁ ଆଉ ମୋ ପକ୍ଷେ ଶୁଣିବା ବହୁତ କଷ୍ଟକର ହୋଇଉଠୁଛି I

ଗୋବରା କହିଲା-ଲୋକ ତ କେତେ କଥା କହିବେ I ସେ ସବୁରୁ ଆମକୁ କ’ଣ ମିଳିବ ? ମୁଁ ତୋ ପାଇଁ ସବୁ ପ୍ରକାର ଚେଷ୍ଟା କରିବି I ତୁ ସେଥିପାଇଁ ଜମା ବ୍ୟସ୍ତ ହୁଅନା I

ଏହା ଭିତରେ ଚାରି ବର୍ଷ ବିତିଗଲାଣି I ଡାକ୍ତରୀ ଚିକିତ୍ସାରେ ଗୁରେଇର କିଛି ବି ଲାଭ ହେଲାନି I ପୂଜା, ପାଠ, ଓଷା, ବ୍ରତ, ଜପତପ ସବୁଥିରେ ଫେଲ ମାରିଲା, ଗୁରେଇ I ଏହି ଚାରି ବର୍ଷ ଭିତରେ ଚାଷରେ ବି ବାରମ୍ବାର ହାରିଯାଉଛି, ଗୋବରା I ତା’ ଜମିରେ ଆଉ ଆଗ ଭଳି ଭଲ ଫସଲ ହେଉନାହିଁ I ଜମିରେ ବାଳୁଙ୍ଗା ବେଶୀ I ଲୋକେ କହୁଛନ୍ତି, କୁଆଡେ ତା’ ମାଟି ଖରାପ ହୋଇଗଲାଣି I ମନରେ ଭାବିଲା, ଚାଷ କାମ ଛାଡି ଦେଇ ଏ ବର୍ଷ ପିଚୁକାମ କରିବାକୁ ବାହାରକୁ ଯିବ, ଦୀନା ଠିକାଦାର ସାଙ୍ଗରେ I

ସେଦିନ ରାତିରେ ଗୋବରା ଓ ଗୁରେଇ ଖାଇସାରି ଶୋଇଥିବାବେଳେ ଉଭୟେ ଅନୁଭବ କଲେ ଯେ, ଦୁହିଁଙ୍କ ଆଖିକୁ ନିଦ ଆସୁନାହିଁ I କେବଳ ବିଛଣାରେ ଏପଟସେପଟ ହେଉଥାନ୍ତି I ଗୁରେଇ କହିଲା, କି ଭାଗ୍ୟ ନେଇ ଜନମ ନେଇଥିଲେ, ଆମେ I ଆମର ଏ ସବୁ କ’ଣ ହେଉଛି ? ଭଗବାନ ତ ମୋ ଦୁଃଖ ବୁଝିଲେନି, ତା’ ସାଙ୍ଗକୁ ଲକ୍ଷ୍ମୀ ଠାକୁରାଣୀ ବି ଆମଠୁ ଦୂରେଇ ଯାଉଛନ୍ତି I ଏ ସବୁ ଆମ ପୂର୍ବ ଜନମର କର୍ମଫଳ I ଗୋବରା କହିଲା, ହଁ ସେକଥା ବି ହେଇଥିବ, ହେଲେ ଭଗବାନ ତ ମୋତେ ଏ ବାହୁ ଦିଟା ଦେଇଛନ୍ତି I ମୁଁ ରୋଜଗାର କରିବି I ମେହନତି କରିବି I ତୁ ଜମା ବ୍ୟସ୍ତ ହୁଅନି I ମୁଁ ଭାବୁଛି, ଏକ ମାସ ପାଇଁ ଦୀନା ଠିକାଦାର ସାଙ୍ଗରେ ବାହାରକୁ ଯିବି, ପିଚୁ କାମ କରିବା ପାଇଁ I ଗୁରେଇ କହିଲା, ତମେ ବାହାରକୁ ଯିବ I ଆଉ ମୁଁ ଏଠି ଏକୁଟିଆ କେମିତି ରହିବି ? ଶୁଣୁ, ତୋ ବୋଉଙ୍କୁ ମାସେ ପାଇଁ ଆମ ଘରେ ଆସି ରହିବାକୁ କହ I ମୁଁ ଗଲାବେଳେ ତତେ ଟଙ୍କା ଦେଇଯାଇଥିବି I ପୁଣି ମଝିରେ ମଝିରେ ଟଙ୍କା ପଠାଉଥିବି I ମାସେ କଥା ତ, ନ ହେଲେ ଆମେ ଚଳିବା କେମିତି କହିଲୁ ?

