Satyabati Swain

Inspirational

4.5  

Satyabati Swain

Inspirational

କଳା ମୁଗୁନି ପଥର

କଳା ମୁଗୁନି ପଥର

5 mins
302



ସବୁଠି ମୋର ଚର୍ଚ୍ଚା। ମେଘନା ଦାଶ ଏବେ ଜଣେ ସେଲିବ୍ରିଟି ! 


ଯଦି ସେଲିବ୍ରିଟି ହୋଇ ନ ଥାନ୍ତି ତ ?କଣ ହୋଇଥାନ୍ତା ଲୋ ମେଘା ତୋର ! 



କଳା ମୁଗୁନି ପଥର !


ଡ୍ରେସିଂ ଟେବୁଲ ଦର୍ପଣ କହୁଥିଲା ହଁ।


ସାଙ୍ଗ ସାଥି କହୁଥିଲେ କାଳିଟା।


ବଡ଼ କ୍ଳାସ ଅପା ଭାଇ କହୁଥିଲେ ଅନ୍ଧାର ।

କେହି କେହି ଡାକୁଥିଲେ ରାତି।


ରାତି !


ସତରେ ମୁଁ ଏତେ ଅନ୍ଧାର ! ରାତି ପରି। ବେଶୀ ପରିଚିତ ଥିଲି କଳା ମୁଗୁନି ପଥର ରୂପେ।କିନ୍ତୁ ଦେଖି ନ ଥିଲି କଳା ମୁଗୁନି ପଥର। ସେ କଣ ମୋ ପରି ! ପ୍ରଶ୍ନ ମୋ ଛାତିରେ ବାଡେଇ ହୋଇ ଆକ୍ତା ମାକ୍ତା କରୁଥିଲେ ସବୁବେଳେ।


ଥଟ୍ଟାଳିଆ ଅଜା ଆଈ କହୁଥିଲେ କାଳି ମାଆ। ।ଓ ମାଆକୁ କହୁଥିଲେ, ଏତେ କଳା ନେସି ହୋଇ ଆସିଛି ତୋ ଝିଅ "କଳା ମୁଗୁନି ପଥର " ହୋଇ ? ହଇଲୋ ସୁକାନ୍ତି କିଏ ଏ କାଳି ମୁଣ୍ଡି ତମ୍ପ ସାପଟିକୁ ନେବ ? ଭାରି ହଇରାଣ କରିବ ତୁମକୁ ବଡ଼ ହେଲେ। 


ମୋ ଅନ୍ୟ ଦୁଇ ଭାଇ ଓ ଦୁଇ ଭଉଣୀ ମୋତେ ସାଙ୍ଗରେ କେଉଁଠିକୁ ନେଉ ନ ଥିଲେ । ତାଙ୍କୁ କାଳେ ଲାଜ ଲାଗୁଥିଲା ମୋ ପରି କାଳି ଟାକୁ ସାଙ୍ଗରେ ନେଇ ଅପଦସ୍ତ ହେବାକୁ। କିଏ କହିବ ଏ "କଳା ମୁଗୁନି ପଥର " ତାଙ୍କ ଭଉଣୀ ବୋଲି। 


ମିଚି ମିଚି କାଳି ! ସେଥିରେ ନାଁ କଣ ନା ମେଘା ! ମେଘନା ଦାଶ।


ମେଘା ହେବା ମୋ ହାତରେ ଥିଲା କି ?

ମୁଁ କଣ ନିଜେ ନିଜକୁ ରାତି କରିଛି ?ଖୁବ୍ ଅସହଜ ହେଉଥିଲି କାଉ, କାଳି, ଅନ୍ଧାର , ରାତି ଓ କଳା ମୁଗୁନି ପଥର ଶବ୍ଦ ମାନଙ୍କ ଭିତରେ । ମୋ ପିଲା ମନ କ୍ଷତାକ୍ତ ହେଉଥିଲା ଏପରି ଘନ ଘନ ଶବ୍ଦ ମାନଙ୍କ ଶର ନିକ୍ଷେପରେ। କଣା ହୋଇ ଯାଉଥିଲା ଛାତି । ନିରବତା ଓ ନିସଙ୍ଗତା ପରିବେଶକୁ ନିଜର କଲି ଅନ୍ୟ ମାନଙ୍କ ନଜରରୁ ମୁକ୍ତ ହେବା ପାଇଁ। ହଜିଲି ବହି ଭିତରେ। ହଜାଇଲି ଶୈଶବ ଓ କୈଶୋର ଖେଳ କୁଦ, ଗୀତ ମାଧ୍ୟମରେ। ବିଲେଇ,କୁକୁର, ଗାଈଙ୍କ ସହ ମୋ ଭିତର କଥା ବାଣ୍ଟିଲି। 


