Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sriman Bapu

Inspirational

4.0  

Sriman Bapu

Inspirational

କି ପ୍ରୟୋଜନ....?

କି ପ୍ରୟୋଜନ....?

4 mins
549



     ଶୀତଦିନେ ବାଡ଼ିରେ ସଜନା ଗଛର ଗଣ୍ଡିରେ ଅଗଣିତ ସାଁବାଳୁଆ ଲାଗିଲାଗି ରହି ସାଲୁବାଲୁ ହେଉଥିବାର ଦେଖି ଦେହ ଶୀତେଇ ଉଠେ ! ସାଁବାଳୁଆକୁ କିଏ ଭଲ ପାଏ ? ଘରେ ପଶନ୍ତି ହାତ ଗୋଡ଼ରେ ଲାଗିଗଲେ ପ୍ରବଳ କୁଣ୍ଡେଇ ହୁଏ । ଏକମାତ୍ର ଉପାୟ ପୋଇ ପତ୍ର , ପୋଇପତ୍ରର ଲାଳରେ ଆଖିକୁ ପରିଷ୍କାର ଦେଖା ଯାଉ ନଥିବା ସାଁବାଳୁଆର ଲୋମ ବାହାରି ଆସେ । ଛୋଟ ଛୁଆଙ୍କ ପାଇଁ ଅଧିକ ଚିନ୍ତା , ଜାଣି ନପାରି ହାତରେ ଧରି ପକେଇବେ , କିଛି ସମୟ ପରେ କାନ୍ଦ ! ହାତ କୁଣ୍ଡେଇ କୁଣ୍ଡେଇ ଲାଲ ପଡ଼ିଯାଇଥାଏ ଆଉ ଘାଆ ବି ହୋଇଯାଏ ! ଟିକିଏ ଜାଣିବା ପିଲା ହେଲେ ତୁରନ୍ତ ନିଜ ଚିକିତ୍ସା ନିଜେ କରିନିଏ ।


    ସାଁବାଳୁଆଠୁଁ ମୁକ୍ତି ପାଇବା ପାଇଁ ଗଛ ଗଣ୍ଡିରେ କିରୋସିନ ଟିକିଏ ଢାଳି କୁଟା ଜାଳି ନିଆଁ ଦେଖେଇ ପୋଡ଼ି ଦିଆଯାଏ । ବଡ଼ମାନେ ଏ କାମ କରନ୍ତି ଆଉ ଛୁଆ ସବୁ ଦେଖି ମଜା ନିଅନ୍ତି । ପ୍ରଥମେ ଲୋମସବୁ ନିଆଁ ଧରେ ତା' ପରେ ଶରୀରରେ । ଦୁଲ୍ ଦାଲ୍ ସବୁ ତଳେ ପଡ଼ି ଛଟପଟ ହୋଇ ମରନ୍ତି ,ଦେହରୁ ପୁଜ ପରି ପାଣି ସବୁ ନିଗିଡ଼ି ଆସେ । ଏ ଦୃଶ୍ୟ ଅଧିକାଂଶ ଲୋକଙ୍କୁ ଦେଖିବାକୁ ଭଲ ଲାଗେ ଆଉ କିଛିଙ୍କୁ ଘୃଣା ଲାଗେ ! ସାହାସ କରି କୁଟା ନିଆଁ ଦେଖାଇ ଜାଳୁଥିବା ଲୋକଟି ସୁଚାରୁରୂପେ କାର୍ଯ୍ୟଟି ସମ୍ପାଦନ କରି ଗର୍ବ ଅନୁଭବ କରେ ।


    ଗାଁରେ ବାଳୁଙ୍ଗା ଛୁଆ ସାଁବାଳୁଆକୁ ପଥରରେ ଛେଚି ,ଚପଲ ତଳେ ଚାପି , ପଙ୍କରେ ବୁଡ଼େଇ ଆହୁରି କେତେ ଅଭିନବ ଶୈଳୀରେ ମାରନ୍ତି ,ଏଇଟା ସେମାନଙ୍କର ଗୋଟିଏ ଖେଳ । ବଡ଼ମାନେ ଦେଖିଲେ କେବେ ବି ବିରୋଧ କରନ୍ତି ନାହିଁ । ସାଁବାଳୁଆକୁ ସଭିଏଁ ଘୃଣା ଚକ୍ଷୁରେ ଦେଖନ୍ତି , ସମସ୍ତେ ଚାହାଁନ୍ତି ସାଁବାଳୁଆର ବଂଶ କେମିତି ଲୋପ ପାଉ । ମଣିଷର ସ୍ୱାଚ୍ଛନ୍ଦ୍ଯ ଜୀବନରେ ସେ ଏକ ଛୋଟ ସମସ୍ୟା । ଛୋଟ ହେଉ ବା ବଡ଼ ମଣିଷକୁ ସମସ୍ୟା ମୁକ୍ତ ଜୀବନଟିଏ ଦରକାର । ବଡ଼ ସମସ୍ୟା ସହ ଲଢ଼ିବା କଷ୍ଟ ତେଣୁ ଆଗ ଏହି ଛୋଟ ଛୋଟ ସମସ୍ୟାର ମୂଳପୋଛ ତ ହେଉ । ମଣିଷକୁ ଯାହା ପସନ୍ଦ ନୁହେଁ ଆଉ ଯାହାକୁ ସେ ତା' ଜୀବନରେ ଅଦରକାରୀ ଭାବେ ତା'ର ଯେମିତି ବଞ୍ଚିବାର ଅଧିକାର ନାହିଁ ଏ ସଂସାରରେ । 


