Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଲଣ୍ଠନ

ଲଣ୍ଠନ

2 mins
208



ଛବିଟି ଦେଖି ପିଲିଦିନର କଥା ହଠାତ୍ ମନେ ପଡିଗଲା ଅଜୁର ।

ନିତି ସଞ୍ଜ ବୁଡିବା ପରେ ସେ ପାଠ ପଢ଼ିବାକୁ ଯାଏ ପଡିଶା ଘର ସମ୍ପର୍କିୟ ବଡଭାଇଙ୍କର ଘରକୁ । ସେତେବେଳେ ନଥିଲା ଏତେ ବିଦ୍ୟୁତ୍ ଆଲୋକର ରୋଷଣୀ। ଗାଁ ଗଣ୍ଡାରେ ବିଜୁଳିବତୀ ଥିଲା ସାତ ସପନ । ପ୍ରଥମେ ତ ସିଏ ଗୋଟିଏ ଡିବିରି ଧରି ପଢିବାକୁ ଯାଉଥିଲା । ଟିକିଏ ପବନ ହେଲେ ବତୀ ଲିଭିଯାଏ । ଅଜୁ ବିଚରା ଥରେ ଶ୍ରୁତଲିଖନ ଲେଖୁଥିବା ବେଳେ ବତୀ ଲିଭିଗଲା । ଅନ୍ଧାରରେ ମହାତ୍ମା ଗାନ୍ଧି ଶବ୍ଦଟି ଲେଖିଲାବେଳେ ତ ତଳେ ମ ଫଳା ଦେବାକୁ ଭୁଲିଗଲା । ସେଥିପାଇଁ ତାକୁ ବହୁତ ଗାଳି ଏବଂ ଚଟକଣା ମାଡ଼ ଖାଇବାକୁ ପଡ଼ିଥିଲା ।

 ବଡ଼ ଭାଇ ତାକୁ ଲଣ୍ଠନ ଧରିକି ପଢି ଆସିବାକୁ ତାଗିଦ୍ କଲେ । ବୋଉକୁ ଅଜୁ କାନ୍ଦି କାନ୍ଦି କହିବାରୁ ବାପା ପାଖ ହରିପୁର ହାଟରୁ ଗୋଟିଏ ସୂର୍ଯ୍ୟ ମାର୍କା ଲଣ୍ଠନ କିଣି ଆଣି ଦେଲେ । ତାକୁ ଦେଖି ଅଜୁର ଖୁସି କହିଲେ ନ ସରେ ।

ବୋଉ ପାଉଁଶ ପକାଇ ଲଣ୍ଠନର କାଚକୁ ଚକଚକ କରି ସଫା କରି ଲଗାଇ ଦିଏ । ଅଜୁ ପାଖରେ ଅନ୍ୟ ପିଲାଏ ବସିବାକୁ ରୀତିମତ ପ୍ରତିଯୋଗିତା କରନ୍ତି । କାରଣ ଅଜୁ ଲଣ୍ଠନର ଉଜାଲାରେ ପାଠ ଅଧିକ ପରିଷ୍କାର ଦିଶେ । ଅଜୁ କାହାକୁ ବା ହଁ ନାହିଁ କରିବ? ଧିରେ ଧିରେ ଅଜୁ ପାଖରେ ପିଲାଏ ବେଶୀ ଭିଡ଼ ଓ ପାଟି ତୁଣ୍ଡ କରିବାରୁ ଭାଇ ସାର୍ ଅଜୁକୁ ରାଗିକି କହିଲେ, ଦୁଷ୍ଟ ବେଶୀ ହାରିକିନି ଦେଖାନା । ତୁ ଏଣିକି ଅଲଗା ବସିବୁ ।

 ଅଜୁକୁ କଥା ବହୁତ ବାଧିଥିଲା । ତା ଲଣ୍ଠନଟି ମଧ୍ୟ କିଛି ଦିନ ପରେ ତାର ସୁନାମ ଏବଂ ଉଜ୍ଜ୍ୱଳତା ହରାଇଲା । ଲଣ୍ଠନ ରଖାଯିବା ଜାଗାରେ କିରୋସିନି ଝରିବାକୁ ଲାଗିଲା । ଲଣ୍ଠନଟି ଅଜୁର ପାଠ ପଢା ବ୍ୟତୀତ ଘରର ଅନ୍ୟ ବହୁତ କାମରେ ଲାଗୁଥିଲା । ରାତିରେ ଗୋରୁ ଗୁହାଳ ଏବଂ ପୋଖରୀ ପାଣି ଗଲେ ଏଇ ଲଣ୍ଠନଟିକୁ ଧରି ସମସ୍ତେ ଯାଆନ୍ତି । ଏଣୁ ବହୁଳ ବ୍ୟବହାର ଯୋଗୁ ତାର କେଉଁଠି ଛିଦ୍ର ହୋଇଯାଇଥାଏ ପାରେ ।

