କରମା ମାଉସୀ
କରମା ମାଉସୀ
କରୋନା କାଳ ର ହାହାକାର । ଲୋକଙ୍କର ଭୟ ରୋଗର ପ୍ରକୋପଠାରୁ ଢେର ଅଧିକା ରୋଗୀ ଉପରେ ...। ଅନେକ ଅବସାନର ଅନ୍ତଘଟାଇ ପରିଶେଷରେ ସେ ଏବେ ଆମ ଦୁଆରମୁହଁରେ ସାଜିଛି ଅଡାକରାରେ ମଧୁପାତ୍ର । ଆସିଛି ଯେତେବେଳେ ସେ ତ ଖେଳ କରିବ ନିଶ୍ଚୟକିନ୍ତୁ କେତେକ ଅଶିକ୍ଷିତ ଓ ଅସଭ୍ୟ ଲୋକଙ୍କ ଅସଚେତନତା ରେ ଏହି ଖେଳଟି ସାଜିଛି କାଳ । ବାଉଣ୍ଡାରୀ ପଡିଆ ଉପରେ ଗଡି ସ୍ଥିର ହୋଇଥିବା ଚଉକା ବି ଅଦେଖାରେ ସୁନିଶ୍ଚିତ ହୋଇ ଷ୍ଟାଡିୟମ୍ ବାହାରକୁ ଉଡିଯାଇ ପାଲଟିଯାଏ ଛକା । ଏଥିପାଇଁ ଦର୍ଶକଙ୍କ କସରତଠୁ ଢେର କରମା ମାଉସୀ ଭଳି କେତେକ ଅତିରଞ୍ଜିତକାରୀ କମେଣ୍ଟ୍ରିକାର ମାନଙ୍କର , ଯାହାଙ୍କର ଅନୁପସ୍ଥିତିରେ ଦର୍ଶକଙ୍କର ଉତ୍ସାହ ଏକପ୍ରକାର ଅବଦମିତ ହେବା ଥୟ ।
......କଥାଟି ଏହି ପ୍ରକାର !! ଦିନେ ସକାଳୁ ସକାଳୁ ଯଥାରୀତି ନିତ୍ୟକର୍ମ ସାରି ଅବିଳମ୍ବେ ପାଇଁ ପ୍ରସ୍ତୁତ ହୁଅନ୍ତେ ମୋ ନାଁ ଟିକୁ ଅତି ଉଚ୍ଚସ୍ୱରରେ ଉଚ୍ଚାରଣପୂର୍ବକ ଆସି ଘରେ ପ୍ରବେଶକରି ସ୍ୱଇଚ୍ଚାପୂର୍ବକ ଆସନ ବି ଗ୍ରହଣ କରିସାରିଲେଣି ଆଜିର ଗଳ୍ପର ମୁଖ୍ୟ ନାୟିକା :ପଡୋଶୀ କରମା ମାଉସୀ ।ଭଲମନ୍ଦ କଥା ବୁଝୁ ବୁଝୁ ମୋ ମାଆକୁ ସେ କହିଲା '' ଆଲୋ ଏ କିଟୁବୋଉ !! ସେ ରାଉତ ପୁଅ କିଆଁ ଆଉ କ୍ଷୀର ଦେଇଯାଉନାହିଁ କି ଲୋ ?????କାଲି ସଞ୍ଜ ବେଳେ ବି ଦେଲାନାଇଁ ।ଏଇ ଓଳି ବି କାଇଁ ଦରଶନ ନାଇଁ ।କ୍ଷୀର ଦଉନି ତ ବଡଦିଅଁ ପାଦକ ସତେ!!! , ଶାଶୁ ପାଣି କି ବୋହୁ ପାଣି !!!ଆ ଲୋ କି ଗୋରସ ଦଉଛି ଦଇବକୁ ଜଣା ବେଳ ଦି ଘଡି ନିଆଁ ଧରିଲେ ବି କାଣିଚାଏ ସର ବକଟେ ଧରୁନି ସେ। କହିଲେ ଏକାଧରେ ବାପ ପୁଅ ଦିଇଟାଯାକ ଚଡିଢିବେ। :::ଛାଡ ଲୋ ମା !!ଆମର କଣ ଯାଏ କି ଆସେ ।ଯିଏ ତ କହିବା ଲୋକ ସେ,
