Mamatamanjari Das

Classics

5.0  

Mamatamanjari Das

Classics

କୁନା ଓଠର ହସ

କୁନା ଓଠର ହସ

2 mins
633


ସେଦିନ ଥାଏ କୁନାର ଜନ୍ମ ଦିନ । ବହୁତ ଖୁସି ଥାଏ କୁନା । ବଡି ଭୋର ରୁ ଉଠି ମାଆ ଙ୍କ ସହ ମନ୍ଦିର ଯାଇ ଆସିଥାଏ ସେ । ମାଆ ସେଦିନ ଖିରି କରି ନଥାନ୍ତି ଖାଲି ପିଠା ତରକାରୀ କରିଥାନ୍ତି । ଖାଇସାରି ଯାଇ ପଢାଘରେ ବସିଲା । ହେଲେ ସେଦିନ ତାର ପଢ଼ା ରେ ମୋଟେ ମନ ଲାଗୁ ନଥାଏ । ସଂଧ୍ୟା ବେଳେ କେକ୍ କଟା ହେବ , ସାଙ୍ଗ ସାଥୀ ଆସିବେ ସେ ଗୋଟିଏ ପୁଅ ହୋଇ ଥିବାରୁ ପ୍ରତିବର୍ଷ ତାର ଜନ୍ମଦିନ ହୁଏ ,ହେଲେ କେବେ କେକ୍ କଟା ହୁଏନି । ମାଆ କୁହନ୍ତି ଆମେ ତ ହିନ୍ଦୁ ଘର । ଚକୁଳି ପିଠା ଖିରି ହିଁ ଆମ ସଂସ୍କୃତି , ଏ କେକ୍ ରୁ ମିଳୁଛି କଣ ? ଏବର୍ଷ ବି ସେଇଆ କହୁଥିଲେ ହେଲେ ବାପା କହିବାରୁ କେକ୍ ଆସିବ ବୋଲି ସ୍ଥିର ହେଲା । ଏବର୍ଷ ଷୋହଳ ବର୍ଷ ହୋଇଥିବାରୁ ଟିକେ ଧୁମ ଧାମ୍ ରେ ବି ହେଉଛି । ବନ୍ଧୁ ବାନ୍ଧବ ବି ସବୁ ଆସି ଡେରା ପକାଇ ସାରିଲେଣି । ଖାଲି ଯାହା ସାଙ୍ଗ ସାଥୀ ଆସିବା ବାକି ଅଛି ।


ଏମିତି ଭାବନା ଭିତରେ କୁନାକୁ ନିଦ ଲାଗି ଯାଇଛି । ଆଖି ଖୋଲିଲା ବେଳକୁ ଅନ୍ଧାର ମାଡି ଆସିଥାଏ । ଘରର କୋଣ ଅନୁକୋଣ ବି ଆଲୋକ ମାଳାରେ ସଜେଇ ହୋଇ ଯାଇଥାଏ । ସାଙ୍ଗ ସାଥୀ ବି ଧୀରେ ଧୀରେ ପହଞ୍ଚି ବାରେ ଲାଗିଯାଇଥାନ୍ତି । କେକ୍ କଟା ହେଲା ,ନାଚ ଗୀତ ର ଆସର ବି ଜମିଲା । ଖାଇ ପିଇ ଉପହାର ଦେଇ ଅତିଥି ଅଭ୍ୟାଗତ ବି ଫେରି ଯାଇଥାନ୍ତି । ଏତେ ସବୁ ଭିତରେ ବି କୁନାର ଆଖି ଯେପରି କିଛି ଖୋଜିଲା ଭଳି ଲାଗୁଥାଏ । ମୁହଁରେ ବିଷାଦ ର ଛାୟା ।


