ମାଗୁର ମାଛ ଝୋଳ
ମାଗୁର ମାଛ ଝୋଳ
ଜୀବନ ର ସାଧା କାଗଜ ରେ ବେଳେ ବେଳେ ପୁରୁଣା ସ୍ମୃତି ସବୁ ଉଙ୍କି ମାରେ l ଏମିତି ଲାଗେ ସମୟ ସ୍ରୋତ ଟା କିଛି କ୍ଷଣ ପାଇଁ ଅଟକି ଯାଇଛି l ସବୁ ସ୍ମୃତି ଭିତରେ ବି କିଛି ସୁନ୍ଦର ଅନୁଭୂତି ଲୁଚି ରହିଛି ସାରା ଜୀବନ ପାଇଁ ହୃଦୟ କୋଣ ରେ l ପ୍ରକୃତି ନୂଆ ନୂଆ ବାହାହୋଇ ଶାଶୂଘର ଆସିଥାଏ l ଖୁବ ଡରକୁଳି l ରନ୍ଧା ବଢ଼ାଠୁ ଆରମ୍ଭ କରି ପୂଜାପାର୍ବଣ ସବୁ କାମ ରେ ଆଗୁଆ l ସେଥିପାଇଁ ତ ଅଂଶୁମାନ ତାକୁ ନିଜ ଇଚ୍ଛା ରେ ବାହା ହୋଇଛନ୍ତି l ହେଲେ ନୂଆ ଘର ନୂଆ ପରିବେଶ କିଏ କଣ ପସନ୍ଦ କରି ଖାଇବ । କେମିତି ରାନ୍ଧିବ ଏ ସବୁ କଥା ଭାବିଲେ ଖୁବ ଭୟ ଲାଗେ ତାକୁ l ପ୍ରକୃତି ଖୁବ ଭଲ ରୋଷେଇ କରେ ବାପା ତା ରାନ୍ଧଣା କୁ ଖୁବ ପ୍ରଶଂସା କରନ୍ତି ହେଲେ ଏ ଶାଶୂଘର କିଏ କଣ କହିଦେବ ସେଥିପାଇଁ ଖୁବ ସତର୍କ ହୋଇ ରାନ୍ଧେ l ସେଦିନ ଶଶୁର ବଡ଼ ମାଗୁର ମାଛ ଟେ ଆଣି ଥୋଇ ଦେଲେ l କହିଲେ ବୋହୁ ମା ଆଜି ତୁମେ ରାନ୍ଧିବ l ମାଛ ବେସର କରିବ l ଗରମ ଭାତରେ ଖୁବ ଭଲ ଲାଗେ l ହେଲେ ପ୍ରକୃତି କେବେ ଆଇଁସ ଖାଏ ନି l ଆଇଁସ ହେଲେ ମା ରାନ୍ଧନ୍ତି l ତାକୁ ଖୁବ ଗନ୍ଧ ହୁଏ ସେଥିପାଇଁ l ହଁ, ନିଜେ ସବୁ ଜିନିଷ ଯୋଗାଡ଼ କରିଦିଏ ମା ପାଖରେ l ଖୁବ ପ୍ରଶଂସା କରନ୍ତି ସଭିଏଁ ମାଛ ବେସର ମା ହାତର l ହେଲେ ସେ କେବେ କରିନି l ଆଜି ପ୍ରଥମ କରି ଶଶୁର କହିଛନ୍ତି ତାକୁ ରାନ୍ଧିବାକୁ ପଡିବ l ଜା କୁ କହିଲା ହେଲେ ସେ କହିଲେ ନ ଶିଖିଲେ ଶାଶୂଘରେ କେମିତି ଚାଲିବ l ଯେମିତି ଜାଣିଛୁ ରାନ୍ଧ l ସେ ତାଙ୍କ କଥା ରୁ ଅନୁମାନ କରିନେଲା ସେ ତାକୁ କିଛି ସହାୟତା କରିବେନି l ସେ କଟା ମାଛ ରେ ଲୁଣ ଲାଳଦୀ ଦେଇ ଭଲ କରି ଭାଜି ଦେଲା l ତା ପରେ ବେସର ରେ ଯଥା ସୋରିଷ, ରସୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ବାଟିଦେଲା l କିଛି କଟା ଟମାଟୋ ବୃଷଙ୍ଗ ପତ୍ର ଦେଇ ସନ୍ତୁଳିଦେଇ ସେଥିଲେ କିଛି ପିଆଜ ଭାଜି ପକେଇ ଦେଲା l ପରେ ତା ଉପରେ ବେସର ଦେଇ ଟିକେ ଭାଜି ଦେଲା l କାରଣ ମା କୁହନ୍ତି ବେସର ବେସି ଭାଜିଲେ ପିତା ହୋଇଯାଏ ସେଥିପାଇଁ ପାଣି ଆବଶ୍ୟକ ଅନୁଯାଇ ଲୁଣ କାଶ୍ମିରୀ ମିର୍ଚ୍ଚ ଦେଇ କିଛି ସମୟ ଫୁଟିବା ପରେ ଗ୍ୟାସ ବନ୍ଦ କରି ଉପରେ କଟା ଧନିଆ ପତ୍ର ପକେଇ ଦେଲା l
