Sambit Srikumar

Inspirational Thriller

4.3  

Sambit Srikumar

Inspirational Thriller

କ୍ଷମତା

କ୍ଷମତା

6 mins
11.6K


ଗଣତନ୍ତ୍ର ସଂଖ୍ୟାର ଖେଳ! ଏଠି ଗୁଣର ଗୁରୁତ୍ୱ ଗୌଣ! ଅଛି କେବଳ ସଂଖ୍ୟାର ବଳ! ନିର୍ବାଚନ ହେଉଛି ଗଣତନ୍ତ୍ରର ଉତ୍ସବ। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସଂଖ୍ୟା ହିଁ ନିର୍ଣ୍ଣୟ କରେ ବିଜୟ ଏବଂ ପରାଜୟ। କଳ ବଳ ଛଳ କୌଶଳ ଯନ୍ତ୍ର ମନ୍ତ୍ର ତନ୍ତ୍ର ସବୁର ଖେଳ ଚାଲେ ଏଠି ନିର୍ବାଚନ ବୈତରଣୀ ପାର ହେବା ସକାଶେ। କ୍ଷମତା ରାଜନୀତିରେ ତିଷ୍ଠି ରହିବା ନିମନ୍ତେ ସଭିଏଁ ତତ୍ପର। ସଂଖ୍ୟା ଯାହାର ଅଛି ମୁଲକର ଶାସକ ସିଏ। ଅଖଣ୍ଡ କ୍ଷମତାର ଅଧିଶ୍ବର! କିରୀଟ ବିହୀନ ରାଜ ରାଜେଶ୍ୱର!

ନନ୍ଦକିଶୋରପୁର ମଣ୍ଡଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଗ୍ରେ ବୀରବର ବଳବନ୍ତରାୟ। ବିଲୁପ୍ତ ଜମିଦାରୀର ଅନ୍ତିମ ଦାୟାଦ। ଅମାପ ଭୂସମ୍ପତ୍ତି ଓ ଧନରାଶି ବିନିଯୋଗ କରି ସେ ଗଢି ତୋଳିଛନ୍ତି ନିଜର ରାଜନୈତିକ ପ୍ରତିପତ୍ତି। କାରଣ କ୍ଷମତା ବିନା ଗୋଟିଏ କ୍ଷଣ ମଧ୍ୟ ପ୍ରାଣ ଧରି ବଞ୍ଚିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ। ରାଜନୀତି କ୍ଷେତ୍ରରେ ଅନେକ ବ୍ୟକ୍ତି ପାଦ ଥାପନ୍ତି ସମ୍ପତ୍ତି ଆହରଣ କରିବା ପାଇଁ କିନ୍ତୁ ସେ ଥିଲେ ଏହି ଧାରାର ବିପରୀତରେ ଏକ ବ୍ଯତିକ୍ରମ। ବରଂ ରାଜନୈତିକ ଜୀବନର ଉତ୍ଥାନ ପତନରେ ସେ ହରାଇଛନ୍ତି ସମ୍ପତ୍ତି ମାତ୍ର କ୍ଷମତା ହସ୍ତଗତ କରିବା ମୋହରୁ ଆଦୌ ବିରତ ହୋଇ ନାହାନ୍ତି।

ଆଦ୍ଯ ତାରୁଣ୍ୟରେ ଯେବେ ସେ ସ୍ବପ୍ନ ଦେଖୁଥିଲେ ରାଜା ହୋଇ ରାଜୁତି କରିବାକୁ ଠିକ୍ ସେହି ସମୟରେ ଜମିଦାରୀ ଉଚ୍ଛେଦ ହୋଇଗଲା ତାଙ୍କରି ଆଖି ଆଗରେ। ନିମିଷକରେ ରାଜାରୁ ପ୍ରଜା ପାଲଟିଗଲେ ସେ। କେମିତି ବା ସହି ପାରିଥାନ୍ତେ ସେ ଏକଥା? ନୀଳ ରକ୍ତ ଯେ ପ୍ରବାହିତ ହେଉଛି ତାଙ୍କର ଶରୀରର ଶିରାପ୍ରଶିରାରେ। ରାଜୁତି କରିବାକୁ ଜନ୍ମ ତାଙ୍କର, ପ୍ରଜା ହୋଇ ବଞ୍ଚିବା ତାଙ୍କ ପାଇଁ ଘୋର ଅପମାନ! ରାଜା ସର୍ବଦା ରାଜା!