     ପ୍ରାୟ ସମସ୍ତେ ଜାଣନ୍ତି ଏ କଦାକାର କୁତ୍ସିତ ସାଁବାଳୁଆରୁ ରୂପାନ୍ତର ହୋଇ ଅପୂର୍ବ ଲାବଣ୍ଯମୟ ସୌନ୍ଦର୍ଯ୍ୟଭରା ରଙ୍ଗବେରଙ୍ଗ ପ୍ରଜାପତିର ସୃଷ୍ଟି ହୁଏ । ହେଲେ ସାଁବାଳୁଆକୁ ପ୍ରଜାପତି ହେବାକୁ ଦେବାର ଯେମିତି କେହି ଭିତରୁ ଚାହାନ୍ତି ନାହିଁ । ମଣିଷ କ'ଣ ପ୍ରଜାପତିକୁ ଈର୍ଷା କରେ , ତା'ର ସୌନ୍ଦର୍ଯ୍ୟ ଆଉ ଉଡ଼ିବୁଲିବାକୁ ନାପସନ୍ଦ କରେ , ନା ତା' ସମାଜରେ ତଥାକଥିତ କୁତ୍ସିତ ଆଉ କଦାକାର ପ୍ରାଣୀଙ୍କ ସ୍ଥାନ ନାହିଁ ? କ'ଣ ଏହିସବୁ କାରଣ ଯୋଗୁଁ ସାଁବାଳୁଆକୁ ମାରି ମଣିଷ ତା'ର " ମୂଳୁ ମାରିଲେ ଯିବ ସରି " ଉକ୍ତିକୁ ଯଥାର୍ଥ ପ୍ରତିପାଦିତ କରେ ? ମଣିଷର ମାନସିକତା ବି ବଡ଼ ବିଚିତ୍ର ! ମୂଳକୁ ଘୃଣା ଆଉ ଅନାଦର ପୁଣି ଉତ୍କର୍ଷତା , ସଫଳତାର ସୌନ୍ଦର୍ଯ୍ୟ ଆଉ ରୂପ ରଙ୍ଗକୁ ଦେଖି ବିଭୋର ହୁଏ ।


     ବୋଧହୁଏ ସାଁବାଳୁଆକୁ ଘୃଣା ଆଉ ପ୍ରଜାପତିକୁ ଆଦର କରିବା ଭଳି ବିରୋଧାତ୍ମକ ବିଚାର ପଛରେ ରହିଛି ମଣିଷ ଜୀବନରେ ଅହରହ ସଂଗ୍ରାମ ଜନିତ ତିକ୍ତତା ଆଉ ବ୍ୟର୍ଥତା । ଏହିସବୁ ତାକୁ ନୃଶଂସ କରିପକାଇଛି ଆଉ ସେ ଏହିଭଳି ଅସହାୟ ପ୍ରାଣୀମାନଙ୍କୁ ଯାତନା ଦେଇ ନିଜ ମଧ୍ୟରେ ଲୁକ୍କାୟିତ ଆଦିମ ରକ୍ତପିପାସୁ ଦାନବକୁ ତୃପ୍ତକରି ଆତ୍ମସନ୍ତୋଷ ପାଏ ।


     ପ୍ରକୃତିର ସନ୍ତୁଳିତ ପରିବେଶକୁ ନଷ୍ଟଭ୍ରଷ୍ଟ କଲାପରେ ଯେବେ ବୁଝିଲା , ସେ ପଡୋଶୀ ଘରେ ଯେଉଁ ନିଆଁ ଲଗେଇଥିଲା ଏବେ ସେଇ ନିଆଁ ନିଜ ଘରକୁ ଡେଇଁଛି । ତଥାକଥିତ ପ୍ରକୃତିର ସୁରକ୍ଷା ପାଇଁ ନିଜକୁ ଆତ୍ମଘୋଷିତ ରକ୍ଷକ ଘୋଷଣା କଲା । ତେବେ ବୁଝିବା କଥା ମଣିଷ କେବେ କାହା ପାଇଁ ଚିନ୍ତିତ କି ବ୍ୟଥିତ ନୁହେଁ ବରଂ କେବଳ ନିଜ ସ୍ୱାର୍ଥ ପାଇଁ ସେ ତତ୍ପର ।


