Arabinda Rath

Inspirational Others

4.8  

Arabinda Rath

Inspirational Others

ଖୁଚୁରା

ଖୁଚୁରା

8 mins
2.7K


ଅରବିନ୍ଦ ରଥ


ହାତରେ ଏକ ଟୁକୁରା କାଗଜ ଧରି କୁମୁଦ ବୁଲି ଚାଲିଥିଲା ଦୋକାନ ପରେ ଦୋକାନ। ସମସ୍ତଙ୍କୁ ପଚାରି ବୁଝୁଥିଲା ସେହି ଲୋକ ବିଷୟରେ, ଯିଏ ତା ଜୀବନର ସଂଜ୍ଞା ବଦଳେଇ ଦେଇଥିଲା। କିଏ ସେ ଲୋକ ଓ କୁମୁଦ ଜୀବନ ରେ ତା ମହତ୍ତ୍ବ କଣ, ସେ ବିଷୟ ରେ ଜାଣିବାକୁ ଆମକୁ ଅତୀତ କୁ ଫେରିବାକୁ ହେବ।

କୌଣସି ଏକ ଜରୁରୀ କାମରେ କୁମୁଦ ଯାଇଥିଲା ସହରକୁ,ପାଖରେ ଥିଲା ଯଥେଷ୍ଟ ଟଙ୍କା। ବସ୍ ରୁ ଓହ୍ଲାଇଲା ପରେ ଆଉଥରେ ଦେଖିନେଲା ନିଜ କାଗଜ ପତ୍ର ଓ ଟଙ୍କା ; ସବୁ ଠିକ୍ ଅଛି ବୋଲି ଦେଖିବା ପରେ ସେ ନିଶ୍ଚିନ୍ତ ହେଲା। ତାକୁ ଜଲଦି କାମ ସାରି ନିଜ ଘରକୁ ଫେରିବାକୁ ହେବ। ଅଚିହ୍ନା ସହର --- କେହି ଜଣା ଶୁଣା ଲୋକ ମଧ୍ଯ ନାହାନ୍ତି, ତେଣୁ ମନରେ ଭୟ ଆସିବା ସ୍ବାଭାବିକ। ସେ ଚଞ୍ଚଳ କାମ ସାରିବାକୁ ବାହାରି ପଡିଲା। ମନରେ ଭାବନା ଥାଏ, କାଳେ ବେଶୀ ଡେରି ହେବ ଫେରିବାକୁ। କିଛି ନ ହେଲେ ହୋଟେଲରେ ରାତି କଟେଇବାକୁ ପଡିବ। ମାତ୍ର ଏ ଅଚିହ୍ନା ସହରରେ ବେଶି ସମୟ ରହିବାକୁ ତାର ମନ ନ ଥିଲା।

କୁମୁଦ ଅଫିସରେ ପହଞ୍ଚି ବୁଝାବୁଝି କରି ଜାଣିଲା ଯେ, ଯେଉଁ ଅଫିସର ପାଖରେ କାମ ଅଛି ସେ ଡେରିରେ ଆସିବେ,ତେଣୁ ଅପେକ୍ଷା କରିବା ଛଡା ଅନ୍ଯ ଗତି ନାହିଁ। ସକାଳୁ ଘରୁ ଆସିଲା ବେଳେ କାଳେ ଡେରି ହେବ ବୋଲି ଭଲରେ ଖାଇ ପାରି ନ ଥିଲା। ସେ ଭବିଲା, କଣ ଟିକେ ଖାଇ ଦେଇ ଆସିଲେ ଅପେକ୍ଷା କରିବାରେ ସୁବିଧା ହେବ। ମନିପର୍ସ ଥରେ ଭଲରେ ପରଖି ଦେଖିଲା, ଦଶ ଖଣ୍ଡି ପାଞ୍ଚଶହ ଟଙ୍କିଆ ନୋଟ୍ ଅଛି। ସହରରେ ଚୋରିର ଭୟ ଥିବାରୁ ସେ ପକେଟ୍ ର ଆକାର ପତଳା ରଖିବାକୁ ଚାହୁଁଥିଲା। ଏହି କାରଣରୁ ବେଶି ଖୁଚୁରା ନୋଟ୍ ନ ନେବାକୁ ଠିକ୍ ଭାବିଥିଲା। ପାଖରେ ଯାହା ଖୁଚୁରା ଟଙ୍କା ଥିଲା ସବୁ ବସ୍ ଭଡା ଦେବାରେ ଚାଲି ଗଲା। ବାକି ବଳକା ଟଙ୍କାରେ ସେ ଗୋଟିଏ ଦୋକାନ ରୁ ପେଟପୁରା ଖାଇନେଲା। ଦୋକାନ ର ପିଲା ଟି କୁମୁଦ ପାଖରୁ କିଛି ଖର୍ଚ୍ଚ ପାଇବା ଆଶାରେ କହିଲା

