Sriman Bapu

Inspirational

3.4  

Sriman Bapu

Inspirational

କୁକୁର ଆଖିରେ ମଣିଷତ୍ୱ

କୁକୁର ଆଖିରେ ମଣିଷତ୍ୱ

6 mins
586



ଯାଜପୁର ଜିଲ୍ଲାର ଠାକୁର ପାଟଣା ଗ୍ରାମର ମରୁତ ଜଣେ ରାଜମିସ୍ତ୍ରୀ । ଗାଁ ରୁ କିଛି ଦୂରରେ ଅବସ୍ଥିତ ବିରୁହାଁ  ଗାଁରେ ଘର କାମ ଚାଲିଥାଏ । ମାଘ ମାସର ଶୀତ ଦିନ ସେତେବେଳେ ଆଉ ଏହି ସମୟଟା କୁକୁର ଙ୍କ ପ୍ରଜନନ ସମୟ । ସେହି ନିର୍ମାଣଧୀନ ଘର ପାଖ କୁଟାଗଦାରେ ଖେଳୁଥିଲେ କିଛି ସପ୍ତାହ ପୂର୍ବରୁ  ଜନ୍ମ  ନେଇଥିବା ଚାରିଟା ଡଉଲ ଡାଉଲ କୁକୁର ଛୁଆ । ତନ୍ମଧ୍ୟରୁ ସବୁଠୁ ମୋଟା ଡଉଲ ଡାଉଲ  ଆଉ ଧୂସର ନାଲି ରଙ୍ଗର ଛୁଆଟା ମରୁତକୁ ଅଧିକ ଆକର୍ଷିତ କଲା । ଧୂସର ନାଲି ରଙ୍ଗ ସହ ପେଟ ତଳ , ଗୋଡ଼ ଚାରିଟି ର ତଳକୁ ଆଉ ବେକ ଉପରକୁ ବି  ଧଳା ପଟା ଥିବା ଯୋଗୁଁ କୁକୁର ଛୁଆଟି ଅଧିକ ଆକର୍ଷଣୀୟ ଲାଗୁଥିଲା । ମରୁତ କୁକୁର ଛୁଆଟିର ରୂପରେ ମୋହିତ ହୋଇ ତା'ର ମାଆର ଅନୁପସ୍ଥିତିରେ ନିଜ କପଡ଼ା ବେଗରେ ଲୁଚେଇ , ସାଇକେଲ୍ ର ହେଣ୍ଡଲ୍ ରେ ଝୁଲେଇ ବଡ଼ ସତର୍କତାର ସହ ଘରକୁ ଆଣିଥିଲା । ମରୁତ ଘରେ ଆଠ ପନ୍ଦର ରହିଛି ମଝିରେ ମଝିରେ ପଡୋଶୀ କୁଶିଆ ଘରକୁ ପଳାଇ ଆସେ ।‌ 


କୁଶିଆ ଝିଅ ପାଗିଳୀକୁ କୁକୁରଟାର ଆବଭାବ ତା'ର ମୁଣ୍ଡ ଏକଡ଼ ସେକଡ଼ କରି ଅନେଇବା , ଗୋଡ଼ ପାଖରେ ଆସି ଘସିହେବା ଆଉ ଲଟର ପଟର ହୋଇ ଗଡ଼ିବା ଦେଖି ଖୁସିଲାଗେ । ରୁଟି ପିଠା , ବିସ୍କୁଟ ଯାହା ଖାଉଥାଏ ପକେଇଦିଏ । ବୋଉ ଠାରୁ ଗାଳି ପଡ଼େ ବୋଲି ଲୁଚେଇ ଛପେଇ ନେଇ କୁକୁର ଛୁଆଟିକୁ ଖାଇବାକୁ ଦିଏ । ପ୍ରଥମେ ପ୍ରଥମେ ତ ଛୁଆଟି ଖାଇବା ସମୟରେ ଆସେ , ସେଇଠି ତାଙ୍କ ଘର ଆଗରେ ଗଡ଼ପଡ଼ ହୁଏ ଆଉ ରାତିରେ ଖାଇ ସାରି ତା'ର ମାଲିକ ଘରକୁ ଫେରିଯାଏ । କେତେ ଥର ମରୁତ ପୁଅ ଆସି ତା' ବେକର ପଟିରେ ଡୋର ବାନ୍ଧି ଟାଣେ , କେତେବେଳେ ଟେକି ଟେକି ନେଇଯାଏ । ପୁଣି ପାଗିଳୀ ସହ ଝଗଡ଼ା କରେ ତୁ କାହିଁକି ଆମ ଘର କୁକୁରକୁ ଖାଇବାକୁ ଦେଉଛୁ ? 


