କୃଷ୍ଣ ପ୍ରିୟା ମହାପାତ୍ର

Inspirational

4.0  

କୃଷ୍ଣ ପ୍ରିୟା ମହାପାତ୍ର

Inspirational

ମାଆ

ମାଆ

5 mins
213


 ମୁଁ ଯାହା କଥା କହୁଛି ସେ ସତୁରି ପାର କରି ଥିବା ଜଣେ ସ୍ନେହମୟୀ ମାଆ, ଯାହାଙ୍କ ଅନାବିଳ ମମତା ଡୋରରେ ମୁଁ ବାନ୍ଧି ହୋଇଯାଇଥିଲି । ତାଙ୍କ ସମ୍ପର୍କରେ ଆସି ମୁଁ ନିଜକୁ ଧନ୍ୟ ମନେ କରିଥିଲି । 


  ଭୁବନେଶ୍ୱରରେ ଘରଭଡ଼ା ନେଇ ରହିବାର ଦୁଇ ତିନି ଦିନ ହୋଇଥାଏ, ମୁଁ ଘର ସଜାସଜିରେ ବ୍ୟସ୍ତ ଥାଏ । ହଠାତ୍ କଲିଂ ବେଲ୍ ବାଜିଉଠିଲା, ନୂଆ ଜାଗା କାହା ସହିତ ଚିହ୍ନା ପରିଚୟ ନ ଥିବାରୁ ମୁଁ ବାହାରକୁ ନ ବାହାରି ଘର ଭିତରେ ଥାଇ କିଏ ବୋଲି ପଚାରିଲି, ଆରପଟୁ ଶୁଭିଲା 

"ମୁଁ ...ଦୁଆର ଟିକେ ଖୋଲିବୁ କି ?"

ଜଣେ ସ୍ତ୍ରୀ ଲୋକର ପାଟି ଶୁଣି ମୁଁ ଦୁଆର ଖୋଲି ଦେଲି । ଆଗରେ ଜଣେ ବୟସ୍କା ସ୍ତ୍ରୀ ଲୋକ ଠିଆ ହୋଇ ଥିବାର ଦେଖି ଅନୁମାନ କଲି ଆମେ ରହୁଥିବା ଘର ମାଲିକଙ୍କ ସ୍ତ୍ରୀ ବୋଧହୁଏ । ମୁଁ ତାଙ୍କୁ ଚିହ୍ନି ନଥିଲି । କାରଣ ଘର ଠିକ୍ କଲା ବେଳେ ମୁଁ ଆସି ନଥିଲି ମୋ ଭଉଣୀ ଘର ବୁଝି ଦେଇଥିଲା । କେବଳ ତା ଠାରୁ ମଉସା ମାଉସୀଙ୍କ ବିଷୟରେ କିଛିକିଛି ଶୁଣିଥିଲି । 

 ତାଙ୍କୁ ଓଳଗି ହୋଇ ଘରକୁ ଆସିବାକୁ ଅନୁରୋଧ କଲି । ସେ ହସି ଦେଇ କହିଲେ, ନା ମୁଁ ମନ୍ଦିର ଯାଉଛି ଆସିଲା ବେଳକୁ ହବ ଯଦି ଆସିବି । 

ସେ ମୋତେ କହିଲେ, ଝିଅ ସମୟ ହେଲେ ଆମ ଘରକୁ ଆସିବୁ । ..ମୁଁ ହଁ କଲି । ..

ତା ପର ଦିନ ମୋ ସ୍ୱାମୀ ଖାଇ ସାରି ଅଫିସ ଯିବା ପରେ ପ୍ରାୟ ଏଗାରଟା ବେଳକୁ ମୁଁ ତାଙ୍କ ଘରକୁ ଗଲି, ମାଉସୀ ସୋଫାରେ ବସି ଥିଲେ, ମଉସା ଠାକୁର ପୁଜା କରୁଥାଆନ୍ତି । ମୋତେ ଦେଖି ବହୁତ ଖୁସି ହୋଇଗଲେ । 