.... ବାବୁ ଆପଣ ଏତେ ବଡ ଲୋକ...ମୋ ହାତ ଖର୍ଚ୍ଚ ପାଇଁ କିଛି ଦିଅନ୍ତୁ।

ବାବୁ ସମ୍ବୋଧନ ଶୁଣି କୁମୁଦ ମନ ଟା କୁରୁଳି ଉଠିଲା ଓ ସେ ସାଙ୍ଗେସାଙ୍ଗେ ତା ହାତକୁ ବଢାଇ ଦେଲା ପାଞ୍ଚ ଟଙ୍କାର ଏକ ମୁଦ୍ରା। ପିଲାଟି ଖୁସି ହୋଇ ଜୁହାର ପକାଇବାରେ ଲାଗିଲା। ବିଦାୟ ଦେଲା ବେଳକୁ ପୁଣି ଥରେ ଦୋକାନ କୁ ଆସିବା ପାଇଁ କୁମୁଦ କୁ ଆମନ୍ତ୍ରଣ ଜଣାଇବାକୁ ଭୁଲିଲା ନାହିଁ। କୁମୁଦ ଏଥର ପୁଣି ଚାଲିଲା ଅଫିସରେ ନିଜ କାମ ସାରିବାକୁ, କିନ୍ତୁ ସେତିକି ବେଳକୁ ସେ ଖୁଚୁରାଶୂନ୍ଯ ହୋଇସାରିଥିଲା। ବହୁତ୍ ସମୟ ଅପେକ୍ଷା କରିବା ପରେ ଅଫିସରେ ତା କାମ ସରିଲା। ସେତେବେଳକୁ ସନ୍ଧ୍ଯା ହୋଇଯାଇଥିଲା ଓ ଭୋକର ପ୍ରକୋପ ମଧ୍ଯ ଯଥେଷ୍ଟ ବଢି ସାରିଥିଲା। ଅଫିସ୍ ପାଖ ଦୋକାନ ରେ ଗରମ୍ ବରା ଛଣା ହେଉଥିବା ଦେଖି କୁମୁଦ ସେ ଦିଗ ରେ ଅଗ୍ରସର ହେଲା। ଖାଇବା ପାଇଁ ବରାଦ ଦେବା ପୂର୍ବରୁ ଦୋକାନୀ ବଡ ଆବାଗିଆ ସ୍ବରରେ ପଚାରିଲା , “ବାବୁ, ଖୁଚୁରା ପଇସା ଅଛି ତ? ଦୋକାନୀର ପ୍ରଶ୍ନ ନିହାତି ଅଯୌକ୍ତିକ ଓ ଖାପଛଡା ମନେ ଦେଲେ ମଧ୍ଯ, କୁମୁଦ କିଛି ଉତ୍ତର ଦେବା ପୂର୍ବରୁ ମନିପର୍ସ ଅଣ୍ଡାଳି ଦେଖିଲା। କେବଳ ପାଞ୍ଚଶହ ଟଙ୍କିଆ ନୋଟ୍ କୁ ଛାଡି ଦେଲେ ତା ପାଖରେ ଗୋଟିଏ ଟଙ୍କାର ମଧ୍ଯ ଖୁଚୁରା ନ ଥିଲା। ସହଜ ସ୍ବରରେ ସେ ଦୋକାନୀ କୁ କହିଲା-- ଆରେ ଭାଇ, ଖୁଚୁରା ନାହିଁ, କିନ୍ତୁ ପାଖରେ ପଇସା ତ ଅଛି। ପାଞ୍ଚଶହ ର ନୋଟ୍ କଣ ତୁମ ପାଖରେ ଚଳିବନି?

