Arati Sahoo

Others Inspirational

4  

Arati Sahoo

Others Inspirational

କୋଇଲୀ ଲୋ କେଶବ ଯେ ମଥୁରାକୁ ଗଲା

କୋଇଲୀ ଲୋ କେଶବ ଯେ ମଥୁରାକୁ ଗଲା

8 mins
409



" ମାତଃ , ଭବତୀ ଭିକ୍ଷାଂ ଦେହୀ ।"


ବ୍ରହ୍ମଚାରୀ କୃଷ୍ଣ ଭିକ୍ଷା ଯାଚନାର୍ଥେ ମାତା ଯଶୋଦାଙ୍କ ସମ୍ମୁଖରେ ଦଣ୍ଡାୟମାନ , ଲଣ୍ଡିତ ମସ୍ତକ ଚନ୍ଦନ ଚର୍ଚ୍ଚିତ ଶ୍ରୀଅଙ୍ଗ ନେଇ । ଅପୂର୍ବ ଅଲୌକିକ ମୂଖକାନ୍ତି । ବଙ୍କିମ ଅଧରରେ ଲୀଳାମୟୀ ସ୍ମିତହାସ୍ୟ । ସୁଲଳିତ କଣ୍ଠରେ ଗୁଞ୍ଜାୟମାନ ଭିକ୍ଷା ଯାଚନା ।


 ମଥୁରା ରାଜଭବନର ବିଶାଳ ପ୍ରାଙ୍ଗଣରେ ଅପାର ଜନ ସମାଗମ । ସମ୍ପୂର୍ଣ୍ଣ ଜମ୍ବୁ ଦ୍ଵିପର ବିକ୍ଷାତ ଶାସକଗଣ ଗୋଟିଏ ପାର୍ଶ୍ଵରେ ଉପବିଷ୍ଟ । ଗୋପପୁରର ପ୍ରଜାଜନ ଅନ୍ୟ ଏକ ପାର୍ଶ୍ଵରେ ଉତ୍କଣ୍ଠିତ ହୋଇ ଉପଭୋଗ କରୁଛନ୍ତି ଏ ସ୍ଵର୍ଗୀୟ ସମାରୋହକୁ । ଆଜି ଯେ କୃଷ୍ଣ ବଳରାମଙ୍କ ଉପନୟନ ସଂସ୍କାର ।


 କଂସବଧୋପରାନ୍ତେ ଉଗ୍ରସେନଙ୍କ ରାଜ୍ୟାଭିଷେକ ଉତ୍ତାରୁ ଗୁରୁ ସାନ୍ଦିପନୀ କୃଷ୍ଣ ଓ ବଳରାମଙ୍କୁ ବିଦ୍ୟାଦାନର ଏ ମହାନ୍ ସୌଭାଗ୍ୟ ଲାଭ ନିମନ୍ତେ ବିଶେଷ ଲାଳାୟିତ । ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରିବା ପୂର୍ବରୁ ଉପନୟନ ସଂସ୍କାର ନିତାନ୍ତ ଆବଶ୍ୟକ ।


 ହୋମଯଜ୍ଞ ଓ ନାନାଦି କର୍ମକାଣ୍ଡ ପରେ କୃଷ୍ଣ ଶୁଭେଚ୍ଛୁ ମାନଙ୍କ ନିକଟକୁ ଯାଇ ଭିକ୍ଷାଯାଚନା କରିବା ବିଧେୟ । ସେ ମୂହୁର୍ତ୍ତେ ସ୍ଥିର ହୋଇ ଦୃଷ୍ଟି ପକାଇଲେ ସମ୍ପୂର୍ଣ୍ଣ ସଭାମଣ୍ଡପ ଉପରେ , କିଏ କିଏ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଅଛନ୍ତି । ଉଗ୍ରସେନଙ୍କ ପାର୍ଶ୍ଵସ୍ଥିତ ସୁସଜ୍ଜିତ ମଞ୍ଚକ ମାନଙ୍କରେ ପିତା ବସୁଦେବ ଓ ଗର୍ଭଧାରିଣୀ ମାତା ଦେବକୀ ଉପବିଷ୍ଟ । ଦେବକୀଙ୍କ ଉତ୍ଫୁଲ୍ଲିତ ମୂଖମଣ୍ଡଳର ଆଭାରେ ଆତ୍ମବଡି଼ମା ଓ ଅଭିମାନ ସ୍ଵତଃ ପ୍ରସ୍ଫୁଟିତ । ସେ ଯେ ଜଗତ୍ ଉଦ୍ଧାରକ , ପାପବିନାଶକ , ଚମତ୍କାରୀ ଶ୍ରୀକୃଷ୍ଣଙ୍କ ଜନନୀ । ସେ ନିଶ୍ଚିନ୍ତ ଆଶାୟୀ ଯେ କୃଷ୍ଣ ସର୍ବ ପ୍ରଥମ ଭିକ୍ଷା ତାଙ୍କ ଠାରୁ ହିଁ ଗ୍ରହଣ କରିବେ ।


