ମା
ମା


ମା ଡାକ ସତରେ ସବୁ ଡାକ ଠାରୁ ଅତି ନିଆରା । ଯେତେବେଳେ ବି ଶରୀରକୁ ଟିକିଏ ବି କଷ୍ଟ ମିଳେ ମୁହଁରୁ ସ୍ବତଃପ୍ରବୃତ ମା ବୋଲି ବାହାରି ଆସେ । କିନ୍ତୁ ଏ ମା ଡାକ ହୁଏତ ସମସ୍ତଙ୍କୁ ଏତେ ସହଜରେ ମିଳେନା ।
ନିମି ଏକ ସର୍ବଗୁଣସମ୍ପନ୍ନା ଝିଅଟେ ।ପାଠ ପଢା ସରୁ ସରୁ ବିବାହ ହୋଇଗଲା ତାର ।ବିବାହ ପରେ ଚାକିରୀ ଟିଏ କରିଲା ।ଶାଶୁ ଘରେ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି ।କେବେ ବି ତାକୁ ତା ମା ଙ୍କ କଥା ମନେ ପଡେନି ।ଫୋନ୍ କରି ମାଙ୍କୁ କହେ ମା " ମୋ ଶାଶୁ ବହୁତ ଭଲ ।ଯିଏ କି ତୁମ ପରି ମୋର ଯତ୍ନ ନିଅନ୍ତି ।
ବାହାଘର ର ସାତ ବର୍ଷ ପୁରିଗଲା ।କିନ୍ତୁ ନିମିକୁ ମା ହେବାର ଖୁସି ମିଳୁ ନ ଥାଏ ।ଧୀରେ ଧୀରେ ନିମିର ଶାଶୁ ଆଉ ଆଗ ପରି ନିମିକୁ ଭଲ ପାଉ ନଥାନ୍ତି ।କଥା କଥା କେ ରାଗୁଥାନ୍ତି ।
-- କି ଅଲକ୍ଷଣି ଟା ତୁ ,ସାତ ବର୍ଷ ବିତିଗଲେ ବି ମୋକୁଳକୁ ନାତି କି ନାତୁଣୀଟିଏ ଦେଇ ପାରୁନୁ ।
- ଆଜିର ଏ ବୋହୁ ସବୁ ସେମିତି ।ନିଜେ ଜୀବନରେ ଖାଲି ମଜା ପାଇଁ ପିଲା କଥା ଚିନ୍ତା ହିଁ କରୁ ନାହାନ୍ତି ।ନିଜର ସୁନ୍ଦରତା ପାଇଁ ମା ହେବା କଥା ଭାବୁ ନାହାନ୍ତି ।
ଏ ସବୁ ଶୁଣି ନିମିର ମନ ଭାରି ଦୁଃଖ ହୋଇଯାଏ । ଶାଶୁଙ୍କ କହିବା ଟା ବି ଠିକ୍ ।ହୁଏତ ସେ ବି ଶାଶୁ ହୋଇଥିଲେ ଏମିତି ନାତି କି ନାତୁଣୀଟେ ପାଇଁ ଆଶା କରିଥାନ୍ତା ।ହୁଏତ ରାଗରେ ଶାଶୁ ଏମିତି କହୁଛନ୍ତି ଭାବି ମନକୁ ବୁଝାଇ ଦିଏ ।କାହିଁକି ନା ସବୁ ମା , ବାପାଙ୍କର ପୁଅ ଠୁ ଜୀବନ୍ତ ଖେଳନାଟେ ଦରକାର ଥାଏ । କିନ୍ତୁ କଣ କରିବ ସେ ତା ମନରେ ମଧ୍ୟ ଦୁଃଖ ଥାଏ କି ସେ କାହିଁକି ମା ହୋଇ ପାରୁନି । ଡକ୍ଟରଙ୍କ ପାଖରୁ କେତେ ଥର ତ ଚେକ୍ କରି ସାରିଲାଣି , କିଛି ତ ଅସୁବିଧା ନାହିଁ । କଣ କରିବ ସେ ଜାଣି ପାରୁ ନ ଥାଏ ।
ହଠାତ୍ ତାର ମନକୁ ଆସିଲା । ଏଥର ତା ସ୍ବାମୀଙ୍କୁ ନେଇ ଚେକ୍ ଅପ୍ କରେଇବ । ପରଦିନ ତାହା ହିଁ କରିଲା । କିନ୍ତୁ ଡକ୍ଟରଙ୍କ ଠୁ ଯାହା ଜାଣିଲେ , ଜାଣି ଦୁଇ ଜଣଙ୍କ ମନ ଦୁଃଖ ହୋଇଗଲା । ଘରକୁ ଦୁହେଁ ମନ ଶୁଖାଇ ଆସି ବସିଥାନ୍ତି ।ସେପଟେ ନିମିର ଶାଶୁ ଚାହିଁ ବସିଥାନ୍ତି କି ଆଜି କିଛି ଖୁସି ଖବର ନିହାତି ଆସିବ ।
