STORYMIRROR

Pallabi Das

Inspirational

2  

Pallabi Das

Inspirational

ଲିଚ୍ଚି ଅଉ ମୁଁ

ଲିଚ୍ଚି ଅଉ ମୁଁ

3 mins
3.4K


ଆଜି ରାସ୍ତାରେ ଚାଲିବା ବେଳେ, ନଜର ପଡିଗଲା ଲିଚ୍ଚି କୋଳି ଉପରେ, ମନେ ପଡିଗଲା ପୁଣି ସେ ଶାନ୍ତ ଶିଷ୍ଟ ପିଲା ଦିନଟା।

ସ୍ମୃତି ବିଜଡ଼ିତ ମଧୁର ମୁହୂର୍ତ୍ତ ମାନେ ସବୁବେଳେ ସତେଜ ଓ ଜୀବନ୍ତ। ହସିଦେଲି ଟିକେ ମନେ ମନେ।

ବୋହୁତ୍ ସ୍ମୃତି ଅଛି, ଅଜା ଘର ପଛ ପଟେ ଥିବା ଲିଚ୍ଚି ଗଛ ସାଥିରେ। ସେ ମୂଳରେ ମୋର ଘର ଥିଲା। ଖରା ବର୍ଷା ଶୀତ କିଛି ବାଧେନି। କେତେ ମାଡ ଖାଏ ମାଆ ଠାରୁ! ଭୋକ ଶୋଷ ଭୁଲି ଖେଳରେ ମାତି ଥାଏ। ଯେବେ ଛୁଆ ଥିଲି, ନା ନା ଛୁଆ ନୁହେଁ, ବଡ ବୁଢୀ କହିଲେ ଚଳିବ। ଆଉ ନୁହେଁ ତ କ'ଣ, ପ୍ଲସ ଟୁ ପାସ୍ କରିବା ଯାଏ ମଧ୍ୟ ଘର କରି ଖେଳୁଥିଲି। ମୋ ଆଈମାର ମୁଁ ଭାରି ଗେହ୍ଲି ନାତୁଣୀ ଥିଲି। କିଛି ସମୟ ଅନ୍ତରରେ ସେ ବାଡ଼ି ପଟକୁ କାମ ବାହାନା କରି ମତେ ଦେଖି ଦେଇ ଚାଲି ଯାଏ। ବେଳେ ବେଳେ ଘର ଭିତରୁ ଡାକ ପକାଏ ମୋ ନାମ ଧରି। ମୋର ଗୋଟେ "ଆଜ୍ଞା" ହିଁ ତା କାନ ପାଇଁ ଶାନ୍ତି ଥିଲା। ତାର ମୋ ପାଇଁ ବୋହୁତ୍ ଡର ଥିଲା। ଘରେ, ସବୁ ବେଳେ ଗୋଟେ କଥା କହି ଡରାନ୍ତି -  ଛୁଆ ଧରା ନେଇଯିବ ମୁଣିରେ ପୁରେଇକି, ନହଲେ ଜଙ୍ଗଲ ଆଡୁ ହାତୀ ଆସିଯିବ। 

ବେଳେ ବେଳେ କଥା ମାନେ। ଘର ଭିତରେ ଖେଳେ। ପୁଣି ଥରେ ଘର କରି, ଠିକ୍ ମୋ ଘର ସାମନା ଝରକା ପାଖରେ। ମଝିରେ ମଝିରେ ସେଇ ଘରର ସେ ଛୋଟ ଝରକା ଦେଇ ଲିଚ୍ଚି ଗଛ ମୂଳ କୁ ଅନେଇ ରୁହେ। ସବୁଠୁ ଅଧିକ ମଜା ହୁଏ ଯେବେ ଅଜା ଆସନ୍ତି ମୋ ଖେଳ ଜାଗାକୁ। ପଚାରନ୍ତି ଆଜି କଣ ରାନ୍ଧିଚୁ, ମୋ ପାଇଁ କିଛି ଖାଇବାକୁ ଅଛି ନା ନାହିଁ! ଏତିକି କହୁ କହୁ ମୁଁ ପରସି ଦିଏ ମାଆଟିଏ ପରି। ସତରେ କେତେ ଶାନ୍ତି ଥିଲା ସେ ଜୀବନରେ।

ଅଜା ଘରୁ ଛୁଟି ସାରି, ମୁଁ ଫେରି ଯାଏ। ମୋ ଖେଳ ଘର ଚାରି ପାଖ ପରିଷ୍କାର କରି ରଖନ୍ତି ଅଜା। ପୁଣି ଥରେ ମୁଁ ଆସିଯାଏ ଛୁଟି ଦିନ ଦେଖି, ମୋ ଘରକୁ। ସାନ ମାଉସୀର ସାଲୱାର କମିଜର ଓଢଣୀ ସବୁ ଧୂଳିରେ ଘାଣ୍ଟୁ ଥାଏ ସେ ଗଛ ତଳେ। ବୋହୁତ୍ ଭଲ ଲାଗେ ମାଉସୀର ସେ ହଳଦିଆ ରଙ୍ଗର ଓଢଣୀ ଅଉ ସେଥିରେ ଲାଗିଥିବା ଷ୍ଟାର୍ ଚୁମୁକି। ଆଜି ବି ଖୋଜିଲେ ମିଳିଯିବ ମୋ ଖେଳଣା ପୁଟୁଳି ଭିତରେ ସେ ଓଢଣୀର କିଛି ଅଂଶ।

