Kanan Bala Nayak

Inspirational

3  

Kanan Bala Nayak

Inspirational

ମାଡ

ମାଡ

4 mins
490



 ମୁଁ ସେତେବେଳେ ଚତୁର୍ଥ ଶ୍ରେଣୀରେ ପଢୁଥାଏ ଓ ମୋ ସାନ ଭଉଣୀ ଦ୍ବିତୀୟ। ଠିକ୍ ସେଇ ବର୍ଷର ପ୍ରଥମାର୍ଦ୍ଧରେ ମୋ ବାପା ଦୀର୍ଘ ଦିନ ଧରି କ୍ଯାନସର ରୋଗ ସହିତ ସଂଙ୍ଘର୍ଷ କରି କରି ଇହଧାମ ତ୍ଯାଗ କରି ଥାଆନ୍ତି। ମୁଁ ଯେଉଁ ସ୍କୁଲରେ ପଢୁ ଥାଏ ମୋ ବାପା ସେଇ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ। ବାପା ଜଣେ ଭଲ ଶିକ୍ଷକ ଥିବା ସହ ଜଣେ ପରୋପକାରୀ ମଣିଷ ମଧ୍ୟ ଥିଲେ। ତେଣୁ ଆମ ଅଞ୍ଚଳର ଉଣା ଅଧିକେ ଲୋକ ପ୍ରାୟ ତାଙ୍କୁ ଭଲ ପାଉ ଥିଲେ। ବାପା ଯେହେତୁ ଅଳ୍ପ ଦିନ ତଳେ ଦେହ ତ୍ୟାଗ କରିଥିଲେ,ବାପା ଙ୍କ ସ୍ମୃତି ଉଣା ଅଧିକେ ସମସ୍ତଙ୍କ ମନ ମଧ୍ୟରେ ଉଜ୍ଜୀବିତ ଥାଏ। 


 ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଆମକୁ ବହୁତ ଭଲ ପାଉଥାଆନ୍ତି। ବାପାଙ୍କର ବହୁତ ଇଚ୍ଛା ଥାଏ ତାଙ୍କ ପିଲାମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ପାଇଁ। ତେଣୁ ବାପା ଗଲା ପରେ ସ୍କୁଲର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆମ ପ୍ରତି ଖୁବ୍ ସମ୍ବେଦନଶୀଳ ହୋଇ ପଡିଥିଲେ। ଆଉ ଆମେ ମାନେ କେମିତି ବାପାଙ୍କ ସ୍ବପ୍ନ ପୂରଣ କରିବୁ ସେଥିପାଇଁ ଚେଷ୍ଟା କରୁଥିଲେ। ପିଲା ବେଳୁ ମୁଁ ପ୍ରଚଣ୍ଡ ସ୍ବାଭିମାନୀ ଓ ରାଗି ଥିଲି। ଅନ୍ୟାୟ ଓ ମିଛ କଥାକୁ ଜମାରୁ ସହ୍ୟ କରିପାରୁ ନଥିଲି କି କାହା ପାଖରେ କେବେବି ହାତ ପତାଉ ନଥିଲି। ସବୁ ବେଳେ ଭାବୁଥିଲି ସ୍କୁଲର ଦିବଂଗତ ପ୍ରଧାନ ଶିକ୍ଷକଙ୍କ ଝିଅ କାହା ପାଖରେ ହାତ ପତାଇବ, ସ୍ବର୍ଗରେ ଥାଇ ବି ତା ବାପାଙ୍କ ମୁଣ୍ଡ ତଳକୁ ହୋଇ ଯିବନି।


 ଦିନକର କଥା ସ୍କୁଲ ଛୁଟି ହେବାର ଘଣ୍ଟି ବାଜିବା ପରେ ମୁଁ ଓ ସ୍କୁଲର ଅନ୍ୟ ପିଲାମାନେ ବ୍ୟାଗ୍ ଧରି ନିଜ ନିଜ ଘର ଅଭିମୁଖେ ବାହାରିଲୁ। ଠିକ୍ ସେଇ ସମୟରେ ସ୍କୁଲର ଗୋଟିଏ ପିଲା ଦୌଡ଼ି ଦୌଡ଼ି ଆସି କହିଲାଯିଏ ଯିଏ ବାହାରକୁ ଯାଇଛ ତାଙ୍କୁ ମନ୍ଦିରା ଦିଦି ଡାକୁଛନ୍ତି। ମୋ ସହ ଅନ୍ୟ ଯେଉଁ ପିଲା ସ୍କୁଲ ବାହାରକୁ ବାହାରି ଯାଇଥିଲେ ସେ ଭିତରୁ କିଛି ଦିଦି ଙ୍କ ଡାକକୁ ଅମାନ୍ଯ କରି ଘରକୁ ପଳାଇଲେ। ଦିଦିଙ୍କ ଡାକକୁ ଶୁଣି ମୁଁ ଓ ଆଉ କିଛି ପିଲା ପୁଣି ସ୍କୁଲ ଭିତରକୁ ଫେରି ଆସିଲୁ। ଦିଦି ଆମକୁ ଗୋଟିଏ ଧାଡ଼ିରେ ଛିଡା କରିଦେଲେ। ଧାଡ଼ିରେ ମୋ ନମ୍ବର ଥିଲା ଦୁଇ। ଦିଦି ହାତରେ ଏକ ବାଉଁଶ ବାଡ଼ି ଧରି ଆସିଲେ । ଆଉ ଆମ ଉପରେ ମାଡ଼ର ବର୍ଷା ବସାଇ ଦେଲେ। ମୋ ପିଠି ପୁରା ଫାଟି ଯାଇଥାଏ। 


 ପିଠିର ଉପର ଭାଗରେ ମାଡ଼ର ଦୁଇଟି ଶକ୍ତ ଚିହ୍ନ ବସି ଯାଇଥାଏ। ଭୀଷଣ କଷ୍ଟ ହେଉଥାଏ। ଶରୀର ଠାରୁ କିନ୍ତୁ ମୋ ମନକୁ ବେଶୀ କଷ୍ଟ ହେଉଥାଏ। ମୁଁ ଜାଣି ପାରୁନଥିଲି ଯେ କିଛି ଦୋଷ ନଥାଇ ମୁଁ ମାଡ଼ କାହିଁକି ଖାଇଲି। ସ୍କୁଲର ଘଣ୍ଟି ବାଜିବା ପରେ ତ ମୁଁ ସ୍କୁଲରୁ ବାହାରି ଥିଲି। ତଥାପି ଦିଦି କାହିଁକି ମୋତେ ମାରିଲେ। ନିରୀହ ମନଟା ମୋର ବିଦ୍ରୋହ କରି ଉଠୁଥାଏ। ଘରେ ପହଞ୍ଚି ମାଆକୁ ସବୁ କଥା କହିଲି। ମୋ ମାଆ କିନ୍ତୁ କିଛି ବୁଝି ମୋତେ ଆଶ୍ବାସନା ଦେବା ପରିବର୍ତ୍ତେ ଓଲଟା ମୋତେ ଗାଳି କଲା। କହିଲା ତୁ କିଛି ଦୋଷ କରିଥିବୁ। ନ ହେଲେ ଦିଦି କାହିଁକି ତୋତେ ମାଡ଼ ମାରି ଥାଆନ୍ତେ। 


 ମୁଁ ନିଜକୁ ନିର୍ଦ୍ଦୋଷ ବୋଲି ଯେତେ କହିଲେ ମଧ୍ୟ ମୋ ମାଆ ମୋର କିଛି କଥା ଶୁଣି ନ ଥିଲା। ମୋ ଭଉଣୀ ସେ ଦିନ ସ୍କୁଲର ଘଣ୍ଟି ବାଜିବା ପରେ ସ୍କୁଲରୁ ଘରକୁ ଫେରି ଆସିଥିଲା। ଦିଦିଙ୍କ ଡାକିବା ସତ୍ତ୍ବେ ବି ଆଉ ସ୍କୁଲକୁ ଫେରି ନଥିଲା। ସେ ମୋତେ ଚିଡାଇ ଚିଡାଇ କହୁଥାଏ, ଦେଖିଲୁ ବେଶୀ ସଚ୍ଚୋଟ ଦେଖାଇ ହେଉଥିଲୁ। କେମିତି ମାଡ଼ ଖାଇଲୁ। ତୋତେ କିଏ କହୁଥିଲା ପୁଣି ଥରେ ସ୍କୁଲକୁ ଫେରି ଯିବା ପାଇଁ। ମୁଁ କହିଲି ରହ ଦିଦି କହିଛନ୍ତି ତୁମ ମାନଙ୍କର କାଲି ବିଚାର ହେବ। ସେ କହିଲା ଦେଖିବୁ ରହ କାଲିକୁ ଦିଦି ସବୁ ଭୁଲି ଯାଇଥିବେ। ଆମର କିଛି ହେବନି।


