Lokanath Rath

Tragedy Action Classics

3.2  

Lokanath Rath

Tragedy Action Classics

କିଛି ତ କୁହ

କିଛି ତ କୁହ

7 mins
507



ଅରୁଣ କୁମାର ଦାସ ପେଷାରେ ଜଣେ ଯନ୍ତ୍ରୀ ,ବୟସ ପ୍ରାୟ ୫୦ ବର୍ଷ ହେବ |ଅରୁଣ ବାବୁ ଜଣେ ବଡ଼ ହସ ଖୁସିଆ ବ୍ୟକ୍ତି |ଘର କଣ ବାହାରେ ,ସବୁ ଜାଗାରେ ସେ ତାଙ୍କ କଥାରେ ସମସ୍ତଙ୍କୁ ହସାଇ ଥାଆନ୍ତି | ସବୁବେଳେ ସେ କିଛି ନ କିଛି କହୁଥାନ୍ତି ,ଯେମିତି କଥା କହି କେବେ ସେ ଟେକି ଯାଆନ୍ତି ନାହିଁ | ପତ୍ନୀ ସୁନିତା ତାଙ୍କୁ ବେଳେ ବେଳେ କୁହନ୍ତି ,''ତୁମକୁ ଆଉ ପାରି  ହେବନାହିଁ | ସବୁ କଥାକୁ ତୁମେ ମଜାଳିଆ ବୋଲି ଭାବି ଖାଲି ଥଟ୍ଟାରେ ଉଡେଇ ଦେଉଛ | ଆସି ୫୦ ବର୍ଷ ହେଲାଣି ,ଟିକେ ସବୁ କଥାର ଗୁରୁତ୍ୱ ବୁଝିବାକୁ ଚେଷ୍ଟା କର |ତୁମଠାରୁ ତୁମ ପୁଅ ଅଜୟ ଓ ଝିଅ ଆରତୀ ବି ଶିଖି ଏବେ ସେମିତି ହେଇ ଗଲେଣି | ଦେଖୁନ ଅଜୟ  ଡାକ୍ତର ହେବାକୁ ବସିଲାଣି ,ଆଉ କେଇଟା ଦିନରେ ସେ ପୁରା ଡାକ୍ତର ହେଇଯିବ ,କିନ୍ତୁ କୌଣସି କଥାକୁ କେବେ ସେ ଗୁରୁତ୍ୱ ଦେଉନି | ଯେତେବେଳେ ମୁଁ କିଛି କହିଲେ ,ଛୋଟ ପିଲାଙ୍କ ପରି ହସି ହସି ସବୁ କଥାକୁ ଉଡେଇ ଦେଉଛି ଓ କହୁଛି ମୋତେ ଜମା ଚିନ୍ତା ନ କରିବାକୁ | ଆଉ ତୁମ ଗେହ୍ଲି ଝିଅ ଆରତୀ ଏବେ ଗୋଟିଏ ଯନ୍ତ୍ରୀ ହେବ ଆଉ ବର୍ଷକ ପରେ ,କିନ୍ତୁ କେତେବେଳେ ବି ଟିକେ କୌଣସି କଥାକୁ ଗୁରୁତ୍ୱର ସହିତ ଭାବୁନାହିଁ | ମତେ ଲାଗୁଚି ଯେମିତି ମୁଁ ଖାଲି ସବୁ ବିଷୟକୁ ନେଇ ଚିନ୍ତା କରୁଥିବି ଆଉ ତୁମମାନଙ୍କ ପରି ପାଗଳ ମାନଙ୍କ ସହିତ ରହି ଶୀଘ୍ର ପାଗଳ ହେଇଯିବି |'' ଏତିକ କହି ସୁନିତା ମୁହଁକୁ ରାଗ ଅଭିମାନରେ ଫୁଲେଇ ଦେଇ ଚାଲି ଯାଆନ୍ତି | ନିଜ ପତ୍ନୀ ସୁନିତାକୁ ଅରୁଣ ବାବୁ ବହୁତ ଭଲ ପାଆନ୍ତି,ସେ କେବେବି ତାଙ୍କୁ ଦୁଖୀ ଦେଖିବାକୁ ଚାହାନ୍ତି