କିଏ ଥିଲେ ସେ ମହାତ୍ମା
କିଏ ଥିଲେ ସେ ମହାତ୍ମା
୧୯୬୯ ମସିହା କଥା। ପୁରୀରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ମୁଁ ଥିଲି ସ୍ନାତକ ତୃତୀୟ ବର୍ଷର ଛାତ୍ର। ପାଥେରପୁରୀ ହଷ୍ଟେଲରେ ଥିବା ସମୟ ଏକ ଭାବପ୍ରବଣତାର ସମୟ ଥିଲା। ଉଣେଇଶି ବା କୋଡିଏ ବର୍ଷ ବୟସରେ ଯଦି ଜଣେ ଭାବପ୍ରବଣତାର ସୁଅରେ କିଛି ଦୂର ଭାସିଯାଏ, ତାହା ତା'ପାଇଁ ସ୍ବଭାବିକ ବ୍ୟବହାର ବୋଲି ଧରାଯିବା ଉଚିତ। ସେମିତି କିଛି ଘଟିଥିଲା ମୋ ଜୀବନରେ।
ହାଇସ୍କୁଲରେ ଶିକ୍ଷକତା ପରେ ନନା(ବାପା)ଙ୍କର ଚାକିରି କାଳ ଶେଷ ହୋଇ ଯାଇଥିଲା। ଯେଉଁ ପଚାଶ ଟଙ୍କା ପେନସନ ମିଳୁଥିଲା ତାହା ଘର ଚଳାଇବା ପାଇଁ ଯଥେଷ୍ଟ ନଥିଲା। ତା ଉପରେ ମୋର ପାଠପଢ଼ା ଖର୍ଚ୍ଚ, ବୋଝ ଉପରେ ନଳୀତା ବିଡ଼ା ଭଳି ଥିଲା। ନନାଙ୍କ କଷ୍ଟ ଲାଘବ କରିବାକୁ ଘରେ ଆଉ କେହି ସେମିତି ରୋଜଗାରିଆ ନଥିଲେ। ଭାବିଲି...ଟିଉସନଟିଏ ହେଲେ ମିଳିଯାଆନ୍ତା, କିଛି ରୋଜଗାର କରି ନନାଙ୍କ କଷ୍ଟ ଲାଘବ କରନ୍ତି। ଶୀଘ୍ର ପାଠପଢି ଯଥାଶୀଘ୍ର ଚାକିରି କରି, କିଛି ରୋଜଗାର କରି ଘରକୁ ସାହାଯ୍ୟ କରିବାର ଦୃଢ଼ଇଚ୍ଛା ମତେ ଭିତରେ ଭିତରେ ଅସ୍ତବ୍ୟସ୍ତ କରି ପକାଉ ଥିଲା। ଭାବୁଥିଲି କିଛି ନହେଲେ କୋଉଠି କେମିତି କିରାଣି ଚାକିରିରିଟିଏ ପାଇଲେ ନନାଙ୍କୁ ସାହାଯ୍ୟ କରିପାରନ୍ତି। କିନ୍ତୁ ବିଏ ପାଶ୍ କଲେ ମଧ୍ୟ ଚାକିରି ମିଳିବାର ସମ୍ଭାବନା ସେ ସମୟରେ ପ୍ରାୟ ନଥିଲା। ପୋଷ୍ଟ ଗ୍ରାଜୁଏସନ କରି ଉଚ୍ଚତର ପ୍ରଥମ ଶ୍ରେଣୀରେ ପାସ୍ କଲେ ଅଧ୍ୟାପକ ଚାକିରି ପାଇବା ସମ୍ଭବ,କିନ୍ତୁ ସେପରି ସ୍ବପ୍ନ ଦେଖିବା କୁହୁଡିରେ ପହଁରିବା ସହିତ ସମାନ । ଯେଉଁଠି ସ୍ନାତକ ଶେଷ କରିବା ପାଇଁ ଅର୍ଥ ବାଧକ ଥିଲା, ସେଠାରେ ସ୍ନାତକୋତ୍ତର ପାଠ ପଢିବା ଦିବା ସ୍ବପ୍ନ ସହିତ ସମାନ ନୁହେଁ ତ ଆଉ କ'ଣ?
ମୋତେ ଭବିଷ୍ୟତ ଚିନ୍ତା ଏମିତି ବ୍ୟତିବ୍ୟସ୍ତ କରୁଥିଲା ଯେ ତାହା ସ୍ନାୟବିକ ଦୁର୍ବଳତାରେ ପରିଣତ ହେଲା। ହାତ ଥରିବାକୁ ଲାଗିଲା। କ୍ଲାସରେ ପରୀକ୍ଷା ଦେବା ସମୟରେ ପାଠ ଜାଣିଥିଲେ ମଧ୍ୟ ହାତ ଚାଲୁ ନଥିଲା। ଥରେ କ୍ଲାସ୍ ପରୀକ୍ଷାରେ ମୋ ଚାରିପାଖରେ ବସିଥିବା ସାଙ୍ଗମାନେ ଅତିରିକ୍ତ କାଗଜ ଉପରେ କାଗଜ ମାଗି ଲେଖିଚାଲିଲେ;ମୋର ମୂଳଖାତାଟି ମଧ୍ୟ ପୂର୍ଣ୍ଣ ହେଲାନାହିଁ। ଭାବିଲି...ନିଶ୍ଚୟ ଏଥର ଫେଲ୍। ମୁଁ ଗୋଟାଏ ଅପଦାର୍ଥ;ପାଠୋତ୍ତର କୌଣସି କାମ, ଯଥା ଖେଳକୁଦ, ଡ୍ରାମା, ଡିବେଟ୍ କିଛି ତ ହେଲାନାହିଁ,ପାଠ ମଧ୍ୟ ହେଲାନାହିଁ।
ଅନେକ ସମୟରେ ପାଥେରପୁରୀ ଆଗରେ ଥିବା ବେଳାଭୂମିରୁ ଚାଲିଚାଲି ସ୍ଵର୍ଗଦ୍ଵାର ପାଖରେ ପହଞ୍ଚେ ଏବଂ ସେଠାରୁ ପାଦରେ ଚାଲିଚାଲି ଶ୍ରୀମନ୍ଦିର ବେଢାରେ ପହଞ୍ଚିଯାଏ। ଠାକୁରଙ୍କୁ ମୁଣ୍ଡିଆଟିଏ ମାରି ଆନନ୍ଦ ବଜାର ବଟଗଛ ଛାଇତଳେ ଦଣ୍ଡେ ବସି ହଷ୍ଟେଲକୁ ଫେରେ। ଏହି ଯାତ୍ରା ସମୟରେ ମୁଁ ହିଁ ଏକା ଏବଂ ମୋର ସାଥୀ ଥାଆନ୍ତି ମୋର ମାନସିକ ଦୁଶ୍ଚିନ୍ତା।
ପୁରୀର ବିଜନ ବେଳାଭୂମିରେ ବସି ଏକାନ୍ତରେ ଅନେକ ସମୟରେ ଭାବୁଥିଲି ଜୀବନ ଦର୍ଶନ କଥା। ନିରଜଂନା ତଟରେ କୃଚ୍ଛ୍ର ସାଧନା ପରେ ଗୌତମ ବୁଦ୍ଧ ସମାଜକୁ ଗୋଟିଏ ମହାସତ୍ୟର ଆଭାଷ ଦେଇଗଲେ---କାମନାର ବିନାଶରେ ଦୁଃଖର ବିନାଶ। ସତେ କଣ ଏହା କେହି ଜାଣିନଥିଲେ ପୂର୍ବରୁ ! କଣ ନୂତନତ୍ବ ଅଛି ଏହି ବାଣୀରେ?କାମନାର ବିନାଶ କଣ ଏତେ ସହଜ କଥା ?ଏତେ ସହଜ ଯେବେ ହୋଇଥାନ୍ତା ତାହେଲେ ସଂସାରରେ ସମସ୍ତେ ସୁଖୀ ହୋଇପାରନ୍ତେ ।
