Minakshi Samal

Inspirational

4  

Minakshi Samal

Inspirational

ମାନବ ସେବା

ମାନବ ସେବା

4 mins
169



ଆରେ ସୌମେନ୍ ଏପଟେ ଟିକେ ଆସିବ?

ହଁ ହଁ କ'ଣ ହେଲା ଡକ୍ଟର ଶ୍ରୀବାସ୍ତବ?

ଏଇ ପେସେଣ୍ଟଙ୍କ ପଲସ୍ ରେଟଟା ଟିକେ ଚେକ କରିଦିଅ । ବୋଧହୁଏ ସେ ଷ୍ଟେବିଲିଟି ଆଡକୁ ଗତି କଲେଣି । ଗୁଡ ନିଉଜ୍ । ଆଉ ଗୋଟେ ଦିନ ପରେ ଡିସଚାର୍ଜ ହୋଇଗଲା ଭଳି ଲାଗୁଛି । 

ଓ.କେ. ସାର୍ । ମୁଁ ଦେଖି ନେଉଛି । ଆପଣ ଟିକେ ରେଷ୍ଟ୍ ନିଅନ୍ତୁ । ରାତି ତିନିଟା ବାଜିଲାଣି । 

ଓହୋ, ଏମିତି ଏଇ ବେଞ୍ଚଟା ଉପରେ କେମିତି ଶୋଇ ଯାଇଛନ୍ତି ଡକ୍ଟର । ତଳକୁ ଝୁଲି ପଡିଥିବା ହାତକୁ ଓ୍ବାର୍ଡବୟ ଯତୀନ ସଳଖି ଦେଲାବେଳକୁ ନିଦ ବାଉଳାରେ କହି ଚାଲିଥିଲେ ଡକ୍ଟର ଶ୍ରୀବାସ୍ତବ.......ଅକ୍ସିଜେନ ସାଚୁରେସନ ଠିକ ଅଛି । ସୋଡିୟମ ଟିକେ ଅନଷ୍ଟେବଲ । ଅବଜରଭେସନରେ ରଖିବାକୁ ପଡିବ । ଚିନ୍ତା କରିବା ଦରକାର ନାହିଁ । 

ସ୍ତବ୍ଧ ହୋଇ ଶୁଣୁଥିଲା ଯତୀନ, ଆଉ ପୁରାଦିନର ଖଟଣୀ ପରେ ପିପିଇ କିଟ୍ ସହ ବେଞ୍ଚ୍ ଉପରେ ଶୋଇରହିଥିବା ସେଇ କର୍ତ୍ତବ୍ୟ ପରାୟଣ ଡାକ୍ତରଙ୍କୁ ଦେଖୁଥିଲା । 

ହସପିଟାଲ ସାମନାରେ ଭିଡ ଲାଗି ଯାଇଥିଲା ହଠାତ୍ । ଶହେରୁ ଅଧିକ ଲୋକେ ନିଜ ନିଜର ଏକାଧିକ ପରିଜନଙ୍କ ମରଶରୀରକୁ ଦାହ କରିବାକୁ ଶ୍ମଶାନ ଘାଟ ନେବାପାଇଁ ଆମ୍ବୁଲାନ୍ସ ଚାଳକଙ୍କୁ ନେହୁରା ହେଉଥିଲେ । ଏ ହୃଦୟ ବିଦାରକ ଦୃଶ୍ୟ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ୪୨ ବର୍ଷୀୟ ଆମ୍ବୁଲାନ୍ସ ଚାଳକ ସନାତନ । ମନେମନେ ପ୍ରତିଜ୍ଞା କରିଥିଲେ ଏବର୍ଷ କରୋନା ରୋଗୀଙ୍କୁ ନିଜ ଆମ୍ବୁଲାନ୍ସରେ ବିଲକୁଲ ନେବାଆଣିବା କରିବେନି । ତାଙ୍କ ଉପରେ ନିର୍ଭରଶୀଳ ପରିବାରର ବାକି ତିନୋଟି ସଦସ୍ୟଙ୍କ ଚେହେରା ରହି ରହି ତାଙ୍କ ମନମସ୍ତିଷ୍କକୁ ଆବୋରି ବସୁଥିଲା । ମନେମନେ ଭାବୁଥିଲେ.....ମୋର ଯଦି କ'ଣ ହେଇଯାଏ, ମୋ ପରିବାରକୁ କିଏ ଦେଖିବ?