ଗୁରେଇ କମଳାନାନୀଠାରୁ ଶୁଣିଥିଲା, ୫ କୋଶ ଦୂର ମହୀଧରପଡାରେ ଜଣେ ପ୍ରସିଦ୍ଧ ବାବାଙ୍କ ମଠ I ସେ କୁଆଡେ ଭକ୍ତମାନଙ୍କର ସବୁ ମନୋଷ୍କାମନା ପୂର୍ଣ୍ଣ କରିଦେଉଛନ୍ତି I ମୁଁ ଭାବୁଛି, ଆମେ ତାଙ୍କରି ପାଖକୁ ଯିବା I ତାଙ୍କରି କୃପାରେ ଯଦି ଆମର ଗୋଟେ ପିଲାଝିଲା ହୋଇଯାଆନ୍ତା, ସବୁ ଦୁଃଖ ଦୂର ହୋଇଯାଆନ୍ତା I ଦୁଇ ଦିନ ପରେ ଗୋବରା ପିଚୁ କାମ କରିବା ପାଇଁ ବାହାରକୁ ଚାଲିଗଲା I ମାସେ ପରେ ଭଲ ଦି ପଇସା ବି ରୋଜଗାର କରି ଫେରିଲା I

ଗୋବରା ଫେରିବା ପରେ ପରେ ସେଦିନ ଗାଁର ଦୁଇଜଣ ମହିଳାଙ୍କ ସହିତ ଗୁରେଇ ସେ ବାବାଙ୍କ ଆଶ୍ରମକୁ ଯାଇଥିଲା I ବାବା ଗୁରେଇକୁ ଦେଖିଲେ, ଆଉ କହିଲେ, ଆସନ୍ତା ପୂର୍ଣ୍ଣମୀ ଦିନ ରାତିକି ଗୁରେଇକୁ ମଠକୁ ଆସିବାକୁ କହିଲେ I ସେ ଦିନ ରାତିରେ ସେ କୁଆଡେ ଗୁରେଇର ମନୋସ୍କାମନା ପୂର୍ଣ୍ଣ କରିବେ I ଗୁରେଇ ମନ ଆନନ୍ଦରେ ଘରକୁ ଫେରିଆସିଲା, ଆଉ ଭବିଲା, ତା’ ମନୋସ୍କାମନା ଏଥର ନିଶ୍ଚୟ ପୂର୍ଣ୍ଣ ହେବ I ସେ ଏଥର ମାଆ ହେବ, ମାଆ I ସତରେ କେତେ ଆନନ୍ଦ, ଗୁରେଇ ଏକ ନୂଆ ଜନ୍ମ ପାଇବ I