 ଅଜୁ ବୋଉ ଠାରୁ ଟଙ୍କା ନେଇ ଲଣ୍ଠନଟି ଧରି ସିଧା ଚାଲିଲା ହରିପୁର ହାଟ । ହାଟ ମଝିରେ ଥିବା ବଡ଼ ଓସ୍ତଗଛ ତଳେ ବୁଢାଲୋକଟିଏ ଲଣ୍ଠନ ମରାମତି କରେ । ଅଜୁ ବୁଢାକୁ ଲଣ୍ଠନ ଦେଖାଇ ଶୀଘ୍ର ଝଳେଇଦିଅ ବୋଲି କହିଲା । ବୁଢ଼ା କହିଲା ଆରେ ପୁଅ ତରବର ହେଲେ କଣ ଚଳିବ । ଦୁଇଟଙ୍କା ପଡ଼ିବ । ପଇସା ଆଣିଛୁ । ଅଜୁ ସଙ୍ଗେ ସଙ୍ଗେ ପଇସା କାଢି ବୁଢାକୁ ଦେଇଦେଲା । ବୁଢ଼ା ଅଜୁକୁ କହିଲା, ପୁଅ ତୁମର ଏ ସୂର୍ଯ୍ୟ ମାର୍କା ହାରିକିନି ବହୁତ ଭଲ । ଏବେ ଏହାର ଦାମ୍ ଅଧିକ ହୋଇ ଗଲାଣି । ତୁମେ ତ ପାଠ ପଢୁଆ ପିଲା ପରି ଦିଶୁଛ, ମୁଁ ତୁମ କାମ ନ କରୁଣୁ କାହିଁକି ମୋତେ ଟଙ୍କା ଦେଇଦେଲ? ଅଜୁ କହିଲା,ମଉସା ତୁମେ ତ ଫି ହାଟ ପାଳି ଏଠି ବସୁଛ, ତୁମେ କଣ ଅଚିହ୍ନା ଲୋକ କି ତୁମକୁ ମୁଁ ବିଶ୍ୱାସ କରିବିନି । ମୋ ଲଣ୍ଠନ ଶୀଘ୍ର ସଜାଇ ଦିଅ, ନହେଲେ ମୋ ପଢାବେଳ ଡେରି ହୋଇଯିବ । ଲୋକଟି ଖୁସିରେ ଗଦଗଦ ହୋଇ ଲଣ୍ଠନ ଜଳାଇ କରି ଅଜୁକୁ ବଢାଇଦେଲା । ପୁଅ ପାଠ ପଢ଼ି ଭଲ ମଣିଷ ହେବୁ,ସୂର୍ଯ୍ୟ ପରି ଜଗତକୁ ଆଲୋକ ଦେଉଥିବୁ । ଈଶ୍ୱର ତୋର ମନ କାମନା ପୂରଣ କରନ୍ତୁ ।

ମହାତ୍ମାଗାନ୍ଧୀ ଏବଂ ହାଟବାଟର ସେହି ବୃଦ୍ଧ ମଉସାଙ୍କ ଆର୍ଶୀବାଦ ଏବେ ବି ଆଲୋକ ସ୍ତମ୍ଭଟି ପରି ବିଦ୍ୟମାନ ହୋଇ ରହିଛି ଅଜୁଙ୍କ ମନରେ ।

 ଅଜୁର ଘରେ ଏବେ ବି ସାଇତା ହୋଇ ରହିଛି ଏହି ଲଣ୍ଠନଟି, ତାର ଚଲାପଥକୁ ଉଜ୍ଜ୍ୱଳ ଆଲୋକମୟ କରିଥିବା ଏହି ଲଣ୍ଠନର ଅଭୁଲା ସ୍ମୃତି ଏବେ ବି ତାକୁ ପୁଲକିତ କରେ ।

  ------



Rate this content
Log in

Similar oriya story from Inspirational