Bauribandhu Lenka

Inspirational

4.4  

Bauribandhu Lenka

Inspirational

ଲାଇଫ୍ ବିଗିନ୍ସ ଆଟ୍ ସିକ୍ସଟି

ଲାଇଫ୍ ବିଗିନ୍ସ ଆଟ୍ ସିକ୍ସଟି

6 mins
577


ହଳଧର ବାବୁ ଅବସର ନେବା ପ୍ରାୟ ସାତ ବର୍ଷ ବିତିଗଲାଣି । ହେଲେ ଏ ସାତ ବର୍ଷ ତାଙ୍କୁ ସାତ ଯୁଗ ପରି ଲାଗୁଛି । ଲୋକେ କହନ୍ତି life begins at sixty କିନ୍ତୁ ସେ ବୁଝି ପାରୁନାହାଁନ୍ତି ଷାଠିଏ ବର୍ଷ ପରେ କେମିତି ବା ଏକ ନୂଆ ଜୀବନର ଆରମ୍ଭ କରିଥାଆନ୍ତେ ଯାହାକି ତାଙ୍କୁ ଖୁସି ଦେଇଥାନ୍ତା ଆଉ ସେ ଦୀର୍ଘଜୀବି ହେବା ପାଇଁ ଇଚ୍ଛା କରୁଥାଆନ୍ତେ । ସେଦିନ ବ୍ୟାଙ୍କ୍ କୁ ଯାଇଥିଲେ ଟଙ୍କା ଉଠେଇବାକୁ । ପୁରୁଣା ସହକର୍ମୀ ବନ୍ଧୁ କେତେଜଣ ଭେଟ ହୋଇଗଲେ ତାଙ୍କର । ଭାଗ୍ୟକୁ ମୁଁ ମଧ୍ୟ ପହଁଞ୍ଚିଗଲି । ମତେ ଦେଖି ଖୁସିରେ ଗଦ ଗଦ ହୋଇ ଉଠିଆସି କୁଣ୍ଢେଇ ପକେଇଲେ । ସାଥିହୋଇ ବସିଲୁ । ବ୍ୟାଙ୍କ୍ ର ଜୋନାଲ ଅଫିସ୍ ରେ ପ୍ରାୟ ତିନି ବର୍ଷ ଗୋଟିଏ ଡିପାର୍ଟମେଣ୍ଟ୍ ରେ ଆମେ ସାଥିହୋଇ କାମ କରିଛୁ । ପରସ୍ପର ସହ ବହୁତ ଆନ୍ତରିକତା ଥିଲା । ସମୟ ସମୟେ ଭଲ ରସିକିଆ କଥା କହି ମନୋରଞ୍ଜନ କରୁଥିଲେ । ହଳଧର ବାବୁଙ୍କ ଚେହେରା ପୃଥୁଳକାୟ ଥିଲା । ଏବେ ଯଦିଓ ସେହି ମୋଟାପା ରହିଛି , ମୁହଁରେ 'ବୁଢାପା'ର ଛାପ ବାରି ହୋଇ ପଡୁଥିଲା । ପିଲାମାନେ ନିଜ ନିଜର ଚାକିରି ସ୍ଥଳରେ । ଘରେ ଇଏ ମାମୁଁ ମାଇଁ ଦୁଇ ପ୍ରାଣୀ । ଗାଡିଘୋଡା ଚଳେଇକି କାହା ଘରଆଡେ ବୁଲିଯିବା କି କେଉଁ ବନ୍ଧୁବାନ୍ଧବ ଘରଆଡେ ଯିବାକୁ ସେ ପସନ୍ଦ କରନ୍ତି ନାହିଁ । ସେ ସବୁର ମୂଳ କାରଣ ହେଉଛି ତାଙ୍କର ମୋଟାପଣ । ଗାଡି ବି ଚଲେଇ ଜାଣି ନାହାଁନ୍ତି । ଡ୍ରାଇଭର ଗୋଟେ ଯୋଗାଡ କରି ବିନା କାମରେ କୁଆଡେ ଯିବାଟା ତାଙ୍କ ନୀତି ବିରୁଦ୍ଧ । 