ମାଆ କିନ୍ତୁ ମୋ ଦେହର ଚମ ଉତ୍ତାରି ନୂଆ ଚମ କରିବା ପାଇଁ କେତେ କଣ ଘଷୁଥିଲା । ଡ଼ାକ୍ତର ଅଙ୍କଲଙ୍କ ସହ ପରାମର୍ଶ କରି କଣ କଣ ଖୁଆଉଥିଲା ଓ ମାଲିସ କରୁଥିଲା କେତେ ପ୍ରକାର ତେଲ ।


କଳା ମେଘର ବାଦଲଟା କଣ ଧଳା ମେଘ ପାଲଟନ୍ତା ! ନା କଳା ମୁଗୁନି ପଥର ମାର୍ବଲ ହୁଅନ୍ତା ! ବରଂ ଆହୁରି ଖରାପ ହେଲା ମୋ ଦେହରେ ରିଆକ୍ସନ ହୋଇ। ଘାଆ ହୋଇଗଲା ଦେହ ସାରା।ଏମିତିରେ ଚିକକଣ କଳା ମୁଗୁନି ପଥରେ ଦେହରେ ଛାପି ଛାପିକା ଚିହ୍ନ ଆହୁରି କଦର୍ଯ୍ୟ ଦିଶିଲା।


ଦେହ ହାତ କୁଣ୍ଡେଇ ହେଲା ପ୍ରବଳ । ଏ ଦଶାରୁ ସେ ଦଶା ବଳି ପଡିଲା।


ଶୈଶବ ମୋର ଏମିତି ଚମ ଚିକ୍କଣ ଓ ସୁନ୍ଦରିଆ କରିବା ଚେଷ୍ଟାରେ କଟି ଗଲା ଘାଆ ବାଲୁସାଲୁ ହୋଇ। ମାଆ ମୁହଁ କରୁଣ ଓ ବାପା ମୁହଁ ରୁକ୍ଷ ଦିଶିଲା। ଗୀତ କିନ୍ତୁ ମୋ ଦେହର ଘାଆକୁ ଲୁଚେଇ ଦେଉଥିଲା ତା ଚିକିମିକି ଯାଦୁ ଉତ୍ତରୀ ଘୋଡେଇ।


କୈଶୋର ଚାଦର ଘୋଡ଼ି ହୋଇ ଯେତେବେଳେ ଏ କଳା ମୁଗୁନି ପଥରଟି ଖେଳକୁଦରେ ଚମ୍ପିୟାନ ହେଲା ତ ମୁଗୁନି ପଥରଟାର ଗୋଟେ ଭବିଷ୍ୟତ ଅଛି ବୋଲି କେହି କେହି ଗଣନା କଲେ। ସବୁ ଖୁସି ମୋର ପାଣି ଫୋଟକା ହୋଇ ଫାଟି ଯାଆନ୍ତି ମୋ ଦେହର ରଙ୍ଗ ପାଖରେ। ଦେହ ସିନା ମୁଗୁନି ପଥର ରଙ୍ଗ ; ହେଲେ ହୃଦୟ ! ସେତ ଲହୁଣୀ ପରି !


