ମାଆ
ମାଆ
ରାମଚନ୍ଦ୍ରପୁର ନାମରେ ଏକ ଗ୍ରାମ ଥିଲା। ସେହି ଗ୍ରାମରେ ରଘୁନାଥଦାସ ନାମକ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ। ସେ କୌଶଲ୍ୟା ନାମ୍ନୀ ଏକ ଝିଅକୁ ବିବାହ କରିଥିଲେ। ବେଶ ହସ ଖୁସିରେ ତାଙ୍କର ଦିନ କଟି ଯାଉଥିଲା। ମାତ୍ର କାଳର ବିଡମ୍ବନା ଦେଖ। ଦୁଇ ବର୍ଷ ପରେ କୌଶଲ୍ୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଆରପାଇକୁ ଚାଲିଗଲେ। ତାଙ୍କ ପରିବାରରେ କେବଳ ତାଙ୍କର ସତୁରି ବର୍ଷିଆ ବୁଢ଼ୀ ମାଆଙ୍କ ଛଡ଼ା ଅନ୍ୟ କେହି ନଥିଲେ।ଏଣେ ଶଶୁରଘର ଶଳା ଓ ଶଳା ଭାଉଜଙ୍କ ଛଡ଼ା ଅନ୍ୟ କେହି ନଥିଲେ। ମାତ୍ର ଶଳା ଭାଉଜଟି ଅତ୍ୟନ୍ତ କୁଟୀଳ ପ୍ରକୃତିର ଥିଲେ। ତେଣୁ ରଘୁନାଥଙ୍କ ମୁଣ୍ଡରେ ବଜ୍ର ପଡିଲା। ସେ ଏହୂ ଦୁଇଦିନର ଶିଶୁ କନ୍ୟାକୁ କିପରି ବଞ୍ଚାଇ ରଖିବେ ସେହି ଚିନ୍ତାରେ ଥାଆନ୍ତି।
ଠିକ ଏହି ସମୟରେ ସେହି ଗ୍ରାାମର ଜଣେ ଲୋଭଗ୍ରସ୍ତ ବ୍ୟକ୍ତି ରଘୁୁୁନାଥ ଦାସଙ୍କର ଧନରେ ଲୋଭାନ୍ବିତ ହୋଇ ତାଙ୍କର କନ୍ୟାକୁ ତାଙ୍କ ସହ ବିବାହ ଦେଇଥିଲେ। ତାଙ୍କର ଇଛାଥିଲା ଯେନତେନ ପ୍ରକାରେଣ ଶିଶୁ କନ୍ୟାଟିକୁ ମାରିଦେଲେ ତାଙ୍କ ଝିଅ ସେ ଘରେ ଏକଚାଟିଆ ରାଜରାଣୀ ହୋଇ ରହିବ। ତେଣୁ ତାଙ୍କର ଉଦ୍ଦେଶ୍ୟକୁ ସେ ତାଙ୍କ ଝିଅ ଆଗରେ ମଧ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରିନଥିଲେ।
ରଘୁନାଥ ଥିଲେ ଜଣେ ସରଳ ଅମାୟିକ ବ୍ୟକ୍ତି। ସେ ଏସବୁ ଛନ୍ଦ କପଟକୁ ବୁଝିପାରୁ ନଥିଲେ। ସେ ତାଙ୍କର ଦ୍ଵିତୀୟ ପତ୍ନୀ ଯଶୋଦାକୁ ପ୍ରଥମ ପତ୍ନୀଙ୍କ ପରି ଭଲ ପାଉଥିଲେ।
ଯଶୋଦା ଯେହେତୁ ଜଣେ ନାରୀ ଥିଲେ ତେଣୁ ତାଙ୍କ ଭିତରେ ଥିବା ମାତୃତ୍ୱକୁ ସେ କିପରି ଭିନ୍ନ ଦୃଷ୍ଟିରେ ଦେଖି ପାରିଥାନ୍ତେ। ସେ ଶିଶୁକନ୍ୟାଟିକୁ ଦେଖିବା ମାତ୍ରେ ତାଙ୍କ ମନରେ ମାତୃତ୍ୱ ଭାବ ଏପରି ଭାବେ ପ୍ରସ୍ଫୁଟିତ ହେଉଥିଲା ଯେ ସେ ନିଜେ ଭୁଲି ଯାଉଥିଲେ ସେ ପିଲାର ସାବତ ମାଆ ବୋଲି। ତେଣୁ ସେ ତାଙ୍କ ବାପାଙ୍କ କଥାକୁ ଭୁଲି ପିଲାଟିର ଯତ୍ନ ଏପରି ଭାବରେ ନେଉଥିଲେ ଯେ କେତେବେଳେ ବି ତାକୁ ଅନୁଭବ କରିବାକୁ ଦେଇ ନଥିଲେ ସେ ତାଙ୍କର ସାବତ ମାଆ ବୋଲି।