ନାହିଁ | ତେଣୁ ଅରୁଣ ବାବୁ ପଛରୁ ସୁନିତାଙ୍କ ହାତ ଧରି ଟାଣି ପାଖରେ ବସାଇ ଦେଇ କୁହନ୍ତି ,'' ଦେଖ ସୁନିତା ,ଏହି ଜୀବନଟା ଆମକୁ ବହୁତ କଷ୍ଟରେ ମିଳିଛି | ଆମେ ସମସ୍ତେ ନିଜ ନିଜ କର୍ମପଥରେ କାମ କରି ଚାଲିଛେ |ସେହି ପଥରେ ବହୁତ ଝଡ ଝଞ୍ଜା,ସୁଖ ଦୁଃଖ ଆସିବ | ଆମକୁ ସବୁ କିଛି ଭୋଗ କରିବାକୁ ହେବ | ସେଥିପାଇଁ କେବେବି ଦୁଃଖୀ ନ ହୋଇ ହସି ହସି ସବୁ କିଛି ସହି ସବୁର ସମାଧାନର ରାସ୍ତା ବାହାର କଲେ ଆମେ ସହଜରେ ପାଇଯିବ ଓ ଆମ ସହିତ ଜଡିତ ସମସ୍ତଙ୍କୁ ଦୁଃଖ ନଦେଇ କିଛି ଖୁସି ବାଣ୍ଟି ଯିବା | ତୁମେ ଭାବ ଆମେ ଆମ ଜୀବନର ସବୁ ଅସୁବିଧାକୁ କେମିତି ହସି ହସି ପାର କରି ଯାଇଛେ | ଖାଲି ହସିକରି ଦୁଇପଦ କଥା ହୋଇ ଯଦି ସମୟକୁ ଉପଭୋଗ କରିବା ,ତେବେ କ୍ଷତି କଣ ? ହଁ ,କିଛି ଗୁରୁତର କଥାକୁ ବି ଏହି ହସ ସରଳ କରି ଦେଇଥାଏ | ଆଉ ତୁମର ଏଇ ରାଗ ଓ ଅଭିମାନର ମୁହଁ ଫୁଲା ତୁମକୁ ଆହୁରି ସୁନ୍ଦର କରି ଦେଉଛି |'ଏତିକି କହି ହରିଣ ବାବୁ ଟିକେ ହସି ଦିଅନ୍ତି | ସୁନିତାଙ୍କ ରାଗ ବି କୁଆଡେ ଚାଲିଯାଏ ,ସେ ବି ହସିଦେଇ କୁହନ୍ତି ,''ତୁମକୁ ମୋଟେ ପାରି ହେବନାହିଁ |ହଉ ଥାଉ ତୁମର ଏଇ କଥା ,ମୋଟେ ବହୁତ କାମ ଅଛି କରିବାକୁ |'' ଏତିକି କହି ସୁନିତା ହସି ହସି ସେଠାରୁ ଛାଇ ଯାଆନ୍ତି |ସୁନିତା ମନେ ମନେ ନିଜ ସ୍ୱାମୀ ଅରୁଣ ବାବୁଙ୍କ ଏହି ସ୍ଵଭାଵ ପାଇଁ ଖୁସି ହୁଅନ୍ତି ଓ ଗର୍ବ କରନ୍ତି ମଧ୍ୟ ,କିନ୍ତୁ ବେଳେ ବେଳେ ଟିକେ ଉପରେ ଉପରେ ରାଗି ଯାଆନ୍ତି | ତାଙ୍କର ପରିବାର ବହୁତ ଖୁସିରେ ଚାଲିଛି |ଯେତେ ଯେତେ ଦୁଃଖ କଷ୍ଟ ଆସିଛି ସବୁବେଳେ ସୁନିତା ଟିକେ ଭାଙ୍ଗି ପଡନ୍ତି ,କିଣୁ ଅରୁଣ ବାବୁ ,ପୁଅ ଅଜୟ ଓ ଝିଅ ଆରତୀ ହସି ହସି ସବୁ କିଛି କୁ ସହଜ କରି ଦିଅନ୍ତି ଓ କେତେବେଳେ ସେଇ ଦୁଃଖ କୁଆଡେ ଚାଲିଯାଏ ଜଣ ପଡ଼େନି |