ବସି କଥାହେବା ଭିତରେ ସେ କହି ପକେଇଲେ , "ତମେ ତ ରିଟାୟରମେଣ୍ଟ୍ ପରେ ଆଗ ଅପେକ୍ଷା ଭଲ ଦିଶୁଛ । ସେତେବେଳେ ତ ପୂରା ପତଳା ଥିଲ । ଏବେ ଟିକେ ଫ୍ୟାଟ୍ ଗ୍ୟାଦର୍ କରିଛ । ବହୁତ ଭଲ ଲାଗୁଛ । ତମେ ତ ଚାକିରି ପିରିୟଡ ଭିତରେ ପିଲାପିଲିଙ୍କ ବାହାଘର କାମ ସବୁ ଛିଣ୍ଡେଇ ଦେଇଥିଲ । ମତେ କିନ୍ତୁ ରିଟାୟରମେଣ୍ଟ୍ ପରେ ସବୁ କରିବାକୁ ପଡିଲା । ଚାକିରିରେ ଥିବାବେଳେ ଏ ସବୁ କାମରେ ସହକର୍ମୀ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ମିଳିଥାଏ କିନ୍ତୁ ଚାକିରି ଗଲା ପରେ ସେ ସବୁ ପାଇବା ସମ୍ଭବ ହୁଏନାହିଁ । ଆଉ କେମତି ସମୟ କାଟୁଛ ? ମତେ ତ ବହୁତ ବୋର୍ ହେବାକୁ ପଡୁଛି । ଘରର ଚାରିକାନ୍ଥ ଭିତରେ କଣ ବା ଆଉ କରିହେବ ? ବହୁ ସମୟ ଟିଭ ଦେଖୁଛି ଆଉ ଦେଖୁ ଦେଖୁ ସମୟେ ସମୟେ ନିଦ ଆସିଯାଊଛି ଯେ ସେଇଠି ସୋଫା ଉପରେ ଶୋଇ ଯାଉଛି । ଟିଭି ତା'ର ସେମିତି ଚାଲୁଥାଏ । ଏ ସବୁ ଧର୍ମପତ୍ନୀଙ୍କ ଦେହରେ ଆଦୌ ଯାଉନି । ଥରେ ଥରେ ଗର ଗର ହୋଇ କିଛି କହି ଟିଭି ବନ୍ଦ କରୁଛନ୍ତି । ସମୟ ଥିଲା ଘରକୁ ଡେରିରେ ଫେରିଲେ କମ୍ପ୍ଳେନ୍ ହେଉଥିଲା । ପଚରା ହେଉଥିଲା ଏତେ ଡେରିଯାଏ କଣ ଅଫିସ୍ କାମ ହେଉଥିଲା ? ଏବେ କିନ୍ତୁ ଘରେ ରହିଲେ ଅସୁବିଧା । 

କହୁଛନ୍ତି — ସବୁବେଳେ କେମିତି ଘରଟା ଭିତରେ ବସିବାକୁ ଭଲ ଲାଗୁଛି କେଜାଣି ? ଆଉ କଣ କେହି ରିଟାୟର୍ କରି ନାହାଁନ୍ତି ? ଦେଖିବ ଗଲ ସେ ପାଣିଗ୍ରାହୀ ବାବୁଙ୍କୁ ଅଶୀ ବର୍ଷ ହେଲାଣି ବାଡି ଧରିକି କିପରି ମର୍ଣ୍ଣିଙ୍ଗ୍ ୱାକ୍ କରୁଛନ୍ତି । ତମରି ପରି କିଏ ସବୁବେଳେ ଘରଟା ଭିତରେ ପଶିଛି ? ଚଲାବୁଲା କଲେ ଦେହଟା ଟିକେ ଫୁର୍ତ୍ତି ଲାଗନ୍ତାନି ? ପାଞ୍ଚ ଲୋକଙ୍କ ସଙ୍ଗେ ମିଶିଲେ ସିନା ସମୟ କଟନ୍ତା ।