ତନ୍ଦ୍ରା ଭାଙ୍ଗିଗଲା ଯେତେବେଳେ ଏକ କରୁଣ କାନ୍ଦଣା ତାଙ୍କ କାନରେ ପଡିଲା । ଆଠବର୍ଷର ଝିଅ ତା କୁନି ଭାଇକୁ ଜାବୁଡି ଧରି ବାପାର ଶବ ଉପରେ ଅଜାଡି ହୋଇ ଧକେଇ କାନ୍ଦୁଥିଲା । ମାଆ ବାପା ଦୁଇଜଣ ହସପିଟାଲରେ ଆଡମିଟ୍ ହୋଇଥିଲେ ଏଇ ଭୂତାଣୁର କବଳରେ ପଡି । ମାଆ ଅବସ୍ଥା ଗୁରୁତର । ଦୁଇଦିନ ଧରି ସନାତନ ଏଇ ଭାଇ ଭଉଣୀଙ୍କୁ ହସପିଟାଲର ହତାଭିତରେ ଏପଟ ସେପଟ ହେବାର ଦେଖିଥିଲେ । ନିଜର ପିପିଇ କିଟ ଆମ୍ବୁଲାନ୍ସ ଭିତରୁ କାଢି ପିନ୍ଧି ପକେଇଲେ ସେ । ପାଟିରୁ ବାହାରିଲା 'ଜୟ ଜଗନ୍ନାଥ' । ଲୋକଗହଳି ପାଖକୁ ଆସି ଛୋଟ ଛୁଆ ଦୁଇଟିଙ୍କୁ ପ୍ରବୋଧନା ଦେଇ ଷ୍ଟ୍ରେଚରରେ ତାଙ୍କ ବାପାର ଶବକୁ ଆମ୍ବୁଲାନ୍ସରେ ନେଇ ଶ୍ମଶାନ ଆଡକୁ ଆଗେଇଲେ ସନାତନ । 

ତାଙ୍କ ଦେଖାଦେଖି ଅନ୍ୟ ଦୁଇଟି ଆମ୍ବୁଲାନ୍ସର ଡ୍ରାଇଭର ଜଗତ ଓ ମନୀନ୍ଦର କରୋନା ଡରକୁ ପଛ କରିଦେଇ ଜନସେବାକୁ ବାଛିନେଲେ । 

ଏତେ ସଂଖ୍ୟକ ରୋଗୀ ଯେ ହସପିଟାଲରେ ବେଡର ଅଭାବ । ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ପଇସାର ଖେଳ ଚାଲିଛି ସବୁଆଡେ । ଯାହାପାଖରେ ଅଧିକ ପଇସା ତା' ହାତ ପାଆନ୍ତାରେ ସବୁକିଛି । ଗରିବଗୁରୁବା କରନ୍ତେ ବା କ'ଣ ! ନାଚାରିକୁ ଆଖିଲୁହ ମାଧ୍ୟମରେ ବୁହାଇବା ଛଡା ଉପାୟ ନଥାଏ ତାଙ୍କ ପାଖରେ । ଏଭଳି ଦୁର୍ଦ୍ଦିନରେ ଆଶାର କିରଣ ହୋଇ ଦୁଇ ଯୁବକ ସୁଖବିନ୍ଦର ଓ କମଲେଶ ମାଗଣାରେ ଗରୀବ ମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଥିଲେ । ଗରୀବ ପାଖରେ ଥାଏ କ'ଣ ପ୍ରତିଦାନରେ ଦେବାପାଇଁ କେବଳ ମୁଠାମୁଠା ଆଶୀର୍ବାଦ ଛଡା । 

