କୋଳି ବିକାଳି ମଉସା
କୋଳି ବିକାଳି ମଉସା


ସରୋଜ ଏକ ସତର ଅଠର ବର୍ଷର ପିଲାଟିଏ। କୁଶଳେଶ୍ୱର କଲେଜରେ +୨ ୨ୟ ବର୍ଷରେ ପଢେ। ତା ବାପା ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ଯବସାୟୀ। ସରୋଜ ତା ବାପା ମାଙ୍କର ଏକମାତ୍ର ପୁଅ। ଘରେତ ଧନ ସମ୍ପତି ଓ ଟଙ୍କା ପଇସାର ଅଭାବ ନାହିଁ, ତେଣୁ ସରୋଜର ସବୁ ଇଛା ସେ ପ୍ରକାଶ କରିବା ପୂର୍ବରୁ ତା ବାପା ପୁରଣ କରିଦିଅନ୍ତି। ତେଣୁ ଅଭାବ କଣ ତାହା ସରୋଜ କେବେ ଅନୁଭବ କରିନି। ଟଙ୍କାର ପ୍ରାଚୁର୍ଜ୍ଯ ମଧ୍ଯରେ ଟଙ୍କାର ପ୍ରକୃତ ମୂଲ୍ଯ ସିଏ କେବେବି ବୁଝିନି । ଟଙ୍କା ବଦଳରେ ଦୁନିଆର ସବୁ ଜିନିଷ ମିଳିପାରିବ ବୋଲି ତାର ଧାରଣା। ସବୁଦିନ ସେ ନିଜ ବାଇକ ଧରି କଲେଜ ଯାଏ। ଦିନେ କଲେଜରୁ ଘରକୁ ଫେରିବା ବାଟରେ ସରୋଜ ଦେଖିଲା ରାସ୍ତା କଡରେ ଜଣେ ମଉସା ବରକୋଳି ବିକୁଛନ୍ତି। ସରୋଜର ତ ବରକୋଳି ବହୁତ ପ୍ରିୟ, ତେଣୁ ବାଇକ ଅଟକାଇ ପଚାରିଲା ମଉସା କୋଳି କୁଢ କେତେଟଙ୍କା? ମଉସା ଉତ୍ତର ଦେଲେ ଦଶଟଙ୍କା। ସରୋଜ କହିଲା ହଉ ଠିକ୍ ଅଛି ଗୋଟିଏ କୁଢ ଦିଅ। ମଉସା ଏକ କାଗଜର ଠୁଙ୍ଗାରେ କୋଳିକୁ ପୁରାଇ ସରୋଜକୁ ବଢାଇଦେଲେ। ସରୋଜ ପଚାରିଲା ମଉସା ପଲିଥିନ୍ ନାହିଁ କି? ମଉସା ଉତ୍ତର ଦେଲେ ପୁଅ ପଲିଥିନ୍ ପରା ସରକାର ବନ୍ଦ କରିଦେଇଛନ୍ତି। ତା'ର ବ୍ଯବହାର ଫଳରେ ଆମ ପରିବେଶ ବହୁମାତ୍ରାରେ ପ୍ରଦୁଷିତ ହେଉଛି। ତୁ ପରା ପୁଅ କଲେଜ ରେ ପଢୁଛୁ, ତୁ କଣ ଏବିଷୟରେ ଜାଣିନୁ? ସରୋଜ ଉତ୍ତର ଦେଲା ଜାଣିଛି ମଉସା କିନ୍ତୁ ସରକାରଙ୍କର ନିୟମକୁ ମାନୁଛି କିଏ? ସବୁ ଦୋକାନି ଓ ଲୋକମାନେ ତ ଏବେବି ପଲିଥିନ୍ ବ୍ଯବହାର କରୁଛନ୍ତି।ମଉସା କହିଲେ ହଁ ବ୍ଯବହାର କରୁଛନ୍ତି କାରଣ ଲୋକମାନଙ୍କ ଭିତରେ ସଚ୍ଚେତନତାର ଅଭାବ ଅଛି। ଆରେ ତୁମେ ସବୁ ପଢୁଆ ପିଲା ତୁମେ ଲୋକଙ୍କୁ ଏବିଷୟରେ ସଚେତନ କରିବା କଥା। ଏତିକି ଶୁଣି ସରୋଜକୁ ଟିକିଏ ଖରାପ ଲାଗିଲା, ତେଣୁ ସେ ମଉସାଙ୍କ ହାତକୁ ଗୋଟିଏ ଶହେ ଟଙ୍କିଆ ନୋଟ ଦେଇ କହିଲା ପଇସା ରଖ ମୋର ବିଳମ୍ବ ହେଲାଣି। ଶହେଟଙ୍କିଆ ନୋଟ ଟନ ଧରି ମଉସା କହିଲେ ମୁଁ ତ ଏଯାଏଁ ଟଙ୍କାଟିଏ ବି ବିକିନି ତତେ ବାକି ପଇସା ଫେରେଇବି କିପରି? ଏହି ସବୁ ଭିତରେ ସରୋଜ ଲକ୍ଷକଲା ଯେ କୋଳି ବିକାଳି ମଉସାଙ୍କର ଗୋଟିଏ ହାତ ନାହିଁ। ତେଣୁ ସରୋଜ କହିଲା ଯଦି ପଇସା ଫେରେଇବାକୁ ଆପଣଙ୍କ ପାଖରେ ପଇସା ନାହିଁ ତାହେଲେ ଆପଣ