— ମର୍ଣ୍ଣିଙ୍ଗ ୱାକ୍ କଲେ କଣ ଉପକାର ହୁଏ ମୁଁ କଣ ଜାଣିନି , ହେଲେ ମୋର ଶରୀର ତ ମତେ ଅନୁମତି ଦେଉନି । ଚାଲିବାକୁ ମତେ କଷ୍ଟ ହେଉଛି । ଏଥିରେ ମର୍ଣ୍ଣିଙ୍ଗ ୱାକ୍ କେମିତି କରିବି ? ଘରେ ପ୍ରାଣାୟାମ୍ କଲେ ଶୁଖିଲା କାଶ ବାହାରୁଛି । ତେଣୁ ସିଏ ଯାହା କହୁଛି କହୁ ମୁଁ ଏ କାନରେ ପୁରେଇ ସେ କାନରେ ବାହାର କରି ଦେଉଛି । ପଦେ କଣ ଯଦି କହିବି ଦୁଇ ଜଣଙ୍କର ଝଗଡା ହୋଇଯିବ । ସେଥିଲାଗି କିଛି ନ କହି ଚୁପ୍ ରହି ଯିବାଟା ଭଲ ବୋଲି ଭାବୁଛି । ହଁ ଅଛନ୍ତି ଆମର କିଛି ରିଟାୟରି ଭାଇ ଯେଉଁମାନେ ଜିନ୍ସ ପିନ୍ଧି ଚୁଟି ନିଶ କଳା କରି ତନଛନ୍ନ ହୋଇ ବାହୁରୁଛନ୍ତି , ସତେ ଯେମିତି ଯୁବା ବୟସ ପୁଣି ଫେରି ଆସିଲା । ମୋର ତ ଶରୀର ବାଧକ ସାଜୁଛି କଣ ବା ଆଉ କରିବି । 

ହଉ ଏବେ କହିଲ ତମେ କଣ କରୁଛ , କେମତି ଟାଇମ୍ କଟଉଛ ?"