ସୁଖ ଏବଂ ଶାନ୍ତି ଦୁଇଟି ଅଲଗା କଥା। ଶାନ୍ତି ହିଁ ପ୍ରକୃତରେ ସମସ୍ତଙ୍କର କାମ୍ୟ ,ସୁଖ ନୁହେଁ । ଶାନ୍ତି ସବୁବେଳେ ମାନସିକ ଏବଂ ଅନ୍ତର୍ଗତ । ସୁଖ ବସ୍ତୁବାଦ ଉପରେ ଆଧାରିତ ତଥା ଦୈହିକ ।
ଶାନ୍ତିର ମାର୍ଗ, ଆଧୁନିକ ସମୟରେ ବିଭିନ୍ନ ମନସ୍ତତ୍ବବାଦୀ ମାନେ ଦେଖାଇବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ମଧ୍ୟରେ ଇକାର୍ତ୍ତ ତୋଲି(Ekhart Tolle) ଅନ୍ୟତମ। The Power of Now ପୁସ୍ତକରେ ସେ ଲେଖିଛନ୍ତି ଯେ ଆଧୁନିକ ସମାଜରେ,ଅତୀତ ଏବଂ ଭବିଷ୍ୟତକୁ ଭୁଲିଯାଇ ବର୍ତ୍ତମାନରେ ମନକୁ କେନ୍ଦ୍ରିତ କରି ରଖିଲେ ଅନନ୍ତ ଶାନ୍ତି ପ୍ରାପ୍ତି ହେବ ଏବଂ ଜୀବନରେ ସଫଳତାର ଚାବିକାଠି ମିଳିଯିବ । ସେହି ଅନନ୍ତ ଶାନ୍ତି ପ୍ରାପ୍ତି ପରେ ମନରେ ଆଧ୍ୟାତ୍ମିକ ଚେତନାର ଉଦ୍ରେକ ହେବ ଏବଂ ଜୀବନ ସରଳ ମାର୍ଗରେ ଗତି କରିବ। କାମନା ସୀମିତ ରହିବ। ମନ ବସ୍ତୁବାଦୀ ହେବନାହିଁ ।
କିନ୍ତୁ ମନୁଷ୍ୟ ସବୁବେଳେ ବର୍ତ୍ତମାନରେ କାହିଁକି ବଂଚି ରହେନାହିଁ ! କାହିଁକି ଅତୀତ ତାକୁ ସନ୍ତାପିତ କରେ ,କାହିଁକି ଭବିଷ୍ୟତ ତାକୁ ଭୟାର୍ତ୍ତ କରେ?ସେ ସମୟରେ 'ବର୍ତ୍ତମାନ' କେଉଁ ଆଡେ ନିରୁଦ୍ଦିଷ୍ଟ ହୋଇଯାଏ? ବର୍ତ୍ତମାନରେ ବଞ୍ଚି ରହିବା କଣ ସବୁବେଳେ ସମ୍ଭବ ?