- ନିମି , କଣ କହିଲେ ଡକ୍ଟର ।ତୁ କେବେ ଦେବୁ ଖୁସି ଖବରଟେ ।ବହୁତ ଉତ୍ସୁକତା ସହ ପଚାରି ଉଠିଲେ ନିମିର ଶାଶୁ । କିନ୍ତୁ ଦୁଇ ଜଣ ଚୁପ୍ ।
ନିମି ଭାରି ଦୁଃଖରେ କହିଲା - ମା ଆପଣଙ୍କ ପୁଅଙ୍କର ସ୍ବାସ୍ଥ୍ୟଗତ କିଛି ସମସ୍ୟା ପାଇଁ ଏ ସବୁ ସମସ୍ୟା ।କିନ୍ତୁ ଚିନ୍ତା କରନ୍ତୁନି କିଛି ଗୋଟେ ଉପାୟ ନିଶ୍ଚିତ ଆସିବ ।
ଏସବୁ ଶୁଣି ନିମି ର ଶାଶୁ ନିମିକୁ କୁଣ୍ଢାଇ ପକାଇ କେତେ କାନ୍ଦିଗଲେ ।
-- କେତେ ତୋତେ ଗାଳି କରିଛି ।କେତେ କଣ କହିଛି ।ମୋତେ କ୍ଷମା କରି ଦେ ।
-- ନାଇଁ ମା , ବଡ ହୋଇ ଆପଣ ଏମିତି କ୍ଷମା ମାଗିବା ଠିକ୍ ନୁହେଁ । ଆପଣ ପରା ମା ।ମା ମନ କଣ କେବେ କାହାର ଖରାପ ଭାବେ କି ।
ନିମି କହିଲା -- ମୁଁ କଣ ଭାବୁଥିଲି କି ଗୋଟିଏ ପିଲା ଏଡପ୍ଟ କରିଲେ କେମିତି ହୁଅନ୍ତା ?
ଏକା ସହ ନିମିର ସ୍ବାମୀ , ଏବଂ ଶାଶୁ ହଁ ଭରିଲେ । ବାହାରି ପଡିଲେ ଅନାଥାଶ୍ରମକୁ । ବିନା ବାପା - ମା ର ପିଲାଙ୍କୁ ଦେଖି ନିମି ଭାବୁଥାଏ ଯେମିତି ସମସ୍ତଙ୍କୁ ନେଇ ଯିବ ତା ଘରକୁ ।
କିଛି ଦିନ ପରେ ଥିଲା ମାତୃ ଦିବସ । ତିନି ଜଣ ଯାଇ ଗୋଟିଏ ଗୁଲୁଗୁଲିଆ ଝିଅଟିକୁ କୋଳେଇ ଆଣିଲେ ସେହି ଅନାଥାଶ୍ରମରୁ । ନିମି ଆଖିରୁ ଖୁସିର ଲୁହ ଝରି ଯାଉ ଥାଏ ।ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହେଲା । ତାକୁ ବି କେହି ମା ଡାକିବ , ସେ ବି ସନ୍ତାନଟେ ପାଇଲା ।ସଙ୍ଗେ ସଙ୍ଗେ ଶାଶୁଙ୍କୁ ପ୍ରଣାମ କରି ଆଶୀର୍ବାଦ ମାଗି ପକାଇଲା - ମା ଆଶୀର୍ବାଦ କରନ୍ତୁ ମୁଁ ବି ଆପଣଙ୍କ ପରି ମା ଟେ ହୋଇପାରେ । ନିମି ତାର ମାକୁ ଫୋନ୍ କରି କହୁଥାଏ - ମା ଆଶୀର୍ବାଦ କର ତୁମ ପରି ଦକ୍ଷ ମା ଟେ ହୋଇପାରେ ମୁଁ ।
ଖୁସିରେ ପାଦ ତାର ତଳେ ଲାଗୁ ନଥାଏ ।ମା ହେବାର ଏ ଖୁସି ସବୁଠୁଁ ବଡ ଥାଏ । ଦୁନିଆଁ ଯେମିତି ବି ପାଳନ କରୁ ଏ ମାତୃ ଦିବସ , କିନ୍ତୁ ନିମି ସେ ସବୁ ଭାବୁ ନଥାଏ ।
କେବଳ ଭାବୁଥାଏ -"ପ୍ରକୃତରେ ଏ ମାତୃ ଦିବସରେ ମୋର ଏ ମାତୃତ୍ବ ଲାଭର ଖୁସି ଅତି ଅନନ୍ୟ " ।ଆଜି ହିଁ ଜାଣି ପାରିଲି ମା ମାନେ କାହିଁକି ଏତେ ସ୍ବତନ୍ତ୍ର ।
ଝିଅଟିକୁ କୋଳେଇ ସିଧା ଯାଇ ଗାଡିରେ ବସି ପଡିଲା ନିମି ।
ନିମିର ଶାଶୁ କହୁଥାନ୍ତି - ପାଗିଳୀଟା କେତେ ଖୁସି ତାର ଆଜି ।ନ ହେବ ବା କାହିଁକି , ଯେତେ ହେଲେ ସେ ଆଜି ହୋଇଛି "ମା" ।