ଏମିତି ସବୁ କିଛି ଠିକ ଠକ ଚାଲିଥାଏ | ଘରର ସବୁ ଦାଇତ୍ୱ ସୁନିତାଙ୍କ ଉପରେ | କୌଣସି କାମ କରିବା ପୂର୍ବରୁ ବା କିଛି ଜିନିଷ ଆଣିବା ଆଗରୁ ,ସବୁଥିଲେ ସମସ୍ତେ ଆଗ ସୁନିତାଙ୍କ ସହିତ କଥା ହୋଇ ତାଙ୍କର ଅନୁମତି ନିଅନ୍ତି |ହଁ ,ସେକଥା ଭିନ୍ନ ଯେ ,ଯେତେବେଳେ ସୁନିତା କୌଣସି କଥାରେ ରାଜି ହୁଅନ୍ତି ନାହିଁ ,ସେତେବେଳେ ଅରୁଣ ବାବୁ ,ଅଜୟ ଓ ଆରତୀ ସମସ୍ତେ ମିଶି ଲାଗି ପଡନ୍ତି ତାଙ୍କୁ ମନାଇବାରେ ଓ ଶେଷରେ ସୁନିତା ମାନି ଯାଆନ୍ତି | ସୁନିତାଙ୍କୁ ସମସ୍ତେ ପରିବାରର ମୁଳୁଡୁଆ ବୋଲି ଭାବି ବହୁତ ଆଦର ସମ୍ମାନ ମଧ୍ୟ ଦିଅନ୍ତି | ସୁନିତା ବି କାହାର କେତେବେଳେ କଣ ଦରକାର ,ସବୁ କିଛି ସଜାଡି ରଖିଥାନ୍ତି |କେବେ ବି କାହାକୁ କୌଣସି ଅସୁବିଧାରେ ପଡ଼ିବାକୁ ସୁନିତା ଦେଇ ନାହାନ୍ତି | ତାଙ୍କୁ ଥଟ୍ଟାରେ ଅରୁଣ ବାବୁ କୁହନ୍ତି ,'' ଆମ ଘରର ପୁରା ପଞ୍ଜିକା ତୁମେ ଲେଖୁଛ ଓ ସେଥିପାଇଁ ଆମ ସମସ୍ତଙ୍କର ଗାଡି ଠିକ ଠିକ ଚାଲିଛି |'' ପିଲାମାନେ ମଧ୍ୟ ଏବେବି ସୁନିତାଙ୍କ ଉପରେ ଲଦି ହୋଇ ଗେହ୍ଲା ହୁଅନ୍ତି |ଏହି ସବୁ ଗୁଡିକ ସୁନିତାଙ୍କ ଦିନସାରା ର ସବୁ କ୍ଲାନ୍ତି ଦୂର କରିଦିଏ ଓ ସେ ନିଜକୁ ବହୁତ ଭାଗ୍ୟବତୀ ବୋଲି ଭାବି ଭଗବାନଙ୍କୁ ବହୁତ ଧନ୍ୟବାଦ ଦିଅନ୍ତି | ଦିନେ ସୁନିତାଙ୍କ ପେଟରେ ବହୁତ ଯନ୍ତ୍ରଣା ହେଲା |ସେ କାନ୍ଦିବାକୁ ଲାଗିଲେ | ଅରୁଣ ବାବୁ ସହି ନପାରି ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇଗଲେ | ପୁଅ ଅଜୟକୁ ଫୋନ କରି କହିଦେଲେ ଡାକ୍ତରଖାନାରେ ଅପେକ୍ଷା କରିବାକୁ | ଆରତୀ ବି ଛୁଟିରେ ଆସିଥିଲା ,ସେ ସାଙ୍ଗରେ ଗଲା |ଡାକ୍ତର ବାବୁ ସୁନିତାଙ୍କୁ ଦେଖି ପ୍ରଥମେ ଗୋଟିଏ ଇଂଜେକସନ ଦେଲେ କଷ୍ଟ ଦୂର କରିବା ପାଇଁ |ଯେତେବେଳେ ଡାକ୍ତର ଜାଣିଲେ ଯେ ସୁନିତା ଶେଷ ବର୍ଷର ଛାତ୍ର ଅଜୟ ର ମା ବୋଲି ,ଟିକେ ଭଲଭାବରେ ଯାଞ୍ଚ କରିବାକୁ କିଛି ପରକ୍ଷା ପାଇଁ ଅଜୟକୁ କହିଲେ ଓ ହସିହସି ସୁନିତା ଏବଂ ଅରୁଣ ବାବୁଙ୍କୁ କହିଲେ କିଛି ଚିନ୍ତା କରିବାର ନାହିଁ | ତିନି ଦିନ ପରେ ଯାଞ୍ଚ ରୁ ଜଣାପଡିବା ଓ ଆମେ ଚିକିତ୍ସା ଆରମ୍ଭ କରିବା ,ଏବେ କିଛି ଔଷଧ ଲେଖି ଦେଉଛି ସେପର୍ଯ୍ୟନ୍ତ ଖାଇ ନେବେ | କିଛି ସମୟ ପରେ ଅରୁଣ ବାବୁ ସୁନିତାଙ୍କୁ ନେଇ ଘରକୁ ଫେରିଲେ | ଆରତୀ ଓ ଅରୁଣ ବାବୁ ସୁନିତାଙ୍କୁ ଆରମ୍ଭ କରିବାକୁ କହି ଘରର କାମରେ ଲାଗିଗଲେ | ସୁନିତାଙ୍କ ବାରଣ  ସତ୍ୱେ  ସେମାନେ କିଛି ମାନିଲେ ନାହିଁ | ସେତିକିବେଳେ ଅଜୟ ଔଷଧ ନେଇ ପହଞ୍ଚିଲା ଓ ସୁନିତାଙ୍କ ପାଖରେ ବସି କହିଲା ,'ତୁମର କିଛି ହେବନାହିଁ |ତୁମେ ମୋଟେ ବ୍ୟସ୍ତ ହେବାର ନାହିଁ |'' ସେତିକିବେଳେ ହସି ହସି ଅରୁଣ ବାବୁ ମଜାରେ କହିଲେ ,'' ତୁ କିଛି କହନା ଆଉ ସେକଥା | ତୋ ମା ପୁରା କଣ କେଜାଣି ଭାବି ବ୍ୟସ୍ତ ହେଉଛନ୍ତି | ଆଜି ମୁଁ ରାନ୍ଧିକରି  ମା କୁ ଖୁଆଇବି | ତୁ ତ ଜାଣିଛୁ ମୁଁ କେତେ ସୁନ୍ଦର ରାନ୍ଧେ | ତୋ ମା ଖାଲି ହାତ ଚାଟି ଖାଇବ |'' ଏତକ ଶୁଣି ସୁନିତା ବି ହସିଦେଇ କହିଲେ ,'' ବୁଝିଲୁ ଅରୁଣ ,ଆଜି ଆମ ସମସ୍ତଙ୍କ ଅବସ୍ଥା ବାର ବାଜିବ |ଲୁଣିଆ ,ପୋଡା ,ରାଗୁଆ ଆଜି ସବୁ ଆମେ ଖାଇବା |'' ସୁନିତାଙ୍କ ଠାରୁ ଏତକ ଶୁଣି ଆରତୀ ଓ ଅଜୟ  ବି ହସି ଉଠିଲେ | ଅରୁଣ ବାବୁ ଟିକେ କଣେଇ କି ଚାହିଁ କହିଲେ ,'' ମୁଁ ଯଦି ଯନ୍ତ୍ରୀ ହେଇ ନଥାନ୍ତି ,ତେବେ କୌଣସି ବଡ଼ ହୋଟେଲ୍ରେ ବଡ଼ ରୋଷେଇଆ ହେଇଥାନ୍ତି | ହଉ ଆଜି ସବୁ ଖାଇକରି କହିବ |'' ରୋଷେଇ ସରିଲା ,ସମସ୍ତେ ଖାଇଲେ ,ସତରେ ଅରୁଣ ବାବୁ ବହୁତ ଭଲ ରାନ୍ଧିଥିଲେ | ସମସ୍ତଙ୍କୁ ବହୁତ ପସନ୍ଦ ଆସିଲା ,ସୁନିତା ନିଜ ଆଖି କଳାରୁ ଟିକେ ନେଇ ଅରୁଣ ବାବୁଙ୍କ ଗାଲରେ ଲଗାଇ ଦେଇ କହିଲେ ,'' ତୁମକୁ କାହାର ନଜର ନଳାଗୁ |'' ଏତକ ଦେଖି ,ଫିସ ଫିସ ହସି ଅରୁଣ ବାବୁ କହିଲେ ,'' ଆରେ ଏବେ ମୋ ରୋଷେଇରେ ତ ତୁମ ନଜର ଆଗ ଲାଗିଗଲା |'' ସମସ୍ତେ ହସି ପକାଇଲେ |