ଲହୁଣୀ ହୃଦୟ ନେଇ ମୁଁ ଯୌବନ ଖୋଳପା ଭିତରେ ପଶିଲି। ନରମ ହୃଦୟଟା ଭାବିଲା ନାହିଁ ସେ ମୁଗୁନି ପଥର। କଠିନ ତାର ଆବରଣ । ସେ କେବଳ ନିହାଣ ଆଘାତ କିମ୍ବା ଗୋଡ଼ ଘଷା ପାଇବାକୁ ଯୋଗ୍ୟ। ବୋଲ ମାନିଲା କେଉଁ ମନ ! ପ୍ରେମିଳ ହୋଇଗଲା ହୃଦୟ। ସେ ପ୍ରେମ କଲା ବିଶ୍ୱ ମୋହନ ; ବିଶୁକୁ। ପ୍ରେମ କଣ ଚମର ରଙ୍ଗ କଥା ବୁଝେ ! ପ୍ରେମ ତ ବୟସ ହେଲେ ପ୍ରେମ କରିବା ଜାଣେ ।


ବିଶୁ ତା ଦୁଇଟି ଉପର ବ୍ୟାଚର ପିଲା। ସ୍କୁଲର ଯେ କୌଣସି ପ୍ରତି ଯୋଗୀତ ସହ ସମର କ୍ୟାମ୍ପ ହେଉ କି ଉଇଣ୍ଟର ମିଟ୍ ରେ ଯେତେ ପ୍ରତିଯୋଗିତା ହେଉଥିଲା ମେଘନା ଦାଶ ପ୍ରଥମ ଓ ବିଶ୍ୱମୋହନ ତ୍ରିବେଦୀ ଦ୍ଵିତୀୟ।


ବୋଧେ ବିଶୁ ଅଭିନୟ କରୁଥିଲା ମୋତେ ଭଲ ପାଏ ବୋଲି। ହୋଇଥାଇ ପାରେ ମୋର ଭ୍ରମ ଯେ ବିଶୁ ଶ୍ରେଷ୍ଠ କାରିଗର ହୋଇ ମୋ ପରି ଏକ ମୁଗୁନି ପଥରକୁ ନେଇ ମୂର୍ତ୍ତୀଟିଏ ଗଢି ଥାପିବ ଅନ୍ୟ ଏକ କୋଣାର୍କ ସୃଷ୍ଟି କରି। ବାସ୍ତବରେ ସେ ଜଳୁଥିଲା ମୋ ଉପରେ ଭିତରେ ସବୁଥିରେ ପ୍ରଥମ ହୋଇ ଚମ୍ପିୟାନ ଟ୍ରଫି ହାତଉଛି ବୋଲି। ହସି କିନ୍ତୁ ହାତ ମିଲାଉଥିଲା କଗ୍ରାଚୁଲେସନ କହି ଉପରେ।ଷଡଯନ୍ତ୍ର କରୁଥିଲା ପ୍ରେମିକା ସଜେଇ ମୋ ଦୃଢ଼ ଇଛାଶକ୍ତିକୁ ମିଛ ପ୍ରେମ କରିବା ଜାଲରେ ଛନ୍ଦି।



ବୋକି ମୁଗୁନି ପଥର କିନ୍ତୁ ଭଳି ଯାଉଥିଲା ବିଶୁ ପରି ସୁନ୍ଦର,ସୁଧାର ପିଲାଟି ମିଛ ମିଠା କଥାରେ। ସେ ସିନା ତା ସ୍ୱାର୍ଥ ହାସଲ କରିବା ପାଇଁ ଚମ୍ପିୟାନ ଟ୍ରଫି ନେବ ବୋଲି ଛଳନା କରୁଥିଲା ମୋ ସହ ! ମୁଁ ତ ମାଟିରେ ପାଦ ଥାପି ଆକାଶରେ ଉଡାଣ ଭରୁଥିଲି, ଭଲ ପାଉଥିଲି ବିଶୁକୁ କୋଣାର୍କର କେଉଁ ଏକ ମୂର୍ତ୍ତି ହେବା ଲକ୍ଷ୍ୟରେ ବିଶୁ ପ୍ରେମ ନିହାଣ ମୁନର ସ୍ପର୍ଶ ପାଇ।


 ବିଶୁ କହୁଥିଲା, ମେଘା ତୋ ଭିତରେ ବହୁ ଟ୍ୟାଲେଣ୍ଟ। ଯେ କେହି ବି ତୋ ପ୍ରେମରେ ପଡିପାରେ। 


 ଯେ କେହି ! ଏପରିକି ତୁମେ ବି ?


