Panchanan Jena

Inspirational

5.0  

Panchanan Jena

Inspirational

କଲମି ମଞ୍ଜି

କଲମି ମଞ୍ଜି

5 mins
588


ମୋଦି ସରକାରଙ୍କ ସ୍ଵଚ୍ଛ ଭାରତ ଅଭିୟାନ ଆଜି ଦେଶ-ନଗର-ସହର-ଗ୍ରାମର କୋଣ –ଅନୁକୋଣକୁ ବ୍ୟାପୀ ଚାଲିଛି । ସ୍ଵଚ୍ଛତା ହିଁ ସେବା , ସ୍ଵଚ୍ଛ ବିଦ୍ୟାଳୟ ଅଭିୟାନ , ସ୍ଵଚ୍ଛ ମନ ହିଁ ସୁସ୍ଥ ଜୀବନର ଚାବିକାଠି -- ଏମିତି ନାନାବିଧ ସ୍ଲୋଗାନ ଦୈନିକ ସମ୍ବାଦପତ୍ର ଓ ସାମାଜିକ ଗଣମାଧ୍ୟମର ଅଗ୍ରଦୂତ ସାଜିଛି । ଜାତିର ଜନକ ବାପୁଙ୍କ ଚଷମାର ଲୋଗୋ “ ଏକ କଦମ ସ୍ଵଛତା କୀ ଔର “ ଉପରେ ଯେତେବେଳେ ପଦ୍ମନାଭ(ପଦୁ) ବେହେରା ବାବୁଙ୍କ ନଜର ପଡେ , ସେ ଟିକେ ରହି ଯାଆନ୍ତି । ପଢୁଥିବା ଖବରକାଗଜ ଟିକୁ ଟେବୁଲ ଉପରେ ରଖିଦେଇ ଚଷମାର ଦୁଇପଟ କାଚକୁ କାନ୍ଧରେ ପଡିଥିବା ନାଲି ଗାମୁଚ୍ଛାରେ ପୋଛିବାକୁ କାହିଁକି କେଜାଣି ବ୍ୟଗ୍ର ଓ ତତ୍ପର ହୋଇପଡନ୍ତି । ଆଉ ସେ ମନେ ମନେ କାହାକୁ ଖୋଜି ପକାନ୍ତି । ଆଉ ସ୍ଵଚ୍ଛତା କଥା ଭାବିଲେ-ମନେପଡିଲେ ମା’ କଥା ମନ ଗହନକୁ ଆସେ ।ମା’ର ବଡି ସକାଳୁ ବାଟ ଝାଟିବାର ଦୃଶ୍ୟ ମନ ପରଦାରେ ନାଚି ଉଠେ । ଆଉ ଯେତେବେଳେ ପରିଚ୍ଛନ୍ନତା –ପରିଷ୍କାର ପରିବେଶ ଇତ୍ୟାଦି ଉପରେ ତର୍ଜ୍ଜମା ହୁଏ , ମା’ର ପହଁରା ଧରା ହାତ ଜଳଜଳ ହୋଇ ଦିଶିଯାଏ । ଯେତେ କାମ ଥାଉ , ବଡି ଭୋରରୁ ଉଠି ବାଟ ଝାଟିବା,ଅଗଣା –ଖଳା, ଗଡ଼ିଆ ପାଖ ରାସ୍ତା , ଚଳାଗଲା ଦାଣ୍ଡ ଉପରେ ପଡିଥିବା କୁଟା-କାଠି –ଶୁଖିଲା ପତ୍ର, ଗଜରୁଥିବା ଅନାବନା ଘାସ , ଅଳିଆ –ଆବର୍ଜନାକୁ ସଫାକରିବା ଏକ ଚିରାଚରିତ ନିତିଦିନିଆ ଦେହସୁଆ କାମ ପାଲଟି ଯାଇଥାଏ ତ’ର ।


“ଠାକୁମା “! ଚଲା ବାଟକୁ ଧୋବ ଫରଫର କରିଦେଲୁ ।” ମାର୍କଣ୍ଡିଆ ଭାଇ ପୋଖରୀ ପାଣି ସାରି ଆସୁ ଥିବା ବେଳେ କହୁଥିବ ।


