କ୍ଲାନ୍ତ ଅପରାହ୍ନ
କ୍ଲାନ୍ତ ଅପରାହ୍ନ
ନିର୍ନିମେଷ ନୟନରେ ଦୂର ଆକାଶକୁ ଚାହିଁଥିଲା ହରିଶଙ୍କର । ଆକାଶରେ ଧାଡ଼ିବାନ୍ଧି ଧୀରେ ଧୀରେ ଚାଲୁଥିବା ଧଳା ବାଦଲଗୁଡିକୁ ଦେଖୁଥିଲା । ସନ୍ଧ୍ୟା ହେବାକୁ ଅନେକ ସମୟ ବାକି ଅଛି, ଅପରାହ୍ନରୁ ବିଦାୟୀ ସୂର୍ଯ୍ୟ ମ୍ଳାନ ହୋଇ ଆସିଲେଣି । ଜୀବନର ଅପରାହ୍ନରେ ପାଦଥାପି ହରିଶଙ୍କର ଆକାଶରେ କଣ ଖୋଜୁଥିଲା ଯେମିତି । ଭାବୁଥିଲା, ତାର ସ୍ୱର୍ଗତ ବାପାଙ୍କର ଆତ୍ମାଟା କେଉଁଠି ନା କେଉଁଠି ଘୁରିବୁଲୁଥିବ ନିଶ୍ଚୟ । ମନେ ମନେ କହୁଥିଲା, ଦେଖ ବାପା, ମୋତେ ଥରେ ଅନ୍ତତଃ ସେଇ ସ୍ଵର୍ଗରେ ଥାଇ ଦେଖ, ତୁମର ଆଦରର ହରି ଆଜି କେମିତି ଜୀବନର ଅପରାହ୍ନରେ କ୍ଲାନ୍ତ ହୋଇପଡିଛି । ମୁଁ ଏବେ ରୋଗଗ୍ରସ୍ତ, ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି, କେବଳ ଅପେକ୍ଷା କରିଛି ମରଣକୁ, ମୁଁ ତୁମ ପାଖକୁ ଯିବାକୁ ଚାହେଁ ବାପା । ନିଜ ଅଜାଣତରେ ତା ଆଖିରୁ ବୋହିଆସିଥିବା ଲୁହଧାରକୁ ପୋଛିଲା ହରିଶଙ୍କର । ହୃଦୟଟା ଯନ୍ତ୍ରଣାରେ ଖଣ୍ଡବିଖଣ୍ଡିତ ହୋଇ ଯାଉଥିଲା ଯେମିତି । ଅଶାନ୍ତିରେ ଦଗଧିଭୂତ ମନଟା ମୋଟେ ବୁଝୁନଥିଲା ତାର ।
ବାପା ମଲାବେଳକୁ ହରିଶଙ୍କରର ବୟସ ମାତ୍ର ସତର ବର୍ଷ । ଚାରି ଭାଇଭଉଣୀ ସେମାନେ, ସେ ବଡ଼, ତା ତଳକୁ ମଝିଆଁ ନରି ତା ତଳେ ଗୋଟେ ଭଉଣୀ ରାନୀ, ସବାସlନ ଭାଇ ଧିରେନ । ମଧ୍ୟବିତ୍ତ ପରିବାର । ଦୁଃଖେକଷ୍ଟେ ଚଳିଯାଆନ୍ତି । ରୋଗରେ ପଡି ମରିଗଲେ ଅଧା ବୟସରେ ତାର ବାପା | ମରିବାପୂର୍ବରୁ ସେ ହରିଶଙ୍କରକୁ ପାଖକୁ ଡାକି କହିଥିଲେ, ହରିରେ, ମୁଁ ତ ଆଉ ବଞ୍ଚିବିନି, ଏ ପରିବାର ତୋତେ ହିଁ ଲାଗିଲା, ତୋ ମାଆ ଆଉ ଭାଇଭଉଣୀମାନଙ୍କର ସବୁ ଦାୟିତ୍ୱ ନେବୁ, ପର କରିବୁନି କେବେ ସେମାନଙ୍କୁ । ସେତେବେଳେ ଏସବୁ କିଛି ମୁଣ୍ଡରେ ପଶିନଥିଲା ହରିଶଙ୍କରର । କିନ୍ତୁ ଯେତେବେଳେ ବାପା ମରିଗଲେ, ଧୀରେ ଧୀରେ ବାପାଙ୍କ କଥା ବୁଝିଲା ସିଏ । ବଞ୍ଚିଥିବାବେଳେ ତା ବାପା ତାକୁ ବହୁତ ଭଲପାଉଥିଲେ, ବଡପୁଅ ସିଏ । ଏବେ ବି ସବୁକଥା ମନେଅଛି ତାର, ବାପା ସେଦିନ ଏକଥା କହିବାବେଳେ କାନ୍ଦୁଥିଲେ, ହରିଶଙ୍କର ସେଦିନ ବାପାଙ୍କୁ କିଛି ବି କହିନଥିଲା, କେବଳ ନିଜ ଗାମୁଛାରେ ବାପାଙ୍କ ଲୁହ ପୋଛିଦେଇଥିଲା । ତାର କିଛି ସମୟ ପରେ ତା ବାପା ଚାଲି ଯାଇଥିଲେ ଆରପାରିକୁ ।
ବାପାଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ହରିଶଙ୍କର ଉପରେ ହିଁ ପଡିଲା । ବାପା କହିଥିବା କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମନେ ମନେ ସ୍ଥିରକଲା ସିଏ । ସାନ ଭାଇଭଉଣୀଙ୍କୁ ମଣିଷ କରିବା ଦାୟିତ୍ୱ ଏବେ ତାର । ସବୁ ଝଡଝଞ୍ଜାକୁ ସହିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିଲା । ବାପାଙ୍କ ମୃତ୍ୟୁପରେ ମାଆ ପୁରା ଭାଙ୍ଗିପଡ଼ିଥିଲା, ତାକୁ ସାହସ ଦେଇଥିଲା ହରିଶଙ୍କର, କହିଥିଲା, ତୁ କାହିଁକି ବ୍ୟସ୍ତ ହେଉଛୁ ମାଆ, ମୁଁ ପରା ବଡ଼ଟିଏ ହେଲିଣି, ଏଣିକି ସବୁକଥା ବୁଝିବି ମୁଁ । ସେଇଦିନଠାରୁ ନିଜକୁ ମାଟିସହିତ ମିଶାଇ ଦେଇଥିଲା ସିଏ । ଜମି ବୋଲି ଚାରି ଏକର ଖଣ୍ଡେ ହେବ । ବାପାଙ୍କ ପରି ଚାଷ କାମରେ ମନଦେଲା, ଧୀରେ ଧୀରେ ସବୁ କାମରେ ପାରଙ୍ଗମ ହୋଇଗଲା ।
ପୌଷର ସନ୍ଧ୍ୟା ଧୀରେ ଧୀରେ ଘନେଇ ଆସୁଥିଲା । ନିଜ ଘରର ଦlଣ୍ଡପିଣ୍ଡାରେ ବସି ରାସ୍ତାକୁ ଚାହିଁଥିଲା ହରିଶଙ୍କର । ଦାଣ୍ଡରେ ଶଗଡ଼ରେ ବିଲରୁ ଧlନବୁହା ଚାଲିଛି, ମନେପଡୁଥିଲା ତାର, ସେ ବି ଦିନେ ଏମିତି ଏଇ ପୌଷ ମାସରେ ଧାନ ବିଲରୁ ଶଗଡ଼ରେ ବୋହି ଆଣୁଥିଲା । ସେଦିନ ଆଉ ଆସିବ ନାହିଁ ତା ଜୀବନରେ । କେତେ ଖୁସି ଲାଗୁଥିଲା ସେତେବେଳେ ! ଆଉ ସେ ଜମି ଅଛି ନା ଚାଷ କରିବା ପାଇଁ ତା ଦେହରେ ଆଉ ବଳ ଅଛି !