ମାଆ କିନ୍ତୁ କୁନାର ମନକଥା ଠିକ୍ ଜାଣି ଥାନ୍ତି । ତଥାପି କିଛି ନ ଜାଣିଲା ପରି ଯାଇ କହିଲେ "ଆରେ ବାବା ସମସ୍ତେ ତ ଗଲେଣି ଭାରି ,ଏ ଉପହାର ଗୁଡା ଖୋଲି କି ଦେଖୁନୁ" ।ସେମିତି ରେ ତ କୁନାର ମନ ଦୁଃଖ ଯେ ମାଆ କିଛି ଉପହାର ଦେଇନାହାନ୍ତି ବୋଲି । ରାଗ ଗର ଗର ହୋଇ କହିଲା ମୋର କିଛି ଦରକାର ନାହିଁ ,ତୁମେ ଦେଖ । ମାଆ ସବୁକୁ ଏକାଠି ରଖିବା ପରେ କୁନାର ମୁଣ୍ଡ ପାଖକୁ ସେ ଆଣିଥିବା। ଉପହାର ଟିକୁ ରଖିଦେଇ ଲାଇଟ୍ ଲିଭାଇ ଚାଲିଗଲେ ।


କୁନାକୁ ତ ନିଦ ହେଉ ନଥାଏ । ସେଥିରେ ପୁଣି ମାଆ ତାକୁ ଗେହ୍ଲା ନକରି ଲାଇଟ ଲିଭାଇ ଚାଲିଗଲେ । ରାଗ ଗର ଗର ହୋଇ ଉଠି ପୁଣି ଲାଇଟ ଦେଲା । ଦେଖିଲା ତା ମୁଣ୍ଡ ପାଖ ବେଡରେ କଣ ଗୋଟାଏ ପ୍ୟାକେଜ ଥୁଆ ହୋଇଛି । ତା ଉପରେ ଲେଖା ହୋଇଛି "ତୋ ପାଇଁ" ମନକୁ ମନ କହି ପକାଇଲା ,ସବୁ ରଖିଲେ ଏଇଟା ରଖିପାରିଲେନି ? ଥୋଇ ବାକୁ ଯାଉଥିଲା ଦେଖିଲା ଟେବୁଲ ଉପରେ ଗୋଟେ ଗିନାରେ କଣ ଘୋଡିଆ ହୋଇ ଥୁଆ ହୋଇଛି । ତା ଉପରେ ଗୋଟିଏ କାଗଜରେ ଲେଖା ହୋଇଛି ଖାଇସାରି ପ୍ୟାକେଜ ଖୋଲିବୁ । ଗିନାରୁ ଢାଙ୍କୁଣି ଖୋଲି ଦେଖିଲା ସେଥିରେ ତା ପସନ୍ଦର ମାଆ ଙ୍କ ହାତର ଖିରି ଆଉ ବେସନ ଲଡୁ ହିଁ ଥୁଆ ହୋଇଛି । ଖୁସିରେ ତା ଆଖିରୁ ଗଡିପଡିଲା ଲୁହ ଦୁଇଧାର । ମାଆ ଜାଣିଥିଲେ କୁନା ତାଙ୍କ ହାତ ରନ୍ଧା ଖିରି ଛଡା ଭୋଜି ଖିରି କେବେ ଖାଏନି । ସେଥିପାଇଁ ଏତେ କାମ ଭିତରେ ବି ସେ ଖିରି କରିଛନ୍ତି । ଖୁସିରେ କୁନା ସବୁତକ ଖାଇଦେଲା । ତା ପରେ ପ୍ୟାକେଜ ଖୋଲିଲା । ଆଶ୍ଚର୍ଯ୍ୟ ହୋଇଗଲା କୁନା "ଆରେ ଏଇଟା ତ ଭିଡିଓ ଗେମ୍ ଯୋଉଟା ପାଇଁ ମାଆ ଙ୍କ ପାଖରେ ସେ କେତେ ଅଳି କରିଥିଲା " । ଓଠରେ ତାର ହସର ଜୁଆର କୂଳ ଲଙ୍ଘୁଥିଲା । ଦୌଡି ଯାଇ ମାଆ କୁ କୁଣ୍ଡେଇ ପକାଇଲା ସେ ।



Rate this content
Log in

Similar oriya story from Classics