ଦୋକାନୀ ବରା ଦେବା ପାଇଁ ସଜବାଜ ହେଉ ଥିଲା, ମାତ୍ର କୁମୁଦର କଥା ଶୁଣି ତା ମୁହଁ କୁ ଚାହିଁ କର୍କଶ ସ୍ବରରେ ପଚାରିଲା

...ଖୁଚୁରା ଅଛିକି ନାହିଁ କୁହ ମ..ଏତେ ପାଠ ଶୁଣିବାକୁ ସମୟ ନାହିଁ ମୋ ପାଖେ। ଆଜିକାଲି ଯାହାକୁ ଦେଖିଲେ ଖାଲି ପାଞ୍ଚଶହ ଟଙ୍କିଆ ନୋଟ୍ ଦେଖଉଛନ୍ତି। ନୋଟ୍ ସବୁ ଗଛରେ ଫଳୁଛି ନା କଣ?

ଏତେ ଲୋକ ସାମନା ରେ ଦୋକାନୀ ପାଖରୁ ଏପରି ଅପମାନଭରା କଥା ଶୁଣି ସେ ଭୀଷଣ ରାଗି କହିଲା-- ସେମିତି ଫାଲତୁ କଥା କାହିଁକି କରୁଛ?ମୋ ପାଖରେ ଯେତିକି ଟଙ୍କା ଅଛି ତୁମ ଦୋକାନ କୁ ପୁରା କିଣି ନେଇପାରିବି।

ଦାନ୍ତ ନିକୁଟାଇ ଛିଗୁଲାଇଲା ପରି ଦୋକାନୀ କହିଲା-- ହେଃ, ରଖ ହୋ ତୁମ ବଡଲୋକିଆ ତୁମ ପାଖରେ, ମୋର ତୁମକୁ ଦୋକାନ ବିକିବାର ନାହିଁ। ଆଗ ଦେକାନ ଦେଖ, ବଇନି ସମୟରେ ତୁମ ପରି ଲକ୍ଷ୍ମୀଛଡା ଲୋକଟେ ହାବୁଡରେ ପଡିଲାଣି ଯେତେବେଳେ ଆଜି ବେପାର କଣ ହେବ ଜାଣି ହଉନି। ଜଦି ପାଞ୍ଚଶ ଟଙ୍କିଆ ଧରି ବୁଲୁଛ, ଯାଉନ ବଡ ହୋଟେଲରେ ଖାଇବ -- – ଏ ଦି ଟଙ୍କିଆ ବରା ଦୋକାନ ଆଗରେ କାହିଁକି କଟକଟ ହେଉଛ!


କୁମୁଦର ମୁହଁ ଶୁଖି କଳା ହୋଇଗଲା, ଏମିତି ଅପମାନିତ ହେବ ବୋଲି ସେ ସ୍ବପ୍ନରେ ବି ଭାବି ନ ଥିଲା। ଦୋକାନ ସାମନା ରେ ଛିଡା ହୋଇଥିବା ଗ୍ରାହକ ମାନେ ଏପରି ଏକ ମନୋରମ ଦୃଶ୍ଯ ଉପଭୋଗ କରିବାର ସୁଯୋଗ ହାତଛଡା ନ କରି ଆଖି ମିଟିମିଟି କରି ହସିବାରେ ଲାଗିଥିଲେ। ଅପମାନରେ ଜର୍ଜରିତ ହୋଇ ସେ ସ୍ଥାନ ପରିତ୍ଯାଗ କରି କୁମୁଦ ବସଷ୍ଟାଣ୍ଡ ଆଡକୁ ମୁହାଁଇଲା।