କୁକୁର ର ଏ ଆଚରଣ ତା'ର ମାଲିକ ଘର ଲୋକଙ୍କୁ ମୁଖ୍ୟତଃ ମରୁତ ର ସାନ ପୁଅଟିକୁ ଜମା ପସନ୍ଦ ଆସେନି । ବିଚରା କୁକୁର ଛୁଆଟା ଅଧିକାଂଶ ସମୟ ଖୁଣ୍ଟରେ ବନ୍ଧା ହେବା ସହ ଟୋକାର ଗାଳି , ପାଞ୍ଚଣ ମାଡ଼ ଆଉ ଗୋଇଠା ଖାଏ । ଯେବେ ବି ଡୋର ଫିଟିଯାଏ ବା ସେମାନେ ଖୋଲନ୍ତି ,  ସେ ଗୋଟିଏ ଡ଼ିଆଁରେ ଆସି କୁଶିଆ ଘରେ । ମରୁତ ପାଗିଳୀର ମାଆକୁ କେତେ ଥର କହିଲା  , ତୁମେ କୁକରଟିକୁ ପୋଷା ମନେଇବା ପାଇଁ ତା'ଖାଇବାରେ ଅଫିମ ମିଶେଇଛ ନିଶ୍ଚୟ ! ମାଆ ଯାଇ ଝିଅକୁ ଗାଳି ଦିଏ  କୁକୁର ଛୁଆଟି ପ୍ରତି ତା'ର ଅତ୍ୟଧିକ ଦୁର୍ବଳତା ଯୋଗୁଁ । ଯେତେ ଗାଳି ଖାଇଲେ ବି ପାଗିଳୀ କୁକୁଟିର ମୋହ ଛାଡ଼ି ପାରେନି କି କୁକୁରଟି ପାଗିଳୀର ଆଦର ଭୁଲିପାରେନି । ଶେଷରେ ମରୁତ ଘର ଲୋକେ ହାର ମାନିଲେ । 


କୁକୁରଟି ପରେ ଦିନ ତମାମ କୁଶିଆ ଘରେ ରୁହେ ରାତିରେ କେବେ ମରୁତ ଘରେ ଯାଇ ଶୁଏ । ପରେ ସବୁଦିନ ପାଇଁ ପାଗିଳୀ ଘରକୁ ଆଦରି ନିଏ । ସାଇ ପଡ଼ିଶାରେ ତା'ର ପରିଚୟ ବଦଳି ମରୁତ ଘର କୁକୁରରୁ କୁଶିଆ ଘର କୁକୁର ହୋଇଯାଏ । ସେ କୁଶିଆ ଘର ଗେଟ୍ ବାହାରକୁ ଯାଏନି କି ଅନ୍ୟ କୁକୁରକୁ ଗେଟ୍ ଭିତରକୁ ପୂରେଇ ନଦେବାକୁ ଆପ୍ରାଣ ଚେଷ୍ଟା କରେ । ଘର ଚାରି ପଟେ ଅଲଗା ଅଲଗା ଯାଗାରେ ମୁତି ନିଜ ଇଲାକାକୁ ସୁରକ୍ଷିତ କରେ । ନିଜଠୁ ସବଳ କୁକୁରର ପ୍ରବେଶ ଦେଖିଲେ ତା' ଭାଷାରେ ସେ ପରିବାରର ସଦସ୍ୟଙ୍କ ଠାରୁ ସାହାଯ୍ୟ ଲୋଡ଼େ ।