ଆ ..ବସ ..କହି ନିଜେ ଟିକେ ଘୁଞ୍ଚି ଯାଇ ମୋତେ ଯାଗା ଦେଲେ । ମୁଁ ତାଙ୍କୁ ଆଉ ମଉସାଙ୍କୁ ମୁଣ୍ଡିଆ ମାରିଲି । 

 ମୋତେ ଘର କେମିତି ଲାଗିଲା, ଜିନିଷ ସଜାଡି ସାରିଲୁଣି କି ନାହିଁ ପଚାରିଲେ । 

 ଏମିତି ଅନେକ ଦୁଃଖସୁଖ ହୋଇ କଥା ହେବା ଭିତରେ ମଉସା ଠାକୁର ପୂଜା ସାରି ଆମ ପାଖରେ ବସିଲେ । 

ତାଙ୍କ ସହିତ ଟିକେ କଥା ହେବା ପରେ ମୁଁ ଆସିବା ପାଇଁ ବାହାରିଲି । 

ମୋତେ ବହୁତ ଆଗ୍ରହରେ ତାଙ୍କ ଘର ଦେଖାଇଲେ । 

 ଆସିଲା ବେଳେ ମୋତେ ଅନୁରୋଧ କଲେ ସବୁ ଦିନ ଟିକେ ଆସି ବୁଲି ଯାଉଥିବୁ ଆମେ ତ ଏକୁଟିଆ ରହୁଛୁ । 

ତୁ ଆସି ଟିକେ ବସିଲେ ଗହଳି ଲାଗିବ । ମୁଁ ହଁ କହିଲି । 

ତା ପରେ ପ୍ରତିଦିନ ସକାଳେ ବାରଟା ପୁର୍ବରୁ କିମ୍ବା ଅପରାହ୍ନ ଚାରି ଟା କି ପାଞ୍ଚଟା ବେଳେ ମୁଁ ତାଙ୍କ ଘରେ ଟିକେ ଯାଇ ବୁଲି ଆସେ । 

ମଉସା, ମାଉସୀ ଏତେ ସ୍ନେହୀ ମଣିଷ ଯେ, ଭାଷାରେ କହି ହବନି, ତାଙ୍କ ଅତ୍ମୀୟତା ମୋତେ ଭାବୁକ କରିଦିଏ । ମୋତେ ମୋ ନନା ବୋଉଙ୍କ ସ୍ନେହ ଠାରୁ ତାଙ୍କ ସ୍ନେହ ଅଧିକ ଲାଗେ । ମୁଁ ଯାଇ ତାଙ୍କ ପାଖରେ ବସି ପଡ଼ିଲେ ସେ ମୋତେ ଆଗ ପଚାରନ୍ତି ଖାଇଛୁ ନା??

ମୁଁ ହଁ କହିଲେ ସେ ପୁଣି ପଚାରନ୍ତି କଣ ଖାଇଲୁ?

ମୁଁ ଯାହା ଖାଇ ଥାଏ କହେ, ତା ପରେ ପଚାରନ୍ତି, ରୋଷେଇ କରିସାରିଲୁଣି?

ହଁ କରି ସାରିଲିଣି,  

ଜ୍ୱାଇଁ ଖାଇ ସାରି ଅଫିସ ଗଲେଣି?

ମୁଁ ହଁ କହେ, କେତେବେଳେ ଯଦି କହେ ନା ଖାଇବାକୁ ଆସିବେ । ତା ହେଲେ ବ୍ୟସ୍ତ ହୋଇ କହିବେ, କଣ ଖାଇଲେ, ଜଳଖିଆ ଦେଉଛୁ ତ!!

