ମାଆ ଓ ମମତା
ମାଆ ଓ ମମତା
ମାଆ ଆଉ ମାଟି ବିନା ସୃଷ୍ଟିର ପରିକଳ୍ପନା
ଅସମ୍ଭବ।ମା'ସନ୍ତାନ ପାଇଁ ଏମିତି ଏକ ଶବ୍ଦ
ଯିଏ ଜୀବନରେ ଭରିଦିଏ ଚନ୍ଦନ ବନର
ଶୀତଳତା।ସନ୍ତାନର ଦୁଃଖରେ ଯାହାର ଆଖି
ପାଲଟିଯାଏ ଶ୍ରାବଣର ବାରିଧାରା।ଆଉ
ସନ୍ତାନର ଖୁସିରେ ମା'ମନରେ ସୃଷ୍ଟି ହୁଏ
ସମୁଦ୍ରର ଉତ୍ତାଳ ତରଙ୍ଗ।'ମାଆ' ଗୋଟିଏ
ଅତୁଳନୀୟ ଶବ୍ଦ।
ସନ୍ତାନ ମନରେ ମା ଭରିଦିଏ ଇନ୍ଦ୍ରଧନୁର
ସପ୍ତରଙ୍ଗ।ତା'ଜୀବନ ପୁସ୍ତିକାର ପ୍ରଥମ ପୃଷ୍ଠାରେ
ମା'ଲେଖେ ସମ୍ପର୍କର ଶବ୍ଦଗୁଛ।ଆଙ୍କିଦିଏ
ପରିବାରର ପ୍ରତିଛବି।ଅବୁଝା ମନକୁ ତାର
ବୁଝେଇବା ପାଇଁ ଦେଖାଏ ଜହ୍ନମାମୁଁ।କହେ
ଏଇଟା ଆକାଶ,ଏଠି ଜହ୍ନ ଅଛି,ତାରା ଅଛି,
ସେମାନଙ୍କୁ ଡାକ!ସେମାନେ ଆସି ତୋ ସହିତ
ଖେଳିବେ।ଅବୋଧ ଶିଶୁଟା ମିଟିମିଟି କରୁଥିବା
ତାରା ଓ ଥାଳି ପରି ରୂପା ଜହ୍ନଟିକୁ ଦେଖି ଖୁବ
ଖୁସି ହୁଏ।
ତା'ପରେ ବୃକ୍ଷଲତା,ଜୀବଜନ୍ତୁ,ପଶୁପକ୍ଷୀ
ସମସ୍ତଙ୍କୁ ଦେଖାଇ ଧିରେ ଧୀରେ ପରିବେଶକୁ
ଚିହ୍ନାଏ।ତା'ପରେ ସାହି ପଡିଶା ଗାଁ'ଗଣ୍ଡା ସହର
ସର୍ବ ଶେଷରେ ସମାଜକୁ ସେ ମା'ଦ୍ୱାରା ହିଁ ଚିହ୍ନି
ଥାଏ ବା ଜାଣିଥାଏ।
ସନ୍ତାନ ଯେତେ ଅଳି ଅଝଟ କଲେ ବି ମା'
ତାକୁ ବୁଝେଇଲେ ସେ ବୁଝିଯାଏ।ମା'ର ଶିଶୁ
ପ୍ରତି ଥିବା ଅହେତୁକ 'ମମତା'ଶିଶୁଟିକୁ ବୁଝା-
ଇବାରେ ସମର୍ଥ ହୋଇଥାଏ।ତାର ଶୈଶବର
ବେଳାଭୂମିରେ କେବଳ ଥାଏ ମା'ର ସ୍ନେହ-ଶ୍ରଦ୍ଧା,
ସହାନୁଭୂତି ସର୍ବୋପରି ଅନୁଶାସନ ମଧ୍ୟ।କାରଣ
ଅନୁଶାସନ ଟି ତାର ଭବିଷ୍ୟତର ରକ୍ଷା କବଚ।
ମା'ର ଅନାବିଳ ମମତା ଆଗରେ ସନ୍ତାନ ଟି
କୈଶୋର,ଯୌବନ,ପ୍ରୌଢ,ଯେ କୌଣସି
ଅବସ୍ଥାରେ ବି କେବଳ 'ସନ୍ତାନ' ହୋଇ ରହିଥାଏ।
ସନ୍ତାନଟିର ସିନା ବୟସ ବଢେ,କିନ୍ତୁ ମା'ମନରେ
ଥିବା ମମତାର କୌଣସି ପରିବର୍ତ୍ତନ ହୁଏ ନାହିଁ।
ସନ୍ତାନଟି ମା କଥା ବୁଝୁ କି ନ ବୁଝୁ,କିନ୍ତୁ ମା'
ସର୍ବଦା ସନ୍ତାନଟିର ଉଜ୍ଜ୍ବଳ ଭବିଷ୍ୟତ ଓ ସୁଖ,
ସୁବିଧା କଥା ହିଁ ଚିନ୍ତା କରିଥାଏ।ସନ୍ତାନଟି
ବାହାରକୁ ଗଲେ କିପରି ନିରାପଦରେ ଘରକୁ
ଫେରିବ,କଣ ଖାଇଲା ନ ଖାଇଲା ଇତ୍ୟାଦି
ଆଶା,ଆଶଙ୍କା ତା ମନରେ ଉଙ୍କି ମାରୁଥାଏ।
ଅସୁସ୍ଥ ଅବସ୍ଥାରେ ଯନ୍ତ୍ରଣାରୁ ଔଷଧ ଠାରୁ
ମା'ହାତର ସ୍ପର୍ଷ ଅଧିକ ଉପଶମ ଦେଇଥାଏ।
ମା'ସ୍ନେହ-ମମତାର ପ୍ରତିମୂର୍ତ୍ତିଟିଏ।
ମମତାର ଅତୁଟ ବନ୍ଧନଟିଏ।
ସେବାର ଗନ୍ତାଘରଟିଏ।
କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ "ମା ଓ ମମତା"ର
ମୂଲ ବୁଝୁଛି କିଏ?ବୁଢ଼ିଆଣୀର ଛନ୍ଦାଛନ୍ଦି ଜାଲ
ପରି ମା'ପାଇଁ ଆଜି ମନରେ ଅନେକ ଅସମାହିତ
ପ୍ରଶ୍ନ?ଯାହାର ଉତ୍ତର ଅତ୍ୟାଧୁନିକ ସଭ୍ୟତା
ଭିତରେ ଶ୍ୱାସରୁଦ୍ଧ।ଶେଷରେ ଏତିକି କହିବି-
"ନିରୁଦ୍ଧିଷ୍ଟ ଆଜି ମା'ର ଠିକଣା
ଲୁହରେ ଭିଜୁଛି ମମତା ଅଗଣା "।