     ଯଦି ଆଜି ଘୋଷଣା କରି ଦିଆଯାଏ କି ସାଁବାଳୁଆ ବ୍ୟବସାୟ ଅତ୍ୟନ୍ତ ଲାଭଜନକ ତା'ଠୁ ଅଧିକ ପ୍ରଜାପତିର ତେବେ ସେ ଲାଗିପଡିବ କେମିତି ଦ୍ରୁତ ଗତିରେ ରାତାରାତି ସାଁବାଳୁଆରୁ ପ୍ରଜାପତିକୁ ରୁପାନ୍ତର କରିହେବ । ତାହା ପାଇଁ ଉପଯୁକ୍ତ କୃତ୍ରିମ ପରିବେଶ ବୃକ୍ଷଲତା ସବୁକିଛିର ଯୋଗାଡ଼ ସେ କରିଦେବ । ଯେ ପର୍ଯ୍ୟନ୍ତ ତା'ର କୌଣସି କଥାରେ ବିଶେଷ ପ୍ରୟୋଜନ ନାହିଁ ସେ କାହିଁକି ଚିନ୍ତା କରିବ ? ମଣିଷ ମହାଜ୍ଞାନୀ , ସେ ଜାଣିଛି ପ୍ରଜାପତି ଫୁଲରୁ ଫୁଲ ଅବିଶ୍ରାନ୍ତ ଘୂରି ବୁଲି ପରାଗ ସଙ୍ଗମ କରାଏ । ଏଇଥି ପାଇଁ ତ ପ୍ରଜାପତି ବିଲୁପ୍ତ ନୁହେଁ ନହେଲେ କେବେଠୁଁ ତା' ପାଇଁ ବିରାଟ ବିରାଟ ସଂଗ୍ରାହାଳୟ ମାନ ଗଢ଼ି ନିଜ ମହାନତାର ପରିଚୟ ଦିଅନ୍ତାଣି । 


    କେହି କ'ଣ କେବେ ନିଜ ବାଡ଼ିରେ ଫୁଲଗଛମାନ ଲଗାଏ ପ୍ରଜାପତିକୁ ସାଦର ଆମନ୍ତ୍ରଣ କରିବାପାଇଁ ? ବିଭିନ୍ନ ପ୍ରକାରର ଫୁଲଗଛମାନ ଖୋଜି ଖୋଜି ଆଣି ସେ ଲଗାଏ, କାରଣ ପଡୋଶୀକୁ ଦେଖେଇବାକୁ ହୁଏ ଯେ ସେ ବଡ଼ ପ୍ରକୃତି ସୌନ୍ଦର୍ଯ୍ୟ ପ୍ରେମୀ ଆଉ ତା' ବଗିଚା ସର୍ବୋତ୍କୃଷ୍ଟ !


ଫୁଲରୁ ପାଏ ନିଜ ଦେହ ଓ ଘରର ଦୁର୍ଗନ୍ଧ ଦୂର କରିବା ପାଇଁ ଅତର ଆଉ ରୋଗ ପାଇଁ ଔଷଧୀ । ଫୁଲର ରଙ୍ଗ କୋମଳତା ଆଢୁଆଳରେ ଲୁଚାଏ , ସଜାଏ ନିଜର ନୀରସ କଳାଧଳା ଜୀବନକୁ । ନିଜ ବିବାହରେ , ବାସର ରାତିରେ ଯଥାସାଧ୍ୟ ଚେଷ୍ଟା କରେ ନିଜର ରୁକ୍ଷତା , କୁତ୍ସିତତା , କୁରୂପତାକୁ ଲୁଚାଇବାକୁ ଫୁଲର ରଙ୍ଗ , ରୂପ ଆଉ କୋମଳତାକୁ ଢାଲ କରି ।  

ଫୁଲ ଚାଷ କରେ ସେ ନିଜ ଜିଭ ଲାଳସାର ପରିତୃପ୍ତି  ପାଇଁ । ଠିକ୍ ସମୟରେ ମହୁମାଛିଙ୍କ ଅବିଶ୍ରାନ୍ତ ପରିଶ୍ରମକୁ ଲୁଟିଆଣେ ତା'ର ଘର ଭାଙ୍ଗି ତାକୁ ହତ୍ୟାକରି ।