 ପିଠିରେ ଯନ୍ତ୍ରଣା ସତ୍ତ୍ବେ ତା ପର ଦିନ ପୁଣି ସ୍କୁଲ ଗଲି କାରଣ ସ୍କୁଲ ବନ୍ଦ କରିବାକୁ ମୁଁ କେବେ ପସନ୍ଦ କରୁ ନଥିଲି। ଆଉ ମନେ ମନେ ଏଇଆ ଭାବୁଥିଲି ଦିଦି ଆଜି ଅନ୍ୟ ପିଲା ମାନଙ୍କର କଣ ବିଚାର କରିବେ ଦେଖିବି। କିନ୍ତୁ ବିଚାର ହେବା ତ ଦୂରର କଥା ଦିଦି ତାଙ୍କୁ ପ୍ରଶ୍ନ ଟିଏ ମଧ୍ୟ ପଚାରିଲେ ନାହିଁ। ମୋ ଭଉଣୀ ପୁଣି ଥରେ ମୋତେ ଖତେଇ ହୋଇ କହିଲା ଦେଖିଲୁ ଆମର କିଛି ବି ହେଲାନି। ତା କଥା ଶୁଣି ମୁଁ ନିଜ ଉପରେ ଭାରୀ ବିରକ୍ତ ହେଲି। ଭାବିଲି ମୋ ଭଉଣୀ ପରି ଘରକୁ ନ ଫେରି ଦିଦିଙ୍କ ଡାକ ଶୁଣି ସ୍କୁଲକୁ କାହିଁକି ଫେରୁଥିଲି। ଦିଦି ମାରିଥିବା ମାଡ଼ର କ୍ଷତ ଭଲ ହେବା ପାଇଁ ପାଖା ପାଖି ମାସେ ଲାଗିଲା। କିନ୍ତୁ ମନ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷତ ଜମାରୁ ଲିଭୁ ନଥାଏ। 


 ମନ ସବୁ ବେଳେ କହୁଥାଏ ଦିଦିଙ୍କୁ କାହିଁକି ଏ ବିଷୟରେ ପଚାରୁ ନାହୁଁ? ଦିଦି ତୋ ତୋତେ ବହୁତ ଭଲ ପାଆନ୍ତି। ତଥାପି ତୋତେ ସେଦିନ ବିନା ଦୋଷରେ କାହିଁକି ଦଣ୍ଡ ଦେଲେ।ମନ ଭିତରଟା ଖାଲି ରାଗରେ ଜଳୁଥାଏ। ଏଣେ ମୋ ସାନ ଭଉଣୀ ସବୁଦିନ ମୋତେ ଚିଡାଉ ଥାଏ। ତେଣୁ ଦିନେ ସ୍ଥିର କଲି ଆଜି ଯେମିତି ହେଉ ଦିଦିଙ୍କୁ ପଚାରିବି। ଅନେକ ସାହସ କରି ଖାଇବା ଛୁଟିରେ ଦିଦିଙ୍କ ପାଖକୁ ଗଲି। ଦିଦି କହିଲେ କିଛି କହିବୁ। ମୁଁ କହିଲି ଦିଦି ଆପଣ ବିନା ଦୋଷରେ ମୋତେ ସେଦିନ ମାଡ ଦେଲେ କାହିଁକି? ଦିଦି କହିଲେ ତୁ ତେବେ ସେ ଦିନର କଥା ମନରୁ ଭୁଲି ପାରିନୁ। 


