STORYMIRROR

Shaktiprava Mishra

Inspirational Others

5.0  

Shaktiprava Mishra

Inspirational Others

ମା'

ମା'

3 mins
14.6K


ବାପଘର ପାଖରେ ଥିବା ନୃସିଂହ ମନ୍ଦିରରେ ଶ୍ୱେତାର ମାନସିକ ପୂଜାଟିଏ ଥିଲା । ମା'କୁ ସାଙ୍ଗରେ ନେଇ ସେଦିନ ମନ୍ଦିର ଯାଇଥିଲା ସିଏ । ଠାକୁର ଦର୍ଶନ ସାରିବା ବେଳକୁ ମା' ତାର ଥକିଯାଇ ମନ୍ଦିରର ପ୍ରାଙ୍ଗଣରେ ତା’ପାଇଁ ପଡିଥିବା ଦରି ଉପରେ ବସି ପଡିଲା । ନିଜ ଲୁଗା କାନିରେ ମୁହଁର ଝାଳ ପୋଛି ଆଣି କହିଲା , 'ଆଉ ବଳ ପାଉନି ଲୋ ଝିଅ । ବୟସ ଆସି ପଞ୍ଚସ୍ତରୀ ହେଲାଣି । ଟିକିଏ ଚାଲି ଦେଲେ ଦେହ ଥକି ପଡୁଛି ।ମା' ର ପାଖରେ ବସି ବ୍ରାହ୍ମଣ ନନାଙ୍କୁ ପ୍ରସାଦ ପାଇବାକୁ ଆଉ କେତେ ସମୟ ଲାଗିବ ବୋଲି ପଚାରିଥିଲା ଶ୍ୱେତା । ଅନ୍ନଭୋଗ ପାଇଁ ଆହୁରି ଦୁଇଘଣ୍ଟା ଲାଗିବା କଥା ଶୁଣି ସମସ୍ତେ ଗୋଟିଗୋଟି ହୋଇ ମନ୍ଦିର ବାହାରେ ପୋଷାଯାଇଥିବା ଧଳା ଠେକୁଆ ମାନଙ୍କ ପାଖକୁ ଚାଲିଗଲେ । କିଛି କଟା ପରିବାର ଚୋପା ନେଇ ସେମାନଙ୍କୁ ଖାଇବାକୁ ଦେବାବେଳେ ଖୁସିରେ ଉଛୁଳି ଉଠୁଥିଲେ ସମସ୍ତେ ।

ଶ୍ୱେତାର ମୁହଁକୁ ଚାହିଁ ମା' ତାର କହିଲା , " କୋଉ ଦିନରୁ ଏ ମନ୍ଦିରକୁ ଆସିବି ବୋଲି ଭାରି ମନ ଥିଲା ମୋର । ଆଉ ତ ଗୋଡ ହାତ ଚଳୁନି ।ବୁଢୀ ମଣିଷଟା କାହିଁକି କାହାକୁ ହଇରାଣ କରିବି କହି ଚୁପ୍ ଥିଲି । ଯାହାହେଉ ଆଜି ନୃସିଂହ ଠାକୁରଙ୍କ କୃପାରୁ ତାଙ୍କୁ ଟିକେ ଦେଖିପାରିଲି ସେଇଟା ମୋର ଭାଗ୍ୟ । ଠାକୁରଙ୍କୁ କହିଲି ଏମିତି ଗୋଡ ହାତ ଚଳୁଥିବା ବେଳେ ଉଠେଇ ନିଅ ମୋତେ ।ଯେଉଁ ଦୁଃଖ କପାଳରେ ଲେଖିଦେଲ ତାହା ତ ଆଉ ବଦଳିବାର ଆଶା ଦେଖାଯାଉନି। ତଥାପି ତୁମେ ଯେତେବେଳେ ଅନ୍ତର୍ଯ୍ୟାମୀ କିଛି ହେଲେ ଆଶ୍ଚର୍ଯ୍ୟ କରିଦିଅନ୍ତ ଯେ ମୋ ବଞ୍ଚିଥିବା ଅବସ୍ଥାରେ ଭାଇ ଭଉଣୀ ଦି’ଟା ମିଶିଯାଆନ୍ତେ । ଆଜିଯାଏଁ ଲୁଚେଇ ରଖିଥିବା ସତ୍ୟ ପ୍ରଘଟ ହୁଅନ୍ତାନି ଗାଁରେ ।"

