ସ୍କୁଲଟିରୁ ବିଦାୟ ନେଇ ଯାଇଥିବା ସମସ୍ତ ହେଡ଼ମିଷ୍ଟ୍ରେସ ଓ଼ ହେଡ଼ମାଷ୍ଟରମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା ସ୍କୁଲର ବାର୍ଷିକ ଉତ୍ସବକୁ. କିଏ ଆସିଲା ତ କିଏ ଆସିଲାନାହିଁ. କିଏ କେତେ ରକମ ଭାବିଲେ କିନ୍ତୁ ପୁଷ୍ପା ଗୁରୁମା ଯାଇଥିଲେ. ଏଇ ଏଇ ଅବସର ନେଇଥିବା ପୁଷ୍ପା ଗୁରୁମା ସ୍କୁଲ ପାଇଁ ବହୁତ କିଛି କରିଥିଲେ ବୋଲି ନିଜେ ଭାବୁନଥିଲେ ମଧ୍ୟ ଅନ୍ୟମାନେ ଭାବୁଥିଲେ ତ ବହୁ ସହକର୍ମୀ ଅନେଇ ବସିଥିଲେ ପୁଷ୍ପା ଗୁରୁମାଙ୍କ ଆଗମନକୁ ସେଦିନ ସନ୍ଧ୍ୟାରେ. ବର୍ଷା ଘୋଡ଼େଇଥାଏ. ଏମିତିକି ଝୁପୁ ଝୁପୁ ବର୍ଷା ପକେଇବା ସମୟରେ ସ୍କୁଲ ପାଖରୁ ଦୁଇ କିଲୋମିଟର ଭିତରେ ବାସ କରୁଥିବା ପୁଷ୍ପା ଗୁରୁମା ହାତ ଯୋଡୁଥିଲେ ଜଗନ୍ନାଥଙ୍କୁ. ପ୍ରଭୁ ହେ ସ୍କୁଲର ବାର୍ଷିକ ଉତ୍ସବ ଭଲରେ ଭଲରେ ହେଉ. ସତକୁ ସତ ଝୁପୁ ଝୁପୁ ବର୍ଷା ବନ୍ଦ ହୋଇସାରିଥିଲା ତ ଗୁରୁମା ପହଁଞ୍ଚି ଗଲେ ସ୍କୁଲ ପ୍ରାଙ୍ଗଣରେ. ଚିହ୍ନା ଜଣା ଛାତ୍ର ଛତ୍ରୀ ଓ଼ ସହକର୍ମୀମାନେ ପାଛୋଟି ନେଲେ ଗୁରୁମାଙ୍କୁ. ଆଉ କେଇଜଣ ପୂର୍ବତନ ବିଦାୟୀ ସାର ଓ଼ ଗୁରୁମାଙ୍କ ଉପସ୍ଥିତି ରହିଥିଲା ତ ଗୁରୁମା ସେମାନଙ୍କ ଭିତରେ ନିଜକୁ ହଜେଇ ଦେଲେ. ସମୟ କେମିତି କଟୁଛି ଉତ୍ତରରେ ଭଜନ, ଜଣାଣ ଓ଼ ଭଗବତ ଚିନ୍ତନରେ କହୁଥିବା ପୁଷ୍ପା ଗୁରୁମା ଶୁଣିଥିଲେ ସ୍କୁଲର ସଫଳତା ସହିତ ଜନ ପ୍ରତିନିଧିଙ୍କ ଅଭିଭାଷଣ ସହିତ ପାଇଥିଲେ ବଧେଇ ସହିତ ଚାରାଟିଏ.
ଘରକୁ ଫେରି ଦେଖିଥିଲେ ଲିମ୍ବ ଚରାଟିଏ. ପ୍ରଶସ୍ତ ଜାଗା ନଥିବାରୁ ବାହାରେ ପୋତି ଦେଇ ପାଣି ଢାଳୁଥିଲେ ସବୁଦିନ. ବର୍ତ୍ତମାନ ସେହି ଚରାଟି ପୁଷ୍ପାଙ୍କର ଜୀଵନ ଓ଼ ଜୀବିକା ହୋଇ ଯାଇଥିବା ଭିତରେ ରଥଯାତ୍ରା ଆସିଥିଲା ଓ଼ ରଥଯାତ୍ରା ପୂର୍ବରୁ ଗାଁଠୁ ସ୍କୁଲ ଦେଇ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାଟିଏ ହେବାର ଅନୁମୋଦନ ଗଛଟି ପ୍ରତି ଅହେତୁକ ବିପଦ ଡାକି ଆଣିଥିଲା. ସବୁଦିନ ପାଣି ଦେଇ ଗଛଟିକୁ ସନ୍ତାନ ରୂପେ ବଢ଼େଇ ରଖିଥିବା ପୁଷ୍ପା ଗୁରୁମାଙ୍କ ଗଛଟି ପ୍ରତି ଯେତେ ଆନ୍ତରିକତା ଥିଲେ ମଧ୍ୟ ନିଜ ଜାଗା ବାହାରେ ଲାଗିଥିବାରୁ ତା ଉପରେ କର୍ତ୍ତୁତ୍ୱ ନଥିଲା. ଏଣେ ରାସ୍ତା ହେଲେ ସର୍ବସାଧାରଣ ଉପକୃତ ହେବେ ତେଣୁ ଭିତରେ ଭିତରେ ଗଛଟି ପାଇଁ କାନ୍ଦୁଥିଲେ ମଧ୍ୟ ଉପାୟ ନଥିଲା. ରଥଯାତ୍ରା ଦିନ ରଥ ଗଡ଼ିବା ବେଳେ ଲିମ୍ବଗଛ ଯୋଗୁଁ ସାଧାରଣ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟିସାରିଥିଲା ତ ପୁଷ୍ପା ଗୁରୁମା ବା ତାଙ୍କ ପରିବାରର ସଦସ୍ୟ କେହି ଗଛଟିକୁ ବଞ୍ଚେଇବା କଥା ଭାବି ପାରୁନଥିଲା ବେଳେ ପୁଷ୍ପା ଗୁରୁମାଙ୍କ ଚିତ୍ତ ବ୍ୟଥିତ ତଥା ଉଦବେଳିତ ହେଉଥିଲା ତ ଶୋଇବା ବେଳେ କେବଳ ଜଗନ୍ନାଥଙ୍କୁ ଡାକୁଥିଲେ ପ୍ରଭୁ ଲିମ୍ବଗଛରୁ ତୁମର ସୃଷ୍ଟି. ଲିମ୍ବ ଗଛରେ ତୁମର ଅବସ୍ଥାନ. ଅମ୍ଳଜାନ ଦେଇ ପରିବେଶକୁ କରିଛ ସ୍ବଛ ତେଣୁ ସେହି ଗଛ ହିଁ ଦାରୁବ୍ରହ୍ମ. ଭୋ ଦେବ ଜଗନ୍ନାଥ ତୁମେ ହିଁ ତୁମର ରକ୍ଷକ. ମୁଁ ନିରୁପାୟ ମାତ୍ର.
ସେତିକି ବେଳକୁ ଅଘଟଣଟିଏ ଘଟିଗଲା ଗାଁରେ. ଜଗନ୍ନାଥଙ୍କ ରଥ ଯେଉଁ ମାଉସୀମାଆ ବା ରତ୍ନବେଦୀ ବୋଲାଉଥିବା ପୀଠରେ ଲାଗୁଥିଲା ତାହାର ଛାତ ପ୍ରବଳ ବର୍ଷା ଯୋଗୁଁ ଫାଟି କିଛି ସିମେଣ୍ଟ ଓ଼ କଂକ୍ରିଟ ଖସି ଜଗନ୍ନାଥ ଆହତ ହୋଇଥିଲେ ତ ଏହି ଘଟଣାକୁ ନେଇ ଶଙ୍କା ଓ଼ ଆଶଙ୍କା ଭିତରେ ରହିଥିଲେ ଗ୍ରାମବାସୀ. ଗାଁର ମୁଖିଆମାନେ ଆସନ୍ତା ଯୋଡ଼ା ଆଷାଢ଼ରେ ନବକଳେବର ପାଇଁ ଚିନ୍ତା କରିବା ସହ ଦାରୁ ଦେବତା ସଂଗ୍ରହ କରିବା ଯୋଜନା କରୁଥିବା ବେଳେ ବାହୁଡା଼ ପୂର୍ବରୁ ରଥରେ ଜଗନ୍ନାଥଙ୍କ ନିମନ୍ତେ ପଥ ତିଆରି ପାଇଁ ସେଦିନ ଲିମ୍ବଗଛ ହଣା ହେବା ସ୍ଥିର ହୋଇସାରିଥାଏ. ସକାଳୁ ସକାଳୁ ଗଛକଟାଳିମାନେ ପହଞ୍ଚିବା ବେଳକୁ ପୁଷ୍ପା ଗୁରୁମା ଶେଷ ଥର ପାଇଁ ଗଛ ମୂଳେ ପାଣି ଢାଳି ଧୂପ ଦୀପ ବୁଲାଉ ବୁଲାଉ ଚମକି ପଡିଲେ. ଗଛ ମଧ୍ୟରେ ଶଙ୍ଖ, ଚକ୍ର, ଗଦା ଓ଼ ପଦ୍ମ ଚି଼ହ୍ନ. କଥାଟା ତୁଣ୍ଡ ବାଇଦ ପରି ପ୍ରସାରିତ ହୋଇଗଲା. ଲୋକେ ଦଉଡ଼ିଲେ. ଭୋଗ, ଧୂପ ଦୀପ ସହ ହରିବୋଲ ହୁଳହୁଳିରେ ଗଗନ ପବନ ମୁଖରିତ ହେଲା. ଆସନ୍ତା ବର୍ଷ ଯୋଡ଼ା ଆଷାଢ଼କୁ ଦାରୁବ୍ରହ୍ମ ରୂପେ ଗଛକୁ ଛାଡି ରାସ୍ତା ତିଆରି ହେଲା. ବାହୁଡା଼ ସରି, ସୁନାବେଶ ହୋଇ ଠାକୁର ଗ୍ରାମ ମନ୍ଦିରକୁ ପ୍ରବେଶ କରିବାର ବର୍ଷେ ପରେ ସେହି ଲିମ୍ବ ଗଛରେ ଦାରୁ ହୋଇ ଜଗନ୍ନାଥଙ୍କ ନବକଳେବର ହୋଇ ଗାଁଟି ଉତ୍ସବମୁଖର ହେଲାବେଳେ ପୁଷ୍ପାଗୁରୁମା କିନ୍ତୁ ନଥିଲେ ଇହଧାମରେ.