ରାଜଯକ୍ଷ୍ମା ଭଳି ରୋଗରେ ସେ ଆକ୍ରାନ୍ତ, ପୁରୁଣା ହୋଇଗଲାଣି ରୋଗଟା, ଯେତେ ପ୍ରକାର ଔଷଧ ଖାଇଲେ ବି ଆଉ ଭଲହେଉନି, କମିଯାଉଛି ପୁଣି ବାହାରୁଚି, ନିୟମିତ ଔଷଧ ଖାଇଲେ କଣ ଅବା ହୁଅନ୍ତା, କିନ୍ତୁ ଅର୍ଥ ବାଧକ ସାଜୁଛି । ଲୁହାଭଳି ଦେହଟା ପୁରା ଦୁର୍ବଳ ହୋଇଗଲାଣି ତାର । ଯନ୍ତ୍ରଣା ବି କମ୍ ନୁହେଁ । ଲହର କାଶରେ ପ୍ରାଣ ଛାଡିଯାଉଛି । ପାଖରେ ଏବେ ଧନ ନାହିଁ କି ସାହାଯ୍ୟ କରିବାପାଇଁ କେହି ମଣିଷଟିଏ ବି ନାହିଁ । ବାପାଙ୍କର ଯାହା ଜମିବାଡ଼ି ଥିଲା, ସେ ସବୁ ସାନ ଭାଇ ଦୁଇଜଣଙ୍କ ପାଠପଢା ଓ ଭଉଣୀଟିର ବାହାଘର ପାଇଁ ବିକ୍ର
ିକରି ଦେଇଥିଲା ସିଏ । ଭାବିଥିଲା, ଜମି ଯାଉ ଏବେ, ଭାଇମାନେ ଚାକିରୀ କରି ଟଙ୍କା ପଠାଇଲେ ଏମିତି କେତେ ଜମି ସିଏ କିଣିଦେବ । କିନ୍ତୁ ତା ଆଶା ଆଶାରେ ହିଁ ରହିଲା । ଭାଇମାନେ ବଡ ବଡ ଚାକିରୀ କଲେ, କିନ୍ତୁ ସେଇ ଆଡେ ରହିଲେ । ସହରରେ ବଡ ବଡ ଘର କରି ସାରିଲେଣି । କେବଳ ସିଏ ପଡ଼ିରହିଛି ଏଇ ଗାଁରେ । ମାଆଟା ବି ମରିଗଲାଣି କେବେଠାରୁ, ଭଉଣୀର ବାହାଘର ପରେପରେ ।
ଭଲହୋଇଛି ମରିଯାଇଛି ସିଏ, ବଞ୍ଚିଥିଲେ ଗଣ୍ଡେ ଭଲରେ ଖାଇବାକୁ ବି ଦେଇପାରନ୍ତା ନାହିଁ ସିଏ ମାଆକୁ । ହରିଶଙ୍କର ଭାବୁଥିଲା, ଜୀବନରେ କେବେ ତ ସିଏ କିଛି ଭୁଲ କାମ କରିନାହିଁ, ସମସ୍ତଙ୍କ ଦୁଃଖରେ ଦୁଃଖୀ, ସମସ୍ତଙ୍କ ସୁଖରେ ମଧ୍ୟ ସୁଖୀ ଥିଲା ସିଏ । ଭାଇଭଉଣୀମାନଙ୍କ ଭବିଷ୍ୟତ ପାଇଁ ନିଜେ ବି ବିବାହ କଲା ନାହିଁ । ମାଆ ସେତେବେଳେ ବହୁତ ଜିଦ ଧରିଥିଲା, ହେଲେ ସିଏ କାଠିପlଞ୍ଚଣ ଛୁଆଇଁ ଦେଲାନାହିଁ, ତା ମନରେ ଭୟ ଥିଲା, ସେ ବିଭା ହେଲେ, ପରଝିଅଟିଏ ଘରକୁ ଆସିବ । କାଳେ ଭାଇଭଉଣୀଙ୍କ କାମରେ ହସ୍ତକ୍ଷେପ କରିବ । ସେମାନଙ୍କ ପାଠପଢାରେ ବାଧକ ସାଜିବ । ସେଥିପାଇଁ କାହାକଥା ରଖିନଥିଲା ସିଏ ।