..କରମା ମାଉସୀଙ୍କର ସୁପରଫାଷ୍ଟ ବାରବାଟୀ ଏକ୍ସପ୍ରେସ କୁ ନାଲିବତୀ ଦେଖାଇ କହିଲି '' ଆରେ ମାଉସୀ କଥା କଣ ଜାଣିଲ କି ,କାଲି ଖୁବ୍ ଡେରି ହେବାରୁ ମୁଁ ନିଜେ ଯାଇଥିଲି ରାଉତଘରକୁ କ୍ଷୀର ନେଇ ଆସିବାକୁ । ଯାହାବୁଝିଲି ରାଉତ ମାଆ ପୁଅ ଦୁହିଁଙ୍କୁ ଜ୍ୱର ଏଣୁ ସେ କ୍ଷୀର ଦେଇ ଆସିପାରିଲାନି । ମୁଁ ବି ତାକୁ ସଫା ସଫା କହିଦେଇ ଆସିଲି ଏଇନେ ଯାହା ପରିସ୍ଥିତି ଘର ଘର ଦୁଆର ଦୁଆର ବୁଲିଲେ ଲୋକ କଣ ନାଇଁ କଣ ସବୁ ଭାବିନେବେ ଏଣୁ ଭଲ ହେବ କିଛି ଦିନ ବନ୍ଦ କରିଦବାଟା । ତା'ଛଡା ଆମେ ବି ସତର୍କ ରହିଲେ ଗଲା ନା କଣ ମାଉସୀ କହୁନ?
ମୋ କଥାର ଆକାର ସହ କରମା ମାଉସୀଙ୍କ ଆଖିଡୋଳା ଯୋଡିକର ପରିଧି ବି ଧିରେ ଧିରେ ବଡ ହେବାକୁ ବସିଥିଲା । ହଠାତ୍ ଚମକିପଡି କହିଲେ '' ଠିକ୍ ଠିକ୍ । ।। ଚାବାସ୍ କଥା ନା !! ବେଳକୁ ଦେଖି ଖେଳ ନା
......ସଂଧ୍ୟାବେଳେ ଅଫିସ୍ ରୁ ଫେରି ମୁଁ ଛାତ ଉପରେ ବସି ଅଫିସ ର କେତେଟା କାଗଜପତ୍ର ସଜାଡୁଥାଏ । ହଠାତ୍ ପଡୋଶୀ ମହାନ୍ତି ବାବୁ ମୋତେ ଦେଖି ଅଳ୍ପ ହସିଦେଇ କହିଲେ ''ବାବୁ ତୁ ଜାଣିଲୁଣି ସେ କ୍ଷୀର ସୋସାଇଟିବାଲା ରାଉତ ଘର ଆଠ ଜଣ ପ୍ରାଣୀ ପରା କରୋନା ରୋଗୀ ।
ମୁଁ କାଗଜଗୁଡାକ ଉପରୁ ଆଖି ଫେରେଇ ମହାନ୍ତି ବାବୁଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲି '' ସତରେ ନା କଣ?? କାଲି ଦୁଇ ପ୍ରାଣିଙ୍କୁ ଅଳ୍ପ ଜ୍ୱର ଥିଲା ।ହେଲେ ଆଠ ଜଣ? କେମିତି ଏମିତି !!