ଦେଖିବାକୁ ଖୁବ ସୁନ୍ଦର ଦିଶୁଛି ହେଲେ ସ୍ୱାଦ କେମିତି ଲାଗିବ କେଜାଣେ l ସମସ୍ତେ ଆସିବା ପରେ ସେ ଖୁବ ଡରି ଡରି ମାଛ ବାଢିଲା l
କାରଣ ଶାଶୁଘରେ ତା ପ୍ରଥମ ମାଛ ରନ୍ଧା ଆଉ ଜୀବନରେ ବି ସେ ମାଛ ବେସର କେବେ ରାନ୍ଧିନି l ଶଶୁର ଖାଇବା କୁ ଲକ୍ଷ କରୁଥିଲା ଖାଲି ପ୍ରକୃତି l କିନ୍ତୁ ଖୁବ ଖୁସି ହୋଇ ସେ ଖାଉଥିବା ଲକ୍ଷ କଲା l ହେଲେ କିଛି କହୁ ନ ଥାନ୍ତି l ସେଥିପାଇଁ ଟିକେ ଡର ଲାଗୁଥିଲା କାଳେ କିଛି ଭୁଲ ହୋଇ ଯାଇଛି କି l କିନ୍ତୁ ଖାଇ ସାରିବା ପରେ ଶଶୁର କହିଲେ ଆମ ସମୁଦିଣି ଙ୍କୁ ମାନି ଗଲି ବୋହୁ ମା ସେ ସବୁ ଷଣ୍ଠଣା ଖୁନ୍ଦି ଖୁନ୍ଦି ଭରି ଛନ୍ତି ତୁମ ଭିତରେ l ଏମିତି ମାଛ ବେସର ତୁମ ଶାଶୁ କି ଜା କେବେ ରାନ୍ଧି ନାହାନ୍ତି l ଖୁବ ଖୁସି ହୋଇଗଲା ପ୍ରକୃତି ତାଙ୍କ ପ୍ରଶଂସା ଶୁଣି l ତା ରନ୍ଧା ସାର୍ଥକ ହୋଇଗଲା l ମା ସବୁବେଳେ କହନ୍ତି ନିଜେ ଖାଇବା ଠୁ ଅନ୍ୟ କୁ ଖୁଆଇ ଯେଉଁ ଖୁସି ମିଳେ ତାହା ଗୋଟେ ନାରୀ ପାଇଁ କୌଣସି ଉପହାର ଠୁ କମ ନୁହଁ l ସେ ଖୁସି ରେ ଆତ୍ମତୃପ୍ତି ମିଳେ l ଆଜି ପ୍ରକୃତି ତାହା ଅନୁଭବ କରି ପାରୁଛି l ସେଦିନ ଠୁ ଆଜି ଯାଏ କେବେ ହାର ମାନିନୀ ନିଜକୁ l ସବୁ ରାନ୍ଧିବା ପାଇଁ ସେଦିନ ରୁ ସେ ଶଶୁର ଙ୍କ ଠୁ ପ୍ରେରଣା ପାଇ ଯାଇଛି l ଏବେ ସେ ଘର ର ଆଦର୍ଶ ବୋହୁ ତଥା ଅଂଶୁମାନ ଙ୍କ ଆଦର୍ଶ ସ୍ତ୍ରୀ ହୋଇଯାଇଛି l ନିଜ ସନ୍ତାନ ମାନଙ୍କ ପାଇଁ ଜଣେ ଆଦର୍ଶ ମା ହୋଇ ପାରିଛି l ଏତେ ବର୍ଷ ପରେ ଏବେ ଶଶୁର ଆର ପାରିକୁ ଚାଲିଗଲେ ବି ସେ ସ୍ମୃତି ଆଜି ବି ତା ହୃଦୟ କୋଣ ରେ ସାଇତି ରଖିଛି l ନିଜ ସନ୍ତାନ ଓ ସ୍ୱାମୀ ସବୁବେଳେ କୁହନ୍ତି ତୁମ ହାତ ରାନ୍ଧଣା ର ଯାଦୁ ଆଉ ଅନ୍ୟ କଉଠି ନାହିଁ l ସେତେବେଳେ ନିଜ କୁ ଧନ୍ୟ ମନେ କରେ ପ୍ରକୃତି l କାରଣ ନିଜ ପରିବାର ର ଖୁସି ରେ ତାର ଖୁସି ଲୁଚି ରହିଛି ।