ହଠାତ ମା' ତାର କାନ୍ଦିବାକୁ ଆରମ୍ଭ କଲା । ଆଖି ଆଉ ନାକ ପାଣି ଏକାକାର କରି କହିଲା , 'ଘରର ଝିଅ ଜୋଇଁଙ୍କ ଦୁଆର ପକେଇଦେଲାବେଳେ ଥରଟିଏ ପାଇଁ ଭାବିଲାନି ମା'ଟାକୁ କେତେ କଷ୍ଟ ହେବ ବୋଲି ?' ଜୋଇଁ ମୋର ଭଲ ଲୋକଟିଏ ବୋଲି ସିନା , ନହେଲେ ଶଳା ହାତରେ ଅପମାନିତ ହୋଇ କୋଉ ଜୋଇଁ କ’ଣ ଶ୍ୱଶୁର ଘର ଦୁଆର ଉଠେ ? ତା’ ସ୍ତ୍ରୀକୁ ବାପଘର ଛାଡେ ? ତୋ ପରିବାର ଲୋକଙ୍କ ଆଗରେ ମୋ ମୁଣ୍ଡ ତଳକୁ ହେଇଯାଉଛି ।ଦୁଇଟା ଝିଅ ପରେ କେତେ ପୂଜା ମାନସିକ କରି ତମପାଇଁ ଭାଇଟିଏ ଆଣିଥିଲି ଯେ ଭଉଣୀର ଦାୟିତ୍ଵ ନେବ କ’ଣ ତା ଦୁଆର ପକେଇଦେଲା ଶେଷକୁ । ପୁଅ ଜନ୍ମ କରିଥିଲି କ’ଣ ଜୀବନରେ ଏଇଆ ଦେଖି ମରିବି ବୋଲି ? ମୁଁ ମରିଗଲେ ସେ କ’ଣ ଆଉ ତୋତେ ଲୋଡିବ ?"

ମା'ର ପିଠିକୁ ଆଉଁସି ଆଣି ଶ୍ୱେତା କହିଲା- “ ଆହୁରି ବହୁତ ବର୍ଷ ବଂଚିବୁ ତୁ ! ଏମିତି ଖରାପ କଥାଗୁଡା କାହିଁକି ତୁଣ୍ଡରେ ଧରୁଛୁ ? ତୋ ପୁଅ ମୋତେ ନ ଡାକିଲେ ବି ମୁଁ ମୋ ଗାଁକୁ ଆସିବି । ମୋ କକେଇ , ଖୁଡି , ପୁତୁରା ଝିଆରୀ ସମସ୍ତଙ୍କ ସହିତ ମିଶିବି ।ମୋ ବଉଳ , ମକରଙ୍କ ଘରକୁ ଯିବି ।ତୋ ପୁଅକୁ ଡରି ମୋ ପାଇଁ ସହିଥିବା, ମୋତେ ଭଲ ପାଇଥିବା ମଣିଷ ମାନଙ୍କୁ ମୁଁ ଭୁଲି ପାରିବିନି ।ଭୁଲିଯିବି ମୋ ଗାଁ ମାଟିକୁ ଯେଉଁଠି ମୁଁ ମୋର ପିଲା ଦିନ କଟେଇଛି ? ଭୁଲିଯିବି ଗାଁର ପୋଖରୀ ,ତୋଟା , ଚାନ୍ଦିନୀ , ସାଙ୍ଗସାଥି ଆଉ ଗୁରୁଜନ ମାନଙ୍କୁ ? ମୁଁ କ’ଣ କୋଉ ବାହାର ଲୋକ ହେଇଛି କି ? ଏ ଘରର ଝିଅ ପରା ମୁଁ ?”