ତିନି ଦିନ ପରେ ଅରୁଣ ବାବୁ ଏକ ଡାକ୍ତରଖାନା ଗଲେ ସୁନିତାଙ୍କ ଯାଞ୍ଚ ବିଷୟରେ ଜାଣିବାକୁ | ଅଜୟ ବି  ଆସି ଯାଇଥିଲା | ଡାକ୍ତର ବାବୁ ଟିକେ ଉଦାସ ହୋଇ କହିଲେ ,'' ଆପଣଙ୍କୁ କେମିତି କହିବି ,ତେବେ ଆପଣଙ୍କ ପତ୍ନୀଙ୍କୁ କର୍କଟ ରୋଗ ହୋଇଛି |ତାଙ୍କ ପାକସ୍ଥଳୀରେ ବହୁତ ବଡ ଆକାରର | ଏବେ ଚେଷ୍ଟା କରିବା କେତେ ଅଧିକ ଦିନ ତାଙ୍କୁ ବଞ୍ଚାଇ ରଖିବା ପାଇଁ |'' ଏତକ ଶୁଣି ଅରୁଣ ବାବୁ ପୁରାପୁରି  ସ୍ତବ୍ଧ ହେଇଗଲେ | ତାଙ୍କର ହସକୁରା  ମୁହଁ ଶୁଖିଗଲା | ପୁଅ ଅଜୟ  ଜାଣିଥିଲା ,ସେ ଅରୁଣ ବାବୁଙ୍କୁ ଚାହିଁ କିଛି କହି ପାରିଲା ନାହିଁ | ଅରୁଣ ବାବୁ ଓ ଅଜୟ ସୁନିତାଙ୍କର ଚିକିତ୍ସା କୁ ନେଇ ଡାକ୍ତରଙ୍କ ସହିତ ଆଲୋଚନା କଲେ | ଶେଷରେ ଅରୁଣ ବାବୁ ଡାକ୍ତରଙ୍କୁ ଅନୁରୋଧ କଲେ କି ଏହି ରୋଗ ବିଷୟରେ ସୁନିତାଙ୍କୁ ନ ଜଣାଇବାକୁ | ସେ ଚାହୁଁଥିଲେ ତାଙ୍କ ପତ୍ନୀ ଖୁସି ଖୁସିରେ ବାକି ଜୀବନ ବଞ୍ଚିଯାଉ | ଅଜୟ ବି ସେଥିରେ ଏକମତ ହେଲା | ସୁନିତାଙ୍କ ପାଇଁ ଗୋଟିଏ ଅଲଗା ବିଶେଷ କ୍ୟାବିନ ବି ମିଳିଗଲା | ଅରୁଣ ବାବୁ ଓ ଅଜୟ ଘରକୁ ଫେରିଲେ |