— " ହଁ ସାର୍ ଏକ ପ୍ରକାର ଚାଲିଛି । ପ୍ରଥମେ ପ୍ରଥମେ ତ ଭାରି ଖରାପ ଲାଗିଲା । ଜୀବନର ଅର୍ଦ୍ଧାଧିକ ବୟସ ଯେଉଁ ସଂସ୍ଥା ସହ ଅଙ୍ଗାଙ୍ଗି ଭାବେ ଯୋଡି ହୋଇ ରହିଥିଲେ ହଠାତ୍ ସେ ସଂପର୍କ ଛିନ୍ନ ହୋଇଗଲେ କେମିତି ଲାଗେ ତାହାର ତ ଆପଣ ନିଜେ ଭୁକ୍ତଭୋଗୀ  ସେ ବିଷୟରେ ଅଧିକ କଣ ବା କହିବି ? କାମର ଚାପ ଏପରି ରହୁଥିଲା ଯେ ଚାକିରି ସରିଯିବ ଆଉ ମୁଁ ବ୍ୟାଙ୍କ୍ କୁ ପ୍ରତିଦିନ କାମ କରିବାକୁ ଆସିପାରିବିନି — ଏ ସବୁ ଭାବିବାକୁ ସମୟ ନଥିଲା । ସତରେ ସାର୍ ବ୍ୟାଙ୍କ୍ ରେ ଶେଷ ଦିନଟି ମତେ emotional କରିଦେଇଥିଲା । କିଛି ବନ୍ଧୁ ଅଛନ୍ତି ଯେଉଁମାନେ administrative office ରେ କାମ କରୁଥିଲେ , ସେମାନେ ଟିକେ କମ୍ ପ୍ରେସର ରେ ରହୁଥିଲେ । ସେମାନେ ନିଶ୍ଚିତ ଭାବେ ତାଙ୍କର ପ୍ଳାନିଙ୍ଗ କରିଥିବେ । କିଛି ରିଟାୟରି ଭାଇ ଅନ୍ୟ ସଂସ୍ଥାମାନଙ୍କରେ କାମ କରୁଛନ୍ତି । ଆଉକିଛି ଭାଇମାନେ ନିଜେ independently consultancy ଖୋଲିକି engaged ହୋଇ ରହିଛନ୍ତି । ଯାହା ହେଉ ସେମାନେ ତାଙ୍କର ସମୟ ଠିକ୍ ଭାବେ ବିନିଯୋଗ କରୁଛନ୍ତି । ମୋ କଥା ଯାହା ପଚାରିଲେ କଣ ବା କହିବି ଆପଣଙ୍କୁ । ପ୍ରଥମ ବର୍ଷଟା ଭାରି ବିରକ୍ତି ଅନୁଭବ କଲି । ଆଉ ଦୁଇ ଜଣ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇ ଗୋଟେ କନ୍ସଲଟାନ୍ସି ଖୋଲିବା ପାଇଁ ଆଲୋଚନା କଲୁ କିନ୍ତୁ ସେ ସବୁ ହୋଇ ପାରିଲା ନାହିଁ । ଦୁଇଟା Financial Organisation ଚାକିରି ଅଫର୍ ଦେବାକୁ ଚାହୁଁଥିଲେ । ମୁଁ କିନ୍ତୁ ମନା କରିଦେଲି । accept କରିଥିଲେ ଭୁବନେଶ୍ୱର ଛାଡିବାକୁ ପଡିଥାନ୍ତା । ତେଣୁ ପୁଣିଥରେ ଚାକିରି କରିବା ଯୋଜନାକୁ ବାଦ ଦେଇଦେଲି । ତେବେ ନୂଆ କଥାଟେ ମୁଣ୍ଡରେ ପଶିଲା । ଆଗରୁ ଲେଖାଲେଖି କରିବା ଅଭ୍ୟାସ ଟିକେ ଥିଲା । ବ୍ୟାଙ୍କ୍ ପିରିୟଡ୍ ରେ ସେ ସବୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଥିଲା । ଏବେ ମୁଁ ଲେଖାଲେଖି କରୁଛି । ଏବେ ସୁଦ୍ଧା ମୋର ଛଅ ଖଣ୍ଡ ବହି ପ୍ରକାଶ ପାଇ ସାରିଲାଣି । ଆଉ ତିନି ଖଣ୍ଡ ବହି ପ୍ରସ୍ତୁତି ପଥେ ରହିଛି । ମୁଖ୍ୟତଃ କବିତା ଲେଖୁଛି । ପ୍ରକାଶ ପାଇଥିବା ବହି ମଧ୍ୟରେ ଦୁଇଟି ବହି ଅନୁବାଦ ପୁସ୍ତକ । ଆପଣ ତ ଫେସ୍ ବୁକ୍ ରେ ନାହାଁନ୍ତି ତେଣୁ ଜାଣି ପାରୁନାହାଁନ୍ତି । ଫେସ୍ ବୁକ୍ ରେ ପ୍ରାୟ ପ୍ରତିଦିନ ମୋର ପୋଷ୍ଟ୍ ବାହାରେ । ଆମ ବ୍ୟାଙ୍କର ଅନେକ ବନ୍ଧୁ ପଢୁଛନ୍ତି । କେତେ ଜଣ ନିୟମିତ ଭାବେ ତାଙ୍କର କମେଣ୍ଟ୍ ଦେଉଛନ୍ତି ଆଉ କିଛି ବନ୍ଧୁ ଦେଖା ହୋଇଗଲେ ପ୍ରଶଂସା କରି କହୁଛନ୍ତି କି ଆପଣ ଏ ପ୍ରତିଭା କୋଉଠି ଲୁଚିକରି ଥିଲା ? କାଇଁ ବ୍ୟାଙ୍କରେ ଥିଲାବେଳେ ଆମେ ଟିକିଏ ହେଲେ ବି ଜାଣି ପାରିଲୁ ନାହିଁ । ସେମାନଙ୍କୁ କଣ ବା ଉତ୍ତର ମୁଁ ଦେବି ? ସେ ଯାହା ହେଉ ଏହା ଛଡା ମୁଁ ଦୁଇଟି ସାହତ୍ୟ ସଂସ୍ଥାର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ କାମ କରୁଛି । ସାହିତ୍ୟ ସର୍କଲରେ ଅନେକ ନବୋଦିତ କବି ଓ ଲେଖକ ମାନଙ୍କ ସହିତ ପରିଚିତ ହୋଇପାରିଛି । ବିଭିନ୍ନ ସମୟରେ ସାହିତ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ କବି ଓ ଲେଖକ ମାନଙ୍କୁ ସମ୍ମାନିତ କରାଯାଉଛି । ଏ ସବୁ ବିଭିନ୍ନ ଖବର କାଗଜ ମାନଙ୍କରେ ଫଟୋ ସହିତ ବାହାରୁଛି । ଏ ସବୁ ଦେଖିଲେ ନିଜ ମନରେଏକ ଆତ୍ମସନ୍ତୋଷ ଆପଣା ଛାଏଁ ଆସୁଛି । ଏମିତି ଆଉ କେତେଦିନ ବଞ୍ଚିବା ଯେ ? ସମୟଟା କଟିଗଲେ ଯାଏ । "