ବଡ଼ ଦୁର୍ବିସହ ହୋଇପଡିଲା ତାଙ୍କର ଜୀବନ ସରକାରଙ୍କ ଗୋଟିଏ ଅଧ୍ୟାଦେଶରେ। ନିଜକୁ ସମ୍ଭାଳିବାକୁ କିଛି ସମୟ ଲାଗିଥିଲା ନିଶ୍ଚୟ ମାତ୍ର ଯେବେ ସେ ଗଣତନ୍ତ୍ରର ସଂଜ୍ଞା ଓ ସଂଖ୍ୟାର ଖେଳକୁ ବୁଝିଗଲେ ହାରିଯାଇଥିବା କ୍ଷମତା ପୁନର୍ବାର ତାଙ୍କ ହାତମୁଠାକୁ ଫେରିଆସିଲା ମାତ୍ର ଅଳ୍ପ କିଛିଦିନର ବ୍ୟବଧାନ ପରେ। ପ୍ରଜାଙ୍କୁ ଯେବେଠାରୁ ସେ ଜନତା ଜନାର୍ଦ୍ଦନ ପଦରେ ଅଧିଷ୍ଠିତ କରାଇଲେ ଏବଂ ନିଜର ସାମନ୍ତବାଦୀ ଓ ଔପନିବେଶିକ ଚିନ୍ତାଧାରାରେ କିଞ୍ଚିତ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ କଲେ ସେତେବେଳେ ଏହି ଗଣତାନ୍ତ୍ରିକ ବ୍ୟବସ୍ଥା ତାଙ୍କୁ ମହନୀୟ ମନେ ହେଲା।

ନିଜର ପ୍ରଚୁର ପରିମାଣର ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ବୀରବର ବଳବନ୍ତରାୟ ନିର୍ବାଚନ ରଣାଙ୍ଗନରେ ବିପୁଳ ଭୋଟ ପାଇ ବିଜୟଶ୍ରୀ ମଣ୍ଡିତ ହେଲେ। ପ୍ରଥମ ପ୍ରୟାସରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଜ୍ୟ ବିଧାନସଭାକୁ ସ୍ବାଧୀନ ପ୍ରାର୍ଥୀ ରୂପେ, ଯଦିଓ ଅନେକ ଜାତୀୟ ଏବଂ ପ୍ରାଦେଶିକ ରାଜନୈତିକ ଦଳରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଆସିଥିଲା ତାଙ୍କୁ। ପୂର୍ବରୁ ତାଙ୍କ ବଂଶରୁ କେହି ବି ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିନଥିଲେ। ସେ ହିଁ ଥିଲେ ପ୍ରଥମ ସଦସ୍ୟ।

ଏହିଠାରୁ ହିଁ ଅୟମାରମ୍ଭ ହୋଇଥିଲା ସଂଖ୍ୟାର ଖେଳ! ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟକ ବିଧାୟକ କୌଣସି ବି ରାଜନୈତିକ ଦଳ ପାଖରେ ନଥିବାରୁ ଛକାପଞ୍ଝା ଓ ଘୋଡ଼ା ଦୌଡ଼ରେ ତାଙ୍କୁ ଯଚାଯାଇଥିଲା ମନ୍ତ୍ରୀ ପଦ ସରକାରରେ ସାମିଲ ହେବାର ପୁରସ୍କାର ଭାବେ। ସ୍ବପ୍ନରେ ସୁଦ୍ଧା ଚିନ୍ତା କରିନଥିବା ଘଟଣା ସବୁ ସଂଘଟିତ ହେଉଥିଲା ତାଙ୍କର ଜୀବନରେ। କୌଣସି ରୋମାଞ୍ଚକର ନାଟକ ଠାରୁ କମ୍ ନଥିଲା ଏହି ବିଷୟ।

ସଚ୍ଚା ମନପ୍ରାଣ ଦେଇ ସେବା କରିଛନ୍ତି ଜନତାଙ୍କର। ଏହାପରେ ସାପ ସିଡିର ଖେଳ ଖେଳି ଖେଳି ପୋଖତ ଖେଳାଳି ହୋଇଯାଇଛନ୍ତି ବୀରବର ବାବୁ। ଅନେକ ଦଳ ଗଢ଼ିଛନ୍ତି ପୁଣି ଭାଙ୍ଗିଛନ୍ତି ନିଜର ଦୀର୍ଘ ରାଜନୈତିକ ଜୀବନରେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷଟା ପୂର୍ଣ୍ଣ ହୋଇପାରିନି ଏଯାବତ। ଆଶା ତ ବୈତରଣୀ!