ସବୁ ବେଳେ ଅନ୍ୟମାନଙ୍କ ପାଇଁ ସିଏ ବ୍ୟସ୍ତ ହୋଇ ପଡ଼ନ୍ତି । ଏତେ ମଧୁର ତାଙ୍କ କଥା ଯେ, ତାଙ୍କ ସହିତ ଥରେ ମିଶିଲେ ଇଚ୍ଛା ହେବ ସବୁଦିନ ତାଙ୍କ ସହିତ କଥା ପଦେ ହବାକୁ । 

ମୁଁ ମୋ ଜୀବନରେ ଯେତେ ବୟସ୍କା ସ୍ତ୍ରୀ ଲୋକ ଦେଖିଛି ସେମାନଙ୍କ ଠାରୁ ମାଉସୀ ଟିକେ ଭିନ୍ନ ଧରଣର । ମଉସା ତ କେବେ ରାଗିବା ବଡ଼ ପାଟି କରିବା ମୁଁ ଦେଖିନି । ଆଉ ମାଉସୀଙ୍କ ପ୍ରକୃତି କାହା ବିପକ୍ଷରେ କେବେ କହନ୍ତି ନାହିଁ । ସଧାରଣତଃ ଦୁଇ ଜଣ ସ୍ତ୍ରୀ ଲୋକ ସାଙ୍ଗ ହୋଇ ବସିଲେ ଅନ୍ୟ ବିଷୟରେ କିଛି କହନ୍ତି, କିନ୍ତୁ ମାଉସୀଙ୍କ ପାଟିରେ ମୁଁ କାହା ନିନ୍ଦା କେବେ ଶୁଣିନି । 

 ତାଙ୍କ ଜୀବନର ଅଭିଜ୍ଞତା ଶୁଣିବାକୁ ମୋତେ ବହୁତ ଭଲ ଲାଗେ । ଯେଉଁଟା କି ଆଜିକାଲିର ସମୟର ଲୋକମାନଙ୍କ ପାଇଁ ଅସମ୍ଭବ । 

 ମଉସା ଆଉ ମାଉସୀ ତାଙ୍କ ଜୀବନୀ ଅନେକ ଥର ମୋତେ କୁହନ୍ତି, ଶୁଣିଲେ ଲାଗେ ଏ ଦୁଇଜଣ ଏ ଯୁଗରେ କୌଣସି ଦେବତା ଠାରୁ କମ ନୁହନ୍ତି । 

 ତାଙ୍କ କହିବା ଅନୁସାରେ । ମଉସା ବାହା ହେଲା ବେଳକୁ ତାଙ୍କୁ ବାଇଶ୍ କି ତେଇଶ୍ ବର୍ଷ ହୋଇ ଥାଏ । ମାଉସୀଙ୍କୁ ମାତ୍ର ବାରବର୍ଷ । 

 ମଉସା ଛୋଟବେଳୁ ବାପା ମାଆଙ୍କୁ ହରାଇଥିଲେ । ମଉସାଙ୍କ ଉପରେ ଦୁଇ ବଡ଼ଭାଇ ଥିଲେ ଓ ମଉସାଙ୍କ ତଳେ ଗୋଟିଏ ଭାଇ । 

 ବାହା ହବା ପରେ ମଉସା ଭୁବନେଶ୍ୱରର ସଚିବାଳୟ କିରାଣୀ ଚାକିରୀରେ ଯୋଗ ଦେଇଥିଲେ । 

ମାଉସୀଙ୍କୁ ଯେତେବେଳେ ପନ୍ଦର ବର୍ଷ ହେଲା ସେ ଶାଶୁ ଘରକୁ ପୁଆଣି ହୋଇ ଆସିଲେ । ଶାଶୁ ଶଶୁର ନ ଥିବାରୁ ତାଙ୍କ ଭାଇମାନେ ଗାଆଁ ଛାଡ଼ି ସହରକୁ ଚାଲି ଆସିଲେ । 

