Arjuni charan Behera

Classics Others

4.4  

Arjuni charan Behera

Classics Others

କୀଚକ ବଧ

କୀଚକ ବଧ

5 mins
237



ଦ୍ୟୁତକ୍ରୀଡ଼ାରେ ପରାଜିତ ପାଣ୍ଡବମାନଙ୍କର ସର୍ତ୍ତ ଅନୁଯାୟୀ ବାରବର୍ଷର ବନବାସ ସମାପ୍ତ ହେଲା l ବର୍ତ୍ତମାନ ଗୋଟିଏ ବର୍ଷ ଅଜ୍ଞାତ ବାସ କରିବାକୁ ପଡ଼ିବ l ସେମାନେ ଯାଇ ଛଦ୍ମବେଶରେ ବିରାଟ ରାଜ ସଭାରେ ପହଞ୍ଚିଲେ l ଯୁଧିଷ୍ଠିର କାଖତଳେ ଜାକି ଧରିଥାନ୍ତି ପଶା ପାଲି ଏବଂ ପଶା ଗୋଟି l ବ୍ରାହ୍ମଣ ବେଶରେ ତାଙ୍କୁ ଚିହ୍ନିବା ଉପାୟ ନଥାଏ l ଭୀମ ହସ୍ତରେ ଚଟୁ ଖଡ଼ିକା ଧରି ଜଣେ ସୂପକାର ବେଶ ଧରିଥାନ୍ତି l ଅର୍ଜୁନ ଥାନ୍ତି ନର୍ତ୍ତକୀ ବେଶରେ ଓ ନକୁଳ ସହଦେବ ଯଥାକ୍ରମେ ଥାନ୍ତି ଅଶ୍ୱପାଳ ଓ ଗାଈଆଳ ବେଶରେ l ସେମାନେ ସମସ୍ତେ ମିଶି ବିରାଟ ରାଜାଙ୍କୁ ନିବେଦନ କଲେ ରାଜକର୍ମରେ ନିଯୁକ୍ତି ପାଇଁ l ସମସ୍ତ ରାଜ ଲକ୍ଷଣ ସମ୍ପନ୍ନ ସେହି ଦୀପ୍ତ ପୁରୁଷ ମାନଙ୍କୁ ବିରାଟ ରାଜ ଅନେକ ପ୍ରଶ୍ନ କଲାପରେ ସର୍ବ ଶେଷରେ ରାଜ କର୍ମରେ ନିଯୁକ୍ତି ଦେବାକୁ ରାଜି ହେଲେ l

ଯୁଧିଷ୍ଠିର କଙ୍କ ନାମରେ ପରିଚିତ ହୋଇ ବିରାଟ ରାଜାଙ୍କ ମୁଖ୍ୟ ସଭାସଦ୍ ଭାବେ, ତାଙ୍କର ଦ୍ୟୁତକ୍ରୀଡ଼ାରେ ସଙ୍ଗୀ ହୋଇ ରହିଲେ l ଭୀମ ରହିଲେ ରାଜ ପ୍ରାସାଦର ମୁଖ୍ୟ ସୂପକାର ଭାବେ l ସୁସ୍ୱାଦୁ ଭୋଜନ ରନ୍ଧନ କରି ସେ ସମସ୍ତଙ୍କୁ ଖୁସି କରିବା ସଙ୍ଗେସଙ୍ଗେ ନିଜପାଇଁ ପ୍ରଚୁର ଖାଦ୍ୟର ବ୍ୟବସ୍ଥା କରିନେଲେ l ସମୟ ସମୟରେ ସେ ମଲ୍ଲ,ସିଂହ ବାଘ ମାନଙ୍କ ସହ ଲଢ଼ି ସମସ୍ତଙ୍କ ଆନନ୍ଦ ବର୍ଦ୍ଧନ କରୁଥିଲେ l ତାଙ୍କ ନାମ ହେଲା ବଲ୍ଲଭ l

ଅର୍ଜୁନ ବୃହନ୍ନଳା ନାମରେ ପରିଚିତ ହୋଇ ରାଜ କୁମାରୀ ଉତ୍ତରା ତଥା ଅନ୍ୟ ପୁରନାରୀ ମାନଙ୍କୁ ନୃତ୍ୟ,ଗୀତ, ବାଦ୍ୟ ଶିଖାଇବା କାର୍ଯ୍ୟରେ ନିଯୁକ୍ତ ହେଲେ l ନକୁଳ ଅଶ୍ୱରକ୍ଷକ ଓ ସହଦେବ ଗୋ ପାଳକ ହୋଇ ରହିଲେ l

