Mamatamanjari Das

Abstract Inspirational

4  

Mamatamanjari Das

Abstract Inspirational

ଫଳବାଲୀ ମାଉସୀ

ଫଳବାଲୀ ମାଉସୀ

3 mins
342


ଆତ୍ମବିଶ୍ବାସ ପାଖରେ ବୟସ ବୋଧହୁଏ ହାର ମାନିଯାଏ। ଏଇ ଯେମିତି ଏଇ ଫୁଲ ନାମ୍ନୀ ,ଫଳବାଲୀ ମାଉସୀ।


ବୟସ ବୋଧହୁଏ ସତୁରି ଛୁଇଁଲାଣି, ତଥାପି ରାତି ପାହିଲେ ହସହସ ମୁହଁରେ ଆସି ବସିଯାଏ ଫଳ ଦୋକାନରେ। ବହୁତ ଭଦ୍ର ବ୍ୟବହାର ଏହି ମାଉସୀଟିର । ମୁଁ ଯେତେବେଳେ ପ୍ରଥମେ ଟ୍ରାସ୍ଂଫର ହୋଇ ଏହି ସହରକୁ ଦଶ ବର୍ଷ ତଳେ ଆସିଥିଲି ସେବେଠାରୁ ଦେଖି ଆସୁଛି ତାକୁ । ଯେତେ ବେଳେ ବଜାରକୁ ଯାଏ ତା 'ଠାରୁ ଫଳ କିଛି କିଣି ଆଣେ ଓଷା ହେଉ କି ପର୍ବ ପର୍ବାଣୀ ମାଉସୀ ମୋ ପାଇଁ ଜରିରେ ପୁରାଇ ଆମ୍ବ ଡାଳ ଠାରୁ ଦୁବ ବରକୋଳି ପତ୍ର ଯାଏ ସଜାଡି ରଖିଥାଏ। ତା କଥାରେ ଏତେ ସ୍ନେହଁ ମମତା ଭରା ଯେ ମନଟା ମୋର ବନ୍ଧା ପଡି ଯାଇଛି ଏହି ଫୁଲ ମାଉସୀ ପାଖରେ । 


ସେଦିନ ବହୁତ ଶୀଘ୍ର ଫେରି ଆସିଥାଏ ସ୍କୁଲରୁ । ବର୍ଷାଟା ବି ଝୁପୁରୁ ଝୁପୁରୁ ଲାଗି ରହିଥାଏ । ଦେଖିଲି ମାଉସୀ ଫଳ ଝୁଡି ସଜାଡି ଅଧା ପାଲତଳେ ବସିଛି। ମୋ ଉପରେ ଯେମିତି ନଜର ପଡିଛି ଈଶାରାରେ ଡାକିଲା । ମୁଁ ଗଲାରୁ ତାର ଷ୍ଟୁଲଟି ଦେଇ ବସିବା ପାଇଁ କହିଲା । ନିଜର ପଣିଆ ଦେଖେଇ ଆକଟ ସ୍ୱରରେ କହିଲା ଅଦିନିଆ ବର୍ଷାରେ ଭିଜିଲେ ଦେହ ମୁଣ୍ଡ ଖରାପ ହେବନ ? ଆ ବସି ଯା ମେଘ ଛାଡିଲେ ଯିବୁ ।


ମାଉସୀ ସହିତ ମୋର ଏତେ ଦିନର ସମ୍ପର୍କ, ହେଲେବି ମୁଁ ମାଉସୀକୁ କେବେ ତା ପରିବାର ବିଷୟରେ ପଚାରିନି । ମାଉସୀକୁ ସବୁବେଳେ ଏକା ଦେଖେ , କାଳେ ସେ ମନ ଦୁଃଖ କରିବ ସେଥିପାଇଁ କିଛି ପଚାରେ ନାହିଁ। ସେଦିନ କିନ୍ତୁ ଭାରି ଇଛା ହେଲା ମାଉସୀ ବିଷୟରେ ଜାଣିବା ପାଇଁ ସାହସ ସଞ୍ଚୟ କରି ପଚାରିଲି ମାଉସୀ ଘରେ ଆଉସବୁ କିଏ କିଏ ଅଛନ୍ତି।