ମଉସାଙ୍କୁ ସରକାରୀ ଘର ମିଳିଥାଏ ସେଠାରେ ଚାରି ଭାଇ ଯାକ ରହିଲେ । 

ମୋତେ ଶୁଣି ଆଶ୍ଚର୍ଯ୍ୟ ଲାଗେ ଏମାନେ ଗୋଟିଏ ଛୋଟ କ୍ୱାର୍ଟର୍ସ୍ ଘରେ କେମିତି ଏତେ ଜଣ ରହୁଥିଲେ । 

ମଉସାଙ୍କର ବଡ଼ ଭାଇ କିଛି କରୁ ନଥିଲେ । ତାଙ୍କ ପିଲାମାନଙ୍କୁ ମଉସା ପାଠ ପଢାଇ ମଣିଷ କଲେ, ତାଙ୍କ ବଡ଼ ପୁଅ ଚାକିରି କଲା ପରେ ସେମାନେ କ୍ୱାଟର୍ସ୍ ପାଇ ଚାଲି ଗଲେ । ମଝିଆଁ ଭାଇ ବହୁତ ଦିନ ଏମାନଙ୍କ ସହ ରହି ଥିଲେ । ସାନ ଭାଇ ମଧ୍ୟ ଚାକିରି କରିବାର ଅଳ୍ପ ଦିନ ମଧ୍ୟରେ ଘର ତିଆରି କରି ଚାଲିଗଲେ । 

  ଭଣଜା ଭାଣେଜୀଙ୍କର ଅସୁବିଧାରେ ସବୁ ମାମୁଁମାନଙ୍କର କର୍ତ୍ତବ୍ୟ ସାହାଯ୍ୟ କରିବା । କିନ୍ତୁ ଯେଝା ପିଲାମାନଙ୍କୁ ମଣିଷ କରିବା ପାଇଁ ଯିଏ ଯାହାର ଲାଗିଥିବା ବେଳେ ମଉସା ସମସ୍ତଙ୍କୁ ସହ ଯୋଗର ହାତ ବଢ଼େଇ ଦିଅନ୍ତି । ସମସ୍ତଙ୍କ ପାଇଁ କରୁ କରୁ ମଉସା ଭୁଲି ଯାଉଥିଲେ ନିଜ ପାଇଁ ମଧ୍ୟ କିଛି କରିବାର ଅଛି । ବହୁ କଷ୍ଟରେ ସହର ବାହାରେ ଖଣ୍ଡେ ଜାଗା କିଣି ଘର ଆରମ୍ଭ କଲେ । ସିଏ ପୁଣି କିସ୍ତି କିସ୍ତି ଟଙ୍କାରେ । 

 ଯା ହେଉ ଅବସର ନେବା ବେଳକୁ ଗୋଟିଏ ବଖରା ଘର ତିଆରି କରି ମଉସା ମାଉସୀ ପିଲାମାନଙ୍କୁ ଧରି ନିଜ ଘରେ ରହିଲେ । କ୍ୱାଟର୍ସରେ ଥିବା ଭିତରେ ବଡ଼ ଝିଅକୁ ବାହା କରିଦେଇ ଥିଲେ ।  

 ମାଉସୀଙ୍କ ସହଯୋଗ ବିନା ଏହିପରି କରିହୋଇ ନ ଥାନ୍ତା, ବୋଲି ମଉସା ସବୁବେଳେ କହନ୍ତି । 

ପ୍ରକୃତରେ ଜଣେ ସ୍ତ୍ରୀର ସହଯୋଗ ନ ରହିଲେ ଗୋଟିଏ ପୁରୁଷ କେବେ ଏତେ ତ୍ୟାଗ ନିଜ ପରିବାର ପାଇଁ କରି ପାରିବ ନାହିଁ । 

 ମାଉସୀଙ୍କ ଠାରୁ ମୁଁ କେବେ ତାଙ୍କ ଯାମାନଙ୍କ ବିଷୟରେ ଆଲୋଚନା କରିବା କିମ୍ବା, ସେମାନଙ୍କ ସ୍ୱାର୍ଥନ୍ୱେଷୀ ବ୍ୟବହାର ବିଷୟରେ କହିବା ମୁଁ ଶୁଣିନି, ବରଂ ମାଉସୀ କେମିତି ଯାମାନଙ୍କ ସହିତ ଚଳୁଥିଲେ ସେଇ ଖୁସି ଗୁଡ଼ିକ ଅତି ଆନନ୍ଦରେ କୁହନ୍ତି । ମାଉସୀଙ୍କର ଭଣଜାବୋହୁମାନଙ୍କ ଠାରୁ ମୁଁ ଏସବୁ ଜାଣିଲି । 