ପ୍ରତି କୁକୁରର ମଣିଷ ଭଳି ଏକ ଭିନ୍ନ ଚରିତ୍ର ଥାଏ । କୁଶିଆ ଘରର କୁକୁରଟା ସାହାସୀ ନୁହେଁ , ମାଙ୍କଡ଼ ଆସିଲେ ଡ଼ରେ ! ଯଦି କିଏ ମାଙ୍କଡ଼ ଗୋଡ଼େଇବାକୁ ବାହାରେ ତେବେ ତା ପଛେ ପଛେ ଧାଇଁ ଯାଇ ଭୁକିବ ଆଉ ବାହାଦୂରୀ ମାରିବ । ମାଙ୍କଡ଼ ଯଦି ଟିକେ ତା ଆଡ଼କୁ ଦୌଡ଼ି ଆସିଲା ଲାଙ୍ଗୁଡ ଗୁଞ୍ଜି ଆସି ତୁମ ପଛରେ ଲୁଚିବ । ବଳୁଆ କୁକୁର ଗୋଟିଏ ପଶିଆସି ତା ଖାଇବା ମାଡ଼ିବସିଲେ ବିଚରା ଠିଆ ହୋଇ ମାଲିକ ଘର ଲୋକଙ୍କୁ ବିନତୀ କରିବା ନଜରରେ ଦେଖିବ । ଜଣେ କିଏ ବଳୁଆ କୁକୁରଟିକୁ ଗୋଡ଼ାଇଲେ ସେ ଡ଼ରି ଡ଼ରି ଯାଇ ଜଳଦି ଜଳଦି ଖାଇଯିବ । କୁକୁରଟା ଗୋଟିଏ ପ୍ରକାରର ଶାନ୍ତିପ୍ରିୟ ନରମା ଚରିତ୍ରର । କୁଶିଆ ଘରର ସମସ୍ତ ସଦସ୍ୟଙ୍କ ଚରିତ୍ର ସହ ଖୁବ୍ ମେଳ ଖାଏ । କୁକୁରର ଚରିତ୍ରଟି ଆଗରୁ ଏମିତି ଥିଲା ଯେଉଁଥି ପାଇଁ ସାଧାସିଧା ଶାନ୍ତିପ୍ରିୟ କୁଶିଆ ପରିବାର ଲୋକେ ତା ପ୍ରତି ଆକୃଷ୍ଟ ହୋଇଗଲେ କି ପରିବାରର ଏକ ସଦସ୍ୟ ହିସାବରେ ଗଣାହେବା ପାଇଁ ନିଜର ସ୍ୱଭାବ ସେ ବଦଳାଇ ଦେଲା ତାହା କହିହେବ ନାହିଁ ?


ପାଗିଳୀର ବାହାଘର ହେଲା ଆଉ ଭୋଜି ରେ କୋଡ଼ିଏ ପଚିଶ ସରିକି କୁକୁର ଆସି ଅଇଁଠା ପତ୍ରରୁ ବଳକା ଖାଦ୍ୟ ସବୁ ଚଢ଼ାମଢ଼ା ହୋଇ ପେଟେ ପେଟେ ଖାଇଲେ ହେଲେ ସେ ଟିକିଏ ବି ସେ ଆଡ଼କୁ ଅନେଇଲା ନାହିଁ । ସେଇମିତି ଲୋକଗହଳିରୁ ଦୂରେଇ ପାଇଖାନା ଘରଟା ପାଖରେ ପଡ଼ିରହିଲା । ଝିଅ ବାହାଘର, ପରିବାର ଯାକ ଲୋକ କାର୍ଯ୍ୟ ବ୍ୟସ୍ତ ଆଉ ଦୁଃଖିତ ! ସେ ବି ସେମିତି କାର୍ଯ୍ୟ ବ୍ୟସ୍ତ ନହେଲେ ବି ଦୁଃଖିତ ପ୍ରତୀତ ହେଉଥିଲା । ସେଇମିତି ସେଇଠି ପଡ଼ିରହିଲା ରାତି ସାରା ତା'ର ଖାଇବା କଥା କାହାର ମନେ ନାହିଁ । ଝିଅ ବିଦା ବେଳେ ସେ ଉଠି ଆସିଲା ଆଉ ଗାଡ଼ି ପଛେ ପଛେ ଧାଇଁ ଧାଇଁ ଛକ ଯାଏ ଗଲା । ଗାଡ଼ି ଦ୍ରୁତ ହେଲା ଆଉ ତା'ର ଅତି ପ୍ରିୟ ପାଗିଳୀକୁ ଆଉ ସେ ଦେଖି ପାରିଲା ନାହିଁ । 


ତା' ପରଦିନ ଘରେ ସମସ୍ତେ ଦୁଃଖ ଆଉ ଅନିଦ୍ରାରେ ପୀଡିତ ଆଉ ସେ ବି । ରାତିରେ ଯାଇ ଗଣ୍ଡେ ଖାଇବାକୁ ମିଳିଲା ହେଲେ ସେ ପାଗିଳୀକୁ ନପାଇ ଖାଇବା ଶୁଙ୍ଘି ଦେଇ ଫେରି ଆସିଲା । କବାଟ ବନ୍ଦ ହେବା ଯାଏ ସେଇମିତି ଦୁଆରେ ଠିଆ ହୋଇଥାଏ । ଖାଇବା ସେଇମିତି ସକାଳ ଯାଏ ପଡ଼ିରହିଥିଲା । 