ତା ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ମଧ୍ୟ ନିଜ ପୁତ୍ର ଠାରୁ କନ୍ୟାଟିକୁ ଅଧିକ ସ୍ନେହ, ଶ୍ରଦ୍ଧା ପ୍ରଦାନ କରିବା ସହ ଏତେ ସୁନ୍ଦର ଭାବରେ ତାର ଯତ୍ନ ନେଉଥିଲେ ଯେ କେହି ଦେଖିଲେ ଭାବିବ ଯେ ସେ ପୁଅଟିର ସେ ସାବତ ମାଆ ଏବଂ ଝିଅଟିର ନିଜ ମାଆ। ଯଶୋଦା ତାର ନାମ ଦେଇଥିଲେ ବିଷ୍ଣୁପ୍ରିୟା। ସେ ତାକୁ ଉଚ୍ଚ ଶିକ୍ଷିତା କରାଇ ସୁନାମଧନ୍ୟା ଡ଼ାକ୍ତରାଣୀ ଭାବରେ ସଂସାରରେ ପ୍ରତିଷ୍ଟିତ କରି ନିଜକୁ ଧନ୍ୟ ମଣୁଥିଲେ।
କିଛିଦିନପରେ ବାପା ମାଆ ଦୁହେଁ ତାର ବିବାହ କରିବାକୁ ସ୍ଥିରକଲେ। ଏଣୁ ଏକ ସୁନ୍ଦର ବରପାତ୍ର ଯୋଗାଡ଼ କରି ତାର ବିବାହ ଦିନ ସ୍ଥିର କଲେ।
ଖୁବ ଧୁମଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା। ବିବାହ ଶେଷରେ ଝିଅ ବିଦାହେବା ସମୟରେ ମାଆ ଝିଅକୁ ଜାବୁଡ଼ି ଧରି ବହୁତ ବାହୁନି ବାହୁନି କାନ୍ଦିଲେ। ସେହି ସମୟରେ ସେ ଝିଅକୁ କହିଲେ " ଝିଅ ମୁଁ ତୋର ସାବତ ମାଆ। ତେଣୁ ମୋର ଯଦି ଅଜାଣତରେ ଦୋଷ ରହିଯାଇଥାଏ ତେବେ ମନରେ ଧରିବୁ ନାହିଁ।" ଏକଥା ଶୁଣି ବିଷ୍ଣୁପ୍ରିୟା କହିଲେ "ମାଆ। ତୁମେ ମୋର ସାବତ ମାଆ ବୋଲି କାହିଁକି କହିଲ ସାବତ ମାଆର ସଂଜ୍ଞାମୋତେ ଜଣା ନାହିଁ। ଜନ୍ମରୁ ଆଜିପର୍ଯ୍ୟନ୍ତ ମୁଁ କେବଳ ତୁମକୁ ମୋର ମାଆ ରୂପରେ ଦେଖି ଆସିଛି। ତୁମେ ମୋତେ ସ୍ନେହଶ୍ରଦ୍ଧା ଦେଇଛ ସଂସାରରେ କୌଣସି ମାଆ ତା ପିଲାକୁ ଦେଇ ନଥିବ। ମୁଁ ତ କେବେ ସେମିତି କିଛି ବି ଭାବନା ମୋ ମନ ଭିତରେ ଆଣିନି ତାଛଡା ତୁମେ ମୋର ସାବତ ମାଆ ସେକଥା ମୁଁ ଆଜି ହିଁ ଜାଣିଲି। ଆଉ ଦିନେବି ସେ ଶବ୍ଦ ମୋ ସାମନାରେ ଉଚାରଣ କରିବ ନାହିଁ। ଯଦି କେବେ କରିବ ତେବେ ସେଦିନ ମୋ ମଲା ମୁହଁ ଦେଖିବ।" ଏକଥା ଶୁଣି ଯଶୋଦା ତା ମୁହଁରେ ହାତ ଦେଇ ଖୁବ ଜୋରରେ କାନ୍ଦିବାକୁ ଲାଗିଲେ।
ସତରେ ଏପରି ସାବତ ମାଆ ପାଇଲେ କୋଉ ପୁଅ ଝିଅଙ୍କ ଜୀବନ ଧନ୍ୟ ନ ହୋଇବ କହିଲ। ପ୍ରକୃତରେ ଯଶୋଦା ପରି ମାଆମାନଙ୍କୁ କୋଟିକୋଟି ପ୍ରଣାମ। ସେହିମାନେ ହିଁ ନାରୀ ଜନ୍ମର ସାର୍ଥକତା ପ୍ରତିପାଦନ କରି ସଂସାର ପାଇଁ ଉଦାହରଣ ସାଜି ପାରିବେ। ଏପରି ହୋଇଲେ ''ସାବତ"ଶବ୍ଦ ପରି ଘୃଣ୍ୟ ଶବ୍ଦଟି ଧୀରେଧୀରେ ଲୋପ ପାଇଯିବ। ସେତେବେଳେ ମାତୃ ଜାତିର ଜୟ ଜୟକାର ଘୋଷିତ ହୋଇବ।
ମୋ କାହାଣୀ ଏତିକି
ଫୁଲ ଫୁଟେ କେତକୀ।