ରୋଗୀ ହସପିଟାଲ ଭିତରେ । ପରିଜନ ମାନେ ବାହାରେ । ଦୂରଦୂରାନ୍ତରୁ ଲୋକେ ସ୍ୱାସ୍ଥ୍ୟସେବାର ସୁଯୋଗ ନେବାପାଇଁ ଧାଇଁ ଆସିଥାନ୍ତି ସହରକୁ । ଟଙ୍କା ପଇସା ଶୋଷି ହୋଇଯାଉଥାଏ ଔଷଧପତ୍ର କିଣାକିଣିରେ । ସରକାରୀ ହସପିଟାଲ ନହେଲେ ବେସରକାରୀ ହସପିଟାଲର ଖର୍ଚ୍ଚର ତ ହିସାବ ନଥାଏ । ସ୍ୱେଚ୍ଛାସେବୀମାନେ ଜାଗା ଜାଗାରେ ରନ୍ଧାଖାଦ୍ୟ ଆଣି ଯୋଗାଇ ଦେଉଥାନ୍ତି କେବଳ ଭୋକିଲାମାନଙ୍କ ମୁହଁରେ ଧାରେ ହସ ଫୁଟାଇବା ଉଦ୍ଦେଶ୍ୟରେ । 

ଡକ୍ଟର ଶିଳ୍ପୀ ଠିଆ ହୋଇ ହୋଇ ଥକି ଯାଇଥିଲେ । ଟେବୁଲକୁ ଆଉଜେଇ ହୋଇ ଦୁଇ ମିନିଟ ପାଇଁ ରହିଗଲେ । ଛ'ମାସର ଅନ୍ତଃସତ୍ତ୍ୱା ସେ । କରୋନା ଭୂତାଣୁର ଭୟ ତାଙ୍କର ଅନ୍ତଃ ସତ୍ତାକୁ ଟିକେବି ହଲଚଲ କରିପାରିନି । ମାଆ ହେବାକୁ ଯାଉଥିବା ଡାକ୍ତରଟି ନିଜର ଓ୍ବାର୍ଡରେ ଥିବା ଆସନ୍ନପ୍ରସବା ମହିଳା ଏବଂ ପ୍ରସୂତିମାନଙ୍କର ସେବା କରିଚାଲିଥିଲେ ଅହର୍ନିଶି । ଶୋଷରେ ତଣ୍ଟି ଅଠା ହୋଇଗଲାଣି । ସାମନା କ୍ୟାବିନର ଟେବୁଲରେ ପାଣିବୋତଲଟା ଦେଖି ଟାଣି ହୋଇଯାଉଥିଲେ ଡକ୍ଟର ଦାନିଶ୍ । ନା ନା ଶୋଷକୁ ନିୟନ୍ତ୍ରଣରେ ରଖିବାକୁ ହେବ । ଏ ଯେଉଁ ଶୋଷ ଏକାଥରକେ ଗୋଟେ ବୋତଲ ପାଣି ଢ଼କଢକ କରି ପିଇ ହେଇଯିବ । ଦଶ ମିନିଟ ପରେ ପୁଣି ଓ୍ୱାସରୁମକୁ ଯିବା ଅନିବାର୍ଯ୍ୟ ହୋଇପଡିବ । ପିପିଇ କିଟ୍ ଟା ପୁଣି ବଦଳାଇବାକୁ ପଡିବ । ବେଟର ମୁଁ ପାଣି ପିଇବିନି । ପାଣି ବୋତଲ ଉପରୁ ନିଜର ଧ୍ୟାନ ହଟାଇ ଆଇ.ସି.ୟୁ. ଦିଗକୁ ଅଗ୍ରସର ହେଲେ ଡକ୍ଟର ଦାନିଶ୍ । 