ସେ ଆଠ ଆଠ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ଏକାଦିକ୍ରମେ ନନ୍ଦକିଶୋରପୁର ନିର୍ବାଚନ ମଣ୍ଡଳୀରୁ। ଆଠ ଥର ଯାକ ମନ୍ତ୍ରୀ ବି ହୋଇଛନ୍ତି। ସରକାର ଯେଉଁ ଦଳର ହେଉ ପଛକେ ନିଜର କ୍ଷୁଦ୍ର ଦଳର ଚାରି ଛଅ ଜଣ ଅନୁଗତ ବିଧାୟକଙ୍କ ସମର୍ଥନ ବିନିମୟରେ ସେ ହୁଅନ୍ତି ମନ୍ତ୍ରୀ। କାରଣ ଏଠି ହୁଏ ସଂଖ୍ୟାର ଖେଳ ଏବଂ ତାଙ୍କ ଦଳର ସମର୍ଥନ ବିନା ସରକାର ଗଠନ ଆଦୌ ସମ୍ଭବପର ନୁହେଁ।

ଏବେ ଆଉ ଯୁବକ ହୋଇ ରହି ନାହାଁନ୍ତି ସେ। ସେଦିନର ରାଜନୀତି ଓ ଆଜିର ରାଜନୀତି ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ। ଘଡିକୁ ଘଡି ବଦଳୁଛି ରାଜନୈତିକ ପାଣିପାଗ। ପରିଣତ ବୟସରେ ଆଉ ଏସବୁ ସହ ତାଳ ଦେଇ ଚାଲିବାକୁ ସମର୍ଥ ନୁହଁନ୍ତି ବୀରବର ବାବୁ। ଯଦିଓ ସେ ନଅ ଗୋଟି ସନ୍ତାନ ସନ୍ତତିଙ୍କ ଜନକ, ସଭିଏଁ ନିଜର ପୂର୍ବସୁରୀମାନଙ୍କ ପରି ରାଜନୀତି ପ୍ରତି ବିମୁଖ। ରାଜନୀତି ହେଉ ଅବା ବ୍ୟକ୍ତିଗତ ବ୍ଯାପାର, ସନ୍ତାନ ସନ୍ତତିଙ୍କ ମଧ୍ୟରୁ କେହି ବି ଜଣେ ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦିଅନ୍ତି ନାହିଁ। ତଥାପି ଏକା ଏକା ବୀରବର ବାବୁ କ୍ଷମତାକୁ ଆମୃତ୍ଯୁ ହାତମୁଠାରେ ଯାବୋଡି ଧରିରଖିବା ନିମନ୍ତେ ଶତତ ଚେଷ୍ଟିତ।

              ***************

ଇତିମଧ୍ୟରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା ସଂଘଟିତ ହୋଇଯାଇଥିଲା ବୀରବର ବାବୁଙ୍କ ଜୀବନ ନାଟକରେ। ସବୁଠାରୁ ଦୁଃଖଦାୟକ ଘଟଣା ଇଏ। ଏହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା କହିଲେ ଅତିଶୟୋକ୍ତି ହେବ ନାହିଁ।

ସମସ୍ତ ସନ୍ତାନ ସନ୍ତତିଙ୍କ ବିବାହ ପରେ ଯିଏ ଯାହାର କର୍ମମୟ ଜୀବନର ଜଞ୍ଜାଳରେ ବ୍ଯସ୍ତ। ବୀରବର ବାବୁ ରାଜନୀତିରେ ଓ ଜନତା ଜନାର୍ଦ୍ଦନଙ୍କ ସେବାରେ। ଘରେ ଏକାକିନୀ ତାଙ୍କର ଧର୍ମପତ୍ନୀ ଅରୁଣା ଦେବୀ। ସ୍ବାମୀ ଓ ସନ୍ତାନ ସନ୍ତତିଙ୍କ ସେବାରେ ନିଜକୁ ନିୟୋଜିତ କରି ଜାଣି ପାରିଲେ ନାହିଁ କେତେବେଳେ କାଳ ଆସି ଡାକିଲାଣି ଲେଉଟାଣି ପାଇଁ। ଏମିତି ଦିନେ ସ୍ବାମୀ ଓ ସନ୍ତାନ ସନ୍ତତିଙ୍କ ବାଟ ଚାହିଁ ଚାହିଁ ସେ ବାଟ କାଟିଲେ ଆର ପାରିକୁ ଆଉ ନଫେରିବା ପାଇଁ। ଯଦିଓ ତାଙ୍କର ବାହୁଡ଼ିବାର ସଠିକ ବେଳ ଉପଗତ ହୋଇନଥିଲା, ମାତ୍ର କାଳକୁ ବା କାହାର ବଳ ଅଛି?