ହୁଁ ଥିଲା ତାର ଜିଭର ସଂକ୍ଷିପ୍ତ ଉତ୍ତର। ମନ ଭିତରେ କୁନ୍ତୁ ଥିଲା ପ୍ରାଚୀ। ଚନ୍ଦ୍ରଭାଗାର ଝାଉଁ ବଣରେ ସେ ଦୁଇଜଣ ସ୍ୱପ୍ନ ଦେଖୁଥିଲେ ଏକାତ୍ମ ହୋଇ। 


ଏକାଦଶ ବର୍ଷ ବିଶୁ ଚମ୍ପିୟାନ ହେଲା ଆଉ ହସି ହସି କହିଲା ପ୍ରେମ ନା ପ୍ରେମ । ତୋ ପରି ମୁଗୁନି ପଥର ସହ ଖେଳା ଯାଇ ପାରେ ପ୍ରେମ ଏତେ ଅସୁନ୍ଦର ଝିଅକୁ କିଏ କରିବ ? ଏଇ ଟ୍ରଫି ଦେଉ ନ ଥିଲୁ ନା ମୋତେ ? ଦେଖ୍ ବୋକି ଝିଅ ଟ୍ରଫି ଏବେ ମୋର।


ଝଣ କରି କଣ ଗୋଟେ ଶବ୍ଦ ହେଲା ମୋ ଭିତରେ।ସାମାନ୍ୟ ହସି କହିଲି , ତୁମେ ନୁହଁ ବିଶୁ ମୁଁ ହିଁ ମୋ ପ୍ରେମର ଆନନ୍ଦ ପାଇଁ ଏତିକି ତ୍ୟାଗ କରିଛି। ଆଉ ଗୋଟେ ବର୍ଷ ତୁମ ହାତରେ ଅଛି ତ ଦେଖାଇ ଦିଅ ତୁମେ କେତେ ସମର୍ଥ୍ୟ ? ବାଜି ରହିଲା କିଏ ଜିତୁଛି ଦେଖିବା ।


ମୂର୍ତ୍ତି ନୁହେଁ କାହା ଘର ଆଗ ପାହାଚରେ ପଡିବା ଓ ପାଦ ଘଷା ହେବା ପାଇଁ ମୋର ଜନ୍ମ। ବୁଝାଇ ନେଲି ନିଜକୁ ।ଏଥର ମୋତେ ଆହୁରି ଫୁର୍ତ୍ତି ଆହୁରି ଆତ୍ମ ବିଶ୍ବାସର ସହ ଆଗକୁ ବଢିବାକୁ ପଡିବ । ଇଣ୍ଟର ଷ୍ଟେଟ ପ୍ରତିଯୋଗିତାରେ ମୋତେ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଲା। ଦ୍ୱାଦଶ ବର୍ଷ ଧର୍ମପଦ ମୋ ପ୍ରତି ବନ୍ଧୁତାର ହାତ ବଢ଼େଇଲା।। ସେ ବିଶ୍ୱ ମୋହନକୁ ପଛରେ ପକାଇ ପ୍ରାଚୀକୁ ନିଜର କରିବାକୁ ଚାହୁଁଥିଲା ମୋତେ ମାଧ୍ୟମ କରି ।


ମନକୁ ମନ ହସିଲି। ପ୍ରେମ ପାଇଁ କି ପ୍ରତିଯୋଗିତା ! ପ୍ରେମ କଣ ହାସଲ କରିବାର ବସ୍ତୁ ନା ପଦକ ହୋଇଛି ? ପ୍ରେମ ତ ହୃଦୟରୁ ହୁଏ। ସ୍ୱାର୍ଥୀ ନୁହେଁ ସାଥି କରାଏ ସାଥ୍ ଦିଏ । ଧର୍ମପଦ ବୋକାଟା। ମିଛ ହେଉ ନା କାହିଁକି ବିଶୁ ମୋର ପ୍ରଥମ ପ୍ରେମିକ। ତାକୁ ଅନ୍ୟ କେହି ହରାଉ ପୁଣି ମୋତେ ଅସ୍ତ୍ର କରି ଏଇଟା କେମିତି ସମ୍ଭବ? ଏଣୁ ଧର୍ମପଦ ବି ମୋର ହୋଇ ରହିଲା ନାହିଁ। 