ସେ ଶହେ ଟଙ୍କା ରଖିଦିଅନ୍ତୁ। ଏତିକି କଥା ଶୁଣିବା ପରେ ମଉସା ବହୁତ ଜୋରରେ ରାଗିଗଲେ, ମଉସାଙ୍କ ମୁଁହଁ ରାଗରେ ଲାଲ୍ ପଡିଗଲା କିନ୍ତୁ ମଉସା ନିଜର ରଗକୁ ନିୟନ୍ତ୍ରଣ କରି ହସହସ ମୁଁହଁରେ କହିଲେ ତୁ କଣ ମୋ ହାତ ନଥିବା ଦେଖି ମୋ ଉପରେ ଦୟା କରୁଛୁ? ମୋର କାହା ଦୟା ଦରକାର ନାହିଁ, ସେଥିପାଇଁତ କୌଣସି ମନ୍ଦିର ସମ୍ନାରେ ଭିକ ନମାଗି କୋଳି, କମଳା କଇଥ ବିକୁଛି। ମୋର ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ପୁଅ ଭାରତୀୟ ସେନାରେ ଅଛି ଆଉ ଝିଅ ଶିକ୍ଷୟିତ୍ରୀ। କିନ୍ତୁ ମୁଁ କେତେବେଳେ ବି ସେମାନଙ୍କୁ ଗୋଟିଏବି ଟଙ୍କା ମାଗିନି। ମୋ ରୋଜଗାରରେ ଆମେ ବୁଢାବୁଢି ଆରାମରେ ଚଳିଯାଉଛୁ। ଅବଶ୍ଯ ସେମାନେ ଚାହୁଁଛନ୍ତି କି ମୋର ବୟସ ହେଲାଣି ତେଣୁ ମୁଁ ଘରେ ବସି ସେମାନଙ୍କ ରୋଜଗାରରେ ଚଳେ କିନ୍ତୁ ଅନ୍ଯ କାହା ଉପରେ ନିର୍ଭର କରି କିମ୍ବା କାହାର ଦୟାର ପାତ୍ର ହୋଇ ଆରାମ୍ ର ଜୀବନ ବଞ୍ଚିବା ଅପେକ୍ଷା ନିଜ ରୋଜଗାରରେ କଷ୍ଟ ହଉ ପଛେ ସ୍ୱାଭିମାନର ସହ ବଞ୍ଚିବାକୁ ମୁଁ ଅଧିକ ପସନ୍ଦ କରେ। ତେଣୁ ମୋ ହାତଗୋଡ ପାରୁଥିବା ପର୍ଯ୍ଯନ୍ତ ମୁଁ କାହା ଉପରେ ନିର୍ଭର କରି ବଞ୍ଚିବାକୁ ଚାହୁଁନି କାରଣ ସ୍ୱାଭିମାନ ସହ ବଞ୍ଚିବା ରେ ଯେଉଁ ସୁଖ ଅଛି ତାହା ଅନ୍ଯ କେଉଁଥିରେ ନାହିଁ। ଏତିକି କଥା ଶୁଣିବା ପରେ ସରୋଜର ଆଖି ଲୁହରେ ଛଳଛଳ ହୋଇଯାଇଥାଏ। କାରଣ ତାର ଯେତେ ସବୁ ଭୁଲଧାରଣା ଥିଲା ସବୁ ଦୂର ହେଇଯାଇଥିଲା। ସେ ବୁଝିଯାଇଥିଲା ଯେ ଦୁନିଆରେ ଟଙ୍କା ସବୁକିଛି ନୁହେଁ। ମଣିଷ ଜୀବନରେ ସ୍ୱାଭିମାନର ମୂଲ୍ଯ କେତେ ଅଧିକା ସେ କଥାବି ସେ ବୁଝି ଯାଇଥିଲା। ଶେଷରେ ମଉସାଙ୍କୁ ସରୋଜ କହିଲା ହଉ ମଉସା ଆପଣଙ୍କ ପାଖରେ ଯଦି ପଇସା ନାହିଁ ତାହେଲେ ଆପଣ ବାକି ପଇସାରେ ବି କୋଳି ଦେଇଦିଅନ୍ତୁ। ମଉସାଙ୍କ ଠାରୁ କୋଳି ନେଇ ସରୋଜ ଘରକୁ ଗଲା। ସେଇ ଦିନ ପରଠାରୁ ସରୋଜର ଜୀବନରେ ଆସିଲା ବଡ ପରିବର୍ତ୍ତନ। କିନ୍ତୁ ତାପରେ କେବେବି ସରୋଜ ସେ ମଉସାଙ୍କୁ ଦେଖିବାକୁ ପାଇଲା ନାହିଁ, ବହୁତ ଖୋଜିଲା , ବହୁତ ଲୋକଙ୍କୁବି ମଉସାଙ୍କ ବିଷୟରେ ପଚାରିଲା କିନ୍ତୁ କେହି ବି କିଛି କହିପାରିଲେ ନାହିଁ। ସତେ ଯେମିତି ମଉସା ଥିଲେ ଜଣେ ଦେବଦୂତ ଯିଏ କେବଳ ସରୋଜକୁ ଜୀବନର ମୂଲ୍ଯ ବୁଝାଇବା ପାଇଁ ଆସିଥିଲେ।