ମହାନ୍ତି ବାବୁ ଦୃଢ ନିଶ୍ଚିତ ପରି କହିଲେ '' ହଁ ପରା ।। ସେଇଲାଗି ତ କାଲି ତା ପୁଅ ଆଉ କ୍ଷୀର ଦେଇ ବି ଆସିନି । ଭାଗ୍ୟ ଭଲ ମୁଁ ତା ଘର ଆଡେ ପ୍ରାୟ ଛଅ କି ଆଠ ଦିନ ହେଲା ଯାଇନି ଆଉ ସହଜେ ତେଆମେ କ୍ଷୀର ହିଁ ଆଣୁନାହୁଁ ।
ମହାନ୍ତି ବାବୁଙ୍କ କଥା ଶୁଣି ମୋ ମନରେ ଛନକା ପଶିଗଲା ।''ହେ ପ୍ରଭୁ କ ଣ ଯେ ହେବ ଏଇନେ???ମୁଁ ତ ଗଲା କାଲି ତା ଘରଆଡେ ହେଇ ଆସିଥିଲି ।। ଏତେ ଶିଘ୍ର ଆଠ ଜଣ ଏମିତି ଆକ୍ରାନ୍ତ ହୋଇଯିବେ ବୋଲି କାହାକୁ ଜଣାଥିଲା ।
,,,,,,ରାତି ପ୍ରାୟ ଆଠଟା ପରେ ହେବ ।ଆମେ ସବୁ ଘରେ ବସିଥାଉ । ହଠାତ୍ ରାଉତ ମଉସା ରାଗ ତମ ତମ ହୋଇ ଆସି ଆମ ବାରଣ୍ଡା ଦୁଆର ମୁହଁରେ ମୋ ନାଁ ଧରି ହୋ ହାଲ୍ଲା କରି ପାଟି ତୁଣ୍ଡ କରିବା ଆରମ୍ଭ କରିଦେଲେଣି । ପାଟିତୁଣ୍ଡ ଶୁଣି ମୁଁ ଦାଣ୍ଡ ଆଡେ ଦୌଡି ଚାଲିଲି । ପଛେ ପଛେ ମୋ ମାଆ ବି ଘଟଣା କଣ ଜାଣିବା ପାଇଁ ମୋ ପଛେ ପଛେ ଆସି ବାରଣ୍ଡା ରେ ହାଜର।
,,,''''କିହୋ ଆମେ କଣ କରୋନା ରୋଗୀ ? ଆ ହେ ତମେ ପରା ନିଜେ କାଲି ଆସି କହିଦେଇଗଲ ଜ୍ୱର ଅଛି ଯଦି ଏଇନେ କିଛି ଦିନ କ୍ଷୀର ଦେବା ବନ୍ଦ କରିଦେ ବୋଲି । ପୁଣି ଏଣେ କଲୋନୀ ସାରା ଲୋକଙ୍କୁ ବତେଇଛ କଣ ନା ରାଉତ ଘର ସବଂଶ କରୋନା ରୋଗୀ । ତମେ କଣ ଦେଖିଥିଲ କି ?କହୁନା ?ହାଁ ! ଶଳା ମୋର ବେପାର ତ ଖାଇଲ ଯାହା ।ଉପରେ କରୋନା ରୋଗି ବୋଲି ନା ପରିବା ବାଲା ନା ରାସନ ବାଲା କେହି କିଛି ଦବା ଦୁରକଥା ଲୋକ କଲୋନୀ ରେ ପାଖ ମାଡୁ ନାହାନ୍ତି ତ। ହାଁ !!!! କହୁନ କୁହ? ଇତ୍ୟାଦି ଇତ୍ୟାଦି । ଲୋକ ବି ଧିରେ ଧିରେ ଜମିବା ଆରମ୍ଭ ହେଲାଣି
ଓହୋ କଥାଟି ତାହେଲେ ଏଇଠି । ମୁଁ ଠିକ୍ ଭାବରେ ଠଉରେଇନେଲି ଏ ସବୁ ବାସ୍ ସେଇ ଗାଁ ଘଣ୍ଟ କରମା ମାଉସୀ ର ହିଁ କାଣ୍ଡ କାରନାମା । ଘଟଣାର ସତ୍ୟାସତ୍ୟ ପରଖିବା ପାଇଁ ମାଆ କୁ ନେଇ ଅବିଳମ୍ବେ ମୁଁ ତା ଘରେ ହାଜର । କଲୋନୀ ଭିତର ର ପାଟିତୁଣ୍ଡ ସହ ସେ ପ୍ରାୟ ପରିଚିତ ଏମିତିକି ସେଇ ପାଟିତୁଣ୍ଡର ମୂଳ ରେ ବି ବେଳେ ବେଳେ ସେ ଥାଏ । ଆଜିର ଯେମିତି ସେ କର୍ତ୍ତା। ମୋତେ ଦେଖି ସେ ପ୍ରାୟ ମୋର ଆସିବାର ଅଭିପ୍ରାୟ ଜାଣିସାରିଥିଲା । ମୁଁ କିଛି ପଚାରିବା ଆଗରୁ ସେ ଆଖି ଓଲଟେଇ ଅଧା ଛେପ ଢୋକି ଧିର ଗଳା ରେ କହିଲା '' ବାପରେ ମୁଁ ତ ବାଲୁରି ଲୋକ । ସେ ଜେନା ଘର ନାନୀ ପଚାରିଲା ବୋଲି ମୁଁ ଯାହା ହାଲକେଇକି କହିଦେଇଥିଲି ଯେ ରାଉତଘର ମାଆ ପୁଅ କାଳେ କରୋନା ରୋଗୀ ହେଇଥିବେ ବୋଲି । ହେଲେ ସେ ଅସରି ଏମିତି ଘଣ୍ଟ ପିଟି ପିଟି ଦୁଇରୁ ଆଠ କରିଦେବ ବୋଲି କଣ ମୁଁ ଜାଣିଥିଲି ।।।??। ଆରେ ଆରେ କଥା ତାହେଲେ ଏଇ ପ୍ରକାର ସାମାନ୍ୟ ଜ୍ୱରକୁ କରମା ମାଉସୀ କରୋନା ସଜେଇ ଥୋଇଦେଲା ଜେନା ନାନୀ ଘରେ ,,,,ଆଉ ତୁଣ୍ଡ ବାଇଦ ସହସ୍ର କୋଶ ପରି ,,,, ଜେନାଘରୁ ନାୟକ ଘର,,,,, ନାୟକଘରୁ ବିଶୋୟୀଘର,,,,,,,,ବିଶୋୟୀ ଘରୁ ମହାନ୍ତି ,,,,ଆଉ ଏବେ ପୁରା କଲୋନୀ ସାରା । ଧନ୍ୟ ।।।।
କୁତ୍ସିତ ଓ ଅନାବଶ୍ୟକୀୟ ସାମ୍ବାଦିକତାର କରୁଣ ପରିଣତି ରାଉତଘର ଏବେ ବେପାର ଛେଉଣ୍ଡ , ଅଛୁଆଁ , କରୋନା ଆକ୍ରାନ୍ତ।
ଆମ ସମାଜର ଅବସ୍ଥା ବି ଆଜି ସେଇଆ । ସଶ୍ତା ମାନସିକତା ଘେନି କରମା ମାଉସୀ ଭଳି ଲୋକଙ୍କର ବଦାନ୍ୟତାରେ ଏକ ବ୍ୟକ୍ତିଗତ ପାରିବାରିକ , ଆନୁଷ୍ଠାନିକ , ସାମାଜିକ ସର୍ବୋପରି ଦେଶ ଦେଶ ଭିତରେ ଥିବା ଶାନ୍ତି କ୍ଷୁର୍ଣ୍ଣ ହୁଏ । ଏସବୁ ପାଇଁ କରୋମା ମାଉସୀ ଯେତିକି ଦାୟୀ , ଘଟଣାର ସତ୍ୟାସତ୍ୟ ନ ଜାଣି ତାକୁ ବିଭିଷିକା ରେ ପରିବର୍ତ୍ତନ କରିବାରେ ତୁମ ଆମ ଭଳି କଲୋନୀରେ ରହୁଥିବା ଓ ଏଭଳି ହୀନମାନସିକତାକୁ ପ୍ରସୟ ଦେଉଥିବା ସବୁ ପରିବାର ଦାୟୀ କାରଣ ଏଇମାନେ ତିଳକୁ ତାଳ ନୁହଁ ବରଂ ବୋଇତାଳୁ ସଜେଇ ଦିଅନ୍ତି। ଯାହାର ଫଳ ଭୋଗନ୍ତି ରାଉତ ପରିବାର ର ସଦସ୍ୟ। କୌଣସି କଥାକୁ ପ୍ରଘଟ କରିବା ପୂର୍ବରୁ ଆମକୁ ଦୁଇଥର ଚିନ୍ତା କରିବା ଉଚିତ୍, ନତୁବା ସମାଜରେ ପାଦେ ପାଦେ ଏଭଳି କରମା ମାଉସୀଙ୍କର ଅଭାବ ନାହିଁ ଯେଉଁମାନେ ଆପଣଙ୍କୁ ଏକଘରିକିଆ କରିଦେବେ ।