ମଝିଆଁ ଭାଇ ନରି ଚାକିରୀ କଲାପରେ ସୁନ୍ଦର ଶିକ୍ଷିତା ଝିଅଟେ ଦେଖି ତାକୁ ବାହା କରେଇ ଦେଇଥିଲା ହରିଶଙ୍କର । ବାହାଘର ପରେ ପରେ ହିଁ ସେ ତା ସ୍ତ୍ରୀକୁ ଧରି ଚାକିରୀ ଜାଗାକୁ ଚାଲିଯାଇଥିଲା । ତା ସ୍ତ୍ରୀ ଏ ଗାଆଁରେ ଚଳିପାରିବନି, ଯୁକ୍ତି କରିଥିଲା ନରି । ସେ ବି କାହିଁକି ମନା କରିଥାନ୍ତା, ଯାହାହେଲେ ନୂଆ ବୟସ ତାଙ୍କର, ଯାଆନ୍ତୁ ବାହାରକୁ । ସେମାନେ ଯିବାର କିଛିଦିନ ପରେ ହରିଶଙ୍କର ଥରେ ଯାଇଥିଲା ସେମାନଙ୍କ ପାଖକୁ, ଏକା ଆଉ କେତେଦିନ ରାନ୍ଧିବାଢି ଖାଇବ !କିନ୍ତୁ ସେଠାରେ ଗୋଟିଏ ଦିନ ରହିବା ପରେ ସାନବୋହୂ କହିଲେ, ଏତେ ଛୋଟ ଘରେ ଆମେତ ଚଳି ପାରୁନୁ ଭଲରେ, ତମେ କେମିତି ଏଠାରେ ରହିବ ଭାଇ । ଚମକି ପଡିଥିଲା ହରିଶଙ୍କର ସେଦିନ ସାନବୋହୂଙ୍କର କଥାଶୁଣି, କହିଲା, ନା ବୋହୂମା, ମୁଁ ତ ଆଜି ଗାଆଁଙ୍କୁ ଚାଲିଯିବି, ମୁଁ କଣ ଏଠାକୁ ରହିବାକୁ ଆସିଛି । ସେଇଦିନ ହିଁ ସେଠାରୁ ଫେରିଆସିଥିଲା ହରିଶଙ୍କର, ଆଉ କେବେବି ଯାଇନି ସେଠାକୁ । ଆଉ ସାନଭାଇ ଧିରେନ ଚାକିରୀ କଲାପରେ ନିଜେ ନିଜେ ସେଇଆଡ଼େ ତାର ଭଲପାଇ ବାହାହେଇଗଲା । ତା ସ୍ତ୍ରୀ ବି କୁଆଡେ ଚାକିରୀ କରିଛନ୍ତି । ସେଠିକୁ ବି ଥରେ ଯାଇଥିଲା ହରିଶଙ୍କର ଦେଖିଆସିବାକୁ ସେମାନଙ୍କୁ, ସେତେବେଳକୁ ବି ତାକୁ ଏଇ ରୋଗଟା ଟିକେ ଟିକେ ଧରିଲାଣି । ମନେ ମନେ ଭାବିଥିଲା, ଧିରେନକୁ ରୋଗ ବିଷୟରେ କହିବ, କିଛି ଟଙ୍କା ଦେଲେ ଔଷଧପତ୍ର ଖାଇବ । ସେଠାରେ ଠିକଣା ପଚାରି ପହଞ୍ଚି ଭିତରକୁ ଯାଇଥିଲା । ହେଲେ ସାନବୋହୁ ତ ତାକୁ ଆଗରୁ ଚିହ୍ନି ନଥିଲେ, ଧିରେନକୁ ପଚାରିଲେ ମୋ ବିଷୟରେ ବୋଧେ, କିନ୍ତୁ ଧିରେନ ଉତ୍ତର ଦେଇଥିଲା, ସେ ଆମ ଗାଆଁର, ଆମ ଘରେ ଚାକର କାମ କରେ । ପୋର୍ଟିକୋରେ ବସି ଶୁଣୁଥିଲା ହରିଶଙ୍କର ସେମାନଙ୍କ କଥା, ଘର ଭିତରେ ସେମାନେ କଥା ହେଉଥିଲେ । ଉଠି ଛିଡାହେଲା ହରିଶଙ୍କର, ଘରର ଫାଟକ ଖୋଲି ବାହାରକୁ ଆସିଲା । ନିଜେ ପିନ୍ଧିଥିବା ଧୋତି ଓ ଗେଞ୍ଜିକୁ ଦେଖିଲା, ସତେତ ସେ ବି ଜଣେ ଚାକର ଭଳି ଦେଖାଯାଉଛି । ଦୁଇଆଖିରୁ ଜକେଇଆସୁଥିବା ଲୁହକୁ ପୋଛିଦେଲା ଗାମୁଛାରେ ସେ । ଫେରିଆସିଲା ଚାଲିଚାଲି ନିଜ ଗାଆଁକୁ । ସେଇଦିନୁ ଏ ଗାଆଁ ଛାଡି ସେ କାହା ଘରକୁବି ଯାଇନି ହାତ ପାତିବାକୁ । ସେମାନେ ମଧ୍ୟ ଆଉ ଗାଁକୁ ଆସିନାହାନ୍ତି । ଭଉଣୀଟା ଥରେ ଅଧେ ଆସିଥିଲା, କିନ୍ତୁ କେବେବି ସାହାଯ୍ୟର କଥା କହିନାହିଁ ।
ଭାବନାର ଅନ୍ତ ନଥିଲା ହରିଶଙ୍କରର । ରୋଗଟା ଧୀରେ ଧୀରେ ତା ଦେହରେ ବଢ଼ି ଗଲାଣି, ପ୍ରବଳ କାଶ ସହିତ ମୁଣ୍ଡା ମୁଣ୍ଡା ରକ୍ତ ବି ଖସିଲାଣି । ରୋଗର ଯନ୍ତ୍ରଣା ଭିତରେ ବି ନିଜେ ଯାହାପାରେ ଗଣ୍ଡେ ସିଝାଇ ଖାଏ, ସରକାର ଦେଉଥିବା ମାସକୁ ମାସ ଭତ୍ତା ତିନିଶହ ଟଙ୍କା କେବଳ ତାର ସମ୍ବଳ । ବୟସର କ୍ଲାନ୍ତ ଅପରାହ୍ନରେ ସେ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି । ନିସ୍ତେଜ ଆଖିରେ ସେ ଚାହିଁଥିଲା ଆକାଶକୁ, ମୁଣ୍ଡ ଉପରୁ କେତେ ତଳକୁ ଖସି ଆସିଲେଣି ସୂର୍ଯ୍ୟ । ହରିଶଙ୍କର ଅନୁଭବ କରୁଥିଲା, ଆଜିର ଅପରାହ୍ନଟା ବି କ୍ଲାନ୍ତ ହୋଇ ପଡିଛି ଯେମିତି ।