ଇକାର୍ତ୍ତ ତୋଲିଙ୍କ ପୁସ୍ତକରେ ଦିଆଯାଇଥିବା ଶାନ୍ତିର ଚାବିକାଠି ମୋର ଉପରୋକ୍ତ ପ୍ରଶ୍ନ କୋଠରିକୁ ଖୋଲି ପାରୁନଥିଲା।
ଜାଣିପାରୁନଥିଲି, ମୁଁ କାହିଁକି ଏତେ ଭାବପ୍ରବଣ ଥିଲି; ଅନ୍ୟ ସାଙ୍ଗମାନେ କାହିଁକି ନଥିଲେ ? ପ୍ରସିଦ୍ଧ ଚଳଚ୍ଚିତ୍ର କଳାକାର ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦଙ୍କ ମାଉସୀପୁଅ ଭାଇ ଉପେନ୍ଦ୍ର ଚନ୍ଦ୍ର ମିଶ୍ର ପାଥରପୁରୀରେ ମୋର ରୁମ୍ ମେଟ୍ ଥିଲେ। ମଞ୍ଚକଳା ତାଙ୍କର ନିଶା ଥିଲା। ସବୁବେଳେ ସେ ଅଭିନୟ କଥା ଚିନ୍ତା କରୁଥିଲେ। ଘରେ ସେ ଥିଲେ ବାପାମାଆଙ୍କ ଏକମାତ୍ର ପୁତ୍ର। ସେ ମୋଭଳି ଭାବପ୍ରବଣ ନଥିଲେ; ବୋଧହୁଏ ଆର୍ଥିକ ଚିନ୍ତା ତାଙ୍କ ମନକୁ ଛୁଇଁ ନଥିଲା, ସେଥିପାଇଁ।
ବନ୍ଧୁ ବିମଳ ପଟ୍ଟନାୟକ; ଖଣ୍ଡପଡ଼ାର ଜଣାଶୁଣା ଓକିଲ ରାଧାମୋହନ ପଟ୍ଟନାୟକଙ୍କ ପୁଅ; ଅର୍ଥ ଚିନ୍ତା ତାଙ୍କ ମନକୁ କାହିଁକି ବା ଛୁଇଁବ? ଆଖିରେ ସ୍ବପ୍ନ ଏବଂ ମନରେ ଦୃଢ଼ ପ୍ରତିଜ୍ଞା ଥିଲା ଓକିଲାତି ପଢି ଖଣ୍ଡପଡ଼ାରେ ଓକିଲାତି କରିବା ପାଇଁ। ସେଥିପାଇଁ ସେ ମୋଭଳି ସବୁବେଳେ ଚିନ୍ତାଗ୍ରସ୍ତ ନଥିଲେ। ମନ ମୋର ବିଦ୍ରୋହ କରି ଉଠୁଥିଲା...ଭଗବାନ କାହିଁକି ଆମ ପରିବାରର ଆର୍ଥିକ ଅବସ୍ଥା ଏତେ ଦୁର୍ବଳ କଲେ !
ମୋର ଅଗ୍ରଜ ପ୍ରତିମ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର; ଦାରିଦ୍ର୍ୟ କଷାଘାତରେ ଦଳିତ ନିଷ୍ପେସିତ ଏକ 'ଗ୍ରୀକ୍'ଗଡ୍' ଭଳି ଦିପ୍ତିମାନ ବ୍ୟକ୍ତିତ୍ଵ। ଟିଉସନ କରି ନିଜ ପଢାଖର୍ଚ ନିଜେ ଉଠାଇଥିଲେ ସେ। କେବଳ ପାଠରେ ଅଉଲ ନଥିଲେ ସେ;କଲେଜର ବକ୍ତୃତା ପ୍ରତିଯୋଗିତରେ ସବୁବେଳେ ସେ ପ୍ରଥମ ହେଉଥିଲେ। ଏତେ ଦାରିଦ୍ର୍ୟ ଭିତରେ ମଧ୍ୟ ମନରେ ତାଙ୍କର ତିଳେହେଁ ଦୁଃଚିନ୍ତା ନଥିଲା। ଭାବୁଥିଲି .. କାହିଁକି ମୁଁ ତାଙ୍କପରି ହୋଇ ପାରୁନାହିଁ!!ସେହିପରି ଅନ୍ୟ ଅନେକ ବନ୍ଧୁ ବିନା ଚିନ୍ତାରେ ସମୟ ଅତିବାହିତ କରୁଥିଲେ। କିନ୍ତୁ ସମାନଙ୍କ ଭଳି ମୋର କୌଣସି ସ୍ବତନ୍ତ୍ର ଗୁଣ ନଥିଲା ମୋତେ ସ୍ଥିର-ଭବିଷ୍ୟତ ପାଇଁ ଆଶାବାଦୀ କରିବାକୁ। କାହିଁକି, କାହିଁକି ମୁଁ ଅନ୍ୟମାନଙ୍କ ପରି ନୁହେଁ !!