ପୂର୍ଣ୍ଣମୀ ହବାକୁ ଆଉ ଦୁଇ ଦିନ ବାକି ଥାଏ I ସେଦିନ ପାହାନ୍ତିଆରେ ସ୍ଵପ୍ନ ଦେଖିଲା, ଗୁରେଇ I ସ୍ଵପ୍ନରେ ତା’ ଶଶୁରଙ୍କୁ ଦେଖିଲା I ଶଶୁର ତାକୁ କହୁଛନ୍ତି, ସେ ବାବା ପାଖକୁ ଜମା ଯିବୁନି ଲୋ, ମା’ I ସେଇଟା ଗୋଟେ ଭଣ୍ଡ ବାବା I ତତେ ସେ ନର୍କପୁରୀକୁ ଠେଲି ଦବ I ତୋର ପିଲାଛୁଆ ହଉନି ବୋଲି, ତୁ ଯୋଉ ମନ ଦୁଃଖ କରୁଛୁ I ତା’ର କାରଣ ହେଲା, ଗୋବରା ଆମ ମାଟି ମା’କୁ କନ୍ଦଉଛି I ମାଟି ମା’କୁ ବିଷ ଖାଇବାକୁ ଦଉଛି, ସେ I ଏ ସବୁ ଯୋଗୁଁ ମାଟି ମା’ ରାଗିଯାଇଛନ୍ତି I ତମକୁ ଭଲ ଫସଲ ଦେଉନାହାନ୍ତି I ଆମ ଗାଁ ଛାଡି, ଆମ ମାଟି ମା’କୁ ଛାଡି ସେ ଯାଇ ପିଚୁ କାମ କରୁଛି ! ଗୋବରାକୁ କହ, ଜମିରେ ଗାଈ ଗୋବର ଦଉ I ମାଟି ମା’କୁ ବିଷ ନ ଦଉ I ଦେଖିବୁ ଜମିରେ ଭଲ ଫସଲ ହେବ, ଆଉ ତୋ ମନସ୍କାମନା ବି ନିଶ୍ଚୟ ପୂର୍ଣ୍ଣ ହେବ I ହଠାତ୍ ଗୁରେଇର ନିଦ ଭାଙ୍ଗିଗଲା I ଗୁରେଇ ଉଠି ବାହାରକୁ ଆସିଲା, ଆଉ ଦେଖିଲା, ଆକାଶରେ ପାହାନ୍ତିଆ ତାରା ଉପରକୁ ଉଠିଲାଣି, ସମୟ ପାହାନ୍ତିଆ ହେବ, ବୋଧେ I ପାହାନ୍ତିଆ ସପନ ସତ ହୁଏ, ବୋଲି ସେ କେତେ କାହାଠାରୁ ଶୁଣିଥିଲା, ଭାବିଲା, ସ୍ଵପ୍ନରେ ଆସି କହିଥିବା କଥାଗୁଡାକ ମୋ ଶଶୁରଙ୍କର ସବୁ ସତ I ଏ କଥା ସେ ଗୋବରାକୁ କହିବ, ବୋଲି ମନସ୍ଥ କଲା I

ଗୋବରା ସକାଳୁ ଉଠି ନିତ୍ୟକର୍ମ ସାରିବାକୁ ଗାଁ ମୁଣ୍ଡ ପୋଖରୀକୁ ଗଲା I ପୋଖରୀରୁ ଫେରି ଗୋବରା ଗୁରେଇକୁ ପଚାରିଲା, ତୁ କ’ଣ ସେ ବାବାଙ୍କ ପାଖକୁ ଯାଇଥିଲୁ ? ଗୁରେଇ କହିଲା, ହଁ, ବିନୁ ମା, କମଳା ନାନୀ ସହିତ ଆମେ ଗଲା ସପ୍ତାହରେ ବାବାଙ୍କ ଆଶ୍ରମକୁ ଯାଇଥିଲୁ I ବାବା କହିଛନ୍ତି, ପୂର୍ଣ୍ଣମୀ ଦିନ ଆଶ୍ରମକୁ ଗଲେ, ସେ ମୋ ମନସ୍କାମନା ପୂର୍ଣ୍ଣ କରିବେ, ବୋଲି I ଗୋବରା କହିଲା, ନା, ଆଉ ସେଠିକି ଯିବା ଦରକାର ନାହିଁ I ସେଇଟା ଗୋଟେ ଭଣ୍ଡ ବାବାଟେ I କାଲି ରାତିରେ ପୋଲିସ ତାକୁ ଆରେଷ୍ଟ କରିଛି I ଅନେକ ସ୍ତ୍ରୀ ଲୋକଙ୍କ ଇଜ୍ଜତ ସହିତ ସେ ଖେଳିଛି I ଦିଟା ଲୋକଙ୍କୁ ମାରି ପୋତିଦେଇଛି, ସେ ଆଶ୍ରମ ଭିତରେ I ସେ ବାବା କଥା ପୋଖରୀ ତୁଠରେ କଥା ହୋଉଥିବାର ମୁଁ ଶୁଣିଆସିଲି I