ମାଉସୀ ଟିକିଏ ରହିଯାଇ କହିଲା, ନିଆଁ ଚୁଲି,ପାଉଁଶ ଯିଏ ଯେତେ ଥିଲେ କଣ ହେବ ଝିଅ, ମୁଣ୍ଡକୁ ହାତ ପାଇଲେ ସମସ୍ତେ ପର । ମାଉସୀ ଆରମ୍ଭ କଲା ତା' ଜୀବନର କରୁଣ କାହାଣୀ। ଆଜକୁ କୋଡିଏ ବର୍ଷ ହେଲାଣି ତାର ଏ ଫଳ ଦୋକାନଟିକୁ। ନିଜ ମରଦର ଏ ଦୋକାନଟି ଥିଲା । ହସ ଖୁସିର ସଂସାର ତାର ହସି ଉଠୁଥିଲା ବେଳେ ହଠାତ୍ କାଳବୈଶାଖୀଟା ଆସି ଭାଙ୍ଗି ଦେଲା ତାର ମେରୁଦଣ୍ଡ। ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ କେଉଁ ଏକ ଅଜଣା ଗାଡି ଧକ୍କାରେ ଚାଲିଗଲା ତା' ମରଦର ଜୀବନ ।


ବଡ ପୁଅ ଦଶମ ଆଉ ସାନ ପୁଅ ଅଷ୍ଟମରେ ପାଠ ପଢୁ ଥାଆନ୍ତି। ରୋଜଗାରିଆ ଲୋକ ତ ଚାଲିଗଲା, ସଂସାର କେମିତି ଚଳିବ, ପିଲା କେମିତି ପାଠ ପଢି ମଣିଷ ହେବେ ଏହି ଚିନ୍ତାରେ ମୁଁ ଲୁହ ପୋଛି ଦେଇ ଅଣ୍ଟା ଭିଡି ବେପାର ଆରମ୍ଭ କଲି । ଭଲ କଲେଜ୍ ରେ ପାଠ ପଢାଇ ଦୁଇ ପୁଅଙ୍କୁ ମଣିଷ କରି ଘର ଦି ବଖରା କରି ବଡ ପୁଅକୁ ବାହା କଲି । ହେଲେ ମାଆ ମୋ ଦୁଃଖ କୋଉ ଗଲା,ଗାତ ପଶା ମାଇକିନିଆ କଥାରେ ମୋତେ ବାଡେଇଲା ଏମିତି ଯେ ମୋର ହାତ ଗୋଡ ଭାଙ୍ଗି ଦେଲା । ଶେଷରେ ମାଆ ହୋଇ ପୋଲିସର ସାହାଯ୍ୟ ଲୋଡିଲି। ପୋଲିସ ବାବୁ ତାକୁ ମୋ ଘରୁ ବାହାର କଲେ । ସାନ ଟୋକାଟା ବାହା ହୋଇନି ମାଆ କୋଉ ଗୋଟାଏ ଟୋକିକୁ ସାଙ୍ଗରେ ନେଇ ରହୁଛି । ହାତ ଗୋଡ ଚାଲୁଛି, ବେପାର ବି ଚାଲିଛି । ଅନାଥ ଝିଅଟିକୁ ଆଣି ରଖିଛି ପାଖରେ ଗଣ୍ଡାଏ ଫୁଟେଇ ଦେଲେ ଆମେ ମାଆ ଝୁଅ ଖାଉଛୁ । ପର ପିଲା ହେଲେ କଣ ହେଲା ମାଆ, ମୋ ଗୋଡ ବି ଆଉଁସି ଘସି ଦିଏ ।


ଏହି ଫଳ ବିକ୍ରୀ କରି ମୋ ସଂସାର ଚାଲେ ମା ।


ବର୍ଷା ଛାଡି ଯାଇଥିଲା ସିନା ଫଳବାଲୀ ମାଉସୀର କରୁଣ କାହାଣୀ କିନ୍ତୁ ମୋ ଆଖିରେ ବର୍ଷା ସୃଷ୍ଟି କରି ସାରିଥିଲା ।


ମୁଁ ଉଠଲି ଯିବାପାଇଁ……



Rate this content
Log in

Similar oriya story from Abstract