କୁହୁର ଜନ୍ମଦିନ
କୁହୁର ଜନ୍ମଦିନ
ଆଜି "କୁହୁ" ର ଜନ୍ମ ଦିନ । ଶିଳ୍ପପତି ରାୟ ଚୌଧୁରୀ ଙ୍କର ଏକମାତ୍ର ଝିଅ ହୋଇଥିବାରୁ ଫୁଲର ସମ୍ଭାରରେ ବୋହୂ ପରି ସଜେଇ ହୋଇଛି ରାୟ ଚୌଧୁରୀ ଭବନ । ଅତିଥି ଅଭ୍ୟାଗତ ସଭିଙ୍କ ହାତରେ ଦାମୀ ଉପହାର ସହ ସୁନ୍ଦର ଫୁଲ ତୋଡାର ସମ୍ଭାର। ହେଲେ ଏତେ ଖୁସି ଭିତରେ ବି ଖୁସି ହୋଇ ପାରୁନି କୁହୁ। ଫୁଲକୁ ଭଲ ପାଉଥିବା ଫୁଲକୁମାରୀ ର ମନ ଆଜି ଉଦାସ ଲାଗୁଛି ।
କୁହୁ ର ମନ ଦୁଃଖ ଦେଖି ସମସ୍ତେ କାରଣ ଜାଣିବା ପାଇଁ ଚାହୁଁ ଥିଲେବି ସେ କାହାକୁ କିଛି ଉତ୍ତର ଦେଉନି ।
ମାଆ ତାର ତାକୁ ଜନ୍ମ ଦେଲାପରେ ଆରପାରିକୁ ଚାଲି ଯାଇଛନ୍ତି । କୁହୁର ବାପା ହିଁ ତାର ମାଆ ଓ ବାପା । ଝିଅ ପାଇଁ ସେ ଦ୍ଵିତୀୟ ବିବାହ ମଧ୍ୟ କରି ନାହାନ୍ତି ।
ଛୋଟବେଳେ କୁହୁ ଯେତେବେଳେ କାନ୍ଦେ ମାମା କୁଆଡେ ଯାଇଛି ପଚାରି , ସେତେବେଳେ ଚୌଧୁରୀ ବାବୁ ଅଗଣାରେ ଥିବା ବଉଳ ଗଛକୁ ଦେଖେଇ କୁହନ୍ତି ତୋ ମାମା ଏଇ ଗଛରେ ଅଛି ଆଉ ତତେ ସବୁବେଳେ ଦେଖୁଛି ,ତୁ ଖୁସି ରହିଲେ ସେ ବି ଖୁସି ରହିବ।
ସେଥିପାଇଁ କୁହୁ ସବୁବେଳେ ଖୁସି ରହେ ଏମିତି କି ନୂଆ ଫ୍ରକ ଟିଏ ପିନ୍ଧିଲେ ବି ବଉଳ ଗଛ ମୂଳକୁ ଯାଇ ଛିଡା ହୋଇଯାଏ ଆଉ କହେ " ଦେଖ୍ ମାମା ମୁଁ ନୂଆ ଡ୍ରେସ୍ ପିନ୍ଧି କେମିତି ପରି ଭଳି ଲାଗୁଛି "। ତାକୁ ଲାଗେ ତା'କଥାରେ ମାମା ତାର ଖୁସି ହୋଇଯାଏ ।
ବସନ୍ତ ଋତୁର ଆଗମନରେ ବଉଳ ଫୁଲର ବାସ୍ନାରେ ଚାରିଆଡେ ମହମହ ବାସେ । ବାପାଙ୍କୁ କହି କୁହୁ ସେଠି ଚାନ୍ଦିନୀ ଟିଏ କରିଛି ଯେତେବେଳେ ମାମା କଥା ମନେପଡେ ସେଇଠି ଯାଇ ବସିଗଲେ ତାର ମନରେ ଅଫୁରନ୍ତ ଆନନ୍ଦ ଖେଳି ଯାଏ ।
କୁହୁ ଗଛ ଲଗେଇ ବାକୁ ବହୁତ ଭଲପାଏ । ଛୋଟ ବେଳୁ ଖେଳଣା ବଦଳରେ ସେ ଗଛର ଚାରା କିଣି ନିଜ ହାତରେ ପୋତେ । ସେହି ଗଛରେ ଯେତେବେଳେ ପ୍ରଥମ ଫୁଲଟି ଫୁଟେ ସେ ପ୍ରଥମେ ଆଣି ବଉଳ ଗଛ ମୂଳରେ ଥୋଇ କହେ ମାମା ଦେଖତ ଫୁଲଟି କେମିତି ଖିଲି ଖିଲି ହସୁଛି । ଛୋଟ ବଗିଚା ଟି ତାର ଛୋଟିଆ ଜଙ୍ଗଲଳ ଭ୍ରମ ସୃଷ୍ଟି କରେ । ଶୀତ ଦିନେ କୁହୁଡି ପଡି ବାଲକୋନୀ ରୁ ଚାହିଁଲେ ଧୂଆଁ ଧୂଆଁ ଜଙ୍ଗଲ ପରି ଦୃଶ୍ୟ ହୁଏ।
ତା'ବଗିଚା ଟି ସବୁବେଳେ ଫୁଲର ସମ୍ଭାରରେ ଖିଲି ଖିଲି ହସୁଥାଏ। ପ୍ରତିବର୍ଷ କୁହୁର ବାପା ଉପହାର ରେ ଗଛଟିଏ ଦେଇ ଥାଆନ୍ତି ,ଆଉ ଗଛଟି ପାଇଲା ପରେ ସେ ଡେଇଁ ଡେଇଁ ଚାଲିଯାଏ ତା'ବଗିଚାକୁ । ଫୁଲ ଗଛ ଲଗାଏ ଅନାବନା ଘାସ ବାଛେ ତା' ପରେ ଘରକୁ ଆସେ । ବାପା ତାର ବେଳେ ବେଳେ ରାଗନ୍ତି, ଆଉ କୁହନ୍ତି ଏତେ ଚାକର ବାକର ଥାଉ ଥାଉ ତୁ'ବଗିଚା କାହିଁକି ସଫା କରୁଛୁ ?