ଏକଥା ଶୁଣି ଗୁରେଇ ଆଜି ପାହାନ୍ତିଆରେ ଦେଖିଥିବା ସ୍ଵପ୍ନ କଥା ଗୋବରାକୁ କହିଲା I ସ୍ଵପ୍ନରେ ଆସିଥିବା ଶଶୁର ତାକୁ ଆଶ୍ରମକୁ ଯିବାକୁ ମନା କରିଥିବା ଆଉ ମାଟି ମା’ର ଅସନ୍ତୁଷ୍ଟ ହବା କଥା ବି ସେ ଗୋବରାକୁ କହିଲା, ଗୋବରା ସବୁ ଶୁଣି ମନେ ମନେ ଦୃଢ ନିଷ୍ପତ୍ତି ନେଲା ଯେ, ନା ସେ ଆଉ ତା’ ମାଟି ମା’କୁ ବିଷ ଖାଇବାକୁ ଦେବନାହିଁ I

ସେ ବର୍ଷ ସେ ଗାଈ କିଣିଲା, ତା’ ବିଲରେ ଖତ ଦେଲା I ବିନା ସାର ବିଷରେ ସେ ଚାଷ କଲା I

ମାର୍ଗଶୀର ମାସର ଶିତୁଆ ସକାଳ I ଅଣ୍ଟାରେ ଗାମୁଛା ବାନ୍ଧି ଆଉ ହାତରେ ଠେଙ୍ଗାଟିଏ ଧରି ଗୋବରା ପ୍ରତିଦିନ ପରି ତା’ର ମାଟି ମା’ ପାଖରେ ଯାଇ ପହଞ୍ଚିଲା I ମାଟି ମା’କୁ ପ୍ରଣାମ କଲା I ହଠାତ୍ ତା’ ବିଲର ଅପର ପଟରେ ଗୋଟେ ଛୋଟ ଛୁଆର କୁଆଁ କୁଆଁ କାନ୍ଦ ଶୁଣିପାରିଲା I ତରତର ହୋଇ ସେ ପଟକୁ ଯାଇ ସେ ଦେଖିଲା, ଗୋଟେ ସଦ୍ୟ ନବଜାତ କନ୍ୟା ସନ୍ତାନ I ସେଦିନ ସତ ହୋଇଥିଲା, ତା’ ବାପାର କଥା I ତା’ ବାପା ସବୁବେଳେ କୁହେ, ମାଟି ଆମ ମା’ I ଏଇ ଘଟଣା ଗୋବରା ମନରେ ସୃଷ୍ଟି କରୁଥିଲା ଏକ ପ୍ରଶ୍ନବାଚୀ, ମାଟି ମା’ର ଉଦାରତା ଆଉ ମଣିଷମାନଙ୍କର ନିଷ୍ଠୁରତାକୁ ନେଇ I ଚାରିଆଡକୁ ଚାହିଁଲା, କୋଉଠି କାହାକୁ ଦେଖି ପାରିଲା ନାହିଁ I କିଏ କୋଉଠି ଅଛନ୍ତି, ବୋଲି ଡାକ ବି ପକାଇଲା, କିନ୍ତୁ କେହି ତା’ ଡାକର ପ୍ରତି ଉତ୍ତର ଦବାକୁ ସେଠି ଉପସ୍ଥିତ ନଥିଲେ I ମାଟି ମା’କୁ ମୁଣ୍ଡିଆ ମାରି ମାଟି ମା’ର ତା’ ପାଇଁ ଏକ ଆର୍ଶୀବାଦ ଭାବି ଅତି ଭାବ ଆବେଗରେ ଛୁଆଟିକୁ ତଳୁ ଉଠାଇ ହାତରେ ଧରି ଘରମୁହାଁ ହେଲା, ଗୋବରା I ସେତେବେଳେ ସିନ୍ଦୁରା ଫାଟି ଉଠୁଥିଲା I ଆକାଶର ବକ୍ଷ ଚିରି ସୂର୍ଯ୍ୟଦେବ ପ୍ରକଟ ହେବା ପାଇଁ ଚେଷ୍ଟା କରୁଥିଲେ I                       

                                                                                  କ୍ଵାର୍ଟର ନଂ-ଈ/ଏଫ-୫୩, ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ

                                                            ବାଣୀବିହାର,ଭୁବନେଶ୍ଵର-୭୫୧୦୦୪

         ମୋ-୯୪୩୮୧୭୬୫୦୭



Rate this content
Log in

Similar oriya story from Inspirational