ଅରୁଣା ଦେବୀଙ୍କ ଅକାଳ ବିୟୋଗରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଲେ ବୀରବର ବାବୁ। ଜୀବନରେ ମାତ୍ର ଦୁଇ ଥର ସେ ହାରିଛନ୍ତି। ଥରେ ଜମିଦାରୀ ଆଉ ଏବେ ଧର୍ମପତ୍ନୀ। ଜମିଦାରୀର କ୍ଷତି ଭରଣା ହୋଇଛି କ୍ଷମତାର ପ୍ରାପ୍ତିରେ। କିନ୍ତୁ ଏହି ଅପୂରଣୀୟ କ୍ଷତି ବା ଭରଣା ହେବ କେମିତି ଏ ପରିଣତ ବୟସରେ?

ବୀରବର ବାବୁ ଯେବେ ସଂସ୍କୃତି ବିଭାଗର ମନ୍ତ୍ରୀ ଥିଲେ ସେବେଠୁ କଳାକାରଙ୍କ ସହ ଘନିଷ୍ଠ ପରିଚୟ ସୁମଧୁର ସମ୍ପର୍କ ତାଙ୍କର। ବଡ଼ ରସିକ ପ୍ରବୃତ୍ତିର ଲୋକ ସେ! କଳା ଓ କଳାକାରଙ୍କର ଯଥେଷ୍ଟ ଆଦର ସମ୍ମାନ କରନ୍ତି। ଆଜି ଯାଏଁ ବି ବଳବତ୍ତର ରହିଛି ଏହି ସମ୍ପର୍କ। ତାଙ୍କର ଏପରି ଦୁସ୍ଥିତିରେ କଳା ଜଗତର ମୁଷ୍ଟିମେୟ ଶୁଭେଚ୍ଛୁ ବନ୍ଧୁ ପ୍ରସ୍ତାବ ବାଢ଼ିଲେ ଦ୍ଵିତୀୟ ବିବାହ କରିବା ନିମନ୍ତେ। ବୀରବର ବାବୁ ପ୍ରଥମରୁ ଥିଲେ ଅମଙ୍ଗ ମାତ୍ର ସନ୍ତାନସନ୍ତତିଙ୍କ ତାଙ୍କ ପ୍ରତି ଥିବା ବିତୃଷ୍ଣା ଏବଂ ହତାଦର ଭାବକୁ ନେଇ ସେ ଥିଲେ ବ୍ଯଥିତ। ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସହ ନିଜର ବିରହୀ ଜୀବନରେ ସୁଖ ଦୁଃଖର ସାଥି ହେବା ପାଇଁ ପୁନର୍ବାର ବିବାହ କରିବା ନିମନ୍ତେ ପ୍ରୌଢ଼ ବୟସରେ ମନ ବଳାଇଲେ ବୀରବର ବାବୁ।