 ମାଉସୀଙ୍କର ଦୁଇ ଝିଅ ଓ ପୁଅ ଦୂରରେ ରହନ୍ତି । 

ଯେତେବେଳେ ଆସନ୍ତି ବୁଲାବୁଲି କରି ଫେରି ଯାଆନ୍ତି । 

କେବେ ମାଉସୀ ତାଙ୍କ ବୋହୁର ଦୋଷ ତ୍ରୁଟି ବାଛିବା ମୁଁ ଶୁଣିନି, ଓଲଟି ବୋହୁକୁ କଷ୍ଟ ହେବ ବୋଲି ନିଜ ଆଡ଼ୁ ପର୍ବପର୍ବାଣୀକୁ ଅତି କମରେ କରି ନିଅନ୍ତି । ମୋତେ କହିବେ ତୁ ଯେତିକି କରିପାରୁଛୁ କର, ତୋ ପୁଅ ବାହା ହୋଇ ବୋହୂ ଆସିଲେ ତା ଉପରେ ଏତେ ବୋଝ ଦବୁ ନାହିଁ । ଆଜିକାଲି ପିଲା ମାନେ ଏତେ କରିପାରିବେ କି??

ଅଥଚ ମାଉସୀ ଯେମିତି କାମ କରନ୍ତି ଆଉ କରିଛନ୍ତି ଆମେ କେବେ କରି ପାରିବୁନି । 

 ଯେତେବେଳେ ତାଙ୍କ ଦେହ ଭଲ ରହିଲା ନାହିଁ ପୁଅ ବଦଳି ହୋଇ ଭୁବନେଶ୍ୱର ଆସିଗଲା । ବୋହୁ ସେଠାରେ ଚାକିରି କରିଥିଲା ତେଣୁ ଏଠାରେ ସେ ତୁଚ୍ଛା ବସିବ ବୋଲି ପୁଅକୁ ଲଗାଇଲେ ସେ ଏଠି ମଧ୍ୟ ଚାକିରି କରୁ ଆଉ ବୋହୁକୁ ଆସୁ ଆସୁ କହିଦେଲେ ତୁ ଯେମିତି ସେଠାରେ ରହି ଚଳୁଥିଲୁ ଏଠି ସେମିତି ରହ ମୋର କିଛି ଅସୁବିଧା ନାହିଁ । ଡ୍ରେସ ପିନ୍ଧି, 

 ମୁଁ ଯେତେବେଳେ ଯାଏ ଦେଖେ ମାଉସୀ ପ୍ରାୟ କାମ ବୋହୁ ସହିତ ମିଶି କରିଦିଅନ୍ତି । 

ତାଙ୍କର ଏଇ କଥାଟା ମୋତେ ଭଲ ଲାଗେ ସବୁବେଳେ କହିବେ ମୋ ବୋହୁ କେତେ କରିବ ମୋର କରିବ, ମଉସାଙ୍କର କରିବ, ମୋ ପୁଅର କରିବ ପୁଣି ତା ପୁଅର କରିବ । 

ଅଥଚ ଅନେକ ସ୍ତ୍ରୀ ଲୋକ ବୋହୁ ଯେତେ କଲେବି ଟିକେ ପ୍ରଶଂସା କରନ୍ତି ନାହିଁ । ଓଲଟି କହିବେ କାହାର କଣ କରୁଛନ୍ତି କି ତାଙ୍କ ବର ତାଙ୍କ ପୁଅ ପାଇଁ କରୁଛନ୍ତି ନା । ପ୍ରକୃତରେ ଗୋଟିଏ ମାଆ ଚାହିଁଲେ ଘର ପ୍ରତ୍ୟେକସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ଗଢି ପାରିବ । 

 ଏମିତି ଗୋଟିଏ ମାଆଙ୍କୁ ମୋର କୋଟିଏ ଜୁହାର । 



Rate this content
Log in

Similar oriya story from Inspirational