କୁଶିଆର ପୁଅମାନେ ଦୋକାନରୁ ଫେରୁ ଫେରୁ ବିଳମ୍ବ ହୁଏ । ସେମାନଙ୍କ ଗାଡ଼ି ଶବ୍ଦ ଶୁଣିଲା କ୍ଷଣି ଉଠି ଦୌଡ଼ିଯିବ । ଲାଙ୍ଗୁଡ ହଲେଇ ହଲେଇ ଟିକିଏ ନସର ପସର ହେବ । ବର୍ଷା ଢାଳୁଥିଲେ ବି ପାଣିକୁ ଖାତିର୍ ନକରି ତିନ୍ତିବୁଡି ସେ ତା'ର ଏ ଦୈନନ୍ଦିନ କାର୍ଯ୍ୟକୁ ସମ୍ପାଦନ କରିବ । ପାଗିଳୀ ବାପ ଘରକୁ ଯେବେ ବି ଆସେ , ସେ ଯେଉଁଠି ବି ଥାଉ  କେମିତି କେଜାଣି ଜାଣିପାରି ଦୌଡ଼ି ଆସିବ । ଲାଞ୍ଜ ହଲେଇ ମୋଡ଼ି ମୁଡ଼ା ହୋଇ ଡେଇଁବ । ତା' ଖୁସି କହିଲେ ନ ସରେ ପାଗିଳୀ ଘରେ ଥିବା ଯାଏ ।


ଦୂର ପଡୋଶୀ ଘର ଛାଡ଼ , କୁଶିଆ ଘରକୁ ଲାଗି ପାଖ ଘରେ ଭୋଜିଭାତ ହେଉଥିଲେ ବି , ଯେତେ ମାଉଁସ ଗନ୍ଧ ଛୁଟିଲେ ବି ସେ ସେଇମିତି ଅନାସକ୍ତ ଭାବେ ପଡ଼ିରହିବ । ଗାଁ ଯାକର ଛାଡ଼ , ବାହାର ଗାଁରୁ ବି ପଲ୍ହାଏ କୁକୁର ଆସି ପେଟେ ପେଟେ ଖାଇକି ଯିବେ ହେଲେ ସେ , ମୁହଁ ମୋଡ଼ି ସିଆଡେ ଟିକିଏ ବି ଚାହିଁବ ନାହିଁ । ଘରେ ତାକୁ ଯାହା ମିଳିବ ସେତିକି ସେ ଖାଇବ । 


ଥରେ ସପରିବାର ଜଣେ ବନ୍ଧୁଘର ବାହାଘରକୁ ଯାଇଥିଲେ ,ଫେରୁ ଫେରୁ ରାତି ଚାରିଟା । ଗାଡ଼ି ଶବ୍ଦ ଶୁଣି ପୂର୍ବ ଭଳି ସେ ଦୌଡ଼ି ଗଲା । ସମସ୍ତର ମନେ ତେବେ ଯାଇ ପଡ଼ିଲା କି , କୁକୁର ଟା କିଛି ଖାଇନି , ର୍ଦୁଯୋଗକୁ ବିସ୍କୁଟ ଖଣ୍ଡେ ବି ନଥିଲା ଘରେ । ପଖାଳକୁ ଚିପୁଡ଼ି ଲୁଣ ଟିକିଏ ଗୋଳେଇ ଖାଇବାକୁ ଦିଆଗଲା ଅନ୍ଯ ସମୟରେ ଚିପୁଡ଼ା ପଖାଳ ସେ ଖାଏନି କିନ୍ତୁ ସେଦିନ ସବୁ ଚାଟିଚୁଟା କରି ଖାଇଦେଲା । ଭୋକ ଥିଲା କି ମାଲିକ ଘର ସଦସ୍ଯଙ୍କୁ ଲଜ୍ୟା ଆଉ ଅପରାଧ ବୋଧରୁ ବଞ୍ଚାଇବା ପାଇଁ ଖାଇଦେଲା ଜଣା ନାହିଁ ।