ଅଗତ୍ୟା ନିଜର ହିତ ସୁରକ୍ଷିତ ରଖିବା ପାଇଁ ସେ ଆବଦ୍ଧ ହେଲେ ବିବାହ ବନ୍ଧନରେ ଦ୍ଵିତୀୟ ଥର ନିମନ୍ତେ ପରିଣତ ବୟସରେ। ଜୀବନସାଥି ସାଜିଲେ ପୁତ୍ରୀ ତୂଲ୍ୟା ବିଗତ ଦିନର ଲାସ୍ୟମୟୀ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା! ପୂର୍ବରୁ ଆଦୌ ବିବାହ କରିନଥିଲେ ସେ। ସତୁରୀ ବର୍ଷର ବରକୁ ଚାଳିଶ ବର୍ଷିୟା କନ୍ୟା। ଲୋକ ଲଜ୍ଜାକୁ ଖାତିର୍ ନକରି ଦୁହେଁ ଦୁହିଁଙ୍କୁ ବରଣ କରିନେଲେ ଏକ ସରଳ ଓ ନିରାଡମ୍ବର ଉତ୍ସବରେ। ସନ୍ତାନସନ୍ତତିଙ୍କ ମୁହଁରେ ତାଲାବନ୍ଦ ହୋଇଯାଇଥିଲା ବୀରବର ବାବୁଙ୍କ ଏହି ଦୁଃସାହସିକ ପଦକ୍ଷେପରେ। କିନ୍ତୁ ସଭିଏଁ ତାଙ୍କୁ ଛିଛାକର କରୁଥିଲେ ତାଙ୍କ ଅଲକ୍ଷ୍ୟରେ। ନାନାଦି କୁତ୍ସାରଟନା କରୁଥିଲେ। ଦେଶ ସାରା ଚର୍ଚ୍ଚାରେ ଥିଲା ଏ ପ୍ରସଙ୍ଗ।

ପରିଣତ ବୟସରେ ପ୍ରେମ ବିଡ଼ମ୍ବନାର କାରଣ ହୋଇଥାଏ! ବିଧାତାର ଚରମ ରସିକତା ଇଏ ! ବିବାହର ପରବର୍ତ୍ତୀ କିଛିଦିନ ବେଶ୍ ହସଖୁସି ରଙ୍ଗରାସରେ କଟିଗଲା। ଅପାର ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ ହେଉଥିଲା। ଜୀବନର ସାୟାହ୍ନ ପୁନଃ ମଧ୍ୟାହ୍ନ ସମ ଅନୁଭୂତ ହେଉଥିଲା ସୁନ୍ଦରୀ ରୂପବତୀ ଭାର୍ଯ୍ୟାର ସାନିଧ୍ୟରେ। ତାଙ୍କର ସମସ୍କନ୍ଧ ବିପତ୍ନୀକ ବନ୍ଧୁମାନେ ଈର୍ଷାରେ ରକ୍ତ ଚାଉଳ ଚୋବାଉଥିଲେ।

କିନ୍ତୁ କିଛି ମାସ ପରେ ପରିସ୍ଥିତି ଓ ରାଜନୈତିକ ପାଣିପାଗରେ ପରିବର୍ତ୍ତନର ଆଭାସ ସ୍ପଷ୍ଟ ପରିଲକ୍ଷିତ ହେବାରେ ଲାଗିଲା। ଲକ୍ଷ୍ମୀପ୍ରିୟାଙ୍କ ମହତ୍ତ୍ୱାକାଂକ୍ଷା ବୀରବର ବାବୁଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନରେ ଘନେଇ ଆଣିଲା କଳା ବାଦଲ। ସମସ୍ତ ବିଷୟରେ ଦ୍ଵିତୀୟ ପତ୍ନୀଙ୍କର ଅଯଥା ହସ୍ତକ୍ଷେପ ଦିନକୁ ଦିନ ଅସ୍ବସ୍ତିକର ଅନୁଭବ ହେଉଥିଲା ତାଙ୍କୁ କିନ୍ତୁ ସେ ଥିଲେ କିଂକର୍ତ୍ତବ୍ଯବିମୁଢ। ଏବେ ଆଉ ଲକ୍ଷ୍ମୀପ୍ରିୟାଙ୍କ ସାନିଧ୍ୟ ରୋଚକ ଅବା ସୁଖକର ନଥିଲା ବରଂ କଣ୍ଟକିତ କ୍ଷମତା ଯୁଦ୍ଧର ଅୟମାରମ୍ଭ ଥିଲା।

            ******************

ଯୁଗେ ଯୁଗେ ଅନେକ ଅସଂଖ୍ଯ ଯୁଦ୍ଧ ଲଢାଯାଇଛି କେବଳ କ୍ଷମତା ହାସଲ କରିବା ପାଇଁ ଆଉ ଆଜି ମଧ୍ୟ ଏଇ ଲଢେଇ ଚାଲିଛି ଏବଂ ଆସନ୍ତା କାଲି ମଧ୍ଯ ଚାଲିବ। କ୍ଷମତା ଦେଖେ ନାହିଁ ପାରିବାରିକ ମୋହ ମାୟା ମମତା ରକ୍ତର ସମ୍ପର୍କ ଓ ଜ୍ଞାତି କୁଟୁମ୍ବ ସମ୍ବନ୍ଧ। ବାରେ ଘାରିଲେ ଏଇ କ୍ଷମତାର ନିଶା ରଙ୍କୁଣା ମଣିଷ ହୋଇଯାଏ ରକ୍ତମୁଖା। ସକଳ ଜାଗତିକ ବନ୍ଧନ ପାଲଟିଯାଏ ପାଣିଫୋଟକା। ଏହା ହିଁ କ୍ଷମତାର ବିଶେଷତ୍ବ! ଇତିହାସ ଏହାର ମୁକସାକ୍ଷୀ।