“କାକୀ ! ରାସ୍ତାଟା କି ସୁନ୍ଦର ଲାଗୁଛି । ମୋଦି ସରକାର ବେଳେ ଆସନ୍ତା କି ? ଦେଖେଇ ଦିଅନ୍ତି । ଏହାକୁ କହନ୍ତି ସ୍ଵଛ ଭାରତ “। ମା’କୁ ଦେଖିଲେ ଯୋଗିଆ ଭାଇ ଦେଖେଇ –ଶୁଣେଇ କହି ଚାଲିଥିବ । କହୁ କହୁ କିଛି ଗଲା ଅଇଲା ଭାଇ-ବନ୍ଧୁଙ୍କୁ ଏକଯୋଟ କରି ଗୋଟେ ସାରଗର୍ଭକ ଭାଷଣ ବି ବେଳେ ବେଳେ କହି ଦେଉଥିବ ।


“ଭାଉଜ ! ପରିବେଶକୁ ସଫାସୁତୁରା କେମିତି ରଖିହେବ , ତୁମଠୁଁ ଶିଖିବା କଥା । ଆମ ସାହେବାଣୀଙ୍କୁ ଟିକେ ଶିଖେଇଦେବ ଭାଉଜ ! ହେଇଟି ଭାଉଜ ! ଅନେଇଲ । ଆମ ସୀମା ମା’କୁ ମୋ । ସଫା ସୁତୁରା କଥା କିଛି ଆସେନା । ଆମ ଘରେ ଖାଲି କୁଢ କୁଢ ଅଳିଆ ।”-- ମାଟି ଖୋଳା ଖତ ପାଇଁ କାନ୍ଧରେ କୋଦାଳ ହାତରେ ଝୋଡା ଧରି ତରତର ସଦା କାକା ପାନଖିଆ ପାଟିରେ ହସି ହସି କହୁଥିବ ।


“ଅପା !ମାନିଗଲି ।ସୁନ୍ଦର –ସୁଢଳ –ସୁକମ ଲାଗୁଛି ।ପାଦ ପକେଇବାକୁ ଖୁସି ଲାଗୁଛି । ବାଟକୁ ଅପା ତୁ ସକାଳୁ ସକାଳୁ ପବିତ୍ର କରିଦେଲୁ ।” ବେଣୁ ଭାଇ ପାନ ବରଜକୁ ଯାଉ ଯାଉ କହିଦେଉଥିବ ।

ମା’ ଶୁଣେ ; ଅଳ୍ପ ଟିକେ ମୁରୁକି ଦିଏ । ବୁଝିଲା କି ନ-ବୁଝିଲା ଜାଣିହୁଅନା । ଦ୍ଵି-ଗୁଣା ଉତ୍ସାହରେ ସେହି ଚିରାଚରିତ ବାଟ ଝାଟିବା କରିଚାଲେ ।


 କେହି କେହି ବି କହନ୍ତି , “ କାମ ତ କିଛି ନାହିଁ ? ବୁଢୀ ଭେଳେଖି ଦେଖେଇ ହେଉଛି । ପୁଅ ମାନେ ତ ଘରେ ସବୁ ଘରେ ଖୁନ୍ଦି -ଛନ୍ଦି ଦେଇଛନ୍ତି ।ପ୍ୟାକେଟ ଚାଉଳ , ମେସିନ ଭଜା ମୁଢି , ଗ୍ୟାସ ଚୁଲା ଇତ୍ୟାଦି କେତେ ସୁଖ-ସୁବିଧା ରଖେଇ ଦେଇଛନ୍ତି ।ନା ଧାନ ସିଝା ଅଛି ନା ଧାନ ଶୁଖା -- --- ।ଖାଲି ପ୍ରହସନ ---। ଆମ ଗହଳି ଘର ହୋଇଥିଲେ ବାତ ବାହାରି ପଡନ୍ତା ।---- ଥାଳି-ଗିନା –ବେଲା ଧୋଇ ଧୋଇ ଆଙ୍ଗୁଳି ସନ୍ଧିରେ ପାଣିବିନ୍ଧା –ଖସୁ ଭଳି କେତେ କୁଣ୍ଡିଆ ବିଞ୍ଝାବିଞ୍ଝା ପୁଞ୍ଜା ପୁଞ୍ଜା ବାହାରି ଯାନ୍ତା । କୁଣ୍ଡି ହୁଅନ୍ତା, ରାମ୍ପି ହୁଅନ୍ତା ଅହରହ । କ’ଣ ନା ବାଟ ଝାଟିବ ।ସାରୁ –ଝୋଟ ।


 ମା’ କାନରେ ପଡେ ଏପରି ଟାହି ଟାପରା । ମା’ କଥାକୁ ଶୁଣେ ;ଦେହକୁ ନିଏନି । ଆହୁରି ସକାଳୁ ଉଠି ବାଟ ଝାଟିବାକୁ ଲାଗିପଡେ । ସମସ୍ତେ ଉଠିବା ପୂର୍ବରୁ , କାଉ କା କା ଡାକିବାର ବହୁ ପୂର୍ବରୁ , ରାସ୍ତା –ଘାଟ ସବୁ ଚଇନି-ଚିକଣ ।