 ସାଧାରଣ ପ୍ରଜାଜନଙ୍କ ଗହଣରେ ଚାରୋଟି ଆକୁଳ କାକୁସ୍ଥ ନୟନର ବାତ୍ସଲ୍ୟ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗରେ ସତେକି ଶୀତଳ ଚନ୍ଦନ ଲେପନ କରୁଛି । ରହି ରହି ଦୃଷ୍ଟି ତାଙ୍କର ସେହି ଚାରୋଟି ଆଖି ଉପରେ ନିବଦ୍ଧ ହୋଇ ରହି ଯାଉଛି । ସ୍ଵତଃ ତାଙ୍କର ପଦଯୁଗଳ ଅଗ୍ରସର ହେଉଛି ସାଧାରଣ ଜନତାଙ୍କର ମଣ୍ଡପ ଦିଗକୁ । କିଛି କ୍ଷଣ ଉପରାନ୍ତେ ସେ ନିଜକୁ ଆବିଷ୍କାର କରୁଛନ୍ତି ମମତାମୟୀ ଜନନୀଶ୍ରେଷ୍ଠା ମାତା ଯଶୋଦାଙ୍କ ସମ୍ମୁଖରେ । ଭିକ୍ଷାଥଳୀ ଦେଖାଇ ଅନୁନୟ କରୁଛନ୍ତି ,


" ମାତଃ , ଭବତୀ ଭିକ୍ଷାଂ ଦେହୀ ।"


 ମାତା ଯଶୋଦାଙ୍କ କୃଷ୍ଣପ୍ରେମ ପିପାସୁ ନୟନରୁ ଅଜସ୍ର ଅଶ୍ରୁବାରି ଝରି ପଡୁଛି ଭିକ୍ଷାଥଳୀ ଭିତରେ । ମାତା ନିଜକୁ ଆଉ ସମ୍ଭାଳି ପାରୁ ନାହାନ୍ତି । ବିଦଗ୍ଧ ହୃଦୟ ଆନ୍ଦୋଳିତ ,

ଆଲୋଡି଼ତ । ମାତୃବାତ୍ସଲ୍ୟ ବିଳାପ କରୁଛି , - କାହ୍ନୁରେ , ତୁ ମୋର ସନ୍ତାନ । ମୁଁ ନହୋଇ ପାରେ ତୋର ଗର୍ଭଧାରିଣୀ , କିନ୍ତୁ ତୁ ମୋରି ପୁତ୍ର । ଜଗତଜନଙ୍କ ସକାଶେ ତୁ ହୋଇ ଥାଇପାରୁ ଈଶ୍ବରଙ୍କ ଅବତାର । କିନ୍ତୁ ମୋ ପାଇଁ ତୁ ମୋର ସେହି ବାଳୁତ ପୁତ୍ର କାହ୍ନା ।


 ମନେ ପଡୁଛି , ଥରେ ଦୈବାତ ସେ ଉଦ୍ଧବ ସମ୍ମୁଖରେ ନିଜର ହୃଦୟ ଫେଡି଼ ଆକୁଳ କ୍ରନ୍ଦନ କରି ଖୋଲି ଦେଇଥିଲେ ଅନ୍ତରତମ ଉଚ୍ଛ୍ଵାସ ।


" ଛାଡ଼ ସେ ବିଷୟ ନକର ସଂଶୟ ଗୋବିନ୍ଦ ଡଗର 

 ବ୍ରହ୍ମ ବ୍ରହ୍ମ ବୋଲି କେତେ ବୋଲ ତାକୁ ସେ ମୋର କୁମର " 


               '" ମଥୁରା ମଙ୍ଗଳ "'


ଯଶୋଦାଙ୍କର ମନେ ପଡି ଯାଉଛି ସେହି ମର୍ମନ୍ତୁଦ ଅମଙ୍ଗଳ ମୁହୂର୍ତ୍ତ । ନନ୍ଦଙ୍କ ମୂଖରୁ ନିର୍ଗତ ସେହି କେତୋଟି ନିଷ୍ଠୁର ପଦ , ଯାହା କୃଷ୍ଣଙ୍କୁ କରିଦେଲା ଏକାନ୍ତ ଅପରିଚିତ । ଆଜି ମଧ୍ୟ ସେହି ଅଭିଶପ୍ତ କ୍ଷଣ କେତୋଟିକୁ ବିସ୍ମରି ଦେଵାକୁ ଚାହୁଁଛନ୍ତି ସେ ।


 ସେ ଏକ ଭୟଙ୍କର ସ୍ଵପ୍ନ ଥିଲା ଯେପରି .....


 ଅମା ଅନ୍ଧାର ରଜନୀ । ପଲ୍ୟଙ୍କରେ ଘୁମନ୍ତ କୃଷ୍ଣଙ୍କ କମନୀୟ ମୂଖରେ ଦୃଷ୍ଟି ନିବଦ୍ଧ କରି ବସିଛନ୍ତି ଯଶୋମତୀ । ଗବାକ୍ଷରୁ ନିଷ୍ପ୍ରଭ ଜ୍ୟୋତ୍ସ୍ନାଲୋକ ପଡି଼ କୃଷ୍ଣଙ୍କ ମୂଖକୁ କରି ତୋଳୁଛି ରହସ୍ୟମୟ । ଦୁଷ୍ଟ ପବନ ଦଲକାଏ ପଶି ଆସି ଚୁମ୍ବନ କରୁଛି କୃଷ୍ଣଙ୍କ କୁଞ୍ଚିତ ଘନ କେଶରାଶିକୁ , ଯଶୋଦାଙ୍କ ବାତ୍ସଲ୍ୟ ସହ ପ୍ରତିଯୋଗିତା କରି । ତାଙ୍କ ନୟନ କୋଣରେ ଅଶ୍ରୁ । କାଲି କାହ୍ନୁ ମଥୁରା ଗମନ କରିବ । ଅକ୍ରୁର ଆସିଛି କଂସର ଚିଟାଉ ନେଇ । ସମ୍ପୂର୍ଣ୍ଣ ଗୋପପୁର ଶୋକାଭିଭୂତ । ଯଶୋଦା ବ୍ୟାକୁଳ , କିପରି ଛାତିକୁ ପଥର କରିବେ । କାହ୍ନାକୁ ନଦେଖି କିପରି ଶରୀର ଧାରଣ କରି ଦିନ କାଟିବେ । ମତିଭ୍ରମ ଘଟିବନି ତ ତାଙ୍କର ? 


 ସ୍କନ୍ଧଦେଶରେ କାହାର ମୃଦୁ କରସ୍ପର୍ଶ । ଓହୋ , ନନ୍ଦରାଜ ! ଆଖିରେ ଅନେକ ପ୍ରଶ୍ନବାଚୀ ଓ ମୂଖରେ କିଞ୍ଚିତ ଅସାମଞ୍ଜସ୍ୟର ଭାବ ! ସେ ମଧ୍ୟ ଶୋକାଭିଭୂତ । ନୀରବରେ ଯଶୋଦାଙ୍କ ହସ୍ତ ଧରି ସେ ତାଙ୍କୁ ନେଇଗଲେ ତାଙ୍କର ଶୟନ କକ୍ଷକୁ ।


 ନନ୍ଦଙ୍କ ମନରେ ଅନେକ ବିଡ଼ମ୍ବନା । କେମିତି ଉନ୍ମୋଚିତ କରିବେ ସେ ରହସ୍ୟର ଗ୍ରନ୍ଥି । କେଉଁ ପ୍ରକାରେ ସେ କହିବେ ଯଶୋଦାଙ୍କୁ ଏ ନିରାଟ ନିଷ୍କରୁଣ ସତ୍ୟ । କିନ୍ତୁ ଆଉ ତାକୁ ପ୍ରଚ୍ଛନ୍ନ ରଖିବା ମଧ୍ୟ ନିଷ୍ପ୍ରୋୟଜନ । ଏହି ମୂହୁର୍ତ୍ତରେ ହିଁ ତାଙ୍କୁ ଉଦ୍ଘାଟିତ କରିବାକୁ ହେବ ଏ ସମୟ ସାପେକ୍ଷ ରହସ୍ୟ ।


ନନ୍ଦରାଜ ପଚାରିଲେ , " ଯଶୋମତୀ , ନିଦ୍ରା ହେଉ ନାହିଁ କି ? "

 

ଯଶୋଦା ଦେଖିଲେ , ମହାରାଜ ମଧ୍ୟ ବ୍ୟସ୍ତ ବିବ୍ରତ । ସେ ମଧ୍ୟ ଏଯାବତ ବିନିଦ୍ର । ନିଜର ଶୋକକୁ ଗୋପନ ରଖିବା ପାଇଁ ଯଶୋଦାଙ୍କ ଅନିଦ୍ରାର ଆଶ୍ରୟ ନେଇଛନ୍ତି । ଯଶୋଦା ସ୍ଵଗତଃ ଚିନ୍ତା କଲେ , - ଯାହାର ପୁତ୍ର ଆସନ୍ତା କାଲି କଂସ ନଗରୀ ମଥୁରା ଗମନ କରିବ ତାକୁ ବା ନିଦ୍ରା ହେବ କେମିତି ? ଆଉ ମହାରାଜ ବି ତ ଚିନ୍ତିତ ।


 ପ୍ରକାଶ୍ୟରେ କହିଲେ ,


" କୁମ୍ଭାଟୁଆ ପ୍ରତ୍ୟୁଷ ହେବାର ସୂଚନା ଦେଲାଣି ତ । ତେଣୁ କାହ୍ନୁକୁ ଉଠେଇବାକୁ ଆସିଥିଲି । କିନ୍ତୁ ମହାରାଜ , ଆପଣଙ୍କ ନୟନରେ ମଧ୍ୟ ଅନିଦ୍ରାର ଚିହ୍ନ , କାରଣ ଜାଣି ପାରେ କି ?" 


ନନ୍ଦ ଚାହିଁଲେ ଯଶୋଦାଙ୍କୁ । ଜାଣି ପାରୁଥିଲେ ଯେ ତାଙ୍କ ମୂଖରୁ ଶବ୍ଦ ସ୍ଫୁରିବା ମାତ୍ରେ ଯଶୋଦାଙ୍କ ହୃଦୟ ଶତ ବିଦୀର୍ଣ୍ଣ ହୋଇ ଯିବ । କିନ୍ତୁ କଠୋର ହୋଇ ତାଙ୍କୁ କହିବା ବିନା ଅନ୍ୟ ଉପାୟ ନାହିଁ ।


 " ଗୋଟିଏ ଦୁସମ୍ବାଦ ଅଛି ଯଶୋଦା ! " ଅତ୍ୟନ୍ତ କାକୁସ୍ଥ ହୋଇ ଅତି ସନ୍ତର୍ପଣରେ ସାହସ ସଞ୍ଚୟ କରି ନନ୍ଦ କହିଲେ - " ହର୍ଷ ଉଲ୍ଲାସର ସମୟ ବୋଧେ ଆମଠାରୁ ଚିରକାଳ ପାଇଁ ବିଦାୟ ଘେନି ଚାଲି ଯାଉଛି ।" 


 ଅବନତ ମୂଖରେ ଅଶ୍ରୁ ଲୁଚାଇ ଦୃଢ଼ ସ୍ଵରରେ କହିଲେ ଯଶୋଦା , " ଆପଣ ଏ କଣ କହୁଛନ୍ତି , ମୁଁ ତ ଜାଣିଛି , ଅକ୍ରୁର ସହ କୃଷ୍ଣ ଧନୁଯଜ୍ଞ ଉତ୍ସବରେ ଯୋଗ ଦେବାକୁ ମଥୁରା ଯିବ , ପୁଣି କଣ ବାହୁଡି଼ ଆସିବନି କି ? ମୁଁ ମାତା , ତେଣୁ ଏହି ଆଠ ଦଶ ଦିବସ ତାକୁ ଝୁରିବି । କିନ୍ତୁ ପୁରୁଷ ହୋଇ ଏ ନିରାଶା ଭାବ କଣ ଉଚିତ ମହାରାଜ ? 


" ନା ଯଶୋଦା , ଆମ କୃଷ୍ଣ ହୁଏତ ଫେରି ନପାରେ । ଅଦୃଷ୍ଟ ଆମ ସହ ଉପହାସ କରୁଛି । ମୁଁ ଶୁଣିଛି , କଂସର ଏ ନିମନ୍ତ୍ରଣ ନୁହେଁ , ଏକ ଷଡ଼ଯନ୍ତ୍ର । ଧନୁଯଜ୍ଞ ଆଳରେ କୃଷ୍ଣ ବଳରାମଙ୍କୁ ସେ ବଧ କରିବାକୁ ଚାହୁଁଛି । ଚାଣୁର , ମୁଷ୍ଟିର ଭଳି ଦୁର୍ଦ୍ଦାନ୍ତ ମଲ୍ଲ ଯୋଦ୍ଧାଙ୍କୁ ବିନିଯୋଗ କରିଛି । କୁବଳୟାପୀଡ଼ ନାମକ ମାରାତ୍ମକ ହସ୍ତୀକୁ ମଧ୍ୟ ତାଙ୍କ ସମ୍ମୁଖରେ ଛାଡ଼ି ଦେଇ ପାରେ । "


 " କିନ୍ତୁ କାହିଁକି , କୃଷ୍ଣ , ବଳରାମ ଭଳି ଅବୋଧ ଶିଶୁ କଣ ତାର ଶତୃ ?"


ନନ୍ଦରାଜ କିଞ୍ଚିତ ପଦଚାରଣ କରି କହିଲେ ,


" ଯଶୋଦା , ବଳରାମ ରୋହିଣୀ ଓ ଵସୁଦେବଙ୍କ ପୁତ୍ର ବୋଲି ତୁମର ଧାରଣା । କିନ୍ତୁ ପ୍ରକୃତରେ ସେ ଦେବକୀଙ୍କ ପୁତ୍ର ।ତାଙ୍କୁ ଭୃଣାବସ୍ଥାରେ ସଂକର୍ଷଣ କ୍ରିୟା ଦ୍ଵାରା ଦେବକୀଙ୍କ ଗର୍ଭରୁ ଆଣି ରୋହିଣୀ ଗର୍ଭରେ ରୋପିତ କରାଯାଇଥିଲା , କଂସ ଭୟରେ ।"


ଯଶୋଦା ବିମୂଢ଼ ଅବସ୍ଥାରେ ଅପଲକ ଦୃଷ୍ଟିରେ ଅନାଇ 

ରହିଲେ ।


" ହେ ଭଗବାନ ! ଆପଣ ଏ ରହସ୍ୟକୁ ମୋଠାରୁ ଗୋପନ ରଖିଛନ୍ତି ? କିନ୍ତୁ କାହିଁକି ? "


 ନନ୍ଦ ଯଶୋଦାଙ୍କ ସ୍କନ୍ଧଦେଶରେ ଦୁଇ ହସ୍ତ ଥାପି କହିଲେ , " ମୁଁ ତ ତୁମଠାରୁ ଆହୁରି ଏକ ହୃଦୟ ବିଦାରକ ସତ୍ୟ ଗୋପନ ରଖିଛି ଯଶୋମତୀ । ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ । କଦାଚିତ ଏ ସତ୍ୟ ଉଦ୍ଘାଟିତ ହୋଇଥିଲେ ତୁମର ବ୍ୟବହାର ସାମାନ୍ୟ ରହି ପାରି ନଥାନ୍ତା । ତୁମେ ନିଜକୁ ପ୍ରକୃତିସ୍ଥା ରଖି ପାରି ନଥାନ୍ତ । ଯଦ୍ୱାରା ଆମ କାହ୍ନାର ଜୀବନ ବିପନ୍ନ ହୋଇ ପଡ଼ି ଥାଆନ୍ତା । "


ଯଶୋଦା ଭୟଙ୍କର ଭାବରେ ଆଶଙ୍କିତା ହୋଇ ପଡ଼ିଲେ । କମ୍ପିତ ସ୍ଵରରେ ପଚାରିଲେ , " ଆଉ କି ରହସ୍ୟ ଆପଣ ଗୋପନ ରଖିଛନ୍ତି ମହାରାଜ ? ମୋର ପ୍ରାଣ ଛାଡ଼ି ଯିବ । ଅନୁକମ୍ପା କରି ଆଉ ଗୌରଚନ୍ଦ୍ରିକା କରନ୍ତୁ ନାହିଁ ।" 


ଅନାୟାସେ ନନ୍ଦଙ୍କ ମୂଖରୁ ନିସୃତ ହେଲା ଏକ ଦାରୁଣ ସତ୍ୟ 


"" କୃଷ୍ଣ ... ଦେବକୀ ବସୁଦେବଙ୍କ ଅଷ୍ଟମ ସନ୍ତାନ ।"'


ନନ୍ଦଙ୍କ ବାଣୀ ବାରମ୍ବାର ପ୍ରତିଧ୍ବନିତ ହୋଇ ଉଭୟଙ୍କୁ ଆକ୍ରମଣ କଲା । ନନ୍ଦ ଦୃତ ଗତିରେ ଦ୍ଵାର ଦିଗକୁ ଅଗ୍ରସର ହେଲେ , ଯେମିତି ସେଠାରେ ରହିଲେ ସେ ନିଜର ସମ୍ବିତ ହରାଇ ବସିବେ , କିମ୍ବା ଯଶୋଦାଙ୍କ ମାତୃ ହୃଦୟର ତପ୍ତ ହଳାହଳ ସମ ଦୀର୍ଘଶ୍ଵାସ ତାଙ୍କର ଅସ୍ତିତ୍ୱକୁ ଜାଳି ପୋଡ଼ି ଭସ୍ମୀଭୂତ କରି ଦେବ ।


 ଯଶୋଦାଙ୍କ ମସ୍ତକରେ ସତେ କି ବଜ୍ରପାତ ହେଲା । ସମଗ୍ର ବ୍ରହ୍ମାଣ୍ଡ ଅନ୍ଧକାର ଦେଖାଗଲା । ପଦତଳେ ବସୁଧା ସପ୍ତଖଣ୍ଡ ହୋଇଗଲା । ତଡି଼ତ ପ୍ରାୟ ସେ ଉନ୍ମାଦିନୀ ପରି ଲମ୍ଫ ମାରି ନନ୍ଦଙ୍କ ସମ୍ମୁଖରେ ଛିଡ଼ା ହୋଇଗଲେ । ତାଙ୍କର ପ୍ରତିଟି ଲୋମ ଚିତ୍କାର କରି ଉଠିଲା ।


 " ନା , ଏହା ସତ୍ୟ ହୋଇ ନପାରେ । କସ୍ମିନ କାଳେ ନୁହେଁ । କୃଷ୍ଣ ଆଉ କାହାରି ପୁତ୍ର ନୁହେଁ । ତାର ଗର୍ଭଧାରିଣୀ ମୁଁ ।"


ଯଶୋଦା କାଳେ ବିକ୍ଷିପ୍ତା ହୋଇ ପଡ଼ିବେ ବୋଲି ନନ୍ଦ ଆଶଙ୍କିତ ହୋଇ ପଡ଼ିଲେ । ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ସେ ତାଙ୍କୂ ନିଜର ଦୃଢ଼ ବାହୁ ବନ୍ଧନରେ ଆବଦ୍ଧ କଲେ । ଯଶୋଦା ନିଜକୁ ତତ୍ କ୍ଷଣାତ୍ ମୁକୁଳିତ କରି ପ୍ରଚଣ୍ଡ କ୍ରୋଧରେ ଗର୍ଜନ 

କଲେ । " ଆପଣ କଣ କଂସ ସମ ରାକ୍ଷସ ? ବନ୍ଧୁ ପ୍ରେମରେ ଅନ୍ଧ ହୋଇ ମାତାଠାରୁ ତାର ପୁତ୍ରକୁ ବିଚ୍ଛିନ୍ନ କରିବାକୁ ଚାହୁଁଛନ୍ତି ?  ନିସନ୍ତାନ ବସୁଦେବଙ୍କ ହସ୍ତରେ ସମର୍ପି ଦେବାକୁ ଚାହୁଁଛନ୍ତି ମୋ କାହ୍ନାକୁ ? "


ନନ୍ଦରାଜଙ୍କ ମୂଖରୁ ବାଣୀ ସ୍ଫୁରିଲା ନାହିଁ । ଅସ୍ଥିର ଶୋକ ନିମଗ୍ନା ଯଶୋଦାଙ୍କୁ ସାନ୍ତ୍ଵନା ଦେବାକୁ ଯାଇ ତାଙ୍କ କେଶରେ ହସ୍ତ ସଞ୍ଚାଳନ କଲେ ଆବେଗରେ , ମୌନ ଭାବରେ । କିଛି କ୍ଷଣ ଉତ୍ତାରୁ ସ୍ଵୟଂ ସାମାନ୍ୟ ପ୍ରକୃତିସ୍ଥା ହେଲେ ଯଶୋଦା । ଅଶ୍ରୁଧୌତ ମୂଖତ୍ତୋଳନ କରି ପଚାରିଲେ , - "କୃଷ୍ଣ ଯଦି ମୋର ଜନ୍ମିତ ସନ୍ତାନ ନୁହେଁ , ତେବେ କାହିଁ ମୋର ଜନ୍ମିତ ସନ୍ତାନ । ଆଉ ଏ କୃଷ୍ଣ ମୋ କୋଳକୁ ଆସିଲା କେଉଁ ପ୍ରକାରେ ? "


 ନନ୍ଦ ଉତ୍ତର ଦେଲେ ,


" ଭାଦ୍ରବର ସେହି ବର୍ଷଣମୁଖର ରାତ୍ରିଟି ସ୍ମରଣ ଅଛି ନା ଯଶୋଦା ? ଅସ୍ଥିର ମେଘରୁ ଝରି ପଡୁଥିଲା ଅବାରିତ ବାରିଧାରା । ବିଜୁଳି , ଘଡ଼ଘଡି଼ରେ କମ୍ପି ଉଠୁଥିଲା ମେଦିନୀ । ବନ୍ୟା ଜଳ ଭାରରେ ଅଶାନ୍ତ ଯମୁନା କରାଳ ରୂପ ଧାରଣ କରି ସମଗ୍ର ଗୋପପୁରକୁ ଜଳନିମଗ୍ନ କରିଥିଲା । ଗର୍ଭ ବେଦନାରେ ତୁମେ ବ୍ୟାକୁଳ ହେଉଥିଲା ବେଳେ ମୁଁ ବୈଦ୍ୟଙ୍କୁ ଡାକିବାକୁ ମଧ୍ୟ ନିଜକୁ ଅସମର୍ଥ ପାଇଥିଲି ଏପରି ଭୟାବହ ପରିସ୍ଥିତିରେ । ଠିକ ସେହି ସମୟରେ ତୁମେ ଏକ ସନ୍ତାନକୁ ଜନ୍ମ ଦେଇ ଅତିଶୟ ବେଦନାରେ ସଂଜ୍ଞାହୀନା ହୋଇ ପଡ଼ିଥିଲ । ତୁମେ ଜାଣି ନଥିଲ ଯେ ସେ ଏକ କନ୍ୟା ସନ୍ତାନ ଥିଲା । ହଠାତ ଦ୍ଵାର