ମନରେ କେତେ କଣ ଚିନ୍ତା ଅଡୁଆ ସୁତା ପରି ଗୁଡେଇ ହୋଇ ଯାଉଥିଲା। ନିଜକୁ ଆବିଷ୍କାର କଲା ବସଷ୍ଟାଣ୍ଡରେ। ପଚାରି ବୁଝିଲାଯେ ବସ ଅଛି ରାତି ଦଶଟାରେ। ଏତେ ସମୟ କରିବ କଣ। ବସ୍ କଣ୍ଡକ୍ଟରକୁ କହିଲା ଟିକେ ଖୁଚୁରା କରି ଦେବା ପାଇଁ। ମାତ୍ର ହୋଇ ପାରିଲାନି। ସେ କହିଲା ଯେ --ଆଜ୍ଞା ଲୋକେ ତ ଟିକେଟ୍ କାଟି ନାହାନ୍ତି, ଏତେ ବେଳୁ ଖୁଚୁରା କୁଆଡୁ ଆସିବ? କିନ୍ତୁ ଖୁଚୁରା ହେଲେ ମୁଁ ନିହାତି ଦେବି, ଅପେକ୍ଷା କରନ୍ତୁ।

ଧିରେ ଧିରେ ଭୋକର ମାତ୍ରା ବଢି ଚାଲିଥିଲା। ଦେଖିଲା ପାଖରେ ଥଣ୍ଡାପାଣିର ପାଇପ୍ ଲାଗିଛି। କିଛି ବିଚାର ନକରି ବିକଳରେ ତଣ୍ଟି ଯାଏ ପାଣି ପିଇ ଦେଲା। କିନ୍ତୁ ଭୋକକୁ କଣ ପାଣି ଦ୍ବାରା ଶାନ୍ତ କରା ଯାଇପାରେେ? କିଛି ସମୟ ପରେ ପୁଣି ସେଇ କଷ୍ଟ ତାକୁ କବଳିତ କଲା। “ପେଟ ପାଇଁ ସବୁ ନାଟ” ଉକ୍ତିର ଯଥାର୍ଥତା ସେ ଭଲରେ ହୃଦୟଙ୍ଗମ କରିପାରୁଥିଲା ସେ ସମୟ ରେ।ପାଖରେ ଯଥେଷ୍ଟ ପଇସା ଅଛି। କିନ୍ତୁ ଖୁଚୁରା ନାହିଁ ବୋଲି ସେ ନିଜକୁ ଦରିଦ୍ର ମନେ କଲା।

ଦୋକାନ ପରେ ଦୋକାନ ଘୁରି ବୁଲିଲା ସେଇ ଗୋଟିଏ ପ୍ରଶ୍ନ କୁ ନେଇ....ଭାଇ ତୁମ ପାଖରେ ପାଞ୍ଚଶହ ଟଙ୍କିଆ ନୋଟ୍ ର ଖୁଚୁରା ହେବ? ଆଉ ସବୁ ଯାଗାରୁ ସେଇ ଏକା ଉତ୍ତର “ନାଁ”। ବେଳକୁ ବେଳ ସେ ଅସ୍ଥିର ହୋଇ ଉଠୁଥାଏ। କଣ କରିବ ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁ ନ ଥାଏ। ମନେମନେ ଭାବିଲା ଯାହା ପଇସା ପଡୁ ପଛେ ଗୋଟେ ବଡ ହୋଟେଲରେ ପଶିବ। ସେଠିରେ ସବୁ ଜିନିଷର ମୂଲ୍ଯ ଅଧିକ। ତେଣୁ ଖୁଚୁରା ମିଳି ଯିବ। ସେପରି ଏକ ହୋଟେଲର ଦୁଆର ମୁହଁରେ ଠିଆ ହୋଇ ଯିବ କି ନାହିଁ ଭାବିଲା ବେଳକୁ ମନେ ପଡି ଗଲା ଯେ ତା ଝିଅର ଆଡମିସନ ପାଇଁ ପଇସା ଦରକାର। ମାଆର ଓୌଷଧ, ବାପାଙ୍କ ଚଷମା, ସ୍ତ୍ରୀ ର କାନ ଫୁଲ ଓ ଗାଁ ଘରର ଚାଳ ଛପର...ସବୁ ତ ବାକି ଅଛି। ବହୁତ୍ ପଇସା ଦରକାର...ଏମିତି ଅବସ୍ଥାରେ ତାର ହୋଟେଲରେ ଯାଇ ଦାମିକା ଖାଦ୍ଯ ଖାଇବା କୌଣସି ଆଡୁ ଯୁକ୍ତିଯୁକ୍ତ ଲାଗୁନି। ଆପେଆପେ ପାଦ ଫେରି ଆସିଲା ପଛକୁ। କିଛି ଉପାୟ ନ ପାଇ ଲଥ୍ କରି ବସି ପଡିଲା ବସଷ୍ଟାଣ୍ଡରେ ପଡି ଥିବା ଏକ ବେଞ୍ଚ ଉପରେ। ଭୋକରେ ମୁଣ୍ଡ ବୁଲେଇ ଦେଉଥାଏ। ଦେହରେ ଜୀବନ ନ ଥିଲା ପରି ଲାଗୁଥାଏ ତାକୁ। ସେ ସକାଳେ ଯାହା ଜଳଖିଆ ଖାଇଥିଲା। ତା ପର ଠାରୁ ପେଟରେ ଦାନାଟିଏ ବି ପଡିନି। କେତେ ସମୟ ତାକୁ ଏମିତି ରହିବାକୁ ହେବ। ଗାଁଆ ରେ ପହଞ୍ଚିଲା ବେଳକୁ ବହୁତ ରାତି ହୋଇ ଯିବ। ତା ପରେ ଯାହା ଗଣ୍ଡେ ଖାଇହେବ। କିନ୍ତୁ ସେତେ ବେଳକୁ ଚେତା ରହିଲେ ହେଲା।

ବସଷ୍ଟାଣ୍ଡରେ ଅନେକ ଲୋକଙ୍କୁ ଦେଖିଲା। ସେମାନେ କିଛି ନା କିଛି ଖାଇବାରେ ବ୍ଯସ୍ତ। କିଏ ଜରି ଭିତରୁ କଣ କାଢି ଖାଉଛି, ତ ଆଉ କିଏ ଖାଇବା ଡବା ଧରି ବସିଛି। ଚାରି ଆଡକୁ ଆଖି ବୁଲେଇ ଦେଖିଲା ଯେ ହୋଟେଲରେ ବି ଲୋକ ଗହଳି। ସମସ୍ତେ ଖାଇବାରେ ବ୍ଯସ୍ତ। ଆଶ୍ଚର୍ଯ୍ଯ, ସେ ଆଜି ଯାଏ କେବେ ଲକ୍ଷ୍ଯ କରି ନ ଥିଲା ମନୁଷ୍ଯର ଖାଇବାର ପ୍ରବୃତ୍ତି କୁ। ପେଟ ଭିତରେ ଭୋକର ତୀବ୍ରତା ବଢିବା ସାଙ୍ଗକୁ ସେ ଶୁଣି ପାରୁଥିଲା ଲୋକ ମାନଙ୍କର ଖାଦ୍ଯ ଚୋବାଇ ଗିଳି ଦେବାର ଶବ୍ଦ। ଲାଗୁଥିଲା ଭୋକର ତୀବ୍ରତା, ତା ଶରୀରରେ ସୁପ୍ତପ୍ରାୟ ଥିବା ଇନ୍ଦ୍ରିୟ ମାନଙ୍କର କାର୍ଯ୍ଯ କୁଶଳତା କୁ ବହୁଗୁଣ ରେ ବଢାଇ ଦେଇଛି। ମନେ ପଡି ଗଲା ତାର ସେହି ଅତି ପରିଚିତ କଥା। ଯାହା ସେ ଛୁଆ ଦିନୁ ଶୁଣି ଆସିଛି।

“ ସବୁ ନାଟ ଏଇ ପେଟ ଚାଖଣ୍ଡକ ପାଇଁ”। ସେ ନିଜେ ଅନୁଭବ କଲା ଭୋକର ତୀବ୍ରତା କେତେ ଅଧିକ। ମନ ହେଉଥିଲା, ସବୁ ମଣିଷତ୍ବ ତ୍ଯାଗ କରି କାହାଠୁ ବି ଖାଇବା ଛଡେଇ ନିଜ ଭୋକ ମେଣ୍ଟେଇବ। ପିଲା ଦିନେ ପଢିଥିବା ମିଦାସ୍ ରାଜାଙ୍କ କଥା ମନେ ପଡିଲା ତାର। ରାଜା ଯାହା ଛୁଇଁଲେ ସବୁ ସୁନା ହୋଇଯାଉଥିଲା। ଶେଷରେ ଏପରି ଅବସ୍ଥା ହେଲା ଯେ ଖାଇବା ଜିନିଷରେ ହାତ ରଖିବା ମାତ୍ରେ ଖାଦ୍ଯ ବି ସୁନା ହୋଇଗଲା। ଏତେ ବଡ ଧନୀ ରାଜା ଭୋକଉପାସରେ ପ୍ରାଣତ୍ଯାଗ କଲେ। ଆଜି ତାର ଅବସ୍ଥା ମଧ୍ଯ ପାଖାପାଖି ସେଇପରି।

ସେ ଏମିତି ଭାବନା ରେ ନିମଗ୍ନ ଥିବା ଅବସ୍ଥାରେ ,ତା ପାଖରେ ଜଣେ ବୁଢା ଲୋକ ଆସି ବସିଲା। ହାତର ଗଣ୍ଠିଲି ଓ ବେଶଭୁଷାରୁ ଜଣା ପଡୁଥିଲା, ସେ ବୋଧେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବ।

ପଚାରିଲା ବାବୁ କୁଆଡେ ଯିବ।

ବଡ କଷ୍ଟରେ କୁମୁଦ କହିଲା ଭଗବାନପୁର..

ସେ ଲୋକଟି ବୋଧେ କୁମୁଦର ଅବସ୍ଥାକୁ ଠଉରେଇ ପାରି ପଚାରିଲା- - ତୁମ ଦେହ ଭଲ ନାହିଁ କି?

କୁମୁଦ କିଛି ନ କହି ଚୁପ୍ ହୋଇ ବସିଲା। କାରଣ କଥା କହିବାର ଶକ୍ତି ନ ଥିଲା ତା ପାଖରେ। ଏମିତି ଚୁପଚାପ କିଛି ସମୟ ଚାଲିଗଲା। ଘଣ୍ଟାରେ ଜମା ୮ ଟା ବାଜିଛି। ଆହୁରି ବହୁତ ସମୟ ବାକି ଅଛି। ଭୋକର ମାତ୍ରା ବଢି ବଢି ଯାଉଛି। ଅଚାନକ୍ କୁମୁଦ ପଚାରିଲା-

ଆଚ୍ଛା ମଉସା ତୁମ ପାଖରେ ପାଞ୍ଚଶହ ଟଙ୍କାର ଖୁଚୁରା ହେବ। ସକାଳୁ କିଛି ଖାଇନି। ପାଖରେ ମୋର ଟଙ୍କା ଅଛି; ମାତ୍ର ସବୁ ପାଞ୍ଚଶହ ଟଙ୍କିଆ ନୋଟ୍। କେତେ ଆଡୁ ନିରାଶ ଓ ଅପମାନିତ ହେଲିଣି ଏଇ ଖୁଚୁରା ସକାଶେ। ଏତିକି କହି ସେ ନିଜ ମନି ପର୍ସଟି କାଢି ବୁଢାଲୋକଟିକୁ ଦେଖେଇଲା। ପ୍ରକୃତରେ ସେତେବେଳକୁ କୁମୁଦର ମୁଣ୍ଡ କାମ କରିବା ବନ୍ଦ କରି ଦେଇଥିଲା। କଣ କହୁଛି ସେ ନିଜେ ମଧ୍ଯ ଜାଣି ନ ଥିଲା। କେବଳ ଏତିକି ଜାଣି ଥିଲା ; କିଛି ସମୟ ଭିତରେ କିଛି ନ ଖାଇଲେ ସେ ଚେତା ବୁଡି ଯିବ ସେହି ସ୍ଥାନରେ।

ବୁଢା ଲୋକଟି କିଛି ନ ବୁଝିଲା ପରି ଚାହିଁଲା କୁମୁଦକୁ। କହିଲା

…...ବାବୁ ପାଞ୍ଚଶହ ଟଙ୍କିଆ ନୋଟ୍ କିଏ ମୁଁ କିଏ? ତାକୁ ଖୁଚୁରା କଲେ କେତେ ଟଙ୍କା ହେବ ବି ଜାଣି ନାହିଁ। ମୋ ପାଖରେ କୁଆଡୁ ଆସିବ ଖୁଚୁରା। ତା ଉତ୍ତର ଶୁଣି କୁମୁଦ ଚୁପ୍ ହୋଇଗଲା। ଖାଲି ଏତିକି କହିଲା

...ଅଜବ ଏ ସହର, ଅଜବ ଏହାର ଲୋକ....ଛାଡ! ଭାଗ୍ଯରେ ଯାହା ଅଛି ଭୋଗିବାକୁ ହେବ।

ବୁଢା ନିଜ ଗଣ୍ଠିଲି ଭିତରୁ କିଛି ଖୋଜିବାରେ ଲାଗିଲା। କିଛି ସମୟ ପରେ କୁମୁଦ ହାତକୁ ଲୁଚା କୁଚାହୋଇଥିବା କିଛି ନୋଟ୍ ବଢେଇ ଦେଲା। କହିଲା

...ବାବୁ ଦେଖିଲୁ କେତେ ପଇସା ଅଛି। ବସ୍ ରେ ଯିବାକୁ ଆଣିଥିଲି। ତୁ ନେଇ ଯା। ମୁଁ ଆଜି ନ ହେଲେ କାଲି ଯିବି। ସେମିତି କିଛି ଦରକାର ନାହିଁ ଆଜି ଯିବା। ବନ୍ଧୁ ଘରକୁ ଯାଇ ଥାନ୍ତି। ତୁ କିଛି ଭାବେନି, ଯାହା ଅଛି ନେଇ ଯା। ପରେ ସୁବିଧା ହେଲେ ମୋତେ ଫେରେଇ ଦେବୁ। ମୋତେ ସବୁ ଏଠି ବଟ ବୁଢା ବୋଲି ଡାକନ୍ତି, ଏଇ ଗାଁ ପାଖ ସ୍କୁଲ ଗେଟ୍ ପାଖରେ ବାଦାମ ବିକେ। ଯାହାକୁ ପଚାରିବୁ ବଟ ବୁଢା ଘର କେଉଁଠି, ତୋତେ ନେଇ ପହଞ୍ଚେଇ ଦେବେ। ତୁ ସେତିକି ପଇସା ରେ କିଛି କିଣି ଖାଇ ଦେ।

କୁମୁଦ ଆଗ ପଛ ବିଚାର ନ କରି ବୁଢା ହାତରୁ ଟଙ୍କା ତକ ନେଇ ଗଣିଲା । ସେଥିରେ ଥିଲା ୫୫ ଟଙ୍କା। କହିଲା ମଉସା ତୁମେ ପାଞ୍ଚଶହ ଟଙ୍କା ରଖିନିଅ, ମୁଁ ପରେ ଆସି ନେଇ ଯିବି । ମୋ ପାଇଁ ତୁମେ କଣ ପାଇଁ ହଇରାଣ ହେବ। ବୁଢା କହିଲା, ଥାଉ ବାବୁ। ତୁ ଯାଇ ଆଗ ଖାଇନେ। ମୁଁ ଅଛି ଏଇ ସହରରେ। ତୁ ମୋତେ ଏଇ ସହରରେ ପାଇବୁ ଯେବେ ଆସିବୁ। ମୋର ଟଙ୍କା ଦରକାର ନାହିଁ। ମୋ ଘର ଏଇ ପାଖରେ। ମୁଁ ଘରକୁ ପଳେଇବି। ତୁ ଖାଇ ସାରି ଆସେ, ମୁଁ ବସିଛି ଏଇଠି। ତୁ ଆସିଲେ ମୁଁ ଯିବି।

କୁମୁଦ ଏକ ରକମ ଦଉଡି ଗଲା ପାଖ ଦେକାନ କୁ। ସେଠିରେ ମନ ଭରି ଖାଇଲା। କେତେ ଆଶିର୍ବାଦ ଦେଲା ସେ ବୁଢା କୁ ମନେମନେ। ପେଟ ଶାନ୍ତ ହେଲା ପରେ ତାକୁ ସୁସ୍ଥ ଲାଗିଲା। ଦେହରେ ବଳ ବି ଆସିଲା। ହୋଟେଲ୍ ରେ ପଇସା ଦେଇ ସାରି ଦଉଡି ଆସିଲା ସେଇ ବେଞ୍ଚ ପାଖକୁ ଯେଉଁଠାରେ ବୁଢା ତାକୁ ଜୀବନଦାନ ଦେଇ ଥିଲା। ଆସି ଦେଖିଲା ବେଳକୁ ସେଠାରେ ସେ ଲୋକ ଟି ନ ଥିଲା। ବହୁତ୍ ଖୋଜିଲା ପରେ ବି ତାକୁ ଆଉ ପାଇଲାନି। ଏତିକି ବେଳକୁ ବସ୍ ହର୍ଣ୍ଣ ମାରିଲା। ତରତର ହୋଇ ବସ୍ ରେ ଚଢିଗଲା କୁମୁଦ। ତାକୁ ଦେଖି ବସ୍ କଣ୍ଡକ୍ଟର କହିଲା

...ବାବୁ ଖୁଚୁରା ହୋଇଗଲା। ଟଙ୍କା ଦିଅ ମୁଁ ଖୁଚୁରା କରି ଦେଉଛି।

କୁମୁଦ ଚୁପଚାପ ବଢାଇ ଦେଲା ପାଞ୍ଚଶହ ଟଙ୍କା ଓ ତାକୁ ବଦଳାଇ କଣ୍ଡକ୍ଟର ଦେଲା ଦଶଟି ପଚାଶ ଟଙ୍କିଆ ନୋଟ୍। କୁମୁଦ ଖୁସିରେ ସେ ନୋଟ୍ ଗୁଡିକୁ ଛାତିରେ ଧରି ପକେଇଲା। କଣ୍ଡକ୍ଟର କିଛି ବୁଝି ନ ପାରି ଚାହିଁ ରହିବା ଦେଖି କୁମୁଦ କହିଲା.....

ଭଲ ହେଲା ଏବେ ଖୁଚୁରା ଦେଲ, ନ ହେଲେ ସେ ମଣିଷ ରୂପୀ ଦେବତାଙ୍କର ଦର୍ଶନ ଆଜି ମିଳି ନ ଥାନ୍ତା। ଆଉ ଡେରି ନ କରି ସେ ଏକ ଟୁକୁରା କାଗଜରେ ଲେଖିଦେଲା “ ବଟ ବୁଢା, ମଣିଷରୁପୀ ଦେବତା”

ଆଜି ସେଇ ଦେବତା କୁ ଖୋଜୁଛି କୁମୁଦ ସହର ସାରା। ମାତ୍ର ବୋକାଟା ଏତିକି ଜାଣିନି ଯେ ଭଗବାନ ଏତେ ସହଜରେ ମିଳନ୍ତି ନାହିଁ ବୋଲି।


###### ସମାାପ୍ତ #######


Rate this content
Log in

Similar oriya story from Inspirational