 ମାତ୍ର ଏସବୁ ଦେହକିଳା-ଛାତିଫଟା କଥା ପଦୁ ବାବୁଙ୍କୁ ଜମା ଭଲ ଲାଗେନା । ସେ ମା’କୁ ଶୁଣେଇ କହନ୍ତି ।” ମୁଁ ସହି ପାରୁନି । ମୋ ଦେହରେ ନିଆଁ ଲାଗିଯାଉଛି । କାନମୁଣ୍ଡା ଟାଏଁ ଟାଏଁ ହୋଇଯାଉଛି । କଥା କ’ଣ ମା’ ତୁ ଜମା ବୁଝୁଛୁ ! କାମ କରିବୁ ; ପୁଣି ପରିବେଶକୁ ସଫା ରଖିବୁ ; ସ୍ଵଛ ଭାରତର ନାରାକୁ ସାକାର କରିବୁ ;ଭଲ କାମ କରିବୁ ।ଅଥଚ ଟାହିଟାପରା ଶୁଣିବୁ ; ମୁଣ୍ଡବିଧା କଥା ଶୁଣିବୁ । କ’ଣ ଘର ଭାତ ଗଡିଆ ପାଣି ତୋର ହଜମ ହେଉନି କି ?


ମା’ ଶୁଣେ ; ନଶୁଣିଲା ପରି ରହେ ।ଥେଣ୍ଟକାଲା ପରି କିଛି ଉତ୍ତର ଦିଏନା । ଖାଲି ମୁରୁକି ହସିଦିଏ । ତାର ପାନଖିଆ ପାଚିଲା ଦାନ୍ତ ସାଙ୍ଗକୁ ହସିଲା ମୁଁହକୁ ଦେଖିଲେ ମୋ ମନରେ ଉଠିଥିବା ବିଦ୍ରୋହ ବି ଦମିତ-ଅସ୍ତମିତ ହୋଇଯାଏ ଆପେ ଆପେ ।


ଦିନେ ମୁଁ ମା’ କୁ ପଚାରିଲି –“ ତୁ କେଉଁ ଧାତୁରେ ଗଢା ମା’ । ତୋତେ କ’ଣ ଏ ସବୁ ଛାତିଫଟା କଥା ଶୁଭୁନି ; ରାଗ ଲାଗୁନି । ତୁ କେମିତି ସହିଜାଉଛୁ ? ମୁଁ ଦେଖୁଛି ବରଂ ତୋ ମନରେ ବାଟ ଝାଟିବାକୁ ଅଫୁରନ୍ତ ଆନନ୍ଦ କେଉଁଠୁ ଆସି ଯାଉଛି ମା’ । ତାଙ୍କର ଟିଟିକାରିଆ ବାକ୍ୟ ବାଣରେ ଆହତ ହେବାତ ଦୂର , ପରାସ୍ତ ହେବାତ କୋଶେ ଦୂର ।ବରଂ ତୁ ଆହୁରି ମସ୍ତିରେ ଯୋଶରେ ଝାଡୁଧରି ତୟାର ରହୁଛୁ ।ଏତେ ସହନ ଶକ୍ତି , ଏତେ ସହନଶୀଳତା , ଏତେ ଶିଷ୍ଟତା ଶତ୍ରୁ ସହିତ ଦେଖେଇବା କ’ଣ ଶୋଭା ପାଉଛି ମା’ । ତୁ ଯାହା ବି କହ ମା’, ଆମେ ସବୁ ରକ୍ତ ମାଂସ ଧାରି ମଣିଷ , ଆମର ବି ଆତ୍ମସମ୍ମାନ ଅଚ୍ଛି । ଆଉ କେହିଜଣେ ଆମ ଆଗରେ ଆମ ମା’ କୁ ଏମିତି ଟାଣୁଆ –ହାଣୁଆ –ତେରେଛା କଥା ସକାଳୁ ସକାଳୁ ଦେଖେଉ ଦେଖେଇ କହିବ , ଆଉ ସହିହେଉନି । କେତେବେଳେ ହାତ ବାଡି ଉଠିଯାଇପାରେ ? ସେତେବେଳେ ମୋତେ ତୁ କିଛି ଉଁ କି ଚୁଉଁ କହିବୁ ତ ତୋର ଦିନେ କି ମୋର ଦିନେ । ଧନ୍ଦା ଚଲେଇ ଛନ୍ତି ଗୋଟେ । ତାଙ୍କ ପକ୍ଷ ଛେଦନ ଦରକାର । ଜେସାକୁ ତେସା , ହାରାମ୍ – ଜାଦୀକୁ କୁରାଢି ପସା ।