 ଘରର ସବୁ ସ୍ତ୍ରୀ ଲୋକଙ୍କୁ ଦେଖି, ଓଢଣୀକୁ ଶାଢ଼ି କରି ଫ୍ରକ୍ ଉପରେ ଗୁଡେଇ ହୋଇ ବସି ପଡେ। ଲାଗେ ଯେମିତି ମୁଁ ସ୍ଵର୍ଗ ର ଅପସରି ଟିଏ, କିନ୍ତୁ ମୁଁ ନଥିଲି। କେବଳ ମୋ ବାବାଙ୍କ ଯୋଗୁ। ସବୁବେଳେ ଚୁଟି ବୟକଟ କଟାଉଥିଲେ ଦରକାର ପଡିଲେ ନାଣ୍ଡି ମୁଣ୍ଡି କରିକି ରଖୁଥିଲେ। ସେ କନ୍ଦର୍ପ ଚେହେରାରେ ମୁଁ ପୁଣି ଲାଲ ଟିକିଲି ଅଉ ମାଉସୀର ଲିପଷ୍ଟିକ୍ ବୋଳି ମିଛୁ ମିଛୁକା ଘର କରି ଖେଳେ। ଯେତିକି ନାରୀର ଚରିତ୍ର ଦେଖିଥିଲି ସେ ସବୁକୁ ନିଜ ଭିତରେ ଅଜାଡି ଦେଇଥିଲି। କେତେ ବେଳେ ମାଆ ତ କେତେ ବେଳେ ସ୍ତ୍ରୀ ଆଉ କେତେ ବେଳେ ପୁଣି ଭଉଣୀ। କେବେ କେବେ ମୋ ଭାଇ ଭଉଣୀଙ୍କର ଘର କରି ଖେଳିବାକୁ ଇଛା ହେଲେ ମୋ ସହ ଆସି ମିଶିଯାନ୍ତି, ଆମେ ସମସ୍ତେ ଆହୁରି ମଜା କରୁ। ଆମେ ଆମ କଣ୍ଢେଇର ବାହାଘର କରୁ। ପତ୍ର ଫୁଲକୁ ଛିଣ୍ଡାଇ ସେଥିରେ ପୁଣି ଭଳିକି ଭଳି ଆଇଟମ୍ କରୁ। ବାଲି, ମାଟିରେ ମିଛୁ ମିଛୁକା ଭାତ କରୁ, ତାକୁ ପୁଣି ସଢେଇରେ ସଜେଇକି ପରସି ଦଉ।

ସେଇ ଗଛର ପ୍ରଥମ ଲିଚ୍ଚି ଆସିବା ସମୟରେ ଅଜା ଆଉ ମୁଁ ସବୁ ଦିନ ସାଥୀ ହୋଇ ତାକୁ ଦେଖୁଥିଲୁ। ଅଜାଙ୍କ ମୁହଁ ର ସେଇ ଯୋଉ ଖୁସି ଏବେ ବି ମନେ ଅଛି ଠିକ୍ ଯେମିତି ପ୍ରତି ବର୍ଷ ଆମ୍ବ ବଗିଚାରୁ ଆମ୍ବ ତୋଳା ସମୟର ଖୁସି ପରି ଥିଲା। ଗୋଟେ ସାଙ୍ଗ ଟିଏ ପରି ସେ ଗଛଲତାଙ୍କ ସହ କଥା ହୁଅନ୍ତି,  ଠିକ୍ ସେମିତି ମୁଁ ପିଲା ଦିନେ ଘର କରି ଖେଳିବା ସମୟରେ ଆପେ ଆପେ ନିଜ ସହ ଗପ କରି ଖେଳେ। ସବୁ ବର୍ଷ ଦେଖି ଆସିଥିଲି ଅଜା ଗଛ ଲଗାନ୍ତି। ସହ ସହ ଚାରା ବନାଇ ଦାନ କରନ୍ତି। ଧୀରେ ଧୀରେ ବୁଝିଲି ଶିକ୍ଷକତାରୁ ଅବସର ପରେ ଅଜା କେତେ ମହାନ କାମରେ ଲିପ୍ତ। ସମସ୍ତେ ଭାବୁଥିଲେ ଆଈ ଯିବା ପରେ ଅଜା ଏକା ହୋଇ ଯାଇଛନ୍ତି। କିନ୍ତୁ ସେ ଏକା କେମିତି ହେବେ ଯେ ତାଙ୍କ ପାଖରେ ଏତେ ସୁନ୍ଦର ସାଥୀ ଥାଉ ଥାଉ। ସତରେ ଗଛଟିଏ ବି ସାଥୀ ହୋଇପାରେ ବୋଲି ମୁଁ ନିଜେ ଅନୁଭବ କରିଛି ଯେବେ ଠାରୁ ହାଇଦ୍ରାବାଦ୍ ରେ ମୋ ନିଜର କୁନି ବଗିଚା ବନେଇଚି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational