Sachidananda Kar

Romance

3  

Sachidananda Kar

Romance

ଖୁସି : ସେ ମୋର, ମୁଁ ତାଙ୍କର

ଖୁସି : ସେ ମୋର, ମୁଁ ତାଙ୍କର

2 mins
244


     ଏବେ ସବୁରାତି ମୁଁ ଗୋଟେ ମଲାଜହ୍ନ । ମୋ ଆଲୁଅ ମୋ ସହିତ ଅଛି । ମୋ ସମ୍ମୋହନ ମୋ ସହିତ ଅଛି । ମୋ ଶୀତଳତା ବି ମୋ ସହିତ ଅଛି । ସେସବୁକୁ ବିଛଣା କରି ଶୋଇରହୁଛି ମୁଁ ।  


     ହେଲେ ରାତିରେ ନିଦ ଆସେନି ମୋ ଆଖିକି । ମୋର ସବୁତକ ନିଦ ସେ ଚୋରି କରି ନେଇ ଯାଇଛନ୍ତି ପରା । ସେଇଥିପାଇଁ ତ ସେ ସାରାରାତି ଖୁବ୍ ଗଭୀର ନିଦରେ ଶୋଇ ପାରୁଛନ୍ତି ।  


     ଶୋଇପଡିଲେ ସୁନ୍ଦର ଲାଗିବି କି? ମୁଁ ଖୁବ୍ ସୁନ୍ଦର ଲାଗେ, ରୋମାଣ୍ଟିକ ଦିଶେ - ଇଏ ତ ତାଙ୍କର ଇଚ୍ଛା । ଚାହିଁ ରହିଲେ ହିଁ ମୁଁ ମନ ଭରି ତାଙ୍କୁ ଭୋଗେ । ଦେଖେ ମୋ ଦେହରେ ସେ କେମିତି କବିତା ଲେଖୁଛନ୍ତି । ଣୁଣେ ମୋ ଓଠରେ ସେ କେମିତି ଗଜଲ୍ ଗାଉଛନ୍ତି । ଖୁସି ହୁଏ ଦେଖି ମୋ ଘନ କବରୀକି ଖୋଲି ଦେଇ ସେ କେମିତି ଶଦ୍ଦ ଖୋଜିବାରେ ଲାଗିଛନ୍ତି । ତେଣୁ ମୁଁ ମୋର ସବୁତକ ନିଦକୁ ମୋ ଆଖିପତା ବାହାରେ ଅବରୁଦ୍ଧ କରି ରଖି ଦେଇଥାଏ ।  


     ତାଙ୍କର ଯେତେ ଯାହା ଗୋପନୀୟ କଥା ସେ ରାତିରେ ହିଁ ମୋତେ ବାଣ୍ଟିଦିଅନ୍ତି । ତାଙ୍କର ଯେତେ ଯାହା ଦୁର୍ବଳତା ସେ ସେଇ ରାତିରେ ହିଁ ମୋଠି ଖୋଲିଦିଅନ୍ତି । ରାତିରେ ରାତ୍ରୀର ରଜନୀଗନ୍ଧା କହିବାକୁ ଇଚ୍ଛା ହେଲା ତ କହିପାରନ୍ତି ମୋତେ । ସ୍ୱର୍ଗର ପାରିଜାତ ତୋଳିଦେବାକୁ ଚାହିଁଲେ ବି ସେ ତୋଳି ଆଣି ଦେଇପାରନ୍ତି ମୋତେ ସେଇ ରାତିରେ । ତାଙ୍କର ଆଚରଣ ଓ ଉଚ୍ଚାରଣରେ ଆଦୌ ଛଳନା ନ ଥାଏ ସେତେବେଳେ ।  


     ସେଇ ରାତିରେ ହିଁ ମୁଁ ବୁଝିପାରେ ତାଙ୍କ ଶୁଦ୍ଧ ଶୋଷ । ମୁଁ ତ ତାଙ୍କ ପାଇଁ ଗୋଟେ ଥଣ୍ଡା ପାଣିର ମାଠିଆ । ତାଙ୍କ ଶୋଷ ମରିବାଯାଏ ସେ ମୋତେ ଶୋଷୁଥାଆନ୍ତି । ତାଙ୍କ ପାଇଁ ନିଜକୁ ଶୂନ୍ୟ କରିଦେବାରେ ମୋର ଆଦୌ ଦ୍ୱିଧା ନଥାଏ ସେତେବେଳେ ।  


     ମୋ ଦେହର କଳାତ୍ମକ ଫୁଲ ସବୁ ତାଙ୍କ ପସନ୍ଦର । ତେଣୁ ତାହା ମଉଳି ନ ଯାଉ ସେ ଚାହାନ୍ତି । ମୋ ହସ ତାଙ୍କର ଖୁବ୍ ପ୍ରିୟ ପସନ୍ଦର । ତେଣୁ ମୁଁ କାନ୍ଦେ ସେ ଚାହାନ୍ତି ନାହିଁ । ମୋ ଚଳଚଞ୍ଚଳତା ବି ତାଙ୍କର ଅତି ପସନ୍ଦର । ତେଣୁ କେବେ ବାଟ ଓଗାଳି ମୋ ଆଗରେ ଠିଆ ହୋଇଯାଆନ୍ତି ନାହିଁ ସେ ।  


     ସେ ମୋ ପାଖରେ ଥାଆନ୍ତି ବୋଲି ତ ସବୁବେଳେ ମୁଁ ଫୁଟି ହସୁଥାଏ । ତାଙ୍କ ପାଇଁ ଆଗକୁ ଆଗକୁ ଧାଉଁଥାଏ । ମୋତେ ଛୁଇଁ ସେ ଯାହା କରୁଥାନ୍ତି, ତାହାକୁ ମୁଁ ପୃଥିବୀର ସବୁଠାରୁ ସୁନ୍ଦର କାମ ମନେ କରୁଥାଏ । ପୁଣି ମୋ କାନ ପାଖରେ ମୋତେ ସେ ଚୁପିଚୁପି ଯାହା କହୁଥାନ୍ତି, ତାହା ମୋତେ ପୃଥିବୀର ସବୁଠାରୁ ସୁନ୍ଦର କଥା ପରି ଲାଗୁଥାଏ ।  


     ସେ ମୋତେ ସବୁବେଳେ ନିଃସର୍ତ୍ତ ଭାବରେ ଚାହାନ୍ତି । ମୁଁ ବି ତାଙ୍କ ପାଖରେ କାହିଁକି କ'ଣ ସର୍ତ୍ତ ରଖିବି ଯେ!ସେଇଥିପାଇଁ ତ ମୁଁ ଓ ମୋର ରୂପଲାବଣ୍ୟ ତାଙ୍କ ଶ୍ୱାସକ୍ରିୟାଠୁଁ ତାଙ୍କର ଅଧିକ ନିଜର । ମୋ ଠାରେ ତାଙ୍କର ବିଶ୍ୱାସ ସମୁଦ୍ର ଠାରୁ ଅଧିକ ଗଭୀର । ମୁଁ ତାଙ୍କ ଅନ୍ତରଙ୍ଗତାର ଆକାଶ । ମୋ ଖୁସିରେ ହିଁ ତାଙ୍କର ଖୁସି ।  


     ତାଙ୍କ ପରି ଏତେ ଆପଣାର ଲୋକଟିଏ ମୋ ପାଇଁ ଆଉ ଏଠି କାହିଁ କିଏ ଯେ!ଖୁସି ତ ସବୁବେଳେ କୁନି ପିଲାଟିଏ ପରି । ମୋ ଖୁସି ତାଙ୍କ ପାଇଁ ସବୁବେଳେ ସେହିପରି ହୋଇ ରହିଥାଏ । ମୁଁ ତାଙ୍କ ପାଇଁ ତାଙ୍କ ପାଖରେ ଖୁସି ଥାଏ ।  


     ନାରୀ ଜନ୍ମ ଓ ଜୀବନର ସାର୍ଥକତା ଆଉ ଅଧିକ କ'ଣ ଚାହେଁ କି?ସତରେ, ମୋ ଖୁସି ସେ । ସମ୍ଭବତଃ ମୁଁ ବି ତାଙ୍କର ଖୁସି । 



Rate this content
Log in

Similar oriya story from Romance