ଦୁଇ ଜଣଙ୍କୁ ଦେଖି ସୁନିତା ହସି ହସି ପଚାରିଲେ ,''ଡାକ୍ତର କଣ କହିଲେ ? ମୁଁ ଜାଣିଛି କିଛି ବାହାରି ନଥିବ |'' ଅରୁଣ ବାବୁ ତାଙ୍କ ନିଜ କୋଠରୀକୁ ଚାଲିଗଲେ | ଅଜୟ ସୁନିତାକୁ କହିଲା ,''ନାହିଁ ସେମିତି କିଛି ହେଇନାହିଁ ,କିନ୍ତୁ ଚିକିତ୍ସା ପାଇଁ ତୁମକୁ ଡାକ୍ତରଖାନାରେ କିଛିଦିନ ରହିବାକୁ ହେବ |ତାପରେ ଆମେ ଘରକୁ ଠିକ ହୋଇ ଆସିଯିବା |'' ଅଜୟ  ଏସବୁ କହିଲା ବେଳେ ଅଳ୍ପ ହସି ବହୁତ ଗମ୍ଭୀର ଥିଲା ଭଳି ସୁନିତାକୁ ଲାଗିଲା | ସେ ଭାବିଲେ ଯାଇ ଅରୁଣ ବାବୁଙ୍କୁ ପଚାରିବେ | ପୁଅ ଅଜୟ ବି ଚୁପ ଚାପ ସେଠାରୁ ଚାଲିଗଲା ଓ ଆରତୀ କୁ ସବୁ କହିଲା | ଆରତୀ କାନ୍ଦି ଆସୁଥିଲା ,କିନ୍ତୁ ତାକୁ ଅଜୟ ଅଟକାଇ କହିଲା ,''ମା ଯେବେ କିଛି ନ ଜାଣନ୍ତି ,ତୋତେ ଯେମିତି ଥିଲୁ ସେମିତି ହୋଇ ଚଳିବାକୁ ହେବ |'' ସୁନିତା ଆସି ଦେଖିଲେ ଗୋଟିଏ ବ୍ୟାଗରେ ଅରୁଣ ବାବୁ ସୁନିତାଙ୍କ ଲୁଗାପଟା ଭର୍ତ୍ତି କରୁଛନ୍ତି | ସେ ଅରୁଣ ବାବୁଙ୍କ ପାଖକୁ ଯାଇ କହିଲେ ,'' ଆରେ ମୋର ପକୃତରେ କଣ ହେଇଚି ? ଅଜୟ ମତେ ଠିକ ଠାକ କିଛି କହିଲା ନାହିଁ | ତା ମୁହଁ କାହିଁକି କେଜାଣି ଶୁଖି ଯାଇଛି ? ଆରତୀ ବି ଏବେ ଚୁପ ଚାପ ତା କାମରେ ବ୍ୟସ୍ତ ହେଇ ଯାଇଛି | ତୁମେ ମୋର ଲୁଗାପଟା ସବୁ କଣ ବ୍ୟାଗରେ ଭର୍ତ୍ତି କରୁଛ? ମତେ ତୁମେ ସତ କରି କହିଲ ,ମୋର କଣ ହେଇଚି? '' ଅରୁଣ ବାବୁ ସବୁ ଶୁଣୁଥିଲେ ,କିନ୍ତୁ କିଛି କହିବାକୁ ଉତ୍ତର ଖୋଜି ପାଉ ନଥିଲେ | ତାଙ୍କୁ ଚୁପ ରହିବ ଦେଖି ସୁନୀତା ଟିକେ ଅରୁଣ ବାବୁଙ୍କୁ ହଲାଇ ଦେଇ ପୁଣି ପଚାରିଲେ .'' ଆରେ କିଛି ତ କୁହ ?'' ତଥାପି ଅରୁଣ ବାବୁ କିଛି କହିଲେ ନାହିଁ | ଅଜୟ ଆସି କହିଲା,'' ଏବେ ଚାଲ ମା ଆମେ ଡାକ୍ତରଖାନା ଯିବା | ବାପା ଆଜି ଟିକେ ବହୁତ ଏପଟ ସେପଟ ହେଇ କ୍ଲାନ୍ତ ହେଇ ପଡିଛନ୍ତି | ମୁଁ ତ କହିଲି ,କଣ ମୋ ଉପରେ ବିଶ୍ୱାସ ହେଲା ନାହିଁ ? ଚାଲ ଯିବା |'' ସୁନିତା କିଛି ନ କହି ବାହାରିଲେ | ସେ ଅରୁଣ ବାବୁଙ୍କୁ ଭଲକରି ଜାଣିଛନ୍ତି ତଥାପି ଟିକେ ଉଦାସ ହେଇ ପୁଣି ଥରେ  ପଚାରିଲେ ,'' ତୁମେ ମତେ କିଛି ତ କୁହ ?'' ଏତକ କହି କିଛି ଉତ୍ତର ପାଇବା ଆଗରୁ ସୁନିତା ଅରୁଣ ବାବୁଙ୍କ ଆଖି ଛଳଛଳ ହୋଇ ଆସୁଥିବା ଦେଖି ପାରିଲେ | ସେ ମନେ ମନେ ବୁଝି ପାରିଲେ ଅରୁଣ ବାବୁଙ୍କ ନୀରବତାର କାରଣ ,ଆରତୀର ନୀରବତାର କାରଣ | ଆଉ ଅଧିକ କିଛି ନ କହି ଦୁଃଖ ମିଶା ହସ ମୁହଁରେ ଫୁଟାଇ ସୁନିତା ଅଜୟ ଓ ଅରୁଣ ବାବୁଙ୍କ ସହିତ ଡାକ୍ତରଖାନା ଚାଲିଲେ | ପଛରୁ ଆରତୀ ତାଙ୍କୁ କରୁଣରେ ଚାହିଁଥାଏ |


Rate this content
Log in

Similar oriya story from Tragedy