ମାମା,ପାପା,କେତେବେଳେ ଆସିବ ହସପିଟାଲରୁ?ଆଜି ଜଲଦି ଆସିଲେ ଆମେ ସେଲିବ୍ରେଟ କରିବା ମୋ ଜନ୍ମଦିନ । ଏଥର କେକ୍ କାଟିବାନି, କାହାକୁ ଡାକିବାନି ସେଲିବ୍ରେସନ ପାଇଁ । ଆମେମାନେ ମିଶିକି ଜଗନ୍ନାଥଙ୍କ ମନ୍ଦିରକୁ ଯିବା ଆଉ ମୋ ପିଗିବ୍ୟାଙ୍କରୁ ବାହାରିଥିବା ଟଙ୍କାରେ ମନ୍ଦିର ସାମନାରେ ବସିଥିବା ଦୁଃଖୀମାନଙ୍କୁ ଖାଇବା ଜିନିଷ ବାଣ୍ଟିକି ଆସିବା । ଜେଜେମା କହୁଥିଲେ ମାନବ ସେବାହିଁ ମାଧବ ସେବା । ତୁମେ ଦୁଇଜଣ ହସପିଟାଲରେ ରୋଗୀଙ୍କ ସେବା କରୁଛ । ମୁଁ ବି ବଡହେଲେ ସେମିତି କାମ କରିବି । ଖୁସିରେ ଗଦଗଦ ହୋଇ ପୁଅର ମୁଣ୍ଡକୁ ସାଉଁଳେଇ ଦେଇ ଆନନ୍ଦାଶ୍ରୁକୁ ଲୁଚେଇବାକୁ ଚେଷ୍ଟା କରୁଥିଲେ ଡକ୍ଟର ଗିରୀଶ ଓ ପତ୍ନୀ ଡକ୍ଟର ସ୍ପୃହା । 

କାର ପାର୍କ କରି ରିସେପସନ ପାଖରେ ପହଞ୍ଚିବା ବେଳେ ଦେଖାଗଲା ଭିଡ । ଏସମୟରେ ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ରୀତିମତ ତାଗିଦା କରାଯାଉଥିଲେ ମଧ୍ୟ କିଛି ଫରକ ପଡୁନି ଲୋକଙ୍କୁ । କଥା କ'ଣ ଜାଣିବାକୁ ଦୌଡିଗଲେ ଡକ୍ଟର ଗିରୀଶ । ଝାଳରେ ବୁଡିଯାଇଥିବା ଡକ୍ଟର ସଲୀମଙ୍କୁ ପିପିଇ କିଟ୍ ବାହାର କରୁଥିବାର ଦେଖିଲେ ସେ । ପୁରା ଶରୀରରୁ ଟପଟପ୍ ହୋଇ ଝାଳ ବିନ୍ଦୁ ସବୁ ବୋହିଯାଉଥାଏ । ରିପୋର୍ଟରଙ୍କ ଘନଘନ ପ୍ରଶ୍ନର ଉତ୍ତର ସହାସ୍ୟ ବଦନରେ ଦେଇ ଚାଲିଥିଲେ ସେ । ମହାମାରୀ ସମୟରେ ଜନସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଥିଲେ । 

ଦୂରଦର୍ଶନରେ ପ୍ରସାରିତ ହେଉଥିଲା ସମ୍ବାଦ ସବୁ । ପୁରା ବିଶ୍ୱରେ ନିଜର କାୟା ବିସ୍ତାର କରିଥିବା କରୋନା ଭୂତାଣୁର କବଳରେ ପଡିଥିବା ରୋଗୀମାନଙ୍କୁ ସୁସ୍ଥ କରି ସଶରୀରେ ପରିବାର ଓ ପ୍ରିୟଜନଙ୍କୁ ଫେରାଇଦେବାର ଚେଷ୍ଟାରେ ରାତି ଦିନ ଏକାଠି କରିଦେଉଥିବା ମାନବରୂପୀ ଦେବତାମାନଙ୍କ ଉଦ୍ଦେଶ୍ୟରେ ସମସ୍ତଙ୍କ ହାତ ନମସ୍କାର ମୁଦ୍ରାକୁ ଚାଲିଯାଉଥିଲା । 



Rate this content
Log in

Similar oriya story from Inspirational