“ଧନରେ ! ବାପରେ ! ସୁନାରେ ! ମୁଁ ତ ପାଠ ପଢିନି । ମୁଁ ତ ଇସ୍କୁଲ ଯାଇନି । ମାତ୍ର ତୋ ଆଈ ଆର୍ଥାତ ମୋ ମା’ କହିଥିବା ମଞ୍ଜି କଥାଟା କହୁଛି ଶୁଣ ! ମନ-ଧ୍ୟାନ –ଚୈତନ ଦେଇ ଶୁଣ । ଅବୁଝା-ଅଳ୍ପବୁଝାମାନଙ୍କୁ ,କର୍ମକୋଢିଆ –ଗତରକୋଠିଆମାନଙ୍କୁ,ଖଚୁଆ-ପେଞ୍ଚୁଆଗଣଙ୍କୁ କଥା-ତର୍କ-ଗାଳି-କଳି ଦ୍ଵାରା ବୁଝେଇ ହେବନି । ତାଙ୍କ ତୀରଠାରୁ ଧାରୁଆ ମୁନିଆଁ କଥାକୁ ଦିହକୁ ନ-ନେଇ କେବଳ କାମ ଦ୍ଵାରା –କେବଳ ଅନବରତ ସତ କର୍ମ ଦ୍ଵାରା  ବୁଝେଇହେବ –ଜିତିପାରିହେବ ;ତାଙ୍କ ମୁଁହରେ ତାଲା ପକେଇହେବ ।କର୍ମ ହିଁ ଆମର ଜିତିବାର ଚାବିକାଠି ।”


 ମୁଁ ତୋ ମୋର ନିତିଦିନିଆ କାମ କରିଚାଲିଛି । କିଏ କ’ଣ କହୁଛି ଶୁଣିବାକୁ ବେଳ କାହିଁ ? ତାଙ୍କ କଥାକୁ କାନ ପାରିଲେ ମୋର ପାରିବା ପଣରେ -କାମ ସଂପାଦନରେ ମନ୍ଥରତା ଆସିବ ।ବାଟ ଝାଟିବା ମୋର ଅଭ୍ୟାସରେ ପରିଣତ ହୋଇଗଲାଣି । ଦେହ ଶୁଆ ହେଲାଣି । ନିଦ ତୋ ଆପେ ଆପେ ସକାଳୁ ଭାଙ୍ଗି ଯାଉଛି । ନ କଲେ ଦେହ ଖସ-ଖସ କରୁଛି । ଆଉ ନିଦ ଭାଙ୍ଗିଗଲେ ଠକାମି କରି ଅଳସୁଆମି ଦେଖେଇ ହେଉନି ଏ ବୟସରେ । ବାଟ ଝାଟିବା ଅଭ୍ୟାସରେ ପଡିଗଲାଣି । ଅଭ୍ୟାସ ବଳରେ ଅସାଧ୍ୟକୁ ବି ସାଧ୍ୟ – ହାସଲ କରିହେବ ବାପ ! ଆଉ ଏମାନେ-ସବୁ କେଉଁ ଗାଈର ଗୋବର କି , କେଉଁ କ୍ଷେତର ମୂଳା କି ? ଘୁଷୁରି ସହିତ ଲଢେଇକରି ଜିତିଲେ ବି ଦେହ ପରା ଅସନା ହେବ ।


ସେ ଅତି ସରାଗରେ ମୋ ମଥାରେ ତା’ର ସେହି ଶିରାଳ ହାତ ବୁଲେଇ ଆଣିଲା ଆଉ ପୁଣି ତା’ କାମରେ ଲାଗିଗଲା । ମୁଁ ତାକୁ ପଛରୁ ଦେଖୁଥିଲି ଆଉ ତାର ମଞ୍ଜି କଥାର ମର୍ମକୁ , ଅଭୟ ହସ୍ତର ବରାଭୟକୁ , ଅପାଠୁଆ ମଗଜରୁ ନିର୍ଗତ ଯୁକ୍ତିକୁ ମୋ ପୋଷ୍ଟ –ଗ୍ରାଜୁଏଟ ଡିଗ୍ରୀର ତରାଜୁରେ ତଉଲି ଚାଲିଥିଲି । ମଞ୍ଜି ତ ନୁହେଁ ପୁରା କଲମି ମଞ୍ଜି ।


Rate this content
Log in

Similar oriya story from Inspirational