 ସମୀପରୁ କରାଘାତ ଶୁଣାଗଲା । ମୁଁ ଆଶ୍ଚର୍ଯ୍ୟ ଚକିତ ହେଲି , ଏ ଭୟଙ୍କର ସମୟରେ କିଏ ସେ ଆଗନ୍ତୁକ ! ଦେଖିଲା ବେଳକୁ ଗୋଟିଏ ମଞ୍ଜୁଷାରେ ସଦ୍ୟଜାତ କୃଷ୍ଣଙ୍କୁ ଧରି ଠିଆ ହୋଇଥିଲେ ବସୁଦେବ । ଚିନ୍ତା କର ତୁମେ କୃଷ୍ଣର ଚମତ୍କାର । ଏମିତି ପ୍ରବଳ ବର୍ଷାରେ , ଏ ଅମା ଅନ୍ଧକାରରେ , ବନ୍ୟା କବଳିତ ଯମୁନା ଅତିକ୍ରମ କରି ,କାରାଗାରରେ ସମସ୍ତ ରକ୍ଷୀଙ୍କ ଆଖିରେ ଧୂଳି ପକାଇ ମଥୁରାରୁ ଗୋପପୁର ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କରିଥିଲେ ବସୁଦେବ ! ଆଶ୍ଚର୍ଯ୍ୟର କଥା ବସୁଦେବଙ୍କ ବସ୍ତ୍ର ସୁଦ୍ଧା ସିକ୍ତ ହୋଇ ନଥିଲା ! "


 ମନ୍ତ୍ର ମୁଗ୍ଧା ଯଶୋଦା ବ୍ୟାକୁଳ ହୋଇ ପଚାରିଲେ , " ତେବେ , ଆମର କନ୍ୟା କାହିଁ ? "


" ସାରା ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଓ ଅବତାରୀ କୃଷ୍ଣଙ୍କ ଜୀଵନ ରକ୍ଷା ସକାଶେ ମୋତେ ହୃଦୟ ହୀନ ହେବାକୁ ପଡ଼ିଥିଲା ଯଶୋଦା । ମୁଁ କୃଷ୍ଣ ପରିବର୍ତ୍ତେ ଆମର କନ୍ୟାକୁ ବସୁଦେବଙ୍କ ହସ୍ତରେ ସମର୍ପଣ କରିଥିଲି । ନଚେତ କଂସ ସନ୍ଦେହ କରିଥାନ୍ତା ।"


ଭୟାକୁଳ କଣ୍ଠରେ କହିଲେ ଯଶୋଦା ," ତେବେ କଣ କଂସ ଆମର କନ୍ୟାକୁ ହତ୍ଯା କଲା ।'


 " ନା ଯଶୋମତୀ , " ଆତ୍ମଲୀନ ଧୀର ଗମ୍ଭୀର ସ୍ଵରରେ କହିଲେ ନନ୍ଦ , " କନ୍ୟା ଆମର ଥିଲା ଯୋଗମାୟାଙ୍କ

 ଅବତାର । ହତ୍ଯା କରିବା ପୂର୍ବରୁ ସେ ଆକାଶ ମଣ୍ଡଳକୁ ଲମ୍ଫ ଦେଲା ଓ ଭବିଷ୍ୟତ ବାଣୀ ଶୁଣାଇଲା ଯେ କଂସର ମୃତ୍ୟୁଦାତା ଜନ୍ମ ନେଇ ସାରିଛି ।" 


 ଯଶୋଦା ଆଶ୍ଵସ୍ତ ହେଲେ କିନ୍ତୁ ତତ୍ କ୍ଷଣାତ୍ ତାଙ୍କ ମନରେ ଅନ୍ୟ ଏକ ଆଶଙ୍କା ଦେଖାଦେଲା ।


" ମୋ କାହ୍ନା କଣ କଂସର ଏ କୁଚକ୍ରାନ୍ତରୁ ବର୍ତ୍ତିଵ 

ମହାରାଜ ? "


ଈଷତ ହସି ନନ୍ଦ କହିଲେ ," ତୁମେ କାହିଁକି ଭୂଲି ଯାଉଛ ଯଶୋଦା ଯେ କାହ୍ନା ସାଧାରଣ ବାଳକ ନୁହେଁ । କେତେ କେତେ ବିପତ୍ତିରୁ ସେ ବର୍ତ୍ତି ଆସିଛି ଓ ସକଳ ବ୍ରଜବାସୀଙ୍କୁ ମଧ୍ୟ କେତେ ସଙ୍କଟରୁ ରକ୍ଷା କରିଛି । କଂସ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ କରି ନାହିଁ ଯେ ତାର ମୃତ୍ୟୁକୁ ନିମନ୍ତ୍ରଣ କରିଛି । କିନ୍ତୁ ମୁଁ ମଧ୍ୟ କୃଷ୍ଣ ବିଚ୍ଛେଦରେ ମ୍ରିୟମାଣ ଯଶୋଦା । କେମିତି ତା ବିନା ଆମେ ଦିନ ବଞ୍ଚିବା ? ଯଦି ବା ଆମର ଆଉ ସନ୍ତାନ ଥାଆନ୍ତେ ତେବେ ହୁଏତ ଆମର ଦୁଃଖ ଟିକିଏ ଲାଘବ ହୋଇ ଥାଆନ୍ତା "


