Priyadarshini Mishra

Inspirational

3.3  

Priyadarshini Mishra

Inspirational

ଲୁଗା

ଲୁଗା

3 mins
152



  ବାପା ଗଲା ଦିନରୁ ମାଆ ହିଁ ଲିଲୁ ପାଇଁ ସବୁକିଛି । ବାପା କଥା ଲିଲୁର ମନେ ନାହିଁ । କେବଳ ମାଆ ମୁହଁରୁ ଶୁଣେ । ବାପା ଥିଲା ବେଳେ ମାଆ କୁଆଡେ ରାଣୀ ପରି ରହୁଥିଲା । ଲିଲୁ ମଧ୍ୟ ତାଙ୍କର ରାଜକୁମାର ଭଳି ରହୁଥିଲା । ବାପା ନିଜର ସମସ୍ତ ରୋଜଗାର ମାଆକୁ ଦେଉଥିଲା । ବାପାର କୌଣସି ବଦଭ୍ୟାସ ନଥିଲା । ତେଣୁ ବାପା ରୋଜଗାରରେ ଘର ଆରାମରେ ଚଳିଯାଉଥିଲା । ମାଆ ଲିଲୁର ପାଠପଢ଼ା ପାଇଁ କିଛି ଟଙ୍କା ସଞ୍ଚୟ କରି ରଖୁଥିଲା । ମୋଟ ଉପରେ ସେମାନେ ଖୁସିରେ ଥିଲେ । ଏ ନିଆଁଲଗା କରୁଣା(କରୋନା)ବେମାରୀରେ ବାପା ଗଲା ପରେ ସବୁ ବଦଳିଗଲା । ବାପା ରୋଗର ଚିକିତ୍ସାରେ ସଞ୍ଚିତ ଅର୍ଥ ଚାଲିଗଲା । ତା ସାଙ୍ଗକୁ ବାପା ମଧ୍ୟ ଚାଲିଗଲା । ମାଆ ହେଇଗଲା ରାଣୀରୁ ଚାକରାଣୀ ଓ ଲିଲୁ ଚାକରାଣୀର ପୁଅ । 

   ମାଆ ପୁଅ ଦୁଇଟି ପେଟ ପୋଷିବା ପାଇଁ ମାଆ ଘରୁ ଗୋଡ଼ କାଢ଼ିଲା । କିନ୍ତୁ କରୁଣା(କରୋନା)ଯୋଗୁଁ ମାଆକୁ କିଛି କାମ ମିଳୁନଥିଲା । ସେଇଥିରେ ସରକାରର ତାଲାବନ୍ଦ । ସରକାର କଣ ଘର କଥା ବୁଝୁଥିଲା କି ? ମାଆକୁ କାମ ନ ମିଳିଲେ କେତେ ଦିନ ସେମାନେ ଖାଇବା ଗଣ୍ଡେ ପାଇବେ ସେ କଥା ମାଆ ଜାଣିପାରୁନଥିଲା । ପିନ୍ଧିବା ଲୁଗା କଥା କିଏ ପଚାରେ । ଆଗ ପେଟ ପୁରୁ ତା'ପରେ ଦେହ ଘୋଡେଇବା କଥା ଚିନ୍ତା କରିବା । ଟୀକା ଆସି କରୁଣା(କରୋନା) କମିବା ପରେ ମାଆକୁ ଜଣେ ବଡ ବାବୁଙ୍କ ଘରେ ବାସନମଜା ଓ ଘରସଫା କାମ ମିଳିଗଲା । 

ଦରମା ଟଙ୍କାରେ ମାଆ ପୁଅଙ୍କ ଖାଇବା ଖର୍ଚ୍ଚ କଷ୍ଟେମଷ୍ଟେ ଉଠିଯାଉଥିଲା । ଅନ୍ୟାନ୍ୟ ଖର୍ଚ୍ଚ କଥା ଚିନ୍ତା କରୁନଥିଲେ । ଏମିତିକି ମାଆ ସେଇ ସାତସିଆଁ ଶାଢ଼ୀ ପିନ୍ଧୁଥିଲା । ଲିଲୁର ପ୍ୟାଣ୍ଟ ପଛ ପଟରୁ ରଫୁ କରାହୋଇଥିଲେ ମଧ୍ୟ ସେଇ ପ୍ୟାଣ୍ଟରେ ହିଁ ଲାଜ ନିବାରଣ କରିବାକୁ ପଡୁଥିଲା । ମାଆ କିନ୍ତୁ ଲିଲୁକୁ କଥା ଦେଇଥିଲା ଏଥର ଦରମା ମିଳିଲେ ଲିଲୁ ପାଇଁ ନୂଆ ପ୍ୟାଣ୍ଟଟିଏ ନିଶ୍ଚୟ କିଣିଦେଵ । ବେଳେବେଳେ ଲୋକଙ୍କର ରଙ୍ଗବେରଙ୍ଗ ସୁନ୍ଦର ଲୁଗା ଦେଖିଲେ ଲିଲୁ ମନ ଦୁଃଖ ହୁଏ । ସେତେବେଳେ ମାଆ ତାକୁ ନୂଆ ପ୍ୟାଣ୍ଟ କିଣେଇଦେଵ କହିଥିବା କଥା ତା'ର ମନେ ପଡିଗଲେ ତା'ର ଦୁଃଖ ଅପସରିଯାଏ । 