ପାଣ୍ଡବ ମହିଷୀ ଦ୍ରୌପଦୀ ମହାରାଣୀ ସୁଦେଷ୍ଣାଙ୍କ ପରିଚାରିକା ଭାବେ କାର୍ଯ୍ୟ କଲେ l ସେ ପରିଚିତ ହେଲେ, ସୈରିନ୍ଦ୍ରୀ ନାମରେ l ରାଣୀ ସୁଦେଷ୍ଣାଙ୍କ କେଶ ବିନ୍ୟାସ କରିବାରେ ଦ୍ରୁପଦ ନନ୍ଦିନୀ ଥିଲେ ସିଦ୍ଧହସ୍ତ l

ଯୁଦ୍ଧବିଦ୍ୟାରେ ନିପୁଣ କୀଚକ ଥିଲା ମହାରାଣୀ ସୁଦେଷ୍ଣାଙ୍କ ଭାଇ ତଥା ବିରାଟ ରାଜାଙ୍କ ଶାଳକ ଓ ପ୍ରସିଦ୍ଧ ସେନାପତି l ସେତେବେଳେ ଭୀମ ଓ ବଳରାମଙ୍କ ଛଡ଼ା ତାଙ୍କ ସମକକ୍ଷ ମଲ୍ଲ ଯୋଦ୍ଧା ଆଉ କେହିନଥିଲେ l କୀଚକର ଭୟରେ ମତ୍ସ୍ୟ ଦେଶକୁ କେହି ଶତ୍ରୁ ପଶିପାରୁ ନଥିଲେ l ବିରାଟ ଦରବାରରେ ତା'ର ଅଖଣ୍ଡ ପ୍ରତିପତ୍ତି ଥିଲା ଏବଂ 'କୀଚକ ବାହୁବଳେ ବିରାଟ ରାଜା' ବୋଲି କଥା ଲୋକମୁଖରେ ପ୍ରଚାରିତ ହେଉଥିଲା l

ଦିନେ କୀଚକ ଅନ୍ତଃପୁରରେ ଭଉଣୀ ସୁଦେଷ୍ଣାଙ୍କ ବେଶକାରିଣୀ ଅନିନ୍ଦ୍ୟସୁନ୍ଦରୀ ସୈରିନ୍ଦ୍ରୀକୁ ଦେଖି ମୋହିତ ହୋଇପଡ଼ିଲା l କାମାସକ୍ତ ହୋଇ ସେ ସୈରିନ୍ଦ୍ରୀଙ୍କୁ କିପରି ଲାଭ କରିବ ସେହି ଚିନ୍ତାରେ ରହିଲା l ମୋ କଥା ସାମାନ୍ୟ ଜଣେ ପରିଚାରିକା ଅସ୍ବୀକାର କରିବ ନାହିଁ ଭାବି ଦିନେ ସୈରିନ୍ଦ୍ରୀଙ୍କୁ ସେ ନିଜ ଭବନକୁ ନିମନ୍ତ୍ରଣକରି କହିଲା, ଦେବୀ, ଅସାମାନ୍ୟ ସୁନ୍ଦରୀ ହୋଇ ତୁମେ ଏ ଦାସୀକାର୍ଯ୍ୟ କରି କି ଲାଭ,ତୁମେ ଚାହିଁଲେ,କୀଚକର ସଙ୍ଗିନୀ ହୋଇ ଏ ମତ୍ସ୍ୟ ଦେଶର ସମସ୍ତ ଐଶ୍ୱର୍ଯ୍ୟ ଭୋଗ କରିପାରିବ l

ସୈରିନ୍ଦ୍ରୀ କହିଲେ,ମତ୍ସ୍ୟ ସେନାପତି, ତୁମେ ଉଚ୍ଚ କୂଳ ସମ୍ଭୁତ ହୋଇ ଏ ନିଚ୍ଚ ସେବା କାରିଣୀ ପ୍ରତି ଆସକ୍ତ ହେବା ଆଦୌ ଉଚିତ୍ ହେଉନାହିଁ l ପର ନାରୀ ଠାରେ ଆସକ୍ତି ଆର୍ଯ୍ୟ ଧର୍ମବିରୋଧୀ l ମୁଁ ବିବାହିତା l ଗନ୍ଧର୍ବ ମାନେ ମୋର ପତି l ମୋତେ କେହି ପାପ ବୁଦ୍ଧିରେ ସ୍ପର୍ଶ କରିବା ଅର୍ଥ, ମୃତ୍ୟୁକୁ ନିମନ୍ତ୍ରଣ l