      ବାଡ଼ିରେ ସେ ଫୁଲଗଛ ଲଗାଏ ନିଜର ପଥର ପଣିଆରେ ଗଢ଼ା ପଥର ଭଗବାନଙ୍କ ଚରଣରେ ଏହି ଫୁଲସବୁକୁ ଥୋଇ ବଦଳରେ ଅର୍ଥ , କ୍ଷମତା ଆଉ ଗୌରବର ଭିକ୍ଷା ମାଗିବାକୁ । ଯେତେ ପାରେ ଫୁଲ ଦୁଇଁଆଣି ତା' ଭଗବାନ , ନେତାଙ୍କ ‌ପାଦ ,ଗଳା ଆଉ ଶୀର୍ଷରେ ସେ ସଜାଏ । ଯେତେ ଅଧିକ ଫୁଲ ସେ ସମର୍ପେ ସେତେ ବଡ଼‌ ପାଇବାର ଆଶା ରଖେ । ବରଂ ଯେତେ ବଡ଼ ମାନସିକ ସେତେ ଅଧିକ ଫୁଲ । ସବୁ ପୂଜା ପାର୍ବଣରେ , ନିର୍ବାଚନ ବେଳେ ଏଇ ଫୁଲଗଛ ସବୁ ଲୁଣ୍ଠିତ ଆଉ ଧର୍ଷିତ ହୁଅନ୍ତି । 


       ମଣିଷ ନା ଫୁଲକୁ ଭଲ ପାଏ ନା ପ୍ରଜାପତିକୁ । ସେ ଭଲ ପାଏ କେବଳ ଆଉ କେବଳ ନିଜ ସ୍ୱାର୍ଥକୁ । ଅପୂଜା ଅଲୋଡ଼ା ଆଉ ଅଦରକାରୀ ଫୁଲର ତା' ବାଡ଼ି ବଗିଚାରେ ବିଶେଷ ସ୍ଥାନ ନାହିଁ । 


     ଏହି ବସନ୍ତ ପୂର୍ବରୁ କଢ ଧରିଥିବା ଅଗଣିତ ପଳାଶ ଗଛ ସବୁକୁ ହାଣି ଶୋଇଦିଆଗଲା , ପଚାରିଲାରୁ କହିଲେ, ଏଇ ଗଛର କିଛି ପ୍ରୟୋଜନ ନାହିଁ , ବେକାର ସବୁ । ସେହି ବେକାର ଗଛ ମାନଙ୍କ ମଧ୍ୟରୁ କିଛି ଗଛର ତ ପ୍ରଥମ ଥର ପାଇଁ କଢ ଧରିଥିଲା । କାହିଁ କେତେ ବର୍ଷଧରି ଫୁଟିବାର ସ୍ୱପ୍ନ ଦେଖି ବଢ଼ି ଆସୁଥିଲେ । କେତେ ଗ୍ରୀଷ୍ମର ପ୍ରକୋପ , ଦୁର୍ବୁତ୍ତର ହଣା ସହି ନଥିବେ ସେମାନେ ।


       ଶୁଣିଥିଲି କି ପଢ଼ିଥିଲି ଠିକ୍ ସେ ମନେ ନାହିଁ କେହି ଜଣେ ସନ୍ଥ ନିଜର ଇଷ୍ଟଦେବଙ୍କ ପୂଜା ପାଇଁ ନିଜ ଆଶ୍ରମ ପରିସରରେ ଥିବା ଫୁଲଗଛରୁ ସଦ୍ଯ ଝଡ଼ି ପଡ଼ିଥିବା ଫୁଲକୁ ବଡ଼ ବିନୟ ଆଉ କୃତଜ୍ଞତାର ଭାବ ସହ ତୋଳି ନିଅନ୍ତି । ଫୁଲ ଗଛକୁ ନେହୁରା ହୋଇ ଫୁଲ ଯୋଡେ ତିନିଟି ମାଗନ୍ତି ଆଉ ଅପେକ୍ଷା କରନ୍ତି ଫୁଲ କିଛି ଝଡ଼ି ପଡ଼ିବାକୁ । କାହିଁ ଏ ଭାବ ଭକ୍ତି ଆମ ପୂଜାରେ ? ଏ ଭାବ ବିନା ପୂଜାରେ ବା କି ପ୍ରୟୋଜନ ? ଏ ଭାବ ବିନା ସାଁବାଳୁଆର ରୂପାନ୍ତରୀକରଣ କି ସମ୍ଭବ ? ଏ ଭାବ ବିନା ଗଛରେ ଫୁଲ ଫୁଟିବା କ'ଣ ସମ୍ଭବ ?  



  


Rate this content
Log in

More oriya story from Sriman Bapu

Similar oriya story from Inspirational