 ତୁ ଭାବୁଛୁ ମୁଁ ତୋତେ ବିନା ଦୋଷରେ ଦଣ୍ଡ ଦେଇଛି। ତୁ ସେଦିନ ସ୍କୁଲର ଘଣ୍ଟି ବାଜିବା ମାତ୍ରେ ଅନ୍ୟ ପିଲାଙ୍କ ସହ ମିଶି ସ୍କୁଲରୁ ବାହାରି ଗଲୁ। ତୁ ସ୍କୁଲର ଘଣ୍ଟି ଠିକରେ ଶୁଣି ଥିଲୁ। ତୁ କଣ ଜାଣିନୁ ଆମ ସ୍କୁଲର ଘଣ୍ଟି କେମିତି ବାଜେ। ସ୍କୁଲର ଘଣ୍ଟି ପ୍ରଥମେ 'ଟଂ'କରି ଆବାଜ୍ କରେ ତାପରେ ଟିଂଟିଂ ଆବାଜ୍ ହୁଏ। ସେଦିନ ଟଂ ଆବାଜ୍ ହେବା ପରେ ତୁମେ ସବୁ ସ୍କୁଲରୁ ବାହାରି ଯାଇଥିଲ। ଟିଂଟିଂ ଆବାଜ୍ କୁ ଅପେକ୍ଷା ବି କରି ନଥିଲ। ମୁଁ କିଛି ନ କହି ତଳକୁ ମୁହଁ କରି ଛିଡା ହୋଇଥିଲି। ଦିଦି କହିଲେ କିଛି ସେକେଣ୍ଡ ବି ହେଉ ସମୟ ହେବା ପୂର୍ବରୁ ତୁ ବାହାରକୁ ବାହାରି ଯାଇଥିଲୁ। ତେଣୁ ସମୟ ପୂର୍ବରୁ ବାହାରକୁ ବାହାରି ଯାଇଥିବାରୁ ତୁ ମାଡ଼ ଖାଇଲୁ। ଜାଣିଛୁ ତୋ ବାପାଙ୍କୁ ଆମେ ପ୍ରଧାନ ଶିକ୍ଷକ ନୁହଁ ବଡ଼ ଭାଇ ଭାବି ସମ୍ମାନ କରୁଥିଲୁ। ତାଙ୍କ ଝିଅ ହିସାବରେ ତୋ ଠାରୁ ଆମର ଯଥେଷ୍ଟ ଆଶା ଅଛି ଯେ ତୁ ତାଙ୍କ ସ୍ବପ୍ନକୁ ସାକାର କରିବୁ।


 ମୋର ଗୋଟିଏ କଥା ମନେ ରଖିବୁ ମୁହୂର୍ତ୍ତ ଟିଏ ସମୟ ବି ଜୀବନର ଗତି ପଥକୁ ବଦଳାଇ ଦିଏ। ଏ ଦୁନିଆରେ ସବୁ କିଛି ଆଉ ଥରେ ମିଳି ପାରିବ କିନ୍ତୁ ସମୟ ଥରେ ହାତରୁ ଖସି ଗଲେ ଆଉ ଫେରିବ ନାହିଁ। ତେଣୁ ମୁହୂର୍ତ୍ତେ ମଧ୍ୟ ସମୟ କେବେ ଅପଚୟ କରିବୁ ନାହିଁ। ତୁ ଜଣେ ଶିକ୍ଷକଙ୍କ ଝିଅ ତୋ ଠାରୁ ସମସ୍ତଙ୍କୁ ଅନେକ କଥା ଶିଖିବାର ଅଛି। ତୁ ଅବାଟରେ ଗଲେ ସେମାନେ କଣ ଶିଖିବେ। ଦିଦିଙ୍କ କଥା ଶୁଣି ମୁଁ ମୋ ଭୁଲ୍ ବୁଝି ପାରି ଚୁପ୍ ଚାପ୍ ସେ ଦିନ କ୍ଲାସ ରୁମ୍ କୁ ଫେରି ଆସିଥିଲି। ସ୍କୁଲ ଛାଡିବା ଅନେକ ଦିନ ହୋଇ ଗଲାଣି। ଦିଦି ମଧ୍ୟ ଚାକିରୀରୁ ଅବସର ଗ୍ରହଣ କଲେଣି କିନ୍ତୁ ଦିଦିଙ୍କ ସେ ଦିନର ମାଡ ଓ ସେ କହିଥିବା କଥା ମୋତେ କେବେ ଖରାପ ରାସ୍ତାକୁ ଯିବାକୁ ଦେଇନି।


 '' ତୁ ଜଣେ ଶିକ୍ଷକଙ୍କ ଝିଅ ତୋ ଠୁ ସମସ୍ତଙ୍କର ବହୁତ କଥା ଶିକ୍ଷିବାକୁ ଅଛି ତୁ ଅବାଟରେ ଗଲେ ସେମାନେ ଶିଖିବେ କଣ''?



Rate this content
Log in

Similar oriya story from Inspirational