କରୋନା ଛାଟ
କରୋନା ଛାଟ
ଜଲଦି ଜଲଦି ସାଇକେଲର ପେଡାଲ ମାରି ଆଗକୁ ବଢୁଥିଲା ବାବୁଲି।ଆଉରି ଦୁଇ କିଲୋମିଟର ରାସ୍ତା ବାକି ଅଛି।ସାତଟା ସୁଦ୍ଧା ସେଇ ଛୋଟ ଗୁମୁଟି ଭଳି ଦୋକାନରେ ପହଞ୍ଚିବାକୁ ପଡିବ।ସକାଳୁ ସକାଳୁ ଅଫିସ ଯିବା ଲୋକେ ନହେଲେ ସ୍କୁଲ କଲେଜରେ ପଢୁଥିବା ପିଲାମାନେ ଭିଡ ଜମାଇ ଦିଅନ୍ତି ତାରି ଛୋଟିଆ ଦୋକାନ ଚାରିପାଖେ।
ଏଇ ଗତବର୍ଷ ପର୍ଯ୍ୟନ୍ତ ବାପା ସନାତନ ସାଙ୍ଗରେ କେବେ କେବେ ଖୁସିରେ ଚାଲିଆସୁଥିଲା ସେଠିକି।ପାଠ ପଢୁଆ ପିଲାମାନଙ୍କୁ ଦେଖି ତାକୁ ଭାରି ଭଲ ଲାଗୁଥିଲା।ଭଳିକି ଭଳି ସ୍କୁଲ ଡ୍ରେସ,ସ୍କୁଲ ବ୍ୟାଗ ଦେଖି ସେ ମୁଗ୍ଧ ହେଉଥିଲା।ସେ ବି ତ ତାଙ୍କରି ବୟସର ପିଲାଟିଏ ଥିଲା ।ପାଖ ସହରତଳି ବସ୍ତି ପାଖରେ ଥିବା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲା ବାବୁଲି।ବେଶୀ ଭଲ ନପଢିଲେ ବି ବେଶୀ ଖରାପ ବି ପଢୁନଥିଲା ସେ।ମନେମନେ ଅସୁମାରୀ ସ୍ବପ୍ନ ଦେଖି ଚାଲିଥିଲା ସେ।ପାଠ ପଢିସାରି ଭଲ ଜାଗାରେ ଚାକିରୀ ଟିଏ କରି ପଇସା ରୋଜଗାର କରି ବାପାଙ୍କ କାନ୍ଧର ବୋଝ ହାଲକା କରିବାର ସ୍ବପ୍ନ ସବୁ ସମୟରେ ରହିରହିକି ତାକୁ ଚେତାଇ ଦେଉଥିଲା।
ବାପା ସନାତନ ବାରଣ କଲେ ମଧ୍ୟ ସେ ଗରାଖ ମାନଙ୍କୁ ଇଡଲି ଘୁଗନିର ପ୍ଲେଟ ବଢାଇ ଦେଉଥିଲା,ଚା କପ ଗୁଡିକ ଗୋଟିଏ ବଡ ପ୍ଲେଟ ଉପରେ ସଜାଇ ଜଣକ ପରେ ଜଣଙ୍କ ହାତକୁ ବଢାଇ ଦେଉଥିଲା ।କଲେଜର ଦିଦି ମାନେ କେବେ କେବେ ତାର ମଥାକୁ ସାଉଁଳେଇ ଦେଉଥିଲେ।ସମବୟସର ପିଲାମାନେ ସ୍କୁଲ ଯିବା ସମୟରେ ତା ପାଇଁ କେବେ କେମିତି ଚକଲେଟ ଟିଏ ଅଥବା ଗପବହିଟିଏ ଆଣି ଦେଉଥିଲେ।ଯିବା ଆସିବା ଓ ଜଳଖିଆ ଖାଇବା ଭିତରେ ଗଢି ଉଠିଥିଲା ଏଇ ସମ୍ପର୍କ ସେମାନଙ୍କ ଭିତରେ।
ଫେବୃୟାରୀ ମାସରେ କିଛି କିଛି ସ୍କୁଲର ବାର୍ଷିକ ପରୀକ୍ଷା ଆରମ୍ଭ ହୋଇସାରିଥାଏ।ପୃଥିବୀର ବିଭିନ୍ନ ଦେଶରେ କରୋନା ଭୂତାଣୁର ପ୍ରକୋପ ବଢିବା ବିଷୟରେ ଖବରର ପ୍ରଚାର ଓ ପ୍ରସାର ହେଉଥାଏ।