କୁହୁ ଉତ୍ତର ଦିଏ ବାବା' ଏତେ ତ ଚାକର ବାକର ତ ଅଛନ୍ତି ସେମାନେ ତ ମୋର ସବୁ କାମ କରି ପାରିବେ, ହେଲେ ମୋ କାମ କାହାକୁ କରିବାକୁ ନଦେଇ ସବୁ ତୁମେ କଣ୍ ପାଇଁ କର ? କୁହୁର ପ୍ରଶ୍ନ ର ଉତ୍ତର ଦେବାରେ ଅକ୍ଷମ ହୁଅନ୍ତି ଚୌଧୁରୀ ବାବୁ।
ଏବର୍ଷ କୁହୁକୁ ଗଛ ଟିଏ ଉପହାର ଦେଇ ନାହାନ୍ତି ଚୌଧୁରୀ ବାବୁ। କାହିଁକି ନା କୁହୁର ଦେହ ଭଲ ନାହିଁ, ଆଉ ଗଛ ପାଇଲେ ସେ ବଗିଚାକୁ ଯାଇ ଧୂଳି ମାଟି ହୋଇ ଗଛ ଲଗେଇବ କୁହୁ ର ମନକଥା କୁ ପଢି ପାରିଥିଲେ ତାର ବାପା । ତେଣୁ ଏତେ ଗହଳି ଭିତରେ ବି ସମୟ ବାହାର କରି ସେ ଧାଇଁ ଯାଇଥିଲେ ଚାରା ଗଛଟିଏ ପାଇଁ ।
କୁହୁ ଛିଡାହୋଇଥିଲା ବାଲକୋନୀ ରେ । ପଛରୁ ଛିଡାହୋଇ କୁହୁ ଆଗରେ ଫୁଲ ଚାରଟି ଦେଖାଇବା ସମୟରେ କୁହୁର ମୁଖମଣ୍ଡଳରେ ଯେଉଁ ଉଜ୍ୱଳତା ଝଲସୁ ଥିଲା ତାହା କୌଣସି ଫୁଲ ସମ୍ଭାରରୁ କମ୍ ନଥିଲା ।
କୁହୁର ଆନନ୍ଦ ରେ ସେ ବି ଆନନ୍ଦ ବିଭୋର ହୋଇଗଲେ । ଆଉ ନିଜେ ଯାଇ କୁହୁ ସହ ଗଛଟି ପୋତିବାରେ ସାହାଯ୍ୟ କଲେ । ଗଛ ଟି ପୋତିଲା ବେଳେ ବଗିଚାର ଫୁଲ ସମ୍ଭାରରେ ତାଙ୍କ ମନରେ ଅପୂର୍ବ ଶିହରଣ ଖେଳି ଯାଉଥିଲା । କୁହୁ କହିଲା ଦେଖିଲ ବାବା ନିଜ ପିଲାଙ୍କର ଯତ୍ନ ନେଲାବେଳେ ମନରେ କେତେ ଆନନ୍ଦ ଆସେ । ତା'ଛଡା ଫୁଲର ସମ୍ଭାର ଆଶାନ୍ତ ମନକୁ ବି ଶାନ୍ତ କରି ଦେଇ ଥାଏ । ତେଣୁ ମୋ ସହ ତୁମେବି ଏହିପରି ଗଛ ଲଗାଅ ଦେଖିବ ପ୍ରକୃତିର ବାତାବରଣ ଭଲ ହେବା ସହ ମନରେ ବି ଶୀତଳତା ଭରିବ ।