ଲଡୁ
ଲଡୁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅତିସରାଗରେ ଗୁଡିଆକୁ ଘରକୁ ଡାକି ଖଜା,ଲଡୁ ଆଦି ତିଆରି କରିଛନ୍ତି ମାନିନୀ।ସକାଳୁ ସ୍ବାମୀଙ୍କ ସହ ପୁଅ ଘରକୁ ଯିବେ।ରାତିସାରା ନିଦନାହିଁ ଆଖିରେ। ତା'ପରଦିନ ପୁଅଘରେ ପହଞ୍ଚି ଚା'ଜଳଖିଆ ପର୍ବ ସରିବା ପରେ ସେ ବ୍ଯାଗଟିକୁ ଖୋଲିବାକୁ ଯିବା ବେଳେ,ହଠାତ୍ ଜଣେ ଅତିଥିଙ୍କ ଆଗମନ ଯୋଗୁଁ ଟିକିଏ ଅଟକି ଗଲେ।
ଅତିଥି ଜଣକ ଆଉ କେହି ନୂହଁନ୍ତି,ବୋହୁର ବାପା।ଝିଅର ପିଲାପିଲି ହେବାର ଜାଣି,ତା ପାଇଁ ତା ମନ ପସନ୍ଦର ଛେନାପୋଡ ନେଇକି ଆସିଥିଲେ।
ପୁଅବୋହୁର ଛେନାପୋଡ ପ୍ରତି ଆଗ୍ରହର ଆବେଗତା ଦେଖି ସେ ନିଜର ଖଜା ଓ ଲଡୁକୁ ଗାଁକୁ ଫେରେଇ ନେବାକୁ ସ୍ଥିର କଲେ।
ପରଦିନ ସକାଳୁ ଯେତେବେଳେ ଗାଧୋଇ ସାରି ଜଳଖିଆ ପାଇଁ ଡାଇନିଂ ଟେବୁଲକୁ ଆସିଲେ।
ସେ ଟେବୁଲ ଉପରେ ଆଣିଥିବା ଖଜା,ଲଡୁ ଆଦିକୁ ଦେଖି କୋହ ସମ୍ଭାଳି ପାରିଲେନି।
ରୋଷେଇ ଘରୁ ବୋହୁ କହୁଥିଲା--ମା'କାଲି ଆପଣ ବ୍ଯାଗରୁ କାଢିବାକୁ ଭୂଲିଯାଇଥିଲେ।ମୁଁ କାଢି ଆଣିଚି।ରାଗିବେନି।
ମାନିନୀ ଓଦା ଆଖିରେ ବୋହୁକୁ ଚାହିଁ ହସିଦେଲେ।
ନିବେଦିତା ମିଶ୍ର