ସମସ୍ତଙ୍କ ଅଗୋଚରରେ ଏଇ ଭୂତାଣୁ ବାବୁଲିର ବାପା ସନାତନକୁ ଯେ ଆକ୍ରମଣ କଲାଣି ତା'ର ଟେର କେହି ପାଇନଥିଲେ।ସେଦିନ ଦୋକାନ ବନ୍ଦ କରିବା ସମୟରେ ଜରୁଆ ଜରୁଆ ଲାଗୁଥାଏ।ତଣ୍ଟିଟା ଟିକେ ଦରଜ ଲାଗୁଥାଏ।ଲାଗୁଥାଏ ଘରେ ପହଞ୍ଚିକି ଟିକେ ଅଦା ଗୋଲମରିଚ ଦିଆ ଚା ପିଇଦେଲେ ମଜରା କଟିଯିବ।ସେଇ ଖରାରେ ଘରେ ପହଞ୍ଚିବାକୁ ଅଧଘଣ୍ଟା ଜାଗାରେ ଘଣ୍ଟାଏ ପାଖାପାଖି ଲାଗିଗଲା।କୌଣସିମତେ ହାତଗୋଡ ଧୋଇ ପିଣ୍ଡାରେ ପଡିଥିବା ସଉପ ଖଣ୍ଡିକରେ ଗଡି ପଡିଲା।ସେଇ ଯେ ଶୋଇଲା ଆଉ ଉଠିଲାନି।
ମା' ର ବୁକୁଫଟା କାନ୍ଦଣା ଶୁଣି ଘରଭିତରୁ ବାହାରକୁ ଦୌଡି ଆସିଲେ ବାବୁଲି ଓ ପଞ୍ଚମରେ ପଢୁଥିବା ସାନଭଉଣୀ ବିନି।ସବୁକିଛି ଶେଷ ହୋଇଯାଇଥିଲା।ପିଲା ଦୁଇଟି ବାପଛେଉଣ୍ଡ ହୋଇଗଲେ।
କରୋନାରେ ଲକଡାଉନ ଯୋଗୁଁ ବହୁ ଆର୍ଥିକ ଅନାଟନରେ ପଡିଲେ ଏଇ ପରିବାର।ବନ୍ଧୁବାନ୍ଧବଙ୍କ ଆର୍ଥିକ ସହାୟତାରେ କିଛିଦିନ ଚଳିଲା ଘର।ଲକଡାଉନ ଶେଷ ହୋଇ ଆସୁଥାଏ।
ପରିବାରର ବୋଝ ହଠାତ୍ ଅଷ୍ଟମ ଶ୍ରେଣୀ ପାସ କରି ନବମକୁ ଉଠିଥିବା ସେଇ କିଶୋର ବାବୁଲି ଉପରେ ପଡିଲା।ବାପାଙ୍କ ପାଇଁ ଦେଖିଥିବା ସ୍ବପ୍ନ ସ୍ବପ୍ନରେ ରହିଗଲା।କିନ୍ତୁ ବାପର କର୍ତ୍ତବ୍ୟର ଭାର ନିଜ ଉପରେ ଉଠାଇ ପରିବାର ଚଳାଇବାକୁ ଅଣ୍ଟା ଭିଡିଲା ପନ୍ଦର ବର୍ଷର ବାବୁଲି।ମା' ହାତ ତିଆରି ଇଡଲି,ମଟର ତରକାରୀ ବଡ ବଡ ଡବାରେ ଭରି ସାଇକେଲରେ ଲଦି ଫି ଦିନ ସେଇ ଜାଗାରେ ପହଞ୍ଚି ଯାଉଥିଲା।
ଆଗଭଳି ଦୋକାନ ଚାରିପଟେ ମନଖୁସିରେ ବୁଲୁନଥିଲା ସେ ବା ସମବୟସ୍କଙ୍କ ସାଙ୍ଗରେ କଥା ହେଉନଥିଲା ସେ।ଚଟାପଟ ନିଜର କାମ ସାରି ଘରକୁ ଫେରି ସ୍କୁଲକୁ ଯିବାଥିଲା ତାର ଲକ୍ଷ୍ୟ।ସେଇବାଟେ ଯାଉଯାଉ ଜଣେ ସାମ୍ବାଦିକ ତାକୁ ପଚାରିଲେ......ଆରେ ପୁଅ ତୁ ଏଇ ବୟସରେ ଏକାମ କାହିଁକି କରୁଛୁ?ତୋର ତ ପଢିବା ଖେଳିବା ବୟସ ଏଇଟା।
ଧୀର ସ୍ବରରେ ଉତ୍ତର ଦେଇଥିଲା ବାବୁଲି....ଆଜ୍ଞା,ବାପା ଚାଲିଗଲା ପରେ ମା ଓ ଭଉଣୀଙ୍କ ଭରଣ ପୋଷଣ କରିବା ମୋର ଦାୟିତ୍ବ।ଭିକ ନମାଗି,ଚୋରି ନକରି ମୁଁ ପରିଶ୍ରମ କରି ଉପାର୍ଜନ କରିବାକୁ ଚାହେଁ।ଏଥିରେ ମତେ ଖୁସି ମିଳୁଛି।ମତେ ଲାଗୁଛି ବାପା ମଧ୍ୟ ସ୍ବର୍ଗରେ ରହି ମତେ ଆଶୀର୍ବାଦ କରୁଥିବେ।
ବାବୁଲିର କଥା ଶୁଣି ପାଖରେ ଉପସ୍ଥିତ ଥିବା ସମସ୍ତ ଗରାଖ ଖୁସିରେ ତା ପିଠି ଥାପୁଡାଇ ଦେଉଥିଲେ।