   ଆଜି ସକାଳୁ ମାଆ ଲିଲୁକୁ ନେଇ ତା' ମାଲିକ ଘରକୁ ଯିବ ବୋଲି କହି ତାକୁ ନିଦରୁ ଉଠେଇଲା । ଲିଲୁ ଆଖି ମଳି ମଳି ମାଆକୁ କାରଣ ପଚାରିବାରୁ ମାଆ କହିଲା ମାଲିକଙ୍କ ଘରକୁ ଆଜି ଅନେକ କୁଣିଆ ଆସିବେ । ତାଙ୍କ ଘରେ ଆଜି ଭୋଜି ହେବ । ଦିନମାନ ମାଆର କାମ ଲାଗିବ । ଲିଲୁ ଏକୁଟିଆ ଘରେ ରହିପାରିବନି । ତେଣୁ ମାଆ ତାକୁ ସାଙ୍ଗରେ ନେବ । ତେବେ ମାଆର ଅସଲ ଉଦ୍ଦେଶ୍ୟ ଭିନ୍ନ ଥିଲା । ସେ ଚାହୁଁଥିଲା ଲିଲୁ ଭୋଜିରେ କିଛି ଭଲମନ୍ଦ ଖାଇବ । ମାଆ ଘରୁ ପଖାଳ ଦିଟା ଖୁଆଇ ଲିଲୁକୁ ନେଇ ଚାଲିଲା କାମକୁ । ରାସ୍ତା ସାରା ବୁଝାଉଥାଏ ଗୋଟେ ଜାଗାରେ ବସିବୁ । ଦୁଷ୍ଟ ହେବୁନି । ଖାଇବା ବେଳ ହେଲେ ଖାଇବୁ, ଏମିତି ଅନେକ କଥା । ମାଳିକଘର ବିରାଟ ଘର ଦେଖି ଲିଲୁର ଆଖି ଖୋସି ହେଇଗଲା । ଅନେକ ଲୋକ ଏକାଠି ହୋଇଥିଲେ । ସମସ୍ତଙ୍କ ମୁହଁରେ କରୁଣା(କରୋନା)କଥା । ତା'ରି ପାଇଁ ଆଜିର ଆୟୋଜନ ହୋଟେଲରେ ନ ହୋଇ ମାଲିକଙ୍କ ଘରେ ହେଇଛି । ଲିଲୁ ସବୁ ଦେଖୁଥିଲା କିନ୍ତୁ କିଛି ବୁଝିପାରୁନଥିଲା । ମାଲିକଙ୍କ ବଗିଚାରେ ପେଣ୍ଡାଲ ହେଇଥିଲା । ସୁନ୍ଦର ଭାବେ ସବୁ ସଜା ହେଇଥିଲା । ସନ୍ଧ୍ୟାରେ କଣ ଗୋଟେ ହେବ ବୋଲି ସମସ୍ତେ କଥା ହେଉଥିଲା । କାମଦାମ ଧାଁ ଧଉଡ଼ ଭିତରେ ସନ୍ଧ୍ୟା ହେଇଗଲା । ପେଣ୍ଡାଲ ପାଖରେ ସୁନ୍ଦର ଆଲୁଅ ଜଳିଲା । ଗୀତ ମଧ୍ୟ ବାଜିଲା ଅନେକ ସୁନ୍ଦର ସୁନ୍ଦର ଝିଅ ବିଚିତ୍ର ବେଶ ହୋଇ ପେଣ୍ଡାଲ ଉପରେ ଚାଲିଲେ କିଏ ଅଖା ପିନ୍ଧିଥିଲା ତ କିଏ ପାଳକୁଟା ପିନ୍ଧିଥିଲା । ସେମାନଙ୍କୁ ଦେଖି ଲିଲୁ ଭାବୁଥିଲା ମାଲିକଘର କୁଣିଆ ତ ତାଙ୍କ ଠାରୁ ଅଧିକ ଗରିବ । ଲୁଗାପଟା ନାହିଁ ବୋଧହୁଏ !ତେଣୁ ଅଖା ପିନ୍ଧିକି ଭୋଜିକୁ ଆସିଛନ୍ତି । ସେମାନେ ଯଦି ଅଖା ପିନ୍ଧିପାରୁଛନ୍ତି ସେ ତା'ଚିରା ପ୍ୟାଣ୍ଟକୁ ଆଉ ମାସେ ପିନ୍ଧିବ । ଆଗ ମାଆ ପାଇଁ ଲୁଗା କିଣା ହେବ । ଏତିକିବେଳେ ମାଇକରେ କିଏ ଜଣେ କହୁଥିଲା "ରାମ୍ପୱାକ ଏଣ୍ଡେଡ଼" । ସମସ୍ତେ ତାଳି ମାରୁଥିଲେ । 



Rate this content
Log in

Similar oriya story from Inspirational