ବୀରବର ବାବୁଙ୍କ ଅତ୍ଯନ୍ତ ବିଶ୍ବସ୍ତ ସେବକ ଏବଂ ଅଙ୍ଗ ରକ୍ଷକ ଦିବାକର ବେହେରା। ପହିଲିମାନ କରୁଥିବା ସମୟରୁ ତାକୁ ସାଥିରେ ଧରି ବୁଲୁଛନ୍ତି ବୀରବର ବାବୁ। ଚବିଶ ଘଣ୍ଟା ତାଙ୍କ ସହିତ ଛାଇ ପରି ରୁହେ ଦିବାକର। ଅନେକବାର ନିଜକୁ ବିପନ୍ନ କରି ତାଙ୍କର ଜୀବନ ରକ୍ଷା କରିଛି ଦିବାକର।ଯେବେ କୌଣସି ପ୍ରତିଦ୍ୱନ୍ଦୀକୁ ରାସ୍ତାରୁ ହଟାଇବାକୁ ହୁଏ ଦିବାକର ଅତ୍ୟନ୍ତ ସନ୍ତର୍ପଣର ସହ ଏହି କାର୍ଯ୍ୟକୁ ସମ୍ପାଦିତ କରେ। କାହାକୁ ବି କିଛି ପତ୍ତା ମିଳେନାହିଁ ଏହି ସବୁ ଜଘନ୍ଯ କାଣ୍ଡର।

ପ୍ରଥମତଃ ଅରୁଣା ଦେବୀଙ୍କ ବିୟୋଗ ଓ ସନ୍ତାନସନ୍ତତିଙ୍କ ହତାଦର ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ। ଦ୍ବିତୀୟତଃ ଲକ୍ଷ୍ମୀପ୍ରିୟାଙ୍କ କ୍ଷମତା ଲାଳସା ଓ ରାଜନୈତିକ କ୍ଷେତ୍ରରେ ତାଙ୍କର ଦିନକୁ ଦିନ ବୃଦ୍ଧି ପାଉଥିବା ଅବାଞ୍ଛିତ ଅନାବଶ୍ୟକ ହସ୍ତକ୍ଷେପରେ ବ୍ଯତିବ୍ଯସ୍ତ ହୋଇ ପଡୁଥିଲେ ବୀରବର ବାବୁ। ଯେଉଁ ସାହଚର୍ଯ୍ୟ ପାଇଁ ସେ ଲୋକହସାର ଶରବ୍ଯ ହୋଇ ଦ୍ବିତୀୟ ବିବାହ କରିଥିଲେ ତାହା ଫସରଫାଟି ଯାଇଥିଲା ଲକ୍ଷ୍ମୀପ୍ରିୟାଙ୍କ ଲୋଭ ଓ ରୁକ୍ଷ ବ୍ଯବହାର ପାଇଁ। ତାଙ୍କୁ ଲାଗୁଥିଲା ଯେମିତି ସେ ରାଜନୈତିକ ବିରୋଧିଙ୍କର ଷଡଯନ୍ତ୍ରର ଚକ୍ରବ୍ୟୁହରେ ଫସିଯାଇଛନ୍ତି। ଏଇ ଲକ୍ଷ୍ମୀପ୍ରିୟା ଦେବୀ ନୁହେଁ ଦାନବୀ ସାଜି ତାଙ୍କୁ ତଳିତଳାନ୍ତ କରି ତାଙ୍କ ହାତରେ ଥିବା କ୍ଷମତାକୁ ହଡ଼ପ କରିବାକୁ ଟାକି ବସିଛି।