କୁକୁରଟି ଦଶବର୍ଷରୁ ଉର୍ଦ୍ଧ୍ବ ହେବ ରହିଲାଣି ଆଜି ଯାଏଁ ତା'ର ନାମକରଣ ହୋଇ ପାରିଲା ନାହିଁ । ହେ ! , ଚୁ ଚୁ ! , ଆଇଲୁ ନା ! , ହେ କୁକୁର ! ଏଇମିତି ସମ୍ବୋଧନ କରି ଡ଼କାଯାଏ । ତା'ର ଏଥିରେ ଯେମିତି କୌଣସି ଆପତ୍ତି ନାହିଁ । ପାଠକେ ଆଶ୍ଚର୍ଯ୍ୟ ହେଉଥିବେ ପୋଷା କୁକୁରଟା ହେଲେ ନାମ ଗୋଟିଏ ନାହିଁ ! ହଁ ଘରର ସଦସ୍ୟ ଭିତରୁ କିଏ କିଏ ବହୁବାର ଚିନ୍ତା କରିଥିଲେ , ହେଲେ ଯେତେ ପ୍ରକାରର କୁକୁରର ନାମ ସେମାନେ ଶୁଣିଥିଲେ କେଉଁଟା ବି ମନକୁ ପାଇଲା ନାହିଁ । କୌଣସି ନାମ କୁକୁରଟିର ନିଆରା ଗୁଣ ସହ ଖାପ ଖାଉ ନଥିଲା । ଏଇଥି ପାଇଁ ସେ ଅନାମ ହୋଇ ରହିଯାଇଛି । ଏଥିରେ ତା'ର ଟିକିଏ ବି ଅନୁଶୋଚନା ଥିଲା ଭଳି‌ ତା ମୁହଁରୁ ପ୍ରତୀତ ହୁଏନି । କେବେ ସେ ଅଇଁଠା ବାସନ ଚାଟିବନି କି ବାହାର ଟ୍ଯାପ ତଳେ ଥୁଆ ହୋଇଥିବା ବାସନରୁ ପାଣି ପିଇବ ନାହିଁ । କଞ୍ଚା ମାଛ ମାଉଁସ ଆଗରେ ଥୁଆ ହୋଇଥିବ ତାକୁ ନଦେଲା ଯାଏଁ ସେମିତି ଲାଞ୍ଚ ହଲାଇ ହଲେଇ ଲୋଭିଲା ଆଖିରେ ଅନେଇ ବସିବ ହେଲେ କେବେ ମୁହଁ ମାରିବନି ।


ବେଳେ ବେଳେ କିଏ କିଏ ପଚାରି ଦିଏ କୁକୁରାଟା କେତେ ବର୍ଷର ହେଲାଣି ? କେହି ସଠିକ୍ କହି ପାରନ୍ତି ନାହିଁ । ପାଗିଳୀର ବାହାଘର କେତେ ବର୍ଷ ହେଲା ? ବାହାଘରର କେତେ ବର୍ଷ ପୂର୍ବରୁ ଘରକୁ ଆସିଥିଲା ଚିନ୍ତାକରି ହିସାବ କରାଯାଏ । ହେଇ ହେଇ ଏଗାର ବାର ବର୍ଷ ହେବ । କୁକୁର ଗୋଟିଏ କେତେ ବର୍ଷ ବଞ୍ଚେ ? ଏଇ ପ୍ରଶ୍ନ ଟି ଭଲ ଲାଗେନି କାହାକୁ । ସେ ପରିବାରର ଏକ ଅଲିଖିତ ସଦସ୍ୟ ଆଉ ଅଭିନ୍ନ ଅଙ୍ଗ , ଯାହାର ବିୟୋଗ ଚିନ୍ତା କରିବାକୁ ଖରାପ ଲାଗେ । କୁଶିଆ ଘରର ଅନାମ କୁକୁରର ଏଇମିତି ଅଜଣା ଅଭୁଲା କେତେ ସ୍ମୃତି ଅଛି ।


ଜଣା ନାହିଁ ଏ କୁକୁର କେଉଁ କାଳରୁ ମଣିଷକୁ ଜଗିଆସିଛି । ମଣିଷର ଦୁର୍ବଳ ଇନ୍ଦ୍ରିୟ ଶକ୍ତିର କ୍ଷମତା ବାହାରେ ଅଦେଖା ଆଉ ଅଜଣା ବିପଦର ସଂଙ୍କେତ ଦେଖିପାରି , ଆଘ୍ରାଣ କରିପାରି ସେ ସଚେତନ କରେଇ ଆସୁଛି । ମଣିଷ ସହ କୁକୁର ନଥିଲେ ମଣିଷ ଆଜି ଯେଉଁଠି ପହଞ୍ଚିଛି କ'ଣ ପହଞ୍ଚି ପାରିଥାନ୍ତା ? 