ବିଶୁର ସ୍କୁଲ ଛାଡିବା ଶେଷବର୍ଷ କିନ୍ତୁ ଅତି ଦହନୀୟ ଅବସ୍ଥା ହେଲା । ପ୍ରାଚୀ ତା ସହ ଖେଳି ଶେଷରେ ସୂର୍ଯ୍ୟକୁ ନିଜ ପ୍ରେମିକ ଘୋଷଣା କଲା । ବିଚରା ବିଶ୍ୱମୋହନ ପ୍ରାଚୀର ବି ମୋହନ ହୋଇ ନ ପାରିବା ଦୁଃଖରେ ନିଶା ଖାଇ ନିଜକୁ ବର୍ବାଦ ରାସ୍ତାର ବାଟୋଇ କଲା । ବହୁତ ଦୁଃଖ ହେଲା ମୋତେ। କଳା ମୁଗୁନି ପଥର ଲହୁଣୀ ହୃଦୟରୁ ବିଶୁ ପାଇଁ ଆହା ସ୍ୱରଟିଏ ବାହାରି ଶୁନ୍ୟରେ ମିଳେଇ ଗଲା ।


ତାପରେ କିଏ କୁଆଡେ ଗଲେ କଣ କଲେ କେହି କାହାର ହିସାବ ରଖିଲେ ନାହିଁ । ମୋତେ ନୁହେଁ ମୋ କୃତି ଓ ପଦକ ସମସ୍ତଙ୍କର ପ୍ରିୟ ହେଲା। କଳା ମୁଗୁନି ପଥର ଯେ ମୂଲ୍ୟବାନ ଏକଥା ମେଘି, କାଉ ,ରାତି 

,ଅନ୍ଧାର କହୁଥିବା ଲୋକେ ବୋଧେ ବୁଝିଲେ ।



ମୁଁ କିନ୍ତୁ ମୂର୍ତ୍ତି ହୋଇ କେଉଁ ମନ୍ଦିର କାନ୍ଥରେ ଆଉ ଛାପି ହେବାକୁ ମନ ବଳେଇଲି ନାହିଁ । ମୁଗୁନି ପଥର ହୋଇ ସନ୍ତୁଷ୍ଟ ହେବା ଚେଷ୍ଟାରେ ସ୍ପୋର୍ଟସ କଲେଜରେ ନାମ ଲେଖାଇ ଉଡାଣ ଭରିଲି ଖୁବ୍ ଉଚ୍ଚକୁ।ଅଲମ୍ପିକରେ ଭାରତକୁ ଆଣିଦେଲି ଗୌରବ ସ୍ୱର୍ଣ୍ଣ ପଦକ ଦେଇ।



ଏବେ ମୋ ପାଖେ ପ୍ରତିଷ୍ଠା, ଅର୍ଥ ଓ ସମ୍ମାନ ଗଦା ଗଦା। ସେଲିବ୍ରିଟି ମୁଁ । କେତେ ବିଶୁ ଅନେଇଁ ବସିଛନ୍ତି ମୋତେ ଜୀବନ ସାଥୀ କରିବାକୁ। ମୁଁ କିନ୍ତୁ ସିଦ୍ଧାନ୍ତ କରି ସାରିଛି ଏକା ଏକା ଉଡାଣ ଭରିବି। ମୋ ଦେଶ ଓ ମୋ ପରି କିଛି ଲୋକଙ୍କ ଉପକାରରେ ଆସିବି ବୋଲି। ତଥାପି ହୃଦୟର କେଉଁ କୋଣେ ବିଶୁ ମନେ ପଡିଲେ ଲୁହ ଟୋପେ ହସ ଭିତରେ ଚୁପ୍ କି ମୋତେ ଚିମୁଟେ।



ବାସ୍ ! କଳା ମୁଗୁନି ପଥରରୁ ଧୋବ ଫର ଫର ଅତି ସୁନ୍ଦର ମାର୍ବଲ ପଥରଟିଏ ଏବେ ସେଲିବ୍ରିଟି ମେଘନା ଦାଶ।





Rate this content
Log in

Similar oriya story from Inspirational