 ଯଶୋଦା କିନ୍ତୁ ଦୃଢ଼ ଭାବରେ ଉତ୍ତର ଦେଲେ , " ନା , ଅନ୍ୟ କୌଣସି ସନ୍ତାନ ମୋ କାହ୍ନାର ସ୍ଥାନାପନ୍ନ ହୋଇ ପାରିବ ନାହିଁ । ଏହା ହୁଏତ ଦୈବୀ ଉଦ୍ଦେଶ୍ୟ , ଏହା ଅଦୃଷ୍ଟର ଲିଖନ । ନହେଲେ ବିବାହର ଏତେ କାଳ ପର୍ଯ୍ୟନ୍ତ ମୁଁ କାହିଁକି ଗର୍ଭଧାରଣ କଲି ନାହିଁ । କନ୍ୟା ଜନ୍ମ ପରେ ମଧ୍ୟ ଆଉ ଗର୍ଭଧାରଣ 

କରିନାହିଁ । କଦାଚିତ ଯୋଗମାୟାଙ୍କ ଅବତାର ମଧ୍ୟ ମୋ କାହ୍ନା ଉଦ୍ଦେଶ୍ୟରେ , ଯେ ମୁଁ ମୋ କାହ୍ନାକୁ ସ୍ଵଅମୃତ ପାନ କରାଇପାରେ । କୃଷ୍ଣର ଧାତ୍ରୀ ହୋଇପାରେ । ଏସବୁ ବିଧିର ବିଧାନ , ପୂର୍ବ ନିର୍ଦ୍ଧାରିତ । ମୋର ଆଉ କିଛି ଦୁଃଖ ନାହିଁ , କିଛି ଶୋକ ନାହିଁ ଯେ ମୁଁ ଆଜି ସନ୍ତାନହୀନା । କୃଷ୍ଣର ଧାତ୍ରୀ ହେବା ପାଇଁ ମୁଁ ଜନ୍ମଜନ୍ମାନ୍ତର ପାଇଁ ବନ୍ଧ୍ୟାତ୍ଵକୁ ଆଦରି ନେଇ ପାରେ ।ଆବଶ୍ୟକ ନାହିଁ ମୋର ଆଉ ସନ୍ତାନ ! ହେ ପ୍ରଭୂ ! କୃଷ୍ଣର ଧାତ୍ରୀ ହେବା ପାଇଁ ମୋତେ ଯୁଗ ଯୁଗ ଧରି ବନ୍ଧ୍ୟା ରୂପରେ ଜନ୍ମ ଦିଅ , ମୋତେ ନିଃସନ୍ତାନ କର ! ମୋତେ କୃଷ୍ଣର ଧାତ୍ରୀ କର ପ୍ରଭୂ ମୋତେ କୃଷ୍ଣର ଧାତ୍ରୀ କର !!! " 


ଯଶୋଦାଙ୍କ ନୟନ ଯୁଗଳରୁ ଧାରାପ୍ରବାହ ଅଶ୍ରୁ ଜଳ ଝରି ପଡୁଥାଏ । ମୂଖରୁ ନିସୃତ ହେଉଥାଏ ଜପାମାଳି ସଦୃଶ୍ୟ 

- " ମୋତେ କୃଷ୍ଣର ଧାତ୍ରୀ କର ପ୍ରଭୂ ପଛେ ମୋତେ ସନ୍ତାନ ବିହୀନା କର !! "


ଭାବଗ୍ରାହୀ କୃଷ୍ଣ ହୃଦୟଙ୍ଗମ କଲେ ମାତାଙ୍କର ଭାବ ବିହ୍ଵଳିତ ବାତ୍ସଲ୍ୟଭରା ହୃଦୟର ବିନୀତ ମୀନତିକୁ । କଣ୍ଠରେ ତାଙ୍କର ପୁନଶ୍ଚ ଝଂକୃତ ହେଲା ,


- " ମାତଃ , ଭବତୀ ଭିକ୍ଷାଂ ଦେହୀ !!!"


 କୃଷ୍ଣଙ୍କ ନୟନ ମଧ୍ୟ ଲୋତକ ପୂରିତ । ହୃଦୟରେ ତାଙ୍କର ମଧ୍ୟ ଅକୁହା ନୀରବ ଯାଚନା - " ଯୁଗ ଯୁଗ ପାଇଁ ହେ ମାତା , ତୁମେ ହିଁ ହୁଅ ମୋର ଜନନୀ , ଏହାହିଁ ହେବ ମୋ ପାଇଁ ସର୍ବୋତ୍କୃଷ୍ଟ , ସର୍ବଶ୍ରେଷ୍ଠ ଭିକ୍ଷା ........।" 



Rate this content
Log in