ମହାଭାରତରେ କାଳେ ଯୁଧିଷ୍ଠିର ତାଙ୍କ ପୋଷା କୁକୁରର ଅଜ୍ଞାତ ଭୁଲ ପାଇଁ ତାଙ୍କର ପୂରା ବଂଶକୁ ଅଭିଶାପ ଦେଇ ଦଣ୍ଡିତ କରିଥିଲେ । ହେଲେ ତାଙ୍କର ଶେଷଯାତ୍ରାରେ ଶେଷ ଯାଏଁ ସେ ହିଁ ଏକା ସାଥି ହୋଇ ରହିଲା ‌। କେହି କେବେ ଭାବିଛନ୍ତି କି ଯେତେବେଳେ ତାଙ୍କର ସର୍ବଶ୍ରେଷ୍ଠ ବୀର ଭ୍ରାତୃଗଣ ଆଉ ଅଗ୍ନିସମ୍ଭୁତା ସ୍ତ୍ରୀ ଦ୍ରୌପଦୀ ଅଧା ବାଟରେ ଟଳି ପଡ଼ିଥିଲେ ସେ କେଉଁଠୁ ଏତେ ଶକ୍ତି ପାଇଲା ? ମାସ ମାସ ଧରି ସେ ଦୁର୍ଗମ ପଥରେ ସେ କ'ଣ ଖାଇ କ'ଣ ପିଇ ଜୀବନ ରକ୍ଷା କରିଥିଲା ? ସ୍ୱର୍ଗର ଲୋଭ ତ ତାକୁ ଟାଣି ନେଇ ନଥିଲା । ଯୁଧିଷ୍ଠିର ତାଙ୍କ ଧର୍ମ ବଳରେ ସିନା ସ୍ୱର୍ଗକୁ ଗଲେ ହେଲେ କେଉଁ ପୂଣ୍ୟ ବଳରେ ସେ ସ୍ୱର୍ଗକୁ ଗଲା ? ଯୁଧିଷ୍ଠିର ର ଧର୍ମବଳ ଯୋଗୁଁ ହୋଇଥିଲେ ଭ୍ରାତୃଗଣ ଆଉ ସ୍ତ୍ରୀଙ୍କୁ କାହିଁ ସେ ନେଇ ପାରିଲେନି ? ସେ ଯୁଧିଷ୍ଠିରଙ୍କ ସାଥିରେ ନଥିଲେ କ'ଣ ଏକା ଏକା ସେ ଦୁର୍ଗମ ରାସ୍ତାରେ ଯାଇ ସ୍ୱର୍ଗରେ ପହଞ୍ଚି ପାରିଥାନ୍ତେ ?


କୁକୁରର ନିସର୍ତ୍ତ ପ୍ରଭୂ ଭକ୍ତି , ବିଶ୍ୱସ୍ତତା ତା ନିଜଠାରୁ ତା ମାଲିକକୁ ତା'ର ଅଧିକ ଭଲ ପାଇବା , ଏଇଭଳି ମହାନ୍ ଗୁଣସବୁକୁ ନେଇ ମଣିଷ ତା ସାହିତ୍ୟ ,କଳା ସିନେମାରେ କେତେ ଜୀବନ୍ତ , ହୃଦୟସ୍ପର୍ଶୀ ଆଉ ପ୍ରେରଣାଦାୟୀ ଚିତ୍ର ଫୁଟେଇଛି  ତଥାପି ବି ମଣିଷ ନଜରରେ ଏବେ ବି କୁକୁର ଶବ୍ଦ ଗୋଟିଏ ତୁଚ୍ଛତାର ପ୍ରତିଚିନ୍ହ ବା ପରିବାହକ କାହିଁକି ? କ'ଣ ସତରେ ଆମେ କୁକୁରକୁ ଚିହ୍ନି ପାରିଛନ୍ତି ଆଉ ତା ଆଖିରେ ମଣିଷତ୍ୱକୁ ଦେଖି ପାରିଛନ୍ତି ?




Rate this content
Log in

Similar oriya story from Inspirational