ଦିନେ ସକାଳୁ ସକାଳୁ ବାହାରି ପଡ଼ିଲି ଦୀର୍ଘ ଯାତ୍ରାରେ। ଉଦ୍ଦେଶ୍ୟ ଥିଲା ଆଉ ଫେରିବି ନାହିଁ। ଏଭଳି ବଞ୍ଚିରହିବାରେ କଣ ମୂଲ୍ୟଥାଏ ? ପାଦରେ ଚାଲି ଚାଲି ପହଞ୍ଚିଲି ଶ୍ରୀମନ୍ଦିରରେ। ଗରୁଡ଼ସ୍ତମ୍ଭ ପଛରେ ଠିଆ ହୋଇ ଚକା ଆଖିଙ୍କ ନିର୍ମଳ ମୁହଁକୁ ଅନାଇଁ କହିଲି.. ମୁଁ ଆଜି ଯାଉଛି ଶ୍ରୀଜଗନ୍ନାଥ, ଫେରିବାର ନାହିଁ। "
ଶ୍ରୀମନ୍ଦିରରୁ ବାହାରି ଶ୍ରୀଲୋକନାଥଙ୍କ ମନ୍ଦିରକୁ ପଡ଼ିଥିବା ରାସ୍ତା ଧରିଲି। ଶ୍ରୀଲୋକନାଥଙ୍କ ମନ୍ଦିର ପାଖାପାଖି ଗୋଟିଏ ଗଛମୂଳେ ସାଧୁବାଵା ଜଣେ ବସିଥିଲେ। ମତେ ପାଖକୁ ଡାକି କହିଲେ...କୁଆଡେ ଯାଉଛ ବାବୁ ?"କହିଲି... ଶ୍ରୀଲୋକନାଥ ବାବାଙ୍କୁ ଦର୍ଶନ କରିବାକୁ ଯାଉଛି। ହସିଲେ ସାଧୁବାବା। କହିଲେ..ମିଛ କଥା। ତୁମ ମନ ଉଦ୍ବେଳିତ ଜଣାଯାଇଛି। ନିଜଠାରୁ ତୁମେ ବହୁତ ଜୋରରେ ଦଉଡ଼ି ଦଉଡ଼ି ଦୂରେଇ ଯାଉଛ। କେତେଦିନ ଏମିତି ଦଉଡିବ ବାବୁ ?ସବୁ ତୁମ ଭିତରେ ଅଛି। ପ୍ରତ୍ୟେକ ପ୍ରାଣୀ ମହାଶକ୍ତିର ଅଧିକାରୀ। ନିଜକୁ ଚିହ୍ନିବାକୁ ଚେଷ୍ଟାକର । ନିଜକୁ କାହା ସହିତ ତୁଳନା କରିବାକୁ ଚେଷ୍ଟା କରନାହିଁ। ପ୍ରତ୍ୟେକ ବ୍ୟକ୍ତି ସ୍ବତନ୍ତ୍ର ଗୁଣ ଓ ଶକ୍ତିର ଅଧିକାରୀ। ଫେରିଯାଅ। ଜୀବନ ଅତ୍ୟନ୍ତ ମୂଲ୍ୟବାନ। "
ସାଧୁବାବାଙ୍କ କଥାରେ ଜାଦୁ ଥିଲା। ଯେଉଁ ବାଟରେ ଯାଇଥିଲି, ସେହି ବାଟରେ ଫେରି ଆସିଲି।
ତା ପରଦିନ କଲେଜରେ ପହଞ୍ଚି ଶୁଣିଲି କ୍ଲାସ ପରୀକ୍ଷାରେ ଅନର୍ସରେ ମୋର ସମସ୍ତଙ୍କଠାରୁ ଅଧିକ ନମ୍ବର ରହିଛି। ସାର୍ କହୁଥିଲେ... ଅତିରିକ୍ତ କାଗଜ ମାଗି ଖାତାକୁ ଖାଲି ମୋଟା କଲେ ଭଲ ନମ୍ବର ମିଳେନାହିଁ;ଲେଖାରେ ଦମ୍ ଥିବା ଦର୍କାର। ମନରୁ ନିରାଶା କିଛି ପରିମାଣରେ ଦୂରେଇ ଯାଇଥିଲା। ସାଧୁବାବାଙ୍କ କଥା ମନେପଡିଲା... ଅନ୍ତର୍ମୁଖୀ ହୁଅ;ତୁମ ଭିତରେ ସବୁ ଅଛି।