ହଳଧର ବାବୁ ମୋ ମୁହଁକୁ ଚାହିଁ ରହି ମୋ କଥା ଗୁଡିକୁ

ପିଇ ଯାଉଥିଲା ପରି ଶୁଣୁଥିଲେ । ମୋ କଥା ସରୁ ସରୁ ସେ ପୁଣି ଥରେ ମତେ କୁଣ୍ଢେଇ ପକେଇ କହିଲେ —

" ଆରେ ବାଃ ତମକୁ ମାନିବାକୁ ପଡିବ । ମୁଁ ଜାଣିଥିଲି କାମରେ ତମେ ଭାରି ସିନ୍ସିୟର ବୋଲି କିନ୍ତୁ ତମର ଏତେ ପ୍ରତିଭା ରହିଛି ତାର ଟିକେ ବି ଟେର୍ ପାଇ ପାରିଲିନି । ରିୟଲି ଆଇ ସାଲ୍ୟୁଟ୍ ୟୁ । ମୁଁ ସିନା ଜୀବନଟାକୁ ଠିକ୍ ଭାବେ ଜିଇ ଶିଖିଲିନି ହେଲେ ଯେଉଁମାନେ ଜୀବନ ଜିଇବାର କଳା ଶିଖିଛନ୍ତି ସେମାନଙ୍କ ପାଇଁ life begins at sixty କହିଲେ ଅତ୍ୟୁକ୍ତି ହେବନାହିଁ । ସେଥିପାଇଁ କଥାରେ କହନ୍ତି — "କହି ଜାଣିଲେ କଥା ସୁନ୍ଦର ' ନାଇ ଜାଣିଲେ ମଥା ସୁନ୍ଦର । ସେହି ହିସାବରେ ଜିଇ ଜାଣିଲେ ଜୀବନଟା ବି ବହୁତ ସୁନ୍ଦର ।"


— "ସାର୍ ମୁଁ ଗୋଟେ ଛୋଟିଆ କଥା କହିବି । ସେଇଟା ଯଦି କରିବେ ଆପଣଙ୍କର ସମୟ ନିଅଣ୍ଟ ପଡିବ କିନ୍ତୁ ସେ କାମଟି ଆପଣ କରିବା ସହିତ ମ୍ୟାଡାମ୍ ଙ୍କୁ ମଧ୍ୟ କରିବାକୁ କହିବେ । ଦୁଇଜଣ ଜାକ ଏମିତି engage ହୋଇ ରହିବେ ଯେ ଝଗଡା କରିବାକୁ ସମୟ ମିଳିବ ନାହିଁ । "


— " ଏପରି କଣ ଜାଣିଛ ଆଗେ କୁହତ ? "

— ମୁଁ କହିଲି , " ଭେରି ସିମ୍ପଲ୍ ସାର୍ । ଦୁଇଜଣଙ୍କର ସ୍ମାର୍ଟ ଫୋନ୍ ତ ନିଶ୍ଚିତ ଭାବେ ଥିବ ? "

— ହଁ ବୋଲି କହିଲେ ହଳଧର ବାବୁ ।

ତାହେଲେ ଖାଲି ଫେସ୍ ବୁକ୍ ରେ ଦୁଇଜଣ ନିଜ ନିଜର ଆଡି ଖୋଲି ଦିଅନ୍ତୁ ଓ ତା ସହିତ ହ୍ୱାଟସାପ୍ ଓ ମେସେଞ୍ଜର୍ ଆପ୍ ବି ଡାଉନ୍ ଲୋଡ୍ କରିଦିଅନ୍ତୁ । ତା ପରେ କଣ କଣ ହେବ ଆପଣ ନିଜେ ନିଜେ ରିସର୍ଚ୍ଚ କରି ଜାଣିଯିବେ । ସମୟ ବଳୁଛି କି ନିଅଣ୍ଟ ହେଉଛି ମତେ ସୁବିଧା ଦେଖି ଜଣେଇବେ । ଫେସ୍ ବୁକ୍ ରେ ଆଇଡି ଖୋଲିଲା ପରେ ମୋ ପାଖକୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ନିଶ୍ଚୟ ପଠେଇବେ । ଆପଣଙ୍କର ଅଧା ସମୟ ମୁଁ ନେଇଯିବି । ତାପରେ ଆପଣ ମୋ ସହିତ ବି ଚ୍ୟାଟିଙ୍ଗ୍ କରିବାକୁ ଆଭଏଡ୍ କରିବେ । ଆଉ ତାପରେ ଆପଣ ନିଜେ ହିଁ କହିବେ "life begins at sixty". ହଉ ସାର୍ ନମସ୍କାର୍ । ମୁଁ ଆସୁଛି । ଅପେକ୍ଷା କରିବି ଆପଣଙ୍କ ଭିଡିଓ କଲ୍ କୁ । "



Rate this content
Log in

Similar oriya story from Inspirational