ତାଙ୍କର ମନର ଧାରଣା ଅମୂଳକ ନଥିଲା। କିନ୍ତୁ ଏତେ ଶୀଘ୍ର ଯେ ଏସବୁ ଘଟିଯିବ ଏଇ ପୂର୍ବାଭାଷ ମଧ୍ୟ ନଥିଲା। ବିଧାନସଭା ନିର୍ବାଚନର ଅବ୍ଯବହିତ ପୂର୍ବରୁ ଲକ୍ଷ୍ମୀପ୍ରିୟା ଦେବୀ ବୀରବର ବାବୁଙ୍କୁ ଦଳର ସୁପ୍ରିମୋ ପଦରୁ ଅବ୍ୟାହତି ଦେଇ ନିଜେ ନିଜକୁ ସର୍ବେସର୍ବା ଘୋଷିତ କରିଦେଲେ ଅଚାନକ। ରାଜନୀତିର ପୋଖତ ଖେଳାଳି ବୀରବର ବାବୁ ଟେର୍ ପାଇ ପାରିନଥିଲେ ଏହି ବିଦ୍ରୋହର। ଟିଭି ଚ୍ୟାନେଲରେ ଏହି ଖବର ସେ ଦେଖିଲା ମାତ୍ରେ ଆକାଶରୁ ଖସି ପଡୁଥିବା ପରି ଅନୁଭବ କରୁଥିଲେ। ଦଶନ୍ଧି ଦଶନ୍ଧି ଧରି ଆନୁଗତ୍ୟରେ ବନ୍ଧା ଥିବା ସମର୍ଥକମାନେ ପକ୍ଷ ବଦଳ କରି ତାଙ୍କ ପକ୍ଷ ଚ୍ଛେଦନ କରିଦେଇଥିଲେ।

ତତକ୍ଷଣାତ୍ ଦିବାକରକୁ ଆଦେଶ ହେଲା ଲକ୍ଷ୍ମୀପ୍ରିୟାଙ୍କୁ ରାସ୍ତାରୁ ହଟାଇବାକୁ। ବୀରବର ବାବୁ ଆମୃତ୍ଯୁ ନିଷ୍କଣ୍ଟକ କ୍ଷମତା ଉପଭୋଗ କରିବାକୁ ଆଗ୍ରହୀ। ଏଥିରେ ଯିଏ କେହି ବି ଭାଗ ବସାଇବା ପାଇଁ ଉଦ୍ୟମ କରିବ ତାକୁ ରାସ୍ତାରୁ ହଟାଇବାକୁ ହିଁ ହେବ। ରାତ୍ରିର ଅମା ଅନ୍ଧକାରରେ ଦିବାକର ପ୍ରବେଶ କଲା ଲକ୍ଷ୍ମୀପ୍ରିୟାଙ୍କ ନିଭୃତ ଶୟନକକ୍ଷରେ ତାଙ୍କୁ ଚିରଦିନ ପାଇଁ ବୀରବର ବାବୁଙ୍କ ରାସ୍ତାରୁ ହଟାଇଦେବା ପାଇଁ। ଅନ୍ଧକାରରେ ସଂଘଟିତ ଘଟଣା ଦୁର୍ଘଟଣା ଦୁନିଆକୁ ଆଗୋଚର!

ପରଦିନର ସକାଳୁ ସକାଳୁ ବୀରବର ବଳବନ୍ତରାୟଙ୍କ ଆକସ୍ମିକ ମୃତ୍ୟୁର ଖବର ଥିଲା ରାଜ୍ୟ ଓ ଜାତୀୟ ସ୍ତରରେ ଆଲୋଚନାର ମୁଖ୍ୟ ବିଷୟ। ଆମୃତ୍ଯୁ କ୍ଷମତାକୁ ହସ୍ତମୁଦି ମାହାଲ କରିବାକୁ ଚେଷ୍ଟିତ ବୀରବର ବାବୁ ଶୋଇଯାଇଥିଲେ ଚିରନିଦ୍ରାରେ ଏବଂ ତାଙ୍କ ଶବଧାର ପାର୍ଶ୍ବରେ ବିରହବିଧୁରା ଲକ୍ଷ୍ମୀପ୍ରିୟା ଦେବୀ କ୍ରନ୍ଦନରତା ଥିଲେ କିନ୍ତୁ ମୁଖ ମଣ୍ଡଳରେ ବିଷାଦର ଲେଶମାତ୍ର ଚିହ୍ନ ବର୍ଣ୍ଣ ପରିଲକ୍ଷିତ ହେଉନଥିଲା।


Rate this content
Log in

Similar oriya story from Inspirational