ଦୁଇଦିନ ପରେ ମୋର ଜଣେ ସିନିଅର ରଘୁନାଥ ଦାସ୍ କହିଲେ..ତୋ ପାଇଁ ଗୋଟିଏ ଟିଉସନ୍ ବୁଝି ଦେଇଛି,କରିବୁ ?ପାଥରପୁରୀ ହଷ୍ଟେଲ ଠାରୁ ଅଳ୍ପଦୂର; ଜଳସେଚନ ବିଭାଗର ଏକ୍ଜିକ୍ୟୁଟିଭ୍ ଇଂଜିନିୟରଙ୍କ ଝିଅ। ନବମ ଶ୍ରେଣୀରେ ପଢୁଛି। ଗଧୀଟା। ତତେ ଟିକିଏ ବେଶୀ ପରିଶ୍ରମ କରିବାକୁ ପଡ଼ିବ। ମାସକୁ ତିରିଶି ଟଙ୍କା ଦେବେ। ସନ୍ଧ୍ୟା ସମୟରେ ଘଣ୍ଟେ ଯାଇ ପଢେଇ ଦେଇ ଆସିବୁ। "
ରଘୁଭାଇଙ୍କ କଥା ଶୁଣି ମନ ଖୁସିରେ ଭରିଗଲା। ଯାହା ଚାହୁଁଥିଲି ମିଳିଗଲା। ତିରିଶିଟଙ୍କା ଆସେ କୁଆଡୁ ?ସେ ସମୟର ତିରିଶି ଟଙ୍କା ଆଜିକାଲିର ପାଞ୍ଚଶହ ଟଙ୍କା ସହିତ ସମାନ।
ସାଧୁ ବାବାଙ୍କର ସେହି ଦୁଇପଦ କଥା ମୋ ମନରୁ ନକାରାତ୍ମକ ଭାବନା ଦୂର କରିଦେଇଥିଲା। ଜୀବନ-ସରଣୀ ସକାଳର କୋମଳ ସୂର୍ଯ୍ୟ କାରଣରେ ସ୍ନାନ କରିଥିବା ସ୍ବଚ୍ଛ ଓ ନିର୍ମଳ ରାଜମାର୍ଗ ଭଳି
ଦେଖାଗଲା। ସ୍ନାତକରେ ପୁରୀ କଲେଜରୁ ଅନର୍ସରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରି ବାଣୀ ବିହାରରେ ସ୍ନାତକୋତ୍ତରରେ ନାମ ଲେଖାଇଲି। ତାପରେ ରିଜର୍ଭବ୍ୟାଙ୍କରେ ଏବଂ ନାବାର୍ଡରେ ଚାକିରି କରି ପଦୋନ୍ନତି ପରେ ପଦୋନ୍ନତିର ପାହାଚ ଅତିକ୍ରମ କରି ୨୦୧୦ ମସିହାରେ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ସେବାନିବୃତ୍ତ ହେଲି। ଆଜି ପଛକୁ ଚାହିଁଲେ ସବୁ ସ୍ବପ୍ନ ଭଳି ଲାଗେ।
ପରବର୍ତ୍ତୀ ସମୟରେ ପୁରୀ ଗଲାବେଳେ ମୁଁ ଶ୍ରୀଲୋକନାଥଙ୍କ ମନ୍ଦିର ଆଡେ ଅନେକ ଥର ଯାଇଛି; କିନ୍ତୁ ସେ ବାବାଙ୍କର ଦର୍ଶନ ପୁନର୍ବାର କେବେହେଲେ ପାଇନାହିଁ। ଆଜି ପର୍ଯ୍ୟନ୍ତ ମନରେ ସେହି ଗୋଟିଏ ପ୍ରଶ୍ନ...କିଏ ସେହି ବାବା ? ଜୀବନର ଉପପାଦ୍ୟ ଶିଖେଇ ଦେଇ କୁଆଡେ ସେ ଉଭେଇ ଗଲେ ??