କୀଚକ ବା କାହିଁକି କେଉଁ ଗନ୍ଧର୍ବଙ୍କୁ ଭୟକରିବ l ସେ ଅତି ନିର୍ଲଜ ଭାବେ ଯାଇ ଭଉଣୀ ସୁଦେଷ୍ଣାଙ୍କୁ କହିଲା,"ତୁମର ପରିଚାରିକା ମୋ ହୃଦୟ ମନକୁ କିଣି ନେଇଛି l ତୁମେ ଯଦି ମୋତେ ଜୀବନରେ ଦେଖିବାକୁ ଚାହଁ ତାହେଲେ ସୈରିନ୍ଦ୍ରୀକୁ ମୋତେ ଶୀଘ୍ର ଅର୍ପଣ କର " l ସୁଦେଷ୍ଣା କୀଚକକୁ ବହୁତ ବୁଝାଇଲେ,କିନ୍ତୁ କିଛି ଲାଭ ହେଲାନାହିଁ l ମତ୍ସ୍ୟ ରାଜ୍ୟର ରକ୍ଷକ କୀଚକ କଥାରେ ଶେଷକୁ ରାଣୀ ରାଜି ହୋଇଗଲେ l

ଦୁହିଁଙ୍କ ମନ୍ତ୍ରଣାରେ ଦିନେ କୀଚକର ଗୃହରେ ଏକ ଉତ୍ସବର ଆୟୋଜନ ହେଲା l ବହୁବିଧ ଭୋଜ୍ୟ ଓ ପାନୀୟ ସାମଗ୍ରୀର ବ୍ୟବସ୍ଥା କରି ରଖାଗଲା l ରାଣୀ ସୁଦେଷ୍ଣା ସୈରିନ୍ଦ୍ରୀକୁ ସ୍ବର୍ଣ୍ଣ ପାତ୍ରଟିଏ ଦେଇ କହିଲେ, ମୁଁ ବଡ଼ ତୃଷିତ l ତୁମେ କୀଚକ ଘରକୁ ଯାଇ କିଛି ପାନୀୟ ଘେନି ଆସ l

ସୈରିନ୍ଦ୍ରୀ କହିଲେ,ମହାରାଣୀ ! ଆପଣ ଜାଣନ୍ତି, କୀଚକ ମଦ୍ୟପ ଓ ଅସଂଯମୀ l ତାହା ନିକଟକୁ ମୋତେ ନପଠାଇ ଆଉ କାହାକୁ ପଠାନ୍ତୁ l ରାଣୀ କହିଲେ,ମୁଁ ପଠାଇଛି ଜାଣିଲେ କୀଚକ କୌଣସି ଖରାପ ଆଚରଣ କରିବ ନାହିଁ, ତୁମେ ଯାଅ l

ବାଧ୍ୟ ବାଧକତାରେ ସୈରିନ୍ଦ୍ରୀ ଧର୍ମକୁ ସ୍ମରଣ କରି କୀଚକଙ୍କ ଗୃହକୁ ଚାଲିଲେ l ତାଙ୍କୁ ପାନ ପାତ୍ରଟି ବଢ଼ାଇ ଦେବା ମାତ୍ରେ, ସେ ସୈରିନ୍ଦ୍ରୀଙ୍କ ହାତକୁ ଜୋରରେ ଧରି ପକାଇ ପ୍ରେମ ନିବେଦନ କଲା l ଦ୍ରୌପଦୀ "ରେ ନିଚ୍ଚ, ତୋ ମରଣର ବେଳ ଆସି ଗଲା " କହି, ବିରାଟ ରାଜ ସଭା ଆଡ଼କୁ ଦୌଡ଼ି ପଳାଇଲେ l ସେଠାରେ ସମସ୍ତେ ଦେଖୁଥିଲେହେଁ କେହି କିଛି କହିଲେ ନାହିଁ l କୀଚକ ତାଙ୍କ କେଶ ଆକର୍ଷଣ ପୂର୍ବକ ସମସ୍ତଙ୍କ ସମ୍ମୁଖରେ ପଦାଘାତ କଲା l ଅପମାନିତ ଦ୍ରୌପଦୀ ଅସ୍ଥିର ଚିତ୍ତହୋଇ ମନ ଦୁଃଖରେ ଫେରି ଆସିଲେ l ସେ ସ୍ଥିରକଲେ ଏହାର ପ୍ରତିଶୋଧ ନେବାକୁ ହେବ l

ଦ୍ରୌପଦୀ ବଲ୍ଲଭ ସୂପକାର ଭାବେ ନିଯୁକ୍ତ ଥିବା, ନିଦ୍ରାଗତ ଭୀମଙ୍କ ଗୃହରେ ପହଞ୍ଚି ଉଚ୍ଚ ସ୍ୱରରେ ରୋଦନ କରିବାକୁ ଲାଗିଲେ l ବୃକୋଦର ତାଙ୍କ କ୍ରନ୍ଦନ ଶୁଣି ଉଠିପଡ଼ିଲେ l 'ଦୁଃଖ ଅପମାନର ସୀମା ଅଛି' କହି, ଦ୍ରୌପଦୀ ତାଙ୍କୁ ସମସ୍ତ କଥା କହିଲେ l ଭୀମ କହିଲେ, ମୁଁ ତୁମକୁ ଦେଇଥିବା ଦୁଃଶାସନ ରକ୍ତରେ ବେଣୀବନ୍ଧନ, ଦୁର୍ଯ୍ୟୋଧନର ଊରୁ ଭଗ୍ନ ପ୍ରତିଜ୍ଞା ପୂରଣର ବେଳ ହୋଇନାହିଁ l କିନ୍ତୁ ଏହି ପାପିଷ୍ଠ କୀଚକର କାଳ ପୁରିଯାଇଛି l କାଲି ରଜନୀରେ ସେ ନିଶ୍ଚୟ ଚିର ନିଦ୍ରା ଭୋଗ କରିବ l

ଭୀମ ଦ୍ରୌପଦୀଙ୍କୁ ପରାମର୍ଶ ଦେଲେ, ଆଗାମୀ ରାତ୍ରିରେ ବିରାଟଙ୍କ ନିର୍ଜନ ନୃତ୍ୟଶାଳାରେ ତୁମେ ରହି, କାମାନ୍ଧ କୀଚକକୁ ସାକ୍ଷାତ କରିବ ବୋଲି କୁହ l ସେଠାରେ ତୁମ ପରିବର୍ତ୍ତେ ଥିବି ମୁଁ ଏବଂ ତା' ସହିତ ମୋର ପ୍ରେମ ସମ୍ଭାଷଣ ହେବ l

ପରଦିନ ପ୍ରଭାତରେ କୀଚକ ସୈରିନ୍ଦ୍ରୀଙ୍କୁ ଦେଖି ପୁଣି ପ୍ରେମସମ୍ଭାଷଣ କଲାରୁ ସୈରିନ୍ଦ୍ରୀ କହିଲେ, ହେ ମହା ସେନାପତି ! ମୁଁ ଆଉ ଆପଣଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରି ପାରୁନାହିଁ l ମାତ୍ର ଗୋଟିଏ କଥା, ଆମର ଏ ମିଳନକୁ କେହି ଜାଣି ନପାରନ୍ତୁ l ସେଥି ପାଇଁ ମୁଁ ସ୍ଥିର କରିଛି ରାଜାଙ୍କ ନିର୍ଜନ ନୃତ୍ୟଶାଳା l ଆଜି ରାତ୍ରୀରେ ସେଠାରେ ମୁଁ ତୁମ ଅପେକ୍ଷାରେ ରହିବି l ଏହାଶୁଣି କୀଚକ ଆତ୍ମହରା ହୋଇ ବାହୁଡ଼ିଗଲା l

ବ୍ୟବସ୍ଥା ଅନୁଯାୟୀ ରାତି ହେବାରୁ କୀଚକ ଯାଇ ନୃତ୍ୟଶାଳାରେ ପହଞ୍ଚି କହିଲେ, ସୈରିନ୍ଦ୍ରୀ ତୁମେ କେଉଁଠି ଅଛ ସୁନ୍ଦରୀ ! ଏହା କହି ସେ ପଲଙ୍କ ଉପରେ ଏକ ଶାୟିତ ଦେହକୁ ସ୍ପର୍ଶ କଲା ମାତ୍ରେ ତାର ମୁହଁରେ ବାଜିଲା, ଏକ ବଜ୍ର ମୁଷ୍ଟି l ଶାୟିତ ବ୍ୟକ୍ତିଟି କ୍ଷଣିକ ମଧ୍ୟରେ ଉଠି ତାକୁ ଧରି ପକାଇ ଭୂତଳଶାୟୀ କରିଦେଲା l କୀଚକର ଚୈତନ୍ୟ ଉଦୟ ହେଲା l ସେ ଜାଣି ପାରିଲା ମୁଁ କୌଣସି ମହା ବଳଶାଳୀ ବ୍ୟକ୍ତି ହାବୁଡ଼ରେ ପଡ଼ି ଯାଇଛି l କୀଚକ ଓ ଭୀମଙ୍କ ମଧ୍ୟରେ ମତ୍ତ ମାତଙ୍ଗ ପ୍ରାୟ ଭୟାନକ ଯୁଦ୍ଧ ଆରମ୍ଭ ହୋଇଗଲା l

ଶେଷରେ କୀଚକକୁ ଭୂତଳଶାୟୀ କରି ଭୀମ ତା' ବକ୍ଷଦେଶକୁ ପ୍ରଚଣ୍ଡ ମୁଷ୍ଟି ପ୍ରହାରକଲେ l ଭୀଷଣ ଗର୍ଜନକରି କୀଚକର ପ୍ରାଣବାୟୁ ଉଡ଼ିଗଲା l ଅତି କ୍ରୋଧରେ ଭୀମ କୀଚକର ବାହୁ ଦୁଇଟିକୁ ନେଇ ତା' ମୁଣ୍ଡରେ ଛନ୍ଦିଦେଇ ତାକୁ ଏକ ମାଂସ ପିଣ୍ଡୁଳା କରି ଛାଡ଼ିଦେଲେ l ଦୌଡ଼ି ଯାଇ ପାଞ୍ଚାଳୀଙ୍କୁ ସେ 'ପ୍ରତିଜ୍ଞା ପୂରଣ ହୋଇଛି' କହି ତରବରରେ ଯାଇ ରୋଷଶାଳରେ ପଶିଗଲେ l ସେଠାରେ ସେ ସ୍ନାନ ଶୌଚ ହେଲେ,ଦେହରେ ଚନ୍ଦନ ବୋଳି ହେଲେ, ଏବଂ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରିଲେ l

ଦ୍ରୌପଦୀ ରକ୍ଷୀମାନଙ୍କୁ କହିଲେ,କମାନ୍ଧ କୀଚକ ମୋର ସତୀତ୍ୱ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା l ଯେତେ ବାରଣ କଲେ ମଧ୍ୟ ଶୁଣିଲା ନାହିଁ l ଏବେ ସେ ଉଚିତ ଶାସ୍ତି ପାଇଛି l ଯାଅ ନୃତ୍ୟଶାଳାରେ ଯାଇ ଦେଖିଆସ କୀଚକର ଭୁଲୁଣ୍ଠିତ ଶରୀରକୁ l ରକ୍ଷୀମାନେ ଯାଇ ଏକ ବିରାଟ ମାଂସ ପିଣ୍ଡୁଳାକୁ ଦେଖି ତଟସ୍ଥ ହୋଇ ରହିଗଲେ l

ମହାଭାରତର ଏହି କାହାଣୀକୁ ଭିତ୍ତି କରି କେହି କେହି କହିଥାନ୍ତି ଆମ ରାଜ୍ୟର ମୟୁରଭଞ୍ଜ ଖିଚିଂ ଠାରେ ସ୍ଥିତ ମାଆ କୀଚକେଶ୍ବରୀ କୀଚକର ଇଷ୍ଟଦେବୀ ଥିଲେ l ଏ କାହାଣୀର ସ୍ମୃତି ବହନ କରୁଛି ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ଆବିଷ୍କୃତ ବିରାଟ ଗଡ଼ ଓ କୀଚକ ଗଡ଼ l ମନୋହର ବିରାଟ ନଗରୀର ଶୋଭା ଚମତ୍କାର ଭାବେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ " କୀଚକ ବଧ " କାବ୍ୟରେ ବର୍ଣ୍ଣିତ ହୋଇଛି :-

    ବିରାଟ ନଗର ମହୀ ମଧ୍ୟେ ମନୋହର l

  ବିଶ୍ଵ ମନୋରମା ରମାଦେବୀ କେଳିଘର ll

     ବିପଣି ସକଳ ଶୁଭ୍ର ସଉଧ ମାଳିନୀ l

     ରଜତ ପର୍ବତ ସମ ସୁଷମା ଶାଳିନୀ ll

                 


Rate this content
Log in

Similar oriya story from Classics