ଝିଅ ମୁହଁରୁ ଏମିତି ଟାଣ କଥା ଶୁଣି ମା' ତାର ଚୁପ୍ ପଡିଗଲା । ଶ୍ୱେତାକୁ ମନେହେଲା ମା'ମନରେ ଅନେକ ଦିନରୁ ଜମାଟ ବାନ୍ଧି ରହିଥିବା ଦୁଃଖର ବରଫ କିଛି ତରଳିବାକୁ ଆରମ୍ଭ କରିଥିଲା । ଦୀର୍ଘ ଶ୍ଵାସ ଛାଡି ମା' କହିଲା , ହଁ , ଝିଅଙ୍କୁ ଦୁର୍ବଳ ଭାବିଲୁ ବୋଲି ତ ପୁଅଟିଏ ଆମ ଆଖିରେ ଏତେ ବଡ ହୋଇଗଲା ଯେ ଆଉ ସିଏ ଇନ୍ଦ୍ର ଚନ୍ଦ୍ର ମାନୁନି । ହେଲେ ଆଉ ସେ ଯୁଗ ନାହିଁ ଯେ........କଥା ବଦଳେଇବା ଆଳରେ ବଡପାଟି କରି ଶ୍ୱେତାର ପୁଅକୁ ମା' ପୁଣି କହିଲା, ' ଆରେ ହେ ନାତିଆ ଟୋକା , ସେମିତି ଠେକୁଆ ରଙ୍ଗର ଝିଅଟେ ବାହାହେବୁ ବୋଲି କଥା ଦେଲେ ସତ ପଦାକୁ ଆଣିବିନି । ନହେଲେ ମୋତେ ଯାହା କହିଛୁ ସବୁ କହିଦେବିଟି ସମସ୍ତଙ୍କୁ । ହେହେହେ ....। ପୁଅ ଅଂଶ କହୁଥିଲା , ମୁଁ କେତେବେଳେ କ’ଣ କହିଲି ତୁମକୁ ? ତମେ ତ ନିଜେ ମୋତେ ବାହାହେବ କହିଲ । ମା' ଆହୁରି ଜୋରରେ ହସୁଥିଲା ହେ...ହେ...ହେ... ହୋଇ ।ସମସ୍ତେ ହସିହସି ମା' ପାଖକୁ ଆସି ତା ଚାରିପଟେ ଘେରି ଆହୁରି କେତେ କ’ଣ ଥଟ୍ଟା ମଜା ଆରମ୍ଭ କରିଦେଲେ ।

ବିଗତ ଦିନର କଥାଟି ଶ୍ୱେତାର ମନେ ପଡି ଯାଉଥିଲା । ଯେଉଁ ଦିନ ବାପାଙ୍କର ସମ୍ପତିକୁ ନିଜ ନାଁରେ କରିବାପାଇଁ ଶ୍ୱେତାକୁ ଦସ୍ତଖତ କରିବାକୁ ବାଧ୍ୟ କରିଥିଲା ତା ଭାଇ ।ଉତ୍ତରରେ ଶ୍ୱେତା କେବଳ କହିଥିଲା ," ସବୁ ପ୍ରାପ୍ତିର ଏକ ନିର୍ଦିଷ୍ଟ ସମୟ ଥାଏ । ବର୍ତ୍ତମାନ ବାପାଙ୍କର ସମ୍ପତିରେ କେବଳ ଅଧିକାର ମା'ର । ମା' ବଞ୍ଚିଥିବା ଅବସ୍ଥାରେ ମୁଁ ସମ୍ପତି କାଗଜରେ ଆଦୌ ଦସ୍ତଖତ କରିବି ନାହିଁ । ଜନ୍ମରୁ ଆଜିଯାଏଁ ମୋତେ ପ୍ରତିପଦରେ ସହାୟ ହୋଇଥିବା ମୋର ପୂଜନୀୟା ମା'କୁ ତା ଜୀବନ କାଳରେ ଅସହାୟ ହୋଇ ବଂଚିବାକୁ ଦେବିନାହିଁ ମୁଁ ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shaktiprava Mishra

Similar oriya story from Inspirational